ଆକ୍ଵେଣ୍ଟଟେଡ
ଆକ୍ଵେଣ୍ଟଟେଡ
ଗାଆଁ ପୋଖରୀ ମାଛ ହେଉ କି ନଦୀ ମାଛ, ଅଥବା କେବେ କେମିତି ବ୍ରଏଲର, ସାଂଗରେ ସାଥିରେ ଅଣ୍ଡା ଭୋଜି... ସତଟା ଏଇଆ, ସେ ସ୍ମୃତି ଆଜି ବି ରୋମାଞ୍ଚ ଭରିଦିଏ, ଶୁଖୁଆ ପାଇଁ ଯେ ଦି ଗୁଣ୍ଡା ଅଧିକ ଭାତ ଖାଇ ହେଇଯାଏ... ଆଉ ବର୍ଷକୁ ଥରେ ଦୁଇ ଥର ଖାସି ମାଂସ ଭୋଜି, ବାସ୍ନାରେ ଉଦର ପୁରି ଯାଏ । ହେଲେ ଆଜି ସାପ୍ତାହିକ ଆମିଷ ବାରକୁ ବେଶ୍ ଜାକଜମକରେ ପାଳନ କରୁ, ସତେ କି... ପରମ୍ପରା ଆଉ ସଂସ୍କୃତି ବଞ୍ଚାଇଛୁ । ଏ ଭଳି ଅଭାବନୀୟ ଅଭ୍ୟାସରେ ବନ୍ଧା ମଣିଷଟା, ରବିବାର ଦିନ ସକାଳୁ ଧର୍ମପତ୍ନୀଙ୍କୁ କହିଲା”ଆଜି ଟିକେ ଚିକେନ୍ ଆଣୁଛି”? ମୁହଁ ବୁଲାଇ ଅନିଚ୍ଛା ପ୍ରକାଶ କଲେ ଆଉ କହିଲେ, ”ଇଚ୍ଛା ହେଉନି”। ବ୍ୟସ୍ତ ହୋଇ ପଚାରିଲି, ”କ'ଣ ଚିକେନ୍ କରିବାକୁ ଇଚ୍ଛା ହେଉନି ନା ଖାଇବାକୁ ଇଚ୍ଛା ହେଉନି”? ଧର୍ମପତ୍ନୀ ମୋ ଆଡେ ଏମିତି ଅନାଇ ରହିଲେ ଯେ ରାଗିଗଲେ ବୋଲି ଭାବି ପାରିଲିନି, କାରଣ ଧର୍ମପତ୍ନୀଙ୍କ ଏ ଚାହାଣୀ ସହ ମୁଁ ପ୍ରାୟ ଆକ୍ଵେଣ୍ଟଟେଡ।
ନୂଆ ନୂଆ ଧର୍ମପତ୍ନୀ ରୋହୀ ମାଛ ତରକାରି କରିଥିଲେ । ବ୍ୟଞ୍ଜନ ଆଖିକୁ ଭାରି ସୁନ୍ଦର ଦେଖା ଯାଉଥିଲା, ଭାରି ଭଲ ସ୍ଵାଦ ଥିବ ନିଶ୍ଚୟ । ହେଲେ ମାଛ ତରକାରିର ନାୟକ ରୋହୀ ମାଛ ଅଧା କଞ୍ଚା ଥିଲେ ଆଉ ଅଧା ସିଝି ଥିଲେ । ଆଗ୍ରହ ଦେଖାଇ ଖାଇଲି, ଖାଉ ଖାଉ ଧର୍ମପତ୍ନୀ ଭାରି ସରାଗରେ ପାଖରେ ଛିଡ଼ା ହୋଇ କହିଲେ”ଘରେ ମମି... ରୋଷେଇ କରନ୍ତି, କେବେ କେମିତି ମ୍ୟାଗି କରିଦିଏ । ଆଇଟମ ଟେଷ୍ଟି ନ ଲାଗିଲେ ଚଳେଇ ଦେବ, ଆସ୍ତେ ଆସ୍ତେ ହୋଇ ଯିବ”। ବାଃ... ଧର୍ମପତ୍ନୀଙ୍କର ଦୁଇ ପଦ ମନଲୋଭା କଥା, ଇଣ୍ଡେନ୍ ଗ୍ୟାସର ଫ୍ଲେମ୍ ଭଳି କାମ ଦେଲା... ଅସିଝା ରୋହି ମାଛ ସିଝିଲା ଭଳି ଲାଗିଲା । ମନଟା ଏକବାରେ ପ୍ରସନ୍ନ ହୋଇଗଲା । କି ସୁନ୍ଦର କଥା... କି ଶିଷ୍ଟାଚାର... ଭାଗ୍ୟରେ ଥିଲେ ମିଳେ । ମୁଁ ବି ଖୁସିରେ ଗଦଗଦ ହୋଇ କହି ପକାଇଲି, ”ଜାଣିଛ ! ମୁଁ ଟେଷ୍ଟଟା ଭଲ ବୋଲି କହୁନଥିଲି... କାଳେ ତୁମେ ପ୍ରଶଂସା ଭଲ ପାଉନଥିବ ! ଏ ରୋହୀ ମାଛର ଭାଗ୍ୟ, ତୁମରି ହାତରେ ରନ୍ଧା ହୋଇଛି । ସତରେ, ତୁମ ହାତରେ ଯାଦୁ ଅଛି”। ଖୁସିରେ ଗଦଗଦ ଧର୍ମପତ୍ନୀ ଆଉ ଦୁଇ ଖଣ୍ଡ ରୋହୀ ମାଛ ବଢାଉ ବଢାଉ... ମୋ ଅବସ୍ଥା ସାଂଘାତିକ । କଥାରେ ରଙ୍ଗ ମାରି କହିଲି, ”ଥାଉ... ଥାଉ..., ଏକା ବେଳେ ଖାଇ ଶେଷ କରିବାକୁ ଇଚ୍ଛା ହେଉନି, ରଖି ଥୋଇ ଖାଇଲେ ଭଲ ଲାଗିବ"। ଏତିକି ଶୁଣୁ ଶୁଣୁ ଧର୍ମପତ୍ନୀ ନିଜ ରାଣ ପକାଇ ଦେଲେ ଆଉ କହିଲେ, ”ସଂଧ୍ୟାରେ ଆଉ ଅଧା କେଜି ଆଣିବ, ଠିକ୍ ଏଇମିତି କରିଦେବି । ମୋ ପାଇଁ... ମୋ ରାଣ... ମୋ ଧନ... ଏଇ ଦୁଇ ପିସ୍”। ସଦ୍ୟ ବିବାହିତ ଧର୍ମପତ୍ନୀଙ୍କ ରାଣ, ବୋଲକରା ଭାବ... ଆଜି ପର୍ଯ୍ୟନ୍ତ ମୋତେ ପେଶି ଚାଲିଛି। ତେବେ, ପିଲା ଦିନର ରାଧୁଆ ମିଛୁଆ ଗପ ମନେ ପଡିଗଲା । ଅସିଝା ରୋହୀ ମାଛ ବାଧ୍ୟରେ ବଡ଼ କଷ୍ଟରେ ଦାନ୍ତ ଦେଖାଇ ଦେଖାଇ ଖାଇଲି । ଆଉ ଖାଇବାର ମାତ୍ର ଏକ ଘଣ୍ଟା ପରେ ବାଘ ହାବୁଡ଼ରେ ପଡ଼ିଲା ରାଧୁଆମାନେ ମୁଁ । ହାଫ୍ ଡାଇରିଆ । ଧର୍ମପତ୍ନୀ ଲେମ୍ବୁପାଣି ଗୋଳାଇ ମୋତେ ପିଇବାକୁ ଦେଉ ଦେଉ, ବାମ ହାତରେ ଚାଖଣ୍ଡିଆ ମୋବାଇଲଟିଏ ଧରି କହୁଥିଲେ”ମମି... ଆଜି ଏତେ ସୁନ୍ଦର ରୋହୀ ମାଛ କରିଥିଲି, ସେ ଲୋଭରେ ଅଧିକ ଖାଇ..."। ଆଉ ଶୁଣି ହେଲାନି । ଆଉ ସତ କଥା ତା'ର କିଛି ଦିନ ପରଠୁ ଆଉ କିଛି ଶୁଣି ବି ହେଉନି ।
ବାପା,ମାଆ ମଝିରେ ମଝିରେ ଗାଆଁ ରୁ ଆସିଲେ ସାଂଗରେ ବାଡି ଅମୃତ ଭଣ୍ଡା, କଞ୍ଚା କଦଳୀ ଦି ଫେଣା, ଶାଗ, ମୁଗ, ବାଦାମ ଇତ୍ୟାଦି ଧରି ଅତି ସରାଗରେ ପୁଅ ବୋହୁ ପାଖକୁ ଚାଲି ଆସନ୍ତି । ଆସୁ ଆସୁ ଧର୍ମପତ୍ନୀ କନା ଜରି ବ୍ୟାଗ ଆଡେଇ ଦେଇ ଖୁସି ହୋଇ ଯାଆନ୍ତି, ଆଉ କହନ୍ତି କେତେ କଥା !” ଯାହା ହେଉ, ବାପା, ମାଆ... ଏ ବୟସରେ ଆମକୁ ଏତେ ଭଲ ପାଆନ୍ତି ଯେ ଦେଶୀ ଜିନିଷ ନିଜେ ବୋହି କରି ଆଣିଛନ୍ତି । ଯେତିକି ଜିନିଷ ଆଣିଛନ୍ତି, ପ୍ରାୟ ସପ୍ତାହେ ଚାଲିଯିବ । ମାଛ, ମାଂସ କିଛି ଆଣିବନି... ନ ହେଲେ, ସବୁ ଜିନିଷ ନଷ୍ଟ ହେବ । ଏମିତି ବି ବାପା, ମାଙ୍କର ପରିଣତ ବୟସରେ, କୋଲେଷ୍ଟ୍ରଲ ବଢିଗଲେ ଗାଆଁ ରେ ଏକା ରହୁଛନ୍ତି, ସମସ୍ତେ ହଇରାଣ ।” ହତାଶ ଚାହାଣୀରେ ଅନାଇ ରହେ । ଭାବେ ସତ କଥା ! ତୁମ ବାପା ମା, ଆସିଲେ ଗୋଟାଏ ମିଠା ପ୍ୟାକେଟ ଧରି ଆସନ୍ତି, ଏତେ ଦେଶୀ ଜିନିଷ ତ ଆଣନ୍ତିନି, ତେଣୁ ନଷ୍ଟ ହେବାର କିଛି ନ ଥାଏ । ଓଃ... ସେଇଥିପାଇଁ, ମାନନୀୟ ଶ୍ଵଶୁର ଆଉ ମାନନୀୟା ଶାଶୁ ଆସିଲେ, ବରାଦ ହୁଏ ଲମ୍ବା ଚଉଡା... କେବେ ମଟନ କେବେ ବାଘ ଚିଙ୍ଗୁଡ଼ିମାନେ ଟାଇଗର ଚିଙ୍ଗୁଡ଼ି । ହେଲେ ତାଙ୍କର ଏ ସବୁ ଖାଇ କୋଲେଷ୍ଟ୍ରଲ ହୁଏନି ! ସାହାସ ଜୁଟାଇ ଥରେ ପଚାରି ଦେଲି । ସେ ଦିନ ଧର୍ମପତ୍ନୀ ଏମିତି ଚାହାଣୀରେ ଅନାଇଲେ, ମୁଁ ସ୍ତମ୍ଭୀଭୂତ ଆଉ ସ୍ତବ୍ଧ ଧର୍ମପତ୍ନୀଙ୍କ ନ୍ୟାୟ ଶୁଣି । ତାଙ୍କ ବାପା ମାଆ ବର୍ଷକୁ କ'ଣ ଥରେ ଦି ଥର ଆସୁଛନ୍ତି କି ନାଇଁ ! ଟିକେ ମଟନ, ଚିଙ୍ଗୁଡ଼ି ଖାଇଲେ ମୁଁ କୁଆଡ଼େ ଦେଖି ସହି ପାରୁନି । ସତ କହିବାକୁ ଗଲେ ମୁଁ ନିରସ୍ତ୍ର ପରାସ୍ତ ଯୋଦ୍ଧାଟିଏ ସଂସାରର କୁରୁକ୍ଷେତ୍ରରେ । କୁଟି କୁଟି ଭରି ରହିଥିବା ଧର୍ମପତ୍ନୀଙ୍କ କୁଟନୀତି ଆଗରେ ଧରାଶାୟୀ ମଣିଷ ଯେ କେବଳ ନିରବ ନୁହେଁ ନିରୂପାୟ ମଧ୍ୟ । ଆଉ ତା ପରେ, ସରଳ, ସରସ ମଣିଷପଣିଆ ଆପଣେଇବାର ସାଧନାରେ ଏକବାରେ ବ୍ରତୀ । ନିଃସନ୍ଦେହରେ ନିଃସ୍ଵାର୍ଥପର ମଣିଷ କାମ କ୍ରୋଧ ପରିତ୍ୟାଗ କରି ଭାଗବତ ଗୀତାର ସେଇ ଦୁଇ ପଦ କଥାକୁ ଆଧାର କରିଛି, ସବୁ ସେଇ ପରମେଶ୍ୱରଙ୍କ ଇଛା । ନିଷ୍ପାପ ସରଳ ଜୀବନ ବଞ୍ଚୁ ବଞ୍ଚୁ, କେବେ କେମିତି ବାଟ ହୁଡା ହୋଇଗଲେ
, ଧର୍ମପତ୍ନୀଙ୍କ ଶାଣିତ ଚାହାଣୀ ମୋତେ ପୁନର୍ବାର ସରଳ କରିଦିଏ, ହେଲେ ଏବେ ସରଳ ହେବା ସହିତ ମୁଁ ପ୍ରାୟ ଆକ୍ଵେଣ୍ଟଟେଡ ।
ସେଦିନ ଧର୍ମପତ୍ନୀଙ୍କ ବରାଦରେ ରବିବାରରେ ମଟନ ଅଣାହେଲା । ବାସ୍ ଆଉ ବିଶେଷ କିଛି କାମ ନ ଥାଏ, କେବଳ ମଟନ ସିଝିବାକୁ ଆତୁର ଅପେକ୍ଷା । ତେବେ ଏହି ଦିନଟିରେ ଓଡ଼ିଆ ଖବର କାଗଜକୁ ପୁଙ୍ଖାନୁପୁଙ୍ଖ ପଢାଯାଏ । ସପ୍ତାହ ଯାକର ପଇସା ଅସୁଲି ଜିଦିରେ । ହଠାତ୍ ସରକାରୀ କ୍ଵାର୍ଟର୍ସରେ ଅଣଓସାରିଆ ଡ୍ରଇଁ ରୁମ୍ ପର୍ଯ୍ୟନ୍ତ, ଧର୍ମପତ୍ନୀଙ୍କର ଚିତ୍କାରର ସ୍ଵର, ”ମାଆ ଲୋ... ମରିଗଲି... ମରିଗଲି, କିଛି ଅଧିକ ଚିନ୍ତିବା ପୂର୍ବରୁ ପ୍ରଥମେ ମନରେ ପ୍ରଶ୍ନଟିଏ ଆସିଲା, ଧର୍ମପତ୍ନୀ ”ମମିଲୋ... ମରିଗଲି... ମରିଗଲି, କହିବା କଥା...”