sumita behera

Romance Inspirational

4  

sumita behera

Romance Inspirational

ପ୍ୟାରୀ

ପ୍ୟାରୀ

4 mins
327



ଅଶ୍ରୁ ପୋଛି ଉଠି ବସିଲେ ପ୍ୟାରୀ। କାହିଁକି ସେମାନଙ୍କ ପାଇଁ ଅଶ୍ରୁ ଝରାଇବେ ,ଯେଉଁମାନେ ତାଙ୍କର ସ୍ନେହ ,ଭାବନା,ତ୍ୟାଗ ଓ ବଳିଦାନକୁ ବୁଝି ପାରିଲେ ନାହିଁ !! ପିତାଙ୍କର ମୃତ୍ୟୁ ପୂର୍ବରୁ ସେ ଥିଲେ ଅଲିଅଳି ରାଜଜେମା। ସାତ ଭାଇଭଉଣୀଙ୍କ ମଧ୍ୟରେ ଜ୍ୟେଷ୍ଠା ଯେହେତୁ , ସ୍ନେହ ଭାଗ ମଧ୍ୟ ଥିଲା ଅଧିକ। ଜେଜୀମା ବାପାଙ୍କୁ ଅନେକ ଥର ଛଳେଇ କହନ୍ତି, " ପରଗୋତ୍ରୀକୁ ପୁଣି ଏତେ ଆଦର ! କ'ଣ ପାଇଁ ମ ? ଚାରି ଚାରିଟି କୂଳ ରକ୍ଷାକରି ପୁଅ ଅଛନ୍ତି,ତାଙ୍କ ପ୍ରତି ନଜର ଜମା ପଡୁନି ! ଇଏ କ'ଣ ପିତୃପୁରୁଷଙ୍କୁ ପାଣି ଟେକିବ କି ? " ବାପା ହସିକି କହନ୍ତି, " ଦେଖିବୁ ଲୋ ବୋଉ ! ଏଇ ଗୋଟିଏ ପ୍ୟାରୀ ମୋର ସାତ ପୁଅଙ୍କ ସହିତ ସମାନ। ସେତେବେଳେ ମୋତେ କହିବୁନି କି ? ' ଜେଜୀ ମୁହଁ ମୋଡ଼ିଦେଇ ଚାଲି ଯାଅନ୍ତି।


ସୁନାଚାମୁଚ ମୁହଁରେ ନେଇ ଜନ୍ମ ହୋଇଥିଲେ ପ୍ୟାରୀ। କଟକର ବିଖ୍ୟାତ ବ୍ୟବସାୟୀଙ୍କର କନ୍ୟା। ଯେତେବେଳେ ଯାହା ଆବଶ୍ୟକ ମୁହଁ ଖୋଲିବା ପୂର୍ବରୁ ପାଦତଳେ ଅଜାଡ଼ି ହୋଇଯାଏ। ବିବାହ ମଧ୍ୟ ସେହିପରି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଠିକ୍ ହେଲା। ସେତେବେଳେ ସ୍ନାତକୋତ୍ତର କକ୍ଷାରେ ପ୍ୟାରୀ। ବିବାହର ମାସେ ପୂର୍ବରୁ ଘରେ ଉତ୍ସବ ଲାଗିଛି। ଆଉ ପନ୍ଦର ଦିନ ପରେ ପ୍ୟାରୀଙ୍କର ବିବାହ। ଅଚାନକ ଦାମବାବୁଙ୍କର ହୃଦାଘାତରେ ପରଲୋକ ହୋଇଗଲା ।


ସବୁକିଛି ଓଲଟ ପାଲଟ ହୋଇଗଲା ଯେତେବେଳେ ଜଣା ପଡିଲା ଋଣଭାରରେ ଭାରାକ୍ରାନ୍ତ ଦାମବାବୁ ପୈତୃକ ଘରଟିକୁ ମଧ୍ୟ ବନ୍ଧା ରଖି ଦେଇଛନ୍ତି। ବ୍ୟାଙ୍କ ବଲାନ୍ସ ବି ସେମିତି କିଛି ନାହିଁ କହିଲେ ଚଳେ। ପତ୍ନୀ କିଶୋରୀଙ୍କ ମୁଣ୍ଡରେ ବଜ୍ରପାତ ହେଲା । ସାତୋଟି ସନ୍ତାନ ଓ ବୁଢ଼ୀ ଶାଶୂଙ୍କର ଦେଖାଶୁଣା କରିବେ କିପରି ? ସେମାନଙ୍କର ପାଠପଢ଼ା ଓ ଝିଅମାନଙ୍କର ବିବାହ କିପରି କରାଇବେ ? ପ୍ୟାରୀଙ୍କର ବିବାହ ମଧ୍ୟ ଭାଙ୍ଗିଗଲା। ସେମାନେ ପ୍ୟାରୀ ସହିତ ନୁହେଁ ତାଙ୍କ ପିତାଙ୍କର ସମ୍ପତ୍ତି ସହ ଯେ ବିବାହ କରାଇଥାନ୍ତେ !!


ଯେତେବେଳେ ମୁଣ୍ଡ ଉପରୁ ଛାତ ବି ଉଡ଼ିଗଲା ପିଲାମାନଙ୍କୁ ଆଉ ବୁଢ଼ୀ ଶାଶୁଙ୍କୁ ସାଙ୍ଗରେ ନେଇ କିଶୋରୀ ଦୁଇ ବଖରା ଭଡା ଘରେ ଆଶ୍ରୟ ନେଲେ। ହଠାତ ଏପରି ପରିସ୍ଥିତିକୁ କେହି ସହଜରେ ଗ୍ରହଣ କରି ପାରୁ ନ ଥିଲେ। ପ୍ୟାରୀ ମନେ ମନେ ପ୍ରତିଜ୍ଞା କଲେ , ସେ ନିଜ ବିଷୟରେ କେବେ ବି ଭାବିବେନି। ବରଂ ସାନ ଭାଇ ଭଉଣୀଙ୍କୁ ମଣିଷ ପରି ମଣିଷ କରେଇବେ। ଟିଉସନ ପଢେଇବା ସହ ନିଜେ ମଧ୍ୟ ଚାକିରୀ ପାଇଁ ପ୍ରସ୍ତୁତି କଲେ। ଦିନରାତି ଏକ କରିଦେଲେ। ଏହା ଭିତରେ ଜେଜୀ ଓ ମାଆ ଦୁହେଁ ଆର ପାରିକୁ ଚାଲିଗଲେ। ଆହୁରି ଶକ୍ତ ହୋଇଗଲେ ପ୍ୟାରୀ। 


ବର୍ତ୍ତମାନ ପ୍ୟାରୀ ଗୋଟିଏ କଲେଜର ଅଧ୍ୟାପିକା। ବେଶ୍ ମୋଟା ଦରମା। ସାନ ଭାଇଭଉଣୀଙ୍କର ଆଉ କୌଣସି ଅଭାବ ରହିଲାନି। ଗୃହସ୍ୱାମିନୀ 'ପ୍ୟାରୀ ଅପା: ଏବେ ସମସ୍ତଙ୍କର ନୟନର ମଣି। ତାଙ୍କୁ ନ ପଚାରି କେହି କିଛି କରନ୍ତିନି। ସବୁ କଥାରେ ଅପା ଅପା ହୁଅନ୍ତି। ଏତିକିରେ ସେ ଖୁସି। ଆଉ କ'ଣ ଦରକାର ଜୀବନରେ ? ଅଧ୍ୟାପକ ବନ୍ଧୁ ସରୋଜ ଅନେକ ଥର କହିଲେଣି, ' ପ୍ୟାରୀ ! ନିଜ କଥା ଟିକେ ଭାବ। ଭାଇ ଭଉଣୀ ନିଜ ନିଜ ସଂସାର କରିବେ। ତୁମ କଥା କିଏ ସେତେବେଳେ ଭାବିବ ? ବାହା ହେଇପଡ଼। ଜୀବନସାଥୀଟିଏ ତ ଦରକାର ନା ? "


