Prasanta kumar Hota

Others

4.0  

Prasanta kumar Hota

Others

ପ୍ରେମର ଆଧାର

ପ୍ରେମର ଆଧାର

6 mins
279


ସୁପ୍ରିୟା ଅନେକ ସମୟରେ ସୁଧାଙ୍କ ପାଖକୁ ଆସି ଗପସପ କରନ୍ତି। ସୁପ୍ରିୟା ଆସିବା କ୍ଷଣି ସୁଧାଙ୍କ ଖୁସି ସୁରଜ ଲକ୍ଷ୍ଯ କରି ପାରନ୍ତି। ତାଙ୍କର ଗପ ଯେତେବେଳେ ଜମିଯାଏ ସେ ଭାବନ୍ତି ପାରସ୍ପରିକ ପ୍ରେମରୁ ଉତ୍ପନ୍ନ ହେଉଥିବା ଖୁସିର ସ୍ବଚ୍ଛତା ଅଧିକ।

ଥରେ ଥରେ ସୁପ୍ରିୟା ସୁଧାଙ୍କୁ କହୁଥିବା ଶୁଭେ ତମ ସାର୍ କୁଆଡେ ଗଲେ ! କାହିଁ ଦିଶୁ ନାହାନ୍ତି ! ସେହି ସମୟରେ ଯଦି ସୁରଜ ଆସନ୍ତି, ସୁପ୍ରିୟା ଥଟାରେ ପଚାରନ୍ତି, ମୁଁ ଆସିଲେ, ଆପଣ କୁଆଡେ ଲୁଚି ଯାଉଛନ୍ତି ! ସୁରଜ ହସିଦେଇ କହନ୍ତି - ମୁଁ କାହିଁକି ଲୁଚିବି ! ତାପରେ ଚାଲେ କିଛି ଥଟ୍ଟାମଜା କଥା। ସୁରଜ ରସପୂର୍ଣ୍ଣ କଥାରେ ଆମୋଦିତ ହେଲେ ବି ଆନନ୍ଦ ପାଇ ପାରନ୍ତି ନାହିଁ। ସ୍ନେହ ରୂପକ ପ୍ରେମରେ ପ୍ରଶ୍ନବାଚୀ ଥିଲା ପରି ଅନୁଭବ ହୁଏ। ପ୍ରକୃତ ସ୍ୱରୂପର ପ୍ରଦର୍ଶନ ଅପେକ୍ଷା ସେ ଅଭିନୟ କଲା ପରି ମନେ କରନ୍ତି। ଅଯଥାରେ ସୁରଜ କଥା ନ ବଢାଇ ହସି ହସି ଉଠି ଆସନ୍ତି।