। ତେବେ ଆଉ ଡେରି ନ କରି ନସର ପସର ହୋଇ ରୋଷେଇ ଘର ଆଡ଼କୁ ଧାଇଁଗଲି । ଧର୍ମପତ୍ନୀ ବାମ ହାତ ଆଙ୍ଗୁଠି ଗୁଡିକୁ ଡାହାଣ ହାତ ପାପୁଲିରେ ଜାବୁଡ଼ି ଧରିଛନ୍ତି, ସ୍ଳାବ ଉପରେ ଅଧା କଟା ପିଆଜ ଆଉ ପିଆଜ କଟା ଛୁରୀ । କ'ଣ ହେଇଛି ଆଉ ଅବୁଝା ରହିଲାନି । ସଂଗେ ସଂଗେ ବ୍ୟସ୍ତ ହୋଇ ପଚାରିଲି, ”ଦେଖିଆ ଦେଖିଆ, କ'ଣ ହେଇଛି”? ଧର୍ମପତ୍ନୀ ଚିଡି ଉଠି କହିଲେ”କି ଭଳିଆ, ମଣିଷ, କିଛି ଜାଣି ପାରୁନ ! କ'ଣ ଦେଖିଲେ ଯାଇ ଜାଣିବ, ନାଇଁ... ଦେଖିବ କେତେ କଟିଛି”। ଉଦାସ ହୋଇ କାନ୍ଧରେ ପକାଇଥିବା ନାଲି ଖୋର୍ଦ୍ଧା ଗାମୁଛାଟିରେ ଧର୍ମପତ୍ନୀଙ୍କ ବାମ ହାତ ଆଙ୍ଗୁଠିଗୁଡାକୁ ଚାପି ଧରିଲି, ରକ୍ତ ସ୍ରାବ ବନ୍ଦ ହୋଇଯିବା ଉଦ୍ଦେଶ୍ୟରେ । ଓଃ... କି ଫାଲତୁ ଲୋକ କହି, ହାତ ଛିଞ୍ଚାଡି ଧର୍ମପତ୍ନୀ ପଳାଇଲେ । ଯିବା ପୂର୍ବରୁ ଏତିକି ଦେଖିଲି, ଲୁହମାନେ ବାହାରକୁ ଆସିବେ କି ନାଇଁ, ଧର୍ମପତ୍ନୀଙ୍କ ଆଖି ଡୋଳାରେ ବିଚାର ମଗ୍ନ ଥିଲେ । ଖୋର୍ଦ୍ଧା ଗାମୁଛାଟିକୁ ଅନ୍ୟମନସ୍କ ଭାବେ ଦେଖୁ ଦେଖୁ, ଦେଖିଲି ରକ୍ତସ୍ରାବର ଦାଗ ନ ଥିଲା । ବହୁତ ଖୁସି ହେଲି, ଦୁଇଟା କାରଣ ଯୋଗୁଁ, ପ୍ରଥମଟା - ଯାହା ହେଉ ଧର୍ମପତ୍ନୀଙ୍କର ରକ୍ତ ବହି ନାହିଁ ଏବଂ ଦ୍ଵିତୀୟଟା - ଗାମୁଛାରେ ରକ୍ତ ଦାଗ ଲାଗି ନାହିଁ । ନିଶ୍ଚିନ୍ତ ହେଲି ଯେ, ଛୁରୀ ସାମାନ୍ୟ ଘଷି ହୋଇ ଉପର ଚର୍ମକୁ ଉଚ୍ଛେଦ କରି ଥାଇ ପାରେ ।ଉଛୁଳା ନଦୀ ମୁହଁକୁ ଯିବି କି ନାହିଁ ଭାବି ନ ଯିବା ପାଇଁ ଉଚିତ୍ ମଣିଲି । ଆଖି ଆଗରେ ଅଧା କଟା ପିଆଜ, ପଲିଥିନ ଭିତରୁ କଞ୍ଚା ମଟନର ବାସ୍ନା... ଆଜି ମୋତେ ହିଁ ମଟନ ରାନ୍ଧିବାକୁ ପଡ଼ିବ । ବାସ୍... ଆଜି ଗୋଟେ ସୁଯୋଗ ମିଳିଛି, ବଢିଆ କି ରୋଷେଇ କରିବି, ଧର୍ମପତ୍ନୀଙ୍କୁ ଖୁଆଇବି । ତା ପରେ ସେ ବି ଯେମିତି... ବାଧ୍ୟ ହେବେ ଭଲରେ ରୋଷେଇ କରିବା ପାଇଁ । ଲାଗି ପଡ଼ିଲି କାମରେ । ମସଲା ପାଇଁ ଅଦା, ରସୁଣ ପେଷ୍ଟ, ପିଆଜ କାଟି... ମସଲା କଷା ଷ୍ଟାର୍ଟ । ମଟନ କଷାରୁ ଉଦର ପୁରା ବାସ୍ନା ବି ବାସି ଉଠିବା ଆରମ୍ଭ କଲେଣି । ଏତିକି ବେଳେ ଦେଖିଲି ଧର୍ମପତ୍ନୀ ରୋଷେଇ ଘର କବାଟ ପାଖରେ ସ୍ମିତ ବଦନରେ ମୋତେ ଆଉ ନନ୍ ଷ୍ଟିକ୍ କଡେଇରେ ସିଝୁଥିବା ମଟନକୁ ଅନାଇ ରହିଛନ୍ତି । ପଚାରିଲି, କିଛି ହେଇନି ତ ! ଧର୍ମପତ୍ନୀ ଉତ୍ତର ଦେଲେ, ”ନା... ନା... ଛୁରୀଟା ହାତରୁ ଖସିଗଲା, ଉପର ପାଖଟା ଆଙ୍ଗୁଠିରେ ମାଡ଼ି ହୋଇ ଗଲା, କିଛି ହୋଇନି”।ମୋର”ଓଃ... ମୁଁ ଭାବିଲି", ଏତିକି ଶୁଣୁ ଶୁଣୁ ଧର୍ମପତ୍ନୀ ଉତ୍ତର ଦେଲେ, ”କ'ଣ ଚାରିଟା ଆଙ୍ଗୁଠି କଟିଗଲା”। ନିରୁତ୍ତର ରହିଲି, ମଟନ ତରକାରୀ କଲି ।
ଯଥା ସମୟରେ, ମଧ୍ୟାହ୍ନ ଭୋଜନ ହେଲା । ଖାଇ ସାରିବା ପରେ ଧର୍ମପତ୍ନୀ କହିଲେ, ”ଆଗରୁ ରୋଷେଇ ଜାଣିଛ, କାହିଁ କହିନ ତ ! ଭଲ ରୋଷେଇ କରୁଛ”। ପ୍ରଶଂସା ଶୁଣି ହିତାହିତ ଜ୍ଞାନ ହଜାଇ ଦେଲା ପରି ହୋଇଗଲି । ବଖାଣି ଚାଲିଲି, ”ଗାଆଁ ତୋଟା... ଭୋଜିର ରୋଷେଇ, ମେସ... ରୋଷେଇ, ପିକନିକ ରୋଷେଇ”। ଭାରି ମୁଗ୍ଧ ହୋଇ ଶୁଣୁଥିଲେ ଧର୍ମପତ୍ନୀ ମୋ କଥାକୁ, ଆଉ ମୁଁ ପ୍ରବଳ ଉତ୍ସାହିତ ହୋଇ ବଖାଣି ଚାଲିଥିଲି ।
