ପଶ୍ଚାତାପ
ପଶ୍ଚାତାପ


ଦୁଇ ହଜାର ଉଣେଇଶି ମସିହା ଫେବୃଆରୀ ମାସ ଚଉଦ ତାରିଖ ସକାଳ ସମୟ । ସେଦିନ ପ୍ରେମ ଦିବସ । ପ୍ରଧାନପାଟ ମହୋତ୍ସବର ଦ୍ବିତୀୟ ଦିନ । ଖୋଲା ମଞ୍ଚ ଉପରେ ଚାଲିଥାଏ ରାଜ୍ୟସ୍ତରୀୟ କବି ସମ୍ମିଳନୀ । ପ୍ରଥମେ କବିତା ପାଠ କରୁଥାନ୍ତି ଦେବଗଡ ଜିଲ୍ଲାର ଉଦୀୟମାନ ଯୁବ ରୋମାଣ୍ଟିକ୍ କବି ହର୍ଷବର୍ଦ୍ଧନ । ତାଙ୍କ ପ୍ରେମ କବିତା ପାଠ ସମସ୍ତ କବି କୁଳଙ୍କୁ ଆନନ୍ଦିତ କରୁଥାଏ । ସେଦିନ ମୁଁ ମଧ୍ଯ ସେଠାରେ ଉପସ୍ଥିତ ଥିଲି । ମୋତେ ନିମନ୍ତ୍ରଣ ନମିଳିଥିଲେ ମଧ୍ୟ ମୁଁ ଉପସ୍ଥିତ ଥିଲି । ଉପସ୍ଥିତ ରହିବାର କାରଣ ହେଲା ମୋତେ ରୋମାଣ୍ଟିକ୍ କବିତା ଶୁଣିବାକୁ ବହୁତ ଭଲ ଲାଗେ । ହର୍ଷବର୍ଦ୍ଧନର ପ୍ରେମ କବିତା ଶୁଣି କରତାଳି ନମାରି ସେଦିନ ମୁଁ ରହି ପାରିଲି ନାହିଁ । ମୋର କରତାଳି ଶୁଣି ସମସ୍ତେ କରତାଳି ଦେଇ ନବ ପ୍ରତିଭାକୁ ସ୍ବାଗତ ଜଣାଇଲେ । ତା'ର ଉଜ୍ଜ୍ବଳ ଭବିଷ୍ୟତ କାମନା କଲେ । ସେଦିନ କେନ୍ଦୁଝର, ସମ୍ବଲପୁର, ବାଲେଶ୍ବର, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ, ଜଗତସିଂହପୁର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ ଓ ଅନ୍ଯାନ୍ୟ ଜିଲ୍ଲାରୁ ପ୍ରାୟ ଶତାଧିକ କବି କବୟିତ୍ରୀ କବିତା ପାଠ ପାଇଁ ଆସି ପହଞ୍ଚିଥିଲେ । ମୁଁ ଶେଷ ଧାଡିର ଶେଷ ଚେୟାରରେ ବସିଥିଲି ।
ମୋର ବାମ ପାଖରେ ଜଣେ ସୁନ୍ଦରୀ ତରୁଣୀ ବସିଥିଲା । ତା'କୁ ମୁଁ ଆଗରୁ କୌଣସି କବି ସମ୍ମିଳନୀରେ କେବେ ଦେଖି ନଥିଲି । ପରସ୍ପର ପରିଚୟ ପ୍ରଦାନରୁ ଜାଣିଲି ସେ ମଧ୍ୟ କବିତା ଲେଖନ୍ତି । କବିତା ପାଠ କରିବା ପାଇଁ ଅନୁଗୋଳ ଜିଲ୍ଲାରୁ ଆସିଛନ୍ତି, ନାମ ଅଙ୍କିତା ନାୟକ ।
