Er Subhransu Kumar Behera

Comedy

4.0  

Er Subhransu Kumar Behera

Comedy

ଆକ୍ଵେଣ୍ଟଟେଡ (ଦୁଇ)

ଆକ୍ଵେଣ୍ଟଟେଡ (ଦୁଇ)

6 mins
232


ଏଇ କିଛି ଦିନ ତଳେ ସରାଗିଆ ଡେ ଗୁଡ଼ାଏ ପଳାଇଗଲା ... ଓଃ... ମଣିଷ ଟିକେ ନିସ୍ତାର ପାଇଲା । ଛିଃ ... ଛିଃ ... କି ହିନସ୍ତା ହେଇଚି ମୁଁ । ଆଜି ଏଟା ... କାଲି ହେଟା ... ଆଉ ଶେଷରେ ଗୁଡ଼ାଏ ବ୍ୟୟ ପ୍ରତି ବଦଳରେ ଆୟ କଲି କିଛି ବେଲଜିଆ ହସ, ଯାହା ସହିତ ମୁଁ ପ୍ରାୟ ଆକ୍ଵେଣ୍ଟେଡ ।


ବାହାଘର ଠିକ୍ ହେଲା ପରେ ପରେ, ଭାବି ଧର୍ମପତ୍ନୀଙ୍କ ସହିତ କଥା ହୋଇ ତାଙ୍କର ରୁଚି ଅରୁଚି, ମାନସିକତା ଇତ୍ୟାଦି ଆଦି ଜାଣିବା ସକାଶେ, ଆଣ୍ଡ୍ରଏଡ ଫୋନଟିଏ ତାଙ୍କ ପାଖକୁ ପଠାଇଥିଲି । ସତଟା ଏଇଆ, ଭାବି ଧର୍ମପତ୍ନୀଙ୍କ ବିଷୟରେ ଜାଣିବା ଅପେକ୍ଷା ମୋ ବିଷୟରେ ଜଣାଇବା ଗୁରୁତ୍ୱପୂର୍ଣ୍ଣ ଥିଲା । ଟିକିଏ ନାୟକପଣ ଦେଖାଇବା ନିମନ୍ତେ ସାରା ଯୌବନ ସାହାସ ଜୁଟାଇ ନପାରି, ଗଭୀର ଅଶାନ୍ତିରେ ଥିଲି ଭିତିରିଆ । ହେଲେ ଆଜି ଈଶ୍ଵରଙ୍କ ନିର୍ଦ୍ଦେଶ ଆଉ ଗୁରୁଜନମାନଙ୍କର ଆଶୀର୍ବାଦ, ନାୟିକା ରେଡି । ବିନା ପରିଶ୍ରମରେ ନାୟିକା ମିଳିବାର ଖୁସିରେ ଅଧିର ମଣିଷର, ଖତ ଗଦା ରସିକ ପଣିଆରେ ସତେ ଯେମିତି ଦାମ୍ ଲାଗିଗଲା । କି ! ଲାଜେ ଲାଜେ କଥା ... ପ୍ରଥମ ଫୋନ୍ କଲଟିରେ କିନ୍ତୁ ଦ୍ଵିତୀୟ କଲ ରେ ସ୍ଵାଭାବିକ ... ହେଲେ ଅଗୋଚରରେ ଅସ୍ୱାଭାବିକ, ଆଉ ଆଜିର କଥାଟା ହେଉଛି ଅସ୍ଵସ୍ତିକର । ଦିନକୁ ପାଞ୍ଚ ସାତ ଥର କଥା ବାର୍ତ୍ତା, ପୁଣି ସେଥିରୁ ଗୋଟିଏ ଦୁଇଟା ଭେରି ଲଙ୍ଗ କଲ୍ । ମାସେ ପରେ ବାହାଘର, ତେଣୁ ଅଙ୍କାଳିଆ ହୋଇ କଥା ହେଲୁ ... ଧର୍ମପତ୍ନୀଙ୍କ ସ୍ଵର ସଦ୍ୟ ଛେନାଠୁ ଯେ ଆହୁରି କୋମଳ ଥିଲା, ମୋ ଛଡା କେହି ଜଣେ ଜାଣି ନାହାନ୍ତି କି ଆଉ ପାରିବେନି । ଦିନେ କଥା ହେଉ ହେଉ ପଚାରିଲେ - " କହିଲ ଦେଖି କାଲି କ'ଣ ? " ଉତ୍ସାହିତ ହୋଇ କହିଲି - " କାଲି ପରା ଶୁକ୍ରବାର ! " । କହିଲେ " ନାହିଁ ମ ... କେତେ ତାରିଖ । ଉତ୍ତର ଦେଲି " ୭ ମାନେ, ଫେବୃଆରୀ ୭", ଅଳ୍ପ ହସି ପୁଣି ପଚାରିଲେ " କ'ଣ ମ କିଛି ଜାଣି ପାରୁନ ! ସ୍ପେଶାଲ ଡେ ଏଥର, ସ୍ପେଶାଲ ଆମ ପାଇଁ" । ମୁଁ ଭାରି ଏକ୍ସାଇଟେଡ, ନିରବ ଥିଲି ... ମୋ ନିରବତାକୁ ଭାଙ୍ଗି କହିଲେ " କାଲିଠୁ ଭାଲେଣ୍ଟାଇନ ଉଇକ୍ ... ଫାଷ୍ଟ ଡେ ରୋଜ ଡେ "। ଓଃ ... ଭାରି ଉତ୍ସାହିତ ହୋଇ କହିଲି " କାଲି ଲାଲ୍ ଗୋଲାପଟେ ତୁମକୁ ଗିଫ୍ଟ ଦେଇ ଆସିବି " । ସେ କହିଲେ " ସତରେ ... ତୁମେ ଆସି ପାରିବ ? " ବାସ୍ତବଟା ନିଷ୍ଠୁର ହୋଇ ନିମିଷକେ ବରଫ ଭଳି ଉତ୍ସାହଟିକୁ ପାଣି କରି ଦେଲା । ଟିକେ ପାଇଁ ଚିନ୍ତା କଲି, ଉତ୍ସାହିତ ହୋଇ ଗୋଲାପଟେ ଦେବିକି ନାହିଁ ... ହେଲେ ବାହାଘର ପରେ ଅଣ୍ଡରଏଷ୍ଟିମେଟ ହୋଇ ପାରେ । ଏତେଟା ଫରୱ୍ଵାର୍ଡ ହେବାଟା ଭଲ ନୁହେଁ । ଏବେ ଅନୁଭବ କରୁଛି, ଗୋଲାପଟେ ଦେଇକି ଅଣ୍ଡରଏଷ୍ଟିମେଟ ହୋଇଥିଲେ ଭଲ ହୋଇଥାନ୍ତା ।


