Er Subhransu Kumar Behera

Abstract Action Inspirational

3  

Er Subhransu Kumar Behera

Abstract Action Inspirational

ନୂଆ ପ୍ରତିଶୃତି ; ଚାଲ କାର୍ବନ ନ୍ଯୁଟ୍ରାଲ୍ ହେବା

ନୂଆ ପ୍ରତିଶୃତି ; ଚାଲ କାର୍ବନ ନ୍ଯୁଟ୍ରାଲ୍ ହେବା

5 mins
201



   ପ୍ରତ୍ୟେକ ବର୍ଷ ଡିସେମ୍ବର ସରି ଜାନୁଆରୀ ଆସେ , କ୍ୟାଲେଣ୍ଡର ବଦଳିଯାଏ , ନୂଆ ମସିହାଟିଏ ପରିଚିତ ହୁଏ । ଦୈନନ୍ଦିନ ଜୀବନରେ ସବୁ କିଛି ସମାନ ଥାଇ ମଧ୍ୟ ମାନସିକ କ୍ଷେତ୍ରରେ , ନୂଆ ଉଲ୍ଲାସ , ଉତ୍ସାହ , ଉଦ୍ଦୀପନା ଜନ୍ମ ନିଏ , ହେଉ ପଛେ କିଛି ଦିନ ପାଇଁ ହେଲେ ନିଶ୍ଚୟ କିଛି ନୂଆ ପ୍ରତିଶୃତିର ଅବକାଶ ସୃଷ୍ଟି କରେ । ଜୀବନ , ସମୟ ବାସ୍ତବର ରୂପରଂଗରେ ଉଦଭାସିତ ହୁଅନ୍ତି ମହାମାରୀ କୋରୋନା , ଭୟଙ୍କର ବନ୍ଯା , ବାତ୍ୟା ଆଦି ରୂପରେ । ନିରବ ଦର୍ଶକ ସାଜି ଆମେ ବଞ୍ଚିଲେ , ସଂଗ୍ରାମ କଲେ କେବଳ ବାସ୍ତବର ସାମ୍ନାରେ। କ'ଣ କିଛି ବେଶୀ ସ୍ଵାର୍ଥୀ ହୋଇ ଗଲେ କି , ଅକଳ୍ପନୀୟ ସମୟମାନେ ଆସି ଦାଉ ସାଧିଲେ । ତର୍ଜମା କରୁ କରୁ ଅନୁଭବ ହୁଏ, ନିଜେ ବଞ୍ଚିବା ପାଇଁ ଶୁଦ୍ଧ ପବନ ଟିକେ ଦରକାର , ଏତିକି ତ ସ୍ଵାର୍ଥ ରହୁ ।


