ପ୍ରେମର ପରିପ୍ରକାଶ
ପ୍ରେମର ପରିପ୍ରକାଶ
ଦିବ୍ୟେନ୍ଦୁ ଷ୍ଟେଟବ୍ୟାଙ୍କରେ ପ୍ରବନ୍ଧକ ପଦକୁ ଉନ୍ନିତ ହେଲା ପରେ ବୟସ ତାଙ୍କର ତିରିଶ ହେବାକୁ ଆହୁରି ଦୁଇ ବର୍ଷ ବାକି ଥିଲା। ମୁଖ୍ୟ ପ୍ରବନ୍ଧକ ପଦକୁ ପଦୋନ୍ନତି ପାଇଲା ପରେ ବିବାହ କରିବେ ବୋଲି ଘରେ ଜଣାଇ ଦେଇଥିଲେ। ଗୋଟିଏ ବୋଲି ପୁଅର ଏମିତି ଇଛାକୁ ଅଗ୍ରାହ୍ୟ କରି ଅସନ୍ତୋଷ ସୃଷ୍ଟି କରିବାକୁ କେହି ବି ଚାହୁଁ ନଥିଲେ। କେବଳ କଥାର ବ୍ୟତିକ୍ରମ ହେବ ଆଶା କରି ବାପା ରଘୁନାଥ ବାବୁ ଜଣାଇ ଦେଇଥିଲେ ଯେ ପଦୋନ୍ନତି ବା ତିନି ବର୍ଷର ସମାପ୍ତି ଯାହା ଆଗ ଆସିବ ତାର ପରବର୍ତ୍ତୀ ଲଗ୍ନରେ ତୋର ବାହାଘର ହେବ। ଯଦି ତୋ ନିଜ ପସନ୍ଦର କେହି ଝିଅ ଅଛନ୍ତି ଆମକୁ ଯଥେଷ୍ଟ ଆଗରୁ ଜଣାଇବୁ।
ଦିବ୍ୟେନ୍ଦୁ ବାପାଙ୍କୁ କିଛି କହିବାକୁ ଉଦ୍ୟତ ହେଉଥିଲେ ମାଆ ସୁମିତ୍ରା ପଚାରିଲେ - କଣ ବାପାଙ୍କ ଏଇ କଥାରେ ବି ତୋର ଆପତ୍ତି ଅଛି କି
- ମୁଁତ ଆପତ୍ତି କରି କିଛି କହିନି। ତମେ କାହିଁକି ଏମିତି କହୁଛ। ଦିବ୍ୟେନ୍ଦୁ ଉତ୍ତର ଦେଲା।
- ତୁ ସିନା କହିନୁ। ତୁ ଯେ କିଛି କହିବାକୁ ଚାହୁଁଛୁ ସେଇଟା ମୁଁ ଜାଣି ପାରୁଛୁ।
ନିର୍ବାକ ଅବସ୍ଥାରେ ବି ମାଆ ମାନେ କେମିତି ଅକୁହା ବାକ୍ୟର ଅର୍ଥ ବୁଝି ପାରନ୍ତି ତାହା ଭାବି ଦିବ୍ୟେନ୍ଦୁ ଆଶ୍ଚର୍ଯ୍ୟ ହେଉଥିଲା।
ରଘୁନାଥ ଆଉଥରେ ସ୍ପଷ୍ଟ କରି କହିଦେଲେ - ଆମର ତୋ ଇଛାରେ କୌଣସି ଆପତ୍ତି ନାହିଁ। କହିବା କଥା ହେଲା ଆମ ଭାବନାକୁ ମଧ୍ୟ ତୋର ଅଗ୍ରାଧିକାର ଦେବା ଉଚିତ। ସେଥିପାଇଁ ଆଗରୁ ପଚାରି ଦେଲି । ଯଦି ତୁ ନିଜେ ଠିକ୍ କରି ସାରିଛୁ ଆମର କୌଣସି ଆପତ୍ତି ନାହିଁ ।ଯଦି ନିଜେ ଠିକ୍ କରିବୁ ତାହେଲେ ବ୍ରାହ୍ମଣ ଝିଅ ଦେଖି କରିବୁ ବୋଲି ଆମେ ଆଶା କରିବୁ। ଆଜି କାଲି ଜାତି ଫାତିର କୌଣସି ମାନେ ନରହିଲେ ମଧ୍ୟ ସଂସ୍କାର ଦୃଷ୍ଟିରୁ ସ୍ଵଜାତି ବିବାହ ମୋର ପସନ୍ଦ।
