" ସ୍ଵାଭିମାନ "
" ସ୍ଵାଭିମାନ "
ବ୍ୟସ୍ତ ବହୁଳ ବାଦାମବାଡ଼ି, କୋରୋନା ମହାମାରୀ ପ୍ରଭାବରେ ଖାଁ ଖାଁ ଲାଗୁଥାଏ । ଯଦିଓ ହାତ ଗଣତି କେଇଖଣ୍ଡ ବସ୍ ଥାଆନ୍ତି, କଟକଣା ଭିତରେ ଅତି ଆବଶ୍ୟକ ନ ହେଲେ ଯାତ୍ରା କରିବା ପାଇଁ ଅସଙ୍ଗତି ବୋଧ ହୁଏ । ତେବେ ଘର ମାତ୍ର ନବେ କିମି ହେଲେ ବି ମାର୍ଚ୍ଚ ପର ଠାରୁ ଦୀର୍ଘ ଛଅ ମାସ ହେଲା ଘରେ ପାଦ ପଡିନି । ନାକରେ ବୈଧାନିକ ସତର୍କତା ବଶତଃ ମାସ୍କ, କାନ୍ଧରେ ଏୟାର ବ୍ୟାଗଟିଏ ଧରି ଢେଙ୍କାନାଳ ବସକୁ ଅପେକ୍ଷା । ପଚାରି ବୁଝିବା ପରେ ଜାଣିବାକୁ ପାଇଲି ଆହୁରି ଅଧ ଘଣ୍ଟାଏ ପରେ ଛାଡ଼ିବ । ଯେଉଁ ବସରେ ସିଟଟିଏ ପାଇଁ ଅଗ୍ରୀମ ଟିକେଟ କରିବାକୁ ପଡ଼ୁଥିଲା, ସେଥିରେ ମାତ୍ର ଦଶ ଜଣ ଯାତ୍ରୀ ମୋତେ ମିଶାଇ । ଜନଗହଳି ପୂର୍ଣ୍ଣ ବାଦାମବାଡ଼ି କୋରୋନାରେ ଯେ ଏତେ ମାତ୍ରାରେ ପ୍ରଭାବିତ, ଅତୀତର ଦୃଶ୍ୟକୁ ସମାନ୍ତରାଳ ଭାବରେ ଦୃଷ୍ଟି ନିକ୍ଷେପ କଲେ ସହଜରେ ଅନୁଭବ କରି ହେବ ।
ହଠାତ୍ ଆଠ, ଦଶ ବର୍ଷର ପିଲାଟିଏ ଜୋତା ପଲିସ୍ ନିମନ୍ତେ ସ୍ଵଳ୍ପ ସାମଗ୍ରୀ ଧରି ସାମ୍ନାକୁ ଚାଲି ଆସି କହିଲା "ଆଜ୍ଞା, ଜୋତା ପଲିସ୍ କରି ଦେବି ?" ମୁଁ ଜୋତା ପଲିସ୍ କଥା ହଠାତ୍ ଗ୍ରହଣ କରି ପାରି ନ ଥିଲି । କିଛି ନ କହି ପିଲାଟି ଆଡ଼କୁ ସତର୍କତାର ସହ ଅନାଇ ରହିଲି । ପରିତ୍ୟକ୍ତ ପିନ୍ଧା ଜାମା ସାଂଗକୁ ମୁଣ୍ଡର ନୁଖୁରା କେଶ ପିଲାଟିର ଆର୍ଥିକ ପରିସ୍ଥିତିକୁ ଦର୍ଶାଉ ଥିଲା ବେଳେ, ମୁହଁର ଶେଥାଳିଆ ହନୁ ହାଡ଼, ଆଖିର କରୁଣ ଚାହାଣୀ, କହୁଣୀ ଆଉ ଆଣ୍ଠୁର ବହଳ କଳା ଗଣ୍ଠି, ଅନଗ୍ରସରତାର ନିଚ୍ଛକ ପ୍ରତିଛବିଟିକୁ ବିମ୍ବିତ କରୁଥିଲା । ପୁଣି ପିଲାଟିର କୋମଳ କଣ୍ଠ ଦୋହରାଇ କହିଲା "ଆଜ୍ଞା, ଜୋତା ପଲିସ୍ କରି ଦେବି ?", ଅନ୍ୟମନସ୍କ ହୋଇ କହିଲି, ନା ... ନା ...। ପିଲାଟି ମୋ ପାଖରୁ ନାକରେ ମଇଳା