STORYMIRROR

MADHU MITA

Romance Inspirational

3  

MADHU MITA

Romance Inspirational

ସେ ଆସିଗଲା

ସେ ଆସିଗଲା

2 mins
162


  ସେ ଆସିବ କହିଛି । ଆଉ ତା କଥା କେବେ ଅନ୍ୟଥା ହୁଏନି ଏ କଥା ଧରା ଭଲ ରୂପେ ଜାଣିଛି । ଜାଣିଛି ବୋଲି ନିଜକୁ ଅଭିସାରିକା କରି ସଜେଇଛି । ସତରେ ଅସହ୍ୟ ହେଲାଣି ଏ ଶୁଷ୍କ ଯନ୍ତ୍ରଣା । ପ୍ରୀତିର ଆର୍ଦ୍ରତା ବିନା ଜୀବନ କେତେ ଯେ ଦୁର୍ବିସହ !ଏ କଥା ଧରା ବୁଝି ପାରିଛି । ବୁଝି ପାରିଛି ବୋଲି ଅପେକ୍ଷା କରିଛି । ସେ ଆସିବ.. ଆଉ ତା ଆଗମନରେ ଏ ଅନ୍ତହୀନ ପ୍ରତୀକ୍ଷାର ଅନ୍ତ ହେବ । ଚରମ ତୃପ୍ତି ଲଭିବ ଧରା । ସେ ଜାଣିଛି । ଆଉ ଜାଣିଛି ବୋଲି... ଅପଲକ ନୟନରେ ତା ବାଟ ଚାହିଁ ରହିଛି...


  କଥା ଦେଇ ରଖିବା ସେ ବି ଜାଣିଛି । ଆଉ ସେଥିପାଇଁ ସେ ଆସିଛି । ମେଘ ସବାରୀ ରେ..ବାଦଲର ବାଣ ଫୁଟାଇ..ଗଗନ ପବନ ପ୍ରକମ୍ପିତ କରି..ସେ ଆସିଛି । ଆଉ ସେ ଆସିଛି ଜାଣି ଚତୁର୍ଦ୍ଦିଗ କୋଲାହଳମୟ ହୋଇ ଉଠିଛି । ଘନ ଅନ୍ଧକାର ଚିରି ସେ ଯେ ଅଜାଡ଼ି ଦେବ ଆଜି ତା ହୃଦୟ ନିଃସୃତ ସମସ୍ତ ଆନ୍ତରିକତା । ସେ ଚାହୁଁଛି..ଆଉ ସେ ଦେଖୁଛି ବୋଲି ଧରା ଆହୁରି ଆହୁରି ଅଭିମାନରେ ଫୁଲି ଉଠୁଛି । ତା ଛାତି ତଳେ ଅଜସ୍ର ବିଜୁଳିର ବୈଦ୍ୟୁତିକ ଧକ୍କା..ଆଉ ପ୍ରତ୍ୟେକ ଚୁମ୍ବକୀୟ ଆକର୍ଷଣ ରେ ଧରା ଚମକି ଉଠୁଛି..ଶିହରି ଯାଉଛି..


  ଅନ୍ତର୍ମନ ସମର୍ପଣ ପାଇଁ ସେ ପ୍ରସ୍ତୁତ । ଆଉ ତାର ପ୍ରତ୍ୟେକ ପୁଲକ ନିଜ ପଣତ ରେ ସାଉଁଟି ନେବାକୁ ଧରା ମଧ୍ୟ ଉନ୍ମୁକ୍ତ । ଗୋଟିଏ ବୁନ୍ଦା ମଧ୍ୟ ବ୍ୟର୍ଥ ଯିବନି । ଧରା ଆତ୍ମ ବିସ୍ମୃତ..ଆଉ ସେ.. ପ୍ରେମାଗ୍ନିରେ ପ୍ରଜ୍ବଳିତ । ଧରାକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ରଖିଛି ନିଜ ବଳିଷ୍ଠ ବେଷ୍ଟନୀରେ..କେତେ ପ୍ରତୀକ୍ଷା ପରେ ଅନ୍ତ ହେବ ଏ ପିପାସାର । ସେ ମଧ୍ୟ ଆହ୍ଲାଦିତ..ଆଲୋଡ଼ିତ.. ଏକାକାର ହେବା ପାଇଁ ସଜ୍ଜିତ...


  ଦୂର ଦିଗବଳୟ ଏ ମହାମିଳନର ଚିର ସାକ୍ଷୀ..ସେ ଢାଳି ଦେଇ ଗଲା..ନିଜ ଉଷ୍ମତା କୁ..ଆଉ ଧରା ସମ୍ପୂର୍ଣ୍ଣ ଆର୍ଦ୍ର ହେଇ ଚରିତାର୍ଥ କଲା ନିଜ ଅତୃପ୍ତ ସତ୍ତାକୁ । ଏଥର ସବୁଜିମା ଖେଳିଗଲା ଧରା ବକ୍ଷରେ..ପ୍ରସ୍ଫୁଟିତ ହେଲା ତା ସମର୍ପଣ.. ପଲ୍ଲବିତ ହେଲା ପ୍ରତିକ୍ଷଣ ସେ..ଧରା ପୃଷ୍ଠରେ..


  ଆଉ ସମସ୍ତେ କହିଲେ.. ଯା ହେଉ..ଅନ୍ତତଃ ..ବର୍ଷାର ଆଗମନ ହେଇଗଲା..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance