ଶ୍ରୀକୃଷ୍ଣ ହିଁ ଶ୍ରୀ ଜଗନ୍ନାଥ
ଶ୍ରୀକୃଷ୍ଣ ହିଁ ଶ୍ରୀ ଜଗନ୍ନାଥ
ଦ୍ୱାପର ଯୁଗର ଶେଷ ପର୍ଯ୍ୟାୟ,
ବୈକୁଣ୍ଠପୁର ଶୂନ୍ୟ କରି ପ୍ରଭୁ ମର୍ତ୍ତ୍ୟରେ ଅନେକ ସମୟ ରହିଗଲେ ଦେବଗଣ ବିଚାର କଲେ ଏ କଥା ପ୍ରଭୁଙ୍କୁ ସ୍ମରଣ କରାଇବା ପାଇଁ ଅଷ୍ଟବକ୍ର ୠଷିଙ୍କୁ ଦ୍ୱାରିକା ପଠାଇଲେ।ଦ୍ୱାରିକାର ପଥ ମଧ୍ୟରେ ଯଦୁବଂଶି ବାଳକଗଣ ଦେଖିଲେ ଋଷି ଅଷ୍ଟବକ୍ର ନିଜର କିମ୍ଭୁତକିମାକାର ଶରୀର ନେଇ ରାଜ ଦରବାର ଆଡକୁ ଅଗ୍ରସର ହେଉଛନ୍ତି। ସେମାନଙ୍କ ମନରେ ଉଙ୍କି ମାରିଲା ଦୁଷ୍ଟବୁଦ୍ଧି, ଋଷିଙ୍କୁ ପରିହାସ କରିବା ପାଇଁ ସାମ୍ବଙ୍କ ପୁତ୍ରକୁ ଗର୍ଭବତୀ ନାରୀ ରୂପରେ ସଜାଇ ତାଙ୍କ ନିକଟରେ ପହଞ୍ଚିଲେ।
ଋଷିଙ୍କୁ ନିବେଦନ କରି ପଚାରିଲେ"ହେ ଋଷିବର ଦୟାକରି କୁହନ୍ତୁ "ଏହାଙ୍କ ଉଦରରୁ କନ୍ୟା ଜାତ
ହେବ ନା ପୁତ୍ର???...
ଋଷି ଧ୍ୟାନବଳରେ ଜାଣିପାରିଲେ ଏମାନେ ତାଙ୍କ ସହିତ ପରିହାସ କରୁଛନ୍ତି।
କ୍ରୋଧ ରେ ସେମାନଙ୍କୁ ଅଭିଶାପ ଦେଲେ "ମୂର୍ଖ ବାଳକଗଣ ମୋତେ ପରିହାସ କରି ଏପରି ଛଳ କରୁଛ ତୁମକୁ ଅଭିଶାପ ଦେଉଛି ଏ ବାଳକ ଗର୍ଭରୁ ଏକ ଲୌହମୁଷଳ ଜାତହେବ ଆଉ ସେଇ ମୁଷଳ ଦ୍ୱାରା ତୁମର ଏଇ ଯଦୁବଂଶ ନାଶ ହେବ। ଋଷିଙ୍କ କ୍ରୋଧ ଦେଖି ଭୟଭୀତ ଯାଦବ ବାଳକଗଣ କ୍ଷମା ପ୍ରାର୍ଥନା କରିଥିଲେ,କିନ୍ତୁ ଋଷିଙ୍କ ଅଭିଶାପ ଫଳ ସ୍ୱରୂପ ସେ ବାଳକ ଏକ ମୁଷଳକୁ ପ୍ରସବ କଲା।ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଭୀମ ସେହି ମୁଷଳଙ୍କୁ ଶିଳାରେ ଘର୍ସଣ କରି କରି ତାକୁ ନଷ୍ଟ କରିବାପାଇଁ ଚେଷ୍ଟା କଲେ, ଯେତେବେଳେ ଏହାର ଆକାର ଅତୀବ କ୍ଷୁଦ୍ରହୋଇ ଏହାକୁ ଧରିବା ଅସଂମ୍ଭବ ହୋଇଗଲା ଭୀମ ଏହାକୁ ବହୁଦୂରକୁ ନିକ୍ଷେପ କରି ହସ୍ତୀନା ପ୍ରତ୍ୟାବର୍ତ୍ତନ କରିଥିଲେ।