ହର୍ଷବର୍ଦ୍ଧନର ପରିଚୟ ସେ ମୋତେ ଧିର ସ୍ବରରେ ପଚାରିଲା । ମୁଁ କହିଲି ସେ ହର୍ଷବର୍ଦ୍ଧନ ମହାପାତ୍ର । ଏଇ ଦେବଗଡରେ ତାଙ୍କର ଘର । ବ୍ରହ୍ମବିଦ୍ଯା ସାହିରେ । ମୋଠାରୁ ସବୁ ଶୁଣି ସାରିବା ପରେ ସେ ହର୍ଷବର୍ଦ୍ଧନ ପାଖକୁ ଯାଇ କବିତା ଭଲ ଲାଗିଲା କହି ମିତ୍ରତାର ହାତ ବଢାଇଲା । ଦୁହେଁ ପ୍ରଥମେ ମିତ୍ରତା ଓ ପରେ ପ୍ରେମ ବିବାହ କଲେ ।
ହର୍ଷବର୍ଦ୍ଧନ ଥିଲେ ଜଣେ ନାରୀ ପ୍ରିୟ, ପ୍ରେମିକ କବି । ତାଙ୍କର ପ୍ରତିଟି କବିତାରେ ସେ ନାରୀଙ୍କୁ ହିଁ ମୁଖ୍ଯ ଚରିତ୍ରରେ ନେଇଥାନ୍ତି । ପରକୀୟା ପ୍ରୀତିର ବାସ୍ନାରେ ସେ ଦିନକୁ ଦିନ ରସାତଳଗାମୀ ହେଉଥାନ୍ତି । ନାରୀ ମାନଙ୍କ ସହ ସବୁବେଳେ ବାର୍ତ୍ତାଳାପ, ମିଳାମିଶା ଅଙ୍କିତାକୁ ଜମା ଭଲ ଲାଗୁ ନଥାଏ । ଦିନେ ନିଜ ହୃଦୟକୁ ବାଧିଲା ପରି କାର୍ଯ୍ଯ ହର୍ଷବର୍ଦ୍ଧନ କରିବାରୁ ସେ ପାଟି ଫିଟେଇ ବିରୋଧ କରି କହିଲା ବିବାହ ପରେ ଏସବୁ ଭଲ କାମ ନୁହେଁ । ତୁମେ ଜଣେ ଓଡିଶାର ପ୍ରଖ୍ଯାତ କବି ହୋଇ ନାରୀମାନଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଛ । ନାରୀ ମାନଙ୍କ ପିଛା ଟଙ୍କା ଖର୍ଚ୍ଚ କରୁଛ । ମୋ ମାମୁଁ ତୁମକୁ ଖରାପ ଚରିତ୍ରର ପିଲା କହିବାରୁ ମୋ ବାପା ଓ ମାମୁଁଙ୍କ ମିତ୍ରତାକୁ ଶତ୍ରୁତାରେ ବଦଳାଇ ଦେଇଥିଲି ସେଦିନ । କେବଳ ତୁମ ପାଇଁ । ଜାଣି ନଥିଲି ତୁମେ ଏତେ ନିଚ୍ଚ ଚରିତ୍ରର ବୋଲି । ତୁମ ପରି ଖେଳ ଖେଳିବା ଆସେନି ମୋତେ । ମୁଁ ସରଳ ବିଶ୍ବାସୀ ବୋଲି ତୁମ ମାୟାଜାଲରେ ପଡି ତୁମକୁ ଭଲ ପାଇ ବିବାହ କଲି । ବୁଝି ପାରିଲିନି । ତୁମକୁ ବିଶ୍ବାସ କଲି । ତୁମ ସଂସ୍କାର ଏତେ ନିଚ୍ଚ । ଛି ! ଛି ! ମୋ ହୃଦୟରେ ତୁମେ ସର୍ବଦା ଉଚ୍ଚରେ ଥିଲ । ଆଜି ଏତେ ତଳକୁ ଖସିଯିବ ମୁଁ କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲି । ଆଜି ତୁମେ ମୋତେ ବହୁତ କଷ୍ଟ ଦେଲ ।
