Prasanta kumar Hota

Romance

4  

Prasanta kumar Hota

Romance

ବିଧୁର ମିଳନ

ବିଧୁର ମିଳନ

6 mins
306



ତମେ ବିଭୁଦତ୍ତ ଦିନେ ତମ ସାଙ୍ଗ ସୁରର ପ୍ରେମ ବିରହ ଆଦି କଥା ଶୁଣି ହସୁଥିଲ। କହୁଥିଲ ସବୁ ପ୍ରହସନ। ତମେ ଆଜି ତାର ଶୀକାର ବୋଲି ଜାଣି ପାରୁଛ ତ ! ତମପରି ତମ ନାନୀ ଭାଇନା ମଧ୍ଯ ତମର ଏସବୁକୁ ବେକାର କଥା କହି ହସି ଉଡେଇ ଦେଉଛନ୍ତି।ପ୍ରତିପାଳଙ୍କ ଠାରୁ କଥା ଛଡାଇ ବିଭୁଦତ୍ତ କହିଲେ ଯିଏ ନିଜେ ଭୁକ୍ତଭୋଗୀ ନୁହେଁ ସେ ଅନ୍ୟ କଥା ବୁଝିବ କେମିତି!

- ଠିକ କହିଲ ଯେ, ତମେ ଏ କଥା ନିଜେ ସୁରକୁ କହିଲା ବେଳେ ବୁଝିଥିଲେ ଭଲ ହେଇଥାନ୍ତା।

- ସେଇ ଭୁଲ୍ ପାଇଁ କଣ ତମେ ମୋ'ପାଇଁ କିଛି କରିବନି। ତମେ ମୋଠୁ ବୟସରେ ବଡ ଓ ସାଙ୍ଗ ବୋଲି ଭାବିଲେ ବି ତମେ ମୋର ବଡଭାଇ ପରି।

- ହଁ ଯେ ମୁଁ ତମ ବାହାଘର ପ୍ରସ୍ତାବ କେମିତି ତାଙ୍କୁ କହିବି! ମୁଁ ତମର ଏଇ ଏକପାଖିଆ ପ୍ରେମର ଭାବ ପ୍ରବଣତାରେ ପ୍ରଭାବିତ ନୁହେଁ। ଯଦି ଏତେ ଭଲ ପାଉଛ, ରୁବିକୁ ସ୍ପଷ୍ଟ ପଚାର। ତାର ନା' କୁ ଭୟ କଲେ ହବନି, କଲେ କରିବ। ଯାହାର ତମ ପ୍ରତି ସ୍ଵୀକାର ନାହିଁ ସେଠି ବିବାହ ପରି ଅନୁଷ୍ଠାନ ନ ଗଢିବା ଭଲ। ପ୍ରତିପାଳ କହିସାରି ତୀର୍ଯ୍ୟକ ଦୃଷ୍ଟି ରେ ଚାହିଁଲେ।

ବିଭୁଦତ୍ତ ସେ' ତୀର୍ଯ୍ୟକ ଦୃଷ୍ଟିରୁ କିଛି ବୁଝି ନପାରି କହିଲା- ବିବାହ ପରେ କଣ ପ୍ରେମ ସୃଷ୍ଟି ହୁଏନି ! ତମେ ଏମିତି ବିରୋଧାତ୍ମକ କଥା କାହିଁକି କହୁଛ।

- କାରଣ ସମ୍ବନ୍ଧ ଓ ଭାବପ୍ରବଣତା ଏକାକଥା ନୁହେଁ। ଅତ୍ୟଧିକ ଭାବପ୍ରବଣ ହେଲେ ସମ୍ବନ୍ଧ କୁ ଭୁଲି ଯିବାର ଭୟ ଥାଏ।ତମ ସମ୍ପର୍କରେ ସମ୍ବନ୍ଧ କେତେ ଓ ଭାବ ପ୍ରବଣତା କେତେ? ତମେ କହିପାରିବ ! ବିବାହ ପ୍ରସ୍ତାବ କଣ ଏମିତି ଭାବପ୍ରବଣ ହେଇ ଦିଆଯାଏ। ଯଦି ମନା କରିଦିଅନ୍ତି !

