Satyabati Swain

Romance Tragedy

2.8  

Satyabati Swain

Romance Tragedy

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

5 mins
265


ବାପା ମା ଚିନ୍ତାରେ ଥିଲେ ମୋ ପାଇଁ । ତାଙ୍କ ବଗ ଛୁଆଙ୍କ ପଲରେ ମୁଁ ଥିଲି କାଉ । ମୋତେ ସମସ୍ତେ ଚିଡାଉ ଥିଲେ, କାଉ....ବିଲେଇ..... । ମୋତେ ଭାରି ରାଗ ଲାଗୁଥିଲା । କାଉ ଛାତ ପରେ ବସି କା କା କଲା ବେଳେ ମୁଁ ତାକୁ ଟିକେ ଅନାଉଁଥିଲି । ଦେଖୁଥିଲି ମୁଁ ସତରେ ତା ପରି ! କାଇଁ ନାଇଁ ତ ! ମୁଁ କଣ ତା ପରି କଳା ! ଅବଶ୍ୟ ଆମ ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ମୋ ରଙ୍ଗ କମ୍ । ତା ବୋଲି ମୁଁ କାଉ ହେବି ।

କୋମଳ ପିଲା ମନଟା ମରି ଯାଏ ମୋର ଯେତେ ବେଳେ ବାପା ମା ମୋତେ ରଙ୍ଗ ପାଇଁ ଦୟା କରନ୍ତି । ଭାରି ଅସହ୍ୟ ବୋଧ ହୁଏ । ରାଗ ବି ମାଡ଼େ । ମା’କୁ ପଚାରେ--ତୁ ଚାରିଟା ବଗ ଜନ୍ମ କଲା ବେଳେ ମୋତେ କାଇଁ କାଉ କଲୁ ? ତୁ ଭାରି ଇଏ ବା ମା । ମୁଁ ସକେଇ କାନ୍ଦେ ମା କୋଳେ । ମା ମୋତେ କୋଳେଇ ନେଇ କୁହେ କିଏ କହୁଛି ବା ଏମିତି ! --- ମୋ ଧନଟାର କି ସୁନ୍ଦର ଗଢଣ ! ଛୁଞ୍ଚି ନାକ । କୁନି କୁନି ପାଦ । କଳା ମିଚି ମିଚି ଚୁଟି । ଢଳ ଢଳ ଆଖି ।

ଭାଇ ସେଣେ ଖତେଇ ହୋଇ କହୁଥିବ କାଉ-ହେବ ସବୁ ବେଳେ ରାଉ ରାଉ । ବୋଉ ଭାଇ ଉପରେ ରାଗେ । ଗୋଡ଼ାଏ ମାରିବାକୁ । ଭାଇ ଦଉଡ଼ି ଦଉଡ଼ି କାଉ-- କାଉ କୁହେ । ମୁଁ ବେଶୀ ବେଶୀ କାନ୍ଦେ । ମଝିଆ ଭାଇ କୁହେ କାଳି ବିଲେଇ । ଉଁ..ଆମ ଘରେ ଗୋଟିଏ କାଳି ବିଲେଇ ଓ ଡାମରା କାଉ ଅଛି । ଜାଣିଛ!

ମୁଁ ଆହୁରି ଜୋର କାନ୍ଦେ ଓ ତଳେ ଗଡେ । ମୋ ସାନ ଭାଇ ଓ ମୋ ଦି ମୋତେ ବୁଝାନ୍ତି । ତୁ ଚିଡୁଛୁ ବୋଲି ସେମାନେ ଏମିତି କହୁଛନ୍ତି । ତୁ ଆଦୌ ଚିଡିନା ଦେଖିବୁ ସେମାନେ ଜମା କହିବେନି ।

ମୋ ମନ କିନ୍ତୁ ଭାରି ହୋଇଯାଏ । କାଉ କି ବିଲେଇ ଦେଖିଲେ ମୋର ଭାରି ଦୟା ହୁଏ । ଆହା ମୋ ପରି ଏମାନଙ୍କୁ କିଏ ଚିଡାଉଥିବ ! ସେଇଥି ପାଇଁ ବୋଧେ କାଉ ଓ ବିଲେଇ ମୋ ଅଧିକ ପ୍ରିୟ । କଅଁଳ ପ୍ରାଣରେ ମୋ ଏଇ ଆଘାତରେ ଚୁନା ହୋଇଯାଏ । ମୁଁ ବେଶୀ କାହା ସଙ୍ଗେ ମିଶେନି । ଘରୁ ବାହାରିବାକୁ ମୋତେ ଭଲ ଲାଗେ ନାହିଁ । ଭୟ ହୁଏ ଭାଇ ଦେଖା ଦେଖି ତା ସାଂଗ ମାନେ ବି ମୋତେ କାଉ,ବିଲେଇ,କା କା, ମିଆଁଉ ମିଆଁଉ ହୁଅନ୍ତି । ଏଣୁ ଦିନୁ ଦିନ ମୁଁ ଏକା ହୋଇଯାଏ ।