ତହିଁ ଆରଦିନ ଗୁଗୁଲରୁ ଭିନ୍ନଭିନ୍ନ ଜାତିର ଗୋଲାପ ଡାଉନଲୋଡ କଲି । ସକାଳ ସାତଟାରୁ ରାତି ବାରଟା ପର୍ଯ୍ୟନ୍ତ ପ୍ରତି ଏକ ଘଣ୍ଟାର ଅନ୍ତରାଳରେ ଗୋଟିଏ ଗୋଟିଏ ଗୋଲାପ ... କେଉଁଟା କଢ ପତ୍ର ମିଶା, କେଉଁଟା ଅଧା ଫୁଟା, କେଉଁଟା ଫୁଲ୍ ଫୁଟା ତ ପୁଣି ଦୁଇଟା ପାଖୁଡ଼ା ତଳେ ପଡି ମୁଣ୍ଡ ଟେକା ଲାଲ୍ ଗୋଲାପର ଚିତ୍ର, ହ୍ଵାଟସ୍ଆପରେ ପଠାଉଥାଏ । ସେପଟେ ତାଙ୍କର ଭେରି ନାଇସ୍, ୱ୍ଵାଓ, ବିଉଟିଫୁଲ୍, ଥାଙ୍କ ୟୁ ... ମନ୍ତବ୍ୟ ମୋତେ ନାହିଁ ନ ଥିବା ଉତ୍ସାହିତ କରୁଥାଏ । ଆଜି ଭାବୁଛି, ଗୋଲାପର ପାଖୁଡ଼ା ସବୁ ଝଡି ଗଲେଣି ପ୍ରାୟ। ସେଦିନ ରାତିରେ ମୋବାଇଲରେ କଥା ହେଉ ହେଉ ଭାବି ଧର୍ମପତ୍ନୀ ମନେ ପକାଇ ଦେଲେ ଆସନ୍ତାକାଲି ପ୍ରପୋଜ୍ ଡେ । ଆଉ କଅଁଳେଇକି ମୋ ତରଫରୁ ପ୍ରପୋଜ୍ କରିବା ପାଇଁ କହିଲେ । ଆଦୌ ବିଚଳିତ ହୋଇ ନ ଥିଲି, କାରଣ ଉତ୍ତର ଜଣାଥିଲା । ହେଲେ ଟିକେ ଲଜିକାଲ୍ ହୋଇ ପଚାରିଥିଲି " ପ୍ରପୋଜ୍ ତୁମେ କଲେ କ'ଣ ଅସୁବିଧା ... ମୁଁ ତ ହଁ ଭରିବି "। ସେ କହିଲେ " ଧେତ୍, ଝିଅ ମାନେ ପ୍ରପୋଜ୍ କରିବା ଅପେକ୍ଷା ପୁଅ ମାନେ କଲେ ଭଲ " । ଯାହାର ଭଲ ପରିଣତି, ଏବେ ଭୋଗୁଛି ମୁଁ । ତେବେ ତହିଁ ଆରଦିନ କଥାରେ ଆଉ ପୁଣି ଥରେ ହ୍ଵାଟସ୍ଆପରେ ସେ କାର୍ଯ୍ୟକ୍ରମ ସରିଲା । ବିନା ଦେଖା ଚାହାଁରେ କଥା ବାର୍ତ୍ତା କିମ୍ବା ହ୍ଵାଟସ୍ଆପରେ ଯାହା ସମ୍ଭବ ସରିଲା । ଚକୋଲେଟ ଦିନ ଚକୋଲେଟ୍ ଫଟୋ, ଟେଡି ଦିନ ଟେଡି ... ଫଟୋ ଇତ୍ୟାଦି ଇତ୍ୟାଦି। ତେବେ ଭାଲେଣ୍ଟାଇନ ଡେ ଦିନ ମୋତେ ବି ଫୋନରେ କହିବାକୁ ପଡିଲା " ୱ୍ଵିଲ୍ ୟୁ ବି ମାଇଁ ଭାଲେଣ୍ଟାଇନ୍ " । ମୁଣ୍ଡ ସେବେଠୁ ବିକିଲିଣି, ଆଜି ଆଉ ଭାବି ଲାଭ କ'ଣ ? ତେଣୁ କଥା ଶୁଣି ବେଲଜିଆ ହୋଇ ହସିବାରେ, ଏକବାରେ ଆକ୍ଵେଣ୍ଟଟେଡ ମୁଁ । ପ୍ରେମ ଯେ ନିରବ ହୃଦୟର ମୂର୍ଚ୍ଛନା ... ଆସିକ୍ ବନାୟା ରିଙ୍ଗ ଟୋନରେ କଲ୍ ଆସିବା ପରେ ହିଁ ଅନୁଭବ କରୁଥିଲି, ହେଲେ ଏବେ ଇନ୍ କମିଙ୍ଗ କଲ୍ ଓମ୍ ଜୟ ଜଗଦୀଶର ରିଙ୍ଗ ଟୋନ ବେଶ ଶୃତି ମଧୁର ଲାଗୁଛି ।


