ପ୍ରଣୟୀ ହୃଦୟର ଝରକା
ପ୍ରଣୟୀ ହୃଦୟର ଝରକା
ସମ୍ବିତ ବାବୁ ସୁଦୂର କାନାଡ଼ାରୁ ନିଜ ଗାଁକୁ ଫେରି ଆସିଛନ୍ତି ପ୍ରାୟ ଦୁଇ ବର୍ଷ କାଳ ଆମେରିକା ରହଣି ପରେ । ସେଠି ସେ ଗୋଟିଏ ବଡ଼ କମ୍ପାନୀରେ ଚାକିରୀ କରନ୍ତି । ଛୁଟି ନେଇ ଘରକୁ ଆସିଛନ୍ତି ବାପା ବୋଉଙ୍କୁ ଦର୍ଶନ କରି ପୁଣି ଫେରି ଯିବାକୁ ନିଜର ସୁଦୂର କର୍ମ ସ୍ଥଳୀକୁ । ବାପା ବୋଉ ପୁଅର ହାତକୁ ଦିହାତ କରାଇଦେଇ ନିଶ୍ଚିନ୍ତ ହେବାକୁ ଚାହାଁନ୍ତି । ତେଣୁ ନିଜ ପଡ଼ିଶା ଗାଁର ନିବାସୀ ବନ୍ଧୁଙ୍କ ଝିଅ ନମିତାକୁ ପୁଅ ସମ୍ବିତ ବେକରେ ଛନ୍ଦି ଦେଇ ନାତି ନାତୁଣୀ ମୁହଁ ଦେଖିବାକୁ ଆଶାୟୀ ସମ୍ବିତ ବାବୁଙ୍କ ବାପା ସୂର୍ଯ୍ୟକାନ୍ତ । କାରଣ ସମ୍ବିତ ତାଙ୍କର ଏକମାତ୍ର ପୁଅ ।
ସୁତରାଂ ସେ ପୁଅକୁ ଏହି ପ୍ରସ୍ତାବ ବିଷୟରେ ଜଣାଇ ଦେବାକୁ ଶ୍ରେୟସ୍କର ମନେ କଲେ । ତାପରେ ପାଖକୁ ଡାକି ପୁଅ ସମ୍ବିତଙ୍କୁ କହିଲେ, " ଦେଖ ସମ୍ବିତ ମୁଁ ଜଣେ ଫରେଷ୍ଟ ଅଫିସର । ମୋର ଆଉ ମାତ୍ର ଆଉ ପାଞ୍ଚ ବର୍ଷ ଚାକିରୀ କାଳ । ଏହି ସମୟ ଭିତରେ ତୋର ବିଭାଘର ଶେଷ କରିବାକୁ ଚାହୁଁଛି । ପାଖ ଗାଁ ସମସ୍ତିପୁର ଜମିଦାର ମୋର ସହପାଠୀ ଓ ଅନ୍ତରଙ୍ଗ ବାଲ୍ୟ ବନ୍ଧୁ । ତାଙ୍କ ନା ସଙ୍କର୍ଷଣ । ସେ ଜଣେ ପରୋପକାରୀ ଅମାୟିକ ବ୍ୟକ୍ତି । ଆମ ଦୁଇଜଣଙ୍କ ଏକା ତିଥିରେ ଏକା ବର୍ଷରେ ବିଭାଘର ହୋଇଥିଲା । ଆମେ ଦୁଇଜଣ ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ସୂର୍ଯ୍ୟବନ୍ଧୁ ହୋଇଥିଲୁ । ତାଙ୍କର ଜଣେ ସନ୍ତାନ ସହିତ ମୋର ଜଣେ ସନ୍ତାନକୁ ବିବାହ ସୂତ୍ରରେ ବାନ୍ଧି ଦେବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲୁ । ତାଙ୍କର ବଡ଼ ଝିଅ ନା ରିନା । ତାଙ୍କର ଗୋଟିଏ ଝିଅ ଗୋଟିଏ ପୁଅ । ରିନା ସାଙ୍ଗରେ ତୋ ବିବାହ କରିବାକୁ ମୁଁ ମନସ୍ଥ କରିଛି । ତୋର ମତାମତ ମୋତେ କହ । ଆସନ୍ତା ଫଗୁଣ ମାସରେ ବିଭାଘର ସାରିଦେବି ।" ସମ୍ବିତ କିଛି ସମୟ ଗମ୍ଭୀର