ଅଙ୍କିତା ଏମିତି କଥା ହର୍ଷବର୍ଦ୍ଧନକୁ ଶୁଣାଇବାରୁ ଦୁହିଁଙ୍କ ମଧ୍ଯରେ ବଚସା ହେଲା । ମନାନ୍ତର ଓ ମତାନ୍ତର ଦେଖାଗଲା । ଅଙ୍କିତାର କୌଣସି ଭୁଲ୍ ନଥିବା ସତ୍ତ୍ବେ ହର୍ଷବର୍ଦ୍ଧନ ତା'ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲା । ଅଙ୍କିତା ଅନେକ ନେହୁରା ହେଲା । ମୋତେ ଛାଡନି ବୋଲି କହିଲା । ନିଜର ଶୁଷ୍କ ହୃଦୟକୁ ଯେ ଦିନେ ପ୍ରୀତି ପ୍ରଣୟର ମଧୁର ସ୍ପର୍ଶ ଦେଇ ପ୍ରେମର ତାଜମହଲ ଗଢିଲା ତା'ଠାରୁ ଦିନେ ସବୁଦିନ ପାଇଁ କୋହ ଆଉ ଅଶ୍ରୁଭିଜା ନୟନରେ ବିଦାୟ ନେବାକୁ ହେବ, ଏହା କେବେବି ସେ ଚିତ୍ତେ ଚିନ୍ତା କରି ନଥିଲା ।
ଅଙ୍କିତା ନିଜ ବାପ ଘରକୁ ଚାଲିଗଲା ପରେ ହର୍ଷବର୍ଦ୍ଧନ କେନ୍ଦୁଝର ଗଡର ଝିଅ ରଞ୍ଜିତାକୁ ଦ୍ବିତୀୟ ବିବାହ କଲା । ନିଜ ବିବାହରେ ରଞ୍ଜିତା କେବେ ଖୁସି ନଥିଲା । ସେ ପୂର୍ବରୁ ତା'ର ସହପାଠୀ ଅମ୍ଳାନ, ଟ୍ରକ୍ ଚାଳକ ଟଙ୍କ, ଗଞ୍ଜେଇ ବେପାରୀ ଦିଲ୍ଲୀପ୍, ନିଜ ଗାଆଁର ପୋଷ୍ଟ ମାଷ୍ଟର ରତନକୁ ଭଲ ପାଉଥାଏ । ବାରମ୍ବାର ନିଜ ଗାଆଁକୁ ଯାଇ ସେମାନଙ୍କ ସହ ଦେହ ସଂପର୍କ ରଖୁଥିବା କଥା ହର୍ଷବର୍ଦ୍ଧନ ରଞ୍ଜିତାର ସମସ୍ତ ଫୋନ୍ କଲ୍ କଥାବାର୍ତ୍ତାରୁ ଶୁଣିବାକୁ ପାଇଲା ।
ରଞ୍ଜିତାର ପିତାମାତାଙ୍କୁ ଡକାଇ ହର୍ଷବର୍ଦ୍ଧନ ସମସ୍ଯାର ସମାଧାନ ପାଇଁ ଶତଚେଷ୍ଟା କଲା । କିନ୍ତୁ ରଞ୍ଜିତା ନିଜ ଘରକୁ ଯିବାପାଇଁ ଜିଦ୍ ଧରିଲା । ହର୍ଷବର୍ଦ୍ଧନ ସହ ମିଶିକି ରହିବା ପାଇଁ ସେ ଅମଙ୍ଗ ହେଲା । ଶେଷରେ ରଞ୍ଜିତା ନିଜ ପିତାମାତାଙ୍କ ସହ ହସି ହସି ନିଜ ସହରକୁ ଚାଲିଗଲା । ବୋଧେ ସେ ପିଞ୍ଜରାରେ ବନ୍ଦି ହେବାକୁ ଚାହୁଁ ନଥିଲା । ପିଞ୍ଜରା ମୁକ୍ତ ପକ୍ଷୀକୁ ପିଞ୍ଜରାରେ ବନ୍ଦୀ କରି ରଖିଲେ ସେ କ'ଣ ରହିବ ? ସେ ତ ମୁକ୍ତ ଆକାଶର ପକ୍ଷୀ । ଭରା ଯୌବନରେ ସେ ସମସ୍ତଙ୍କ ସହ ମିଶିବ, ମଜା କରିବ, ଅନ୍ଯଠାରୁ କାମନା ବାସନାର ସୁଖ ପାଇବା ପାଇଁ ସେ ଦୃଢ ଅଭିଳାଷ ରଖିବ ।