ଦିବ୍ୟେନ୍ଦୁ ମୁହଁ ତଳକୁ କରି କହିଲା - ମୋତେ ଏ ବିଷୟରେ ଏମିତି କାହିଁକି କହୁଛନ୍ତି।
ରଘୁନାଥ କହିଲେ -ହଁ ତୁ ଠିକ୍ କହୁଛୁ। ତୋତେ ଏମିତି କହିବାର ତାତ୍ପର୍ଯ୍ୟ କଣ ବି ତୋର ଜାଣିବା ଦରକାର। ନହେଲେ ତୁ ଭାବିବୁ ଆମେ ବୁଢା ବୁଢୀ ଦି'ଟା ଏମିତି ଖାଲିଟାରେ କାହିଁକି ଭାଷଣ ମାରୁଛ।
- ମୁଁ ସେମିତି କେତେବେଳେ ଭାବିଲି, ରଘୁନାଥ ପୁଅର ଗାମ୍ଭୀର୍ଯ୍ୟକୁ ବୁଝି ପାରି ମୁହଁରେ ତତକ୍ଷଣାତ୍ ସରସତା ଆଣି କହିଲେ - ତୁ ସେମିତି ନ କହିଲେ ବି କିଛି ଜିନିଷର ଉପସ୍ଥାପନା ପାଇଁ କିଛି ଭୂମିକା ଦରକାର। ସବୁ ଜିନିଷ ସିଧାସଳଖ କହି ହୁଏ ନାହିଁ। ଯାହା କହି ହୁଏ ନାହିଁ ସେଥିରେ ଗୌରଚନ୍ଦ୍ରିକା ଦେବା ଆବଶ୍ୟକ ହୁଏ। ବୁଝିବା ଲୋକ ବୁଝି ଯାଏ। ମୋର କହିବାର ମାନେ ଜୀବନ ହେଉଛି ଏକ ଯାତ୍ରା ସଦୃଶ, ହେଲେ ଏ ଯାତ୍ରାର ଗନ୍ତବ୍ୟ ସ୍ଥଳ ଆଗରୁ ସ୍ଥିର ହେଇନଥାଏ, ଯାଉ ଯାଉ ସ୍ଥିର କରିବାକୁ ପଡିଥାଏ ।
ତେଣୁ ଜୀବନରେ ଝୁଣ୍ଟି ପଡିବାର ସମ୍ଭାବନାକୁ ଏଡାଇ ପାରିଲେ ଖୁସିରେ ରହିବାର ସମ୍ଭାବନାକୁ ସତ୍ୟ କରି ହୁଏ।
ଦିବ୍ୟେନ୍ଦୁ ଏଥର ମୁହଁ ଉପରକୁ କରି ବାପାଙ୍କୁ ଚାହିଁଲା। କିଛି କ୍ଷଣର ନୀରବତା ପରେ ପଚାରିଲା – ମୁଁ ତ କହିଲି ତିନି ବର୍ଷ ପରେ ବାହା ହେବି। ଏଥିରେ ସନ୍ଦେହ ଆଉ କୋଉଠି ରହିଲା।
- ତୋତେ ଆମେ ସନ୍ଦେହ କରୁନୁ କି କୌଣସି ପ୍ରଶ୍ନ ବି କରୁନୁ। ତୋର ଯାହା ଖୁସି ଆମେ ସେଥିରେ ବାଧା ବି କେବେ ହେବୁନି। ଏଇଟା ମୁଁ ସ୍ପଷ୍ଟ କରି ଦେବା ପାଇଁ ଚାହୁଁଛି। ତା ପରେ ବି ଯଦି ତୋ ମନରେ ଚିନ୍ତା ଓ ଦ୍ଵନ୍ଦ୍ଵ ଭାବ ଆମକୁ ଦିଶେ ଆମର ଚିନ୍ତା ବଢିବାଟା ସ୍ଵାଭାବିକ।
