STORYMIRROR

Er Subhransu Kumar Behera

Abstract Classics Inspirational

3.5  

Er Subhransu Kumar Behera

Abstract Classics Inspirational

ସେ ବି ଜଣେ ମଣିଷ

ସେ ବି ଜଣେ ମଣିଷ

3 mins
278



     ଇସ୍କୁଲରେ ନାଁ ଲେଖା ହେଲା ବାପା ମୋ ସାଥିରେ ଯାଇଥିଲେ । ହେଡ ମାଷ୍ଟରଙ୍କ ପାଖକୁ ଯାଉ ଯାଉ ବାପା ତାଗିଦ୍ କରିଥିଲେ ଆଣ୍ଠେଇକି ମୁଣ୍ଡିଆ ମାରିବୁ । ଏ ଇସ୍କୁଲର ସବୁଠୁ ବଡ଼ ସାରେ । ଏତିକି ବୁଝିଥିଲି ପାଦ ଛୁଇଁ ଆଣ୍ଠେଇକି ମୁଣ୍ଡିଆ ମାରିବି । ହେଡ ମାଷ୍ଟର ଯେଉଁ ଘର ଭିତରେ ବସିଥିଲେ କବାଟ ପରଦା ଟେକି ବାପା ନଇଁକି ଦୁଇ ହାତ ଯୋଡ଼ି ମୁଣ୍ଡିଆ ମାରିଲେ । ମୁଁ ମାରିଲିନି । ବାପା କହିଥେଲେ ଆଣ୍ଠେଇକି ମୁଣ୍ଡିଆ ମାରିବାକୁ । ତେଣୁ ତାଙ୍କ ପାଖକୁ ଯାଇ ପାଦ ଛୁଇଁ ମୁଣ୍ଡିଆ ମାରିବି । ଏତିକିରେ ବାପା ଟିକେ ରାଗିକି କହିଲେ " ଅଇରେ ... ଇଏ ପରା ଗୁରୁ ... ମୁଣ୍ଡିଆ ମାରୁନୁ । ତୋର ଏତିକି ଜିନିଷ ମୁଣ୍ଡରେ ପଶୁନି "। ବାପାଙ୍କ କଥା ନ ସରୁଣୁ ଟିକି ଟିକି ପାଦରେ ହେଡ ମାଷ୍ଟରଙ୍କ ଆଡ଼କୁ ମୁଣ୍ଡିଆ ମାରିବାକୁ ବଢୁ ବଢୁ ହେଡ ମାଷ୍ଟର ତାଗିଦ୍ କରି କହିଲେ " ଅଇରେ ... କୁଆଡେ ତୁ ସେଇଠି ମାରେ "। ବାପା ବି ପଛ ଆଡ଼ୁ କଅଁଳିଆ କାନ୍ଧ ଦୁଇଟାକୁ ତାଙ୍କ ବଳୁଆ ହାତରେ ଟିକେ ମାଡ଼ି ଦେଇ କହିଲେ " ଏଇଠି ମାରିଦେ " । ମୁଁ ଏଇଠି କେମିତି ମାରିବି ? ଭାବୁ ଭାବୁ ନଇଁ ପଡି କାଠ ଟେବୁଲର ଗୋଟିଏ ଖୁରାକୁ ଦୁଇ କଅଁଳିଆ ଆଙ୍ଗୁଠି ଟିପରେ ଛୁଇଁ ଆଣ୍ଠେଇକି ମୁଣ୍ଡିଆ ମାରିଲି ହେଡ ମାଷ୍ଟରଙ୍କୁ ... ସତ କଥା ହେଉଛି କାଠ ଟେବୁଲର ଆଗ ପଟ ଡାହାଣ ଖୁରାକୁ । ମତେ କେଜାଣି କାହିଁକି ଭଲ ଲାଗିଲାନି ହେଡ ମାଷ୍ଟରଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଥିଲେ ହୁଏତ ଭଲ ଲାଗି ଥାଆନ୍ତା । ମୁଣ୍ଡଟା ଉଠାଇ ଠିଆ ହେଉ ହେଉ ଟେବୁଲ୍ ପଟାଟା ମୁଣ୍ଡରେ ଠାଇକି ବାଜିଲା । ମୋ ହାତରେ ଆଉଁସୁ ଆଉଁସୁ ବାପା ପଛ ଆଡ଼ୁ ତୋଳି ନେଲେ ଆଉ ଆଉଁସି ପକାଇଲେ । କଷ୍ଟରେ କେମିତି କେଜାଣି କାନ୍ଦଟା ସିନା ଚାପି ହୋଇ ଯାଇଥିଲା ହେଲେ ଆଖିରୁ ଲୁହ ଧାର ବୋହି ଯାଉଥିଲା । ବାପା ବୋଧ ଦେଉ ଦେଉ କହିଲେ ... ନାଇଁ ... ନାଇଁ ... କିଛି ହେଇନି ମ ! ଟିକିଏ ନାକୁରୁ କ'ଣ ବାଜିଲା କହି କାନ୍ଧରେ ପକାଇଥିବା ପୁରୁଣା ଖୋର୍ଦ୍ଧା ଗାମୁଛାଟିରେ ଲୁହ ପୋଛି ପକାଇଲେ । ହେଡ ମାଷ୍ଟର ମୋ ଆଡେ ଅନେଇ କହିଲେ, " କଷ୍ଟ କଲେ କୃଷ୍ଣ ମିଳେ । କିଛି ହେଇନି କିରେ "! ମୁଁ ନାକ ସଁ ସଁ କରି ମୁଣ୍ଡଟାକୁ ବାଁ ଡାହାଣ କରି ଦି ଥର ହଲେଇ ଦେଲି । ମୋଟା ଚଷମା ଫାଙ୍କରୁ ମୋତେ ଅନେଇ ରହି ପଚାର

ିଲେ " ପାଠ ପଢ଼ିବୁ " । ଏତିକି ଶୁଣିବା ମାତ୍ରକେ ମୋ ମୁଣ୍ଡରେ ଯାହା କଷ୍ଟ ହେଉଥିଲା କାଇଁ ତ କେଜାଣି ଆଉ ଲାଗି ନ ଥିଲା । ଟିକିଏ ଲାଜ କରି ହେଡ ମାଷ୍ଟରଙ୍କ ଆଡ଼କୁ କଣେଇ କି ଅନେଇ ହଁ କହିଲି । ହେଡ ମାଷ୍ଟର ଟିକେ ଜୋରରେ ପଚାରିଲେ " ଆରେ ! ପାଠ ପଢ଼ିବୁ "! ମୁଁ ଟିକେ ଶଙ୍କି ଯାଇ କହିଲି " ହଁ ... ପଢିବି ଚାକେରୀ କରିବି "। ହେଡ ମାଷ୍ଟର ଟିକେ ଖୁସି ହେଇକି ଅଳପ ହସିଲେ ପଛ ଆଡ଼ୁ ବାପା ତାଙ୍କ ବଳୁଆ ହାତରେ ମୋ ମୁଣ୍ଡ ସାଉଁଳେଇ ଦେଉ ଦେଉ ମୁଁ ବୁଲି ପଡି ବାପାଙ୍କ ଆଡ଼କୁ ଅନାଇ ଦେଖିଲି ବାପାଙ୍କ ଆଖିଟା ପାଣିଚିଆ ପାଣିଚିଆ ଦେଖା ଯାଉଥିଲା । ମୋତେ ଅନାଉ ଅନାଉ ଖୋର୍ଦ୍ଧା ଗାମୁଛାଟିକୁ ଆଖି ଉପରେ ମାଡ଼ି ପକେଇ କ'ଣ ଗୋଟେ ଯେମିତି ପୋଛିଲା ଭଳିଆ କଲେ ।


     ସମୟ ଗଡ଼ି ଯାଇଛି ବଦଳି ବି ଯାଇଛି ହେଲେ ବାପାଙ୍କ ଆଖି ପାଣିଚିଆ ହେବାଟା ଯେ ଛାତି ତଳର କୋହ ଯେଉଁ ମାନେ ଉଦ୍ଯତ ହେଉଥିଲେ ପାଣି ହୋଇ ବାହାରିଯିବା ପାଇଁ ଆଉ ସେ ପାଣି ଯେ ଲୁହ ... ଗାମୁଛାକୁ ଆଖି ଉପରେ ମାଡ଼ି ତାକୁ ହିଁ ପୋଛି ପକାଇଥିଲେ ... ବାପା ... ଏତକ ବୁଝିବାର ସିନା ହୋଇ ଗଲିଣି ! ହେଲେ ଆଜି ବି ଅବୁଝା ହୋଇ ରହି ଯାଇଛି... ଜନ୍ମରୁ ଆମ ପାଇଁ ସ୍ଵପ୍ନ ଦେଖିବାଟା ... ଆମରି ସ୍ବପ୍ନରେ ବିଭୋର ହେବାରେ ... ଆନନ୍ଦ କର୍ତ୍ତବ୍ୟ ନା ଆଉ କିଛି ! ଆମ ପାଇଁ ସ୍ଵପ୍ନ ଦେଖୁଥିବା ସେ ମଣିଷ ଜଣକ ନିଜର ସ୍ଵପ୍ନ ଭୁଲି ଯାଇ ନାହାନ୍ତି ତ ! ନିଜର ଆଶା ଗୁଡାକୁ ମଉଳା ଫୁଲ ଭାବି ସମୟ ସ୍ରୋତରେ ଭସାଇ ଦେଇ ନାହାନ୍ତି ତ ! ଆଦର ଶ୍ରଦ୍ଧା ଉପଲବ୍ଧି କରାଇ ପାରୁଥିଲ ଅସହଜ ଭିତରେ ବି କେତେ ସହଜ ହୋଇ ଯାଉଥିଲ କେମିତି ... ! ଏଇ ଭିତରେ ଅନୁପମର ଆଖି ବି କେମିତି ପାଣିଚିଆ ହୋଇ ଆସିବାର‌ ଅନୁଭବ କଲା । ଅନୁପମର ସ୍ତ୍ରୀ ପାଖକୁ ଆସି କହିଲେ " ରାତି ୧୧ ହେବ ଖାଇବ ଚାଲ ... ପିଲା ମାନେ ଖାଇ ପିଇ ଶୋଇ ଗଲେଣି "! ଚାଲ ! ସ୍ତ୍ରୀଙ୍କୁ ଲୁଚାଇ ଅନ୍ୟମନସ୍କ ହୋଇ କ'ଣ ଖୋଜିଲା ଭଳି ମନେ ହେଲା ଅନୁପମ ... ଖୋର୍ଦ୍ଧା ଗାମୁଛା ... ନ ଥିଲା ... ରେଶମ ରୁମାଲରେ ଆଖି ଉପରେ ମାଡ଼ି ଦେଇ କ'ଣ ଗୁଡ଼ାଏ ପୋଛିଲା ଭଳି ହେଲା । 


              ***


Rate this content
Log in

Similar oriya story from Abstract