Srimani Priyadarsini

Classics Inspirational Others

4.5  

Srimani Priyadarsini

Classics Inspirational Others

ଶେଷଇଚ୍ଛା

ଶେଷଇଚ୍ଛା

3 mins
185


ସ୍ନେହର ରାଜେନ୍ଦ୍ର, 


     ବାବୁରେ ଚିଠିଟି ପଢ଼ିବା ଆଗରୁ ମୋତେ କ୍ଷମା କରିଦେବୁ । ଏ ଯୁଗରେ ପୁଣି ଚିଠି ଭାବି ଆଶ୍ଚର୍ଯ୍ୟ ହେବୁନାହିଁ । ତୋର ଅଳ୍ପ ସମୟ ନଷ୍ଟ କରିଥିବାରୁ ମୁଁ ଦୁଃଖିତ, କିନ୍ତୁ ସେଇ ଅଳ୍ପ ସମୟ ଭିତରେ ପଢ଼ିଦେ ମୋର ଅକୁହା ଅତୀତ ।

      

     ତିରିଶି ବର୍ଷ ତଳେ ତୋତେ ଜନ୍ମ ଦେଇ ତୋ'ର ମାଆ ଆମ ଦୁହିଁକୁ ଛାଡି ଚାଲିଗଲା ବହୁ ଦୂରକୁ, ଯେଉଁଠୁ କେବେ ଫେରିବା ବି ସମ୍ଭବ ନୁହେଁ । ତୋ ମାଆ ବିନା ମୁଁ ହୋଇ ପଡ଼ିଥିଲି ସମ୍ପୂର୍ଣ୍ଣ ବେସାହାରା । ତୋ'ର ହସ ହସ ମୁହଁ ଦେଖି ସବୁ କଷ୍ଟକୁ ଭୁଲି ଯିବାକୁ ଚେଷ୍ଟା କଲି । ଗାଧୋଇ ଦେବା, ଖୁଆଇ ଦେବା, ନାନା ବାୟା ଗୀତ ବୋଲି ଶୁଆଇ ଦେବା ସହ ତୋ'ର ସମସ୍ତ ଅଳି ଅଝଟକୁ ପୂରଣ କରୁଥିଲି । ମାତୃହିନ ବୋଲି ତୋତେ କେବେ ବି ଅନୁଭବ କରାଇ ଦେଉ ନଥିଲି । 

      

     ବାପା ଓ ମାଆ ଦୁଇଟି ଦାୟିତ୍ଵ ନେଉଥିବା ଦେଖି ସମସ୍ତେ ମୋତେ କରୁଣ ଚାହାଣୀରେ ଦେଖନ୍ତି । ଧୀରେ ଧୀରେ ତୁ ବଡ ହେବାକୁ ଲାଗିଥିଲୁ । ତୋ'ର ମନେ ଅଛି ନା ତୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ତୋ ବିଦ୍ୟାଳୟରେ ନିଜ ନିଜ ମାଆ ମାନଙ୍କୁ ମାତୃଦିବସରେ ନିମନ୍ତ୍ରଣ କରାଯାଇଥିଲା । ତୁ ସେଇ ଦିନ ହିଁ ଜାଣିଲୁ ମାଆ ର ଅଭାବ । ମାଆ ଆଣିଦିଅ କହି ମୋ କୋଳରେ ମୁଣ୍ଡ ଗୁଞ୍ଜି କେତେ ଲୁହ ଝରାଇ ଥିଲୁ ! ହେଲେ ମୃତ୍ୟୁ ପରେ କେହି କ'ଣ କେବେ ଫେରେ ?

      

     ବନ୍ଧୁ ବାନ୍ଧବ ଓ ପଡୋଶୀ ମାନେ ଆମ ଦୁହିଁଙ୍କ ଅବସ୍ଥା ଦେଖି ମୋତେ ଦ୍ବିତୀୟ ବିବାହ ପାଇଁ ବହୁତ ବାଧ୍ୟ କରୁଥିଲେ । ତୋ' ମାଆ ପ୍ରତି ଥିବା ପ୍ରେମ ଓ ତୋ'ର ଭବିଷ୍ୟତ କଥା ଭାବି ସମସ୍ତ ଙ୍କୁ ରୋକ୍ ଠୋକ୍ ମନା କରି କହିଥିଲି - ' ଆମେ ବାପା ପୁଅ ଦୁହେଁ ବହୁତ ଖୁସିରେ ଅଛୁ ।' 

