ବ୍ୟଙ୍ଗ ରଚନା - " ଆକ୍ଵେଣ୍ଟଟେଡ "
ବ୍ୟଙ୍ଗ ରଚନା - " ଆକ୍ଵେଣ୍ଟଟେଡ "
ସଂଧ୍ୟା ବେଳୁ ଝରକା କବାଟ ବନ୍ଦ , ଝରକାରେ ମଶା ଜାଲି ଲଗେଇବାର ଫଳଟା ଫାଲତୁରେ ଖର୍ଚ୍ଚାନ୍ତ । ଯଦି ଝରକାରେ ମଶା ଜାଲି ଲଗାଇଲା ପରେ ବି ସଂଧ୍ୟାରେ ମଶାଙ୍କ ଭୟରେ ଝରକା ବନ୍ଦ କରାଯାଏ, ଲୋକ ହସନ୍ତୁ କି ନାହିଁ ସଫା କଥା ଆଗ ମୁଁ ହସିଦିଏ , ଯଦିଓ ଖର୍ଚ୍ଚାନ୍ତ ମୁଁ ହୋଇଛି । କାରଣଟା ସଫା କଥା , ଧର୍ମପତ୍ନୀଙ୍କ ଦେଖା ବୁଦ୍ଧି ବଳରେ , " ଜେନା ବାବୁଙ୍କର କ୍ଵାଟରରେ ମଶା ଜାଲି ଲଗା ହେଲା , ଆମର ଜଲଦି ଲଗାଅ , ନ ହେଲେ ଘରେ ମଶା ପଶି କାମୁଡ଼ିଲେ ମତେ କହିବନି ।" ଆଶ୍ଚର୍ଯ୍ୟ ହୋଇ ଭାବ ବିହ୍ଵଳିତ ମଧ୍ୟ ହୋଇ ପଡିଲି , ମନେ ପକାଇଲି - ମଶାରି ଟାଙ୍ଗିବା ପାଇଁ ମୋର ବିନମ୍ର ନିବେଦନକୁ ପ୍ରତ୍ୟାଖ୍ୟାନ କରି ଧର୍ମପତ୍ନୀ ସ୍ନେହରେ ତାତ୍ସଲ୍ୟ କରି କହିଥିଲେ , " ସେ କୁଆଡେ ମଶାରୀ ସହ ଆକ୍ଵେଣ୍ଟଟେଡ ନୁହେଁ , ତଥାପି ସିଙ୍ଗଲ୍ ମଶାରୀ ଦୁଇଟା ଆଣ ଯେ , ଘୋଡେ଼ଇ ହୋଇ କି ବସିବା , ଖାଇବା , ଶୋଇବା ।" ପ୍ରତ୍ୟୁତ୍ତରରେ ମୁଁ ଥିଲି ନିରୁତ୍ତର ।
ଝରକା ପାଇଁ ମଶା ଜାଲି ଆସିଲା , ଲଗା ହେଲା । ହେଲେ ସଂଧ୍ୟାରେ ଘରେ ବିବିଧ ଭାରତୀ ନେଟୱର୍କ ଖରାପର ଧ୍ଵନି , ଉଁଉଉଉଉଉ .... । ସାହାସ କରି ପଚାରିଲି " ମଶା ତ ବନ୍ଦ ହେଲେ ନି ! " ଧର୍ମପତ୍ନୀଙ୍କର ବିଚକ୍ଷଣତାରେ ମୁଁ ଏକ ବାରେ ଧରାଶାୟୀ , କହିଲେ " ତମେ ସକାଳୁ ଫୁଲ ତୋଳି ଯାଉଛ , କବାଟ ମେଲା ... , କ୍ଷୀର ଆଣି ଯାଉଛ , କବାଟ ମେଲା .... , କି ଅଫିସ ଯାଉଛ କେଜାଣି ଗଲାବେଳକୁ ମେଲା, ଆଇଲା ବେଳକୁ ମେଲା ..." । ଅତଏବ କିଏ କ'ଣ ବୁଝୁ ନ ବୁଝୁ , ମୁଁ ଏଇଆ ବୁଝିଲି ମୋର ଘର ଭିତରୁ ଯିବାରେ ଆଉ ଘର ଭିତରକୁ ଆସିବାରେ କବାଟ ଖୋଲା ହେବା ସମୟରେ , ମଶା ମାନେ ଘର ଭିତରକୁ ପ୍ରବେଶ କରୁଛନ୍ତି । ଅତଃ ... ଦୋଷୀ ମୁଁ । ସବୁ ବୁଝେ, ସବୁ ଜାଣେ ହେଲେ ସରଳ ହୋଇ ରହିବାକୁ ପସନ୍ଦ କରେ । ଆଜି ମଶା ଜାଲି କିଣାଟା ବେକାର ହେଲା ପରି ସ୍ପଷ୍ଟ ହେଲା ପରେ , ଧର୍ମପତ୍ନୀ ସ୍ପଷ୍ଟ କହିଦେଲେ , ହଜାରେ ଥର କବାଟ ଖୋଲା କରିବ , ସେ ମଶା ଜାଲି କାହିଁକି ଆଣୁଥିଲ , ତମ ପଇସା ... ତମ ଇଛା ।ଧର୍ମପତ୍ନୀଙ୍କ ବ୍ୟକ୍ତିଗତ ସାଧନ ପାଇଁ ବ୍ୟୟ ହେଲେ ପଇସାଟା - ଆମ ପଇସା, ବୋଲି ଯେଉଁ ଶ୍ରଦ୍ଧାରେ ନିଜର ଅଧିକାରକୁ ଲାସ୍ୟମୟୀ ଓଠ ଫେଡି କହି ଦିଅନ୍ତି , ସତ କଥା ହେଉଛି ମୁଁ ଟିକେ ସରଳ , ସରସ ମଣିଷ ... ଭାସିଯାଏ ମଧୁର କଥାର ବନ୍ୟାରେ । ହେଲେ ଧର୍ମପତ୍ନୀଙ୍କ ବ୍ୟକ୍ତିଗତ ସାଧନକୁ ଛାଡି ଆଉ ଯେଉଁଥି ପାଇଁ ବି ହେଉ , ଯଦି ଖର୍ଚ୍ଚରେ ପ୍ରତ୍ୟକ୍ଷ ଲାଭବାନ ସେ ଏକା ନ ହେବେ ତେବେ , ପଇସାଟା ମୋ ପଇସା , ମୁଁ ବରବାଦ କରୁଛି । ବେଳେ ବେଳେ ମଧୁର ବନ୍ୟା ଧରି ଆସୁଥିବା , ଓଠରୁ ମାନମୟୀ ରୂପ ଛିଟିକା ହୋଇ ପଡେ " ତମ ପଇସା , ତମେ ଉଡାଅ... ବୁଡାଅ ..." । ମୁଁ ଯେ ସରଳ ମଣିଷଟା ଆଦୋୖ କିଛି ବି ବୁଝି ପାରେନି ।
ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ , ସଂଧ୍ୟାରେ ଘରେ ଝୁଣା ଦେଇ ଦିଅ, ଠାକୁର ପୂଜା ବି ହୋଇଯିବ ମଶା ବି କମି ଯିବେ , ଭଲ ପରାମର୍ଶଟିଏ ଭାବି କହିଥିଲି । ଧର୍ମପତ୍ନୀ ପରାମର୍ଶ ଶୁଣି , କ'ଣ... କ'ଣ... କହିଗଲେ ଆଉ ଶେଷରେ ମୋ ଜନ୍ମ ମସିହା ପଚାରିଲେ ... , ମୁଁ ଏଇଆ ବୁଝିଲି , ସେ ସ୍ମଗ ସହିତ ଆକ୍ଵେଣ୍ଟଟେଡ ନୁହେଁ ଆଉ ମୁଁ ପ୍ରାଚ୍ୟ ସଂସ୍କୃତିର ମାନବ । ମଶା କଏଲ ଲଗାଇବା କଥା କହିବାକୁ ସାହାସ କରି ପାରିଲିନି , ଯେହେତୁ ମନେ ରହିଯାଇଥିଲା ... ଧର୍ମପତ୍ନୀ ମୋର ସ୍ମଗ ସହିତ ଆକ୍ଵେଣ୍ଟଟେଡ ନୁହେଁ । କ୍ଵାଟର ଛାଡି ବାହାରେ ରହିବାର ପ୍ରସ୍ତାବ ବି ଦେଲି , ମ୍ୟୁନିସିପାଲିଟିକୁ ପଚାରି ମଶା ନ ହେଉ ଥିବା ଜାଗାରେ ଭଡ଼ାଘରେ ରହିବା । ଉତକ୍ଷିପ୍ତ ହୋଇ କହିଲେ , " ଏ କଲୋନୀରେ ଆଉ କାହାକୁ ମଶା କାମୁଡୁ ନାହାନ୍ତି , ଖାଲି ତମକୁ ମଶା କ