ହର୍ଷବର୍ଦ୍ଧନ ଆଜି ଏକା ଏକା ବସି ପ୍ରଥମ ଭଲ ପାଇବା କଥା ଭାବି ପଶ୍ଚାତାପ୍ କରି ନିରବରେ ହେକେଇ ହେକେଇ କାନ୍ଦୁଛି । ସେ ଅଙ୍କିତାର ଭାବନାକୁ ସେଦିନ ବୁଝି ପାରିଲା । ଅଙ୍କିତା ଯାହା କରିଥିଲା ସବୁ ଠିକ୍ କରିଥିଲା ବୋଲି ସେ ସ୍ବୀକାର କଲା ।
ମୋତେ ଯେ ବିଶ୍ବାସ କରି ଭରସା କରି ନିଜ ଘରୁ ପାଦ କାଢି ମୋ ସହିତ ଆସିଲା । ନିଜର ପରିବାରକୁ ଭୁଲି ମୋ ପରିବାରକୁ ଆପଣେଇ ନେଲା । ମୋ ପାଇଁ ନିଜକୁ ବଦଳାଇ ଦେଲା । ସେ ତ ଧନ୍ଯା । ପୂଜ୍ଯା ମୋ ପାଇଁ । ହେଇପାରେ ସେ ଆଜି ସମାଜ ପାଇଁ ବନ୍ଧ୍ଯା । ହେଲେ ଅମୃତ କଥା କହି ସବୁ ବେଳେ ହସ ହସ ମୁହଁ ରେ ସ୍ନେହ ପରଷୁ ଥିବା ପୂଣ୍ଯା ନାରୀ ସେ । ଅଶ୍ରୁ ଆଜି ତା'ର ନିଜର । ତା' ଜଖମର ମଲମ ନାହିଁ । ଉପଚାର ନାହିଁ ତା' ଯନ୍ତ୍ରଣାର । ସୁଖର ସେ ଆଶା ଅନେକ ଦିନରୁ ଛାଡି ଦେଇଛି । ଅନ୍ଯର ଅସହ୍ୟ କଥା ଶୁଣି ଶୁଣି ମନ ତା'ର ଆଜି ବ୍ଯଥିତ ।
ସମୟ ସବୁ ବଦଳାଇ ଦେଲା । ଏସବୁ କେବେ ଘଟିଗଲା ବୁଝି ପାରିଲିନି । ସଂସାରରେ କେବଳ ତୁମେ ମୋର ଭବିଷ୍ୟତ । ଆମ ଭିତରେ ଆଉ କେହି ଆସି ପାରିବେନି । ତୁମକୁ ନେଇ ଚିତ୍ତେ ସୁନ୍ଦର ସଂସାରଟିଏ ପାଇଁ ଅୟୁତେ ଚିନ୍ତା କରୁଥିଲି, ହେଲେ; କେତେବେଳେ ସେ ସବୁ ଅତୀତ ହୋଇ ମୋ ସାମ୍ନାରେ ଦଣ୍ଡାୟମାନ । ବିଶ୍ବାସ କରି ପାରୁନି ନିଜକୁ ।
ମୋତେ ଯେ, ଶତ ନିନ୍ଦାରୁ ବଞ୍ଚାଇ ପୀଡାର ଆଘାତ ସହିଲା । ତା' ପାଇଁ ଜୀବନରେ କିଛି କରି ପାରିଲିନି । ଉପକାର ବଦଳରେ ଦୁଃଖ ଦେଲି ।
ହୃଦୟରୁ ଅଜସ୍ର ଭଲପାଇବା ଆଉ ସମ୍ମାନ ଦେଇ ଯେ, ନିଜର ସକଳ ସମୟ ମୋ ପାଇଁ ଉତ୍ସର୍ଗ କରି ଦେଲା । ସେ କେମିତି ଭଲା ଖରାପ ସ୍ବଭାବର ହେଇଥିବ ? ଏକଥା ମୁଁ କେମିତି ବୁଝି ପାରିଲିନି !
ନିଜେ ଦୁଃଖ, ପୀଡା କିମ୍ବା ଅପମାନ ପାଇଲେ ଆଖିରୁ ଲୁହ ଝରି ଆସେ । ମୁଁ ଏତେ ଯନ୍ତ୍ରଣା ଦେବା ପରେ ବି ସେ ମୋର କେବେ ଅମଙ୍ଗଳ ଚିନ୍ତା କରିନି । କଣ ପାଇଁ ?