ସେଇ ଲୌହ ଖଣ୍ଡଟିକୁ ଜାରା ନାମକ ଶବର ବନ ମଧ୍ୟରୁ ପାଇ ନିଜ ଶରରେ ସଂଯୋଗକରି ଶିକାର କରୁଥିଲେ।
ମହାବଳୀ ଭୀମ ସେଇ ମୁଷଳକୁ ଘସୁଥିବା ସ୍ଥାନରେ ଏକ ପ୍ରକାର ତୃଣ ଜାତ ହେଲା।ଏହି ତୃଣ ଅତୀବ ଉଚ୍ଚ ହେବା ସହ ସେଠାରେ ଘଞ୍ଚବନ ସୃଷ୍ଟି ହୋଇଥିଲା।ସେଇ ତୃଣର ନାମ 'ଏରକା' ଏବଂ ବନର ନାମ 'ଏରକାବନ' ଭାବେ ପରିଚିତ ହେଲା। ପରବର୍ତ୍ତୀ ସମୟରେ ସେଇଠାରେ ଯାଦବ ମାନେ କାଦମ୍ବରୀ ପାନ କରି ପରସ୍ପର ମଧ୍ୟରେ ଯୁଦ୍ଧରେ ଲିପ୍ତ ରହି ଜଣେ ଅନ୍ୟ ଜଣଙ୍କୁ ହତ୍ୟା କରିଥିଲେ।ଶ୍ରୀକୃଷ୍ଣ ସେମାନଙ୍କ ଔୖଦ୍ଧତ୍ୟକୁ ବରଦାସ୍ତ କରି ନ ପାରି ଅନେକ ଯାଦବ ତଥା ଅନିରୁଦ୍ଧ,କୃତବର୍ମା ଇତ୍ୟାଦି ସମ୍ବଦ୍ଧି ମାନଙ୍କୁ ସେଇ ଏରକା ତୃଣରେ ହତ୍ୟା କରିଥିଲେ।କଥିତ ଅଛି ସେ ଏରକାତୃଣ ଲୌହ ପରି କଠିନ ଏବଂ ତୀକ୍ଷ୍ଣ ଥିଲା।
ଶ୍ରୀକୃଷ୍ଣ ଯାଦବ ମାନଙ୍କର ବିନାଶକୁ ସ୍ଵଚକ୍ଷୁରେ ଦେଖି ଦୁଃଖରେ ମ୍ରିୟମାଣ ହୋଇ ପ୍ରଭାସ ତୀର୍ଥ ରେ ତପସ୍ୟାରତ ଜ୍ୟେଷ୍ଠଭ୍ରାତା ବଳରାମଙ୍କ ନିକଟକୁ ଗମନ କଲେ।ଠିକ୍ ସେହି ସମୟରେ ପ୍ରଭୁବଳରାମ ସ୍ଵଦେହ ତ୍ୟାଗକରି ଅନନ୍ତବାସୁକୀ ରୂପରେ ସ୍ଵଧାମକୁ ପ୍ରତ୍ୟାବର୍ତ୍ତନ କଲେ।ଏ ଦୃଶ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅବସାଦଗ୍ରସ୍ତ କରିଦେଲା ଫଳରେ ସେ ନିଘଞ୍ଚ ବନ ମଧ୍ୟରେ ସନ୍ତାପିତ ହୃଦୟରେ ଭ୍ରମଣ କରୁକରୁ ଶିଆଳିଲଟା ଉପରେ ବିଶ୍ରାମ ନେଉଥାନ୍ତି। ଜାରା ନାମକ ଶବର ମୃଗଶିକାର କରିବା ନିମନ୍ତେ ଉକ୍ତ ଅରଣ୍ୟରେ ବୁଲୁ ବୁଲୁ ଶିଆଳିଲତା ତଳେ ମୄଗର କର୍ଣ୍ଣ ସାଦୃଶ୍ୟ କିଛି ଦେଖି ତୀର ନିକ୍ଷେପ କଲା। ଲୌହଖଣ୍ଡରେ ନିର୍ମିତ ବିଷଯୁକ୍ତ ଶରକୁ ମୃଗର କର୍ଣ୍ଣ ମନେକରି ପ୍ରଭୁଙ୍କ ଶ୍ରୀପୟରକୁ ହିଁ ନିକ୍ଷେପ କରିଥିଲା। ଲତାଗହଳ ମଧ୍ୟରେ ମୃଗକୁ ଅନ୍ୱେଷଣ କରୁ କରୁ ଶ୍ରୀକୃଷ୍ଣଙ୍କର ଚତୁର୍ଦ୍ଧାମୂର୍ତ୍ତୀ ରୂପକୁ ଦର୍ଶନ କରି ଆଚମ୍ବିତ ହୋଇ ପଡ଼ିଲା।
ପ୍ରଭୁଙ୍କ ପାଦରେ ସେ ଯେ ତୀର ଦ୍ୱାରା ଆଘାତ ଦେଇଛି ଜାଣି ଜାରା ଦୁଃଖରେ ଅଧୀର ହୋଇ ତାଙ୍କ ପାଦ ତଳେ ପଡ଼ିଗଲା ।ଶ୍ରୀକୃଷ୍ଣ କହିଲେ ଜାରା ଏଥିରେ ତୁମର କାୖଣସି ଭୁଲ ନାହିଁ।ଏହା ବିଧି ନିର୍ଦ୍ଧିଷ୍ଟ ।ଏ ସବୁ ଘଟିବାର ଥିଲା।
" ତୁମେପୁର୍ବ ଜନ୍ମରେ ଅଙ୍ଗଦ ଥିଲ। ତୁମକୁ ପ୍ରଭୁ ଶ୍ରୀରାମ କିସ୍କିନ୍ଧ୍ୟାର ଯୁବରାଜ ବୋଲି ଘୋଷଣା କରିଥିଲେ।ପ୍ରଭୁଙ୍କ ପ୍ରତି ଭକ୍ତି ଭାବ ଥିଲେ ମଧ୍ୟ ତୁମ ମନରେ କେବେ କେବେ କ୍ଷୋଭ ଆସୁଥିଲା ଯେ,ତୁମେ ତୁମର ପିତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ସହିତ ଯୁଦ୍ଧ କରି ପିତୃ ହତ୍ୟାର ପ୍ରତିଶୋଧ ନେଇ ପାରିଲ ନାହିଁ ।ଏଇ ଭାବନାକୁ ତୁମେ ପ୍ରକାଶ କରି ନ ଥିଲେ ମଧ୍ୟ ଶ୍ରୀରାମ ତୁମ ମନର ଭାବନାକୁ ଜାଣି ପାରିଥିଲେ। ତେଣୁ ଦ୍ୱାପର ଯୁଗ ଶେଷ ପର୍ଯ୍ୟନ୍ତ ତୁମକୁ ଅପେକ୍ଷା କରିବାକୁ ପଡ଼ିଲା। ଶେଷରେ ମୁଁ ତୁମର ମନଷ୍କାମନା ପୁରଣ କରି ପାରିଛି।ତୁମେ ମୋତେ ଶରାଘାତ କରିଛ। ସେଥିପାଇଁ ତୁମଦ୍ୱାରା ଏ ଭୁଲ ହୋଇନାହିଁ। ଏ ଘଟଣା ମଧ୍ୟ ମୋର ଲୀଳା ସଂରଚନା।
