Srimani Priyadarsini

Romance Fantasy Others

4.6  

Srimani Priyadarsini

Romance Fantasy Others

ସାତ ଜନ୍ମର ସାଥି

ସାତ ଜନ୍ମର ସାଥି

12 mins
279


          

     ରାଜେଶ୍ ମହାପାତ୍ର ଓରଫ୍ ରାଜୁ ବୟସ ୨୭ ବର୍ଷ । ଭୁବନେଶ୍ୱରରେ ଏକ ସରକାରୀ ଚାକିରି କରିଥିଲା, ସେ ଓ ତା ସାଙ୍ଗ ବିନୁ ସେଠାରେ ଭଡ଼ା କରି ରହୁଥିଲେ । ସମୟ ସକାଳ ୮.୩୦ ମିନିଟ୍ । ରାଜୁ ତରତରରେ ଟିଫିନ୍ ବକ୍ସ ଧରି ଅଫିସ ବାହାରି ଯାଉଥିଲା ।

ରାଜୁ - ଆରେ ସାଙ୍ଗ ବିନୁ ମୁଁ ଏବେ ଚାଲିଲି । ତୁ ରୁମ୍ ରେ ତାଲା ଦେଇ ଯିବୁ ।

ବିନୁ - ଟିକେ ଶୁଣି ଯା ! ମୋର ଆଜି ଗୋଟେ ପାର୍ଟି ଅଛି । ଡେରି ରାତିରେ ଫେରିବି, ତେଣୁ ମୋ ପାଇଁ ଅପେକ୍ଷା କରିବୁନି । ଏଇ ନେ ଡୁପ୍ଲିକେଟ୍ ଚାବି ।

ରାଜୁ -ଠିକ୍ ଅଛି, ହେଲେ ପାର୍ଟି କୋଉ ପାର୍ଟି ?

ବିନୁ - ଓଃ ଏତିକି ଜାଣିପାରୁନୁ କୋଉ ପାର୍ଟି ? ଆଜି ଭାଲେନଣ୍ଟାଇନ ଡେ ବା ପ୍ରେମ ଦିବସ ତେଣୁ ଆମେ ମାନେ ଗୋଟେ ଛୋଟ ପାର୍ଟିର ଆୟୋଜନ କରିଛୁ ।

ରାଜୁ - ପ୍ରେମ ଦିବସ ? ସେଥିରେ ତୋର କଣ କାମ ?

ବିନୁ - ଆରେ ମୋର ବା ସୋନା ବୋଲି ଜଣେ ପ୍ରେମିକା ଅଛି, ଆଜିର ଦିନରେ ସେମିତି କିଛି ପାର୍ଟି ନ କଲେ କଣ ଭାବିବ ଯେ ସେ ମୋତେ ? ତୁ ଏକୁଟିଆ ତ ତେଣୁ ତୋତେ ଡାକୁନି କାରଣ ଆମ ପ୍ରେମିକ ପ୍ରେମିକା ଯୋଡ଼ି ଦେଖି ତୁ କାଳେ ମନଦୁଃଖ କରିବୁ ।

ରାଜୁ - ହାଃ ହାଃ ! ସେ ପ୍ରେମ ଫ୍ରେମ ମୋ ଦେଇ ହେବନି ବୁଝିଲୁ । ଡେରି ହେଲାଣି ମୁଁ ଆସୁଛି ।

     ରାସ୍ତାରେ ଯିବା ସମୟରେ କିଛି ଲୋକଙ୍କ ପାଟି ତୁଣ୍ଡ ଶୁଣି ରାଜୁ ଭାବିଲା ଆରେ କଣ ଅସୁବିଧା ହେଇଗଲା କି ? ଯାଇ ଦେଖି ଆସେ ।

    ହେ, ଯା ଯା ପାଗଳିଟା ପୁଣି ଚୋରି କରୁଛୁ କହି ଦୋକାନି ଜଣକ ଗୋଟେ ଝିଅଟିକୁ ପିଟିବାକୁ ଲାଗିଥାଏ । ଆରେ ଭାଇ କଣ ପାଇଁ ଏ ଝିଅଟିକୁ ମାରୁଛ ଶୁଣେ ? ନାଇଁ ଆଜ୍ଞା ଏଇ ପାଗଳିଟା ମୋ ଅଜାଣତରେ ଵିସ୍କୁଟ୍ ପ୍ୟାକେଟଟିଏ ଧରି ଦୋୖଡି ଯାଉଥିଲା । ମୁଁ ୟା ପଛ ପଛେ ପଇସା ମାଗି ଧାଇଁଚି । କିନ୍ତୁ ଏ ପାଗଳି ପଇସା ଜମା ଦେଉନି ତା ସହ ଏ ଵିସ୍କୁଟ୍ ପ୍ୟାକେଟ ବି ଦେଉନି ତେଣୁ ...! 