ପ୍ରାଚୀନତାଠାରୁ ଆଧୁନିକତାର ଲମ୍ବା ରାସ୍ତାରେ ମଣିଷ ନିଜର ସୁଖ , ସୌଖିନ ପାଇଁ ନଷ୍ଟ କରିଛି ଏ ପରିବେଶକୁ । ବିନା ବିକଳ୍ପରେ ବିନାଶମୁଖୀ ସାଜି ଚାଲିଛି । ପରିବେଶ ପ୍ରଦୂଷଣରେ ଶିଳ୍ପାୟନ ୩୫ ପ୍ରତିଶତ , ଅଣପାରମ୍ପାରିକ କୃଷି ୨୦ ପ୍ରତିଶତ , ଗମନାଗମନ ୧୫ ପ୍ରତିଶତ ଭାବେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଉଦ୍ଯୋଗୀକରଣ ପାଇଁ କୋଇଲା ତଥା ଅନ୍ୟାନ୍ୟ ଜୀବାଶ୍ମ ଇନ୍ଧନ ବ୍ୟବହାର କରି ମାନବ ଜାତି ହୁଏତ ଆଧୁନିକତାର ଚରମ ସ୍ପର୍ଶ କରିଛି କିନ୍ତୁ ନିଜକୁ ବିଷାକ୍ତ ପରିବେଶର ମୁହଁକୁ ଠେଲି ଦେଇଛି । ପିଲା ଦିନ ପାଠ ବହିରେ ପଢୁ , ମଣିଷ ବଞ୍ଚିଥାଏ ଅମ୍ଳଜାନ ଗ୍ରହଣ କରି ଏବଂ ଅଙ୍ଗାରକାମ୍ଳକୁ ବର୍ଜନ କରି । ଗଛ ମଣିଷ ପାଇଁ ଏହି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ରହଣ କରି ମଣିଷକୁ ଅମ୍ଳଜାନ ଯୋଗାଇଥାଏ । କିନ୍ତୁ ବିଡ଼ମ୍ବନାର ବିଷୟ ଆଜି ସମୟ ଆସି ଉପନୀତ ; କଳକାରଖାନା , ଗମନାଗମନ , ଶକ୍ତି ଉତ୍ପାଦନ ଇତ୍ୟାଦି ପାଇଁ ଏତେ ପରିମାଣରେ ଅଂଗାରକାମ୍ଳ , ମିଥେନ୍ , ସବୁଜଘର ଗ୍ୟାସ ଆଦି ଉତ୍ପନ୍ନ ହେଉଅଛି , ଯାହାକୁ ପ୍ରକୃତି ସାଧାରଣରେ ଗ୍ରହଣ କରିପାରୁନି । ପ୍ରାକୃତିକ ଭାବରେ ଗ୍ରହଣ କରିବାର ଦକ୍ଷତା ହ୍ରାସ ପାଇଛି , ଅତ୍ୟଧିକ ମାନବକୃତ କାର୍ଯ୍ୟ ପାଇଁ । ଫଳସ୍ଵରୂପ ପକୃତିରେ ଆସିଛି ପରିବର୍ତ୍ତନ , ସୂର୍ଯ୍ୟଙ୍କ ତାପ ଅସହ୍ୟ ହେବା ( ବିଗତ ୫ ବର୍ଷରେ ଏକ ଡିଗ୍ରୀ ତାପମାତ୍ରା ବୃଦ୍ଧି ) , ହିମଖଣ୍ଡ ତରଳି ପାଣି ହୋଇ ସମୁଦ୍ରର ଆୟତନ ବଢି କରି ସମୁଦ୍ର ପତନ ବୃଦ୍ଧି ପାଇବା । ବାୟୁମଣ୍ଡଳ ଦ୍ଵାରା ପ୍ରଭାବିତ ଜଳବାୟୁ ଫଳରେ ବୃଷ୍ଟିପାତରେ ଅନିୟମିତତା ଭେଟି ଦେଇଛି ବନ୍ୟା ଏବଂ ମରୁଡି । ଭୂ ସ୍ଫଳନ , ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କେତେ ଯେ ଧନ ଜୀବନ ନଷ୍ଟ କରି ଚାଲିଛନ୍ତି ।