ରହିଲା । କାରଣ ସେ ଗତ ଦୁଇ ବର୍ଷ ହେଲା ଜଣେ ଆମେରିକୀୟ ଝିଅକୁ ଭଲ ପାଇ ବସିଛି । ବାହା ହେବାକୁ କଥା ଦେଇ ସାରିଛି । ତାର ମୌନତାପୂର୍ଣ୍ଣ ଗମ୍ଭୀର୍ଯ୍ୟ ଦେଖି ସୂର୍ଯ୍ୟକାନ୍ତବାବୁଙ୍କ ମନରେ ସନ୍ଦେହ ଜାତ ହେଲା ଓ ସେ ପଚାରିଲେ " ମୋତେ ଖୋଲା କଥା କହ କଣ ହେଇଛି । ଚୁପ ଚାପ ରହୁଚୁ ଯେ । କାହାକୁ ଭଲ ପାଇଛୁ କି? କହ ମୁଁ ରାଜି । ତା ସହିତ ବିବାହ କରିଦେବି ।"
ବାପାଙ୍କର ଔଦାର୍ଯ୍ୟ ପୂର୍ଣ୍ଣ ମହାନହୃଦୟର ବାଣୀ ସମ୍ବିତ ବାବୁଙ୍କୁ ବଡ଼ ଦ୍ଵିଧାରେ ପକାଇଦେଲା । ଏଣେ ବାପ ପୁଅଙ୍କ ମଧ୍ୟରେ ଅନାବିଳ ପ୍ରେମର ବନ୍ଧନ ତେଣେ ନିଜର ଭବିଷ୍ୟତ । କଣ କରିବେ ସେ । କିଛି ଭାବି ପାରିଲେନି । ନୀରବରେ ସୋଫା ଉପରେ ମୁଣ୍ଡରେ ହାତ ରଖି ବସି ରହିଲେ । ବାପ ପୁଅଙ୍କ ସବୁ ବାର୍ତ୍ତାଳାପ ମାତା ବିମଳା ଦେଵୀ କବାଟ କଣରେ ବସି ସବୁ ଶୁଣୁଥିଲେ । ହଠାତ ବାହାରକୁ ଆସି କହିଲେ, " ତୁମ ମାନଙ୍କ କଥା ଶୁଣିଲି । ସତ କଥା କହ ସମ୍ବିତ । ଆମକୁ ଭଲ ଲାଗିବ । ତୋର ଖୁସି ଦେଖି ଆମେ ବି ଖୁସି ହେବୁ ।" ସମ୍ବିତ ଏକ ମାତ୍ର ସନ୍ତାନ ଓ ବାପ ମାଙ୍କ ଅତି ଗେହ୍ଲା ପୁଅ । ସେମାନଙ୍କ ବାତ୍ସଲ୍ୟ ମମତା ଆଗରେ ତାର ନୀରବତା ହାର ମାନିଗଲା । ତାର ପାଟି ଖୋଲିଲା, " ହଁ ମୁଁ ଜଣେ ଆମେରିକାନ ଝିଅକୁ ଭଲ ପାଇଛି । ତା ନା ଆନ୍ୟା । ହିନ୍ଦୁ ନୀତି ନିୟମ ଅନୁସାରେ ମୋ ସହିତ ବିଭା ହେବାପାଇଁ ଜିଦ ଧରିଛି । ଆମେ ଦୁଇଜଣ ପାଞ୍ଚ ବର୍ଷ ପରେ ବିଭା ହେବାକୁ ପରସ୍ପର କଥା ଦିଆନିଆ ହୋଇଛୁ ।" ପୁଅର ଖୋଲା କଥାରେ ସୂର୍ଯ୍ୟକାନ୍ତ ଓ ବିମଳା ଦେଵୀ ମୁଗ୍ଧ ହେଲେ । କାରଣ ସେମାନେ ଏକ ଧାର୍ମିକ ଦମ୍ପତି । ପୁଅର କନ୍ୟା ଚୟନ ଅନୁଯାୟୀ ବିବାହ କାର୍ଯ୍ୟ ସାରି ପୁଅ ବୋହୁଙ୍କୁ ଘର ଦାୟିତ୍ୱ ସମର୍ପି ଦେଇ ବାନପ୍ରସ୍ଥ ଜୀବନ ଯାପନ କରିବାକୁ ଦୁଇଜଣଙ୍କ ତୀବ୍ର ଅଭିଳାଷ । ଅବଶ୍ୟ ସୂର୍ଯ୍ୟକାନ୍ତ ବାବୁଙ୍କ ଚାକିରୀ ଅବସର ପରେ । କିଛି ସମୟ ପରେ ସମ୍ବିତ କହିବାକୁ ଆରମ୍ଭ କଲା, " ଦେଖ ବୋଉ ବାପାଙ୍କ ପ୍ରତିଜ୍ଞା ଭାଙ୍ଗିବାକୁ ମୋର ଆଦୌ ଇଚ୍ଛା ନୁହେଁ କି