    ରାଜୁ ଦେଖିଲା ୨୩ ବର୍ଷର ଯୁବତୀଟିଏ । ଦୁର୍ବଳ ଚେହେରା, ମୁଣ୍ଡ ବାଳ ଅସଜଡା, ଦେହରେ ମଇଳା ପୋଷାକ, ବେକରେ ଏକ ଚେନ୍ ପାଦରେ ପାଉଁଜି ଛଡ଼ା ଆଉ କିଛି ନଥିଲା ତା ପାଖେ, କୌଣସି ସଂଭ୍ରାନ୍ତ ଶ୍ରେଣୀ ଘରର ଝିଅ ଭଳି ଲାଗୁଥିଲା ହେଲେ ପାଗଳି ଅବସ୍ଥା ? ତା ସହ ନିରୀହ ମୁହଁର ଦୁଇଟି ଆଖିରୁ ବହି ଯାଉଥିଲା ଅଜସ୍ର ଅଶ୍ରୁଧାରା । ହୁଏତ ଝିଅଟି ଭୋକ ବିକଳରେ ଏସବୁ କରିଥାଇପରେ । ତୁମକୁ ଭୋକ ଲାଗୁଛି କି ?- ରାଜୁ ପଚାରିଲା । ଝିଅଟି ମୁଣ୍ଡ ହଲେଇ ହଁ କଲା । ହଉ ମଉସା, ଏ ଵିସ୍କୁଟ୍ ପ୍ୟାକେଟର ଦାମ୍ କେତେ କୁହନ୍ତୁ ? ୩୦ ଟଙ୍କା ଆଜ୍ଞା । ଏଇ ନିଅନ୍ତୁ, ଆଉ ଏଇ ଝିଅକୁ ଛାଡ଼ି ଚାଲି ଯାଆନ୍ତୁ । ଏହାଶୁଣି ସବୁ ଲୋକ ଓ ଦୋକାନୀଟି କେଉଁ ଆଡେ ଚାଲିଗଲେ । 

    ଝିଅଟିକୁ ସେଇଠି ବସେଇ ଦେଇ ରାଜୁ କିଛି କହିବାକୁ ଯାଉଥିବା ବେଳେ ଦେଖିଲା ଝିଅଟି କେତେବେଳୁ ଵିସ୍କୁଟ୍ ଖାଇବା ଆରମ୍ଭ କରିସାରିଲାଣି । ସତରେ କେତେ ଭୋକରେ ଥିଲା ଝିଅଟି ! ପିଲାଲିଆମି ବ୍ୟବହାରରେ ରାଜୁକୁ ଚାହିଁ କିଛି ଵିସ୍କୁଟ୍ ବଢେଇ ଦିଏ । ରାଜୁ ହସି କୁହେ - ନାଇଁ ମୁଁ ଖାଇବିନି ତୁମେ ଖାଅ ଓ ଘରକୁ ଯାଅ । ହାତ ଘଣ୍ଟାକୁ ଅନେଇ ଦେଖେ ୯.୧୫ ମିନିଟ୍ । ଅଫିସ ୯.୩୦ ମିନିଟ୍ ରେ ନ ପହଞ୍ଚିଲେ ସେପଟେ ବସ୍ ଙ୍କ ଚିଡ୍ ଚିଡ ଶୁଣିବାକୁ ପଡିବ । ତେଣୁ ଏ ଝିଅ ଠୁ ବିଦାୟ ନେବାକୁ ପଡିବ । ସେ ନିଜେ ତ ତା ଘରକୁ ଯାଇପାରିବ । 

   ଝିଅଟିକୁ ଅନେଇ ପଚାରେ - ତୁମ ଘର କେଉଁଠି କୁହ ? ମୁଁ ଛାଡ଼ିଦେଇ ଆସିବି । ଝିଅଟି କିଛି ଉତ୍ତର ନଦେଇ ଵିସ୍କୁଟ୍ ଗୁଡ଼ିକ ଖାଇବାରେ ଲାଗିଲା । ଆରେ ପଚାରୁଛି ପରା ଉତ୍ତର ଦେଉନ କଣ ପାଇଁ ? ହୁଏତ ଏ ବସ୍ତିର ଝିଅ ହେଇଥିବ, ବୁଲି ଆସିଥିବ ଯେ ନିଶ୍ଚୟ ଘରକୁ ଯିବ । ହଉ ତୁମେ ତୁମେ ଖାଅ ମୁଁ ଆସୁଛି । ଏହା କହି ବାଇକ୍ ଷ୍ଟାର୍ଟ କରି ଯିବାକୁ ବସିଥିବା ବେଳେ ଅଟକି ଯାଏ । କାରଣ ସେଇ ପାଗଳି ଝିଅଟି ତା' ଆଗରେ ଠିଆ ହୋଇ ତାକୁ ନିରୀହ ଆଖିରେ ଚାହିଁ ଥାଏ । ଆରେ କଣ ହେଲା କିଛି ଅସୁବିଧା ହେଲା କି ? ଯିବାକୁ ଦେବନି ମୋତେ ? "ତାର କେହି ନାହିଁ ବାପା ! ତୁମେ କଣ ଜାଣିନ ପାଗେଳି ମାନଙ୍କ କେଉଁଠି ଘର ଦ୍ୱାର ଅଛି ?" କିଏ କହୁଛି ଏସବୁ ? ରାଜୁ ପଛକୁ ବୁଲି ପଡି ଦେଖେ ଜଣେ ବୃଦ୍ଧ ବ୍ୟକ୍ତି । ମୁଁ ତୁମ ଦୁହିଁଙ୍କୁ ସେତେବେଳୁ ଲକ୍ଷ୍ୟ କରି ଆସୁଛି । ହେଲେ ପୁଅ ତୁମକୁ ଦେଖି ମୁଁ ଆଶ୍ଚର୍ଯ୍ୟ କାରଣ ଏଇ ପାଗଳି ଝିଅଟି ସମସ୍ତଙ୍କୁ ଡରେ । ଏଇ କିଛି ଦିନ ହେବ ଏଇ ସହରରେ ରହୁଛି ହେଲେ କୋଉଠି ରହୁଛି ସେକଥା ମୁଁ ଜାଣିନି । କିନ୍ତୁ ମୁଁ ପ୍ରତିଦିନ ଏଇ ଝିଅଟି ପାଇଁ କିଛିନା କିଛି ଖାଇବା ନେଇ ଆସେ, ଆଜି ମୋର ଡେରି ହେବାରୁ କେଉଁଆଡେ ଚାଲିଯାଇଥିଲା । ଅନେକ ଖୋଜିଲା ପରେ ତୁମ ଦୁହିଁଙ୍କୁ ଏଠାରେ ଦେଖିଲି । ଧନ୍ୟବାଦ ପୁଅ ଏଇ ଝିଅଟିକୁ ଦୟା କରିବାରୁ । ହେଲେ ଗୋଟେ କଥା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ତୁମକୁ ଅଟକାଉଛି କାହିଁକି ? ମୋତେ ଲାଗୁଛି ଝିଅଟି ଚାହୁଁଛି ତୁମ ପାଖେ ରହିବାକୁ । 