- ମୋର ସେମିତି କୌଣସି ଚିନ୍ତା ନାହିଁ।
ରଘୁନାଥ ହସିଦେଇ କହିଲେ ଝିଅ କହୁଥିଲା ତୁ ଆଜିକାଲି ବହୁତ ଅନ୍ୟମନସ୍କ ରହୁଛୁ।
- ସେ ବାୟାଣୀ ଟା। ସେ କଣ ମୋ କଥା ଜାଣିବ।
- ଭଲକଥା। ଆମର ଅନୁମାନ ହୁଏତ ଭୁଲ ହେଇପାରେ। ହଁ ମୁଁ ତମ ଅଫିସ ଥରେ ଯାଇଥିଲି। ତମ ଅଫିସରେ ଲୀନା ବୋଲି ଗୋଟିଏ ଝିଅ ଅଛି।
- ହଁ ଅଛି ।
- କେମିତି ଝିଅ
-ଭଲ ଝିଅ। ପ୍ରୋବେସନ ପରେ ଆମ ଅଫିସରେ ଫିଲ୍ଡ ଅଫିସର ହେଇ ଜଏନ କରିଛି।
- ମୋର ଝିଅଟି ପସନ୍ଦ ହେଇଛି ।
-କିନ୍ତୁ ତାରତ ବାହାଘର ଠିକ ହେଇ ସାରିଛି।
- ତୁ କେମିତି ଜାଣିଲୁ
-କେମିତି ଆଉ କଣ। ସେ କହିଥିଲା।
- ପିଲା କିଏ। କଣ କରୁଛି।
- ସେଗୁଡା ସେ ମୋତେ କହିନି
- ତୁ ବି ତାକୁ ପଚାରିନୁ
-ନା
-ଵାଃ! ବଢିଆ। ଗୋଟିଏ ଝିଅ ଉପରେ ପଡି ତା ବସକୁ ତା ବାହାଘର କଥା ପଚାରୁଛି ଅଥଚ ତୋର ଫରମାଲିଟି ଦୃଷ୍ଟିରୁ ପଚାରିବାକୁ ଟିକେ ଇଛା ହେଲାନି।
-କଣ ପାଇଁ ପଚାରିବି ଯେ।
- କଣ ପାଇଁ ପଚାରିବୁନି
- ଏଇଟା ତାର ବ୍ୟକ୍ତିଗତ ଜିନିଷ। ମୁଁ ଏଥିରେ ମୁଣ୍ଡ ପୁରାଇବା ଠିକ୍ ନୁହେଁ।
- ତା ବାହାଘର ବି ତାର ବ୍ୟକ୍ତିଗତ ଜିନିଷ। ସେ ବି ବାହାଘର ତାରିଖ ପକ୍କା ହେଇ ସାରିଲା ପରେ ନିମନ୍ତ୍ରଣ ପତ୍ରଟିଏ ଧରାଇ ଦେଇଥାନ୍ତା। ଏତେ ଆଗରୁ କଣ ପାଇଁ ଜଣାଇଲା।
-ସେଇଟା ମୁଁ କେମିତି କହିବି
-ତୁ କେମିତି କହିବୁ ନୁହେଁ। ତୋର ଯଦି ସେ ଝିଅ ପସନ୍ଦ ତୋର ମଧ୍ୟ ଜାଣିବା ଦରକାର। ଦୁନିଆରେ ସବୁ ଭଲ ଜିନିଷକୁ ପାଇବାକୁ ହେଲେ କିଛି ପ୍ରଚେଷ୍ଟା ଓ ପରିଶ୍ରମ ଦରକାର। ଯୋଉମାନେ ଭାବନ୍ତି ଚାକିରି କରିଛନ୍ତି ବୋଲି ଭଲ ଝିଅ ଆପେ ଆପେ ମିଳିଯିବେ ତା ବିଲକୁଲ ଠିକ୍ ନୁହେଁ। ତୋର ସେ ଝିଅ ପସନ୍ଦ କି?
- ବାପା! ତାର ବାହାଘର ଠିକ ହେଇ ସାରିଛି। ଏ ପ୍ରଶ୍ନ ଅବାସ୍ତବ।
-ବାହାଘର ଠିକ ହେଇ ସାରିଥିବା ଜାଣି ବାହାଘର ପ୍ରସ୍ତାବ ପକାଇବା ଅବାସ୍ତବ କିନ୍ତୁ ତୋର ପସନ୍ଦ ଅପସନ୍ଦ ଜାଣିବାରେ ଅବାସ୍ତବ କଣ।
- ମୁଁତ କହିଲି ସେ ଭଲ ଝିଅଟେ
- ତାମାନେ ତୋର ପସନ୍ଦ
- ହଁ ପସନ୍ଦ।
- ଯଦି ସେ ବାହାଘର ପାଇଁ ରାଜି ହୁଏ ତୁ ମନା କରିବୁନି ତ!
ଦିବ୍ୟେନ୍ଦୁ ନୀରବ ରହିଲା। ସେ ଯେ ଲୀନାକୁ ଭଲ ପାଉଛି ଘରେ କେମିତି ଜାଣିଲେ। ସେତ ନିଜେ ଲୀନାକୁ ବି ଏ ବିଷୟରେ କେବେ କିଛି କହିନି। ତା ପ୍ରେମ କେବଳ ତା ପାଖରେ ହିଁ ରହିଛି। କାହାଣୀ ଲେଖା ହେବା ପୂର୍ବରୁ କାହାଣୀ ଲିକ୍ କେମିତି ହେଲା। ତାପରେ ଲୀନାର ବାହାଘର ଠିକ ହେଇ ସାରିଲା ପରେ ପ୍ରସ୍ତାବ ଦେବା ନିହାତି ଅସୌଜନ୍ୟ ହେବ। ଯଦି ମନା କରି ଦିଅନ୍ତି ଅପମାନ ବି ହେବ। ଦିବ୍ୟେନ୍ଦୁର ମଥା ଚକ୍କର ଖାଇବାକୁ ଲାଗିଲା। ଯେତେ ଭାବିବାକୁ ଚେଷ୍ଟା କଲେ ବି ବୁଝି ପାରିଲା ନାହିଁ ଯେ ଘରେ କେମିତି ଜାଣିଲେ। ସେ ଭଲ ପାଉଛି ବୋଲିତ ଲୀନାକୁ ଏପର୍ଯ୍ୟନ୍ତ ଜଣା ନାହିଁ। ଦିବ୍ୟେନ୍ଦୁ ମାଆକୁ ଅନାଇଲା। ମାଆ ମଧ୍ୟ ଓଠ ଫାଙ୍କରେ ମଧୁର ହସ ଖେଳାଇ ଠିଆ ହେଇଥାନ୍ତି। ନିଜ ଅନ୍ତର୍ଭାବନାରେ ସେ ଝାଳନାଳ ହେଇଗଲା।
ଏତିକିବେଳେ ତାର ସାନଭଉଣୀ ରାନୀ ମୋବାଇଲରୁ ଲୀନାର ଫୋଟ କାଢି ମୋବାଇଲଟା ହାତରେ ଧରାଇ ଦେଲା।
ଦିବ୍ୟେନ୍ଦୁ ମୁହଁରେ ଏଥର ସାମାନ୍ୟ ସଲ୍ଲଜ ହସ ଖେଳିଗଲା। ରାନୀକୁ ଅନେଇଲା। ରାନୀ ମୁହଁରେ ବଦମାସୀର ହସ ତାର ସଲ୍ଲଜ ଭାବକୁ ଆହୁରି ବଢାଇ ଦେଲା।
ଦିବ୍ୟେନ୍ଦୁ କଣ କହିବ ବୋଲି ଦ୍ଵନ୍ଦ୍ଵରେ ପଡୁଥାଏ, ମାଆ ସୁମିତ୍ରା ଦେବୀ ତାର ଅବସ୍ଥା ଲକ୍ଷ କରି କହିଲେ ତୋର ଯଦି କିଛି ଆପତ୍ତି ନାହିଁ ଆମେ ଯାଇ ତାଙ୍କ ଘରେ କଥା ହେଉଛୁ।