ଏବେ ତୁମେ ଶୋକ ପରିତ୍ୟାଗ କରି ଅତି ଶୀଘ୍ର ହସ୍ତୀନାକୁ ଯାଅ।ସେଠାରେ ପାଣ୍ଡବ ମାନଙ୍କୁ ମୋ ବିଷୟରେ ସନ୍ଦେଶ ଜଣାଇ ଅର୍ଜୁନଙ୍କୁ ସଙ୍ଗରେ ନେଇ ଆସ। ତାଙ୍କ ଆଦେଶ ପାଳନ କରି ଜାରା ଅର୍ଜୁନଙ୍କୁ ଆଣି ତୁରନ୍ତ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିଲେ।
ଅର୍ଜୁନଙ୍କ ସ୍ପର୍ଶକୁ ପ୍ରଭୁ ଅପେକ୍ଷା କରିଥିଲେ।ତେଣୁ ଅର୍ଜୁନ ଶ୍ରୀକୃଷ୍ଣଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ତାଙ୍କୁ ଆଲିଙ୍ଗନ କରିବାକୁ କହିଲେ,କିନ୍ତୁ ସେତେବେଳେ ଅର୍ଜୁନଙ୍କର ମାତା କୁନ୍ତିଙ୍କ କଥା ସ୍ମରଣ ହେଲା। ସେ ହସ୍ତୀନାରୁ ଆସିବା ବେଳେ କହିଥିଲେ ଯେ," ତୁମେ ଶ୍ରୀକୃଷ୍ଣଙ୍କୁ କୌଣସି ପ୍ରକାରେ ସ୍ପର୍ଶ କରିବନାହିଁ।
କିନ୍ତୁ ସେଠାରେ ପହଞ୍ଚିବା ପରେ ସଖାଙ୍କ କଷ୍ଟକୁ ଲାଘବ କରିବା ପାଇଁ ଅର୍ଜୁନ ଯେମିତି କୃଷ୍ଣଙ୍କୁ ନିଜ ହାତରେ ଆଉଁସି ଦେଇଛନ୍ତି ପ୍ରଭୁ ଶରୀର ତ୍ୟାଗ କରି ବୈକୁଣ୍ଠପୁରକୁ ପ୍ରସ୍ଥାନ କଲେ।କୁହାଯାଏ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଠାରୁ ତାଙ୍କ ଅଂଶରେ ଥିବା ଏକ କଳାକୁ ହରଣ କରିବା ପାଇଁ ତାଙ୍କୁ ସ୍ପର୍ଶ କରିବାକୁ ଚାହୁଁ ଥିଲେଏବଂ ସ୍ପର୍ଶ ମାତ୍ରକେ ଅର୍ଜୁନଙ୍କ ସମସ୍ତ ବଳ ନଷ୍ଟ ହୋଇ ଯାଇଥିଲା। ଦେହ ତ୍ୟାଗପୁର୍ବରୁ ପ୍ରଭୁ ଅନୁରୋଧ କରିଥିଲେ ମୋ ଶରୀରକୁ ଦାହ କରିବା ପରେ ଦ୍ୱାରିକାକୁ ଯାଇ ସମସ୍ତ ଯାଦବ ରମଣୀଙ୍କୁ ହସ୍ତୀନାକୁ ନେଇ ପ୍ରତ୍ୟାବର୍ତ୍ତନ କରିବ। କାରଣ କିଛି ସମୟ ପରେ ସମଗ୍ର ଦ୍ୱାରିକା ଜଳମଗ୍ନ ହୋଇଯିବ।
ସଖାଙ୍କ ବିୟୋଗ ଜନିତ ଦୁଃଖରେ ଅର୍ଜୁନ ଅଧୀର ହୋଇ ପଡ଼ିଥିଲେ ମଧ୍ୟ ତାଙ୍କ ଆଦେଶ ପାଳନ କରି ପ୍ରଭୁଙ୍କ ଶରୀରକୁ ଦାହ କରିଥିଲେ।