ଗାମୁଛାଟିକୁ ଆଉ ଟିକିଏ ନାକ ଉପର ପର୍ଯ୍ୟନ୍ତ ଉଠାଇ ଚାଲିଗଲା । ପିଲାଟି ଚାଲିଗଲା ପରେ ମୁଁ ନିଜର ଜୋତା ଆଡ଼କୁ ନିରେଖି ଚାହିଁ, ଅନୁଭବ କଲି, ହଁ ... ପଲିସ୍ ଟିକେ କରିଥିଲେ ହୋଇ ଥାଆନ୍ତା । ହେଲେ, ପିଲାଟିକୁ ପ୍ରଥମରୁ ପଲିସ୍ ନ କରିବାର ସ୍ପଷ୍ଟୀକରଣ, ମୋତେ ଜୋତା ପଲିସ୍ ଦରକାର ନାହିଁ ସହିତ ସାଲିସ୍ କରିବା ପାଇଁ ବାଧ୍ୟ କରିଥିଲା । ପିଲାଟି ଅନତି ଦୂରରେ ଦୁଇ ଜଣ ବାବୁଙ୍କ ପାଖରେ ଯାଇ ଛିଡ଼ା ହୋଇଥିଲା । ବୋଧ ହୁଏ ଜୋତା ପଲିସ୍ କରିବା ପାଇଁ ନିବେଦନ କରୁଥିଲା ଠିକ୍ ଯେମିତି ମୋତେ କରୁଥିଲା । ହେଲେ ବାବୁ ମାନେ ହାତ ହଲାଇ ଦେଲେ ଆଉ ପିଲାଟି ମୁହଁ ପୋତି ଚାଲିଗଲା । ଇଆଡେ ସିଆଡେ ଅନାଉ ଥିଲା, ଗ୍ରାହକଟିଏ ମିଳିଯିବା ଆଶାରେ । ହେଲେ, ସମୟ ଏମିତି ଯେ ମାଳ ମାଳ ବୁଲା କୁକୁରରେ ଭରା ଥିଲା ବାଦାମବାଡ଼ି, ପ୍ରାୟ ଜନ ଶୂନ୍ୟ ଏଇ କୋରୋନା କାଳରେ ।
ପିଲାଟିକୁ ଦୂରରୁ ଲକ୍ଷ୍ୟ କରୁଥିଲି, ଅସହାୟ ହୋଇ ବନ୍ଦ ପଡ଼ିଥିବା ଦୋକାନ ବାରଣ୍ଡାରେ ବସି ପଡ଼ିଥିଲା । ଇଚ୍ଛା ହେଉଥିଲା, ପିଲାଟି ପାଖକୁ ଯାଇ ଜୋତା ପଲିସ୍ କରାଇ ନେବି । ପୁଣି ପାଦ ଦୁଇଟାକୁ ବାନ୍ଧି ରଖିଥିବା, ଜୋତା ଆଡ଼କୁ ଅନାଇ ଚାହିଁଲି । ଜୋତା ପଲିସର ଆବଶ୍ୟକତାକୁ ଉପଲବ୍ଧି କରିବା ସକାଶେ । ହେଲେ ନିଷ୍ଠୁର ଆତ୍ମସମ୍ମାନ ଏତେ ହୃଷ୍ଟପୁଷ୍ଟ ଥିଲା ଯେ, ଫୁଟପାଦର ପିଲାଟି ଆଗରେ ନିଜର ବାକ୍ଯକୁ ପରିବର୍ତ୍ତନ କରିବା ନିମନ୍ତେ ଅନୁମତି ଦେଉ ନ ଥିଲା । ସମ୍ମୋହନରୁ ଟିକିଏ ବାହାରି, ଦେଖିବାକୁ ପାଇଲି ପିଲାଟି ମହାନଗରନିଗମର ପାଣି ଟ୍ୟାପ ପାଖରେ ମୁହଁ ରଖି, ଛୋଟ ହାତ ପାପୁଲିରେ ଚଳେ ଚଳେ ପାଣି ପିଇବାରେ ଲାଗିଛି । ସମୟ ଆସି ସାଢ଼େ ବାରଟା ହେବ, କ'ଣ କେଜାଣି ଖାଇଥିବ ! ପିଲାଟିର ଦ୍ୱିପ୍ରହର ଖାଇବା ନେଇ କେଜାଣି କାହିଁକି ମୋ ମନରେ ସଂଶୟ ସୃଷ୍ଟି ହେଲା । ମୋ ଜାଣିବାରେ ଏଇ ସମୟ ଭିତରେ ଟଙ୍କାଟିଏ ବି ରୋଜଗାର କରି ପାରିନି, ଗ୍ରାହକ ବି ନାହାନ୍ତି ... ଗ୍ରାହକ ଯେ ମିଳିଥିବେ ଅବା ମିଳିବେ, ଆଶା କରି ହେଉନି । ଏଇ ଭିତରେ ପିଲାଟି, ପାଣି ପିଇସାରି ନିଜର ଜୋତା ପଲିସ୍ ସରଞ୍ଜାମ ରଖିଥିବା ଦୋକାନ ବାରଣ୍ଡା ଆଡ଼କୁ ଆସି ବସି ପଡିଲା । ଅତ୍ୟନ୍ତ କରୁଣ, କାତର ଅବସ୍ଥା ଦେଖି ମନଟା ଘାଣ୍ଟି ଗୋଳାଇ ହେଲା । ସ୍ଵାଭିମାନରେ ଜୋତା ପଲିସ୍ ନ କରାଇ କିଛି ଟଙ୍କା ଦେଇ ନ ପାରିବା ସହିତ ଭୋକିଲା ପିଲାଟିର ଏତାଦୃଶ ଅବସ୍ଥା ମୋତେ ବିଚଳିତ କରି ପକାଇଲା । ହଠାତ୍ ବସଟିର ହର୍ଣ୍ଣ ବାଜି ଉଠିଲା, ଗାଡ଼ି ଆଡ଼କୁ ଅନାଇ ଦେଖିଲି ଗାଡ଼ି ଷ୍ଟାର୍ଟ ବି ହୋଇ ଗଲାଣି, ଯେଉଁ ଦଶ ବାର ଜଣ ଯାତ୍ରୀ, ସମସ୍ତେ ବସରେ ଚଢିବା ପାଇଁ ପ୍ରସ୍ତୁତ । କାନ୍ଧରେ ଥିବା ଏୟାର ବ୍ଯାଗଟିକୁ ଖୋଲି ଦୁଇ ପ୍ୟାକେଟ ବିସ୍କୁଟରୁ ଗୋଟିଏ ପ୍ୟାକେଟ ମୋ ପାଇଁ ରଖି ଆଉ ଗ
ୋଟିଏ ପ୍ୟାକେଟ ବାହାର କଲି । ଏକ ମୁହାଁ ହୋଇ ପିଲାଟି ବସିଥିବା ଦୋକାନ ବାରଣ୍ଡା ଆଡ଼କୁ ଚାଲିଲି । ପିଲାଟି ପାଖରେ ପହଞ୍ଚୁ ପହଞ୍ଚୁ, ହଠାତ୍ ପିଲାଟି ସଞ୍ଜତ ହୋଇ ବସି ପଡ଼ି, ତାର ଜୋତା ପଲିସ୍ ସରଞ୍ଜାମ ବାହାର କରୁ କରୁ କହିଥିଲା " ଆଜ୍ଞା ... ଦଶ ଟଙ୍କା ଦେବେ, ବେଶୀ ସମୟ ନେବିନି ।" ଜୋତା ପଲିସ୍ କରିବାର ମାନସିକତା, ବସଟିର ଶବ୍ଦ ଭିତରେ ସ୍ଥାଣୁ ହୋଇ ସାରିଥିଲା । ହାତରେ ଧରିଥିବା ବିସ୍କୁଟ ପ୍ୟାକେଟଟିକୁ ପିଲାଟି ଆଡ଼କୁ ବଢାଇ ଦେଇ କହିଲି " ମୁଁ ଜୋତା ପଲିସ୍ କରିବିନି, ଏଇ ନେ ... ବିସ୍କୁଟ ପ୍ୟାକେଟ୍, ଖାଇଦେବୁ ଦୋକାନ ବଜାର ସବୁ ବନ୍ଦ, କ'ଣ ମିଳିବ ନାହିଁ !" ଯେତେ ଶୀଘ୍ର ପିଲାଟି ବିସ୍କୁଟ ହାତରୁ ନେବ, ସେତେ ଶୀଘ୍ର ଗାଡ଼ିରେ ଯାଇ ବସିବାକୁ ପଡ଼ିବ । ଏଇ ଭିତରେ ଗାଡ଼ିଟି ଧୀରେ ଧୀରେ ଗଡିବାକୁ ଆରମ୍ଭ କଲାଣି । ଆଶ୍ଚର୍ଯ୍ୟ ... କରୁଣ ଆଖିରେ ଚାହିଁ ରହିଛି, ମୋ ହାତରୁ ବିସ୍କୁଟ ପକେଟଟି ନେଉ ନାହିଁ । ମଣିଷ ଛୁଆଟେ, ବିସ୍କୁଟ ପ୍ୟାକେଟଟି ପାଖରେ ଫିଙ୍ଗି ଦେଇ ଆସି ପାରୁନି କି ଆପଣାର ଭାବି ପାଖରେ ରଖି ଦେଇ ଆସି ପାରୁନି । ସାମାନ୍ୟ ବିରକ୍ତ ହୋଇ କହିଲି " ଆରେ, ନେ ... ମୋ ବସ୍ ଚାଲିଯିବ ! " ହତବାକ ହୋଇଗଲି, ପିଲାଟି ଏ ପର୍ଯ୍ୟନ୍ତ ବିସ୍କୁଟ ପ୍ୟାକେଟଟି ନେଉନି କାହିଁକି ? ଗାଡ଼ି ଟିକେ ଟିକେ ଗଡିବା ଆରମ୍ଭ ହେଲାଣି ଦେଖି, ବିସ୍କୁଟ ପ୍ୟାକେଟଟି ଧରି ଦୈାଡି ଦୈାଡି ବସଟିରେ ଚଢି, ଫାଙ୍କା ସିଟଟିରେ ବସି ପଡ଼ିଲି ।
ମୋ ହାତରେ ... ପିଲାଟି ପାଇଁ ବାହାର କରିଥିବା ବିସ୍କୁଟ ପ୍ୟାକେଟଟି ମୋତେ ପ୍ରଶ୍ନରେ ଛନ୍ଦି ପକାଇଥିଲା ; ପିଲାଟି କ'ଣ ମୋ ଉପରେ ରାଗିଲା, ଅଭିମାନ କଲା ! ଜୋତା ପଲିସ ନ କରାଇବାରୁ । ଅବା ପିଲାଟି ପରିଶ୍ରମର ମୂଲ୍ୟ ଆଶା କରି, ମାଗଣା ଦାନର ଏ ବିସ୍କୁଟ ପ୍ୟାକେଟଟି ନେବାକୁ କୁଣ୍ଠାବୋଧ ପ୍ରକାଶ କଲା । ସମାଜରେ ଅଗଣିତ ମଣିଷ କ'ଣ ଆପଣାର ପରିଶ୍ରମର ମୂଲ୍ୟ ଉପରେ ନିର୍ଭରଶୀଳ ? ଅର୍ଥ ଉପାର୍ଜନ, ପେଟ ପୋଷିବା ଆଳରେ ସବୁ କର୍ମ ସୁ କର୍ମ ବୋଲି ବିବେଚନା କରୁଥିବା ମଣିଷଙ୍କ ଠାରୁ ଭିନ୍ନ କ'ଣ ସତରେ ଏଇ ପିଲାଟି ? କେଜାଣି କାହିଁକି ନିଜକୁ ଅତି ଅବିବେକୀ ବୋଲି ମନେ କଲି ... ଛିଃ ! ଜୋତା ଦୁଇଟା ପଲିସ କରାଇ ଦଶ ଟଙ୍କା ଦେଇ ଥିଲେ ଭଲ ହୋଇ ଥାଆନ୍ତା ! ବସଟି ବେଶୀ ବାଟ ଆଗକୁ ନ ଯାଇଥିଲେ ବି ଧୀରେ ଧୀରେ ଆଗକୁ ବଢିବା ଆରମ୍ଭ କରି ସାରିଥିଲା । ହଠାତ୍, ବସର ଝରକା କାଚକୁ ଆଡେଇ ଦେଇ, ପିଲାଟିକୁ ଦେଖିବା ଆଶାରେ ମୁଣ୍ଡ ଗଳାଇ ପଛକୁ ଅନାଉ ଅନାଉ ଦେଖିଲି, ପିଲାଟି ବସର ସମାନ୍ତରାଳ ଗତିରେ ମନ୍ଥର ଦୈାଡ ଲଗାଇଛି । ବସର ଝରକା ଉହାଡୁ ବାହାରିଥିବା ମୋର ମୁଣ୍ଡ ଦେଖି ଚିହ୍ନି