ଦିବ୍ୟେନ୍ଦୁ ମନା କଲା। କହିଲା - ଯଦି ସେମାନେ ମନା କରିବେ ସେଇ ଅପମାନ ସହିବା କଷ୍ଟ ହେବ।
- ତାହେଲେ ଆମେ ଅନ୍ୟ କାହାକୁ ତା ଘରକୁ ପଠାଉଛୁ। କେହି ଜାଣି ପାରିବେ ନାହିଁ ଯେ ଏଇଟା ତୋର ପ୍ରସ୍ତାବ। ଆମକୁ କିଛି ବି ଚେଷ୍ଟା ନ କରି କଣ ଓହରି ଆସିବା ଠିକ୍ ହେବ। ମଣିଷ ତାର ଭାଗ୍ୟର ଝିଅକୁ ପ୍ରାରବ୍ଧ ବୋଲି ସ୍ଵୀକାର କରି ଗ୍ରହଣ କରିବା ଅପେକ୍ଷା ଭଲ ଝିଅଟେ ବୋଲି ଜାଣି ସାରି ପାଇବାର ଚେଷ୍ଟା ନ କରିବା କିନ୍ତୁ ମୋ ବିବେକ ସ୍ଵୀକୃତି ଦେଉ ନାହିଁ। ରଘୁନାଥ କହି ସାରି ଦିବ୍ୟେନ୍ଦୁକୁ ପ୍ରଶ୍ନିଳ ଦୃଷ୍ଟିରେ ଅନାଇଲେ।
ଦିବ୍ୟେନ୍ଦୁ କହିଲା ମୋତେ ଦୁଇ ଚାରି ଦିନ ସମୟ ଦିଅ। ତାପରେ ମୁଁ କହିବି।
ରଘୁନାଥ କହିଲେ ହୋଉ ଠିକ୍ ଅଛି। କିନ୍ତୁ ବେଶି ଡେରି ହେବାକୁ ଦେବୁ ନାହିଁ। ଘଟଣାର ମୋଡ କେତେବେଳେ କୁଆଡେ ବଦଳିବ କେହି ମଧ୍ୟ ଜାଣନ୍ତି ନାହିଁ।
ଦିବ୍ୟେନ୍ଦୁ ଉଠି ବାହାରକୁ ଚାଲି ଆସିଲା। ବାପା ମାଆଙ୍କର ଏତେ ଆଗ୍ରହ ଦେଖି ତା ମନରେ ମଧ୍ୟ କିଛି ସାହାସ ଆସି ଯାଇଥିଲା।
ତା ପରଦିନ ଅଫିସରେ ପାଞ୍ଚଟା ବେଳକୁ କ୍ୟାସ୍ କ୍ଲୋଜ୍ ହେଉଥାଏ। ଦିବ୍ୟେନ୍ଦୁ ଲୀନାକୁ ତା ଚାମ୍ବରକୁ ଡାକିଲା। ଅଫିସ କଥା କିଛି ହେଇସାରି ବାହାଘର ବିଷୟରେ ପଚାରିଲା।
ଲୀନା କହିଲା ତାରିଖ ଠିକ୍ ହେଇ ନାହିଁ।
ପିଲାଟି କଣ କରୁଛି ବୋଲି ପଚାରିଲା
ଲୀନା କିଛି ଉତ୍ତର ଦେଲା ନାହିଁ
ଦିବ୍ୟେନ୍ଦୁ ପୁଣି ଥରେ ପଚାରିଲା - ତାଙ୍କ ଘର କୋଉଠି।
ଲୀନା କିଛି ଉତ୍ତର ଦେଲା ନାହିଁ।
ନାରୀ ପ୍ରତି ଅସୌଜନ୍ୟ ହେବ ଭାବି ଦିବ୍ୟେନ୍ଦୁ ଆଉ ଆଗକୁ ପଚାରିବାକୁ ସାହାସ କଲା ନାହିଁ।
ଆଇ ଆମ ସରି ଇଫ୍ ୟୁ ଫିଲ୍ ହର୍ଟ କହି କଥା ସେଇଠି ଶେଷ କଲା।