ସୁରଜ ଚାଲିଗଲା ପରେ ସୁପ୍ରିୟା ସୁଧାକୁ ଥଟାକରି କହନ୍ତି, ତୁ ଭଲ ସ୍ୱାମୀଟେ ପାଇଛୁ। ବହୁତ ଚୁପ ଚାପ୍, ଭଦ୍ର, ମିଷ୍ଟଭାଷୀ। ସୁଧା ନିଜ ଉପରେ ଖୁସି ହେଇ କହନ୍ତି, ପୁରୁଷଙ୍କ ଭଦ୍ରାମୀ ନାରୀମାନଙ୍କ ପାଖରେ ବେଶି। ସବୁଠୁ ବେଶି ସୁନ୍ଦରୀଙ୍କ ପାଖରେ। ସୁପ୍ରିୟା କୃତ୍ରିମ ହସି କହିବେ, ମୁଁ ସୁନ୍ଦରୀ ବୋଲି ଆଜି ପାଖକୁ ଚାଲି ଆସିଥିଲେ କି ! ନିଜ ପ୍ରଶ୍ନରେ ନିଜେ ଆହ୍ଲାଦିତ ହେଇ ହସିବାରୁ ସୁଧା ମଧ୍ଯ ହସି ହସି କହିଲେ ତୁ ବହୁତ କଥା କହୁଛୁ। ଇୟେ ଯଦି ସୁନ୍ଦରୀ ପଛରେ ନଙ୍ଗପଙ୍ଗ ହେବେ, ମୁଁ ତାଙ୍କୁ ଠିକ୍ କରି ସଜାଡି ଦେବି ! ସୁପ୍ରିୟା କହିଲେ, ତୁ ତାହାଲେ ସ୍ୱାମୀକୁ ସଜାଡି ଜାଣିଛୁ, ନହେଲେ ପୁରୁଷଙ୍କ ରଙ୍ଗ ବହୁତ, ତାଙ୍କର ସଦାବେଳେ ନାରୀଠାରୁ ପ୍ରେମ ଦରକାର, ଯେମିତି ଆମେ ଗୋଟେ ଗୋଟେ ପ୍ରେମର ଝରଣା। ନିଜର ସ୍ତ୍ରୀ'ଠୁ ନମିଳିଲେ, ଆଉ କୋଉଠି ମୁହଁ ମାରିବେ। ଏମାନେ ବୁଢା ହେଲେ ବି ତାଙ୍କ ରଙ୍ଗ କମେ କି ! ୟା'ଙ୍କର ଖାଲି ସେବା ଦରକାର୍। ସ୍ତ୍ରୀର ସେବା ନ ମିଳିଲେ ବୋହୂର, ବୋହୂର ନମିଳିଲେ ଝିଅର, ଝିଅର ନମିଳିଲେ ଭଡାଟିଆ ନର୍ସର, ନହେଲେ ଚାକରାଣୀର। ସଦାବେଳେ ୟା'ଙ୍କ ପାଇଁ ନାରୀଟେ ପାଖରେ ଲୋଡା। ମୋ ଶଶୁରଙ୍କୁ ଚାକର ଅପେକ୍ଷା ଚାକରାଣୀ ବେଶି ଲୋଡା ବୋଲି ପାନେ ଦେଇଛି ଯେ ଆଉ ଖୋଜୁ ନାହାନ୍ତି। ସ୍ଵାମୀଙ୍କୁ କହି ଦେଇଛି, ନିଜ ସ୍ୱାସ୍ଥ୍ୟ ଠିକ ରଖ ଯେ ବୁଢା ବେଳେ ମୋ'ଠୁ ସେବା ଖୋଜିବନି। ଆଲୋ ଆମର କଣ ହେଲେ ଆମ କଥା କଣ ଏମାନେ ପଚାରିବେ! ପୁରୁଷ କଣ ସ୍ତ୍ରୀର ସେବା କରିବ ! ସ୍ତ୍ରୀର ସେବା କଲେ ତାଙ୍କର ମହତ ଚାଲି ଯିବନି ! ପୁରୁଷଙ୍କ ନାରୀସେବା କିନ୍ତୁ ଅନବରତ ଦରକାର୍ କହି ସୁପ୍ରିୟା ମୁରୁକି ହସି ସୁଧାଙ୍କ ଆଡେ ଚାହିଁଲେ।

ଠିକ କହିଲୁ। ମୁଁ ମଝିରେ ମଝିରେ ୟାଙ୍କୁ କହେ, ସେବା କଲେ ସେବା ପାଇବ। ସେଥିପାଇଁ ମୋ'ଠୁ ସେ କିଛି ଆଶା କରନ୍ତି ନାହିଁ କି କିଛି କହନ୍ତିନାହିଁ।

ସୁରଜ ମନଦେଇ ଶୁଣୁଥିଲେ ଦୁଇ ସଂସାରୀ ସ୍ତ୍ରୀଙ୍କ କଥା ଓ ଆଶ୍ଚର୍ଯ୍ୟ ହେଉଥାନ୍ତି ତାଙ୍କ ମନର ଭାବକୁ ବୁଝି। ନାରୀ କଣ ଏଥିପାଇଁ ଅବୋଧ୍ୟ, ପ୍ରେମ କଣ ଏଥିପାଇଁ ପ୍ରତାରଣା ପୂର୍ଣ୍ଣ। ଏତେ ସନ୍ଦେହ କରନ୍ତି ଏମାନେ। ସୁଧାଙ୍କ ରୁକ୍ଷ ସ୍ୱଭାବର କାରଣ ବୋଧେ ଏୟା ! ସବୁଥିରେ ପ୍ରଶ୍ନ ଓ ସନ୍ଦେହ। ସେଥିପାଇଁ ଯୋଉ ଭାବ ପ୍ରବଣତା ଆଗରୁ ତାଙ୍କର ସୁଧା ପାଇଁ ଥିଲା, ଆଉ ନାହିଁ। କେମିତି ଆସିବ ଯେ ପ୍ରେମରେ ମାଧୁର୍ଯ୍ୟ ଯଦି ପ୍ରେମ ବ୍ୟକ୍ତିଗତ ପ୍ରାଧାନ୍ୟକୁ ପ୍ରାଥମିକତା ଦିଏ। ସୁରଜ ଲକ୍ଷ୍ଯ କରନ୍ତି ସୁଧାଙ୍କ ଭଲପାଇବା ପୂର୍ବ ଭଳି ନାହିଁ। ଅଯଥାରେ ଯାହା ନାରୀ ଶକ୍ତି ଦେଖାଇବାକୁ ଯାଇ ନାରୀ ସୁଲଭ ମଧୁରତା ହରାଇ ସାରିଲେଣି । ସୁରଜ କିଛି ନକହିଲେ ମଧ୍ଯ ପତି ପତ୍ନୀର ପ୍ରୀତି ସେ ଆଉ ଅନୁଭବ କରି ପାରନ୍ତିନି। ସେଥିପାଇଁ ସୁଧାଙ୍କ ଅଙ୍ଗ ସହିତ ସେ ବହୁତ ଦିନରୁ ଦୂରେଇ ରହିଛନ୍ତି। ଯୋଉଠି ପ୍ରେମ ନାହିଁ ସେଠି ଅଙ୍ଗ ସ୍ପର୍ଶ କେବଳ ମାତ୍ର ଏକ ପଶୁ କ୍ରୀଡା। 

ନିଜ ଝିଅ ପାଖରେ ବି ସେ ଆନ୍ତରିକତା ଅପେକ୍ଷା ଔପଚାରିକତା ବେଶି ଦେଖନ୍ତି। ପିତା ହେଇଗଲେ ଯେ ସ୍ନେହର ସ୍ଫୁରଣ ସ୍ଵାଭାବିକ ହେଇଯିବ, ଏହା କେବଳ କାଳ୍ପନିକ। ବାସ୍ତବ କ୍ଷେତ୍ରରେ ପ୍ରତିପକ୍ଷର ବିରୋଧାଭାବ ସେହି ସ୍ଫୁରଣକୁ ନଷ୍ଟ କରିଦିଏ। ଆଶାବାଦୀ ପିତା ଝିଅଠାରେ ନିଷ୍ଠା ଓ ନିଗ୍ରହ ନ ଦେଖିଲେ ନିରାଶ ହେଇଯାଏ। ଗୋଟିଏ ବୋଲି ଝିଅ ଜିନିକୁ ତାଙ୍କ ସ୍ନେହ ଢାଳି ଦେଇଥିଲେ ଯେ ବଡହେବା ପରେ ପିତୃ ଛାୟାରେ ରହିବା ଅପେକ୍ଷା ନିଜ ସ୍ଵାଧିନତାରେ ରହିବାକୁ ସେ ବେଶି ଭଲ ଭାବୁଛି। ବଢିଲା ଝିଅକୁ ମାଆର ସମର୍ଥନ ବିନା ବିରୋଧ କରିବା ଅସମ୍ଭବ ନହେଲେ ବି ସମ୍ଭବ କରିବାର ଦୁଃସାହସ କରି ପାରନ୍ତି ନାହିଁ ସୁରଜ।