ତେବେ ଅସନ୍ତୁଳିତ ପରିବେଶ ବିପର୍ଯ୍ୟୟର ରୂପ ନେଇ ସାମାଜିକ ତଥା ଅର୍ଥନୈତିକ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି । ତେବେ ସାମଗ୍ରିକ ବିକାଶର ବିଷୟକୁ ଆଲୋଚନା କରୁକରୁ ଜଳବାୟୁ ପରିବର୍ତ୍ତନର ଭୂମିକାକୁ ଆଦୌ ଟାଳି ହେବ ନାହିଁ । ଏହାର ବିକଟାଳ ରୂପ ଯେ ଅସୁରକ୍ଷିତ ଅର୍ଥନୀତି ଏବଂ ଦାରିଦ୍ର୍ୟ , ଏହାକୁ ଭୃକ୍ଷେପ କରି ପାରି ନାହାଁନ୍ତି , ବିଶ୍ଵ ସମୁଦାୟ । ୧୯୯୪ ମସିହାଠାରୁ ମିଳିତ ଜାତିସଂଘ ଆନୁକୁଲ୍ୟରେ ବିଶ୍ଵ ସମୂହଙ୍କୁ ନେଇ ଜଳବାୟୁ ପରିବର୍ତ୍ତନ ଆଧାରିତ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି ଆସୁଛି । ବାୟୁମଣ୍ଡଳରେ ସବୁଜ ଘରର ସଂରକ୍ଷଣ , ପରିବେଶ ସୁରକ୍ଷା , ଜଳବାୟୁ ପରିବର୍ତ୍ତନ ଆଦି ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ନେଇ ଏଯାବତ୍ ୧୯୨ଟି ଦେଶ ଦୀର୍ଘ ୨୬ ବର୍ଷ ହେଲା ପ୍ରତିବର୍ଷ ସମ୍ମିଳିତ ହୋଇ ଆସୁଛନ୍ତି । ୨୦୨୧ ମସିହାରେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସ୍କଟଲାଣ୍ଡର ଗ୍ଳାସଗୋ ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତେବେ ୧୯୯୭ ମସିହାର କ୍ଯୋଟୋ ପ୍ରୋଟୋକଲ , ୨୦୧୫ ମସିହାର ପ୍ୟାରିସ ଏଗ୍ରିମେଣ୍ଟ ( ରାଜିନାମା ) ପରି ଗ୍ଳାସଗୋ ସିପି ୨୬ ଗୁରୁତ୍ୱ ବହନ କରେ । ଯୁକ୍ତରାଷ୍ଟ୍ର ଆମେରିକା , ଚୀନ ଭଳି ପ୍ରଗତିଶୀଳ ରାଷ୍ଟ୍ର ମାନେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ , ମିଥେନ ପରି ବିଷାକ୍ତ ଗ୍ୟାସର ସର୍ବାଧିକ ଭାଗିଦାର ହୋଇଥିବା ସତ୍ତ୍ଵେ , ୨୦୧୫ ପ୍ୟାରିସ ରାଜିନାମା ଅନୁଯାୟୀ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦାୟିତ୍ଵବାନ ହୋଇପାରି ନାହାନ୍ତି । ଯଦିଓ ଅଧିକାଂଶ ଦେଶ ବିଫଳ ହୋଇଛନ୍ତି , ତେବେ ସର୍ବାଧିକ ପ୍ରଦୂଷଣର ଭାଗିଦାର ଦେଶମାନେ ହେଉଛନ୍ତି ଅର୍ଥନୈତିକ ସ୍ୱଚ୍ଛଳ ଦେଶ ଯଥା ଆମେରିକା , ଚୀନ , ଆମ ଭାରତ ମଧ୍ୟ ଏଥିରୁ ବାଦ ପଡିନି । ତେବେ ଗ୍ଳାସଗୋ ସମ୍ମିଳନୀରେ , କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ନିର୍ଦ୍ଧାରିତ ହୋଇଅଛି । ପ୍ରଥମତଃ ୨୦୧୫ ପ୍ୟାରିସ ରାଜିନାମାକୁ ଲାଗୁ କରିବା ନିମିତ୍ତ ନୀତି ଓ ପ୍ରଣାଳୀକୁ ସଂପୂର୍ଣ୍ଣ କରିବା , ଦ୍ଵୀତିୟତଃ , ଏହି ଦଶନ୍ଧି ଶେଷ ଅର୍ଥାତ୍ ୨୦୩୦ ସୁଦ୍ଧା ବାୟୁମଣ୍ଡଳର ତାପମାତ୍ରାରେ ଦେଢ଼ ଡିଗ୍ରୀ ହ୍ରାସ କରାଇବା , ତୃତୀୟତଃ ପ୍ରତ୍ୟେକ ଦେଶ ନିଜ ନିଜର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସଶକ୍ତ କରିବା ସହିତ ଲକ୍ଷ୍ୟ ପୂରଣ କରିବା ନେଇ ଢାଞ୍ଚା ପ୍ରସ୍ତୁତ କରିବା , ଚତୁର୍ଥତଃ କୋଇଲା ତଥା ଜୀବାଶ୍ମ ଯୁକ୍ତ ଇନ୍ଧନର ବ୍ୟବହାର ଯଥା ସମ୍ଭବ ହ୍ରାସ କରିବା , ପଞ୍ଚମତଃ ପ୍ରତ୍ୟେକ ଦେଶ ନିଜ ନିଜର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ଅର୍ଥ ନିବେଶ କରିବା ସହିତ ଗରିବ ତଥା କ୍ଷୁଦ୍ର ଦେଶ ମାନଙ୍କୁ ସହଯୋଗ କରିବା ଆଦି । ତେବେ ଏ ଦେଶର ଦାୟିତ୍ଵ ବା କର୍ତ୍ତବ୍ୟ କହିଲେ କେବଳ କ'ଣ ସରକାରଙ୍କର ଦାୟିତ୍ଵ , ସରକାରଙ୍କର କର୍ତ୍ତବ୍ୟ । କେବଳ ଯେ ଅର୍ଥ ବିନିଯୋଗ କରିଦେଲେ , ପରିବେଶ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ନିମନ୍ତେ କାର୍ଯ୍ୟ ସିଦ୍ଧି ହୋଇଯିବ !ବରଂ ପ୍ରତିଟି ମଣିଷ ନିଜ ନିଜର ଦାୟିତ୍ଵକୁ ବୁଝିବାର ପ୍ରକୃଷ୍ଟ ସମୟ ଆସି ପହଞ୍ଚିଛି , ନିଜ ନିଜର କର୍ତ୍ତବ୍ୟ ସଂପାଦନା କରିବାର ବେଳ ହାଜିର୍ ହୋଇଛି । ଆଧୁନିକତାର ଉଷୁମ ପଣତ କାନି , ଅଣନିଃଶ୍ବାସୀ କରିବାକୁ ସଜବାଜ ହୋଇ ସାରିଲାଣି । 