ଲୀନା ସାଙ୍ଗେ ସାଙ୍ଗେ ଉତ୍ତର ଦେଲା - ନାଇ ସେମିତି କିଛି ନାହିଁ। ଆଇ ଆମ୍ ଓକେ।
ଆଛା ଆଉ ଗୋଟିଏ କଥା କହିବି
- ହଁ କୁହନ୍ତୁ
- ମୁଁ ଯାହା ପଚାରିଲି ମୋ ପ୍ରଶ୍ନର ଉତ୍ତର ଦେବାରେ ଅସୁବିଧା କଣ ଅଛି ଯେ ତମେ ଚୁପ୍ ରହିଲ।
ଲୀନା ପୁଣି ଚୁପ୍ ରହିଲା।
ଦିବ୍ୟେନ୍ଦୁ ଆଉ ପଚାରିବା ଉଚିତ ମନେକଲା ନାହିଁ। ପୁଣି ଥରେ ସରି କହି ନିଜକୁ ପ୍ରକୃତିସ୍ଥ କଲା।
- ନାଇ ଆପଣ ସରି କାହିଁକି କହୁଛନ୍ତି। ମୁଁତ କିଛି ଜାଣିନି। କଣ କହିବି।
- କିଛି ଜାଣିନ ମାନେ
- ଯାହା ଆପଣ ପଚାରୁଛନ୍ତି
- ମାନେ ତମେ ପିଲା କିଏ କୋଉଠି କାମ କରୁଛି କିଛି ବି ଜାଣିନ। ଅଥଚ ବାହା ହେବ।
ଲୀନା ହସିଲା କିଛି କହିଲା ନାହିଁ।
ଦିବ୍ୟେନ୍ଦୁ ସେ ସଲ୍ଲଜ ହସର ଆନନ୍ଦ ନେଉଥାଏ । କିଛି ସମୟ ପରେ ଦିବ୍ୟେନ୍ଦୁ ପୁଣି ପଚାରିଲା – କିଛି ତ କାରଣ ଥିବ। ତମେ ଏମିତି କିଛି ନଜାଣି ବାହା ହେବ ଶୁଣିଲେ ବିଶ୍ଵାସ ଲାଗୁନି।
- କିନ୍ତୁ ଆପଣ କାହିଁକି ଏସବୁ ପଚାରୁଛନ୍ତି ଆଜି
-ପଚାରିବାଟା ଯଦି ଭୁଲ । ଆଇ ଆମ ସରି
- ଆପଣ ଏମିତି ବାରମ୍ବାର ସରି କୁହନ୍ତୁ ନାହିଁ। ମୋତେ ଭଲ ଲାଗୁନି। ଆପଣ ଯାହା କହିଲେ ବି ମୁଁ ମାଇଣ୍ଡ କରିବିନି।
- ତାହେଲେ ମୋ ପ୍ରଶ୍ନର ଉତ୍ତର ଦିଅ
ଲୀନା ଏଥର ଦିବ୍ୟେନ୍ଦୁକୁ ସିଧା ଚାହିଁ କହିଲା - ମୁଁ ଜଣକୁ ଭଲ ପାଉଛି ସେ କିନ୍ତୁ ଏ ପର୍ଯ୍ୟନ୍ତ କିଛି କହୁ ନାହାନ୍ତି ବୋଲି ମୋର ବାହାଘର ଠିକ ହେଇଛି ବୋଲି ମିଛ ନାଟକ କରିଛି । ତାଙ୍କର ଯଦି ଇଛା ଥିବ ସେ ମୋ ବାହାଘର ଶୁଣି ନିଜେ କହିବେ ।
-ଏଇଟା କି ପ୍ରକାର କଥା। ତମେ ଭଲ ପାଉଛ ବୋଲି ସେ ଜାଣିବ କେମିତି। ବରଂ ମୁଁ ତମ ପାଇଁ ଯାଇ ତାକୁ ଜଣେଇ ଦେବି। ତାର ଇଛା ଥିଲେ ସେ ଆପେ କହିବ। ଏମିତି ସସପେନସରେ ରହିବା ଅପେକ୍ଷା ମୁଁ କଣ ଏତିକି ସାହାଯ୍ୟ କରି ପାରିବି ନାହିଁ।
