କର୍ମଫଳ
କର୍ମଫଳ
ପୂର୍ବେ ବିଭିନ୍ନ ଗୁରୁକୂଳ ମାନଙ୍କରେରେ ରହି ବାଳକମାନେ ବିଦ୍ୟା ଶିକ୍ଷା କରୁଥିଲେ।ସେମିତି ଏକ ପ୍ରତିଷ୍ଠିତ ଗୁରୁକୂଳରେ ଅଧ୍ୟୟନ କରୁଥିବା ବାଳକ ମାନଙ୍କ ମଧ୍ୟରେ ଜଣେ ଶିଷ୍ୟ ଗୁରୁଙ୍କର ଅତ୍ୟନ୍ତ ପ୍ରିୟ ଥିଲେ , କାରଣ ସେ ଶିଷ୍ୟ ଜଣଙ୍କ ଅତ୍ୟନ୍ତ ଶାନ୍ତ, ସରଳ ମେଧାବୀ, ଓ ଗୁରଙ୍କ ଅଜ୍ଞାଧୀନ ଥିଲେ। ଗୁରୁଙ୍କ ସେବା କରିବା ପାଇଁ ତତ୍ପର ରହିବା ସହ ସଦା ସର୍ବଦା ଆଶ୍ରମରେ ଉପସ୍ଥିତ ରହୁଥିଲେ।ତାଙ୍କ ଅନୁପସ୍ଥିତିରେ କାଳେ ଗୁରୁଙ୍କର କିଛି ଅସୁବିଧା ହେବ ସେହି ଭାବନା ପାଇଁ କେବେ ସେ ନିଜ ପିତା ମାତାଙ୍କ ସହିତ ଦେଖା କରିବା ପାଇଁ ମଧ୍ୟ ଯାଉ ନ ଥିଲେ। ଏହି ସବୁ ସଦଗୁଣ ହେତୁ ସେ ଗୁରୁଙ୍କର ଅତ୍ୟନ୍ତ ପ୍ରିୟ ଥିଲେ।
ତ୍ରିକାଳଦର୍ଶୀ ଗୁରୁଦେବ ଦିନେ ଧ୍ୟାନରେ ନିମଗ୍ନ ଥିବା ବେଳେ ତାଙ୍କୁ ଗୋଚର ହେଲା ତାଙ୍କ ପ୍ରିୟ ଶିଷ୍ୟଙ୍କ ସହିତ ଆଗକୁ କିଛି ଅଘଟଣ ଘଟିବାକୁ ଯାଉଛି। ଏପରି ଆଭାସ ହେବାକ୍ଷଣି ଗୁରୁ ସେଇ ଶିଷ୍ୟଙ୍କୁ ନିକଟକୁ ଡାକି କହିଲେ ତୁମେ କିଛିଦିନ ସ୍ବଗୃହକୁ ଯାଇ ପିତାମାତାଙ୍କୁ ସାକ୍ଷାତ କରି ଆସ। ଶିଷ୍ୟ ବିନମ୍ରତାର ସହିତ ଗୁରୁଙ୍କୁ କହିଲେ ।
" ଗୁରୁଦେବ ମୁଁ ଆପଣଙ୍କ ସେବାରେ ଅବହେଳା କରି ଯାଇପାରିବି ନାହିଁ"।
ଗୁରୁ କହିଲେ "ଏଇଟା ମୋର ଆଦେଶ ତୁମେ ପିତା ମାତାଙ୍କୁ ଦେଖା କରିବାପାଇଁ ଯାଅ।ବହୁତ ଦିନ ହେଲା ତୁମକୁ ନ ଦେଖିପାରି ସେମାନେ ଚିନ୍ତିତ ଓ ବ୍ୟଥିତ ଅବସ୍ଥାରେ ଅଛନ୍ତି।"
ଗୁରୁଙ୍କ ଆଦେଶ ପାଳନ କରିବା ପାଇଁ ଶିଷ୍ୟ ନିଜ ଗୃହ ଅଭିମୁଖେ ଯାତ୍ରା କଲେ। ବାଟରେ ଗୋଟିଏ ନଦୀ ପାର ହେବାକୁ ଥିବାରୁ ନଦୀ କୂଳରେ ଅନେକ ସମୟ ବସି ନାଉରିଆକୁ ଅପେକ୍ଷା କରିଛନ୍ତି। ସେଠାରେ ବସି ବସି ପ୍ରକୃତିର ଅପରୂପ ଶୋଭାକୁ ଉପଭୋଗ କରୁ କରୁ ଈଶ୍ୱରଙ୍କୁ ମନେ ମନେ ସ୍ମରଣ କରି ଧନ୍ୟବାଦ ଅର୍ପଣ କରୁଥାଆନ୍ତି।
