ଶୀତର ସ୍ମୃତି
ଶୀତର ସ୍ମୃତି


ଆପାର୍ଟମେଣ୍ଟର ବାଲକୋନିରେ ଠିଆ ହୋଇ ପ୍ରକୃତିର ନୈସର୍ଗିକ ଶୋଭାକୁ ଉପଭୋଗ କରିବାର ବୃଥା ପ୍ରୟାସ କରୁଛି ପ୍ରତାପ। ସହରର ଧୂଳି ଧୁଆଁରେ ଆକ୍ତାମାକ୍ତା ମନ ଖୋଜୁଛି କୁହୁଡିର ଆସ୍ତରଣ ତଳେ ଥିବା ପୃଥିବୀର ସୁନ୍ଦର ଚିତ୍ରକୁ।ଘନ କୁଜ୍ଜଟିକା ଘେରା ଆକାଶରୁ ପଡୁଥିବା କାକର ଟୋପାକୁ । କିନ୍ତୁ ସେ କାକର ଟୋପାରେ ନାହିଁ ଚିକମିକ ରୁପା ରଙ୍ଗ। କଳା ରଙ୍ଗର ଅଠାଳିଆ କାକର ଯେଉଁଠି ପଡୁଛି ଗୋଟିଏ ଦାଗ ସୃଷ୍ଟି କରୁଛି।କୁହୁଡ଼ିରେ ଧୂଳିକଣା ଅତ୍ୟଧିକ ପରିମାଣର ଉପସ୍ଥିତି ପାଇଁଏପରି ହେଉଛି।
ଖୁବ କମ ଦିନରେ ଶୀତ ଆସି ଚାଲିଯାଉଛି। ଅଧିକ ଦିନ ଖରା ଆଉ ଗରମ ସହି ଶୀତଋତୁର ଲୋକେ ଭୁଲିବାକୁ ବାଧ୍ୟ ହେଲେଣି।ଶୀତ ଦିନର ପନିପରିବା ପ୍ରତ୍ୟେକ ଋତୁରେ ମିଳିଲାଣି।ତେଣୁ ସ୍ୱାଦହୀନ ପନି ପରିବା ଖାଇ ଲୋକେ ଅଭ୍ୟସ୍ତ ହୋଇ ଗଲେଣି। ଅଧିକାଂଶ ସ୍ତ୍ରୀଲୋକ କର୍ମଜୀବୀ ହେବାରେ ପରିବାରରେ ପର୍ବପର୍ବାଣିକୁ ପାଳନ କରିବାକୁ ଅଯଥା ବୋଝ ଭାବିଲେଣି।
ପ୍ରକୃତି ତାର କ୍ରମ ଅନୁଯାୟୀ ଋତୁ ପରିବର୍ତ୍ତନ କରୁଛି ସତ କିନ୍ତୁ କେବଳ ଗ୍ରୀଷ୍ମ ଋତୁର ଅନୁଭବ ଛଡା ଅନ୍ୟଋତୁକୁ ଅନୁଭବ କରି ହେଉନାହିଁ। ବର୍ଷା ଋତୁରେ କେବେ ବିଳମ୍ବରେ ବର୍ଷା ହେଉଛି ତ କେତେବେଳେ ଅବିଶ୍ରାନ୍ତ ବର୍ଷାରେ ଜଳ ପ୍ଲାବନ କରି ଶସ୍ୟ ସମ୍ପଦ ହାନି କରୁଛି।ପ୍ରକୃତିର ଏ ପରିବର୍ତ୍ତନ ଜୀଵ ଜଗତକୁ ନଷ୍ଟ କରିଦେବନି ତ ?