- ଆପଣଙ୍କ କେସ୍ ହେଇଥିଲେ ଆପଣ କାହାର ସାହାଯ୍ୟ ନେଇଥାନ୍ତେ।
ଦିବ୍ୟେନ୍ଦୁ କଣ କହିବ ଭାବି ପାରିଲା ନାହିଁ। ଏ ଝିଅ ଗୁଡାକ ସତରେ ପୁରୁଷଙ୍କ ଠାରୁ ବହୁତ ଚାଲାକ। ନିଜ ଚାଲାକି ଧରା ପଡିଯିବା ଭୟରେ କଥାର ବିଷୟ ବଦଳାଇ କହିଲା - ଫାମିଲି ପିକନିକରେ ତମେ କୁଆଡେ ମୋ ବାପାଙ୍କ ସହ ବହୁତ ଗପୁଥିଲ।
- ହଁ। ଖାଲି ସେ ନୁହେଁ ମାଉସୀ ଓ ରାନୀ ବି।
-ସେମାନେ ସମସ୍ତେ ତମକୁ ଆଜି ଘରକୁ ଡାକିଛନ୍ତ। ଯାଇ ପାରିବ।
-ଏକୁଟିଆ ଯିବିନି। ଆପଣ ଯଦି ନେବେ ଯିବି।
- ମୋ ସାଙ୍ଗରେ ମୋଟରସାଇକେଲ ପଛରେ ବସି ଯିବ!
- ଆପଣ ନେବେ ତ!
ତମେ ପ୍ରଶ୍ନର ଉତ୍ତର ପ୍ରଶ୍ନରେ ଦେଉଛ।
- କଣ କରିବି। ତମେ ସବୁ ଜିନିଷ ନାରୀ ମୁହଁରୁ ସିଧା ଶୁଣିବା ପାଇଁ ଚାହୁଁଛ ଅଥଚ ନିଜେ ସିଧା କହି ପାରୁନ।
ଦିବ୍ୟେନ୍ଦୁ ଲାଜେଇ ଯାଇ କହିଲା - ଆଇ ଆମ୍ ସରି
- ପୁଣି ସରି କହିଲେ। ମୁଁ ବା ମନା କଲି ସରି କହିବା ପାଇଁ। ଆପଣ ଯାହା କହିବେ ମୋତେ ଖରାପ ଲାଗିବନି।
ଦିବ୍ୟେନ୍ଦୁ ଏଥର ସବୁ ବୁଝି ପାରିଲା ପରି କହିଲା - ତାହେଲେ ମୁଁ ତମକୁ ଘରକୁ ଡାକୁନି।
-ପୁଣି କଣ ହେଲା। ମୁଁତ ଯିବାକୁ ରାଜି ଅଛି।
-ତମେ ସିନା ରାଜି ଅଛ। ମୋ ବିବେକ ବାଧା ଦେଉଛି।
-ଏଥିରେ ପୁଣି ବିବେକ ଆସିଲା କୋଉଠୁ।
ଘରର ବୋହୂ ଶଶୂରଙ୍କୁ ଦେଖା କରିବାକୁ ଯିବା ଠିକ୍ ନୁହେଁ ବରଂ ମୁଁ ଶଶୂରଙ୍କୁ କହିବି ସେ ଯାଇ ନିଜେ ଦେଖା କରି ଆସିବେ।
ଲୀନା ସାଙ୍ଗେ ସାଙ୍ଗେ ଉଠି ଠିଆ ହେଲା। ହସି ଦେଇ କହିଲା ମୁଁ ଆସୁଛି।
ଦିବ୍ୟେନ୍ଦୁ ଦୀର୍ଘନିଃଶ୍ୱାସ ପକାଇ ଚେୟାରରେ ପଛକୁ ଆଉଯାଇ ହେଇ ପଡିଲା। ମୁହଁର ଭାବରେ ଆନନ୍ଦର ଲହରୀ ଖେଳି ଯାଉଥିଲା । ପ୍ରେମର ପରିପ୍ରକାଶ ମନର ଉଲ୍ଲାସକୁ ଆହୁରି ଦ୍ଵିଗୁଣିତ କରି ଦେଉଥିଲା।