ଆଜିକାଲି ବାପାଙ୍କ ଅପେକ୍ଷା ଅନ୍ୟଠି ପ୍ରଚୁର ପ୍ରେମ ମିଳୁଛି ବୋଲି ବୋଧେ ବଢିଲା ଝିଅ ବାପା ର ପିତୃସୁଲଭ ପ୍ରେମକୁ ଆବଶ୍ୟକ କରୁନି। ସୁରଜ ଙ୍କୁ ଦୁଃଖ ଆସିଲେ ବି ସେ ନିଜ ଆବଶ୍ୟକତାକୁ କେବେ ଦାବିରେ ପ୍ରକାଶ କରି ନାହାନ୍ତି। ଯାହାର ଆଗ୍ରହ ନାହିଁ, ତାଠାରୁ କିଛି ନ ଆଣିବା ହିଁ ଭଲ।

ଅନେକ ଦିନ ଆଗରୁ ସାତ ବର୍ଷର ଅନାଥ ଝିଅ ରୁବିକୁ ଆଣି ଆଶ୍ରମରେ ରଖି ପଢାପଢିର ଯତ୍ନ ନେଉଥିଲେ। ସେ ସୁରଜଙ୍କୁ ଦେଖିଲେ ତାର ମିଠା ମିଠା କଥାରେ ପିତୃପ୍ରାଣକୁ ଶ୍ରଦ୍ଧାର ସୁଧାରେ ଭରି ଦିଏ। ତା ପାଖରେ ଘଣ୍ଟାଏ ବସିଗଲେ ସୁରଜ ସବୁ ଭୁଲି ଯାଆନ୍ତି। ଏଇ ଦୁଇ ଝିଅଙ୍କ ବ୍ୟତିତ ସେ ତାଙ୍କ ଅଫିସରେ ନୂଆ ଯୋଗ ଦେଇଥିବା ବନିତା କୁ ମଧ୍ଯ ଝିଅପରି ଦେଖନ୍ତି, ଶ୍ରଦ୍ଧା କରନ୍ତି। ପରୋକ୍ଷ ରେ ତାଙ୍କର ଏଇ ତିନୋଟି ଝିଅ। ସୁରଜଙ୍କ ଆଦର ଦେଖି ବନିତା ଭାବେ, ସୁରଜ ସାର ତା ପ୍ରେମରେ ପଡିଛନ୍ତି। ତେଣୁ ପ୍ରତି କଥାରେ ପ୍ରେମିକାଙ୍କ ପରି ସେ ଅଭିମାନ କରେ, ମିଛ କ୍ରୋଧ କରେ ଓ ପୁଣି ଫୁଲେଇ ହେଇ ମିଶିଯାଏ। ନାରୀକୁ କେହି ଭଲ ପାଇବା ନାରୀର ସାମର୍ଥ୍ଯ ବୋଲି ନାରୀ ଜାଣେ। ଏଥିରୁ ଅନ୍ୟଥା ହେଲେ ସେ ଭିନ୍ନ ରୂପ ପ୍ରକାଶ କରେ। ଏସବୁ ସୁରଜ ବୁଝି ପାରିଲେ ମଧ୍ଯ କିଛି କହନ୍ତି ନାହିଁ। ନିଜ ଝିଅ ଯେତେବେଳେ ବାପାଙ୍କ ସ୍ନେହକୁ ଅନାବଶ୍ୟକ ଉପଢୌକନ ଭାବୁଛି, ପର ଝିଅର ବିବେକ କଣ ପାଇଁ ଶୁଣିବ। ଏ ସବୁଥିରୁ ଭିନ୍ନ କିନ୍ତୁ ରୁବି। ତାର କଥା, ତା'ହସରେ ଏତେ ଆତ୍ମୀୟତା ଭରିଥାଏ ଯେ ସେ ଭାବନ୍ତି, ରୁବି ତାଙ୍କ ଝିଅ ହେଇ ଜନ୍ମ ନେଇ ଥାଆନ୍ତା କି ! 