--" ହେ ଭଗବାନ ଆପଣ କେତେ ଦୟାଳୁ ମୋତେ ଏ ସୁନ୍ଦର ପୃଥିବୀରେ ଜନ୍ମ ଦେଇଛନ୍ତି।କର୍ମ କରିବାକୁ ହାତ, ଚଳ ପ୍ରଚଳ ହେବାକୁ ପାଦ,ଧରିତ୍ରୀର ଅପରୂପ ଶୋଭାକୁ ଦର୍ଶନ କରିବା ପାଇଁ ଆଖି ,ପକ୍ଷୀର କାକଳୀ ନଦୀ ଝରଣାର କୁଳୁକୁଳୁ ନାଦ ଶୁଣିବାକୁ କାନ ଓ ସୁନ୍ଦର ଆଉ ସତେଜ ପୁଷ୍ପ ମାନଙ୍କର ସୁଗନ୍ଧକୁ ଆଘ୍ରାଣ କରିବାକୁ ନାକ ଇତ୍ୟାଦି ଅଙ୍ଗ ପ୍ରତ୍ୟଙ୍ଗ ଦେଇଛନ୍ତି,ହେ ପ୍ରଭୂ ଆପଣଙ୍କ ଏଇ ଅଯାଚିତ ଦୟା ଓ କରୁଣାରୁ ମୁଁ ଆପଣଙ୍କ ପାଖରେ ଋଣି ,ତେଣୁ ମୁଁ ସର୍ବଦା ଚେଷ୍ଟା କରିବି ଯେତେ ଦିନ ଏ ସଂସାରରେ ବଞ୍ଚି ରହିଥିବି ଅନ୍ୟର ଉପକାର କରିବା ପାଇଁ। ଅନ୍ୟର ସୁଖରେ ସୁଖୀ ହେବାପାଇଁ ଏବଂ ଗୁରୁଜନଙ୍କ ସେବା କରି ମନରେ ପ୍ରଶାନ୍ତି ଅନୁଭବ କରିବା ପାଇଁ।ଏମିତି ଚିନ୍ତନ କରୁଥିବା ବେଳେ ଶିଷ୍ୟ ଜଣଙ୍କ ଦେଖିଲେ ନଦୀର ଜଳରେ ସୃଷ୍ଟି ହେଉଥିବା ଛୋଟ ଛୋଟ ଲହରୀ ଗୁଡିକ ଆସି ଏକ ସ୍ଥାନରେ ବାରମ୍ବାର ମାଡ଼ ହେଉଛି ଯେଉଁଠାରେ ଗୋଟିଏ ପିମ୍ପୁଡି ମନ୍ଦା ରହିଛି। ଯେତେବେଳେ ପାଣି ଆସୁଛି ସେହି ମନ୍ଦାରୁ କିଛି ପିମ୍ପୁଡି ଭାସି ଯାଉଛନ୍ତି।ତେଣୁ ପିମ୍ପୁଡି ଗୁଡିକ ମନ୍ଦାରୁ ବାହାରି ଇତଃସ୍ତତ ଧାଉଛନ୍ତି।ଏ ଦୃଶ୍ୟ ଦେଖି ଶିଷ୍ୟ ଜଣଙ୍କ ଦୟା ବିଗଳିତ ହୋଇ ଉଠିଲେ। କିଛି ଉପାୟ କରି ପିମ୍ପୁଡି ମନ୍ଦାଟିକୁ ନଈ ସୁଅରୁ ରକ୍ଷା କରିବା ଉପାୟ ଚିନ୍ତା କଲେ।ଏପଟ ସେପଟ ଚାହୁଁ ଚାହୁଁ ତାକୁ ଖଣ୍ଡେ କାଠ ପଟା ମିଳିଲା । ସେଇ ପଟା ସାହାଯ୍ୟରେ ପାଣିକୁ କିଛି ଦୂରରୁ ଅଟକାଇ ରଖିଲେ ପିମ୍ପୁଡି ମନ୍ଦାଟି ସୁରକ୍ଷିତ ହେବ ,ବୋଲି ମନରେ ଭାବି କାମରେ ଲାଗି ପଡିଲେ। ପ୍ରଥମେ କିଛି ବାଲିକୁ ଏକତ୍ର କରି ଉଚ୍ଚା କଲେ ପରେ ସେ କାଠଟି ବାଲି ପାଖକୁ ଥୋଇ ପାଣିକୁ ଅଟକାଇ ରଖିଲେ ।ଏବ
