ଚାଲିବା ଯେବେ ହୋଇବା ସୁସ୍ଥ
ଚାଲିବା ଯେବେ ହୋଇବା ସୁସ୍ଥ


ବାର୍ଷିକ ପରୀକ୍ଷା ସରି ଯାଇଥାଏ । ଗ୍ରୀଷ୍ମ ଛୁଟିକାଟିବା ପାଇଁ ଗୁଡ଼ୁ ତା'ବୋଉ ସହିତ ଅଜା ଘରକୁ ବାହାରିଲା ।ଗୁଡ଼ୁ ଅଜାଘର ପୁରୀ ନିକଟସ୍ଥ ଗୋଟିଏ ଗ୍ରାମରେ ତେଣୁ ସେମାନେ ବସରେ ଯାଇ ଗାଁ ମୁଣ୍ଡ ରେ ଓହ୍ଲାଇଲେ।
ସେଠାରୁ ଅଜା ଘର ଗୋଟେ କିଲୋମିଟର ହେବ,ସେତକ ବାଟ ଚାଲି ଚାଲି ଯିବାକୁପଡେ।
ଗୁଡ଼ୁ ତା ବୋଉର ହାତ ଧରି ଚାଲିବାକୁ ଲାଗିଲା
ମଝିରେ ମଝିରେ ପଚାରୁ ଥାଏ," ଆଉ କେତେ ବାଟ ରହିଲା ବୋଲି"। ବୋଉ କହିଲା ହେଇ ଅଜାଘର ଦିଶିଲାଣି,ଗୁଡ଼ୁ ଚାଲି ଚାଲି ଥକିପଡୁ ଥାଏ।
କିଛି ସମୟ ପରେ ସେମାନେ ପହଞ୍ଚି ଗଲେ ଅଜାଙ୍କ ଘରେ।ଗୁଡ଼ୁର ଅଜା ଦାଣ୍ଡ ବାରଣ୍ଡାରେ ବସି ରଇତ ମାନଙ୍କ ସହିତ ବିଲବାଡ଼ି ଓ ଚାଷବାସ ବିଷୟରେ ଆଲୋଚନା କରୁଥାଆନ୍ତି।
ଗୁଡ଼ୁ ଯାଇ ଅଜାଙ୍କ ପାଦ ଛୁଇଁ ପ୍ରଣାମ କଲା।ଅଜା
ତାକୁ କୁଣ୍ଢେଇ ପକେଇଲେ।ମୁଣ୍ଡ ଆଉଁସି ଆଶୀଷ ଦେଲେ।ଗୁଡ଼ୁକୁ ଚାଲି ଚାଲି ଆସିବା ଯୋଗୁ ଭାରି କଷ୍ଟ ହେଉଥାଏ।
ଅଜା କହିଲେ ତୁ କଣ ଏତେ ହାଲିଆ ଦିଶୁଛୁ??
ଗୁଡ଼ୁ କହିଲା ଅଜା ଏତେ ବାଟ ଚାଲି ଚାଲି ଆସିବାରୁ ମୋତେ ହାଲିଆ ଲାଗୁଛି।ଅଜା ହସି ହସି କହିଲେ ଆରେ ତୁ ଏତିକି ବାଟ ଆସି ଥକି ପଡ଼ିଲୁ ?
ଗୁଡ଼ୁ କହିଲା ଅଜା ତମେଏତିକି ବାଟ କଣ କହୁଛ
ଆମେ ପରା ଗାଁ ମୁଣ୍ଡ ରୁ ଚାଲି ଚାଲି ଆସିଲୁ।
ଅଜା "କହିଲେ ହଇରେ ନାତି ଟୋକା ତୁ ଏତିକି ବାଟ ଚାଲି ହାଲିଆ ହୋଇ ଗଲୁ,ଆମେ ପିଲାବେଳେ ସବୁଆଡେ ଚାଲି ଚାଲି ଯିବା ଆସିବା କରୁଥିଲୁ "
କାହିଁକି ତମର କଣ ସେତେ ବେଳେ ଗାଡି ମୋଟର ନ ଥିଲା??