ପ୍ରତାପର ସବୁଠାରୁ ପ୍ରିୟ ଋତୁ ହେଲା ଶୀତ ଋତୁ। ଏଇ ସମୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରିହୁଏ।ବିଶେଷ କରି ଗ୍ରାମ୍ୟ ପରିବେଶରେ।
ଶୀତ ଦିନ ଆସିଲେ ସ୍ମୃତିରେ ସଜଳ ହୋଇଉଠେ ଅନେକ ଦୃଶ୍ୟ। ଗାଁ ଦାଣ୍ଡରେ ଓଦା ସର ସର କାକର ମାଟିକୁ ଭୃକ୍ଷେପ ନ କରି ସାଙ୍ଗ ମାନଙ୍କ ସହିତ ଖେଳିବା, କାଠିକୁ
ଟା ଏକାଠି କରି ନିଆଁ ଲଗାଇ ନିଆଁ ପୁହିବା,ଲୁଚି ଲୁଚି ପରୀଆଈ ବାଡିରୁ ଗେଣ୍ଡୁ ଫୁଲ ତୋଳିବା ଆଉ କୁହୁଡି ଘେରା ଗାଁ ଦାଣ୍ଡରେ କିଏ କାହା ଘର ଖୋଜି ପାଇବା ପ୍ରତିଯୋଗୀତା କରିବା।
କେତେ ଶୀଘ୍ର ବିତିଗଲା ସେଇ ଦିନ ଗୁଡିକ। ନିମ୍ନ ମଧ୍ୟବିତ୍ତ ପରିବାରର ଅଭାବୀ ଜୀବନ ତାଙ୍କର । ଶୀତ ଦିନରେ ଗରମ ପୋଷାକ ଅଭାବରୁ ବୋଉର ଲୁଗାକୁ ଚାରି ଚଉତ କରି ବେକରେ ବାନ୍ଧି ବୁଲିଲା ବେଳେ ଲାଜ ଲାଗୁ ନ ଥିଲା ବରଂ ବୋଉ ଲୁଗାକୁ ଗୁଡେଇ ହୋଇ ଖୁସି ଲାଗୁଥିଲା।ଅଥଚ ଏବେ ଟିକେ ପୁରୁଣା ହୋଇଥିବା ଶୀତବସ୍ତ୍ର ଆଉ ପିନ୍ଧିବାକୁ ଇଚ୍ଛା ହେଉ ନାହିଁ। କାଳେ ଅନ୍ୟମାନେ କିଛି ଭାବିବେ ବୋଲି ଏକ ହୀନମନ୍ୟତା ମନରେ ଉଙ୍କି ମାରୁଛି।ହେଲେ ମୁଲାୟମ କମ୍ବଳ ସେ ଦିନର ସେଇ ବୋଉ ହାତ ତିଆରି କନ୍ଥା ଠାରୁ କମ ଉଷୁମ ଦଉଥିଲା।ଶୀତ ଆରମ୍ଭ ହେଲେ ବୋଉ ଖୋଲୁଥିଲା ବଡ଼ ଦସ୍ତାଟ୍ରଙ୍କ।ସେଥିରେ ଗନ୍ଧ କର୍ପୂର ଦେଇ ସାଇତି ଥିବା କନ୍ଥାକୁ କାଢି ଧଳା ଖୋଳ ଗଳାଇ ଦେଉଥିଲା ସମସ୍ତଙ୍କୁ ଗୋଟିଏ ଗୋଟିଏ।ତାକୁ ଘୋଡ଼ି ହୋଇ ଶୋଇ ପଡିଲେ ଶୀତ ଆପେ ଆପେ ଛୁ ମନ୍ତର ହୋଇଯାଉଥିଲା। ପୁରୁଣା ଶାଢ଼ୀ ଆଉ ରଂଗଛଡ଼ା ସାର୍ଟ ପ୍ୟାଣ୍ଟକୁ ସଜିଲ କରି ବଡ଼ ଛୁଞ୍ଚି ଆଉ ନନାଙ୍କ ପୁରୁଣା ପଇତାରେ ସିଲେଇ ହୋଇଥିବା କନ୍ଥା କେତେ ଲୋଭନୀୟ ଥିଲା ଆମ ପାଇଁ।ସେଥିରେ ବୋଧେ ବୋଉର ମମତାବୋଳା ହାତର ଉଷୁମ ଭରିଥିଲା।ପ୍ରତି କନ୍ଥା ରେ ପୁଣି ହାତ ତିଆରି ଖୋଳ।ଶୁଦ୍ଧ ଘରରେ ବୋଉକୁ ମିଳୁଥିବା ଦଶ ତୁଠିଆ ଧଳା ଶାଢୀରେ ହାତରେ ତିଆରି ଖୋଳ।ତାକୁ ସଫା କରିବା ପରେ ସେଥିରେ ନୀଳ ଦିଆଯାଇ ଆଉରି ଧୋବ କରିଥାଏ ବୋଉ। ଏବେ ତା'ର ସେ କନ୍ଥା ଘୋଡେଇ ହେବାକୁ ଇଚ୍ଛା ହେଉଛି। ଦୀର୍ଘ ନିଶ୍ଵାସ ଟିଏ ନେଲା ପ୍ରତାପ।
ଅଧିକରୁ ଅଧିକ ଶୀତ ବସ୍ତ୍ର ପାଖରେ ଥିବା ବେଳେ ଶୀତ କିନ୍ତୁ ଆଉ ଆଗ ଭଳି ହେଉନାହିଁ।