େ ଆଉ ପାଣି କାଠକୁ ଡେଇଁ ପିମ୍ପୁଡି ମନ୍ଦା ପାଖକୁ ଆସିଲା ନାହିଁ ଫଳରେ ପିମ୍ପୁଡି ଗୁଡିକ ଧୀରେ ଧୀରେ ସୁରକ୍ଷିତ ସ୍ଥାନକୁ ଚାଲିବାକୁ ଲାଗିଲେ।ଏହି ସମୟରେ ଅନ୍ୟ କୂଳରୁ ନୌକାଟି ଫେରିଲା ଏବଂ ଶିଷ୍ୟ ନଦୀ ପାର ହୋଇ ଗୃହ ଅଭିମୁଖେ ଚାଲିଗଲେ।
ପିତା ମାତାଙ୍କ ସହିତ କିଛି ଦିନ ବିତାଇ ତାଙ୍କର ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଲେ।କିଛି ଦିନ ଧରି ସେବା କରିବା ପରେ ପୁତ୍ର ସେମାନଙ୍କୁ ଅନୁମତି ମାଗିଲେ ଗୁରୁକୂଳକୁ ଫେରିବା ପାଇଁ, ମାତା କହିଲେ "ଆଉ କିଛି ଦିନ ଆମ ସହିତ ରହିଯା। ବହୁ ଦିନ ପରେ ତୁ ଆମ ପାଖକୁ ଆସିଛୁ ମନ ପୁରେଇ ତୋତେ ଦେଖିବୁ। ଶିଷ୍ୟ ଜଣଙ୍କ ପିତାମାତାଙ୍କ କଥା ରକ୍ଷା କରି ଆଉ କିଛି ଦିନ ସେମାନଙ୍କ ସେବାରେ ବିତାଇଲେ । ପୁଣି ଗୁରୁକୁଳକୁ ତାଙ୍କୁ ଫେରିବାକୁ ହେବ ବୋଲି ମାତା ପିତାଙ୍କ ପାଖରେ ନର୍ମିତ ହୋଇ ଜଣାଇଲେ।
ନିଜର ବିଦ୍ୟା ଶିକ୍ଷା ଶେଷ କରି ଶୀଘ୍ର ଫେରି ଆସିବାକୁ ପ୍ରତିଶୃତି ଦେଇ ଗୁରୁକୂଳକୁ ଫେରିଗଲେ।
ଦୀର୍ଘ ଦିନ ଧରି ଶିଷ୍ୟ ନ ଫେରିବାରୁ ଗୁରୁ ମନେ ମନେ ଚିନ୍ତିତ ହେଉଥାଆନ୍ତି।ତାଙ୍କ ଧ୍ୟାନରେ ଆସିଥିବା ଅଘଟଣ ବୋଧେ ସତ୍ୟ ହୋଇଛି ଏବଂ ଶିଷ୍ୟ ଆଉ ଫେରିବେନି ବୋଲି ଆଶଙ୍କା ସତ୍ତ୍ୱେ ଅପେକ୍ଷା କରି ରହିଥାନ୍ତି।
****
ହଟାତ ଦିନେ ଗୁରୁଙ୍କୁ ଚମତ୍କୃତ କରି ଶିଷ୍ୟ ଆଶ୍ରମରେ ପହଁଚିଲେ।ଗୁରୁ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ଶିଷ୍ୟଙ୍କୁ କୋଳାଗ୍ରତ କରି ତାଙ୍କର ଓ ମାତା ପିତାଙ୍କର କୁଶଳତା ବିଷୟରେ ପଚାରି ବୁଝିଲେ। ସମସ୍ତେ କୁଶଳ ମଙ୍ଗଳରେରେ ଅଛନ୍ତି ଜାଣିବା ପରେ ଶିଷ୍ୟ ଜଣଙ୍କ ଅଘଟଣରୁ ରକ୍ଷା ପାଇଥିବାରୁ ଗୁରୁଦେବ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରି ତାଙ୍କ ଶ୍ରୀଚରଣରେ ଅଜସ୍ର ପ୍ରଣାମ ଜଣାଇଲେ।
