ରୁବିର ରୁବାଇ
ରୁବିର ରୁବାଇ
କଲେଜରେ ପଢ଼ିଲା ବେଳେ ମୁଁ ଗୋଟିଏ ଡ୍ରାମା ଆକାଶ ବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ନାଟକ ଶୁଣିଥିଲି l ମୋର ପୂରା ମନେନାହି l ବୋଧହୁଏ ଲେଖକ ଅଖିଳ ମୋହନ ପଟ୍ଟନାଏକ ଯାହାର ନାମ " ରୁବିର ରୁବାଇ " l ସେଇଟି ଇଂରେଜ ଶାସନ କାଳର l ଜଣେ ଟ୍ରେନ ଡ୍ରାଇଭରଙ୍କ ଆତ୍ମ କାହାଣୀ l ଚାଳକଙ୍କ ରୋବର୍ଟସାନ l ତାଙ୍କ ସ୍ତ୍ରୀଙ୍କ ନାମ ରୁବି l ସେମାନେ ନବ ବିବାହିତ ଥିଲେ ଓ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ l ରୋବର୍ଟସନ କେବଳ ମାଲଗାଡ଼ି ଚାଳନା କରୁଥିଲେ l ରୋବର୍ଟ ସନ ଭୂମିକାରେ ସ୍ବର୍ଗତ ସାମୁଏଲ ସାହୁ ( ବାବି ) ଅଭିନୟ କରିଥିଲେ l
ନଭେମ୍ବର ମାସ l ମାଇକେଲ ନାମକ ଜଣେ ଟ୍ରେନ ଡ୍ରାଇଭର ଏକଦା ତାଙ୍କ ମାଲଗାଡ଼ି ଚଳାଇ ହାଉଡ଼ା ଷ୍ଟେସନ ଠାରୁ କିଛି ଦୂରରେ ଏକ ନିଛାଟିଆ ମଫସଲ ଅଞ୍ଚଳ ପାଖରେ ଗାଡ଼ି ବ୍ରେକ ଦେଲେ l କାରଣ ଇଂଜିନରେ କିଛି ଗୋଳମାଳ ଲକ୍ଷ କଲେ l ରାତି ବାରଟା l ଶୂନଶାନ ଜାଗା l ପାଖରେ ଏକ ବିରାଟ ବର ଗଛ l ହଠାତ୍ କାହାର ଏକ ଗମ୍ଭୀର ସ୍ବର," ଶୁଭ ରାତ୍ରି ମାଇକେଲ "ତାଙ୍କ କାନରେ ବାଜିଲା l ଦେଖିଲେ ଏକ କବନ୍ଧ ଗଛ ମୂଳେ ଠିଆ ହେଇଛି l ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଗଛ ପାଖକୁ ଗଲେ ଆଉ ସାହସ ବାନ୍ଧି ପଚାରିଲେ," ତୁମେ କିଏ? ପରିଚୟ ଦିଅ " ଉତ୍ତର ଆସିଲା, " କଣ ସାଙ୍ଗ ମତେ ଚିହ୍ନି ପାରୁନ? ମୁଁ ପରା ତୁମ ସାଙ୍ଗ ରୋବର୍ଟସନ l" ମାଇକେଲଙ୍କ ମନେ ପଡ଼ିଗଲା l କବନ୍ଧଟି ତାଙ୍କ ସହକର୍ମୀ ଥିଲେ l କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ l
ମାଇକେଲଙ୍କ ମନ ବ୍ୟାକୁଳ ଆତ୍ମହତ୍ୟାର କାରଣ ଜାଣିବା ପାଇଁ l ତେଣୁ ପୁଣି ପଚାରିଲେ, " ତୁମେ କାହିଁକି ଆତ୍ମହତ୍ୟା କଲ? " " ହଁ କହିବି ଆଗେ ମତେ ତୁମ ଫ୍ଲାସ୍କରୁ କପେ ଚା ଦିଅ l" ମାଇକେଲ ସଙ୍ଗେ ସଙ୍ଗେ ଚା କପ୍ ଟା ବଢ଼ାଇ ଦେଲେ l କିଛି ସମୟ ପରେ କବନ୍ଧ କହିଲା, " ତା ହେଲେ କହୁଛି ଶୁଣ ମୁଁ ଆଉ ମୋ ପତ୍ନୀ ରୁବି ବିବାହ ପରେ ଖୁବ ଶାନ୍ତିରେ ଆମ କ୍ଵାଟର ରେ ରହି ଆସୁଥିଲୁ l ଏମିତି ଛ ମାସ ବିତିଗଲା l ଆମ ମଧ୍ୟରେ ପ୍ରେମର ଘନତ୍ଵ ବଢ଼ିଯାଇଥାଏ l ଦିନେ ମୋର ଦେହ ଅସୁସ୍ଥ ହୋଇ ପଡ଼ିବାରୁ ଷ୍ଟେସନ ମାଷ୍ଟରଙ୍କୁ କହି ଘରକୁ ଫେରି ଆସିଲି l ଶୀତ ସକାଳ l ବାହାରେ ଭୀଷଣ କୁହୁଡ଼ି ଘେର l ମୁହଁ କୁ ମୁହଁ ଦିଶୁ ନଥାଏ l ଘର ଦୁଆର ମୁହଁପାଖରେ ପହଞ୍ଚିଲି l କବାଟରେ ଠକ ଠକ କଲି କିନ୍ତୁ ଜବାବ ମିଳିଲାନି l ତେଣୁ ଝରକା ଫାଙ୍କରେ ଭିତରକୁ ଚାହିଁଲି l ଯାହା ଦେଖିଲି ସେଥିରେ ମୋର ହୃତପିଣ୍ଡଟି ଖସିଗଲା ପରି ଲାଗିଲା l ଦେହରୁ ଝାଳ ବହିବାକୁ ଲାଗିଲା l ଦେଖିଲି ପର ପୁରୁଷର ବାହୁ ବନ୍ଧନରେ ରୁବି କବଳିତ l ଦୈହିକ ପ୍ରେମର ନିଶାରେ ପାଗଳ l ଏ ସବୁ ନିଜ ଆଖିରେ ଦେଖି ମୋ ଜୀବନଟାକୁ ତୁଛ ମନେକଲି l ଦେହର ଅସୁସ୍ଥତାକୁ ଖାତିର ନକରି ଡିଉଟି ଉପରକୁ ଫେରିଆସିଲି l ଷ୍ଟେସନ ମାଷ୍ଟରଙ୍କୁ କହି ଟ୍ରେନ ଉପରକୁ ଉଠିଲି l ସନ୍ତୁଳିତ ଥିଲା ମୋ ଗାଡ଼ିର ଗତି l କିନ୍ତୁ ମୋର ମସ୍ତିଷ୍କ ସନ୍ତୁଳିତ ନଥିଲା l ମନ ଭିତରେ ରୁବିର କାର୍ଯ୍ୟକଳାପପ୍ରତି ଵିତୃଷ୍ନା l ଆଉ ଭାଙ୍ଗି ପଡ଼ିଥିଲା ଗ୍ଲାନି ଆଉ ଅବସାଦରେ ମୋର ଦାମ୍ଭିକତା l ଆଉ କପେ ଚା ଦିଅ ଦୋସ୍ତ l " ମାଇକେଲ ପୁଣି କପେ ଚା ବଢ଼ାଇ ଦେଲେ l ଚା ପିଇ ସାରି କବନ୍ଧ କହିଚାଲିଲା ତାହାର ସଶରୀରି କାହାଣୀ l " ହଁ ସାଙ୍ଗ ଶୁଣ l ତାପରେ ଆପେ ଆପେ ଆକ୍ସିଲରେଟର ଉପରେ ମୋ ହାତ ପଡ଼ିଗଲା l ଜୋରରେ ଚାପି ଧରିଲି ଲିଭରକୁ l ଇଂଜିନରୁ ବହଳିଆ କଳା ଧୂଆଁ ବାହାର କରି ଚ୍ଛୁକ ଛୁକ ଆୱାଜ କରି ଟ୍ରେନ ଘଣ୍ଟାକୁ 120 କିଲୋମିଟର ଗତିରେ ଆଗକୁ ମାଡ଼ି ଚାଲିଲା l ଆହୁରି କୋଇଲା ପକେଇ ଚାଲିଥାଏ ମୁଁ l ଦେହ ଝାଳେଇ ଯାଇଥାଏ l ନଦୀପୋଲ ଟପିଲା ପରେ ଏଇ ଗଛ ପାଖରେ ଗାଡ଼ି ଓଲଟି ଗଲା l ପାଖରେ କେହି ନଥିଲେ l ମୋ ମୁଣ୍ଡ ଫାଟି ଯାଇଥାଏ l ରୁବିର ରୁବାଇ ମୋର ହୃଦୟରେ କଷାଘାତ କରି ଚାଲିଥାଏ l ଦେହରେ ଅସହ୍ୟ ଯନ୍ତ୍ରଣା l ତାପରେ ମୋ ଦେହ ଛାଡ଼ି ମୋର ଅତୃପ୍ତ ଆତ୍ମା ଏଇ ଗଛ ଉପରେ କବନ୍ଧ ରୂପେ ରହି ଆସୁଛି l ତୁମେ ଆଜି ଦେଖା ହେଲ l ତୁମକୁ ସତ କଥା ଖୋଲି କହିଲି l ମୁଁ ଆଜି ମୁକ୍ତ l ଗୁଡ୍ ବାଏ ଦୋସ୍ତ l " ମାଇକେଲ ଏସବୁ ଜାଣିଲା ପରେ ନିଜ ମୁଣ୍ଡରୁ ଟୋପି ଓହ୍ଲାଇ ଦେଲେ l ଗୋଟିଏ ଆଲୋକ ରେଖା ବରଗଛ ଶିଖରରୁ ଉଠି ଆକାଶକୁ ଉଡ଼ିଗଲା l

