ଇଏ ବି ନାରୀ
ଇଏ ବି ନାରୀ
ଆରେ କୁଆଡେ ଗଲ ! ମୋ ରୁମାଲ୍ ! ଘଣ୍ଟା ! କିଚେନରୁ ଶୁଭିଲା - ଟେବୁଲ୍ ଉପରେ ଅଛି ।
ପୁଣି ପଚାରିଲେ - ଆରେ କେଉଁ ଟେବୁଲରେ ?
- ଯାଉଛି ... ଯାଉଛି ! କହି ରୋଷେଇ ଘରୁ ବାହାରି ଆସିଲେ , ସ୍ମିତା ମାଡାମ୍ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ ବାବୁଙ୍କ ସହଧର୍ମିଣୀ ।
ସ୍ମିତା ମାଡାମ୍ - ଗୋଟିଏ ଦିନ ବି , ରୁମାଲ ଘଣ୍ଟା ହାତରେ ଉଠେଇ ନେଇ ପାରୁନ !
ଉମେଶ ବାବୁ - ଉଠାଇ ନେଉଛି ତ ! ତୁମରି ହାତରୁ , ବ୍ୟସ୍ତତା ଭିତରେ ବି ହସି ଦେଇ କହିଲେ ।
ସ୍ମିତା ମାଡାମ୍ - ଆଜି ଏତେ ଶୀଘ୍ର ଯେ !
ଉମେଶ ବାବୁ - ଆରେ ... ଆଜି ଓ୍ଵାର୍ଲ୍ଡ ଓମେନସ ଡେ , ସ୍ପେସାଲ୍ ଓମେନ୍ ଗ୍ରୀଭେୟାନ୍ସ ଅଛି ... ଆଉ ଏସପି ମୋତେ ଆସାଇନ କରିଛନ୍ତି , ପକେଟରେ ରୁମାଲ୍ ଆଉ ହାତରେ ଘଣ୍ଟା ପିନ୍ଧୁ ପିନ୍ଧୁ କହିଲେ ।
ଅଫିସ ସାମ୍ନାରେ ଆଗରୁ ଟେଣ୍ଡ ବନ୍ଧା ଯାଇଥାଏ , ପ୍ଲାଷ୍ଟିକ ଚୌକି , ଡେସ୍କ ଆଦି ସମସ୍ତ ବନ୍ଦୋବସ୍ତ ହୋଇ ସାରିଥାଏ । କିଛି ମହିଳା ଆସି ଚୌକିରେ ମଧ୍ୟ ବସି ସାରି ଥାଆନ୍ତି । ପୋଲିସ ବିଭାଗର କିଛି ପୁରୁଷ ଓ ମହିଳା ଅଧିକାରୀଙ୍କ ସହ ବସି କାର୍ଯ୍ୟକ୍ରମ ଆରମ୍ଭ ହେଲା । କାର୍ଯ୍ୟକ୍ରମ ସରୁ ସରୁ ପ୍ରାୟ ଅପରାହ୍ନ ଅଢେ଼ଇଟା ତିନିଟା ହୋଇ ସାରିଥାଏ । ତେଣୁ ଲଞ୍ଚ କରିବାକୁ ଆଉ କ୍ଵାଟର ନ ଯାଇ କ୍ୟାଣ୍ଟିନରୁ ଲଞ୍ଚ କରି ଦେଲେ । ଅଫିସର ଅଲଗା କାମ ସାରି କ୍ଵାଟରକୁ ଫେରୁ ଫେରୁ ସଂଧ୍ୟା ସାଢେ ଛ ।
ଉମେଶ ବାବୁ ଘରେ ପହଞ୍ଚିଲେ । ଫ୍ରେସ ହୋଇ ଆସି ଡ୍ରଇଂ ରୁମର ସୋଫାରେ ବସି ପଡିଲେ । ଦୁଇ କପ୍ ଗରମ ଚା ସାଂଗକୁ କିଛି ସ୍ନାକ୍ସ ଧରି ପହଞ୍ଚିଲେ ସ୍ମିତା ମାଡାମ । ପାଖରେ ବସି ଉମେଶ ବାବୁଙ୍କ ହାତକୁ ଚା କପ ବଢାଉ ବଢାଉ , ଉମେଶ ବାବୁ ପଚାରିଲେ - ରିମି !