ଅଜା କହିଲେ ନା ସେତେବେଳେ ମଟର ସାଇକେଲ ତ ନ ଥିଲା, ଲୋକମାନେ ଶଗଡ଼ ଗାଡ଼ିରେ ଯାତାୟାତ କରୁଥିଲେ।
ରେଳଗାଡି,ବସ ଦୂର ସ୍ଥାନକୁ ଥିଲା ସିଏ ପୁଣି ଖୁବ୍ କମ୍ ।ଜଣେ ଜଣେ ସାଇକଲ ବ୍ୟବହାର କରୁଥିଲେ।
ଆଜି ତୁ ଖାଇ ସାରିବା ପରେ ମୁଁ ତୋତେ ଗୋଟିଏ ଭଲ କଥା କହିବି।
- ଗୁଡ଼ୁ ଭାରି ଖୁସି ହୋଇଗଲା.।
ଅଜା ଖାଇସାରିବା ପରେ ଖଟ ଉପରେ ବସି କହିବା ଆରମ୍ଭ କଲେ...... ଗୁଡ଼ୁ ମନଦେଇ ଶୁଣୁ...! ଆମ ପିଲାବେଳେ ଆମେ ଚାଲି ଚାଲି ପୁରୀ ଯାଉଥିଲୁ । ଗୁଡ଼ୁ ଆଶ୍ଚର୍ଯ୍ୟ ହୋଇ କହିଲା "ଅଜା ପୁରୀ ପରା ଏଠାରୁ ପନ୍ଦର କିଲୋମିଟର??"
ଅଜା କହିଲେ" ହଁ ହେଲେ ଆମେ ତ ସମସ୍ତେ ଚାଲି ଚାଲି ଯାଉ।"
ତମେ ଯାଅ।ହେଲେ କେମିତି??
କହୁଛି ଶୁଣୁ.....!!!
ମୋର ଜେଜେ ମା ଆଉ ତାଙ୍କ ସାଙ୍ଗ ସବୁ ଏକାଦଶୀ ଦିନ ପୁରୀ ଯାଆନ୍ତି।ବେଳେ ବେଳେ
ତାଙ୍କ ସହିତ ମୁଁ ମଧ୍ୟ ଯାଏ। ସେ ଦିନ ସକାଳୁ ସକାଳୁ ଜେଜେ ମା ମୋତେ କହେ ଯା "ସେ ମାଆଙ୍କୁ ଡାକି ଆଣିବୁ ।"ମୁଁ ଅଡ଼ଙ୍ଗ ରେ ଦୌଡ଼ି ଦୌଡ଼ି ଯାଏ ତାଙ୍କ ସାଙ୍ଗ ଘରକୁ।
ଗୁଡ଼ୁ ପଚାରିଲା ଅଜା ଅଡ଼ଙ୍ଗ କଣ??ଅଜା ବୁଝେଇଲେ।.....
ସେତେବେଳେ ଗାଁ ର ସମସ୍ତଙ୍କର ମାଟି ଘର ଥାଏ।ଗାଁ ର ପ୍ରଥମ ଘର ଠାରୁ ଶେଷଘର ପର୍ଯ୍ୟନ୍ତ ସମସ୍ତ ଙ୍କ ଦାଣ୍ଡପିଣ୍ଡା ଆଉ ବାରି ପିଣ୍ଡା ଲାଗିଲାଗି ରହିଥାଏ ତମେ ଚାହିଁଲେ ପିଣ୍ଡାରେ ପିଣ୍ଡାରେ ଅନ୍ୟ ଜଣଙ୍କ ଘରକୁ ଅନାୟାସରେ ଯାଇ ଆସି ପାରିବ।ସେତେ ବେଳେ କାହା ପିଣ୍ଡାରେ ବାଡ ନଥାଏ ।ସେମିତି ପିଣ୍ଡାକୁ ଅଡ଼ଙ୍ଗ କହନ୍ତି।
ଜେଜେମାଙ୍କ ସାଙ୍ଗ ଆସିଲେ ଆମେ ତିନି ଜଣ ଯାକ ବାହାରି ପଡୁ ପୁରୀ ଅଭିମୁଖେ।
ସେତେବେଳେ ଗାଁ ରାସ୍ତା କଂକ୍ରିଟ ନଥିଲା।ଖାଲି ମାଟି ଆଉ ପାଦ ଚଲା ରାସ୍ତା,ରାସ୍ତା କଡରେ କିଆ ବୁଦା ,ଗହଳ ଲଟା,ଗଛ ।ଆମେ ଶିଘ୍ର ଶିଘ୍ର ଯିବାପାଇଁ ଧାନବିଲ ଭିତରେ ପଶି ହିଡ଼ରେ ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚି ଯାଉ।
ଗୁଡୁ ପଚାରିଲା ଅଜା ହିଡ଼ କଣ??
ଅଜା କହିଲେ ତୁ ଗାଁ ଭିତର କୁ ଆସିଲା ବେଳେ ଯେଉଁ ଧାନ ବିଲ ଦେଖିଲୁ, ସେଇ ବିଲମାନଙ୍କର ସୀମାକୁ ଚିହ୍ନିବା ପାଇଁ ଯେଉଁ ଛୋଟ ଛୋଟ ବାଡ଼ ଦିଆଯାଇ ଥାଏ,ତାକୁ ହିଡ଼ କହନ୍ତି। ସେଇ ମୁଖ୍ୟ ରାସ୍ତାକୁ ଜଗନ୍ନାଥ ସଡକ କୁହାଯାଏ।ସେ ରାସ୍ତା ମଧ୍ୟ ନାଲି ମାଟିରେ ତିଆରି ,ପିଚୁ ହୋଇ ନ ଥାଏ।
ସେଠାରୁ କିଛି ବାଟ ଗଲାପରେ କାଠ ପୋଲ ପଡେ।ସେଇ ପୋଲଟି କାଠରେ ତିଆରି ହୋଇଥିଲା।ଏବର ପୋଲ ଠାରୁ ଅଲଗା ପ୍ରକାର ଦେଖାଯାଏ।କାଠ ପୋଲ ର ଟିକେ ତଳକୁ ଗଡ଼ି ଗଲେ ରେଳଲାଇନ ଦେଖାଯାଏ ସେତେବେଳକୁ ଆମେ ପାଖା ପାଖି ମାଳତୀ ପାଟପୁର ପାଖରେ ପହଞ୍ଚି ଯାଇ ଥାଉ।
ସେଠାରୁ ସେଇ ରେଳ ଧାରଣା ଉପରେ ଚାଲିବା ଆରମ୍ଭ କରିଦେଉ, ସେତେବେଳେ ଖୁବ୍ କମ ରେଳ ଗାଡି ଚଳ ପ୍ରଚଳହୋଇଥାଏ।ଦିନରେ ମାତ୍ର ତିନିଟି ରେଳ ଗାଡି ଚାଲେ।ସକାଳ ଆଠଟା ଠାରୁ ଦିନ ଏଗାରଟା ଯାଏଁ ରେଳ ଲାଇନ ଫାଙ୍କା
ତେଣୁ ଆମକୁ ସେତେ ବେଳେ ରେଳ ଧାରଣା ଦେଇ ଯିବାକୁ ସୁବିଧା ହୁଏ।ମୁଖ୍ୟ ରାସ୍ତା ରେ ଟିକେ ଅଧିକ ସମୟ ଲାଗେ ସେଥିପାଇଁ ବୋଧେ ମୋ ଜେଜେ ମା ସେଇ ବାଟରେ ଯିବା ଆସିବା କରିବାକୁ ସହଜ ଭାବନ୍ତି।
ମୁଁ ରେଳ ଧାରଣାରେ ପଡ଼ି ଥିବା କାଠ ଉପରେ ଡ଼େଇଁ ଡ଼େଇଁ ଚାଲି ଥାଏ, ଆଉ ଜେଜେ ମା ତାଙ୍କ ସାଙ୍ଗ ଧାରଣା ର କଡ଼େ କଡ଼େ ମାଟି ଉପରେ ଚାଲି ଥାଆନ୍ତି।
ସେତେ ବେଳେ ରେଳ ଧାରଣା ଉପରେ ଶାଳକାଠର ଗଡ ସବୁକୁ ବ୍ୟବହାର କରାଯାଇଥାଏ।ତା ଉପରେ ଚାଲିଚାଲି ଆମେ ପହଁଞ୍ଚି ଯାଉ ଶ୍ରୀକ୍ଷେତ୍ର ର ପବିତ୍ର ପୁଷ୍କରିଣୀ ଇନ୍ଦ୍ରଦିମ୍ନ ପାଖରେ।ସେଠାରେ ଗୋଡହାତ ଧୋଇ ଗୁଣ୍ଡିଚା ମନ୍ଦିର ପାଖରୁ ନୀଳ ଚକ୍ର ଦର୍ଶନ କରୁ।ତା ପରେ ବଡ଼ଦାଣ୍ଡକୁ ବାହାରି ସିଧା ଯାଉ ଶ୍ରୀ ମନ୍ଦିର ସେଠାରେ ଜଗନ୍ନାଥଙ୍କୁ ଦର୍ଶନ କରି ମହା ପ୍ରସାଦ ଖାଉ।
ଜେଜେ ମାଙ୍କର ପୁରୀରେ ଅନେକ ବନ୍ଧୁଥାନ୍ତି। ତାଙ୍କଘରେ ରାତିରେ ଶୋଇ ପୁଣି ସକାଳେ ଉଠି ଗାଁକୁ ଫେରି ଥାଉ।
ଗୁଡ଼ୁ ଆଶ୍ଚର୍ଯ୍ୟ ହୋଇ କହିଲା ଅଜା ତମର ଗୋଡ଼ କାଟେନି ??
