ପରୀକ୍ଷା
ପରୀକ୍ଷା
ଯୁକ୍ତା ସହ ମୋର ଏମିତି କେବେ ଦେଖା ହେବ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରି ନଥିଲି। ଯୁକ୍ତା, ମାନେ ସଂଯୁକ୍ତା ମିଶ୍ର, ମୋ ଆଦ୍ୟ ତାରୁଣ୍ୟର ପ୍ରୀତି ବାନ୍ଧବୀ! ସ୍ୱପ୍ନ ସୁନ୍ଦରୀ! ପ୍ରେୟସୀ! ମୋ କଳ୍ପିତ ଅମରାବତୀର ମଲ୍ଲିକା! ଏମିତି ଅନେକ ସମ୍ପର୍କର ମହାନାୟିକା!
ମୁମ୍ବାଇ ଲୋକାଲ୍ ଟ୍ରେନରେ ଅଫିସ ଗଲାବେଳେ ହଠାତ୍ ଦିନେ ଆବିଷ୍କାର କଲି ଯୁକ୍ତାକୁ, କିଛି ବି ପରିବର୍ତ୍ତନ ହୋଇନଥିଲା ତାର ଏଇ ଦିନମାନଙ୍କରେ ଯଦିଓ ମୁଁ ବେଶ୍ ପୃଥୁଳ ହୋଇଯାଇଛି। କାଲି ପରି ଲାଗୁଛି, ମ୍ୟାଟ୍ରିକ୍ ପାଶ୍ କରିବା ପରେ ବି.ଜେ.ବି. କଲେଜରେ ଆଡ଼ମିସନ୍ ବେଳେ ଦୁହେଁ ଦୁହିଁଙ୍କୁ ଦେଖିଥିଲୁ ପହିଲିବାର। ସଂଯୁକ୍ତାର ଲାଜକୁଳା ଆଖିର ଚୋରା ଚାହାଣୀରେ ମୁଁ ହରେଇ ବସିଥିଲି ମୋର ଜାଗତିକ ସତ୍ତାକୁ। ଚାରି ଚକ୍ଷୁ ମିଳନ ଉପରାନ୍ତେ ପ୍ରେମ...
ବେଶ୍ ମୁଖର ଥିଲା ଆମ ପ୍ରେମ! ଲୁଚାଛପା କିଛି ବି ନଥିଲା। ସବୁ କିଛି ଥିଲା ଖୁଲମଖୁଲା। ଧଉଳିରୁ ଖଣ୍ଡଗିରି, ନନ୍ଦନକାନନ ବଟାନିକାଲ୍ ଗାର୍ଡେନରୁ ଫରେଷ୍ଟ୍ ପାର୍କ୍ ସବୁଠି ଥିଲା ଆମ ଉପସ୍ଥିତିର ସ୍ୱାକ୍ଷର। ଡେଣା ଲାଗି ଯାଇଥିଲା ଆମ ଦେହରେ। ଦିନରାତିର ଫରକ ନଥିଲା। ସାଙ୍ଗସାଥି ମହଲରେ ଜୋର ଧରିଥିଲା ଆମ ଅମର ପ୍ରେମର ଚର୍ଚ୍ଚା। କିନ୍ତୁ ଆମେ କେବେ ବି ଦିନେ କରିନାହୁଁ ଅପଚେଷ୍ଟା ଲଂଘିବାକୁ ସମ୍ପର୍କର ସେଇ ଲକ୍ଷ୍ମଣରେଖାକୁ। ହତାଶିଆ ଦଳେ ଈର୍ଷାରେ ବି ଜଳୁଥିଲେ ଆମକୁ ଦେଖି। ଖୁସିର ଦିନଗୁଡ଼ିକ ସତେ ସରି ଯାଆନ୍ତି ଖୁବ୍ ଶୀଘ୍ର!