ସମୟ କ୍ରମେ ଜିନି ଓ ବନିତା ବାହା ହେଇଗଲେ। ରୁବି ଅବିବାହିତ ରହିବାକୁ ଇଚ୍ଛା କଲା। ସୁରଜଙ୍କ ବହୁତ ପ୍ରସ୍ତାବକୁ ସେ ଅନିଚ୍ଛା ପ୍ରକାଶ କରି କହେ ମୋ ଜୀବନର ଉଦ୍ଦେଶ୍ଯକୁ ମୁଁ ବିବାହରେ ସିମୀତ ରଖିବାକୁ ଚାହୁଁନି। ଆଉ କଣ କରିବୁ ବୋଲି ଯେତେବେଳେ ସୁରଜ ପଚାରନ୍ତି, ରୁବି କହେ, ବିବାହ ଏକ କର୍ତ୍ତବ୍ଯ, ମୁଁ କିନ୍ତୁ ପୂଜା କରିବାକୁ ଚାହେଁ, ସେଥିରେ ବିବାହ ଏକ ବାଧା। ତୁ ତ ମାଷ୍ଟ୍ରାଣୀ ହେଇ ପିଲାଙ୍କୁ ପାଠ ପଢଉଛୁ, ପୁଣି ପୂଜା କଣ ! ରୁବି ହସିଦେଇ କହିଲା, ବାପା! ଆପଣ ଏସବୁ କଥା ଏବେ ବୁଝି ପାରିବେନି। ରୁବିର ବାପା' ଡାକରେ ସୁରଜ ଆତ୍ମହରା ହେଇ ଯାଆନ୍ତି। ସେ ଆଉ କିଛି ପ୍ରଶ୍ନ କରନ୍ତି ନାହିଁ। ପ୍ରେମ ଯୋଉଠୁ ମିଳୁ, ତାର ସ୍ଵାଦ ଅବର୍ଣ୍ଣନୀୟ। ରୁବିଠାରୁ ମିଳୁଥିବା ଶ୍ରଦ୍ଧା ଓ ସମ୍ମାନକୁ ସେ ତାଙ୍କ ନିର୍ବିକାର ପ୍ରେମ ଭାବରେ ଗ୍ରହଣ କରିସାରିଥିଲେ।

ଏଇ ପ୍ରେମ ଟିକେ ପାଇଁ ତ ସେ ବଞ୍ଚିଛନ୍ତି। ମାଆଙ୍କ ପରେ ପତ୍ନୀ ପ୍ରେମର ସାହାରା ପାଇଥିଲେ। ତା' ପରେ ଝିଅ ସ୍ନେହରେ, ଏବେ କେବଳ ରୁବି। ସେଇ ରୁବି ସ୍ନେହରେ ସେ ମନର ସନ୍ତୋଷ ପାଇଯାଆନ୍ତି। ତାଙ୍କର ରୁବି ପ୍ରତି ଏଭଳି ଆସକ୍ତି ଭାବ ଦେଖି ତାଙ୍କ ବନ୍ଧୁ ପବନ ଥରେ କହିଲେ, ଦେଖି ଚାହିଁ ରୁବି ସହ ମିଶୁଥିବେ ନଚେତ ମାଆ ଝିଅ ଜାଣିଲେ ତମକୁ ଆଉ କଣ ଭାବି ଘରେ ରଖେଇ ଦେବେନି।