- ହଁ ମୁଁ ଭାବପ୍ରବଣ। ସେଥିପାଇଁ ତ ମୁଁ ଆଜି ତା ପାଇଁ ଛଟପଟ ହେଉଛି। ଭଲପାଇ ଭାବପ୍ରବଣ ହେବା କଣ ଅସ୍ୱାଭାବିକ! କେମିତି ହେବିନି ଯେ। ବିବାହ ପ୍ରସ୍ତାବରେ ଭୁଲ ବି କଣ! ସେ ବାହାଘର ପରେ ବି ମୋତେ ଭଲ ପାଇପାରେ।

- ଭାବପ୍ରବଣତାରୁ ସୃଷ୍ଟି ହେଉଥିବା ପ୍ରେମ ଏକ କ୍ଷଣର ଉତ୍ତେଜନା ମାତ୍ର ସେଥିରେ ସମ୍ବନ୍ଧ ଯୋଡି ହେବାର ଆତ୍ମିୟତା ନଥାଏ।ତମେ ରୁବିକୁ ପଚାରି ଦେଖ ଯେ ସେ ତମକୁ ବାହା ହେବାକୁ ରାଜି କି ନାହିଁ। ନାନୀ ଭାଇନା ତମର ଏ ଅନ୍ଧ ପ୍ରେମ ପାଇଁ ଓକିଲାତି କରିବାକୁ ମନା କରିଛନ୍ତି।

ପ୍ରତିପାଳ କହିସାରି ବିଭୁଦତ୍ତକୁ ଉତ୍ତର ଆଶାରେ ଚାହିଁଲେ। ବିଭୁଦତ୍ତ କହିଲା, ତମେ ନାନୀ ଭାଇନା ଙ୍କ କଥା କାହିଁକି କହୂଛ ! ସେମାନେ ମୋ ବିଷୟ ରେ କଣ ଜାଣିଛନ୍ତି? ମୋ ଭଲପାଇବା ସେମାନେ କଣ ବୁଝିଛନ୍ତି ?

- କଣ ବୁଝିବା ଦରକାର। ଯାହା ବୁଝିଛନ୍ତି ଯଥେଷ୍ଟ ସେ ଝିଅ ଯେ ତମ ଭଲ ପାଇବାକୁ ନେଇ ଅସ୍ପଷ୍ଟ ଏତିକି ବୁଝିବା କଣ ଯଥେଷ୍ଟ ନୁହେଁ। ସେଥିପାଇଁ ସବୁ ଜାଣିବାର ଆବଶ୍ଯକତା ନାହିଁ। ତମ ପ୍ରେମର ବିରହ ପୀଡା କେତେ ତାହା ଜଣେ ଅଭୁକ୍ତ ଥିଲେ କେମିତି କହିପାରିବ !

- କିନ୍ତୁ ତମେ ଅଭୁକ୍ତ ହେଇ କେମିତି ଜାଣିପାରୁଛ!

- ସେଇଟା ମୋର ବିଶେଷ ଗୁଣ ବୋଲି ଭାବିପାର

- ଯଦି ସେଇଟା ତମର ବିଶେଷ ଗୁଣ ତେବେ ମୋ ଆଗ କଥାକୁ ନେଇ ଦୋଷ କାହିଁକି ଦେଉଛ। ମୁଁ ସେତେବେଳେ ଅନଭିଜ୍ଞ ଓ ଅଜ୍ଞ ଥିଲି। ମୋତେ ଯାହା ଠିକ ଲାଗିଲା ମୁଁ ସେୟା କହି ଦେଇଥିଲି।

- ତମେ କଣ ଭାବୁଛ, ସମସ୍ତଙ୍କୁ ଯାହା ଠିକ ଲାଗେ ସେୟା କହିଦେବେ। ଲାଗିବା ଓ ଜାଣିବା ସମାନ୍ ନୁହେଁ। ଲାଗିବାଟା ପରିପକ୍ବ ବିଚାରଧାରା ନୁହେଁ। ତେଣୁ ଯାହା ପରିପକ୍ବ ନୁହେଁ ସେଥିରେ ଦୃଢ ହେଇ ରହିବା ନିଜ ଅହଙ୍କାର। ସେଥିପାଇଁ ଆଗରୁ ତମେ କହିଥିବା କଥା ଜଣାଇ ଦେଲି, ଯେମିତି ଭବିଷ୍ୟତ ରେ ଏଭଳି କଥା କହିବା ପୂର୍ବରୁ ନିଜ ପରିପକ୍ୱତା ପରଖିନେବ, ଅନ୍ୟଜଣଙ୍କ ଭାବନାକୁ ଚିନ୍ତା କରିବ

- ତାମାନେ କଣ ମୋ ଭଲପାଇବା ପାଇଁ ମୁଁ ନିଜେ ଯାଇ ମୋ ପ୍ରସ୍ତାବ ଦେବି !

