ପ୍ରତିଶୃତି
ପ୍ରତିଶୃତି
ଅପରାହ୍ନରେ ଆକାଶଟା ଚାହିଁବାକୁ ଅନୁମତି ଦେଲାଣି , ସୂର୍ଯ୍ୟଙ୍କର ପ୍ରଖର କିରଣ ଗୁଡା ସମୟର ଅଧିନରେ ଧିରେ ଧିରେ ଅବଶ । ପଶ୍ଚିମ ଆକାଶକୁ ଚାହୁଁ ଚାହୁଁ ନୀଳ ଆକାଶ ପଣତରେ ସାମାନ୍ୟ ଇଷତ୍ ରଂଗ ବେଶ ମତୁଆଲା । ଅଳ୍ପ ବିହଙ୍ଗମା ନୀଡ଼ ଲେଉଟା ଆରମ୍ଭ କରିଦେଲେଣି । ସେମାନେ କେଉଁଆଡେ ଯାଇଥିଲେ, କ'ଣ ସୁ ଦୀର୍ଘ ଆକାଶର ଆଉ ଗୋଟିଏ ପ୍ରାନ୍ତକୁ । କାହିଁକି ଯାଇଥିଲେ ... କ'ଣ କିଛି ଖାଦ୍ୟର ସନ୍ଧାନରେ । ଆଉ ସବୁଦିନ ନୀଡ଼କୁ କାହା ପାଖକୁ ଫେରି ଆସୁଛନ୍ତି ... କ'ଣ କେହି ଆପଣାର ପାଖକୁ ! ପ୍ରଶ୍ନ ଯେ ଅନେକ ଏ ପକ୍ଷୀ ମାନଙ୍କୁ ନେଇ ନୁହେଁ , ଏ ମଣିଷର ଜୀବନକୁ ନେଇ । ଜନ୍ମ ପରେ ଘଟଣା ଅଘଟଣାର ସାରଣୀ ପ୍ରସ୍ତୁତ , ଆଉ ତା ପରେ ମୃତ୍ୟୁ । ବାସ୍ କିଛି କର୍ମ କରିଯାଅ , ଭୌତିକ ଜୀବନକୁ କିଛି ସମୟ ଉଲ୍ଲସିତ କରିବାର ଅନେକ ଉପାୟ , ଭିତରୁ ବାଛିନିଅ ପାଳି କରି କିଛି କିଛି । ବାସ୍ ... ଏଇ ତ ଜୀବନ । ତଥାପି , କାହିଁକି କେଜାଣି ଅନେକ କିଛିରୁ ବଞ୍ଚିତ ଥିବା ପରି ଲାଗେ । ଏ ମୁକ୍ତ ଆକାଶକୁ ଚାହିଁଲା ପରେ ପକ୍ଷୀ ମାନଙ୍କର ଧାଡ଼ି ଧାଡ଼ି ଉଡିବାର ଦୃଶ୍ୟ କେମିତି କେଜାଣି ତାତ୍ସଲ୍ୟ କଲା ପରି ମନେ ହୁଏ । ନିମଗ୍ନ ସଂଧ୍ୟାରେ ପୁଣି ଫେରିଆସେ ମୋ ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀକୁ ।
ଉଚ୍ଚ ବିଦ୍ୟାଳୟ ପଢା ଶେଷ କରୁ କରୁ ମହା ବିଦ୍ୟାଳୟରେ ନାମ ଲେଖା । କିଶୋର ବୟସରେ ଏକୁଟିଆ ରହିବାରେ ଯନ୍ତ୍ରଣା ଅପେକ୍ଷା ସ୍ଵାଧୀନତାର ଉନ୍ମାଦନା ଯେ ଅଧିକ ଅନୁଭବ କରି ପାରୁଥିଲି । କିଛି ଦିନ ଭିତରେ ହଷ୍ଟେଲରେ ସାଂଗ ସାଥୀ ହୋଇ ସାରି ଥାଆନ୍ତି । ବେଶ୍ ଭଲ ଚାଲୁଥାଏ ସେ ଜୀବନ । ସ୍ଵାଧୀନ ଜୀବନ ମଧ୍ୟରେ ବାପାଙ୍କର କଡ଼ା ନିର୍ଦ୍ଦେଶ " ମନ ଦେଇ ପାଠ ପଢ଼ିବୁ " ହେଲେ ବୋଉର " ଇଆଡ଼େ ସିଆଡେ ହେବୁନି " , ଆଉ କେଉଁ ଆଡକୁ ଇଙ୍ଗିତ କରୁଥିଲା । ମଧ୍ୟବିତ୍ତ ପରିବାରର ବାପା ଆଉ ବୋଉ ମାନଙ୍କ ପରି ସ୍ଵପ୍ନ ଭଲ ପାଠ ସାଠ ପଢି ଚାକିରି ଖଣ୍ଡେ କଲେ , ଘରର ଆର୍ଥିକ ଅବସ୍ଥା ସୁଧାରିବ । ତେବେ ଲକ୍ଷ୍ୟ ତ ସେଇଆ । କଲେଜର କ୍ଳାସ ରୁମରୁ ହଷ୍ଟେଲ ସାଂଗ ସାଥୀ ମେଳରେ ହଜୁ ହଜୁ ବାପା ବୋଉଙ୍କର ସ୍ଵପ୍ନକୁ ପଖାଳିବାର ପାଳି ପଡେ ଶୋଇବାର ମାତ୍ର କେଇ କ୍ଷଣ ପୂର୍ବରୁ । ନିଜକୁ ପ୍ରତିଶୃତି ଦେଉ ଦେଉ କ୍ଳାନ୍ତ ଶରୀର ଶଯ୍ୟାର ଆଶ୍ରୟ ନେଇଯାଏ ।
ସେଦିନ କଲେଜ କ୍ଯାଣ୍ଟିନରେ ସାଂଗ ମାନଙ୍କ ସହିତ ବସିଥାଉ , ଆମ ବ୍ଯାଚର କିଛି ଝିଅ ପିଲା ବି ପାଖ ଟେବୁଲରେ ବସିଥିଲେ । ହସ ଥଟ୍ଟା ମଜ୍ଜା ଆରମ୍ଭ ହେଉ ହେଉ ରୂପଶ୍ରୀର ଶରୀରରେ ଗରମ ଚା ମାନେ ଢାଳି ହୋଇ ସାରିଥିଲେ । ଓଃ ... ଓଃ... ଚିତ୍କାର ଶୁଣି ପାଣି ବୋତଲଟିଏ ରୂପଶ୍ରୀଙ୍କ ହାତକୁ ବଢାଇ ଦେଇଥିଲି । ରୂପଶ୍ରୀ ଚୁପ୍ ହୋଇ ପାଣିରେ ନିଜର ବସ୍ତ୍ର ତଥା ହାତରେ ଢଳି ଯାଇଥିବା ଚା ଗୁଡ଼ିକୁ ପୋଛି ପକାଇଲେ ହେଲେ କଣେଇ କଣେଇ ମୋ ଆଡକୁ ଅନାଉ ଥାଆନ୍ତି ; ଅସଞ୍ଜତ ବୋଧ କରୁଛନ୍ତି ବୋଧ ହୁଏ । ଅନ୍ୟ ପୁଅ ଏବଂ ଝିଅ ସାଂଗ ମାନେ ବିଶିଷ୍ଟ କଥାକାରର ଭୂମିକାରେ ଏଇ ଯେମିତି " ପେପର କପଟା ଦେଉଛି ; ସେଟା ପୁଣି ଏତେ ଥିନ ... "! ଏଇ ଭିତରେ ସେ ସ୍ଥାନ ଛାଡି ପଳାଇ ଆସିଥିଲି । ରୂପଶ୍ରୀ ଏଇ କିଛି ମୁହୂର୍ତ୍ତ ପୂର୍ବରୁ ତ ସବୁ ଠିକ ଠାକ୍ ଥିଲା ହେଲେ ଏଇ ସାମାନ୍ୟ ଘଟଣା ଟିକକ ଏତେ ଉଦବେଳିତ କରି ଦେଇଛି , ଲାଗୁଛି ଦୁର୍ବଳ । ରୂପଶ୍ରୀ ମୋତେ ଚାହିଁବାର