ସାଗରୀକା
ସାଗରୀକା
ରାଜଧାନୀ ଏକ୍ସପ୍ରେସ ରୁ ଓହ୍ଲେଇ ଅଭିମନ୍ୟୁ ଷ୍ଟେସନ ବାହାରେ ଅପେକ୍ଷା କରିଥିଲା ସାଙ୍ଗକୁ। ଏତିକି ବେଳେ ଅଟୋ ଟେ ଆସି ପଚାରିଲା, "କୁଆଡେ ଯିବେ ବାବୁ?" ଅଭିମନ୍ୟୁ କହିଲା, "ଶାସ୍ତ୍ରୀ ନଗର।" ଅଟୋ ବାଲା ,"ହଁ ବାବୁ ଯିବି। "ଏତିକି ବେଳେ ଅଟୋ ଭିତରକୁ ପଶି ଆସିଲା ଝିଅ ଟେ। ଆସି ବସିଗଲା ଅଭି ପାଖେ। କିଛି ସମୟ ପରେ ଆଉ ଜଣେ ଯାତ୍ରୀ ଆସି ପହଞ୍ଚିଲେ। ତିନି ଜଣଙ୍କୁ ଧରି ଅଟୋ ଚାଲିଲା। ଅଭି ଲାଗି ବସିଥାଏ, ଝିଅଟି ପାଖକୁ। ସେ ଦେଖୁଥାଏ ତା ଆଖିରୁ ଧାର ଧାର ଲୁହ,
ସେ ବାରମ୍ବାର ଲୁହ ପୋଛୁ ଥାଏ। ଅଭି କୁ ଲାଗିଲା ସେ ତା ଲୁହ ପୋଛି ତାକୁ ଟିକେ ହସେଇ ପାରନ୍ତା କି? ତା ଉଦ୍ଦେଶ୍ୟରେ ସେ ଅଟୋ ଵାଲା କୁ କହିଲା, "ଭାଇ, ଏ ବର୍ଷ ଭୁବନେଶ୍ୱର ରେ ଟିକେ କମ ବର୍ଷା ହେଇଚି କି?" ଅଟୋ ବାଲା କହିଲା , "କାହିଁ ନାହିଁ ତ। "ଅଭି କହିଲା, "ଇନ୍ଦ୍ର ଦେବ ତେବେ ତାଙ୍କ ଶେଷ ଇନ୍ସଟାଲମେଣ୍ଟ ଦେବା ଭୁଲି ଯାଇଥିଲେ। ଏବେ ବି ବରସୁଛି କୋଉ କୋଉ ଜାଗାରେ।" ଝିଅ ଟି ଜାଣିଲା, ତା ଉଦ୍ଦେଶ୍ୟରେ କୁହ ଯାଉଛି କଥାଟି। ସେ ଚାହିଁ ହସିଦେଲା। ଆଉ ହସିଦେଲା, ଅଭି ବି। ଝିଅ କହିଲା, ଧୀରେ ସ୍ୱରରେ। "କିଛି ବର୍ଷା ବରୁଣ ଦେବ ବି କରନ୍ତି। "
ଅଭି କହିଲା, "ଆଚ୍ଛା, ନଈ, ପୋଖରୀ ଛାଡି ବରୁଣ ଦେବ ଆପଣଙ୍କ ଆଖିରେ ରହିଲେଣି? ସେଇଥି ପାଇଁ ଚାରି ଆଡ଼ ଶୁଖିଲା , କେବେ ଟିକେ ଆମ ଗାଁ ଆଡେ ଆସୁନାହାନ୍ତି, ବିଚରା ଧାନ ଗଛ ଗୁଡା ପୁଣି ଜୀବନ ପାଇଯାନ୍ତେ। "
ଏଥର ହସରେ ଫାଟି ପଡିଲା, ଝିଅଟି। ଟା ହସ ଲାଗୁଥିଲା, ଗୋଟେ ମୋବାଇଲ ର ମଧୁର ରିଙ୍ଗ ଟୋନ ପରି।
-ତେବେ ଆପଣ ମଣିଷ ଙ୍କୁ କନ୍ଦାଇ ଚାଷ କରନ୍ତି? ସେ ଶସ୍ୟରେ କଣ କାହା ପେଟ ପୁରେ ?