- ଯଦି ମୁଁ ପ୍ରସ୍ତାବ ଦିଏ ଓ ସେମାନେ ମନା କରି ଦିଅନ୍ତି ତମେ ଗ୍ରହଣ କରିବ ତ!

- ମୁଁ ରୁବି ସହିତ ଅନେକ ଥର କଥା ହେଇଛି, ତା ସହିତ ମିଶିଛି, ତାକୁ ସାହାଯ୍ଯ କରିଛି, ସେତିକି କଣ ଯଥେଷ୍ଟ ନୁହେଁ। ସେ କଣ ମନାକରିବ !

- ତମେ ମୋତେ ଭୁଲ ବୁଝୁଛ ବିଭୁଦତ୍ତ। ଆଳାପ କରିବା ଓ ଭଲପାଇବା କଣ ଏକା କଥା। ତମର କୌଣସି ସ୍ୱାର୍ଥ ପାଇଁ ତମେ ତା ସହ ବନ୍ଧୁତା କରି ଥିବ। ସେ ଏମିତି ବି ଭାବୁଥିବ।

- ସେ କେବେ ଏମିତି ଭାବିବନି।

- କାହିଁକି ଭାବିବନି? ସ୍ବଜନ ବ୍ୟତିତ ଯାହାସହିତ ବନ୍ଧୁତା କରାଯାଏ କୌଣସି ସ୍ୱାର୍ଥକୁ ଆଖି ଆଗରେ ରଖି କରାଯାଏ। ଏଥିରେ ପ୍ରେମ ଭାବ ନଥାଏ । ତମର ତା'ସହ ବନ୍ଧୁତା କେବଳ ଛଳନା, ଉଦ୍ଦେଶ୍ଯ ଥିଲା ପ୍ରେମ, କଣ ନୁହେଁ ! ଯୋଉ ପ୍ରେମ କେବଳ ନିଜର ସ୍ୱାର୍ଥ। ଏସବୁ ପ୍ରେମର ସୁଆଙ୍ଗ ମାତ୍ର ।

- ଏମିତି କଣ କହୁଛ! ପ୍ରେମ ସୁଆଙ୍ଗ ! ସମସ୍ତେ କଣ ସ୍ୱାର୍ଥ ପାଇଁ ସ୍ନେହ କରନ୍ତି, ଏପରି ଭାବିବା ଠିକ ନୁହେଁ। ପ୍ରେମ ପାଇଁ ମଧ୍ଯ ପ୍ରେମ କରାଯାଏ।

- ଏପରି ପ୍ରେମ ସଂସାର ରେ ଦେଖାଯାଇ ନାହିଁ। ସଂସାରରେ ସ୍ତ୍ରୀ ପୁରୁଷର ପ୍ରେମ କାମନା ବହିର୍ଭୂତ ନୁହେଁ। ଯୌବନର ଉତ୍ପାତରେ ଜଣେ ଅନ୍ୟଜଣେ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥାଏ କାରଣ ସେ ତାର ସୌନ୍ଦର୍ଯ୍ଯ ପଛରେ ପାଗଳ ଥାଏ। ଯେମିତି ସୁନ୍ଦରତା ନଷ୍ଟ ହେଇଯାଏ ଓ ଯୌବନ କ୍ଷୟ ହୁଏ, ଆଉ ସେଇ ପ୍ରେମ ରହେନାହିଁ। ଭ୍ରମର ମଧ୍ଯ ଫୁଲ ରୁ ମଧୁ ସରିଗଲେ ଆଉ ପାଖକୁ ଯାଏନାହିଁ।

- ସବୁ ପୁରୁଷଙ୍କୁ ଭ୍ରମର ସହିତ ତୁଳନା କରନି। ସମସ୍ତେ ସ୍ୱାର୍ଥାନ୍ଧ ନୁହନ୍ତି। ସଂସାରରେ ସବୁପ୍ରକାର ଲୋକ ଅଛନ୍ତି। ପାଞ୍ଚ ଆଙ୍ଗୁଳି ସମାନ ନୁହେଁ। ଭଲ ପାଇ ବିବାହ କରିବାରେ ସ୍ୱାର୍ଥ ପୁଣି କଣ !

- ଅନ୍ୟଠାରେ ନିଜ ଆବଶ୍ୟକତା ପୂରଣ କରିବା କଣ ସ୍ୱାର୍ଥ ନୁହେଁ ! ଯଦି ରୁବିର ସ୍ୱାର୍ଥ ପୂର୍ଣ୍ଣ କରିବା କୁ ତୁ ବିବାହ କରୁଥାଉ ତାହାଲେ ତୋର ସ୍ୱାର୍ଥ ନାହିଁ ବୋଲି କୁହା ଯାଇପାରେ !

- ଏଇଟା କଣ କେବଳ ସ୍ୱାର୍ଥ। ଏଥିରେ କଣ ଭଲ ପାଇବା କିଛି ନାହିଁ।

- ଅଧିକତର ଲୋକଙ୍କ ଆଚରଣକୁ ନେଇ ଆମେ ସାଧାରଣରେ ଯାହା ଦେଖୁ ତା' କହୁ। ତମକୁ ଭଲ ଲାଗେ ବୋଲି ତମ ନିହିତ ସ୍ୱାର୍ଥ ତମେ ଦେଖି ପାରୁନ ବା ଦେଖିବାକୁ ପ୍ରସ୍ତୁତ ନୁହଁ। ଥରେ ଭାବି ଦେଖିଲ, ତମକୁ ଯଦି କୋଉ ଝିଅ ଭଲ ପାଏ ବୋଲି କହେ? ତମେ ତାକୁ ଗ୍ରହଣ କରିବ କି ?

- ଏଇଟା କି ଓଲଟା ପ୍ରଶ୍ନ। ଯୋଉ ସମ୍ଭାବନା ଆସି ନାହିଁ? ତାକୁ ଭାବିବା କଣ ଦରକାର!

- ଠିକ କହିଲ ! ସେଥିପାଇଁ କୁହୁଛି ଆମେ କେବଳ ନିଜ ଇଚ୍ଛା ପୂର୍ତ୍ତି ବିଷୟରେ ଚିନ୍ତାକରୁ।

ସଂସାର ସ୍ୱାର୍ଥପର ଚଳଣୀର ସ୍ଥଳ। ଏଠି ବେଶ୍ୟା ମଧ୍ଯ ମୁଦ୍ରା ବିନିମୟରେ ସମ୍ଭୋଗ ସୁଖ ଦେଲେ ବି ପ୍ରେମର ଛଳନା କରେ। କାରଣ ପ୍ରେମ ସମ୍ଭୋଗ କୁ ରସମୟ କରିଦିଏ ଓ ତାର କ୍ରୟ ମୂଲ୍ୟ ସେଇ ଅନୁସାରେ ବଢିଯାଏ। ସେଥିପାଇଁ କଣ ତାର ପ୍ରେମ ପ୍ରଦର୍ଶନ କୃତ୍ରିମ ନୁହେଁ।

ଅଜାମିଳକୁ ଯେତେବେଳେ ବେଶ୍ୟା ହାତରେ ଛନ୍ଦି କୁଚ ଓ ନିତମ୍ବ ରେ କ୍ରୀଡା ଆରମ୍ଭ କରି ପ୍ରେମ ସମ୍ଭାଷଣ କରୁଥିଲା, ଜ୍ଞାନ ଥାଇ ମଧ୍ଯ ସେ ପାଗଳ ପ୍ରାୟ ହେଇ ଯାଉଥିଲା। ଧନର ସମାପ୍ତି ହେବା କ୍ଷଣି ସେଇ ପ୍ରେମ ଓ କ୍ରୀଡାର ତତକ୍ଷଣାତ ସମାପ୍ତି ଘଟିଥିଲା। ପ୍ରେମ ଏକ ଜାଲ ପରି ଏହା କୌଣସି ଏକ ଅଭିଳାଷା ପୂରଣ ପାଇଁ ବିଛା ଯାଇଥାଏ। ତମେ ଯେମିତି ତମ ଅଭିଳାଷା ପୂରଣ ପାଇଁ ଲାଗି ପଡିଛ। ଏଭଳି ପ୍ରେମରେ ଯିଏ ପଡିଲା, ସେ ଉଠିବା ଏତେ ସହଜ ନୁହେଁ। ପ୍ରେମ ସଦାବେଳେ ନିଜର ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ। 