ାମୁଡି ପକାଉଛନ୍ତି । " ଏହାର ଅସଲ କାରଣ , କ୍ଵାଟରଠୁ ମାତ୍ର ଦୁଇ ଶହ ମିଟରରେ ପୂଜ୍ୟ ଶ୍ଵଶୁରଙ୍କ ଘର । ମଶାଙ୍କ ଦାଉରେ ପ୍ରଭାବିତ ଦାମ୍ପତ୍ୟ ଜୀବନ ଏଇମିତି ଅନେକ ଦାଉଙ୍କ ଦ୍ବାରା ପ୍ରଭାବିତ । ନୂଆ ନୂଆ ମୁଁ ଚେଷ୍ଟା କରୁଥିଲି ପାରିଲା ପୁରୁଷ ପଣିଆର ସମ୍ମାନରେ ସଂସାର ଚାଲୁ ବୋଲି , ହେଲେ ମାତ୍ର ମାସ ଦୁଇଟାରେ ପଶା ବଦଳିଗଲା । ଯେଉଁ ଦିନ ଧର୍ମପତ୍ନୀ ନିଜର କ୍ଷୁଦ୍ର ସ୍ଵ ଅଭିଳାଷଟିଏ ପୂରଣ କରିବାକୁ ଯାଇ କହି ଦେଲେ , " ତମେ ମତେ ବାହା ହୋଇଛ , ମୋର ଭଲ ମନ୍ଦ ହାନୀ ଲାଭ ସବୁ ଦାୟିତ୍ଵ ତୁମର । ମୁଁ କେମିତି ଖୁସିରେ ରହିବି ସେଟା ବି । " ବିଚଳିତ ନ ହୋଇ ସବୁ ଧୈର୍ଯ୍ୟର ସହ ଶୁଣିଲି , ଖରାପ ନ ଭାବି ଭାବୁଥିଲି " ହଁ ସତ କଥା , ମୁଁ ହିଁ ତମକୁ ବାହା ହୋଇଛି , ତମେ ମତେ ବାହା ହୋଇଥିଲେ କ'ଣ ଏମିତି କହି ପାରି ଥାଆନ୍ତ ?" ଆଉ ତା ପରେ , ମନ କଥା ମନରେ ରଖିବାର ପ୍ରବୃତ୍ତି ଆସ୍ତେ ଆସ୍ତେ ବଢ଼ାଇବାକୁ ଲାଗିଲି। ସେ ଦିନ ଠାରୁ ସ୍ଵ ହସ୍ତରେ ପଶାକୁ ଧର୍ମପତ୍ନୀଙ୍କ ହାତକୁ ଟେକି ଦେଇଛି , ବିନା ଦ୍ବିଧାରେ । ସରଳରୁ ସରଳ ମଣିଷଟିଏ ହୋଇ ଯାଇଛି ।
ହେଲେ ୟା ଭିତରେ ବୁଝାଇ ସୁଝାଇ ମସ୍କିଟୋ ଲିକ୍ଵିଡ ଆଣି ଲଗା ହେଉଛି । ରାକେଟ ନ ଆଣିବାର କାରଣ , ମୋତେ ପ୍ରତ୍ୟେକ ଦିନ ଜୀବ ବଦ୍ଧ ଦାୟିତ୍ଵରୁ ନିଜକୁ ନିବୃତ୍ତ ରଖିବା , ସରଳ ମଣିଷଟିଏ ସରଳ ହୋଇ ବଞ୍ଚିବା ଅଭ୍ୟାସ ଭଲ ବି ଲାଗିଲାଣି । ସଂଧ୍ୟାରେ ଝରକା କବାଟ ବନ୍ଦ ହେଲା ପରେ ବି ହାତ ଗଣତି ମଶା ଗ୍ରହଣୀୟ ହୋଇ ଯାଇଛନ୍ତି । ହେଲେ ମଶାରୀ ଟଙ୍ଗା ହୋଇ ପାରିଲାନି କି ଝୁଣା ଧୂଆଁ ଦିଆ ହୋଇ ପାରିଲାନି । ରିମୋଟ ହାତରେ ରିମୋଟ ବା ରହିବ କେମିତି ! ଅନିଚ୍ଛା