- ହଁ ,ଚାଷ କରେ ,ଶବ୍ଦ ମାନକୁ ନେଇ। ମାନେ ମୁଁ ଗପ ଲେଖେ। ମୋ ନାଁ ଅଭିମନ୍ୟୁ।
- ଓଃ! ତେବେ କି ପ୍ରକାର ଗପ ଲେଖନ୍ତି ଆପଣ? ଅଭୀମନ୍ୟୁ ବାବୁ।
- ମୋ ନାଁ ଅଭୀମନ୍ୟୁ ବାବୁ ନୁହେଁ, ଅଭୀମନ୍ୟୁ, ଅଭି, ମୁଁ ଲେଖେ ବାଦଲ ଫାଙ୍କରୁ ସୂର୍ଯ୍ୟକୁ ଦେଖି ହସୁଥିବା ଝିଅର ଗପ, ଟ୍ରେନ ଗଲା ପରେ କାନ୍ଦୁଥିବା ଝିଅର ଗପ।
- ଭୁବନେଶ୍ୱରରେ କାହା ପାଖେ ସମୟ ନାହିଁ ଗପ ଶୁଣିବାକୁ।
- ସେତିକି ସମୟ ତ ଅଛି ମୋ ପାଖେ ଆପଣ ଙ୍କୁ ଟିକେ ହସେଇ ପାରିବି।
- ତାହେଲେ ଆସିବାକୁ ପଡିବ ସବୁଦିନ ବିନ୍ଦୁସାଗର ପାଖ ବରଗଛ ମୂଳକୁ।
ରାସ୍ତା ସରି ଆସୁଥିଲା, ଅଟୋରୁ ବିଦାୟ ନେଲା ବେଳେ, "ଅଭି ପଚାରିଲା , ନାଁ ତ ଥିବ, କାନ୍ଦୁରୀ ଝିଅ ର? "
- କାଲି ସନ୍ଧ୍ୟାରେ ଆସିଲେ ଜାଣିଯିବେ।
ୟା ଭିତରେ ତିନି ମାସ ବିତିଗଲାଣି। ସେମାନେ ଏବେ ବନ୍ଧୁ ରୁ ଟିକେ ଆଗକୁ ଯାଇ ସାରିଲେଣି। ଝିଅ ଟି ର ନାଁ ସାଗରିକା। ଅଭି ଡାକେ, ସାରିକା। ପାଖରେ ଥିବା ବ୍ୟାଙ୍କରେ ଚାକିରୀ ସେ। ସେମାନେ ଘଣ୍ଟା ଘଣ୍ଟା ଧରି ବସନ୍ତି ବିନ୍ଦୁ ସାଗରର ପାହାଚରେ, ହାତରେ ହାତ ଛନ୍ଦି। ନୀରବରେ। କେବେ କେବେ ସାଗରିକା ଚାଲି ଆସେ ଅଭି ଘରକୁ। ସେମାନେ ଚା ପିଅନ୍ତି ସାଙ୍ଗ ହୋଇ। ଚା ସବୁ ବେଳେ ସାରିକା ତିଆରି କରେ। ଅଭି ଦେଖୁଥାଏ ତାକୁ ଦୂର ରୁ। ସେ ଅଣ୍ଟାରେ ତା ଓନି କୁ ଭିଡି କାମରେ ଲାଗିଯାଏ,ଗୋଟେ ସୁଗୃହିଣୀ ପରି। ଅଦା ଛେଚିଲା ବେଳେ ଅଦା ସହ ମିଶି ଯାଏ ଚୁଡିର ଶବ୍ଦ। ଚିନି ବଦଳେ ମିଶିଯାଏ ଟା ଓଠ ଧାରୁ ଝରି ପଡୁଥିବା ହସ ପାଖୁଡା କିଛି। ସତରେ ଚା ହୁଏ ଚମତ୍କାର।
ସେଦିନ ସାଗରିକା ଦିଶୁଥାଏ, ଅନେକ ବିବ୍ରତ। ସେ ଯେମିତି ଅଟକି ଯାଇଛି ଅଡ଼ୁଆ ସୂତାରେ। ନିଜକୁ ଖୁବ ଦୁରେଇ ରଖୁଛି ସେ ଅଭି ଠାରୁ। ଏମିତି ହଠାତ ପରିବର୍ତ୍ତନ ଦେଖି ଅଭି ଆଶ୍ଚର୍ଯ୍ୟ। ସେ ପଚାରିଲା, କଣ ହୋଇଛି ତୁମର?
ନା କିଛି ନାହିଁ। ମୁଁ ଆଉ କାଲି ଠୁ ତୁମ ପାଖକୁ ଆସି ପାରିବିନି।
କାହିଁକି?
-କଣ କାହିଁକି? ତୁମେ କାହିଁକି ଆସୁଥିଲ ମୋ ଜୀବନ କୁ?ଏବେ ତୁମ ବିନା ଗୋଟେ ମୁହୂର୍ତ୍ତ ବଞ୍ଚିବା କଷ୍ଟ ମୋ ପାଇଁ। ପ୍ରତି ମୁହୂର୍ତ୍ତରେ ମୁଁ ନିଜ ସହ ଲଢ଼ି ଚାଲିଛି। ପ୍ରତିଦିନ ନିଜକୁ କଷ୍ଟ ଦେଇ ଚାଲୁଚି ମୁଁ, ଭାବେ ସକାଳ ହେଲେ ସବୁ ଠିକ ହୋଇଯିବ। କିନ୍ତୁ ମୁଁ ନିଜକୁ ଅଲଗା କରି ପାରୁନି ତୁମ ଠୁ।
- ସତ କୁହ ସାରିକା ଆମ ଭିତରେ ଏମିତି କି ସମସ୍ୟା ଆସିଛି ଯେ ଆମେ ତା ସଂଧାନ କରିପାରିବାନି?