   ବୃଦ୍ଧ ଲୋକଙ୍କ ଠୁ ସବୁ ଶୁଣି ସାରି ରାଜୁ ପାଗଳିଟିକୁ ଦେଖିଲା ଓ ପାଗଳିଟି ତାକୁ ମନଦୁଃଖରେ ଚାହିଁ ଚାଲିଯାଉଥିଲା ଆଗକୁ, ରାଜୁ ତାକୁ ଯେତେ ଡାକିଲେ ମଧ୍ୟ ଶୁଣୁନଥିଲା । ତେଣୁ ରାଜୁ ତାକୁ ଅନୁସରଣ କଲା, ପାଗଳିଟି ଯାଇ ଯେଉଁ ବସ୍ତିରେ ପହଞ୍ଚିଲା ସେ ଜାଗାର ଅବସ୍ଥା ନ କହିବା ଭଲ । ଚାରିଆଡ଼େ କୁଢ କୁଢ ଆବର୍ଜନା, ପାଖରେ ବୁଲା ଗାଈଗୋରୁଙ୍କ ଯିବା ଆସିବା । ଛୋଟ ଛୋଟ ଘର କରି କିଛି ଲୋକ ସେଇଠାରେ ରହୁଛନ୍ତି । ସେଇ ପାଗଳିଟି ଯାଇ ଏକ ଘର ଭିତରେ ପଶିଗଲା ଏବଂ ଏକ ଆସନ ଆଣି ରାଜୁକୁ ବସିବାକୁ କହିଲା । କିଛି ସମୟ ପରେ ପାଗଳିଟି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ଆରେ କଣ ହେଲା କାନ୍ଦୁଛ କାଇଁ ? ସେଇ ବସ୍ତିର ଜଣେ ମହିଳା ଆସି ରାଜୁକୁ କହିଲା -" ନେଇ ଯାଅ ବାବୁ ତାକୁ, ସେ ଯିଏ ବି ହେଉ - ରାଜୁ ମନେ ମନେ ଭାବେ - ଝିଅଟିକୁ ନେଇ ରଖିଲେ ବହୁତ୍ ଅସୁବିଧା ହେବ ହେଲେ କରିବି କଣ ? ଏ ବାବୁ ମୋ କଥା ଶୁଣା ଯାଉଛି ଟି ? ନେଇଯାଅ ତାକୁ କହି କାନ୍ଦିବାକୁ ଲାଗେ । ଆପଣ କାହିଁ କାନ୍ଦୁଛନ୍ତି ?- ରାଜୁ ପଚାରେ । -" କଣ କହିବି ବାବୁ ଝିଅଙ୍କ ଜୀବନ ଜାଣିଛ ତ ? ପୁଣି ନିଜ ଆଖିରେ ଦେଖୁଛ ଏଇ ଝିଅଟି ଏକୁଟିଆ ହୋଇ ଘରେ ରହୁଛି । କଣ ଏ ସୁରକ୍ଷିତ ଭାବୁଛ ? ହଁ ଏଇ କିଛି ଦିନ ହେବ ଏଣେ ତେଣେ ବୁଲୁ ଥିଲା ଆଣିକି ଏଇଠି ରଖିଛି । ମୁଁ ତା ପାଖେ ଅଛି ବୋଲି ଏ ସୁରକ୍ଷିତ ଅଛି ନହେଲେ କେତେବେଳେ କେଉଁ ଅବସ୍ଥା ! ମୋତେ ଲାଗୁଛି ଆପଣ ଗୋଟେ ଭଦ୍ର ବ୍ୟକ୍ତି ଭଳି ତେଣୁ ତାର କିଛି ବି ଅସୁବିଧା ହେବନି । ତେଣୁ ନେଇ ଯାଅ ବାବୁ, ହେଲେ କୌଣସି ଭୁଲ୍ କରିବନି । ଏ ମୋ ରକ୍ତ ସମ୍ପର୍କୀୟ ନହେଲେ ବି ମୋର ଗୋଟେ ଭଉଣୀ ଅଟେ । ରାଜୁ ସ୍ତ୍ରୀ ଲୋକଟିର କଥା ଶୁଣି ଭାବିଲା - ସତରେ ତ ! ଝିଅଟି ପୁଣି ଏମିତିଆ ଜାଗାରେ ରହିବା ଠିକ୍ ନୁହେଁ । ସେ ଯାହାବି ହେଉ ଏ ଝିଅଟିକୁ ଭଲ କରି ତାର ବାପା ଓ ମାଆଙ୍କ ପାଖେ ଛାଡ଼ିବା ଦ୍ୱାୟିତ ମୋର । କଣ ତୁମେ ମୋ ସହ ଯିବ ? ଝିଅଟି ଖୁସି ହେଇ ହଁ କହିଲା । ରାଜୁ ସ୍ମିତହାସ୍ୟ କରି କହିଲା ଏବେ ବାଇକ୍ ପଛରେ ବସ । 