ମୁହୂର୍ତ୍ତ ବାରମ୍ବାର ମୋତେ ଦ୍ଵନ୍ଦରେ ଘାଣ୍ଟିବା ଆରମ୍ଭ କରି ସାରିଲାଣି । ହେଲେ ତା ପରେ ରୂପଶ୍ରୀକୁ ମୁଁ ମାନସିକ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇ ଗଲିଣି । ମନରେ ଯେତିକି ଭୟ , ସେତିକି ଆନନ୍ଦ । ଲାଗୁଥିଲା ସତେ ଯୌବନଟା ଆସି ହୃଦୟର କବାଟକୁ ଠକ୍ ଠକ୍ କରୁଛି । ଆଉ ହସି ହସି କହୁଛି " ଏ ଚନ୍ଦନ ... କ'ଣ ଭାବୁଛୁ , ତୁ କ'ଣ ଆଉ ପିଲା ହୋଇ ଅଛୁ ... ରୂପଶ୍ରୀ ତୋ ପାଇଁ ... ମନେ ପକାଇ ଥରେ ... ସେ ... ଲାଜରେ ତୋତେ କେମିତି ଚାହିଁ ରହିଥିଲା ... ରୂପଶ୍ରୀକୁ ଗ୍ରହଣ କର ବାସ୍ "। ଫଗୁଣର ରଂଗକୁ ଦେଖୁଥିଲି , ରାତିର ଘନତ୍ଵରେ ମଳୟ ଆସି ସ୍ପର୍ଶ କରି ଉଲ୍ଲସିତ ହେବାଟା ଗୋଟେ ପ୍ରାୟ ଅମୃତ ଉପଲବ୍ଧି । ରାତିରେ ବାପା ବୋଉଙ୍କ କଥାକୁ ଧୀରେ ରୂପଶ୍ରୀର ଚାହାଣୀ ଟପି ଯାଇଥିଲା । ଏଇ ଭିତରେ
ରୂପଶ୍ରୀ ଆଉ ମୁଁ ଅଳ୍ପ ଅଳ୍ପ କଥା ହେବା ବି ଆରମ୍ଭ କରି ସାରିଥାଉ । ସମ୍ଭ୍ରାନ୍ତ ଘରର ଝିଅଟିଏ ହେଲେ ବି ତାର ସ୍ଵଭାବ ବ୍ୟବହାର ଖୁବ୍ ନମ୍ର । ଏ ସବୁ ତ ମୋତେ ଆହୁରି ନିଜର କରି ଦେଉଥାଏ । ଏଇ ଭିତରେ ସ୍ନାତକ ଡିଗ୍ରୀ ମଧ୍ୟ ସେଇ ମହା ବିଦ୍ୟାଳୟରେ । ଆହୁରି ଖୁସି ହୋଇଗଲି । ସମୟ ଗଡିବା ସହ ବୟସ ଆହୁରି ରକ୍ଷଣଶୀଳ କରୁଥିଲା । ରୂପଶ୍ରୀ ସମସ୍ତଙ୍କ ସହ ସମାନ ସଂପର୍କ ରହୁଥବାଟା ମୋତେ ଅସହ୍ୟ ଲାଗିବା ଆରମ୍ଭ ହେଉଥିଲା । ହେଲେ ଆଜି ଯାଏଁ ମୁଁ ତ ମୋର ମନ କଥା ରୂପଶ୍ରୀକୁ କହି ପାରିନି ! କେମିତି ମୋର ଅଧିକାର କଥା କହିବି ! ବଡ଼ ବ୍ଯସ୍ତ ଲାଗିଲା । ହଷ୍ଟେଲ ରୁମରେ ଚୁପଚାପ୍ ବସିଥାଏ । ଅନ୍ୟ ମାନଙ୍କର ହୋ ହାଲ୍ଲା ମୋତେ ବିଚଳିତ କରି ପକାଉଥାଏ । ମୁଁ ହଷ୍ଟେଲ ରୁମରୁ ବାହାରକୁ ଚାଲି ଆସୁଛି ଆସୁ , ରୁମ ମେଣ୍ଟ ଦୀପକ ମୋ ହାତ ଦୁଇଟାକୁ ଭିଡ଼ି ଟାଣି ଧରି କହିଲା " କୁଆଡେ ଯାଉଛୁ ! ଆସ୍ ଦେଖ ରୂପଶ୍ରୀ ... "। ହଠାତ୍ , କ'ଣ ବୋଲି ଉତ୍ସାହିତ ହୋଇ ପଡ଼ି ଦୀପକର ମୋବାଇଲ ଦେଖିଲି, ଦୀପକ ଗୋଟିଏ ଗୋଟିଏ ସ୍କ୍ରିନ ସ୍ଵାଇପ କରି ଦେଖାଉଥିଲା । ମୁଁ ହୋଇ ଯାଇଥିଲି ଏକ ବାରେ ସ୍ତବ୍ଧ ମୁଣ୍ଡର ତଥା ସାରା ଶରୀରର ସ୍ନାୟୁ ମାନେ , ଅତି କ୍ଷୀପ୍ର ଗତିରେ ଚାଲୁଥିଲେ । ଅଳ୍ପ କିଛି ଝାଳ କପାଳରେ ଅନୁଭୂତ କରୁ କରୁ ପଳାଇ ଆସିଲି ରୁମ ବାହାରକୁ । ରୂପଶ୍ରୀର ଅନ୍ୟ କେଉଁ ଏକ ଅଚିହ୍ନା ଯୁବକ ସହିତ ଅତିଶୟ ଅନ୍ତରଂଗ ଫଟେ ବାସ୍ତବକୁ ଗ୍ରହଣ କରିବାଟା ଏତେ ସହଜ ନ ଥିଲା । ଆଉ ତା ପରେ ଏ ପ୍ରେମ ମୋତେ ସ୍ଵପ୍ନର ରଂଗୀନ ମେଳା ଛଡ଼ା ଆଉ କିଛି ବି ଲାଗେନି " ।
ସାମାନ୍ୟ ହସି ଉଠିଲେ ସ୍ମିତା , ବିଶ୍ଵବିଦ୍ୟାଳୟର ପ୍ରଫେସର ଅବିବାହିତା , ମୋର ଉଦାସିନତାକୁ ନେଇ ସମୟ ଅସମୟରେ ଯତ୍ନବାନ ବୋଲି ଅନୁଭବ କରେ । ରୂପଶ୍ରୀ ପରି ଚେହେରା ନୁହେଁ ରୂପଶ୍ରୀ ପରି ହସ ନୁହେଁ , ଏଇ ନିରୋଳା ପଣରେ ଭଲ ବାନ୍ଧବୀ ଜଣେ ସାଜି ପାରିଥିଲେ । ଅନେକ ସମୟ ଚାଲି ଯାଇଛି ହେଲେ ଅନେକ ସମୟ ବାକି ଅଛି । ଆପଣଙ୍କ ଆଶା ଆଉ ସ୍ଵପ୍ନକୁ ମୁଁ ବୁଝି ପାରୁଛି । ଆଜି ଆଉ ଆପଣ ଛାତ୍ର ନାହାନ୍ତି, ବିଶ୍ଵ ବିଦ୍ୟାଳୟରେ ପ୍ରଫେସର । ଥରେ ବୁଝିବାକୁ ଚେଷ୍ଟା କରନ୍ତୁ । " ହେଲେ ମୁଁ କ'ଣ କରିବି ମାନସିକ ଭାବେ ବିଶ୍ଵାସ ଆସି ପାରୁନି "।