ଜୀବନରେ ଅନେକ କିଛି ଘଟଣା ଘଟିଯାଏ, ଯାହା ମଣିଷ କେବେ ସ୍ୱପ୍ନରେ ବି କଳ୍ପନା କରି ନ ଥାଏ, ସବୁ ଘଟଣା ତେବେ ବାହାଘର ସରିବା ପରେ, ଆଖି ଆଗରେ ଦେଖିଲି, ସ୍ତମ୍ଭୀଭୂତ ବି ହେଲି । ନାରୀର ପ୍ରେମିକା ଅବତାର ଆଉ ସ୍ତ୍ରୀ ଅବତାରରେ ପ୍ରଭେଦ ଅନୁଭବ ବି କଲି । ଭାବିଲି ଯାଉଛି ମୁଁ ବି ପ୍ରେମିକରୁ ସ୍ଵାମୀ ହୋଇଯିବି । ହତଭାଗ୍ୟ ମଣିଷଟା ସ୍ଵାମୀ ହେଲା, ହେଲେ ସ୍ଵାମୀତ୍ଵକୁ ଖୋଜୁ ଖୋଜୁ ସ୍ତ୍ରୀ ପାଖରେ ଦେଖିଲି । ଅବଶ୍ୟ ମଝିରେ ମଝିରେ ମୋ ସ୍ଵାମୀତ୍ଵ ପଣିଆକୁ ମୋ ସ୍ତ୍ରୀ ମୋତେ ସୁଧରେ ଉଧାର ଦିଅନ୍ତି, ଯଦି କିଛି ଅକଳରେ ପଡିଯାଆନ୍ତି । ଅତି ସନ୍ତପ୍ତ ମନରେ ବି ଖୁସି ହେବାର ଅଭିନୟ କଲି । ସରଳ ସରସ ମଣିଷ ହିଁ ଅସଲ ମାନବିକ ଗୁଣ ବୋଲି ଦୃଢତାର ସହ ବିବେଚନା କଲି । ଅନ୍ୟର ଖୁସିରେ ... ମୁଁ ବି ଖୁସି, ନ୍ୟାୟରେ ଖୁସିରେ ବଞ୍ଚିବାକୁ ଲାଗିଲି। ପ୍ରାୟ ଆକ୍ଵେଣ୍ଟଟେଡ ହୋଇ ଗଲିଣି। ଏଇ ଭିତରେ ପାଖା ପାଖି ବର୍ଷେ ହୋଇ ଗଲାଣି । ସେ ଦିନ ଅଫିସ୍ ବାହାରୁ ବାହାରୁ ସ୍ତ୍ରୀ କହିଲେ " ଆଜିଠୁ ଭାଲେଣ୍ଟାଇନ ଉଇକ୍, ମନେ ଅଛି ତ "! ହଠାତ୍ ଯାଇ, କାନ୍ଥରେ ଟଙ୍ଗା ଥିବା ରାଧାରମଣ କ୍ୟାଲେଣ୍ଡରଟିକୁ ଚାହିଁ ରହିଲି । ସ୍ତ୍ରୀ ରାଗ ତମ ତମ ହୋଇ କହିଲେ " କ'ଣ କ୍ୟାଲେଣ୍ଡରରେ ଭାଲେଣ୍ଟାଇନ ୱିକ୍ ଖୋଜୁଛ ? " ଅଳ୍ପ ହସି କହିଲି " ନାହିଁ, ତୁମେ ତ କହିଲ ଆଜିଠୁ ବୋଲି " । ସ୍ତ୍ରୀ କ‌ହିଲେ " ଆଉ କ'ଣ ଦେଖୁଛ "? " କେଉଁ ଦିନ କେଉଁଟା ... ବର୍ଷେ ହୋଇ ଗଲାଣି ତ, ଭୁଲି ଯାଇଛି " କହି ମୁରୁକି ହସି ମୁହଁ ପୋତି ତରବରରେ ଅଫିସ୍ ବାହାରିଗଲି । କବାଟଟା ଧଡ କରି ବନ୍ଦ କଲେ ବୋଲି