ସେ ମୋର ଅନେକ ସେବା କରିଛି । ତଥାପି ମୋତେ କେବେ ସ୍ବର୍ଣ୍ଣ ଆଭୂଷଣ ମାଗିନି, ଦାମୀ ପାଟବସ୍ତ୍ର ମାଗିନି । ମୁଁ କିଛି ବି ଉପହାର ଦେଇ ପାରିନି । ଏକୁଟିଆ ଥିବାବେଳେ କେବେ ସମ୍ମାନ ଦେଇ କଥା ପଦେ କହିନି । ସମସ୍ତଙ୍କର ସାମ୍ନାରେ ତା'କୁ ଅଶ୍ରାବ୍ଯ ଭାଷାରେ ଗାଳିଗୁଲଜ କଲି । ନା ତା'କୁ କେବେ ନିଜର ମଣିଷ ଭାବି ସମୟ ଦେଇପାରିଲି ନା ନିଜକୁ ସମର୍ପଣ କରି ପାରିଲି । କେବେବି ତା'କୁ କହି ପାରିଲିନି ସେ ମୋ ଜୀବନରେ ଦରକାର ବୋଲି, ମୋ ହୃଦୟରେ ତା' ପାଇଁ ସୁନ୍ଦର ସ୍ଥାନଟିଏ ଅଛି ବୋଲି ।
ଏମିତି ପଶ୍ଚାତାପ୍ କରି ଶେଷରେ ହର୍ଷବର୍ଦ୍ଧନ ମଟରସାଇକଲ୍ ରେ ଅଙ୍କିତାକୁ ଦେଖା କରିବା ପାଇଁ ଅନୁଗୋଳ ଗଲା । ତାଙ୍କ ଘରେ ପହଞ୍ଚି ଦେଖିଲା କବାଟରେ ତାଲା ଝୁଲୁଛି । ସାହି ପଡିଶା ସମସ୍ତଙ୍କୁ ପଚାରିବାରୁ ଜାଣିଲା ଅଙ୍କିତା ସେ ଘରେ ଆଉ ରହୁନି । ନିଜର ଏକମାତ୍ର ସାହାରା ତା'ର ବାପା ଆରପୁରକୁ ଚାଲିଯିବା ପରେ ହର୍ଷବର୍ଦ୍ଧନ କେବଳ ମୋର, ମୁଁ କେବଳ ହର୍ଷବର୍ଦ୍ଧନର ••• କହି କହି ସେ ପାଗଳି ହେଇଗଲା । ଏ ଗାଆଁରୁ ସେ ପଳେଇବାର ପ୍ରାୟ ମାସେ ହେଇ ଗଲାଣି ।
ହର୍ଷବର୍ଦ୍ଧନ କାନ୍ଦି କାନ୍ଦି ସେଦିନ ନିଜ ଗାଆଁକୁ ଫେରୁଥିବା ବେଳେ ପାଳଲହଡା ସରକାରୀ ଡାକ୍ତରଖାନା ପାଖରେ ଦେଖିଲା ଅଙ୍କିତା ପରି ଜଣେ ଦିଶୁଛି । ମୁହଁ ତାର ଶୁଷ୍କ, ଫଟା ଶାଢୀରେ ସଂପୂର୍ଣ୍ଣ ଶରୀରକୁ ଘୋଡେଇବାର ପ୍ରୟାସ, ରୁଗ୍ଣ ଓ ଜରାଜୀର୍ଣ୍ଣ ଶରୀର ।
ନିଜକୁ ସେ କ୍ଷମା କରି ପାରୁ ନଥାଏ । ଅଙ୍କିତାକୁ ଧରି ସେ ନିଜ ଘରକୁ ଫେରିଲା । ଆଖିରୁ ଅଶ୍ରୁ ସବୁ ଉଡି ଯାଇ ପବନରେ ମିଶି ଯାଉଥାଏ । ଘରକୁ ପହଞ୍ଚି ତା'ର ସେବାରେ ନିଜର ସମସ୍ତ ସମୟ ଦେଇ ସଂପୂର୍ଣ୍ଣ ରୂପେ ନିଜେ ସମର୍ପିତ ହେଲା । ଅତୀତ ଆଜି ବର୍ତ୍ତମାନକୁ ଆଖି ମିଟିକା ମାରି କହୁଛି, ଦେଖ୍ ହର୍ଷବର୍ଦ୍ଧନ ଏବେ ସଂପୂର୍ଣ୍ଣ ରୂପେ ସମୟ ବାଟରେ ବଦଳି ଯାଇଛି । ଅଙ୍କିତା ଠାରୁ ଆଜି ଆଉ ତା'କୁ କେହି ଅଲଗା କରି ପାରିବେ ନାହିଁ ।