ସ୍ମିତା ମାଡାମ - ହଁ ... ମାର୍କେଟ ଯାଇଛି , ଆସୁଥିବ ।
ଉମେଶ ବାବୁଙ୍କ ଟାୟାର୍ଡନେସ୍ ଅନୁଭବ କରି ପାରିଲେ ବୋଧେ , ମାଡାମ୍ ! ପଚାରିଲେ - କିଛି ଅସୁବିଧା !
ଉମେଶ ବାବୁ - ଆରେ ନା ନା !
ମାଡାମ୍ - କିଛି ତ ହୋଇଛି ! ଏ ତୁମର ଫିଜିକାଲ୍ ଟାୟାର୍ଡନେସ୍ ନୁହେଁ ... ।
ଚା ପିଉ ପିଉ ଉମେଶ ବାବୁ ଆରମ୍ଭ କଲେ -
ଆଜିର ଗ୍ରିଭେୟାନ୍ସର ଘଟଣା ଯାହା ମନକୁ ଦୋହଲାଇ ଦେଇଛି । ପୁରୁଷ ଓ ନାରୀର ସଂପର୍କରେ ଦୃଢ଼ ହୋଇଥାଏ ପରିବାର , ସଂସାର ଆଉ ସମାଜ । ହେଲେ ଏ ସମ୍ପର୍କ ମଧ୍ୟରେ ସମ୍ମାନ , ସମ୍ଭାବନା ଆଉ ସମ୍ମୋହନ ମାନେ ପ୍ରତିଦ୍ବନ୍ଦିତା ଆରମ୍ଭ କରିଦେଇଛନ୍ତି , ପରସ୍ପର ନିକଟରେ ବଶତା ସ୍ଵୀକାର କରିବା ପାଇଁ ବାଧ୍ୟ କରିଛନ୍ତି । ସାମାଜିକ ନ୍ୟାୟ ପ୍ରକ୍ରିୟାରେ ନାରୀ ସାମିଲ୍ ହେବା କିଛି ଭୁଲ କଥା ନୁହେଁ । ଗୋଟିଏ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦାମ୍ପତ୍ୟ ଜୀବନରେ ନାରୀ ପୁରୁଷ ପରସ୍ପରର ପ୍ରତୀଦ୍ଵନ୍ଦୀ ସାଜିଛନ୍ତି । ପ୍ରତ୍ୟେକଟି ନିଜର ସ୍ଵରୂପ , ଅନ୍ତର୍ନିହିତ ମାନବିକତାର ବଳି ପକାଇ ଚିରା ସ୍ଵାଭିମାନର ସଫେଦ ଚାଦରକୁ ପ୍ରକୃତ ମାନବର ମାନଦଣ୍ଡ ବୋଲି ବିବେଚନା କରୁଛନ୍ତି ।
ଦଶରୁ ବାର ଜଣ ମହିଳା ଅଭିଯୋଗ କରିବାକୁ ଆସିଥିଲେ । ବେଶଭୂଷା , ରୂପସଜ୍ଜା , ଗହଣା ଅଳଙ୍କାର ପିନ୍ଧା ଦେଖି ଯେ କେହି ଅନୁମାନ କରିପାରିବ , ସମସ୍ତେ ପ୍ରାୟ ମଧ୍ୟବିତ୍ତ ଆଉ ସମ୍ଭ୍ରାନ୍ତ ଘରର । କେହି ସ୍ଵାମୀ ଦ୍ଵାରା ଶାରିରୀକ ନିର୍ଯ୍ୟାତିତ ତ କେହି ମାନସିକ ଭାବେ । କେହି କେହି ଶାଶୁ , ଶ୍ଵଶୁରଙ୍କ ଅକଥନୀୟ ନିର୍ଯାତନାର ଶିକାର । ମୁହଁ ହାତରେ ଲାଲ୍ ଦାଗ ଦେଖାଇ ନିର୍ଯ୍ୟାତନା ପାଇବାର ପ୍ରମାଣ ଉପସ୍ଥାପନା କରୁଥିଲେ । ସେଥିରୁ ଦୁଇ ମହିଳା ଚିରା ଦାମୀ ଶାଢ଼ୀ ମଧ୍ୟ ପିନ୍ଧି ଆସିଥିଲେ କି ପ୍ରକାର ଅତ୍ୟାଚାରର ସାମ୍ନା ହେଉଛନ୍ତି କୋହ ଭରା କଣ୍ଠରେ ଉପସ୍ଥାପନା କରୁଥିଲେ । ସେ ଅଭିଯୋଗ ଭିତରେ ବି ମହିଳାମାନେ ଦାବି ଉପସ୍ଥାପନା କରିବାକୁ ପଛାଉ ନ ଥିଲେ , ସାର୍ ... ଲକ ଅପରେ ଦୁଇ ଦିନ ରଖି ଦିଅନ୍ତୁ ସାଇଜ୍ ହୋଇଯିବେ । ସାର୍ ... ସେ ବୁଢ଼ୀ ବଦମାସ୍ , ଦି ବାଡି ବାଜିଗଲେ ... ଠିକ୍ ହୋଇଯିବ ... ଇତ୍ୟାଦି ଇତ୍ୟାଦି। ଏ ସବୁ ସମାଜର କେବଳ ଗୋଟିଏ ବର୍ଗ ମଧ୍ୟରେ ସୀମିତ ନୁହେଁ ଅନେକ ଦିନରୁ ପରିବ୍ୟାପ୍ତ । ବିଧି ଅନୁଯାୟୀ ସମସ୍ତଙ୍କର ଅଭିଯୋଗ ଶୁଣାଗଲା , ଲିଖିତ ରଖାଗଲା । ଅତି ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଥାନାକୁ ଡକାଯାଇ ଉଚିତ୍ ପରାମର୍ଶ ଦିଆଯିବ । ଏ ସବୁ ପରେ ବି ଯଦି ଅଭିଯୁକ୍ତ ମାନଙ୍କ ଆଚରଣରେ କୌଣସି ସୁଧାର ନ ଆସେ , ତେବେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।
ସମସ୍ତେ ଗଲେ । ଲଞ୍ଚ ପାଇଁ ପ୍ରସ୍ତୁତ ହେଉ ହେଉ , ଅଫିସର କର୍ମଚାରୀ ଜଣେ ଆସି କହିଲେ - ସାର୍ , ଗେଟ ପାଖ ଗଛ ମୂଳରେ , ସ୍ତ୍ରୀ ଲୋକଟିଏ ସକାଳୁ ବସିଛି ।
ଚୌକି ଛାଡି କର୍ମଚାରୀ ଜଣଙ୍କ ପଛରେ ଗଲି । ଦେଖିଲି ଅଫିସ୍ ଗେଟ୍ ପାଖରେ ଥିବା ବଉଳ ଗଛ ମୂଳରେ ସ୍ତ୍ରୀ ଲୋକଟିଏ ଠୁଙ୍କା ହୋଇ ବସିଛି । ବୟସ ତିରିଶ ପାଖାପାଖି । ଶ୍ୟାମଳ ରଂଗ , ଟିକେ ଦୁର୍ବଳ ଶରୀର । ମୁଣ୍ଡର ତେଲ ଭରା କେଶକୁ ପାଲିସ କରି କୁଣ୍ଡାଇ , ତାରି ଉପରେ ଢାଙ୍କି ଦେଇଛି ସରୁ ଓଢଣୀଟିଏ । ସିନ୍ଥିରେ ବହଳକରି ସିନ୍ଦୁର । ପାଖରେ ଛୋଟ ବିସ୍କୁଟ ପ୍ୟାକେଟ ଧରି ଦୁଇ ତିନି ବର୍ଷର ଛୁଆଟେ , ବଉଳ ମୂଳରେ ଛୋଟ କାଠିଟିଏ ଧରି ରଗଡୁଥିଲା । ପାଖରେ ପହଞ୍ଚୁ ପହଞ୍ଚୁ ଛିଡ଼ା ହୋଇ ମୁଣ୍ଡିଆ ମାରିଲା । ଛୋଟ ଛୁଆଟିର ଗୋଟେ ବାହାକୁ ଧରି ଟାଣି ଆଣିଲା , ନିଜେ ଛୁଆର ହାତ ଯୋଡ଼ି ଦେଲା ।
ପଚାରିଦେଲି - ଆରେ ମା କ'ଣ ହେଇଛି
?