ଖାଲି ଶୁଣିଲି ଯାହା । ଦିନ ପ୍ରାୟ ବାରଟା ସାଢ଼େ ବାରଟାରେ ମନେ ପଡିଗଲା, ଆରେ ହେ ! ଭାଲେଣ୍ଟାଇନ ୱିକ୍ । ହଠାତ୍ ମୋବାଇଲ ବାହାର କରି ଗୁଗୁଲରୁ ନାଲି ଗୋଲାପ ଦୁଇ ତିନିଟା ଡାଉନଲୋଡ କରି ସ୍ତ୍ରୀଙ୍କୁ ହ୍ଵାଟସ୍ଆପ କରିଦେଲି । ଓଃ ... ସରିଲା, ତେବେ ଭେରି ନାଇସ୍, ୱାଓ୍, ବିଉଟିଫୁଲର ମେସେଜ ଆସିବା ନେଇ ସନ୍ଦେହରେ ଥିଲି ତେଣୁ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ରହିଲି । ପାଞ୍ଚ ମିନିଟ୍ କି ଦଶ ମିନିଟ ଭିତରେ ହେବ, ଓମ୍ ଜୟ ଜଗଦୀଶ ହରେର ... ରିଂ ଟୋନ୍ ବାଜି ଉଠିଲା । ମୋବାଇଲ୍ ଧରି ଦେଖିଲି, ସ୍ତ୍ରୀ କଲିଙ୍ଗ୍ ... । ଅଳ୍ପ ଟିକେ ଅଧିର ହୋଇଗଲି, କ୍ଷଣକ ଭିତରେ ... କେତେ ଯେ କଳ୍ପନା ଆସିଲା ! ଭାବୁଥାଏ, ହସି ଦେଇ ଥାଙ୍କ ୟୁ କହିବେ, ଭେରି ନାଇସ୍ କହିବେ, ୱ୍ଵାଓ ବିଉଟିଫୁଲ୍ କହିବେ ... ବୋଧ ହୁଏ କହିବେ, ଆଜି କ'ଣ ଖାଇବ ...? ଆରେ ଆରେ ... ଫୋନଟା ରିଂ ହେଉଛି ଯେ ! ଭାବନାରେ ଯବନିକା ଟାଣି ଫୋନ୍ ରିସିଭ୍ କଲି ଆଉ ସୁ ଭାଷ ହୋଇ କହିଲି " ହୁଁଉଉଉ..." । ଅନ୍ୟ ପାର୍ଶ୍ୱରୁ ସ୍ତ୍ରୀ କହୁଥିଲେ " ଫୋନ ଉଠାଇବା ପାଇଁ କେତେ ସମୟ ଦରକାର ? ଏମିତି କି ବ୍ୟସ୍ତ ଥିଲ ଶୁଣେ "। ସକାରାତ୍ମକ ଭାବନାରେ ଚିନ୍ତା କଲି, କେତେ ଶ୍ରଦ୍ଧାରେ ଫୋନ୍ କରିଛନ୍ତି ଉଇସ୍ କରିବାକୁ, ଟିକେ ଲେଟ୍ ହୋଇଗଲା ବୋଧେ । ତେବେ ପରିସ୍ଥିତିକୁ ସଜାଡିବା ଆଳରେ କହିଲି " ଟିକିଏ କ'ଣ ଡେରି ହେଲା, ଅଭିମାନ କରୁଛ " । ହଠାତ୍ ସ୍ତ୍ରୀ କ‌ହିଲେ " ଏଟା ଅଭିମାନ ଭଳିଆ ତୁମକୁ ଲାଗିଲା "? ହଁ ... ହଁ... ହ୍ଵାଟସ୍ଆପରେ କ'ଣ ପଠେଇଛ "? ମୁଁ କହିଲି " ଆଜି