- ତମେ କଣ କହିବାକୁ ଚାହୁଁଛ ଯେ ପ୍ରତ୍ୟେକଙ୍କ ପ୍ରେମ ସ୍ୱାର୍ଥ ପାଇଁ ହେଇପାରେ !

- ହଁ

- ତମ କଥା ଶୁଣି ଜଣେ ପ୍ରେମ ପ୍ରତି ବିତସ୍ପୃହ ହେଇଯିବ, କରୁଥିଲେ ବି ଆଗ୍ରହ କମିଯିବ। ମୁଁ ଭାବୁଛି, ଭଗବାନଙ୍କ ପ୍ରତି ଥିବା ପ୍ରେମ ମଧ୍ଯ ତମେ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ କହିବ।

- ତାଙ୍କୁ କାହିଁକି ତର୍କ କୁ ଆଣୁଛ ଯାହା ବିଷୟରେ କହିବାକୁ ଆମେ ଅସମର୍ଥ। ଅନ୍ୟ ମାନଙ୍କୁ ଦେଖ। ରାଜା ଓ ପ୍ରଜା, ଗରୁ ଓ ବିଦ୍ୟାର୍ଥୀ, ଯଜମାନ ଓ ଯାଜ୍ଞିକ ବ୍ରାହ୍ମଣ, ସମସ୍ତେ ସ୍ୱଚିନ୍ତାରେ ସ୍ଥିତ ଜୀବନ ନିର୍ବାହ କରିବା ପାଇଁ ଜଣେ ଅନ୍ୟଜଣକୁ ପ୍ରେମ କରେ। ପ୍ରେମ ପାଇଁ ପ୍ରେମ କେହି କରନ୍ତି ନାହିଁ। ଏପରିକି ପକ୍ଷୀ ମଧ୍ଯ ଯେଉଁ ବୃକ୍ଷରେ କିଛି ପାଉ ଥାଏ ତାକୁ ପ୍ରେମ କରି ତାରି କୋଳରେ ଗୀତ ଗାଏ। ବୃକ୍ଷର ଦେବା ଶକ୍ତି ସରିଗଲେ ଫୁରକିନା ଉଡିଯାଏ।ଏପରିକି ଘରଛାଡି ଲେଙ୍ଗୁଟି ପିନ୍ଧି ସାଧୁ ବନିଥିବା ମହାତ୍ମାମାନେ ମଧ୍ଯ ବୁଲି ବୁଲି ଭୋକ ହେଲେ ଗୃହସ୍ଥଙ୍କ ଘରେ ପହଞ୍ଚି ଭୋଜନ ପାଇ ଆପ୍ଯାୟିତ ହେଲା ପର୍ଯ୍ୟନ୍ତ ଭଲ ଭଲ ମିଠା କଥା ହିତୈଷୀଙ୍କ ପରି କହିବେ। ଖାଇ ସାରିବା ପରେ ଗୃହସ୍ଥର କିଛି ହେଇଗଲେ ମଧ୍ଯ ତାଙ୍କର କିଛି ଯାଏ ଆସେ ନାହିଁ।