ଜାରା ଶବର ଏବଂ ଅର୍ଜୁନ ଅନେକ ପ୍ରୟାସ କରି ଥିଲେ ମଧ୍ୟ ଶ୍ରୀକୃଷ୍ଣଙ୍କ ସମଗ୍ର ଶରୀର ଅଗ୍ନିରେ ଦଗ୍ଧିଭୁତ ହୋଇପାରି ନଥିଲା।ପ୍ରଭୁଙ୍କ ନାଭିକୁ ଅଗ୍ନି ସ୍ପର୍ଶ କରି ପାରିଲା ନାହିଁ।ଫଳରେ ଅର୍ଜୁନ ଚିନ୍ତିତ ହୋଇ ପଡ଼ିଲେ।ଏହି ସମୟରେ ଆକାଶ ବାଣୀ ହେଲା ମୋ ଶରୀରର ଅପୋଡା ଅଂଶକୁ ସାଗର ମଧ୍ୟରେ ବିସର୍ଜନ କରିଦିଅ। ମୁଁ ପରବର୍ତ୍ତୀ କାଳରେ ନୀଳଶୈଳ ପର୍ବତରେ ଆବିର୍ଭୁତ ହୋଇ ଶବର ସେବକ ମାନଙ୍କ ଦ୍ୱାରା ପୂଜିତ ହେବି।
ଏହା ଶୁଣି ଜାରା ଶବର ଓ ସଖା ଅର୍ଜୁନ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ସମୁଦ୍ରରେ ବିସର୍ଜନ କରି ଫେରି ଯାଇଥିଲେ।
ପୌରାଣିକ ତଥ୍ୟ ଅନୁଯାୟୀ ଜଗନ୍ନାଥ ହିଁ କୃଷ୍ଣ। ବୈକୁଣ୍ଠ ଅଧିପତି ଶ୍ରୀବିଷ୍ଣୁ ଦ୍ଵାପର ଯୁଗରେ କୃଷ୍ଣ ଅବତାର ହୋଇ ଦେହତ୍ୟାଗ ପରେ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ରୂପରେ ପୂଜା ପାଉଛନ୍ତି।ସଂସ୍କୃତ ପୁରାଣର ବର୍ଣ୍ଣନା ଅନୁଯାୟୀ ଦ୍ୱାରିକାପୁରୀର ବିଲୟ ପରେ ଏଇ କ୍ଷେତ୍ରରେ ଦ୍ୱାରିକାର ମାହାତ୍ମ୍ୟ ପ୍ରକଟିତ ହେଲା। ଏଇ ପବିତ୍ର ଧାମରେ ପ୍ରଭୁ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ଏବଂ ଭଗ୍ନି ସୁଭଦ୍ରା ଙ୍କ ସହିତ ଅବସ୍ଥାନ କରି ଏହାକୁ ଲୀଳାକ୍ଷେତ୍ର କରିଲେ।ଏଥିପାଇଁ ପୁରୀକୁ କଳିଯୁଗ ଦ୍ୱାରିକା କୁହାଯାଏ।
ନୀଳମାଧବ ହିଁ ବିଷ୍ଣୁ, ଏବଂ ଅନ୍ତର୍ଧ୍ୟାନ ପରେପୁ ଣି ସେ ନୀଳମାଧବ ରୁପରେ ଆବିର୍ଭୁତ ହୋଇ ଜାରା ଶବର ଦ୍ୱାରା ନୀଳମାଧଵ ରୂପେ ପୂଜିତ ହେଉଛନ୍ତି।ଏକଥା ସ୍କନ୍ଦ ପୁରାଣରେ ଲିଖିତ ହୋଇଛି।