ବାସ୍ ... ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କଲା ।
ଛୁଆଟିକୁ ନିଜ ହାତରେ ଧରି ମୋ ଚାମ୍ବର ଆଡ଼କୁ ବାହାରୁ ବାହାରୁ ,ସ୍ତ୍ରୀ ଲୋକଟିକୁ ଆସ , ବୋଲି ଡାକିଲି ।
ଯେତେ କହିଲି ଚେୟାରରେ ବସିଲାନି । ଛୁଆଟିକୁ କାଖେଇ ଧରିଥାଏ । ବହୁତ କହିଲା ପରେ ଯାଇ ଛୁଆଟିକୁ ଚେୟାରରେ ବସାଇ ନିଜେ ଛିଡ଼ା ହେଲା । ଅତି ସଞ୍ଜମତାର ସହ ଦୁଇ ହାତ ଯୋଡ଼ି କୋହ ଭରା କଣ୍ଠରେ ଆରମ୍ଭ କଲା ।
- ସାର୍ ! ତାଙ୍କୁ ମାର୍ ପିଟା କରିବେନି ।
ଆରେ କ'ଣ ହୋଇଛି କୁହ !
ନାଇଁ ... ନାଇଁ ... ସାର୍ ! ତାଙ୍କୁ ଜେଲ ବି କରିବେନି କି ବାଡେଇବେନି ।
ନାଁ ... ନାଁ ... କିଛି ହବନି , ତୁମେ ଡରନି । ଆରାମରେ କୁହ ।
କୋହଭରା କଣ୍ଠରେ ଥରି ଥରି କହିବାକୁ ଆରମ୍ଭ କଲା
- ସାର୍ ... ମୁଁ , ମୋ ସ୍ବାମୀ , ଏଇ ପୁଅ ଆଉ ଶାଶୁ । ଶଶୁର ମରିଗଲେଣି । ସିଏ ଆଉ ମୁଁ ଦି ଜଣ ଯାକ ଲେବର କାମ କରୁଚୁ । ତାଙ୍କର ସବୁ ଭଲ ... ହେଲେ ଦେଶୀ ମଦ ପିଆ ପି ରେ ବହୁତ ଅସୁବିଧା । ଯାହା କଣ୍ଟ୍ରାକ୍ଟରଠୁ ଆଣୁଛନ୍ତି , ସବୁ ଗାଁ ମୁଣ୍ଡ ଦେଶୀ ମଦ ଦୋକାନରେ ଯାଉଛି । ମିଛ କାଇଁ କହିବି ମଝିରେ ମଝିରେ ... ଶାଗ , ମାଛ ଦି ଟା ତାଙ୍କ ଇଚ୍ଛା ହେଲେ ଆଣନ୍ତି । ପେଟେ ପି ଘରେ ତୁଚ୍ଛା କଥାରେ ଗଣ୍ଡଗୋଳ । ମାଙ୍କୁ ମୋତେ ପିଇକି ଶୋଧନ୍ତି । ମୋତେ ହାତରେ ବାଡ଼ିରେ ... ଯାହା ହାବୁଡେ ପଡ଼ିଲା , ଧରିକି ପିଟନ୍ତି ।
କହିବା ଭିତରେ ସ୍ତ୍ରୀ ଲୋକଟି ହାତ ଉପରେ କାନିଟିକୁ ଟାଣି ଘୋଡାଇବାର ପ୍ରୟାସ କରୁଥାଏ , ମାଡପିଟରେ ହୋଇଥିବା ଖଣ୍ଡିଆକୁ । ମଝିରେ ମଝିରେ ଯନ୍ତ୍ରଣାର ବର୍ବରତା ଆଖିରୁ ବେଧଡକ ଲୁହ ବୁହାଇ ଦେଉଥାଏ । ଲୁଗା କାନିରେ ଲୁହ ପୋଛି ଖଣ୍ଡିଆ ଜାଗାକୁ ଘୋଡାଇ କହିଲା - ସାର୍ , ଛୁଆ ସ୍କୁଲ ଯିବ , ପାଠ ଦି ଅକ୍ଷର ପଢିବ । କ'ଣ ଦି ପଇସା ନ ରଖିଲେ , କେମିତି ହବ ! ଜମି ବାଡ଼ି ନାହିଁ , ସରକାରୀ ଘର ଡିହ ଖଣ୍ଡକ । ମୋତେ ଦୟା କରନ୍ତୁ ସାର୍ , କହୁ କହୁ ... ଭୋ ଭୋ କାନ୍ଦି ଉଠିଲା ।
- ତୁମେ କ'ଣ ଚାହୁଁଛ ?