ଆନ୍ୟାକୁ ନିରୁତ୍ସାହିତ କରିବା ମୋର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ମୁଁ ଧର୍ମ ସଂକଟରେ ପଡ଼ୁଛି । ମୁକୁଳିବାର ଉପାୟ ପାଉନି । କଣ କରିବି ଆଉ କୁହ ତୁମେ ଦୁଇ ଜଣ । "
ତାପରେ ସୂର୍ଯ୍ୟ ବାବୁ ଟିକେ ମୁରୁକି ହସି କହିଲେ, " ଠିକ ଅଛି । ତୋ କଥା ରହୁ କି ମୋ କଥା ରହୁ । ମୂଳ କଥା ହେଲା ତୋର ବିଭାଘର । ଆମେ କେବଳ ଗୋଟିଏ ଦାୟିତ୍ୱବତୀ ବୋହୁ ଚାହୁଁ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ । ବିଦେଶୀ ଝିଅ ଓ ଆମ ଅଞ୍ଚଳର ଝିଅ ଉଭୟ ଉଚ୍ଚ ଶିକ୍ଷିତ । ବର୍ତ୍ତମାନ ସେ କଥାରେ ମୁଣ୍ଡ ପୁରାନା । ଆମେ ଖାଲି ଆଲୋଚନା କରିଛେ । ଅଥଚ ତୋର ବିଭାଘର ହେଇନି । ଆଗତ ଚଢ଼େକି ବେସର ବଟା ପରି ତୁ କାହିଁକି ମନ ମାରି ବସିଛୁ । ଆମ ସାଙ୍ଗରେ ଆ । ଆମ ଗାଁ ଦୋଳ ଯାତ୍ରା ପଡିଆରେ ଟିକେ ବୁଲି ଆସିବା । ରାଧା କୃଷ୍ଣଙ୍କୁ ଦର୍ଶନ କରିବା । ମନ ଫୁର୍ତ୍ତି ଲାଗିବ । " ସମ୍ବିତ ରାଜି ହୋଇ ମା ବାପାଙ୍କ ସହିତ ବୁଲିଗଲା ବାପାଙ୍କ କାରରେ । ସେମାନଙ୍କ କାର ଯାତ୍ରା ପଡ଼ିଆ ସୀମାନ୍ତରେ ପାର୍କିଂ କଲା । ସେମାନେ ଗାଡ଼ିରୁ ଓହ୍ଲାଇ ପଡ଼ିଆ ଭିତରକୁ ଚାଲିଲେ । ମାତ୍ର ବିଧିର ବିଧାନ କେ କରିବ ଆନ । ମେଲଣ ପଡ଼ିଆରେ ବୁଲୁ ବୁଲୁ ହଠାତ ଭିଡ଼ ଭିତରେ ସଙ୍କର୍ଷଣ ବାବୁଙ୍କ ସହିତ ଦେଖା ହୋଇ ଗଲା । ସେ ସପରିବାରେ ଯାତ୍ରା ଦେଖିବାକୁ ଆସିଥିଲେ । ଦୁଇ ବନ୍ଧୁଙ୍କ ପରିବାର ସଦସ୍ୟମାନେ ଆନନ୍ଦରେ ଫାଟି ପଡ଼ିଲେ । ସଙ୍କର୍ଷଣ ଓ ସୂର୍ଯ୍ୟକାନ୍ତ ପରସ୍ପର ଆଲିଙ୍ଗନବଦ୍ଧ ହେଲେ । ସଙ୍କର୍ଷଣ ବାବୁଙ୍କ ଝିଅ ରିନା ସହିତ ପ୍ରଥମ ସାକ୍ଷାତରେ ସମ୍ବିତ ଆନନ୍ଦ ଓ ଅବସାଦ ଆଧାରିତ ହୋମ କୁଣ୍ଡର ପ୍ରଜ୍ବଳିତ ଅଗ୍ନି ଶିକ୍ଷା ମଧ୍ୟରେ ତାଙ୍କର ଯୁବାତ୍ମା ସନ୍ତପ୍ତ ହେବାକୁ ଲାଗିଲେ ସୁଦ୍ଧା ସେ ନିର୍ବାକ କଣ୍ଢେଇ ପରି ରିନା ସହିତ ଟିକେ ଦୃଷ୍ଟି ବିନିମୟ ପୂର୍ବକ ବିଦେଶୀ ଢାଞ୍ଚାରେ ହାତ ମିଳାଇ ବାକୁ କୁଣ୍ଠାବୋଧ କରି ନଥିଲେ ।