ଜୀବନଟା ଗୋଟିଏ ଫଗୁଣର ସରି ଯାଏନି । ହଁ ଅନେକ ଆସନ୍ତି ଅନେକ ଚାଲି ଯାଆନ୍ତି । ହେଲେ , ଆପଣଙ୍କର କ'ଣ ସମସ୍ତଙ୍କ ଉପରେ ଅଧିକାର ଅଛି । ସମସ୍ତେ ନିଜ ନିଜ ଅଧିକାର ଆଉ ସ୍ଵାଧୀନତାକୁ ନେଇ ଯତ୍ନଶୀଳ ଠିକ୍ ଆପଣଙ୍କ ପରି । ପ୍ରେମ କ'ଣ କେବଳ ଅନ୍ତଃ ଶୁଦ୍ଧି ଆତୁର ଅନୁଭବ ? ପ୍ରେମ କରୁଥିବା ମଣିଷ କେମିତି ଭୀରୁ ହୋଇ ପାରେ, ସେ ତ ପୁରୁଷ ଶ୍ରେଷ୍ଠ ସମାଜରେ ନିଜର ଦାୟିତ୍ଵ, କର୍ତ୍ତବ୍ୟ ଠାରୁ କେମିତି ଦୂରେଇ ପାରିବ । ନିଜ ଦୃଷ୍ଟିରେ ନିଜେ ନିଜକୁ ଦେଖିବା ଭଲ କିନ୍ତୁ ଥରେ ମାତ୍ର ସମାଜ ଦୃଷ୍ଟିରେ ନିଜକୁ ଦେଖନ୍ତୁ ଆପଣ ପୁରୁଷ ଶ୍ରେଷ୍ଠ , ଆପଣଙ୍କ ଭିତରେ ପ୍ରେମର ବାରିକୁ ଏମିତି ନଷ୍ଟ କରନ୍ତୁନି ! ରୂପଶ୍ରୀ ପାଇଁ ଥିବା ସମ୍ମୋହନ ହୁଏ ତ ଏକ ଅନନ୍ୟ ଅନୁଭବ ହେଲେ ଏ ଅନୁଭବକୁ ନେଇ କ'ଣ ଆବିଷ୍କାର କରି ପାରିବେ ? ପ୍ରେମ, ପ୍ରତାରଣା , ଯାତନା ଆଉ ଯନ୍ତ୍ରଣାର ଗୋଟେ ଭବ୍ୟ ମନ୍ଦିର । ଅଳ୍ପ ଦୃଷ୍ଟି ଫେଡି ସ୍ମିତାଙ୍କୁ ଅନାଉ ଅନାଉ ସ୍ମିତା ନିଜର ଦୁଇ ପାପୁଲିରେ ମୋର ପାପୁଲିକୁ ଆବଦ୍ଧ କଲେ । ହାତଟିକୁ ମୁକୁଳାଇବାକୁ ଚାହିଁବା ଭିତରେ ବି ନ ଚାହିଁବା ପ୍ରଚୁର ଥିଲା । ମନସ୍ତାତ୍ତ୍ୱବିତ୍ ସ୍ମିତା , ମାନସିକ ସ୍ତରରେ ଗୋଟିଏ ବିଶ୍ଵାସର ବୀଜ ବୁଣୁ ବୁଣୁ ନିଜକୁ ମୁକ୍ତ ଭଳି ମନେ କଲି । ନିଜର ଅହଂ , ସ୍ଵାଭିମାନର ବରଫ ମାନେ ଛାତିରେ କୋହର ଗରମ ସ୍ପର୍ଶ ପାଇଗଲେଣି । ଆଖି ବାଟ ଦେଇ ବାହାରିବାକୁ ଉଦ୍ୟମ କରୁ କରୁ ପୁଣି ଆଉ ଥରେ କିଶୋରଟିଏ ହୋଇଗଲି । ସ୍ମିତାଙ୍କ ବାହୁରେ ମୁଣ୍ଡ ରଖି ଦେଲି ଆଉ ତା ପରେ ମନ ଇଚ୍ଛା ଲୁହ ମାନେ ଓଦା କରୁଥିଲେ ସ୍ମିତାଙ୍କ ବାହୁକୁ । ମୋର ଉଷ୍ଣ ଶ୍ଵାସର ପ୍ରତିଶୃତି ବଦ୍ଧତାରେ ସ୍ମିତା ମୋତେ କୋଳେଇ ନେଇ ପିଠି ଆଉ ମୁଣ୍ଡ ଆଉଁସି ପକାଇଲେ । ଲାଗୁଥିଲା ସ୍ମିତାଙ୍କର ପ୍ରତିଟି ସ୍ପର୍ଶରେ ଥିଲା ବିଶ୍ଵାସ ବାସ୍ତବ ନୀଳ ଆକାଶରେ ଶୃଙ୍ଖଳିତ ହୋଇ ଉଡିବାର ଏକ ନିସ୍ତବ୍ଧ ପ୍ରତିଶ୍ରୁତି ।