ସୁରଜ ହସିଦେଇ କହିଲେ, ରଖେଇବେନି କାହିଁକି ବରଂ ବେଶି ରଖିବେ ନହେଲେ ପୁଣି ରୁବି ପାଖକୁ ଚାଲି ଯିବିନି। ସୁଧା ଆଉ ତା'ସାଙ୍ଗ ସୁପ୍ରିୟା ଯୋଉ ଦିନ ଗାଡିରୁ ପଡିଲେ, ସେଇଦିନରୁ ତାଙ୍କ ଅଣ୍ଟା ଧରିଛି ଯେ ସଳଖ ହେଇ କିଛି କରି ପାରୁନାହାନ୍ତି। ମୁଁ ସିନା ଭଲ ରୋଷେଇ ଜାଣିଛି ବୋଲି କରି ଦେଉଛି, ସୁପ୍ରିୟା କୁଆଡେ ଭଲରେ ଦି'ଟା ଖାଇ ପାରୁନି। ତା ସ୍ୱମୀ ବି ତାକୁ ପଚାରୁନି, କୁଆଡେ ନେଇକି ଯାଉନି। ମୋତେ ସୁଧା ଥରେ ତା ପାଖକୁ ଯିବା ପାଇଁ କହିଲା ଯେ ମୁଁ କହିଲି ତମର ତା ପାଖେ ବହୁତ ସ୍ନେହ ତମେ ଯାଅ ଯେ କିଛି ନୀତି ଶିକ୍ଷା ନେଇ ଆସିବ। ମୋର ଯିବାର ନାହିଁ କି ତା ଜ୍ଞାନ ଶୁଣିବାର ନାହିଁ। ତମେ ହସ୍ପିଟାଲରେ ଥିବା ବେଳେ ତାଙ୍କ ଚାକରାଣୀକୁ ପଠାଇବାକୁ ଥରେ କହିଲ ଯେ ସେ ବାହାନା କରି ରହିଗଲା। କହିଲା କଣ ନା ନିଜ ଲୋକ ଏ ସମୟରେ ସାହାଯ୍ଯ ନ କଲେ କଣ କରିବା। ରୁବି ଯଦି ଘରେ ପନ୍ଦର ଦିନ ରହି ନଥାନ୍ତା, ମୋ ଅବସ୍ଥା କଣ ଯେ ହେଇଥାନ୍ତା।

- ରୁବିକୁ ଦେଖି କଣ ସୁଧା କିଛି କହିଲାନି। ପବନ ପଚାରିଲେ।

- ନା, ରୁବିକୁ ଜଣେ ନର୍ସ ବୋଲି କୁହା ହେଇଛି। ସୁଧା ତାକୁ ଗାଳି ଦେଲାବେଳେ ମୋତେ ଭାରି କଷ୍ଟ ହୁଏ। ରୁବି ମୋ କଷ୍ଟ ଦେଖି ଦିନେ କହିଲା, ବାପା ତମେ ଦିନେ ପଚାରୁ ଥିଲ ନା ମୋର ପୁଣି କି ପୂଜା! ଏଇ ସେବା ମୋର ପୂଜା। ମୁଁ କେତେ ଅପେକ୍ଷା ପରେ ମୋ ବାପାଙ୍କୁ ସେବା କରିବାର ଏ ସୁଯୋଗ ପାଇଛି। ମା'ଙ୍କ ଗାଳି ତା' ଆଗରେ ମୋ ପାଇଁ କିଛି ନୁହେଁ। ମୁଁ ଯାହା କଲେ ବି ଆପଣଙ୍କ ରୂଣ ସୁଝି ପାରିବିନି। 

ବୁଝିଲୁ ପବନ, ତା'କଥା ଶୁଣି ମୋ ଆଖିରୁ ଲୁହ ଝରିଗଲା। ଆମେ ସମସ୍ତେ ପ୍ରେମ ରୂପକ ଆହାର ପାଇଁ ତୃଷାର୍ତ୍ତ। ପେଟପୁରା ଖାଦ୍ଯ ଓ ନିଦ୍ରା କେବଳ ପର୍ଯ୍ୟାପ୍ତ ନୁହେଁ। ସେଥିପାଇଁ ଅଭିଳଷିତ ବସ୍ତୁ ପାଇବା ପରେ ଯଦି କୋଉଥିରେ ପିପାସା ଥାଏ, ତାହା ଏଇ ପ୍ରେମ। ପ୍ରେମ ବିନା ଅମୃତ ପିଇଲେ ମଧ୍ଯ ଶାନ୍ତି ନାହିଁ। ସମସ୍ତେ ପ୍ରେମ ଇଚ୍ଛା କରନ୍ତି ଓ ତାର ସାନ୍ନିଧ୍ୟରେ ଶାନ୍ତି ପାଆନ୍ତି। ସେଇ ଅମୃତ ପ୍ରେମକୁ ଆଧାର କରି ତ ଆମେ ବଞ୍ଚିଛେ !