    ରାଜୁ ତାକୁ ତାର ରୁମ୍ କୁ ନେଇ ଆସେ । ଦେଖ ଏ ରୁମ୍ ରେ ତୁମେ ଅଛ ବୋଲି ମୋ ସାଙ୍ଗ ଯେମିତି ନ ଜାଣେ । କାରଣ ଆର ରୁମ୍ ରେ ମୁଁ ଓ ମୋ ସାଙ୍ଗ ରହୁଛୁ । ତେଣୁ ତୁମେ ଚୁପ୍ ହୋଇ ରହିବ । ମୁଁ ତୁମ ପାଇଁ କିଛି ପୋଷାକ ଆଣି ଆସୁଛି । ବିନୁ ରୁମ୍ କୁ ଆସି ସାରିଥାଏ । ହେଲେ ସେ ପାଗଳିଟି ରାଜୁର କଥାନୁସାରେ ରୁମ୍ ରୁ ବାହାରୁ ନଥାଏ ତେଣୁ ବିନୁ ଏସବୁ ବିଷୟରେ କିଛି ଜାଣି ନଥାଏ । ରାଜୁ ପୋଷାକ ଆଣି ବିନୁକୁ ଦେଖି ଲୁଚେଇ ଦିଏ ।

-ଆରେ ତୁ ? ତୁ ବା କହୁଥିଲୁ ଡେରିରେ ଆସିବୁ ବୋଲି ? ହେଲେ ଏତେ ଜଲଦି ?

- ଓଃ ସାଙ୍ଗ କହନା ଆଜି ବଜରଙ୍ଗ ଦଳ ବାଲା ସାରା ସହର ଟାରେ ମାତିଛନ୍ତି । କିଛି ପାର୍ଟି କରେଇ ଦେବନି ତେଣୁ ଡରିକି ଚାଲି ଆସିଲୁ ।

- ହସାଇଲୁ ବିନୁ, ହାଃ ହାଃ

- ଚୁପ୍ କର, ବେକାର ଟାରେ ଦିନ ଖରାପ୍ ହେଇଗଲା । ହଉ ମୁଁ ଯାଏ କିଛି ଖାଦ୍ୟ ପ୍ରସ୍ତୁତ କରେ । ହେଲେ ତୁ ଆଜି ଅଫିସ ରୁ ଜଲ୍ଦୀ ଫେରି ଆସିଛୁ ନା କଣ ?

- ଉଁ ହୁଁ ! ଆଜି ଛୁଟି ଥିଲା ତ( କଥା ଭୁଲେଇ) ।

   ବିନୁ ରୋଷେଇ ଘରକୁ ଗଲା ମାତ୍ରେ, ରାଜୁ ଆର ରୁମ୍ କୁ ଯାଇ ସେ ପାଗଳି ଝିଅକୁ ପୋଷାକ ଦେଇ ଆସେ । ଏଇ ଦେଖ ମୋ ସାଙ୍ଗ ଆସିଲାଣି ମନେରଖ କିଛି ଶବ୍ଦଟିଏ ବି କରିବନି । ଝିଅଟି ମୁଣ୍ଡ ଟୁଙ୍ଗାରି ହଁ କୁହେ । ଦିନ ସରି ରାତି ହୁଏ । ବିନୁର ଅଜାଣତରେ ରାଜୁ ଝିଅଟିକୁ ଖାଇବାକୁ ଦେଇସାରି ବିନୁ ପାଖକୁ ଆସେ । ଦୁହେଁ ଶୋଇବାକୁ ଗଲା ବେଳେ ଶୁଣନ୍ତି ପାଉଁଜିର ରୁଣୁ ଝୁଣୁ ଆଉ କାନ୍ଦିବା ଶବ୍ଦ । ସେ ପାଉଁଜିର ରୁଣୁ ଝୁଣୁରେ କି ଯାଦୁ ଥିଲା କେଜାଣି ରାଜୁର ମନ ପୁଲକିତ ହୋଇଉଠିଲା । ରାଜୁ ଏ ରାଜୁ, ମୋତେ କାଇଁ ଡର ଲାଗିଲାଣି ! ଏ ଘରେ ପୁଣି ପାଉଁଜି ଶବ୍ଦ ନିଶ୍ଚୟ ଭୂତଟିଏ ଅଛି କହି ବିନୁ ଥରିବାକୁ ଲାଗିଲା । ରାଜୁ ଭାବିଲା

- " ଯେତେ ଲୁଚେଇଲେ ବି ବିନୁ ଏ କଥା ଦିନେ ଜାଣିବ, ତା ଛଡା ବିନୁ ମୋର ବହୁତ୍ ଭଲ ସାଙ୍ଗ ତାକୁ କହିଦେଲେ ଅସୁବିଧା କଣ" । ଓଃ ତୁ ପକା ଡରୁଆଟା ବେ ତୁ ଆସେ ମୋ ସହ ।

- ଆରେ କଣ ଭୂତ ପାଖକୁ ନେଇଯିବୁ ନା କଣ ବେ ? ବିନୁ କହି ଉଠେ ।

- ହାଃ ହାଃ ତୁ ଆସିଲୁ କହି ବିନୁର ହାତ ଭିଡିଆଣି ଝିଅଟି ରହୁଥିବା ରୁମ୍ କୁ ଆସେ ।

- ଏ ରାଜୁ , ଏ କିଏ କିରେ ? କାହାକୁ ଆଣି ରଖିଛୁ ?