ଗୁରୁଙ୍କ ମନରେ ଭାବନା ଆସିଲା ଯେ ଏତେ ବଡ଼ ବିପତ୍ତିରୁ ଶିଷ୍ୟ ଜଣଙ୍କ କେମିତି ବର୍ତ୍ତି ପାରିଲେ। ତାଙ୍କ ଧ୍ୟାନରେ ଦୃଶ୍ୟ ହୋଇଥିବା କଥା ତ କେବେ ମିଥ୍ୟା ହେବାର ନୁହେଁ।ତେଣୁ ଗୁରୁ ଉକ୍ତ ଶିଷ୍ୟଙ୍କୁ ପ୍ରଶ୍ନ କଲେ "ତୁମେ ଗୃହକୁ ଯିବା ବା ସେଠାରେ ଥିବା ସମୟରେ କଣ କଣ କରିଛ ମୋତେ ବିସ୍ତୃତ ଭାବରେ କୁହ ମୁଁ ଶୁଣିବାକୁ ଇଚ୍ଛୁକ।ଶିଷ୍ୟ ଜଣଙ୍କ ବାଟରେ ଯିବା ଆସିବା ସମୟର ସମସ୍ତ କଥା ଗୁରୁଙ୍କ ପାଖରେ ବିସ୍ତୃତ ଭାବରେ କହିଲେ। ସବୁ ଶୁଣିବା ପରେ ଗୁରୁ ଅତ୍ୟନ୍ତ ପ୍ରୀତ ହୋଇ ଶିଷ୍ୟଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କର ମୃତ୍ୟୁ ଯୋଗ ଥିଲା ଅଥଚ ନଦୀ କୂଳରୁ ପିମ୍ପୁଡି ମନ୍ଦାକୁ ରକ୍ଷା କରିବା ପାଇଁ କରିଥିବା ସତ୍ କର୍ମର ପ୍ରଭାବରେ ରିଷ୍ଟ ଖଣ୍ଡନ ହୋଇ ପାରିଲା । ତା ସହିତ ପିତା ମାତାଙ୍କ ସେବା କରିବା ଦ୍ୱାରା ତାଙ୍କ ପରମାୟୁ ବୃଦ୍ଧି ଘଟିଲା।
ମଣିଷର କର୍ମ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଭାଗ୍ୟ ତ ଜନ୍ମ ସହିତ ଯୋଡି ହୋଇ ଆସିଥାଏ କିନ୍ତୁ ସେଇ ଭାଗ୍ୟକୁ ଭୋଗୁଥିବା ମଣିଷଟି ତା'ର ସତ୍କର୍ମ ବଳରେ ଗ୍ରହପୀଡାଜନିତ କଷ୍ଟକୁ କିଛି ମାତ୍ରାରେ ଦୁରୀଭୂତ କରିପାରେ ଏବଂ କୁକର୍ମ ଫଳରେ ଦୁଃଖ ଅଶାନ୍ତି ଓ ନାନା ଅନିଷ୍ଟ ଭୋଗି ଥାଏ।
ତେଣୁ ପିଲାମାନେ ସର୍ବଦା ଅନ୍ୟର ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହୋଇ, ନିଜର ଶକ୍ତି ମୁତାବକ ସାହାଯ୍ୟ ସହଯୋଗ କରିବା ଏବଂ ଅନ୍ୟର ଉପକାର କରିବା ଆବଶ୍ୟକ।
ବେଳେ ବେଳେ ଅଦୃଷ୍ଟରେ ଥିବା ତୁମର ଗ୍ରହରିଷ୍ଟ
ଅନ୍ୟର ଆଶୀର୍ବାଦରୁ ଦୂର ହୋଇଯାଏ।