ରୋଜ ଡେ ପରା, ବାଛି ବାଛି ଗୁଗୁଲରୁ ଲାଲ୍ ଗୋଲାପ ପଠେଇଛି "। ସ୍ତ୍ରୀ କହିଲେ " ମୁଁ ଛୁଆ ... ନାଇଁ ମୁଁ ଛୁଆ ... ରୋଜ୍ ଡେ ରେ, ଗୋଲାପ ଫୁଲ ନ ଆଣି, ଫୁଲ ଫଟ ପଠଉଛ, ତମକୁ ଟିକିଏ ଲାଜ ଅଛି "? ଏଇ ବର୍ଷକରେ ମୋ ସ୍ତ୍ରୀ ବଡ଼ ହୋଇଗଲେ ! ଅବଶ୍ୟ ଏହିପରି ଶୁଣି ଚୁପ୍ ରହିବା ସହ ମୁଁ ପ୍ରାୟ ଆକ୍ଵେଣ୍ଟଟେଡ ହୋଇ ଗଲିଣି । ପୁଣି କହିଲେ " ଅଫିସରୁ ଫେରିଲା ବେଳେ, କେବଳ ଗୋଲାପ ଫୁଲରେ ଗୋଟେ ବଡ ବୁକେ ଧରି ଆସିବ ... ଶୁଣୁଛ କି ନା ! " " ହଁ .. ହଁ .. ଶୁଣୁଛି " ବୋଲି କହି ପଚାରିଲି " ଭଲ ତାଜା ବଡ଼ ଗୋଲାପ ଫୁଲଟେ ନେଲେ ହବନି ?" ସ୍ତ୍ରୀ କହିଲେ " ଦେଖ ... ଗତ ବର୍ଷ ମୁଁ କଥାକୁ ଏତେ ଧରିନି, ଫଟୋ ପଠେଇ ଦେଇ କାମ ଚଳାଇ ଦେଲ । ଗତ ଥରର, ଏ ଥରର ମିଶିକି ବୁକେ, ଓକେ " । ଏ ଯୁକ୍ତି ଶୁଣିବା ପରେ ମନେ ମନେ ଚୁପ୍ ଚାପ୍ ଭାବୁଥିଲି, ଆସନ୍ତାକୁ ଗୋଲାପ ବଗିଚା ଆଉ ତା ପରେ ନନ୍ଦନକାନନ ! ପୁଣି ସ୍ତ୍ରୀଙ୍କ ସ୍ଵର " ଦେଖ, ସଂଧ୍ୟାରେ ତଳ କ୍ଵାଟର ସାହୁ କପଲ୍‌ ଘରକୁ ଆସିବେ, ଆଉ ସେ ଆସିବା ଆଗରୁ ବୁକେ ଯେମିତି ଆସିଥିବ "। ଟିକିଏ ସଂଶୟରେ ପଚାରିଲି, " କ'ଣ ବୁକେ ତାଙ୍କ ପାଇଁ ?" ଚିଡି ଉଠି କହିଲେ " ଫାଲତୁ କଥା ବନ୍ଦ କର । ବୁକେ ଆମ ଟି ପଏ ଉପରେ ରହିବ ଆଉ ସାହୁ କପଲ୍ ଜାଣିବେ ତୁମେ ମୋ ପାଇଁ ଆଣିଛ ବୋଲି । ହେଲା ... ସତ କହୁଛି, ଆଜି ରୋଜ ବୁକେ ନ ଆସିଲେ, ଏଥର ତୁମ ବାପା ମା ଆସିଲେ, ମୋତେ ମିଛ ଜର ହେବ । ରଖୁଛି । ଏ... ଏ... ଶୁଣ ଶୁଣ ଆସିଲା ବେଳେ, ମିଠା ଆଉ ପିସ୍ତା ଟିକେ ଆଣିବ, ସାହୁ କପଲ୍ ଆସୁଛନ୍ତି " । ହଉ କହିବା ଆଗରୁ ଫୋନ୍ କଟିଗଲା ।