- ତୁ ଚୁପ୍ ରହିଲୁ ଟିକେ । ଆରେ ତୁମର କଣ ହେଲା ? କାନ୍ଦୁଥିଲ କାହିଁ ?

- ଝିଅଟି କାନ୍ଥକୁ ହାତ ଦେଖେଇ କୁହେ - ଝିଟିପିଟି ।

- ଓଃ ଗଡ୍ ! ଝିଟିପିଟି କି ଏତେ ଡର ? ଏଇ ନିଅ ପାଣି ଟିକେ ପିଇ ଦିଅ ।

- ଆରେ ଏ ଝିଅଟି କିଏ କିରେ ? ପାଗଳି ଭଳି ଲାଗୁଛି । 

      ରାଜୁ ବିନୁକୁ ଘଟିଯାଇଥିବା ସବୁ ଘଟଣା କହିଲା । ବିନୁ ଖୁସି ହୋଇ କହିଲା -" ଗୁଡ ଜବ୍ ମାଇଁ ଫ୍ରେଣ୍ଡ୍ । ତୁ ଜଣକୁ ସାହାର୍ଯ୍ୟ କଲୁ ତା ଜୀବନ ବଞ୍ଚାଇଲୁ ନହେଲେ ଝିଅଟିର କଣ ହୋଇଥାନ୍ତା , ଇଶ୍ଵର ତୋତେ ନିଶ୍ଚୟ ସାହାଯ୍ୟ କରିବେ । ହେଉ ଠିକ୍ ଅଛି ଚାଲ ରାତି ବହୁତ୍ ହେଲାଣି ଆମେ ଶୋଇବା । ମୁଁ କାଲି ସୋନାକୁ ଡାକି ଦେବି ସେ ଏ ଝିଅଟିର ସବୁ କାମ କରିଦେବ । ହେଲେ ଭଉଣୀ ତୁମ ନାମ କଣ ? ଝିଅଟି କହିଲା - ରୂପା...! ରାଜୁ ଏ ସ୍ୱରରେ ଭାବନାରେ ବୁଡିଗଲା ଭଳି ଲାଗିଲା । ପ୍ରଥମ ଥର ଯେ ସେ ଏ ଝିଅର ପ୍ରେମରେ ପଡ଼ିଯାଇଛି ବୋଲି ଭାବିଲା । ରାତିରେ ନିଦରେ ରୂପାର ଚେହେରା ଓ ସ୍ୱରଟି ରାଜୁ ମନରେ ଭସିବାକୁ ଲାଗିଲା । 

      ରତିପାହି ସକାଳ ହେଲା । ରାଜୁ ଅଫିସ ଯିବାକୁ ବାହାରିଲା । ଆଜି ବସ୍ ଙ୍କ ନାଲି ଆଖି ହିଁ ଦେଖିବାକୁ ପଡିବ ମୋତେ । ହେଲେ ଅଫିସ୍ ରେ ପହଞ୍ଚି ଯାହା ଦେଖିଲା ବିଶ୍ୱାସ କଲାନି । କାରଣ ସମସ୍ତଙ୍କ ହାତରେ ଫୁଲତୋଡ଼ା ଓ ତା ଆଡକୁ ହାତ ବଢେଇ ସମସ୍ତେ ଅଭିନନ୍ଦନ ଜଣାଉଥିଲେ। ବସ୍ ପାଖକୁ ହସି ହସି ଆସି କୁହନ୍ତି -" ତୁମ ଭଳି କର୍ମୀ ଆମେ ଜୀବନରେ କମ୍ ଦେଖିଛୁ, ଦିନ ରାତି ଏକା କରି ତୁମେ ଅଫିସରେ ସବୁ କାମ ସାରିଦିଅ । ଯାହା ଅନେକଙ୍କ ପକ୍ଷରେ କଷ୍ଟ କର । ତେଣୁ ଅଭିନନ୍ଦନ ତୁମର ପଦୋନ୍ନତି ହେଇଛି । ୧୫ ଦିନ ପରେ ଆସିବାକୁ ଅନୁରୋଧ । ଖୁସିରେ ରାଜୁର ଗୋଡ଼ ତଳେ ଲାଗୁ ନଥାଏ । ମନେ ପଡ଼ୁଥିଲା ସେ ଝିଅ କଥା, କଣ୍ ଇଶ୍ଵର ଏତେ ସବୁ ସନ୍ତୁଷ୍ଟ ହୋଇ କରିଲେ କି ? ନା ସେ ଝିଅଟି ଲକ୍ଷ୍ମୀ ଯିଏ ମୋ ପାଖକୁ ଆସିବା ମାତ୍ରେ ଏତେ ବଡ଼ ଖୁସି ଖବର ମିଳିଲା ।

ବିନୁ ଓ ସୋନାଙ୍କୁ ସବୁ କଥା କହିଲା । ରୂପାକୁ ଭଲ କରିବା ପାଇଁ ରାଜୁ ଚେଷ୍ଟା କଲା । ସେଇ ସମୟରେ ରୂପା ରାଜୁର ଆଗକୁ ଆସିଯାଇ କହିଲା ମୁଁ କେମିତି ଦିଶୁଛି.....! ନୀଳ ଶାଢ଼ୀରେ ରୂପା ଏତେ ସୁନ୍ଦର୍ ଦିଶୁଥିଲା ସତେ ଯେମିତି ପରିଟିଏ ଆକାଶରୁ ଖସି ପଡ଼ିଲା କି ? ରୂପାକୁ ଦେଖି ରାଜୁ ଆଖିର ପଲକ୍ ପଡୁନଥିଲା । ଖୁବ୍ ସୁନ୍ଦର୍ ଦିଶୁଛ କହି ପୁଣି ରୂପାକୁ ନେଇ ଭାବନାରେ ବୁଡ଼ିଗଲା । କଣ ରୂପା ପାଇଁ ତାର ଭଲ ପାଇବା ଆସିଗଲା କି ?