- ତମ କହିବା ଶୁଣି ମୋର ତା ପ୍ରତି ଥିବା ଗଭୀର ନିବିଡତା ବି ଢିଲା ପଡି ଆସିଲାଣି। ବେଶିକ୍ଷଣ ରହିଲେ ମୋର ମନୋଭାବ ହୁଏତ ବଦଳି ଯାଇ ପାରେ। କିନ୍ତୁ ତମେ ମନେରଖ ତମ କଥା ଯେତେ ସତ ହେଲେ ବି ସେ ମୋତେ ସ୍ପଷ୍ଟ ମନା ନକଲା ପର୍ଯ୍ୟନ୍ତ ମୁଁ ମୋ ଚେଷ୍ଟାରୁ ବିରତ ହେବି ନାହିଁ। ମୋ ପ୍ରେମ ହୋଉ ପଛେ ସ୍ୱାର୍ଥ ନିହିତ ସେଥିରେ ମୋର ଅସୁବିଧା କଣ! ମୁଁ ଯାହା ପାଇବା ପାଇଁ ଚାହୁଁଛି ତାର ଚେଷ୍ଟା ତ ମୋତେ ହିଁ କରିବାକୁ ପଡିବ। ମୋ ସ୍ୱାର୍ଥ ପାଇଁ ଆଉଜଣେ କାହିଁକି ତା ସ୍ୱାର୍ଥ କୁ କଷ୍ଟ ଦେବ। ସେଥିପାଇଁ ତମେ ମୋ କଥା ରେ ମୁଣ୍ଡ ପୁରାଇବାକୁ ଚାହୁଁନ।

ପ୍ରତିପାଳ କିଛି ନକହି ଏଥର ହସିଦେଲା।

- କଣ ହେଲା, କିଛି ନକହି ହସୁଛ ଯେ !

- ନିଜ ଉଦ୍ଦେଶ୍ଯ ପାଇଁ ତମେ ବନ୍ଧୁକୁ ବି ଆରୋପ କରିପାର ଭାବି ହସ ଲାଗୁଛି, କିନ୍ତୁ ତମ ପ୍ରେମରେ ଗଭୀରତା ଅଛି। ସେଥିପାଇଁ ଖୁସି ଲାଗୁଛି। ବିଧିର ମିଳନ ପୂର୍ବରୁ ବିଧୁର ପ୍ରଣୟ ଅବିଧୃତ ନୁହେଁ। ତମ ବିନମିତ ଚକ୍ଷୁ ଆଗତ ଖୁସିର ଏକ ପୂର୍ବାଭାସ। 

- ବିଧୁର ପ୍ରଣୟ ତ ନିଶ୍ଚୟ କିନ୍ତୁ ବିଧିର ମିଳନ ଓ ପୁଣି ମୋର ଆଗତ ଖୁସି କଣ! କଥାର କୁହେଳିକା କଥାରେ ସନ୍ଦେହ କୁ ବଢେଇ ଦେଉଛି।

- ତମ ପ୍ରେମକୁ ପ୍ରଥମେ ଭାବନାର ଏକ ଉଚ୍ଛାସ ବୋଲି ଭାବୁଥିଲି।

- ମୋ ଭାବନାକୁ ସନ୍ଦେହ କାହିଁକି କରୁଛ।

- ସନ୍ଦେହ କରୁନି। ସ୍ପଷ୍ଟ ଉପଲବ୍ଧି ଖୋଜୁଥିଲି। ମୁଁ ଯେତିକି ଖୋଜୁନି, ସେ ବରଂ ଅଧିକ ଖୋଜୁଥିଲା।

- ସେ ମାନେ କିଏ ?

- ରୁବି। ରୁବି ଭିତରେ ତମ ଭାଉଜଙ୍କ ସହିତ ବସି ଆମ କଥା ଶୁଣୁଛି ଓ ତମ ଭଲ ପାଇବାକୁ ବିନ୍ଦୁ ବିନ୍ଦୁ ଉପଲବ୍ଧି କରୁଛି। କଣ ବିଶ୍ବାସ ହେଉନି ! ରୁବିକୁ ଦେଖିବାକୁ ଚାହୁଁଛ !

ବିଭୁଦତ୍ତ ର ଆଖି ଆଶ୍ଚର୍ଯ୍ୟରେ ଚାହିଁ ରହିଥାଏ। ପରଦା ଆଡେଇ ରୁବି ଓ ମିସେସ ପ୍ରତିପାଳ ଚାଲି ଆସିବା କ୍ଷଣି ସମସ୍ତ ଙ୍କ ମୁହଁରେ କ୍ଷୀଣ ହସଧାର ଧିରେ ଧିରେ ମୁଚୁକୁନ୍ଦ ପରି ଖେଳିବାରୁ ବିଭୁଦତ୍ତର ମଳିନ ମୂଖ ତେଜୋଦୀପ୍ତ ହେବାକୁ ଲାଗିଲା।



Rate this content
Log in

Similar oriya story from Romance