ପାରିଲା ବୋଧ ହୁଏ, ଗୋଟିଏ ହାତ ବଢ଼ାଇ ମାଗିବାର ଇଙ୍ଗିତ କଲା, ମନ୍ଥର ଦୈାଡ ସହିତ । ବସର ଝରକା ଠାରୁ ମାତ୍ର ଆଠ ଦଶ ପାହୁଣ୍ଡ, ଅକାଳେ ନିୟମ ନାସ୍ତି ... ଆଳରେ ଆଉ କାଳ ବିଳମ୍ବ ନ କରି ହାତରେ ଥିବା ବିସ୍କୁଟ ପ୍ୟାକେଟଟିକୁ ପିଲାଟି ଆଡକୁ ଫୋପାଡି ଦେଇ ପଛ ମୁହାଁ ହୋଇ ଅନାଇ ରହିଲି । ଯଦିଓ ବିସ୍କୁଟ ପ୍ୟାକେଟଟି ପିଲାଟି ଠାରୁ ସାମାନ୍ୟ ଆଗରେ ପଡ଼ିଗଲା, ହେଲେ ପିଲାଟି ବିସ୍କୁଟ ପ୍ୟାକେଟଟିକୁ ହାତରେ ଉଠାଇ ନେଇ ଛିଡ଼ା ହୋଇଗଲା । ମୋ ଆଡ଼କୁ ଅନାଇ କୁନି ଓଠକୁ ସାମାନ୍ୟ ବିସ୍ତାରି ହସିଲା, ଆଉ ହାତ ବି ହଲାଇଲା । ଝରକା ଫାଙ୍କରୁ ଅଜାଣାତରେ ମୋ ହାତଟି ବି ସାମାନ୍ୟ ହଲିଗଲା । ଆସ୍ତେ ଆସ୍ତେ ବସର ଗତି ବଢିବା ସହିତ ପିଲାଟିଠାରୁ ଦୂରତା ବଢ଼ି ଯାଉଥିଲା । ଅହେତୁକ ଅନୁଭବର କମ୍ପନରେ ଶିହରି ଉଠିଲା ଏ ତନୁ ମନ, ଆଉ ଆଖି କୋଣରୁ ପାଣି ଦୁଇ ବୁନ୍ଦା ଏଇମିତି ଝରିପଡିଲା । କୋହ ଭରା ଛାତିଟା ଓଜନିଆ ଲାଗୁଲାଗୁ ଆଖିର ପାଣି ପୋଛି ପୁଣି ପିଲାଟି ଆଡ଼କୁ ଫେରି ଚାହିଁବାକୁ ଭାରି ମନ ହେଲା । ଦେଖିଲି ସେଇ ଜାଗାରେ ପିଲାଟି ଛିଡା ହୋଇଛି ଆଉ ନିଜ ଗାମୁଛାରେ ତଳୁ ଉଠାଇଥିବା ବିସ୍କୁଟ ପ୍ୟାକେଟଟିକୁ ପୋଛି ପକାଉଛି । ବାସ୍... ଆଉ ଧୈର୍ଯ୍ୟ ନ ଥିଲା, ବିବର୍ଣ୍ଣ ଦୃଶ୍ୟକୁ ଅନୁଭବ କରିବାର ।
ଅଳ୍ପ ଟିକେ ଆତ୍ମ ସନ୍ତୋଷ ଅନୁଭବ କରିଛି କି ନାଇଁ ସମାହିତ ପ୍ରଶ୍ନରେ ମୁଁ ନିଜେ କ୍ଷତାକ୍ତ । କ୍ଷୁଧା ସିନା ଆଜି ପିଲାଟିର ସ୍ଵାଭିମାନକୁ ହତ୍ୟା କଲା । ସାମାନ୍ୟ ଗ୍ରାହକଟିଏ ସାଜି ତା କର୍ମର ମୂଲ୍ୟ ଦେଇ ପାରିଥିଲେ ହୁଏତ ... ପିଲାଟି ମନରେ ଥିବା ସ୍ଵାଭିମାନକୁ ଉପଯୁକ୍ତ ସମ୍ମାନ ମିଳି ପାରି ଥାଆନ୍ତା । ତେବେ କାହାର ଆତ୍ମସମ୍ମାନ ଓ ଅଭିମାନ ଏଇମିତି କ'ଣ ଦୁସ୍ଥ ମଣିଷକୁ ସ୍ଵାଭିମାନରେ ବଞ୍ଚିବାର ହକକୁ ଛଡାଇନିଏ ?