- ଓଃ ରାଜୁ ଭାଇ କଣ ଭାବୁଛ ? ରୂପା ସାଜସଜ୍ଜା ରେ କିଛି ଭୁଲ୍ କରିଦେଲି କି ? କେଉଁଠୁ ଆଣିଲ ଏ ଲକ୍ଷ୍ମୀ ପ୍ରତିମା ଭଳି ଝିଅକୁ ! ସୋନା କୁହେ ।

- ହଁ ସାଙ୍ଗ ମୋତେ ଲାଗୁଛି ଏ ଆସିଲା ଦ୍ଵାରା ତୋତେ ଏତେ ବଡ଼ ଖୁସି ଖବର ଶୁଣିବାକୁ ପଡ଼ିଲା । ହେଲେ ଚାଲ ସାଙ୍ଗ ଆମେ ୩ ଜଣ ରୂପାକୁ ନେଇ ହସ୍ପିଟାଲ୍ ଯିବା । କଣ ପାଇଁ ଏ ପାଗଳି ଜଣା ପଡ଼ିବ ।


"ୟେ ନିଶ୍ଚୟ ସୁସ୍ଥ ହୋଇଯିବେ । କିଛି ବଡ଼ ଦୁଃଖଦ ଘଟଣା ଯୋଗୁଁ ସେ ଏମିତି ପାଗଳି ପରି ହେଉଛନ୍ତି । ଅପେକ୍ଷା କରନ୍ତୁ ଅଳ୍ପ କିଛି ଦିନ ଭିତରେ ସେ ନିଶ୍ଚୟ ଭଲ ହୋଇଯିବେ । " ଡାକ୍ତରଙ୍କ ଏ କଥା ଶୁଣି ରାଜୁ ଖୁସି ହୋଇ ଆସିଲା । ତା ପରଦିନ ସକାଳେ ରାଜୁ ଉଠି ଦେଖେ ରୂପା ରୁମ୍ ରେ ନାହିଁ । କୁଆଡେ ଗଲା ? ଏ ବିନୁ ରୂପା କାଇଁ ଉଠ ଉଠ । ବହୁତ୍ ଖୋଜାଖୋଜି ପରେ ରୂପା ବଗିଚାରେ ଫୁଲ ଗୁଡ଼ିକ ସହ ଖେଳୁଥିବାର ରାଜୁ ଦେଖିବାକୁ ପାଏ । ରାଜୁର ପାଦ ଅଟକି ଗଲା ସେଇଠି ରୂପାର ହସରେ ରାଜୁ ମଧ୍ୟ ଖୁସି ହେଉଥିଲା । ସତରେ ରୂପା ସହ ତାର ପ୍ରେମ ହିଁ ହେଇଯାଇଛି । ସେ ଯେ ପାଗଳି ସେ କେମିତି ଜାଣିବ ରାଜୁ ତାକୁ ଭଲ ପାଏ ?


ରାଜୁ ମନେ ମନେ ରୁପାକୁ ଭଲପାଉଥାଏ । ସବୁବେଳେ ରୂପା ପାଖେ ଥାଏ । ତା ପିଲାଳିଆମି ବ୍ୟବହାର ତାକୁ ଆକୃଷ୍ଟ କରେ । କେତେବେଳେ କେଉଁ ଆଡେ ବୁଲେଇ ନିଏ ତ, କେତେବେଳେ କେଉଁ ମନ୍ଦିରରେ ତାକୁ ସାମ୍ନାରେ ଠିଆ କରେଇ ଭଗବାନଙ୍କୁ କୁହେ ଏ ହିଁ ମୋ ଭାଗ୍ୟରେ ଥାଉ । ଦିନପରେ ଦିନ ଗଡ଼ି ଚାଲେ, ରୂପା ଧୀରେ ଧୀରେ ଭଲ ହେବାକୁ ଲାଗେ । ରୂପା କେବେ କେବେ କାନ୍ଦିଲେ ତାକୁ ହସାଇବା ପାଇଁ ଅନେକ ଚେଷ୍ଟା କରେ । ମୁଣ୍ଡରେ ଗାମୁଛା ଦେଇ ବୋହୂ ବେଶ ହୋଇ ତାକୁ ହସାଏ । ରୂପା ହସି ଉଠେ । ଦୂରରୁ ଏସବୁ ଲକ୍ଷ୍ୟ କରୁଥିବା ବିନୁ ରାଜୁ ପାଖକୁ ଆସି ପଚାରେ


- "ମୋତେ କାହିଁ ଲାଗୁଛି ! ତୁ ଏ ଝିଅ କୁ ଭଲ ପାଉଛୁ ?