ପିଲା ମନ ମୋର ସାଙ୍ଗ ଟିଏ ଖୋଜେ । ଯିଏ ମୋତେ ଚିଡାଇବନି । ମୋ ସାଙ୍ଗ ହେବ । ମୋତେ ଭଲ ପାଇବ । ଯାହା ଆଗେ ମୋ ମନ କଥା ହୋଇ ପାରିବି । ଯିଏ ଗୋଟିଏ ଭଲ ପିଲା ହୋଇଥିବ ।  ମୋତେ ମୋଠୁ ଅଧିକ ବୁଝୁଥିବ । ଯାହାକୁ ପାଇଲେ ମୁଁ ସବୁଠାରୁ ବେଶୀ ଖୁସି ହେଉଥିବି । ମୋତେ ସେ କେବେ ବି ଚିଡାଇବ ନାହିଁ । ବରଂ ମୋତେ ପ୍ରେରଣା ଦେବା । ମୋ ଆତ୍ମାରେ,ଭିତରେ ବାହାରେ ରହି ମୋତେ ଭଲ କଥା ଶିଖାଉଥିବ । ଆଗକୁ ବଢିବାକୁ, ଲଢ଼ିବାକୁ, ଶକ୍ତି, ସାହାସ ଯୋଗାଉଥିବ । ମୁଁ ଯୁଆଡେ ଯିବି ମୋ ସାଙ୍ଗରେ ଥିବ । ନିହାତି ଆପଣା ନିଜର ନିଜର ଲାଗୁଥିବ।

ବାପାଙ୍କ ପାଖେ ଅଳି କରେ ମୋତେ ଭଲ ସାଙ୍ଗ ଆଣି ଦିଅ । ମୁଁ ତା ସଙ୍ଗେ ଘରେ ଖେଳିବି । ବାହାରକୁ ଯିବି ନାହିଁ,ମୋତେ ସମସ୍ତେ ଚିଡାଉଛନ୍ତି । ବାପା ଆଣି ଦିଅନା । ବାପା---ମୋର ସାଙ୍ଗ ଦରକାର ! ଗୋଟେ ଭଲ ସାଙ୍ଗ । ବାପା ଆ ଆ ଦିଅ ଗୋଟେ ସାଙ୍ଗ.।

 ଦିନେ ବାପା ମୋ ପାଖେ ଗଦାଏ ଚିତ୍ର ବିଚିତ୍ର ଚିକ୍ ମିକିଆ ରଙ୍ଗ ରଙ୍ଗିଆ ବହି ଆଣି ଗଦାଇ ଦେଲେ । କହିଲେ ନେ ସାଙ୍ଗ ଖୋଜୁଥିଲୁ ପରା!  ଏଇ ତୋ ସାଙ୍ଗ । ୟାଙ୍କରି ସଂଗେ ଖେଳିବୁ । କଥା ହେବୁ । ସାଙ୍ଗ ହେବୁ । ଏମାନେ ତୋତେ ଚିଡାଇବେନି । ତୋର ଅତି ଭଲ ସାଙ୍ଗ ହେବେ । ତୋତେ ସବୁ କଥା ଶିଖେଇବେ । କୌଣସି ଦିନ ତୋତେ ଛାଡ଼ି ଯିବେନି ।

ବାପା---ସତ! ଓଃ କଣ ଦେଖିବ ମୋ ଖୁସି! ମୁଁ ସେ ବହି ଗୁଡିକ ଧରି ଘେରାଏ ମା, ଭାଇ,ଭଉଣୀ,ସମସ୍ତଙ୍କ ଚାରିପଟେ ଘୁରି ଗଲି । କେତେ ଚୁମା ଦେଲି ସେ ବହିକୁ ଗୁଡାଙ୍କୁ । ଧରି ଦୌଡିଲି ଘର ଭିତରକୁ । ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଦେଖିଗଲି ସବୁ ବହି ଗୁଡ଼ିକୁ ।  ଖୁସିରେ ନଖାଇ ନ ପିଇ ଶୋଇଗଲି ବହିକୁ କୁଣ୍ଢାଇ । ମନରେ ମୋର ଖୁସି ହିଁ ଖୁସି  । ଏତେ ଦିନେ ମୁଁ ସାଙ୍ଗ ପାଇଛି । କାଳେ କିଏ ନେଇଯିବ! କାଳେ ସେମାନେ ମୋତେ ଛାଡ଼ି ଚାଲିଯିବେ ! ସେଇ ପାଇଁ କେବେ ବି ଛାଡ଼ିଲିନି ସେମାନଙ୍କୁ ମୋ ପାଖରୁ ।

ବାପା ଚିହ୍ନାଇ ଦେଲେ କେଉଁ ଚିତ୍ରର କି ନାମ । ଚକ,ଅଖ, ନଳ, କଳ,ଆପଲ୍,ବ୍ୟାଟ୍,କାଓ, ଡଗ୍, ମଦର୍, ଫାଦର୍, ଏକ, ଦୁଇ,ତିନି ଇତ୍ୟାଦି ଇତ୍ୟାଦି । ଏକା ଥରେ ସବୁ ମନେ ରହିଗଲା ମୋର ।  ବାପା କହିଛନ୍ତି ଏମାନେ ମୋ ଭଲ ସାଙ୍ଗ । ସମସ୍ତଙ୍କୁ ଚିହ୍ନିବି,ସମସ୍ତଙ୍କୁ ଜାଣିବି,ସମସ୍ତଙ୍କୁ ଭଲ ପାଇବି ।

ସତ ସତିକା ଏତେ ଭଲ ପାଇଲିଯେ ବହି ମୋ ଜୀବନ ହୋଇଗଲା । ବହୁତରୁ ବହୁତ ବହି ପଢ଼ିଲି । ମୋର ବହି ପଢିବା ଆଗ୍ରହ ଦେଖି ବାପା ତାଙ୍କ ଦରମା ପାଇଲା ମାତ୍ରେ ପାଞ୍ଚ ସାତ ଖଣ୍ଡ ବହି କିଣି ଆଣୁଥିଲେ । ମୋ ହାତରେ ଯେମିତି ଖସି ପଡୁଥିଲା ଖୁସିର ଜହ୍ନ। କାଉଟା,ବିଲେଇଟାକୁ ଏ ସାଙ୍ଗ ଦେଲେ ଗଦାଏ ସୁନାମ,ପ୍ରଶଂସା, ଭଲ ପାଇବା,ସମ୍ମାନ,ଓ ଭଲ ପରିଚୟଟିଏ ।

ବାପା ମୋର ଆଗ୍ରହ ଦେଖି ଆହୁରି ଆଣିଲେ ବହି । ଗୋଟିଏ ବର୍ଷରେ କେତେ ବହି ମୋର ସାଙ୍ଗ ହୋଇଗଲେ ତାର ହିସାବ ନାହିଁ । ଏମାନେ ସତରେ ମୋର ଭାରି ଭଲ ସାଙ୍ଗ । ଏମାନେ ପାଖରେ ଥିଲେ ମୋତେ ବୋର୍ ଲାଗେନା । ମୁଁ ଏମାନଙ୍କୁ ମୋ ମନ କଥା

କୁହେ । ଶୋଇଲେ ଖାଇଲେ ସବୁ ବେଳେ ଧରି ବୁଲୁ ଥାଏ ।

ଏମିତି ଦିନ ଆସିଲା,ନୂଆ ବହି ଖଣ୍ଡେ ପାଇଲେ ଖାଇବା ପିଇବା ଭୁଲି ଶେଷ କରିବାରେ ଲାଗି ପଡେ ମୁଁ । ବହି ଆଉ ମୁଁ । ମୁଁ ଆଉ ବହି । ବହି ମୋ ଦୁନିଆଁ,ବହି ମୋ ଜୀବନ,ବହି ମୋ ସାଙ୍ଗ, ହଁ ସବୁଠୁ ଭଲ ସାଙ୍ଗ । ବୋଧେ ମୋ କୋମଳ ଜିଜ୍ଞାସାର ପ୍ରଥମ ପ୍ରେମିକ ବହି । ତା ବିନା ମୁଁ ଛଟପଟ ହେଲି । ନୂଆ ବହି ମାନେ ମୋତେ ଦେଖିଲେ ସତେକି ଆଖି ମାରନ୍ତି । ତାକୁ ପାଖରେ ପାଇବାକୁ,ପଢିବାକୁ ମୁଁ ପାଗଳ ହୋଇଯାଏ ।

ଆସ୍ତେ ଆସ୍ତେ ମୁଁ ବହି ପ୍ରେମରେ ପଡ଼ି ଗଲି । ମୋତେ ଲାଗେ ବହି ଯେପରି ମୋତେ ଉସକାଏ, ଡାକେ । ଆ ମୋତେ ଅନୁଭବ କର,ମୋତେ ବୁଝ,ମୋତେ ତୋ ଭିତରେ ସାଇତି ରଖ । ମୋତେ ଭଲ ପାଏ । ଓଃ କି ଉନ୍ମାଦନା,କି ବିହ୍ଵଳତା ଖଣ୍ଡେ ବହି ପାଇଁ!!