      

     ଯେତେବେଳେ ତୁ ଦଶ ବର୍ଷର ହୋଇ ସାରିଥିଲୁ ସେତେବେଳେ ତୋ'ର ପ୍ରିୟ ଶିକ୍ଷକ ତୋ'ର ଭଲ ପାଠ ପଢିବା ଦେଖି ଦୂର ଏକ ବିଦ୍ୟାଳୟରେ ନାମ ଲେଖାଇ ହଷ୍ଟେଲରେ ରହିବା ପାଇଁ ଚାହୁଁ ଥିଲେ । ଏତେ ଦୂରକୁ ଚାଲି ଯିବୁ ଭାବି ତୋତେ ଲୁଚାଇ ମୁଁ ବହୁତ କାନ୍ଦିଛି । ତୁ ବୋଧ ହୁଏ ମୋ ମନ କଥା ପଢି ଦେଲୁ ଏବଂ ଦୂର ବିଦ୍ୟାଳୟକୁ ଯିବା ପାଇଁ ସିଧା ସିଧା ମନା କରି ଦେଇଥିଲୁ । 

      

     ବର୍ଷ ପରେ ବର୍ଷ ବିତି ଚାଲିଥିଲା । ଆମ ବାପପୁଅ ସମ୍ପର୍କ ଗଭୀର ରୁ ଗଭୀର ତର ହେଉଥିଲା । ଭଲ ଚାକିରୀ ଟିଏ ପାଇ ସାତ ଦରିଆ ତେର ନଈ ପାରି ହୋଇ ଚାଲି ଯାଇଥିଲୁ ସୁଦୂର ଆମେରିକା । ସେହଦିନଠାରୁ ମୁଁ ହୋଇ ଯାଇଥିଲି ସମ୍ପୂର୍ଣ୍ଣ ଏକେଲା । ନିୟମିତ ଫୋନ୍ ମଧ୍ୟ କରୁ ମୋତେ, ହେଲେ ଧୀରେ ଧୀରେ ତୋ'ର ଫୋନ ଆସିବା ମଧ୍ୟ ବନ୍ଦ ହୋଇଗଲା । ମୁଁ ବାରମ୍ବାର ଫୋନ୍ କଲେ ମଧ୍ୟ ତୁ ରାଗରେ ବ୍ୟସ୍ତ ଅଛୁ କହି ଫୋନ କାଟି ଦେଉ ।

      

     କିଛିଦିନ ପରେ ତୁ ଆମେରିକା ରୁ ଫେରିଥିଲୁ । ହଁ ତୁ ଏକା ନୁହେଁ ତୋ ସହ ଫେରିଥିଲା ରଞ୍ଜିତା, ଯାହାକୁ ତୁ ମୋର ବିନା ଅନୁମତିରେ ଆମେରିକାରେ ବିବାହ କରି ସାରିଥିଲୁ । ଏହା ଦେଖି ମୋର ଛାତି ଫାଟିଯିବା ପରି ଲାଗୁଥିଲା । ତୋ ପାଇଁ ତୋ'ର ବାପା ଏତେ ପର ହୋଇଗଲା ।

      

     ରଞ୍ଜିତା ମୋର ସେବା କରିବାରେ କୌଣସି ହେଳା କରୁନଥିଲା । ତୁ ମଧ୍ୟ ଆମେରିକାରୁ ଚାକିରୀ ଛାଡ଼ି ଏଠାକାର ସ୍ଥାୟୀ ବାସିନ୍ଦା ହୋଇଗଲୁ । ଖୁସିରେ ମୋର ଗୋଡ଼ ତଳେ ଲାଗୁ ନଥାଏ । ଏ ଯୁଗରେ ବୃଦ୍ଧ ପିତା ମାତା ଅବହେଳିତ । ତାଙ୍କୁ ବୃଦ୍ଧାଶ୍ରମ ରେ ଛାଡ଼ି ପୁଅ ବୋହୂ ଅନେକ ଦୂରରେ । ତୁମ ଦୁହିଁକୁ ପାଖରେ ପାଇ ମୁଁ ବହୁତ ଖୁସି ଓ ଗର୍ବ ଅନୁଭବ କରୁଥିଲି । କଲୋନୀ ସାରା ଲୋକଙ୍କୁ କହି ବୁଲୁଥିଲି ଯେ ' ମୋ ପୁଅ କୋଟିଏରେ ଗୋଟିଏ ।' ସମସ୍ତେ ଏସବୁ ଶୁଣି ହସି କୁହନ୍ତି ଯେ ' ଏତେ ଖୁସି ହୁଅନି, ଆପଣ ମଧ୍ୟ ଶେଷରେ ବୃଦ୍ଧାଶ୍ରମ ରେ ରହିବେ ।'