ସଙ୍କର୍ଷଣ ବାବୁ ସମ୍ବିତକୁ ପ୍ରଥମ ଥର ଦେଖି ପୂର୍ଵ ପ୍ରତିଶ୍ରୁତି ଅନୁଯାୟୀ ନିଜ କନ୍ୟା ପାଇଁ ଉପଯୁକ୍ତ ବର ମିଳିଥିବାରୁ ମହା ଆନନ୍ଦରେ ମନେ ମନେ ଜଗନ୍ନାଥ ମହାପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଜଣେଇଲେ । ଇତି ମଧ୍ୟରେ ସୂର୍ଯ୍ୟ ବାବୁ ସଙ୍କର୍ଷଣ ବାବୁଙ୍କୁ କହିଲେ, " ଆ ସାଙ୍ଗ ଆମ ଘର ଆଡ଼େ ଟିକେ ବୁଲିଆସିବୁ । ପିଲାଙ୍କୁ ନେଇକି ଆ । ଗାଁ ଯାତ୍ରା ପାଇଁ ଆମ ଘରେ ଆଜି କୁଟ୍ରା ମାଂସ ଆଉ ଚକୁଳି ପିଠା ରନ୍ଧା ହେଇଛି । ତୋ ସଙ୍ଗାତୁଣୀ ହାତ ରନ୍ଧା । ଭାରି ସୁଆଦିଆ । " ଜମିଦାର ବାବୁ ହାସ୍ୟ ମୁଖରେ ଉତ୍ତରଦେଲେ,, "ନା ନା ସାଙ୍ଗ ଆଜି ନୁହେଁ । ଆମ ନାତି ନାତୁଣୀ ଜନ୍ମ ହେଲା ପରେ ତୁମ ଘରେ ଆମ ପଙ୍ଗତ ପଡ଼ିବ ।ତା ପୂର୍ବରୁ ନୁହେଁ " ଯାତ୍ରା ବୁଲା ଶେଷରେ ଦୁଇ ବନ୍ଧୁଙ୍କ ପରିବାର ନିଜ ନିଜ ଘରକୁ ଫେରି ଆସିଲେ ।
ଦୋଳ ପର୍ବର ସମାପ୍ତି ଘଟିଲା । ଉଦ୍ଦାମ ଯୌବନର ପ୍ରଭାବ ଆହୁରି ବଢିଗଲା ଯେତେବେଳେ ସମ୍ବିତ ନିଜର ପିତାମାତା ଓ ଭାବି ଶ୍ଵଶୁରଙ୍କ କଥୋପ କଥନ ଶୁଣିଲେ । ଆଉ ସେମାନଙ୍କର ସମର୍ଥନ ରିନା ସହିତ ତାଙ୍କର ବିବାହ ଉପଲକ୍ଷେ ତାଙ୍କର ଉଚ୍ଚ ପ୍ରାଣ ଜାଗିଉଠିଲା ଓ ସ୍ବଦେଶର ଆତ୍ମ ଗାରିମା କଣ ସେ ମନ ପ୍ରାଣରେ ଉପଲବ୍ଧ କଲେ । ରିନାର ହସ୍ତ ସ୍ପର୍ଶ ତାଙ୍କ ତନୁମନରେ ଶିହରଣ ଖେଳାଇବାକୁ ପଛଘୁଞ୍ଚା ଦେଇ ନଥିଲା । ବିଦେଶୀ ଏବଂ ସ୍ବଦେଶୀ ଯୁବତୀ ମଧ୍ୟରେ ଆକାଶ ପାତାଳ ପ୍ରାର୍ଥକ୍ୟ ଅନୁଭବ ତାଙ୍କର ଆତ୍ମ ଚେତନାର ବିକାଶ କରାଇ ପାରିଥିଲା । କ୍ରମେ କ୍ରମେ ତାଙ୍କର ଅଲୁଣ୍ଠିତ ଯୁବତନୁରେ ଶିହରଣ ଖେଳିଯାଉ ଥିଲା ଯେତେବେଳେ ରିନାର ପ୍ରତିଛବି ତାଙ୍କର ସବୁଜ ମାନସ ପଟ୍ଟରେ ଉଙ୍କି ମାରୁଥିଲା ।
ସମ୍ବିତ ବାବୁଙ୍କ ଛୁଟିର ଅବଧି କ୍ରମେ କ୍ରମେ କମି କମି ଆସୁଥାଏ । ମନ ଭିତରେ ଅନେକ ଭାବନାର ଲହରୀ ଖେଳୁଥାଏ । ବାପାବୋଉଙ୍କ ଜିଦି ଘରକୁ ବୋହୁ ଆଣିବାକୁ, ଆନ୍ୟାର ଜିଦି ତାଙ୍କୁ ହିନ୍ଦୁ ପରମ୍ପରା ଅନୁସାରେ ବିଭା ହେବା ପାଇଁ ଆଉ ତାହାର ଅନବରତ ଫୋନ କଲ । ନିଜ ରୁମର ଝରକା ବାଟେ ପୁନେଇଁ ବାସି ଜହ୍ନର ସ୍ନିଗ୍ଧ ସୁନେଲି କିରଣ ସମ୍ବିତ ବାବୁଙ୍କ ମାନସିକ ଆନ୍ଦୋଳନକୁ ଟିକେ ଉପଶମ କରୁଥାଏ । ଘରେ ବସି ବସି ମୋବାଇଲ ଫୋନରେ ଗପି ଗପି ଉପନ୍ୟାସ ପଢ଼ି ପଢ଼ି ଦେହ ଓ ମନ ସଂକୁଚିତ ହୋଇଯାଇଛି ତାଙ୍କର । ସେଗୁଡ଼ିକୁ ଟିକେ ତାଜା କରିବା ଅତ୍ୟନ୍ତ ଆବଶ୍ୟକ ।
ରାତି ପାହି ସକାଳ ହେଲା । ନିତ୍ୟକର୍ମ ଶେଷ କରି ନିଜ ବୁଲେଟ ମୋଟର ସାଇକେଲରେ ଗାଁ ପାଖ ସହରକୁ ବୁଲି ବାହାରିଲେ । ଅନେକ ଦିନ ନିଜ ଜନ୍ମଜ ଅଞ୍ଚଳକୁ ପରିଦର୍ଶନ କରି ନଥିବାରୁ ମନରେ ସ୍ୱତଃ ଆବେଗ । ବୁଲୁ ବୁଲୁ ଗାଡ଼ିର ପେଟ୍ରୋଲ ସମ୍ପୂର୍ଣ୍ଣ ସମାପ୍ତ ବୋଲି ଦର୍ଶାଇଦେଲା ଇଣ୍ଡିକେଟର । କଣ କରିବେ? ରାସ୍ତା ଚଉଡ଼ା କରିବାପାଇଁ ଦୋକାନ ବଜାର ଭଙ୍ଗା ରୁଜା ଚାଲିଥାଏ । ପୂର୍ବ ପରିଚିତ ସ୍ଥାନଗୁଡ଼ିକର କଳେବର ପରିବର୍ତ୍ତନ ହେତୁ ସମ୍ବିତ ବାଧ୍ୟ ହୋଇ - ପେଟ୍ରୋଲ ଟାଙ୍କି କୋଉଠି - ଜଣେ ସ୍ଥାନୀୟ ବାଟୋଇକୁ ପଚାରିଲେ । ବାଟୋଇ ଜଣକ ଠିକ ଜାଗା ବତେଇଦେଲେ । ତେଣୁ ଗାଡ଼ିକୁ ଗଡ଼େଇ ଗଡ଼େଇ ଆଗ ଛକ ରାସ୍ତା ତଳେ ଥିବା ପେଟ୍ରୋଲ ଟାଙ୍କି ପାଖରେ ପହଞ୍ଚି ଗଲେ ଓ ତାଙ୍କ ପୂର୍ବରୁ ଜଣେ ଯୁବତୀ ନିଜ ସ୍କୁଟିରେ ତେଲ ଭରୁ ଥିବାର ଲକ୍ଷ୍ୟ କଲେ । ସମ୍ବିତ ହେଲମେଟଟିକୁ କାଢ଼ି ଦେଲେ ନିଜ ମୁଣ୍ଡକୁ ଟିକେ ହାଲୁକା କରିବା ପାଇଁ । ହଠାତ ଏକ କୋମଳ ତରୁଣୀ କଣ୍ଠର ଗୁଞ୍ଜରଣ ସ୍ପର୍ଶ କଲା ତାଙ୍କ କାନ - ସମ୍ବିତ ବାବୁ ଗୁଡ ମର୍ଣ୍ଣିଙ୍ଗ । ଆପଣ କଣ ଏ ପର୍ଯ୍ୟନ୍ତ ଆମେରିକା ଯାଇ ନାହାନ୍ତି? - ସ୍ୱଳ୍ପ ପରିଚିତ ନାରୀ କଣ୍ଠ କରିଥିଲା ସନ୍ଦିଗ୍ଧ ତାଙ୍କର ମସ୍ତିଷ୍କକୁ । ଅନୁରୋଧ କଲେ ସେହି ତରୁଣୀଙ୍କୁ - ଆଜ୍ଞା ଚିହ୍ନି ପାରୁନି ଆପଣ କିଏ, ମୁଣ୍ଡରୁ ଟିକେ ହେଲମେଟଟା କାଢ଼ି ଦେଲେ ଭଲ ହୁଅନ୍ତା - ତରୁଣୀ ମହିଳା ପ୍ରତ୍ୟୁତ୍ତର ଦେଲେ - ଆଜ୍ଞା ଏତେ ଜଲଦି ମତେ ଭୁଲିଗଲେ - କହି ସେ ନିଜ ମୁଣ୍ଡରୁ କାଢ଼ି ଦେଲେ ହେଲମେଟ । ମୁଣ୍ଡ ଉପରେ ସ୍ବର୍ଗରୁ କୁସୁମ ବର୍ଷଣ ସଦୃଶ ଅନୁଭବ କଲେ ସମ୍ବିତ । ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା । ହଠାତ ସମ୍ବିତ ବାବୁ ଉଦବେଗ ପୂର୍ଣ୍ଣ କଣ୍ଠରେ କହି ଉଠିଲେ - ଓ ହୋ ଆପଣ ମିସ ରିନା ।
ଆପଣ ବର୍ତ୍ତମାନ କୁଆଡ଼େ ଯାଉଛନ୍ତି? - ମୁଁ
ଅଫିସ ଯାଉଛି - କୋଉ ଅଫିସ? - ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମକରପୁର ଶାଖା - କୋଉ ପୋଷ୍ଟରେ ଅଛନ୍ତି? - ସ୍କେଲ ଟୁ ମ୍ୟାନେଜର ଆଜ୍ଞା - ବହୁତ ଭାଗ୍ୟବତୀ ଆପଣ । ଆପଣ ନପଚାରିଲେ ବି ମୁଁ ମୋ ପ୍ରୋଫାଇଲ କହୁଛି । ମୁଁ ଭାରତରେ ଏରୋନଟିକ ଇଞ୍ଜିନିଅରିଙ୍ଗ ପାସ କରି କାନାଡ଼ାରେ ଏକ ପ୍ରାଇଭେଟ ଏଆରକ୍ରାଫ୍ଟ କମ୍ପାନୀରେ ଚାକିରୀ କରୁଛି - କଣ ସ୍ଥାୟୀ ନା ଅସ୍ଥାୟୀ? - ସ୍ଥାୟୀ ମାମ - ଠିକ ଅଛି ଆପଣ ମୋ ଠାରୁ ଆହୁରି ଭାଗ୍ୟଶାଳୀ - ଧନ୍ୟବାଦ ମାମ ।...... ସମ୍ବିତ ଓ ରୀନାଙ୍କ ବାର୍ତ୍ତାଳାପ ସମୟ ମଧ୍ୟରେ ସମ୍ବିତ ବାବୁଙ୍କ ଗାଡ଼ିରେ ପେଟ୍ରୋଲ ଭର୍ତ୍ତି ହୋଇସାରିଥିଲା । ପରସ୍ପର ମଧ୍ୟରେ ହୋଇଥିଲା ମୋବାଇଲ ନମ୍ବରର ଆଦାନ ପ୍ରଦାନ ହୋଇଥିଲା । ତାପରେ ସମ୍ବିତ ବାବୁ ଓ ରିନା ମାଡାମ ଯେଝା ଯେଝା ବାଟରେ ଆଗେଇ ଗଲେ ।
କ୍ରମେ କ୍ରମେ ଦୁହିଁଙ୍କ ମଧ୍ୟରେ ମୋବାଇଲରେ ପ୍ରାୟ ନିୟମିତ ବାର୍ତ୍ତାଳାପ ଦୁଇଜଣଙ୍କ ଅବିବାହିତ ଜୀବନରେ ଅବସର ବିନୋଦନର ଉତ୍ସ ରୂପେ ପରିଗଣିତ ହୋଇ ପାରିଥିଲା । ଦିନେ ସକାଳେ ସମ୍ବିଡ ବାବୁଙ୍କ ବେଡ ରୁମର ଝରକା ଖୋଲା । ସମ୍ବିତ ବାବୁ ଅର୍ଦ୍ଧ ଶାୟିତ । ହଠାତ ଝରକାର ଆରପାଖେ ରିନାର କଣ୍ଠ ସ୍ୱର ଶୁଣି ଚମକି ପଡ଼ିଥିଲେ ସେ । ସଙ୍ଗେ ସଙ୍ଗେ ଝରକା ବାଟେ ଚାହିଁ ଦେଖିଲେ ରିନାକୁ । ମୋବାଇଲ ଫୋନରେ ଆସିବାର କାରଣ ପଚାରି ଜାଣିଲେ ଯେ ସେ ତାର ଜଣେ କଲେଜ ବାନ୍ଧବୀ ଘରକୁ ଆସିଛି । ପୂର୍ବରୁ ଜାଣି ନଥିଲେ ଯେ ତାଙ୍କ ପଡ଼ିଶା ଘରର ଝିଅ ରିନାର ସାଙ୍ଗ ବୋଲି । ମନ ଚାହୁଁଥିଲେ ମଧ୍ୟ ଘରକୁ ଡାକି ପାରିଲେନି । କାରଣ ସେ ମାବାପାଙ୍କ ଇଜ୍ଜତ ତଳେ ପକାଇବାକୁ ଆଦୌ ପସନ୍ଦ କରି ନଥିଲେ । ଯାହାବି ହେଉ ରିନା ତାଙ୍କ ଘର ପ୍ରଥମ ଥର ପାଇଁ ଦେଖିଲା ଯେଉଁଥି ପାଇଁ ସମ୍ବିତ ନିଜକୁ ଭାଗ୍ୟବାନ ମନେ କରୁଥିଲେ । ରିନା ବି ପରିସ୍ଥିତିକୁ ବୁଝି ଫୋନରେ ଗୁଡବାଇ କହି ନିଜ ଘରକୁ ଫେରିଗଲା । କପାଳ ଲିଖନ କେ କରିବ ଆନ । ହଠାତ ସେହିଦିନ ଭାରତୀୟ ସମୟ ରାତି ଏଗାରଟାରେ କାନାଡ଼ାରୁ ଫୋନ ଆସିଲା ଯେ ଆନ୍ୟା ନିଜର କାରରେ ଅଫିସରୁ ଘରକୁ ଫେରିଲା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପର ଲୋକକୁ ଗମନ କରିଛି । ଅତ୍ମୀୟତା ବୋଧ ଓ ମାନବିକତା ଦୃଷ୍ଟିକୋଣରୁ ସମ୍ବିତ ବାବୁଙ୍କ ପରିବାରବର୍ଗ ଶୋକାବିଭୂତ ହୋଇ ପଡ଼ିଲେ ।
ସମ୍ବିତ ବାବୁ ନିଜେ ଅଜ୍ଞାନ ଶିଶୁ ପରି ଭୋ ଭୋ କାନ୍ଦିବାକୁ ଲାଗିଲେ । ସାହି ପଡ଼ିଶା ଲୋକେ ଆସି ବୁଝେଇଲେ ବହୁତ । ତାଙ୍କ ଆଖିରୁ ବାପା ସୂର୍ଯ୍ୟକାନ୍ତ ବାବୁ ଲୁହ ପୋଛିଦେଲେ । ସମ୍ବିତ ବାବୁ ଭୀଷଣ ଦୁଃଖ କରି ସବୁ କଥା ରିନାକୁ ଜଣାଇ ଦେଲେ । ଈଶ୍ୱର ଖୁବ ବଡ଼ ଲୋକ । ସେ କିଛି ଛଡ଼େଇ ନେଇ କିଛି ଦେଇଦିଅନ୍ତି । କିନ୍ତୁ ମଣିଷର ଜାଣି ପାରେନା । ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ସନ୍ଦେହ କରେ । ସମ୍ବିତ ବାବୁ ନିଜକୁ ନିଜେ ଦେଲେ ଆଶ୍ୱାସନା । ଠିକ ପରେ ପରେ ରିନାର ଫୋନ କଲ ଆସିଲା -"ବ୍ୟସ୍ତ ହୁଅନ୍ତୁନି ସମ୍ବିତ ବାବୁ । ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ପ୍ରଜାପତି ବ୍ରହ୍ମା ଆମ ଦୁହିଁଙ୍କୁ ଏକାଠି କରିବାକୁ ଏ ସବୁ ଭିଆଣ କରିଛନ୍ତି । ଗୁରୁଜନଙ୍କ ବଚନ ଓ ସତ ସଂକଳ୍ପ କେବେ ବି ନିଷ୍ଫଳ ହୁଏନି । ଆପଣଙ୍କ ଜୀବନ ସଙ୍ଗିନୀ ମୁଁ ହେବି ଆନ୍ୟା ନୁହେଁ । " ରିନାର ସକାରାତ୍ମକ ବାଣୀ ସମ୍ବିତଙ୍କ ମନରେ ଖେଳାଇ ଦେଲା ଆଶାର ଆଲୋକ । ସୂର୍ଯ୍ୟକାନ୍ତ ଓ ବିମଳା ଦେଵୀ ମଧ୍ୟ ରିନାର ଏପରି ଫୋନ କଲରେ ବିଶେଷ ପ୍ରଭାବିତ । ପୁଅକୁ କୁଣ୍ଢେଇ ଆଖିରୁ ହର୍ଷ ବିଷାଦର ଅଶ୍ରୁ ବୁହାଇ ଚାଲିଲେ । ମଧ୍ୟାହ୍ନ ଭୋଜନ ସମୟ । ବିମଳା ନିଜ କାନିରେ ସ୍ୱାମୀ ଏବଂ ପୁତ୍ରଙ୍କ ଲୁହ ପୋଛି ଡାଇନିଂ ହଲକୁ ଟାଣି ଟାଣି ନେଇଗଲେ । ଭୋଜନ ସମାପ୍ତି ପରେ ପଣ୍ଡିତ ମହାଶୟଙ୍କୁ ଫୋନ କଲ ହେଲା । ପଣ୍ଡିତଜୀ ଘରେ ପହଞ୍ଚି ବିବାହ ତିଥି ସ୍ଥିର କଲେ ଆସନ୍ତା ବୈଶାଖ ମାସକୁ ।
ଚାହୁଁ ଚାହୁଁ ଚୈତ୍ର ଯାଇଁ ବୈଶାଖ ଆସିଲା । ସମ୍ବିତ ଓ ରିନାଙ୍କ ବିବାହ ଉତ୍ସବ ପାଳିତ ହେଲା ଖୁବ ଧୁମ ଧାମରେ । ଜମିଦାର ବାବୁ ଜୋଇଁ ଝିଅଙ୍କୁ, ସୂର୍ଯ୍ୟକାନ୍ତ ବାବୁ ଓ ବିମଳା ଦେବୀଙ୍କ ଆଦର୍ଶ ବାଦୀ ଇଚ୍ଛା ବିରୁଦ୍ଧରେ ଅପର୍ଯ୍ୟାପ୍ତ ଉପଢୌକନ ପ୍ରଦାନ କରି ସମୁଦୀ ସମୁଦୁଣୀଙ୍କ ସାମାଜିକ ମର୍ଯ୍ୟାଦାକୁ ଆହୁରି ବର୍ଦ୍ଧିତ କରିଦେଇଥିଲେ ଯାହା ପାଖ ଆଖ ଦଶ ଖଣ୍ଡ ମୌଜାର ଲୋକେ ଏପର୍ଯ୍ୟନ୍ତ ମନେ ରଖିଛନ୍ତି । ସପ୍ତମଙ୍ଗଳାବାସି ଏକ ପାର୍ସଲ ଆସିଲା ଯାହା ଥିଲା ସେଦିନ ସମ୍ବିତ ବାବୁଙ୍କ ପାଇଁ ଏକ 'ରେଡ ଲେଟର ଡେ ' ଯେହେତୁ ସେଇ ପାର୍ସଲ ଭିତରେ ବିଦ୍ୟମାନ ଥିଲା ତାଙ୍କର ଅତୀତ ଜୀବନରର ଅନାବିଳ ଅତନୁସ୍ପର୍ଶା ଆତ୍ମିକ ପ୍ରେମଦାନର ନମୁନା - କାରୋୱେ ହୀରକ ଖଚିତ କରଟେଜ଼ ସୁବର୍ଣ୍ଣ ନିର୍ମିତ ମୁଦ୍ରିକା - ଯାହାକୁ ଆନ୍ୟା ପର ଲୋକକୁ ଗଲା ପରେ ତାହାର ବାପା ଡୋନାଲଡ,ମିଷ୍ଟର ସମ୍ବିତ ବାବୁଙ୍କୁ ଫେରାଇ ଦେଇଥିଲେ । ଉକ୍ତ ମୁଦ୍ରିକା ଅଦ୍ୟାବଧି ସୂର୍ଯ୍ୟକାନ୍ତ ଓ ବିମଳା ଦେବୀଙ୍କ ସଂଯୁକ୍ତ ସିନ୍ଦୁକ ମଧ୍ୟରେ ସମ୍ପୂର୍ଣ୍ଣ ସୁରକ୍ଷିତ ପରବର୍ତ୍ତୀ ବଂଶଧରଙ୍କ ଗୋଚରାର୍ଥେ ।