- "ଜୀବନରେ ଏମିତି କିଛି ଅଜଣା ଅଚିହ୍ନା ମଣିଷଙ୍କ ସହ ସମ୍ପର୍କ ଯୋଡି ହେଇଥାଏ, ଯେଉଁମାନେ ରକ୍ତର ସମ୍ପର୍କ ଠାରୁ ଅଧିକ ନିଜର ଲାଗନ୍ତି" । ରାଜୁ କହିଦେଇ ଚାଲି ଯାଏ । ବିନୁ ୟାର ଠିକ୍ ଉତ୍ତର ପାଇଯାଏ । 

    ଦୁଇ ତିନିଦିନ ପରେ ରୂପା ଭଲ ହୋଇଯାଏ । ଆଉ ପାଗଳି ଭଳି ବ୍ୟବହାର ନଥାଏ । ରାଜୁକୁ ତାର ହୋଇଯାଇଥିବା ଘଟଣା ବିଷୟରେ ପଚାରି ବୁଝେ । ଏହାପରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ କାନ୍ଦିବାକୁ ଲାଗେ । ରାଜୁ କୁହେ - "ଆରେ କଣ ବାପା ମା ମନେ ପଡୁଛନ୍ତି ? ଠିକଣା ଦିଅ ମୁଁ ତୁମକୁ ତୁମ ଘରେ ଛାଡ଼ି ଆସିବି । ରୂପା କୁହେ - " ବାପା ମା ? ଠିକଣା ? " ସେସବୁ ଆଉ ନାହିଁ ମୋର । ତାଙ୍କ ମୃତ୍ୟୁ ପରେ ମୁଁ ପାଗଳି ହୋଇ ବୁଲୁଛି ।

-"କଣ ? ତୁମ ବାପା ମା ନାହାନ୍ତି ?"

- ହଁ କହୁଛି ଶୁଣ । ମୁଁ ଖୋର୍ଦ୍ଧାର ଝିଅ । ମୋ ବାପା ଥିଲେ ଅଚଳାଚଳ ସମ୍ପତିର ମାଲିକ । ସେହି ସମ୍ପତି ଉପରେ ସମସ୍ତଙ୍କ ଲୋଭ ଥିଲା । ତେଣୁ ଆମକୁ ହତ୍ୟା କରିବା ପାଇଁ ଅନେକ ଷଡ଼ଯନ୍ତ୍ର କରିଥିଲେ । ଗୋଟିଏ ଦିନ ସମସ୍ତେ ମିଶି ମୋ ଆଖି ଆଗରେ ମୋ ବାପା ମା ଙ୍କୁ ହତ୍ୟା କଲେ । ସେମାନେ ଆଉ କେହି ନଥିଲେ ସେ ଥିଲେ ମୋ ଦାଦା । ମୋତେ ମଧ୍ୟ ମାରି ଗୋଡାଇଲା ବେଳେ ମୁଁ କୌଣସି ମତେ ଖସି ଆସିଲି ହେଲେ ବାପା ମା ଙ୍କୁ ହରାଇ ପାଗଳ ପ୍ରାୟ ହୋଇଗଲି । ଏଇ ବସ୍ତିରେ ଜଣେ ସ୍ତ୍ରୀ ଲୋକ ମୋତେ ଆଶ୍ରୟ ଦେଇଥିଲେ । ତା ପରେ ତ ତୁମେ ସବୁ ଜାଣିଛ ରାଜୁ, ହେଲେ ମୁଁ ପାଗଳି ନୁହେଁ ତୁମ ଭଳି ଜଣକୁ ଖୋଜୁଥିଲି ଯିଏ ମୋ ସହ ମିଶି ମୋ ବାପା ମା ଙ୍କୁ ନ୍ୟାୟ ମିଳିବାରେ ସାହାର୍ଯ୍ୟ କରିବ, କାରଣ ଦୁନିଆକୁ ତ ଜାଣିଛ ତୁମେ ପୋଲିସ ଷ୍ଟେସନ ଗଲେ ମୋତେ ହଇରାଣ ବି କରିଥାନ୍ତେ । ସେଥିପାଇଁ ମୁଁ ପାଗଳି ହୋଇ ବୁଲୁଥିଲି । ମୁଁ ଡାକ୍ତରଙ୍କୁ ମଧ୍ୟ କହିଥିଲି ତୁମକୁ ମିଛ କହିବା ପାଇଁ ତେଣୁ ମୋତେ କ୍ଷମା କରିଦେବ ।


କିଛି ଦିନ ପରେ ରୂପାର ଦାଦାଙ୍କୁ ହତ୍ୟା ମାମଲାରେ ଜେଲ୍ ହୁଏ । ରୂପା ତାର ଘର ଓ ତା ବାପାଙ୍କ ସମ୍ପତି ଫେରି ପାଏ । ରୂପା ନିଜ ଘରକୁ ଚାଲିଯିବା ପାଇଁ କୁହେ । ରାଜୁ ଭାରି ମନରେ ରୂପାକୁ କୁହେ ଠିକ୍ ଅଛି ହେଲେ ତୁମେ ଏକୁଟିଆ ମଣିଷ ଚଳିବ କେମିତି ?

- ଏକୁଟିଆ ମଣିଷ ? ତୁମେ କୁଆଡେ ଯିବ କି ?

- ମୁଁ ? କଣ କହୁଛ ତୁମେ ?

- କୁହ ରାଜୁ କୁହ ? ତୁମେ ମୋତେ ଭଲ ପାଅନା ?