      

     ତୁମ ଦୁହିଁଙ୍କ ସହ ମୁଁ ଏତେ ଖୁସି ଆନନ୍ଦରେ ଥିଲି ଯେ ସମସ୍ତଙ୍କ କଥାକୁ ହସରେ ଉଡ଼ାଇ ଦେଉଥିଲି । କିନ୍ତୁ ଏହା ସତ ପ୍ରମାଣିତ ହେଲା ଯେତେବେଳ ତୋ'ର ପୁଅ ରିତିକ ଜନ୍ମ ଗ୍ରହଣ କଲା । ମୋର ସବୁ ଗର୍ବ ଖର୍ବ ହୋଇଗଲା । ଭାବୁଥିଲି ବାକି ଜୀବନ ତକ ନାତି ସହ କାଟି ଦେବି । ଭଗବାନ ବୋଧେ ସେତିକି ସୁଖ ମୋ ଭାଗ୍ୟରେ ଲେଖି ନଥିଲେ । କାମର ଚାପ ବଢ଼ିଯିବାରୁ ମୋତେ ବୃଦ୍ଧାଶ୍ରମ ରେ ରଖିବା ପାଇଁ ଅନେକ ସମୟରେ ତୁମ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲା । ଶେଷରେ ଜିତି ଯାଇଥିଲା ରଞ୍ଜିତା । କିଛିଦିନ ବାହାରକୁ ଯିବା ବାହାନାରେ ମୋତେ ସବୁଦିନ ପାଇଁ ବୃଦ୍ଧାଶ୍ରମ ରେ ଛାଡ଼ି ଦେଇଗଲ ।

      

      ତୋ ବିନା ମୁଁ ଏଠାରେ ଜିଉଁଛି ଜିଅନ୍ତା ଶବ ଟିଏ ପରି । ତୋ'ର ଅଯଥା ଖର୍ଚ୍ଚ ନହେବା ପାଇଁ ମୋତେ କ୍ୟାନ୍ସର ରୋଗ ହୋଇଥିବା କଥାଟି ଲୁଚାଇ ଥିଲି । ଆଉ ଏବେ ତାହା ଶେଷ ସ୍ତରରେ । ଭଗବାନ ଙ୍କୁ ମୋର ପ୍ରାର୍ଥନା ରିତିକ୍ ତୋ ବୃଦ୍ଧ ବୟସରେ ଏପରି କାମ ନକରୁ, କାହିଁକି ଜାଣିଛୁ ମୁଁ ପରା ତୋ'ର ବାପା । ଜଣେ ବାପା କଣ ତା'ର ସନ୍ତାନର ଦୁଃଖ ଦେଖି ପାରିବ ? ତୋତେ ଏ ଚିଠିଟି ପଢ଼ାଇ ତୋ'ର ସମୟ ନଷ୍ଟ କରିଥିବାରୁ ମୋତେ ପୁଣିଥରେ କ୍ଷମା କରିଦେବୁ । ତୁ ଏ ଚିଠି ପଢ଼ିସାରିବା ପରେ ବୋଧହୁଏ ମୁଁ ଏ ଦୁନିଆରେ ନଥିବି । ବାବୁରେ କିଛି ନହେଲେ ନାହିଁ ଏଇ ଶେଷ ଇଚ୍ଛା ଟିକକ ରଖିବୁ, ମୋର ମଲା ମୁହଁରେ ନିଆଁ ଟିକେ ତ ଦେଇ ପାରିବୁ ! 

                      ଇତି ତୋ'ର

                      ~ ବାପା ~



Rate this content
Log in

Similar oriya story from Classics