- ହଁ , ଆସି ଯାଇଛି । ବରୁଣ, ମୋ ଭାବୀସ୍ୱାମୀ। ସେ ଫେରୁଛନ୍ତି। ଦିଲ୍ଲୀ ରୁ ଟ୍ରେନିଂ ସାରି।
ଅଭି କହିଲା, ବିଶ୍ୱାସ କର ସାରିକା, ମୁଁ ନିଶ୍ଚୟ କିଛି ଗୋଟେ ଉପାୟ ବାହାର କରିବି।
ଆଖିରେ ଆଖିଏ ଲୁହ ନେଇ ସାଗରିକା ପଚାରିଲା କେବେ? ସେ କାଲି ଆସୁଛନ୍ତି।
ଠିକ ଅଛି ଆମେ କାଲି ସେଇଠି ଦେଖା ହେବା, ଯେଉଁଠୁ ଏ କାହାଣୀ ଆରମ୍ଭ ହେଇଥିଲା,ସେଇ ଷ୍ଟେସନ ପାଖ।
ଭୁବନେଶ୍ୱର ର ବ୍ୟସ୍ତ ଅପରାହ୍ନରେ ସାଗରିକା ପହଁଚିଲା,ଷ୍ଟେସନ ପାଖେ। ଏତିକି ବେଳେ ସେପଟୁ ବରୁଣ ଆସି ତାକୁ କୁଣ୍ଢେଇ ପକେଇଲେ, ଖୁସିରେ। ଆଉ ଅଭିଯୋଗ ଭରା ସ୍ୱରରେ କହିଲେ, ଏତେ ଫୋନ କଲି ଥରେ ବି କଥା ହେଲନି ତମେ। ସେ ଉତ୍ତର ଦେଲା," ଦେହ ଟିକେ ଭଲ ନଥିଲା।" ସତରେ ତା ଦେହ ତାତି ଥିଲା। ବରୁଣ ତାକୁ ବସେଇ ଦେଇ, ଚାଲିଗଲେ, ମେଡ଼ିସିନ ଆଣିବାକୁ। ଏତିକି ବେଳେ ପିଲା ଟିଏ ଚିଠି ଟେ ଧରି ଆସିଲା, ଆଉ କହିଲା," ଦିଦି ଚିଠି ଟେ ତୁମ ପାଇଁ, ସେ ଭାଇ ଦେଇ ଦେଇଛନ୍ତି।" ଥର ଥର ହାତରେ ଚିଠି ଧରିଲା,ଅଭିର ଚିଠି ଥିଲା। ଲେଖା ଥିଲା
ସରି ସାରିକା,
ତୁମକୁ ଦେଖା କରି ପାରିଲିନି। ମୁଁ ଦେଖିଲି ତୁମ ବରୁଣ ଦେବ ଙ୍କୁ, ସତରେ ସେ ଖୁବ ଭଲ, ସେ ତୁମ ଆଖିରେ ରହିବା ଦରକାର, ସବୁବେଳେ। ତୁମେ ଜାଣ ତୁମକୁ କାହିଁ ମୁଁ ସାରିକା ଡାକେ? କାରଣ ମୁଁ ତୁମକୁ ଦେଖେ ଅଭିସାରିକା ରୂପରେ। କେତେବେଳେ ଲୁହରେ ଆଖି ପଖାଳି, କେବେ ହସର ଇନ୍ଦ୍ରଧନୁ ଆଙ୍କି। ତୁମର ସେ ଦୁଇ ଆଖି, ଯେ କାନ୍ଦିବା ଭୁଲି ହସିବା ଶିଖିଛି। ସେ ଆଖିରୁ ଏ ଅଭିକୁ ମୁକ୍ତ କର। ଥରେ ଦେଖ। ଟ୍ରେନ ଛାଡିବା ଆଗରୁ ମୋତେ।
ମୁଁ ହସ ହୋଇ ଝରିବାକୁ ଚାହେଁ ତୁମ ଓଠରୁ। କାହାଣୀ ହୋଇ ରହିବାକୁ ଚାହେଁ।, ତୁମ ପାପୁଲିରେ, ଯାହାକୁ ଧରି ଅନେକ ସଞ୍ଜ କଟିଛି ବିନ୍ଦୁସାଗର ପାହାଚରେ। ସାଥିରେ ନେଇ ଯାଉଛି ତୁମେ ପି ଥିବା ଚା କପ କୁ, ସାଇତି ରଖିବି,ମୋ ଅଳମାରିରେ।" ଏବେ ଲୁହରେ ଝାପସା ଦିଶୁଥିଲା ସେ ଚିଠିର ଅକ୍ଷର ସବୁ। ପାଚ୍ଛାରୁ ଶୁଭିଲା ବରୁଣ ଙ୍କ ଡାକ, ସେ ଲୁହ ପୋଛି ହସୁଥିଲା ତାଙ୍କ ପାଖେ।