- ଲୁହ ପୋଛି କହିବାକୁ ଆରମ୍ଭ କଲା - ସାର୍ ... ଆପଣ ଶିକ୍ଷିତ ଲୋକ , ଆମେ ଅଶିକ୍ଷିତ ... ଯେତେ ବୁଝେଇଲେ ବି ବୁଝୁ ନାହାନ୍ତି । ଥାନାକୁ ଡ଼ାକି ଟିକେ ବୁଝେଇ ଦିଅନ୍ତୁ ... ସାର୍ ... ବାଡିଆପିଟା କରିବେନି ! ଆକଟ କରିବେ ପଛକେ । ସାର୍ ... ସେ ଦେଶୀ ମଦବାଲାକୁ ମନା କଲେ ୟାଙ୍କୁ ଆଉ ମଦ ଦିଅନ୍ତାନି ।
ଏତିକି ଶୁଣିବା ପରେ ... ମୁଁ ନିସ୍ତବ୍ଧ ହୋଇଗଲି । ବଲବଲ ହୋଇ ଚାହିଁ ରହିଲି ତାର ମୁହଁକୁ । ନିର୍ଭର ପ୍ରତିଶ୍ରୁତିଟିଏ ଦେବାଛଡା ମୋ ପାଖରେ , ଆଉ କ'ଣ ଥିଲା । କ୍ଯାଣ୍ଟିନରୁ ଖାଇବା ମଗାଇଲି , ମନା କରୁଥିଲା ... ମୁଁ ତୁମର ବଡ଼ ଭାଇଟେ , ଏମିତି ସେମିତି କହିବାରୁ ... ଅଫିସ୍ ବାରଣ୍ଡାର ଗୋଟିଏ କୋଣକୁ ଯାଇ ଛୁଆକୁ ଧରି ଖାଇଲା । ଆମେ ବି ଲଞ୍ଚ କରି ସାରିଥାଉ । ଯିବା ପୂର୍ବରୁ ମୋ ପାଖକୁ ଆସିଲା , ମୋ ଗୋଡ଼ ଧରି ପକାଇଲା ... ପାଖରେ ଥିବା ସେ ଛୁଆଟା କ'ଣ ବୁଝିଲା କେଜାଣି , ତା ମା ସଂଗରେ ଗୋଡ଼କୁ ଜାବୁଡ଼ି ଧରିଲା । ପୋଲିସର ମାଟିଆ ଜାମା ଉପରର ରୁକ୍ଷତା ... ଲାଗିଲା ଯେମିତି କିଛି ମୁହୂର୍ତ୍ତ ପାଇଁ ନିଜର ଠିକଣା ହଜେଇ ଦେଲା । ଆଖି କୋଣର ଲୁହ ମାନେ ମୋତେ ଶିହରାଇ ଦେଉଥିଲେ । ପୁଣି ଥରେ କହିବାକୁ ପଡିଲା - ବ୍ୟସ୍ତ ହୁଅନି , ମୁଁ ନିଜେ ଯିବି । ସେମାନେ ଚାଲିଗଲେ ।
ତା ପରଠୁ ମୋ ଭିତରେ ନାରୀର ଅସ୍ମିତାର ପରିକଳ୍ପନା । ଗୋଟିଏ ପଟେ ନିର୍ଯ୍ୟାତିତ ନାରୀ ମାନଙ୍କର ବିଦ୍ରୋହ ଦଣ୍ଡିତ କରିବାକୁ ମନସ୍କାମନା ... ଆଉ ଗୋଟେ ପଟେ ଅଭିଯୁକ୍ତକୁ ଦଣ୍ଡ ନ ଦେବାକୁ ବିନତୀ , କେବଳ ସୁଧାରି ଯିବାର ଏକ ଆଶା ଆଉ କାମନା । କାହାର ଶବ୍ଦ କୋଷରେ ପ୍ରତିଷ୍ଠା , ସମ୍ମାନ , ଅହଙ୍କାର , ଅଧିକାର ତ କାହାର ଶବ୍ଦ କୋଷରେ ନମ୍ରତା ସହନଶୀଳତା ଆଉ କ୍ଷମା ।