ଅଜା କହିଲେ ନା ,ସେତେ ବେଳେ ଆମେ ଚାଲି ଚାଲି ଅଭ୍ୟସ୍ତ ହୋଇ ଯାଇଥିଲୁ, ଆଉ ଯଦି କେତେ ବେଳେ ଆବଶ୍ୟକ ହୁଏ ଶଗଡ଼ରେ ଯାଉ, କିନ୍ତୁ ଶଗଡ଼ ଗାଡ଼ି ପ୍ରାୟ ଚାଷବାସ ପାଇଁ ବ୍ୟବହୃତ ହୋଇଥାଏ ତ ସବୁବେଳେ ଶଗଡ଼ ଗାଡ଼ିରେ ଯିବା ସମ୍ଭବ ହୁଏ ନାହିଁ।ସେଥିପାଇଁ ଆମେ ଚାଲି ଚାଲି ଯିବାକୁ ପସନ୍ଦ କରିଥାଉ।
ଆଉ ଗୁଡ଼ୁ ତୁ ଜାଣିଛୁ ଚାଲିବା ଏକ ପ୍ରକାର ବ୍ୟାୟାମ ,ଆଉ ଦେହ ପାଇଁ ହିତକର।ଚାଲିଲେ
ମଣିଷର ଶରୀର ଆଉ ମନ ଦୁଇଟା ଯାକ ସୁସ୍ଥ ରହେ।ବର୍ତ୍ତମାନ ସମୟରେ ତୁମେ ସବୁ ଅଳ୍ପ ପରିଶ୍ରମରେ ଥକି ପଡୁଛ,ଯଦି ଚାଲିବା ଅଭ୍ୟାସ ରଖିବ ତେବେ ତୁମେ ପରିଶ୍ରମ କରିପାରିବ। ତୁମେ ସବୁ ଟିକେ ଟିକେ ବାଟ ଯିବା ପାଇଁ ଗାଡି ବ୍ୟବହାର କରୁଛ।ଯଦି ଚାଲି କରି କିମ୍ବା ସାଇକଲରେ ଯିବାକୁ ଚେଷ୍ଟାକରିବ ତେବେ ଦେହ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣ ରୋକିବା ସମ୍ଭବ ହେବ।
ଅବଶ୍ୟ ଆଜିକାଲିକା ସମୟରେ ଗାଡି ମୋଟର ଆବଶ୍ୟକତା ଅଛି କିନ୍ତୁ ଜରୁରୀ ନୁହେଁ ସବୁ କ୍ଷେତ୍ରରେ ବ୍ୟବହାର କରିବା।ସମୟ ସୁବିଧା ଦେଖି ଚାଲି ଚାଲି ଯିବା କିମ୍ବା ସାଇକେଲ ବ୍ୟବହାର କରିପାରିବା।
ଅଜାଙ୍କ ଠାରୁ ଏହିକଥା ଶୁଣି ଗୁବହୁତ ଖୁସି ହୋଇଗଲା। ଆଉ ଅଜାଙ୍କୁ କଥା ଦେଲା,ଏବେଠାରୁ ସବୁ ଦିନ ସେ କିଛି ବାଟ ଚାଲିବ ,ତା ସହିତ ତା ସାଙ୍ଗମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇବ।