ପ୍ରତୀକ୍ଷା
ପ୍ରତୀକ୍ଷା
ପାଚେରୀ ଉପରେ ସାମ୍ରାଜ୍ୟ ବିସ୍ତାର କରିଛି ଅପୂର୍ବ ସୁନ୍ଦରୀ ଫ୍ଲେମ୍ ଭାଇନ ଫୁଲ ଗଛଟି, କିନ୍ତୁ ହାୟ ! ସୁନ୍ଦର ପେନ୍ଥା ପେନ୍ଥା ଫୁଲ ପାଖେ ପାଖେ ନିଛାଟିଆ ପରିବେଶ । ମନ ଲାଗୁନି, ଶୂନ୍ୟତା ଆହୁରି ଶୂନ୍ୟ କରୁଛି ମାଳତୀ ଦେବୀଙ୍କ ମନକୁ । ହୃଦୟରୁ ପ୍ରବାହିତ ମୃତ ନଦୀଟି ଏ, ନିଜର ଅସ୍ତିତ୍ୱ ଖୋଜୁଛି । ଆକାଶ ବି କାହିଁକି କେଜାଣି ମୁହଁ ବୁଲେଇ ଚୁପଚାପ୍ ବସିଛି ଗାଲରେ ହାତ ଦେଇ।
ବର୍ଷାରେ ଭିଜି ଗଲା ଫୁଲ ଗଛଟି । ଗୋଟାଏ ପତ୍ରରୁ ଆଉ ଗୋଟାଏ ପତ୍ର ହୋଇ ପୃଥିବୀକୁ ଛୁଉଁ ଥାଏ, ଟୋପା ଟୋପା ବର୍ଷା ଜଳ । ମାଟିର ବାସ୍ନା କିନ୍ତୁ ଭଲ ଲାଗୁନି, ମାଳତୀ ଦେବୀଙ୍କୁ । ହଠାତ୍ କେମିତି ସବୁ ଘଟିଗଲା, ଏକ ଲୟରେ ମୃତ ପ୍ରାୟ ଆକାଶ ଆଡେ ଅନେଇ ଥିଲେ ମାଳତୀ ଦେବୀ, କାହା ପ୍ରତୀକ୍ଷାରେ କେଜାଣି...****....
ତାଙ୍କ ସହ ଝଗଡା, ଦୁଇ ତିନି ଦିନ ଭାରି ଅଶାନ୍ତି, ତା ପରେ ସହରକୁ ଯାଇ ସାଙ୍ଗ ଘରେ ରହିବା, ସବୁକିଛି ଅଚାନକ ଘଟିଗଲା । ମୋତେ ସନ୍ଦେହ କଲେ ଏଇ ପରିଣତ ବୟସରେ । ମୁଁ କୁଆଡେ ପଡିଶା ଘର ଜଣେ ବୟସ୍କ ପୁରୁଷ ସାଥିରେ ଘଣ୍ଟା ଘଣ୍ଟା ଗପୁଥିଲି ।
ପ୍ରଥମ ଥର ଝଗଡା,ଚାଳିଶ ବର୍ଷର ବୈବାହିକ ଜୀବନ ଭିତରେ ଘର ଦ୍ୱାର କମ୍ପିଲା । ଅତ୍ୟଧିକ ଭାବ ପ୍ରବଣ ହୋଇ କହିଲି "ନୋ ଫଲ୍ଟ୍ ଇନ୍ ମ୍ୟାରେଜ୍ ଇଜ୍ ଏ ଫଲ୍ଟ୍ ."
ଝଗଡା ଝାଟି ହେଲେ ସବୁକିଛି ଦେହସୁଆ ହୋଇଯାଏ, ଖଟା ମିଠା ଲାଗେ ବୈବାହିକ ଜୀବନଟା । ଆଦୌ ଝଗଡା ନ ହେବା ବହୁତ ବଡ଼ ଭୁଲ ଜୀବନରେ । ପରିଣତ ବୟସରେ ଜୀବନର ପ୍ରଥମ ଝଗଡ଼ା, ଭାରି କଷ୍ଟ ଦାୟକ, ଆଜି ବୁଝିଲି ...
ଗାଳି ସହି ନ ପାରି ଚୁପଚାପ୍ ଘର ଛାଡ଼ି ଚାଲିଗଲେ । ବିବାହର ଚାଳିଶ ବର୍ଷ ଭିତରେ ମନରୁ ହୃଦୟ ପର୍ଯ୍ୟନ୍ତ ସବୁକିଛି ଡିସେକ୍ସନ୍ କରିଛନ୍ତି ସେ । ବହୁତ ଭଲ ପାଆନ୍ତି, ଭାରି ଧର୍ମପରାୟଣ । କାହିଁକି ଏମିତି ଘଟିଲା କିଛି ବୁଝି ହେଲାନି । ପୁଅ, ଝିଅ ଜର୍ମାନୀରେ ରହନ୍ତି, କହିଲି ଆସ ଟିକିଏ କଥାଟିକୁ ବୁଝ । ସିଧା ଜବାବ ଦେଲେ ନୂଆ ନୂଆ ପ୍ରୋଜେକ୍ଟ୍ ହାତରେ ନେଇଛୁ । ଅତି କମରେ ଛଅ ମାସ ପରେ ଛୁଟି ମିଳିବ ବୋଉ । ଭିଡିଓ ଚାଟ୍ କରି ବୁଝେଇ ଦେଲେ, ସାଥିରେ ରୁହ । ଆମେ ଆସିଲେ ବୁଝିବା.........
ସେ କିନ୍ତୁ କିଛି ଶୁଣିଲେନି,ଏଆର ବେଗଟି ଧରି ବାହାରି ଗଲେ । ପରେ ବୁଝିଲି, ସାଙ୍ଗ ଘରେ ଯାଇ ରହୁଛନ୍ତି, ମୁଁ ବି ଭାବିଲି ବାହାରେ କିଛି ଦିନ ରୁହନ୍ତୁ, ମୁଣ୍ଡ ଥଣ୍ଡା ହେଲେ ଆସିବେ।
ଗ୍ୟାସ ଅନ୍ କରିବା ବି ଆସେନି ତାଙ୍କୁ । ଗରମ ପାଣି ନ ହେଲେ ଗାଧୋଇ ପାରନ୍ତିନି । ସନ୍ଧ୍ୟା ପୂର୍ବରୁ ଗୋଟାଏ କପ୍ ଇଲାଚି ଚା ନ ହେଲେ ନ ହବ । ରସୁଣ, କଞ୍ଚାଲଙ୍କା ଛୁଙ୍କ ଦେଇ ହରଡ ଡାଲି ନ ବନେଇଲେ ଅଧା ଖାଇବାରୁ ଚୁପଚାପ୍ ଉଠି ଯାଆନ୍ତି । ମନ ଥଣ୍ଡା ହୋଇ ଯାଇଥିବ ଭାବି ଫୋନ କଲି । କାଟିଦେଲେ । ଚାକର ଛୁଆ ମାଧିଆକୁ ଫୋନ୍ କରି କୁଆଡେ ମୋ କଥା ବୁଝିଥିଲେ ବୋଲି ମାଧିଆ କହୁଥିଲା, ତାକୁ କହିଥିଲେ ଆଣ୍ଟିକୁ କହିବୁନି ମୁଁ ଫୋନ କରିଥିଲି ବୋଲି । ମାଧିଆ କଣ କହୁଥିଲା ? ପଟେଇ ପଟେଇ କଥା ଆଦାୟ କଲି ତା ପାଖରୁ।
ବିବାହ ପରେ ସମ୍ପର୍କଟା ବୋଧେ ଏମିତି । ଏଇ ସମ୍ପର୍କରେ ସବୁ ଝଗଡା ଝାଟି ମିଛ, ଆଉ କ୍ଷଣସ୍ଥାୟୀ । ମିଛର ଆୟୁ ସୀମିତ,ମିଛ ସେତେ ପର୍ଯ୍ୟନ୍ତ ବଞ୍ଚିରହେ ଯେତେ ପର୍ଯ୍ୟନ୍ତ ସ୍ନେହ, ଯତ୍ନ ପରି ନିଛକ ସତର ଜନ୍ମ ହୋଇ ନ ଥାଏ । ମାଧିଆକୁ ଫୋନ୍ କରି ଆମ ଝଗଡାକୁ ପୂର୍ଣ୍ଣ ବିଶ୍ରାମ ଦେବାର ପରିପକ୍ୱ ପ୍ରଚେଷ୍ଟା ଭିତରେ କିଛି ପ୍ରେମ, କିଛି ମମତା ପୁନର୍ବାର ଜନ୍ମ ବି ନେଇ ସାରିଥିଲା ଆମ ଭିତରେ ।
******
ଶୀତର ପ୍ରକୋପ ବଢ଼ିଛି । ବାକି ଥିବା ଗୋଟାଏ ସୁଏଟରକୁ ରାତି ସାରା ବସି ବୁଣିଲେ ମାଳତୀ । ମାଧିଆ ହାତରେ ସୁଏଟର ଟିକୁ ପଠେଇଲେ ଦିବାକର ଙ୍କ ପାଖକୁ । ହାତ ଲେଖା ଚିଠି ସାଥିରେ।
"କାଲି ରାତିର ଶୀତ ତମେ ସହି ପାରିଲ ?
ସୁଏଟର ପଠେଇଛି, ପିନ୍ଧିବ । ସୁଏଟରର ଶେଷ କେତେ ଧାଡ଼ି ରଙ୍ଗ ବଦଳି ଯାଇଛି । ଚଷମା କୋଉଠି ଥୋଇ ଦେଲି ଯେ ପାଇଲିନି । ରାତିରେ ଉଲର ରଙ୍ଗ ବାରିବା ସମ୍ଭବ ହେଲାନାହିଁ । ସକାଳେ ଉଠି ଦେଖିଲା ବେଳକୁ ରଙ୍ଗ ଅଲଗା । ରାଗିବନି ପ୍ଲିଜ୍ । ଏ ବୁଢ଼ୀ ବୟସରେ ଆଉ ଥରେ ଉଲ୍ ଖୋଲି ବୁଣିବା କଣ ସମ୍ଭବ !!! ଖାଲି ତମେ ଶୀତରେ ଥରୁଥିବ ବୋଲି ସୁଏଟର ଧରି ବସିଲି, ଜାଣିଛ, କାଲି ରାତି ତିନିଟାରେ ଶୋଇଛି ।
ଖାଲି ଏତିକି ଦୁଃଖ ଯେ, ଉଭୟେ ଉଭୟଙ୍କୁ ଚିହ୍ନିବା ପାଇଁ ଚାଳିଶ ବର୍ଷ ପ୍ରାୟ ଯଥେଷ୍ଟ ନଥିଲା । ତମେ ମୋତେ ଥରେ କହି ଥିଲ ନା ଆକାଶରୁ ଭୂଇଁର ଦୂରତା କଣ ମାପି ହୁଏ । ଆକାଶ ଭୂଇଁକୁ କାମୁଡି ପଡ଼ିଥାଏ ସାରା ଜୀବନ ପାଇଁ, ପୃଥିବୀ ଥିବା ପର୍ଯ୍ୟନ୍ତ । କେହି କାହାକୁ ଛାଡି ପାରେନି, ଯେମିତି ଆମେ ଦୁଇ ଜଣ !! ସ୍ଵାମୀ ଓ ସ୍ତ୍ରୀ, କିନ୍ତୁ କଣ ହେଲା, ତମେ ଛାଡି ଚାଲିଗଲ ।
ଆହୁରି କହିଥିଲ ନା "ସମ୍ପର୍କର ଏଇ ମେଳା ଭିତରେ ଖୁବ ଭିଡ଼ଥାଏ, ସମସ୍ତେ ଅତି ନିଜର ଲାଗନ୍ତି । ଅକସ୍ମାତ୍ କିଛି ହୋଇଗଲେ ସ୍ଵାମୀର ହାତ ଭିତରେ ଆଉ ଗୋଟାଏ କୋମଳ ପାପୁଲିଟିଏ ଆପେ ଆପେ ଜାବୁଡ଼ି ହୋଇଯାଏ । ସେଇ କୋମଳ ହାତଟି ଆଉ କାହାର ନୁହେଁ, ପତ୍ନୀର !!! ଯାହାକୁ ନିଜର ଭାବୁଥିଲ ସମସ୍ତେ ସ୍ୱାର୍ଥପର ନା, ପାଖରେ ଦେଖିବ କେହି ନ ଥିବେ।"
କୁହ, ଯାହା ମୋତେ କହିଥିଲ ସବୁ ମିଛ ବୋଲି !!!!
ହାତ ଉପରେ ହାତ ରଖି ଆଶ୍ୱାସନା ଦେବା ଖୁବ୍ ସହଜ ନୁହେଁ, ସେଇଥିପାଇଁ ତମେ ସବୁବେଳେ ମୋତେ ବୁଝଉଥିଲେ ବିବାହ ଏମିତି ଗୋଟାଏ ଚୁକ୍ତିନାମା, ଅକ୍ଷରେ ଅକ୍ଷରେ ପାଳିବା ସମ୍ଭବ ହୁଏନି । ଆଜି ବୁଝିଗଲି, କଥାଟି ସତ ବୋଲି।
କହିଥିଲ ! କାନ୍ଦିବା ପାଇଁ ସମୟ ଓ ଜାଗାର ଦରକାର ହୁଏନି, ସେଦିନ ବୁଝି ନ ଥିଲି, ଆଜି ବି ବୁଝି ପାରୁନି।
ତମେ ଯିବା ଦିନଠୁ ଔଷଧ ଖାଇନି । ନାଲି, ନୀଳ ଦୁଇପ୍ରକାର ଟାବ୍ ଲେଟ୍ । କୋଉଟା ସକାଳେ, କୋଉଟା ସଂଜରେ ମୁଁ କଣ ଜାଣିଛି !!! ମୁଁ ଆଁ କରିଦିଏ ତମେ ଖୁଏଇ ଦିଅ ।
ଜାଣିଛ ମାଛ ନ ହେଲେ ମୋତେ ଖାଇବା ରୁଚେନି !!!!
ପଇସା ପତ୍ର ମାରି ନିଏ ବୋଲି, ଆଳୁ ସିଝା ଓ ଆଚାର ଲଗେଇ ମୁଁ ଭାତ ଖାଇ ନେଉଛି, ମାଧିଆକୁ କିନ୍ତୁ ହାଟକୁ ପଠଉନି । ଭାରି ଦୁଷ୍ଟ ସେ...କେତେବେଳେ କଣ ହଡପେଇ ନେବ, ଭାରି ଭୟ।
ଯତ୍ନ ନେବ !!
ଇତି,ମାଳତୀ
*****
ଫୋନ୍ ଆସିଲେ ମାଳତୀ ଦୌଡିଯାନ୍ତି ଆଶାଟିଏ ନେଇ, ଦିବାକର କିଛି କହିବେକି, ତିନି ଚାରି ଦିନ ପର୍ଯ୍ୟନ୍ତ କେତେ ଥର ଦୌଡିଛନ୍ତି ସେ ଫୋନ ପାଖକୁ ତାର ହିସାବ ନାହିଁ । ଆଦୌ ଫୋନ୍ କରୁ ନାହାନ୍ତି ସେ । ଉଦବେଗ ଆଉ ପ୍ରତୀକ୍ଷା ଜନିତ ମାନସିକ ଯନ୍ତ୍ରଣା ପୁଣି ବୁଢ଼ୀ ବୟସରେ ..
ଦିନେ ଅଚାନକ ରିଙ୍ଗ ହେଲା, ଫୋନ ଉଠେଇଲେ ମାଳତୀ ଦେବୀ,
କେମିତି ଅଛ ମାଳତୀ !
ଆଖି ଭରି ଉଠିଲା । ଆଜି ବୁଝିଲେ, କାନ୍ଦିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଓ ଜାଗାର ଆବଶ୍ୟକତା ହୁଏନି ବୋଲି । ଖନେଇ ଖନେଇ କହିଲେ
-ମୁଁ ଠିକ୍ ଅଛି,
-ପଠେଇଥିବା ସୁଏଟରଟି ବହୁତ ଭଲ ହୋଇଛି ମାଳତୀ, ଭରା ଭରା ଉଷ୍ମତା ଭିତରେ ତମ ପ୍ରେମର ଭରପୁର ବାସ୍ନା ଥିଲା, ଉଲ୍ ବଦଳି ଯାଇଛି । ଦୁଇ ଧାଡ଼ି ରଙ୍ଗ ବଦଳି ଗଲେ ନା ଉଷ୍ମତା କମିଯାଏ ନା ପ୍ରେମର ରଙ୍ଗ ବଦଳେ...ତମେ ମୋ ମନ କିଣି ନେଲ ଅତି ସହଜରେ । ସ୍ଵାମୀ, ସ୍ତ୍ରୀ ଭିତରେ ଏହା ହିଁ ସମ୍ପର୍କର ସାରାଂଶ ବୋଧ ହୁଏ ...
ଜାଣିଛ ମାଳତୀ ତାଙ୍କ ଘର ଡାଲିରେ ତମ ହାତର ସେଇ ବାସ୍ନା ନାହିଁ, ତମ ହାତର ଟିକିଏ ସ୍ପର୍ଶ ପାଇଁ ପ୍ରତି ରାତିରେ ମୋ ହାତ ଅଜାଣତରେ ଅନେକ ଖୋଜେ ତମକୁ । ନିଦ ଭାଙ୍ଗିଯାଏ, ପାଖରେ ତମେ ନ ଥାଅ । ଦେଖେ ତ, ଗୋଟାଏ ଦାଢ଼ି ବାଲା ବୁଢ଼ା ମଣିଷ, ମୋ ସାଙ୍ଗ, ଶୋଇଥାଏ ମୋ ପାଖେ ପାଖେ । କିଛି ନିସ୍ତବ୍ଧତା ଆଉ କିଛି ଶୂନ୍ୟତା ମୋ ହାତ ମୁଠାରେ ଠୁଳ ହୋଇଯାଏ । କେମିତି ସେଇଠି ରହିବି କହିଲ ...!!!
ମୋତେ ସବୁ କାମ ଆସେ ମାଳତୀ, ମୋର ସବୁ କାମ ତମେ କର, ସେଇଥିପାଇଁ ବୋଧହୁଏ ମୁଁ କିଛି ଜାଣେନି ବୋଲି ଅଭିନୟ କରେ । ଟିଭି ପାଖରେ ଚଷମାକୁ ଗେଞ୍ଜିଦେଇ ଭୁଲି ଯାଅ । ମୋତେ ପଚାରି ହୁଅ, ମୋ ଚଷମା ଦେଖିଛକି ? ଏବେ ଦେଖ ! ଟିଭି ପାଖରେ ହିଁ ଥିବ...ମୋତେ ଛାଡ଼ି ତମେ କଣ ବଞ୍ଚି ପାରିବ !!!
-ହଁ, ଟିଭି ପାଖରେ ଅଛି କହି ହସି ଦେଲେ ମାଳତୀ । ଆଉ କେବେ ଛାଡ଼ି ଯିବନି କୁହ ..
-ଏଇ ପରିଣତ ବୟସରେ ମୁଁ କଣ ତମକୁ ସନ୍ଦେହ କରି ପାରିବି ମାଳତୀ !! ଏଇଟା ମୋର ଅଭିନୟ ଥିଲା ତମ ପାଇଁ..
ଖାଲି ଜାଣିବାକୁ ଇଛା ଥିଲା ମୋତେ ଭଲ ପାଇବା ଛଡା ଆଉ କଣ କଣ ଜାଣିଛ ବୋଲି । ତମ ଚିଠିରୁ ଜାଣିଲି ତମେ ମୋତେ ଆଖି ବନ୍ଦ କରି ବିଶ୍ୱାସ କର, ପ୍ରେମ ବି କର ।
କିନ୍ତୁ ଦୁଃଖର ବିଷୟ, ନିଜ ଔଷଧ ନିଜେ ଖାଇ ପାରନି !!
ମୁଁ ଔଷଧ ଖୋଲିବା ମାତ୍ରେ ତମେ ଆଁ କରିଦିଅ, ତମେ ଜାଣି ପାରନି, ନାଲି ଔଷଧ ନା ନୀଳ ବାଟିକା । କି ଅଗାଢ ବିଶ୍ୱାସ ! ଠିକ୍ ଅଛି ବିଶ୍ୱାସ ଗୋଟାଏ ବଟ ବୃକ୍ଷର ଚେର ପରି, ସ୍ଵାମୀ, ସ୍ତ୍ରୀକୁ ଜାବୁଡ଼ି ଧରିଥାଏ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ।
ଅନ୍ୟ ପକ୍ଷରେ ମାଧିଆକୁ ଆଦୌ ବିଶ୍ୱାସ କରନି, କାହିଁକି ନା ସେ ପଇସା ମାରି ନିଏ ! ମାସେ ହେଲା ଆଚାର ଲଗେଇକି ଭାତ ଖାଉଛ, ତାରି ଭୟରେ । ସମସ୍ତଙ୍କୁ ଅବିଶ୍ୱା ସ କରି କଣ ବଞ୍ଚି ପାରିବ । ବିଶ୍ୱା ସ ଓ ଅବିଶ୍ୱା ସ ଭିତରେ ହିଁ ବଞ୍ଚିବାକୁ ହୁଏ ମାଳତୀ।
ଆଇ ଲଭ୍ ୟୁ ସୋ ମଚ୍.
ପ୍ରଥମେ ପ୍ରଥମେ ଭାବୁଥିଲି, ତମେ କେବେ ଯଦି ମରିଯାଅ ତମର ମୃତ୍ୟୁ କଣ ମୁଁ ସହି ପାରିବି !!
ସବୁଦିନ ଭଗବାନ ଙ୍କୁ ଡାକେ ପ୍ରଥମେ ମୁଁ ମରିବି, ମୋ ସ୍ତ୍ରୀକୁ ତମେ ବଞ୍ଚେଇ ରଖିବ।
ଗୋଟେ କଥା କହିବି ଖରାପ ଭାବିବନି କୁହ
-ହଁ, କୁହ
-ଏବେ ମୁଁ ଚାହୁଁଛି, ମୋ ଆଗରୁ ଭଗବାନ ତମକୁ ଉଠେଇ ନିଅନ୍ତୁ,
କଷ୍ଟ ହେଲେ ବି ତମ ବିନା ମୁଁ ଚଳିଯିବି, ଆପାତତ୍ ମରିବା ଯାଏଁ।ତମେ କିନ୍ତୁ ମୋ ବିନା ଗୋଟାଏ ମୁହୂର୍ତ୍ତ ବି ଚଳି ପାରିବ ନାହିଁ ମାଳତୀ । ବ୍ୟସ୍ତତା ଭିତରେ ପୁଅ ଝିଅ କଣ ସବୁ ଦିନ ତମ ସହିତ ରହି ପାରିବେ । ଅତିବେଶିରେ ଭିଡିଓରେ ସବୁଦିନ ସେମାନଙ୍କୁ ଦେଖି ଖୁସି ହେବ ।
କିଏ ଖୋଇ ଦେବ ଔଷଧ ତମକୁ! କିଏ ସବୁଦିନ ମାଛ କିଣିବ ତମ ପାଇଁ ! ତମେ ସବୁ କଥା ଭୁଲିଯାଅ । କିଏ ଖୋଜିଦେବ ତମ ଚଷମା ! ଆଇଓଡିନ କିଏ ମାଲିସ୍ କରିଦେବ ତମ ଆଣ୍ଠୁରେ ! ମୋତେ ଛାଡ଼ି ଦୁନିଆରେ ତମେ ଆଉ କାହାକୁ ବିଶ୍ୱାସ କରନି, ବହୁତ କଷ୍ଟ ପାଇବ ତୁମେ ମୋ ଅନୁପସ୍ଥିତିରେ।
ମୁଁ କଣ କହିବାକୁ ଚାହେଁ ପ୍ରାୟ ବୁଝି ପାରୁଛ...
ଆଇ ଲଭ୍ ୟୁ ମାଳତୀ .
କହିବ ତ, ଆଜି ଫେରି ଆସିବି !!
-ହଁ, ଆସ
-ସ୍ୟୁଅର୍ ?
-ହଁ, ଆସିଲାବେଳେ ପାମ୍ପଲେଟ୍ ମାଛ ନେଇ ଆସିବ । କଞ୍ଚା ଲଙ୍କା, ଜିରା, ସୋରିଷ ବାଟି ରଖିଥିବି....ମାସେ ହେଲା ମାଛ ଖାଇନି କହି ଫୋନ କାଟି ଦେଲେ ।
କେତେ ଅଭିନୟ କରନ୍ତି ସେ, ମୋତେ ନେଇ ଏକ୍ସପେରିମେଣ୍ଟ !! ଏଇ କଥା କହିବା ପାଇଁ ମାସେ ହେଲା ସାଙ୍ଗ ଘରେ ପଡି ରହିଛନ୍ତି । ବୁଢା ବୟସରେ ବି ତାଙ୍କର ଏତେ ଚିନ୍ତା ମୋ ପାଇଁ !!!
ପ୍ରତୀକ୍ଷାର ଅନ୍ତ ହେଲା । ମୃଦୁ ହସଟିଏ ଅଜାଣତରେ ଆସି ମାଳତୀ ଦେବୀଙ୍କ ମୁହଁ ସାରା ନେସି ଯାଉଥିଲା ଧୀରେ ଧୀରେ...
ନିତ୍ୟାନନ୍ଦ ନନ୍ଦି