ବାସ୍ ଏ ହିତାହିତ ଜ୍ଞାନ ହଜାଇ ହତୋତ୍ସାହିତ ହେବାର ସମୟଟା ଏତେ ଜଲଦି ଭେଟ ହୋଇଯିବ, ସ୍ୱପ୍ନରେ କଳ୍ପନା କରି ନଥିଲି । ତା ପର ଶନିବାର ଦିନ ସଂଧ୍ୟାରେ ପାଖ କ୍ଵାର୍ଟର୍ସର ସାହୁ ବାବୁ ଦେଖା ହୋଇ କହିଲେ, ”ଆପଣ ଏତେ ଭଲ ରୋଷେଇ କରନ୍ତି, କାହିଁ ଆମେ ଜାଣି ପାରିଲୁନି । ଘରେ ମ୍ୟାଡାମଙ୍କୁ ଏକା ଏକା ହାତ ତିଆରି ମଟନ..."। ନିଶ୍ଚେ ଆମ ଧର୍ମପତ୍ନୀ ସାହୁ ବାବୁଙ୍କ ଧର୍ମପତ୍ନୀଙ୍କୁ କଥାଟା ସେୟାର କରିଛନ୍ତି, ଟିକେ ଅଂହକାର ମିଶା ଲାଜରେ ହସି ଦେଇ କହିଲି”ହଁ... ସାହୁ ବାବୁ, ଆଗରୁ କରେ... ଏଇମିତି"। ସାହୁ ବାବୁ କହିଲେ”କାଲି ମ୍ୟାଡାମ୍ ଆମ ମ୍ୟାଡାମଙ୍କୁ ଫୋନ୍ କରି ଲଞ୍ଚ ପାଇଁ ଆମକୁ ଇନଭାଇଟ କରିଛନ୍ତି । କହୁଥିଲେ ମଟନ ବୋଲି । ତେବେ ଟିକେ ଡେରିରେ ହେଉ ପଛେ, ବଟ ଉଇ ଆର୍ ଏକଷ୍ଟ୍ରିମଲି ଏକସାଇଟେଡ"। ବାସ୍... ଗଣ୍ଡାଏ ଦାନ୍ତ ଦେଖାଇ ହସି ପଳାଇଲେ । ଦୁଇ ଶହ ଛଅ ଖଣ୍ଡ ହାଡ଼ରେ ଏକା ବେଳେ ବିଷର୍ଣ୍ଣତା ଭରିଗଲା । କହି ହେଲାନି କି ସହି ହେଲାନି, ତହିଁ ଆରଦିନ ରବିବାରରେ ମଟନ ରୋଷେୟା ହେଲି । ମୋ ନିଜ ଗୋଡରେ ନିଜେ କୁରାଢି ମୁଁ ଯେ ନିଜେ ମାରିଛି, ହୃଦୟଙ୍ଗମ କଲା ପରେ କହିବି କାହାକୁ ! ଭାଗ୍ୟକୁ ଆଦରି, ମନ କଥା ଏକବାରେ ମନରେ ରଖି ଚାଲିଛି ଆଉ ଚାଲିବାକୁ ପଣ ବି କରିଛି। ଏ ଭିତରେ ନନ୍ ଭେଜ୍ ରୋଷେଇ ମୋ ଦାୟିତ୍ଵ, ଅବଶ୍ୟ ଏ ପରିସ୍ଥିତି ସହିତ ମୁଁ ନିଜକୁ ପ୍ରାୟ ଆକ୍ଵେଣ୍ଟଟେଡ କରିଦେଲିଣି । କେଜାଣି କାହିଁକି ଏବେ ରବିବାର, ବୁଧବାର, ଶୁକ୍ରବାର ଆସିଲେ ମନେ ମନେ ଭାବେ ସବୁଦିନ ସୋମବାର କି ଗୁରୁବାର ହୋଇ ଯାଆନ୍ତା କି !