ସେ ଆସିଗଲା
ସେ ଆସିଗଲା
ସେ ଆସିବ କହିଛି । ଆଉ ତା କଥା କେବେ ଅନ୍ୟଥା ହୁଏନି ଏ କଥା ଧରା ଭଲ ରୂପେ ଜାଣିଛି । ଜାଣିଛି ବୋଲି ନିଜକୁ ଅଭିସାରିକା କରି ସଜେଇଛି । ସତରେ ଅସହ୍ୟ ହେଲାଣି ଏ ଶୁଷ୍କ ଯନ୍ତ୍ରଣା । ପ୍ରୀତିର ଆର୍ଦ୍ରତା ବିନା ଜୀବନ କେତେ ଯେ ଦୁର୍ବିସହ !ଏ କଥା ଧରା ବୁଝି ପାରିଛି । ବୁଝି ପାରିଛି ବୋଲି ଅପେକ୍ଷା କରିଛି । ସେ ଆସିବ.. ଆଉ ତା ଆଗମନରେ ଏ ଅନ୍ତହୀନ ପ୍ରତୀକ୍ଷାର ଅନ୍ତ ହେବ । ଚରମ ତୃପ୍ତି ଲଭିବ ଧରା । ସେ ଜାଣିଛି । ଆଉ ଜାଣିଛି ବୋଲି... ଅପଲକ ନୟନରେ ତା ବାଟ ଚାହିଁ ରହିଛି...
କଥା ଦେଇ ରଖିବା ସେ ବି ଜାଣିଛି । ଆଉ ସେଥିପାଇଁ ସେ ଆସିଛି । ମେଘ ସବାରୀ ରେ..ବାଦଲର ବାଣ ଫୁଟାଇ..ଗଗନ ପବନ ପ୍ରକମ୍ପିତ କରି..ସେ ଆସିଛି । ଆଉ ସେ ଆସିଛି ଜାଣି ଚତୁର୍ଦ୍ଦିଗ କୋଲାହଳମୟ ହୋଇ ଉଠିଛି । ଘନ ଅନ୍ଧକାର ଚିରି ସେ ଯେ ଅଜାଡ଼ି ଦେବ ଆଜି ତା ହୃଦୟ ନିଃସୃତ ସମସ୍ତ ଆନ୍ତରିକତା । ସେ ଚାହୁଁଛି..ଆଉ ସେ ଦେଖୁଛି ବୋଲି ଧରା ଆହୁରି ଆହୁରି ଅଭିମାନରେ ଫୁଲି ଉଠୁଛି । ତା ଛାତି ତଳେ ଅଜସ୍ର ବିଜୁଳିର ବୈଦ୍ୟୁତିକ ଧକ୍କା..ଆଉ ପ୍ରତ୍ୟେକ ଚୁମ୍ବକୀୟ ଆକର୍ଷଣ ରେ ଧରା ଚମକି ଉଠୁଛି..ଶିହରି ଯାଉଛି..
ଅନ୍ତର୍ମନ ସମର୍ପଣ ପାଇଁ ସେ ପ୍ରସ୍ତୁତ । ଆଉ ତାର ପ୍ରତ୍ୟେକ ପୁଲକ ନିଜ ପଣତ ରେ ସାଉଁଟି ନେବାକୁ ଧରା ମଧ୍ୟ ଉନ୍ମୁକ୍ତ । ଗୋଟିଏ ବୁନ୍ଦା ମଧ୍ୟ ବ୍ୟର୍ଥ ଯିବନି । ଧରା ଆତ୍ମ ବିସ୍ମୃତ..ଆଉ ସେ.. ପ୍ରେମାଗ୍ନିରେ ପ୍ରଜ୍ବଳିତ । ଧରାକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ରଖିଛି ନିଜ ବଳିଷ୍ଠ ବେଷ୍ଟନୀରେ..କେତେ ପ୍ରତୀକ୍ଷା ପରେ ଅନ୍ତ ହେବ ଏ ପିପାସାର । ସେ ମଧ୍ୟ ଆହ୍ଲାଦିତ..ଆଲୋଡ଼ିତ.. ଏକାକାର ହେବା ପାଇଁ ସଜ୍ଜିତ...
ଦୂର ଦିଗବଳୟ ଏ ମହାମିଳନର ଚିର ସାକ୍ଷୀ..ସେ ଢାଳି ଦେଇ ଗଲା..ନିଜ ଉଷ୍ମତା କୁ..ଆଉ ଧରା ସମ୍ପୂର୍ଣ୍ଣ ଆର୍ଦ୍ର ହେଇ ଚରିତାର୍ଥ କଲା ନିଜ ଅତୃପ୍ତ ସତ୍ତାକୁ । ଏଥର ସବୁଜିମା ଖେଳିଗଲା ଧରା ବକ୍ଷରେ..ପ୍ରସ୍ଫୁଟିତ ହେଲା ତା ସମର୍ପଣ.. ପଲ୍ଲବିତ ହେଲା ପ୍ରତିକ୍ଷଣ ସେ..ଧରା ପୃଷ୍ଠରେ..
ଆଉ ସମସ୍ତେ କହିଲେ.. ଯା ହେଉ..ଅନ୍ତତଃ ..ବର୍ଷାର ଆଗମନ ହେଇଗଲା..