ଆମେ ମାନେ ଏହି ଦଶନ୍ଧିରେ ଯେଉଁ ଜୀବନ ଚର୍ଯାରେ ଜିଉଁଛେ ପୁଣି ପଛକୁ ଫେରିବା ଅସମ୍ଭବ, ହେଲେ ଶୃଙ୍ଖଳିତ ତ ହୋଇ ପାରିବା ! ସଚେତନ ତ ହୋଇ ପାରିବା ! ରହୁଥିବା ଘରଟିଏ ଅଣନ୍ଧୁ ବା ଅସନା ନ ହେବା ପାଇଁ ନିୟମିତ ଓଳାଇଥାଉ ... ଧୋଇ ପରିଷ୍କାର ପରିଚ୍ଛନ୍ନ କରିଥାଉ , ଠିକ୍ ସେମିତି ଏ ପରିବେଶ ଆମରି ଘର । ଆମ ମାନଙ୍କର ଛୋଟ ପ୍ରତିଶୃତି ବଡ଼ ଫଳ ନିଶ୍ଚୟ ଭେଟି ଦେବ । 

* ସଦା ସର୍ବଦା ଆମ ମାନଙ୍କ ପାଖରେ ଗମନା ଗମନ ନିମନ୍ତେ ବିକଳ୍ପ ବ୍ୟବସ୍ଥା ଥାଏ । କାର୍ , ମୋଟର ଯାନ ଆଦି ଅପେକ୍ଷା ସର୍ବ ସାଧାରଣ ଯାନବାହାନ ବା ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରି ପାରିବା । ବ୍ୟକ୍ତିଗତ ଗାଡ଼ି ମଟରକୁ ନେଇ ଅଯଥା ବୁଲିବା ଅଭ୍ଯାସରେ ରୋକ ଲଗାଇ ପାରିବା । ଗନ୍ତବ୍ୟ ସ୍ଥଳ ଅତି କମ୍ ଦୂରତା ହୋଇଥିଲେ ସାଇକେଲ୍ କିମ୍ବା ପାଦରେ ଚାଲି ଯାଇ ପାରିବା । 

* ଶକ୍ତି ସଂରକ୍ଷଣ ଦିଗରେ କାର୍ଯ୍ୟକ୍ଷମତା ହିଁ ପରିବେଶ ପ୍ରଦୂଷଣ ସହିତ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ବେଶ୍ ଉପାଦେୟ ପଦକ୍ଷେପ । ନିଜ ବାସଗୃହରେ ଆବଶ୍ୟକ ଅନୁଯାୟୀ ଶକ୍ତି ବ୍ୟବହାର କରିବା , ଯେମିତି କି ; ଅବ୍ୟବହୃତ ସମୟରେ ବୈଦୁତିକ ସରଞ୍ଜାମ ଗୁଡ଼ିକର ସୁଇଚ୍ କିମ୍ବା ପ୍ଳଗ ବନ୍ଦ ରଖିବା , ଶକ୍ତି ଅପଚୟ କରୁ ନଥିବା ( BEE star rated) ବୈଦୁତିକ ସରଞ୍ଜାମ ବ୍ୟବହାର କରିବା ଇତ୍ୟାଦି । 

* ବ୍ୟବହୃତ ହେଉ ନଥିବା ପ୍ଳାଷ୍ଟିକ , ଇଲୋକ୍ଟୋନିକ୍ସ ସରଞ୍ଜାମ ଗୁଡ଼ିକୁ ଇଆଡ଼େ ସିଆଡେ ନ ପକାଇ , ନ ଜାଳି , ସେ ଗୁଡ଼ିକୁ ପୁନଃ ପ୍ରସ୍ତୁତି ନିମନ୍ତେ ବଦଳାଇବା ପାଇଁ ଚେଷ୍ଟା କରିବା । 