ସତ୍ତ୍ବେ ମଧ୍ୟ ନ୍ୟୁଜ ପରିବର୍ତ୍ତେ ସିରିଆଲ , ଗ୍ଲାମର ଦୃଶ୍ୟ ଦେଖିବା ଅଭ୍ୟାସ କଲିଣି । କାଲି ସଂଧ୍ୟାରେ ଏକାଠି ବସି ଓଡ଼ିଆ ସିରିଆଲ୍ ଗୋଟିଏ ଦେଖୁଥିଲୁ , ଧର୍ମପତ୍ନୀଙ୍କ ଡାହାଣ ହାତରେ ସ୍ଵାଭାବିକ ଭାବରେ ରିମୋଟଟି ଥିଲା । ହଠାତ୍ , ଧର୍ମପତ୍ନୀ ନିଶ୍ଚଳ ହୋଇ ମୋ ଆଡକୁ ଠାରି ଆଖିରେ ତାଙ୍କ ବାମ ହାତ ଆଡ଼କୁ ଇଙ୍ଗିତ କଲେ । ଧର୍ମପତ୍ନୀଙ୍କ ଇଙ୍ଗିତ ଅନୁଯାୟୀ ଦେଖିଲି , ଗୋଟିଏ ମଶା ତାଙ୍କ ବାମ ହାତ ଉପରେ ବସିଛି । ରକ୍ତ ପିଇବା ଜଷ୍ଟ ଆରମ୍ଭ କରିଛି ବୋଧେ , ଯେହେତୁ ଧର୍ମପତ୍ନୀ ଘଉଡାଇବାକୁ ନ ଚାହିଁ , ମାରିବାକୁ ଇଙ୍ଗିତ କଲେଣି । ସେ ନିଜେ ବି ମାରି ପାରୁ ନାହାଁନ୍ତି , ଡାହାଣ ହାତରେ ରିମୋଟଟା ଅଛି ଯେ ! ମଶାକୁ ମାରୁ ମାରୁ ଧର୍ମପତ୍ନୀଙ୍କୁ ମାଡ଼ ପଡ଼ିବ , କ'ଣ କରିବି ... କିଛି ଜାଣି ପାରୁ ନ ଥାଏ । ମଶା ଶୁଣ୍ଢର ଗେଞ୍ଜାରେ ସାମାନ୍ୟ କଷ୍ଟ ଉପଲବ୍ଧି କରି , ମଶାଟିକୁ ଜୀବନରୁ ମାରିଦେବା ପାଇଁ ପୁଣି ଠାରିଲେଣି । ମୁଁ କିନ୍ତୁ ନିରୁପାୟ , ଏଇ ଭିତରେ ଏତେ ସରଳ ହୋଇ ଯାଇଛି , କାହାକୁ ମାରି ପାରିବି ଚିନ୍ତା ବି କରି ପାରୁନି । ପୁଣି ମାରୁ ମାରୁ ଯଦି ମଶାଟି ଉଡିଗଲା , ଶକ୍ତ ଚାପୁଡ଼ା ଧର୍ମପତ୍ନୀଙ୍କୁ ବାଜିବାର ପରବର୍ତ୍ତୀ ଅବସ୍ଥା କ'ଣ ହେବ ... ବାସ୍ ଧୀରେ କରି ମଶାଟିକୁ ହାତରେ ଘଉଡାଇ ଦେଲି । ହଠାତ୍ ବର୍ଷି ଉଠି ଧର୍ମପତ୍ନୀ କହିଲେ " ମୁଁ କ'ଣ ଘଉଡାଇ ପାରି ନ ଥାନ୍ତି ! ମୋର କେତେ ରକ୍ତ ପିଇ ଦେଲା , ତମେ ସ୍ଵାମୀ ହୋଇ କେମିତି ସହିଲ ? ଛାଡ ... ଛାଡ ... ତମେ ମଶାଟେ ବି ମାରି ପାରୁନ !" କିଛି ନ କହି ଶୁଣୁଥାଏ , ସତ କଥା କହି ବି ପାରୁ ନ ଥାଏ , ଖାଲି ଏତିକି କହିଲି " ଏ ମଶା ମାନେ ବି ମସ୍କିଟୋ ଲିକ୍ଵିଡ ସହ ଆକ୍ଵେଣ୍ଟଟେଡ ହୋଇଗଲେଣି " , ଆଉ କହି ନ ପାରି ଭାବିଲି , " ଯେମିତି ତମ ସହିତ ମୁଁ ।"