- ନା ନା ସେମିତି କିଛି ନୁହେଁ । ମୁଁ ଆପଣଙ୍କୁ ସାହାଯ୍ୟ କରିଛି ।

- ମିଛ କୁହନା । ତୁମ ଆଖିର ଇସାରାକୁ ମୁଁ ଠିକ୍ ଭାବେ ପଢି ପାରିଛି । ମୋ ପାଗଳି ବ୍ୟବହାରରେ କେହି ବିରକ୍ତ ହୋଇଯାଇ ପାରେ, ହେଲେ ତୁମେ ତାକୁ ମନ ଭରି ଉପଭୋଗ କରିଛ । କୁହ ରାଜୁ ଏ କଣ ଭଲ ପାଇବା ନୁହେଁ । ମୁଁ ମଧ୍ୟ ସେଇଦିନରୁ ତୁମ ଚାହାଣୀରୁ ଜାଣିପାରି ଭଲ ପାଇ ବସିଛି । କଣ ତୁମେ ମୋତେ ବିବାହ କରିବ ? ଏଥିରେ ତୁମ ବାପା ମା ଙ୍କ ସମ୍ମତି ମଧ୍ୟ ଅଛି ।

- ବାପା ମା ? ସେମାନେ କେମିତି ଜାଣିବେ ।

- ଓଃ ! ତୁ କଣ ଭାବୁଛୁ ଆମେ କେହି କିଛି ଜାଣିପାରିବୁନି ? କହି ବିନୁ ହସି ଉଠେ ।

- ତାହାଲେ ବିନୁ ତୋର ଏସବୁ କାମ ନା ? 

- ମୋ ସୁନା ପୁଅଟି, କେତେ ଭଲ ଝିଅ ଦେଖିଛୁ ବାପା ! ଯା ହେଉ ଆମକୁ ଆଉ ଝିଅ ଖୋଜିବାକୁ ପଡ଼ିବନି । ରାଜୁ ବୋଉର ଏକଥା ଶୁଣି ସମସ୍ତେ ହସି ଉଠନ୍ତି ।

    କିଛିଦିନ ପରେ ରାଜୁ ଓ ରୂପା ଏବଂ ବିନୁ ଓ ସୋନାଙ୍କ ବାହାଘର ଖୁବ୍ ଧୁମ୍ ଧାମରେ ହୁଏ । ରାଜୁ ରୂପାକୁ ପଚାରେ


- " ସତରେ ମୁଁ ତୁମକୁ ଏତେ ଭଲ ପାଇଲି ବୋଲି, ଭଗବାନ ତୁମ ନା ମୋ ଭାଗ୍ୟରେ ଲେଖି ଦେଲେ ।"

-ହଁ ରାଜୁ ମୋତେ ଭଲ ପାଅ ବୋଲି କହୁନଥିଲ କାହିଁକି ଯେ ? 

- ଆରେ ତୁମେ ତ ପାଗଳି , ମୋ ଗାଲରେ ଶକ୍ତ ଚାପୁଡା ବସେଇ ଥାନ୍ତ ଯେ ଏ ପ୍ରେମ କଥା ଶୁଣି ତେଣୁ ଡରିକି......!

- ଓଃ ! ତା ବୋଲି କଣ ମୁଁ ଜାଣି ପାରିବିନି । ତୁମ ଈଶାରା, ତୁମ ଚାହାଣୀ ମୋ ମୁହଁରେ ଟିକେ ହସ ପାଇଁ କେତେ ନା କେତେ ରୂପ ହେଇଛ ତୁମେ । ହାଃ ହାଃ....  

- ଚୁପ୍ କଲା ତୁମେ । ଜାଣିଛ ରୂପା "ପ୍ରେମ ସତ୍ୟ ପ୍ରେମ ଚିରନ୍ତନ ପ୍ରେମ ଶାଶ୍ଵତ, ପ୍ରେମ ମାନେ ନାହିଁ ବନ୍ଦ ବାଡ଼, ପ୍ରେମ ଆଗରେ ସବୁ ତୁଚ୍ଛ । ମାନେ ନାହିଁ ଧନୀ ଗରିବ ଜାତି ଅଜାତି । ଦୁଇ ହୃଦୟର ମିଳନରେ ଜନ୍ମ ନେଉଥିବା ପ୍ରେମ ସବୁ ବାଧା ବିଘ୍ନ ଅତିକ୍ରମ କରିପାରେ । ସତ ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ହୋଇଛି ଭାଲେନଣ୍ଟାଇନ ଡେ ‌।" ଏଇ ପ୍ରେମ ଦିବସ ରେ ହିଁ ତୁମେ ମୋ ଜୀବନରେ ଆସିଛ । ଆଉ ପ୍ରତିଦିନ ହିଁ ଆମ ପାଇଁ ପ୍ରେମ ଦିବସ ।

- ହଁ ରାଜୁ ଆମେ ସାତ ଜନ୍ମର ସାଥି । ତା ନହେଲେ କଣ ମୁଁ ତୁମ ଜୀବନରେ ମିଳି ଥାଆନ୍ତି ନା ତୁମେ ମୋତେ । 

- ହେଲେ ପାଗଳି ତୁମେ ମୋ ପାଇଁ ସେମିତି ପାଗଳି ହୋଇ ରହିଲ । କହି ରାଜୁ‌ ହସିବାକୁ ଲାଗେ ଓ କୁହେ ହଁ ରୂପା ତୁମେ ମୋ ସାତ ଜନ୍ମ ର ସାଥି..!

         

      



Rate this content
Log in

Similar oriya story from Romance