ଶୁଣିବା ପରେ ସ୍ମିତା ମାଡାମ୍ , ହାତରୁ ଚା କପଟି ନେଇ ଟି ପୟ ଉପରେ ରଖୁ ରଖୁ କହିଲେ - ସମାଜରେ ସମସ୍ତଙ୍କର ଅଭାବ କି ଅସୁବିଧା କ'ଣ ସମାନ ! ହେଇ ... ଦେଖୁନ ... ସବୁ ଥାଇ ବି କିଏ ସ୍ଵାଭିମାନ ପାଇଁ ସଙ୍ଘର୍ଷ କରୁଛି ତ କିଏ ସ୍ଵାମୀଟି କେବଳ ବାଟକୁ ଚାଲି ଆସୁ ବୋଲି ଚାହୁଁଛି । ନିଜ ଅଭାବ ଭିତରେ ଧୈର୍ଯ୍ୟ ରଖି , ସ୍ଵପ୍ନ ଦେଖିବାର ପ୍ରୟାସ ... ଭାରି କଷ୍ଟ ... ହେଲେ , ପାରିଲେ ହେଲା ।
ଉମେଶ ବାବୁ - କିଏ ଧୈର୍ଯ୍ୟ ଧରିବ !
ସ୍ମିତା ମାଡାମ୍ - ପରିସ୍ଥିତିର ରୂପ ନିଏ ଅଭାବ , ସେ ନାରୀ ହେଉ କି ପୁରୁଷ , ଉଭୟ ...।
ଉମେଶ ବାବୁ - ହୁଁ ମାରି , ଦୀର୍ଘ ନିଶ୍ଵାସଟିଏ ନେଉ ନେଉ ପଚାରିଲେ - ଆଚ୍ଛା ... ତୁମର ଅଭାବଟା ! ପଚାରୁ ପଚାରୁ ଅଳ୍ପ ଟିକେ ହସି ବି ଦେଲେ ।
ସ୍ମିତା ମାଡାମ୍ - ତୁମେ ଭାରି ସେନ୍ଟିମେଣ୍ଟ !
କହୁ କହୁ , ଉମେଶ ବାବୁ , ମାଡାମଙ୍କ ଆଡ଼କୁ ଟିକେ ଝୁଙ୍କି ଗଲେ ... ସ୍ମିତା ମାଡାମ୍ - ଆରେ ... ରିମି , ଆସୁଥିବ !
ଠିକ୍ ଏହି ସମୟରେ , ମାମା ... ମାମା ... ଡାକି ରିମି ବାହାରେ ଜୋତା ଖୋଲିବା ଭିତରେ ଉମେଶ ବାବୁ ଏବଂ ସ୍ମିତା ମାଡାମ୍ ସଞ୍ଜତ ହୋଇଗଲେ ।
ଟିକେ ଅଭିମାନ ଗଳାରେ ଉମେଶ ବାବୁ କହିଲେ - ରିମି ମାଚ୍ଯୋୟର୍ଡ ହୋଇ ଗଲାଣି ନା !
ସ୍ମିତା ମାଡାମ୍ କପ୍ ଆଉ ପ୍ଲେଟ୍ ଉଠାଉ ଉଠାଉ ଟିକେ ହସି ଦେଇ କହିଲେ - ତୁମେ ବୁଢ଼ା ହୋଇ ଗଲଣି ପରା !
*****