ହସି ଦେଇ ପ୍ୟାରୀ କୁହନ୍ତି, " ଆରେ ! ମୁଁ କ'ଣ ମୁନ୍ସୀ ପ୍ରେମଚାନ୍ଦଙ୍କର " ସ୍ୱାମିନୀ " କାହାଣୀର ରାମପ୍ୟାରୀ କି? ତାକୁ ସିନା ତା' ନିଜ ଭଉଣୀ ଓ ଦିଅର ଛାଡି ଚାଲି ଯାଇଥିଲେ ! ମୁଁ ହେଲି ମୋ ସାନ ଭାଇଭଉଣୀଙ୍କର ଅତି ଆଦରର ପ୍ୟାରୀ ଅପା ପରା ! ସେମାନେ ମୋତେ ଦେବୀ ପରି ପୂଜା କରନ୍ତି। ମୋ ପରାମର୍ଶ ବିନା କିଛି ବି କରନ୍ତିନି। ସେମାନେ ଥିଲେ ମୋର ଆଉ ଚିନ୍ତା କ'ଣ କହିଲ ? "


ସରୋଜ କୁହନ୍ତି, " ତୁମ ନିଜର ବି ଗୋଟିଏ ପରିବାର ଦରକାର। ସେମାନଙ୍କର ପରିବାର ହୋଇଗଲେ ତୁମର ଆଉ ଗୁରୁତ୍ୱ ରହିବନି। ତୁମକୁ ସେମାନେ ଆଉ କାହିଁକି ଖୋଜିବେ ? "


" ତୁମେ ବିବାହ କରୁନ କାହିଁକି ଯେ ? ମୋତେ ତ ବେଶ୍ ଉପଦେଶ ଦେଉଛ !"


" ତୁମ ପରି ଜଣେ ମିଳିଗଲେ ବିବାହ କରିନେବି। ଚିନ୍ତା କରନି । " ଖୁବ ହସନ୍ତି ଦୁହେଁ। ସତରେ ସରୋଜଙ୍କ ପରି ବନ୍ଧୁଟିଏ ମିଳିବା ବହୁତ କଷ୍ଟ। 


ଦିନ ପରେ ଦିନ ବିତିଚାଲେ। ଭଉଣୀ ଦୁଇଜଣଙ୍କର ବିବାହ ହୋଇ ସାରିଛି। ଭଲରେ ଅଛନ୍ତି ଦୁହେଁ। ସାନ ଭାଇମାନେ ଯିଏ ଯାହାର ସଂସାର ନେଇ ଦୂର ଦୂର ସହରରେ। ନିଜର ସମସ୍ତ ଜମା ପୁଞ୍ଜି ସାରି ଦେଇଛନ୍ତି ସେମାନଙ୍କୁ ମଣିଷ କରେଇବାରେ। ଏବେ ତ ଫୋନ୍ କରିବାକୁ ବି ସମୟ ମିଳେନି ସେମାନଙ୍କୁ। ସମସ୍ତେ ନିଜ ନିଜର ଘର ବାନ୍ଧି ସାରିଛନ୍ତି। କେହି କେବେ କୁହନ୍ତିନି, " ଅପା ! ବହୁତ କଲୁ ଆମ ପାଇଁ। ନିଜକୁ ତିଳ ତିଳ କରି ଜାଳି ଆମକୁ ଆଲୋକ ଦେଲୁ। ଏଥର ଛାଡି ଦେ ଚାକିରୀ। ଆମ ସହ ରହ । " ଏତେବଡ଼ ପରିବାରର ସ୍ୱାମିନୀ ପ୍ୟାରୀ ଆଜି ସମ୍ପୂର୍ଣ୍ଣ ଏକା। ସ୍ୱାମିନୀ ହେବାର ଅଭିମାନ ଆଜି ଭାଙ୍ଗି ଖଣ୍ଡ ଖଣ୍ଡ । 