ଆଇ.ଏ. ପରେ ରାଜନୀତି ବିଜ୍ଞାନ ସମ୍ମାନ ନେଇ ସ୍ନାତକ ପଢିବାକୁ ମୋର ଥିଲା ପ୍ରବଳ ଇଚ୍ଛା। କିନ୍ତୁ ପରିସ୍ଥିତିରେ ପଡ଼ି କେବଳ ଯୁକ୍ତାକୁ ଖୁସି କରିବାକୁ ଯାଇ ମୁଁ ପରବର୍ତ୍ତୀ ସମୟରେ ଓଡ଼ିଆ ସମ୍ମାନରେ ନାମ ଲେଖାଇ ଥିଲି। ଯେହେତୁ ତାର ବାପା ବାଣୀବିହାରରେ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଥିଲେ, ଓଡ଼ିଆ ସମ୍ମାନ ନେଇ ପଢିଲେ ଭବିଷ୍ୟତରେ ଆମ ସମ୍ପର୍କ ପାଇଁ ସହଜରେ ସ୍ୱୀକୃତି ମିଳିଯିବ, ଏଇ ଆଶା ଓ ବିଶ୍ୱାସରେ। ସବୁ ପ୍ରଚେଷ୍ଟା ମୋର ଫସରଫାଟି ଯାଇଥିଲା ସମୟ ନଦୀର ଉଜାଣିରେ।
ମୋ ଭଳି ପୃଥୁଳ ବ୍ୟକ୍ତିଙ୍କ ପାଇଁ ମୁମ୍ବାଇ ଲୋକାଲରେ ଯାତ୍ରା କରିବା କଷ୍ଟକର ବ୍ୟାପାର। ସବୁଦିନ ଅଫିସ୍ ଗଲାବେଳେ ମୁଁ ଭାବେ ଭୁବନେଶ୍ଵର ହିଁ ବିଶ୍ୱରେ ଶ୍ରେଷ୍ଠ! କି ଅୟସ ଆରାମ ସେଠି! ଗହଳି ନାହିଁ କି ପ୍ରଦୂଷଣ ନାହିଁ। ଜଳ କଷ୍ଟ କି ବିଜୁଳି ବିଭ୍ରାଟ ମଧ୍ୟ ନାହିଁ। ଯୁଆଡେ ଚାହିଁବ ଯିବାକୁ ଯାଇପାରିବ ଅନାୟାସରେ ବିନା ଟ୍ରାଫିକ ଜାମରେ। ସବୁ କିଛି ହାତପାଆନ୍ତାରେ ମିଳେ, ଧାଡ଼ି ବାନ୍ଧି ଠିଆ ହେବାର ପ୍ରୟୋଜନ ନାହିଁ। ଦରଦାମ ବି ବଜେଟ୍ ଅନୁକୂଳ। ସର୍ବୋପରି ସବୁଜ ସୁନ୍ଦର ଭୁବନେଶ୍ବର!
ଏମିତି ଭାବୁ ଭାବୁ ଯୁକ୍ତା ସହ ମୁହାଁମୁହିଁ ହୋଇଗଲି ସେଇ ଲୋକାଲ୍ ଟ୍ରେନର ଭିଡ଼ ଭିତରେ। ତାକୁ ଚିହ୍ନି ନ ପାରିବାର ଅଭିନୟ କରି ବିଫଳ ହୋଇଥିଲି ମୁଁ। ଏକାଥରକେ ସେ କହିପକେଇଲା, "କେମିତି ଅଛ ଅନିମେଶ୍? ଆଜିକାଲି ତ ଭଲ ଭଲ ଲେଖା ସବୁ ଲେଖୁଛ! କେଉଁଠି ଥିଲା ତୁମର ଏ ସୃଜନଶୀଳ ପ୍ରତିଭା? ପରୀକ୍ଷା ଖାତାରେ ଯଦି ଏଥିରୁ କିଛି ବି ଲେଖିଦେଇଥାନ୍ତ ନା ଆଜି ମୁଁ ତୁମର ହୋଇଥାନ୍ତି! ଇତ୍ୟାଦି ଇତ୍ୟାଦି..."
ସେ କହି ଚାଲିଥାଏ ଅନର୍ଗଳ ଭାବେ। ମୁଁ ଅପରାଧୀଟେ ପରି ମଥାନତ କରି ସବୁ ଶୁଣି ଚାଲିଥାଏ ବିନା କୌଣସି ବାକ୍ୟ ବିନିମୟରେ। ଆଉ କିଛି ଚାରା ବି ମୋର ନଥିଲା।
ଏହି ବିଷୟ ଉଲ୍ଲେଖଯୋଗ୍ୟ ଯେ, ଯୁକ୍ତାର ମନ ରଖିବା ପାଇଁ ଓଡିଆ ସମ୍ମାନ ନେଇ ବି.ଏ. ପଢିଥିଲେ ବି ମୁଁ ଅସଫଳ ରହିଥିଲି ଭାଷାଜ୍ଞାନ ବିଷୟରେ ଅନ୍ତିମ ପରୀକ୍ଷାରେ। ସେଥିପାଇଁ ସଂଯୁକ୍ତା ଆଜି ମୋ ଠାରୁ ବିଯୁକ୍ତା!
ଲୋକାଲ୍ ଟ୍ରେନ୍ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଥାଏ। ଯୁକ୍ତା ଠାରୁ ବିଦାୟ ନେବା କ୍ଷଣରେ ସମସ୍ତ ସାହସ ଯୁଟାଇ କହିଲି, "କେବଳ ତୁମକୁ ହରାଇବାର ଦୁଃଖରେ ହିଁ ମୁଁ ଲେଖିଚାଲିଛି ଆଉ ଲେଖୁଥିବି ଜୀବନର ଶେଷ ଶ୍ୱାସ ଥିବା ପର୍ଯ୍ୟନ୍ତ..."