   ବିବାହ ପରେ ଭାଲେଣ୍ଟାଇନ ଦିବସଟି ସ୍ତ୍ରୀଙ୍କ ହିସାବରେ ବେଶ୍ ଭଲ ଭାବରେ ପାଳନ ହେଲା। ଏଥର ଫଟୋ ନୁହେଁ ସତ ସାମଗ୍ରୀ ଥିଲା। ଗତ ଥର ପରି ପୁଣି ଏଥର ମୁଁ ବି ପ୍ରପୋଜ୍ କଲି, ସ୍ତ୍ରୀ ହଁ ଭରିଲେ, ପୁଣି ମୋତେ ହିଁ କହିବାକୁ ପଡିଲା " ୱ୍ଵିଲ୍ ୟୁ ବି ମାଇଁ ଭାଲେଣ୍ଟାଇନ୍ " ଆଉ ସେ ମୋତେ ଗ୍ରହଣ କଲେ । ସ୍ତ୍ରୀଙ୍କ ଅଜଣାତରେ ତାଙ୍କରି ଆଡ଼କୁ ଅନାଇ, ଭାବେ ଭୁଲ୍ ହେଲା କୋଉଁଠି ? ତେବେ ଗ୍ରହଣ କରିବା ଆଉ ଗ୍ରହଣ ହେବା ମଧ୍ୟରେ ପାର୍ଥକ୍ୟ ବୁଝିବା ପରଠୁ ପ୍ରତ୍ୟେକଟି ପରିସ୍ଥିତି ସହ ମୁଁ ପ୍ରାୟ ଆକ୍ଵେଣ୍ଟଟେଡ ।



Rate this content
Log in

Similar oriya story from Comedy