ନା ..ଆଉ ଲୁହ ଝରେଇବେନି ସେ । ସମସ୍ତେ ଭଲରେ ରୁହନ୍ତୁ। ସୁଖରେ ରୁହନ୍ତୁ। ଦର୍ପଣରେ ନିଜକୁ ଦେଖିଲେ। ବାଁ ପଟର କିଛି କେଶ ରଙ୍ଗ ବଦଳେଇକୁ ଆରମ୍ଭ କଲାଣି । ବାପା ଯିବାର ବାଇଶି ବର୍ଷ ବିତି ଗଲାଣି। ଏତିକି ବର୍ଷ ସେ ନିଜକୁ ଭୁଲି ଯାଇଥିଲେ। ନିଜର ବି ଦେହ ଓ ମନ ଅଛି। ନା.. ଏଥର ସେ ନିଜ ପାଇଁ ବଞ୍ଚିବେ। ନିଜ ପାଇଁ ହସିବେ। 

ଆଜି ପ୍ରଥମ କରି ନିଜେ ଆଡ଼ୁ ଫୋନ୍ ଲଗେଇଲେ ସରୋଜଙ୍କୁ। ଏତେ ବର୍ଷର ବନ୍ଧୁତ୍ୱ ଭିତରେ ପ୍ୟାରୀ କେବେହେଲେ ଆଗ ଫୋନ୍ କରି ନାହାଁନ୍ତି। ଏଥିପାଇଁ କମ୍ ଅଭିମାନ କରି ନାହାଁନ୍ତି ସରୋଜ। 


ଶରତର ମତୁଆଲା ସନ୍ଧ୍ୟା। ବଲକୋନିରେ ସାମ୍ନା ସାମ୍ନି ବସିଛନ୍ତି ସରୋଜ ଓ ପ୍ୟାରୀ। ଧୀର କଣ୍ଠରେ ସରୋଜ ପଚାରିଲେ," ଆଜି ମୋତେ ଡରେଇ ଦେଇଛ ତୁମେ ! ସୂର୍ଯ୍ୟ ପଶ୍ଚିମରେ ଆଉ ଉଦୟ ହେଲେ କି ? ତୁମ ଫୋନ୍ ମୋ ପାଇଁ ?? କ'ଣ ପ୍ରବ୍ଲେମୄ କୁହ ! "


ଅଳ୍ପ ହସି ପ୍ୟାରୀ କହିଲେ, "କେବଳ ପ୍ରବ୍ଲେମ୍ ଥିଲେ ହିଁ ତୁମକୁ ଖୋଜିବି ? କାଇଁ ଏମିତି ଖୁସିରେ କ'ଣ କଲ୍ କରି ପାରିବିନି ? "


" ନାଇ ! ସେମିତି ନୁହେଁ ... କିନ୍ତୁ..?"


" କିନ୍ତୁ ଫିନ୍ତୁ ଛାଡ଼ । ତୁମେ ବାହା କାହିଁକି ହଉନ କହିଲ ? "


" କ'ଣ ! ଏଇ ପ୍ରଶ୍ନ ପଚାରିବାକୁ ଡାକିଥିଲ ? ଆଗରୁ ଅନେକ ଥର କହିଛି ତ , ତୁମ ପରି ଜଣକୁ ପାଇଲେ ବାହା ହେବି। "


 " ମୁନ୍ସୀ ପ୍ରେମଚାନ୍ଦଙ୍କର 'ସ୍ୱାମିନୀ' କାହାଣୀର ଶେଷକଥାଟି ପଢିଛ ତ ? ରାମପ୍ୟାରୀ ଯଦି ତା' ଜୀବନର ଉଚିତ ନିଷ୍ପତ୍ତି ନେଇ ପାରିଲେ ତେବେ ମୁଁ କାହିଁକି ନୁହେଁ? "

 

" ମାନେ ?? କିଛି ବୁଝି ପାରିଲିନି ! "


" ମୋହିନୀ ହସ ହସି ପ୍ୟାରୀ କହିଲେ, " ମୋ ପରି ଜଣେ କାହିଁକି ? ଯଦି ମୁଁ ନିଜେ ହୁଏ.. ତେବେ ବିବାହ କରିବ ତ?"



 











Rate this content
Log in

Similar oriya story from Romance