ସୁଧା ରୁବିକୁ ସନ୍ଦେହ କରି ଘରୁ ଯିବାପାଇଁ କହିଲା ପରେ ରୁବି ଦିନେ ମୋତେ କହିଲା, ବାପା ସପ୍ତାହକୁ ଥରେ ମୋ'ପାଖକୁ ଆସି ପାରିବ। ସେଇଦିନକୁ ଇପ୍ସିତ ଦିନ ଭାବି ମୁଁ ତମୁକୁ ଅପେକ୍ଷା କରିଥିବି। ମୋ'ପାଇଁ ସେଇଦିନ ଯେ କେତେ ଇପ୍ସିତ ଦିନ ସେ କାହୁଁ ବୁଝିବ ! ଭାବନାରେ ସ୍ନେହ ଯେତେବେଳେ ସବୁ ସମ୍ଭାବନାକୁ ଅତିକ୍ରମ କରେ, ସେତେବେଳେ ସେ ପ୍ରେମ ସ୍ୱାର୍ଥ ରହିତ ହେଇଯାଏ। ରୁବି ଯଦି ମୋ ଜୀବନରେ ଆସି ନଥାନ୍ତା, ମୁଁ ବୋଧହୁଏ କେବେଠାରୁ ମରି ସାରନ୍ତିଣି ! ପ୍ରେମର ଏଇ ସ୍ପର୍ଶ ଜୀବନ ବଞ୍ଚିବାର ଆଧାର। ସେତିକି ଆଶା କରି ତ ଆମର ଏ ସବୁ ପ୍ରକାରର ସମ୍ପର୍କ। ମରିବା କଥା କାହିଁକି କହୁଛ, ସୁଧା କୋଉଠି ଥିଲେ ପାଖକୁ ଚାଲିଆସି ପଚାରିଲେ। ସୁରଜ ଓ ପବନ ଚମକି ପଡି ବ୍ୟସ୍ତ ହେଲେ। ସୁଧା କହିଲେ, ବ୍ୟସ୍ତ କାହିଁକି ହେଉଛ। ମୁଁ କଣ ଜାଣିପାରୁନି ଯେ ମୁଁ ସ୍ତ୍ରୀ ହେଇ ଯାହା ଦେଇନି, ସେ ବିଚରା ଅନାଥ ଝିଅ ହେଇ ସବୁ ଦେଇଛି। ମୁଁ ତାକୁ ପାଖକୁ ନ ଆଣିଲେ ମୋ କର୍ମରୁ ମୋତେ ମୁକ୍ତି ମିଳିବନି। ମୁଁ ବି ତା ମୁହଁରୁ ମା' ଡାକ ଶୁଣିବା ପାଇଁ ଚାହୁଁଛି। ସୁରଜ ସୁଧାଙ୍କୁ ପରମ ଶାନ୍ତିରେ ଚାହିଁଥାନ୍ତି। ସୁଧା ସେଇ ଚାହାଣୀ ଭିତରେ ଭାବୁଥାନ୍ତି, କେତେ ଦୁର୍ମୂଲ୍ଯ ଏହି ଦୃଷ୍ଟିରେ ଥିବା ସେହି ଲୁକ୍କାୟିତ ପ୍ରେମ ଯାହାକୁ ଆଜି ପର୍ଯ୍ୟନ୍ତ ସେ ଠିକରେ ବୁଝି ପାରିଲେ ନାହିଁ। ଅଯଥା ଅହଙ୍କାରରେ ଜୀବନର ଅଧିକାଂଶ ସମୟ ସାରିଦେଲେ। ଏବେ କିନ୍ତୁ ତାକୁ ବଞ୍ଚାଇ ରଖିବେ। ପ୍ରେମର ଆଧାର ନଥିଲେ ଜୀବନ ବଞ୍ଚିବାର କି ମୂଲ୍ଯ। 


Rate this content
Log in