* ନବୀକରଣୀୟ ଶକ୍ତି , ସୌର ଶକ୍ତି ଦିଗରେ ଉତ୍ସାହିତ ହେବା । ଅଧିକାଂଶ ସମୟ ଆଲୋକ ତଥା ତାପ ନିମନ୍ତେ ସୂର୍ଯ୍ୟଙ୍କ କିରଣକୁ ବ୍ୟବହାର କରିବାରେ ଅଭ୍ୟସ୍ତ ହେବା , ବିଦ୍ୟୁତ ଚାଳିତ ଯାନ ବ୍ୟବହାର କରିବା । 

* ଆଜିର ଦିନରେ ରାଜନୀତି ରାଜଧାନୀ ଦିଲ୍ଲୀ ଠାରୁ ଗାଁ ମୁଣ୍ଡ କ୍ଳବ୍ ଘର ପର୍ଯ୍ୟନ୍ତ ତା'ର ଉପସ୍ଥିତି ଜାହିର କରିଛି । ବିଭିନ୍ନ ସ୍ତରର ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ମାନଙ୍କ ସାମ୍ନାରେ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ନିମନ୍ତେ ବିଭିନ୍ନ ଉପଯୋଗୀ କାର୍ଯ୍ୟର ଦାବି ଉପସ୍ଥାପନା କରିବା । 

* ନିଜ ପରିବେଶରେ ନୂଆ ସବୁଜିମା ସୃଷ୍ଟି କରିବା ନେଇ ସଯତ୍ନ ହେବା ସହିତ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ଓ ଏହାର ପରିଣାମ ବିଷୟରେ ସଚେତନ ହୋଇ, ଆଖପାଖରେ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା । 


 ଏ ବିଶ୍ବକୁ ସବୁଜ ରଖିବାର ପ୍ରତିଶୃତି ବଦ୍ଧତା , ପ୍ରତ୍ୟେକଟି ମଣିଷର କର୍ତ୍ତବ୍ୟ । ସାଂପ୍ରତିକ ପରିସ୍ଥିତିରେ ପରିବେଶ ବିଜ୍ଞାନ " କାର୍ବନ ନ୍ଯୁଟ୍ରାଲ୍ ( Carbon Neutral )" ଉପରେ ଗୁରୁତ୍ବ ପ୍ରଦାନ କରେ । ପ୍ରତ୍ୟେକ ଦେଶ ପାଇଁ ଏହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି । ତେବେ ଏହି କାର୍ବନ ନ୍ଯୁଟ୍ରାଲ୍ କ'ଣ ! ସରଳରେ କହିବାକୁ ଗଲେ , ବାୟୁ ମଣ୍ଡଳରେ କୌଣସି ଅଙ୍ଗାରକାମ୍ଳ ଗ୍ୟାସ ନ ମିଶାଇବା । ଅର୍ଥାତ୍ , ଆମର ବଞ୍ଚିବା ତଥା ଦୈନନ୍ଦିନ ଜୀବନ ଶୈଳୀ ନିମିତ୍ତ ଯେତିକି ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନ ହୋଇଥାଏ , ସମପରିମାଣର ଅଙ୍ଗାରକାମ୍ଳ ଗ୍ୟାସ କମାଇବା ପାଇଁ ସଯତ୍ନ ତଥା ଦାୟିତ୍ବବାନ ହେବା । ତେବେ ପ୍ରତିଟି ମଣିଷ ଚାହିଁଲେ ନିଜର ବ୍ୟକ୍ତିଗତ ସ୍ତରରେ ଅତି ସହଜରେ ନିଜ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ଏବଂ କିଛି ଛୋଟ ଛୋଟ ପଦକ୍ଷେପ ନେଇ ନିଜକୁ କାର୍ବନ ନ୍ଯୁଟ୍ରାଲ୍ କରି ପାରିବେ । ନୂଆ ବର୍ଷରେ , ନୂଆ ପ୍ରତିଶୃତିଟିଏ ନିଜକୁ ଦେଇ ପାରିବା , ଚାଲ କାର୍ବନ ନ୍ଯୁଟ୍ରାଲ ହେବା ।


                




Rate this content
Log in

Similar oriya story from Abstract