ଏଇଟିକୁ ଭଲ ପାଇବା ଦିନୁ ମୋ ଭାଇ, ଭଉଣୀ,ସାଙ୍ଗ ସାଥି ମୋତେ ସମସ୍ତେ ଭଲ ପାଇଲେ । ଭଲ ପାଇଲେ ମୋ ମିସ୍, ଟିଚର,ଭଲ ପାଇଲା ମୋ ଗାଁ, ବଡ଼ ବଡ଼ ଲୋକେ ବ୍ଲକ, ରାଜ୍ୟ । କାରଣ ମେଧା ତାଲିକାର ସର୍ବାଗେ ମୋ ନାଁ ରହୁଥିଲା।

ଗପ ଉପନ୍ୟାସ କେତେ ଅପ୍ରକାଶ୍ୟ କଥା ମୋତେ ଜଣାଇ ଦିଅନ୍ତି । ମୋ ଭିତର ଅନେକ ବାର ରଣ ଝଣ କରିଛନ୍ତି ଅନୁଢା ଅବୁଝା ପ୍ରାଣରେ । ସ୍ୱପ୍ନ ଦେଇଛନ୍ତି । ଭୁଲ ଠିକ୍,ଉଚିତ ଅନୁଚିତ,ବାଟ ଅବାଟ ଶିଖାଇଛନ୍ତି । ବହି ବି ପ୍ରେମ କରିବା,ଲୁଚେଇ ଚିଠି ଲେଖିବା ଭାଵ ଟି ମୋତେ ଯାଚି ଦେଇଛନ୍ତି । ଏଇ ବହି ମୋତେ କଳ୍ପନା ଆଖିରେ ଚଢେଇ କରି ନିୟୁର୍କ ସହର ବୁଲେଇଛନ୍ତି । ପହଞ୍ଚା ଇଛନ୍ତି ଜହ୍ନରେ,ମଙ୍ଗଳରେ । ସବୁ ରାଜ୍ୟ ରାଜଧାନୀ,ଭାଷା,ପ୍ରଦର୍ଶନ ସ୍ଥାନ ବୁଲେଇ ଆଣିଛନ୍ତି ଏଇ ବହି।

ଜୀବନ,ଦୁନିଆଁ, ଦୁନିଆଁଦାରୀ କେବଳ ବହି ହିଁ ମୋତେ ବୁଝାଇ ପାରିଛନ୍ତି।ଭେଟ କରାଇଛନ୍ତି ଏନ୍ତୁଡ଼ି ଓ ଯୁଇ ନିଆଁ ସହ।କୁ ଓ ସୁ ଫରକ ଏଇ ବହି ପାଇଁ ବାରି ପାରିଛି ମୁଁ।ସ୍ବପ୍ନ ଦେଇଛି ପୁଣି ସତ କରିବାକୁ ତାକୁହିଁ ଦିନ ରାତି ଜପାମାଳି କରିବାକୁ ଉସ୍କେଇଛି।

ସାମାଜିକତା ର ପ୍ରଥମ ଓଁ କାର ଧ୍ୱନି ମୋ ପ୍ରାଣରେ ଝଙ୍କୃତ କରିଛି ମୋ ପ୍ରେମିକ ବହି।ପ୍ରଥା ଓ ପରମ୍ପରା କୁ ବୁଝାଇଛି ବି ସେଇ ବହି।କର୍ତ୍ତବ୍ୟ ଓ ଅଧିକାର ଜ୍ଞାନ,ସଂସାର ସଉଦା ଓ ଜୀବନ ସଉଦାର ମହାମନ୍ତ୍ର ଫୁଙ୍କିଛି ମୋ କାନେ।ମୋତେ ଦେଇଛି ଗୋଟିଏ ଶୃଙ୍ଖଳିତ ଜୀବନ।

କାଉଟା, ବିଲେଇଟା କେବଳ ମାତ୍ର ବହି ମୋ ପ୍ରେମିକ ପାଇଁ ହୋଇଗଲା ମୟୂର । ବଗ ମାନଙ୍କୁ ପଛରେ ପକାଇ ଅନେକ ପଛରେ । କାଉ ,ବିଲେଇ ପରିବର୍ତ୍ତେ ମୋତେ ସମସ୍ତେ ଡାକିଲେ କଲେକ୍ଟର ସାହେବା । ବାପା ମାଙ୍କ ଆଖିର ତାରା । ଭାଇ ଭଉଣୀଙ୍କ ଗର୍ବ । ଗାଁର ସମ୍ମାନ,ଗୌରବ । ଡ଼ଃ ବଂଶୀକା ମହାପାତ୍ର,କଲେକ୍ଟର, ରାୟଗଡ଼ା ।

ହେ ବହି ତୁ ମୋ ପ୍ରଥମ ପ୍ରେମ  । ଖାସ୍ ତୋ ପାଇଁ ମୁଁ ଆଜି ଏଇଠି ।



Rate this content
Log in

Similar oriya story from Romance