ପ୍ରକୃତି
ପ୍ରକୃତି


ମଟନ୍ ଟା ଖୁବ୍ ଭଲ ହେଇଛି, ଆଉଟିକେ ଆଣିଲୁ ମା ! ପ୍ରମଥେସଙ୍କ କଥା ସରୁ ସରୁ ରବିନା କହିଲା - ପିଲାଙ୍କ ପରି କଣ ହେଉଛ ବାପା ! ସେତିକିରେ ସନ୍ତୁଷ୍ଟ ହୁଅ। ପତ୍ନୀଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ରତନ ଧିର ଗଳାରେ କହିଲେ, ତମେ ବାପାଙ୍କୁ ଏମିତି କଣ କହୁଛ ! ତମ ବାପା ପରା !
- ମୋ ବାପା ବୋଲି ତ କହୁଛି। ନିଜେ ଭଲରେ କାହାକୁ ମଟନ୍ ଟିକିଏ ଦେଇ ନାହାନ୍ତି। ତମେ କଣ ତମର ସେଦିନ କଥା ଭୁଲିଗଲ କି ! ତାଙ୍କର ଇଚ୍ଛା କାହିଁକି ହେଉଛି ବା। ଆମେ ମଟନ୍ ପାଇଁ କହିଲା ବେଳେ କହୁଥିଲେ, ଚିକେନ ଖାଅ। ଚିକେନ ଦେହ ପାଇଁ ଭଲ। ମଟନରେ କଣ ଅଛି, କୋଲେଷ୍ଟ୍ରଲ ଅଧିକ। ଏବେ ନିଜର କୋଲଷ୍ଟ୍ରଲ ଅଧିକା। ଆଉ କଣ କହିଥାନ୍ତି, ରବିନା କାନ୍ଦ କାନ୍ଦ ହେଇଗଲେ। ନାରୀର ଏହି ଭାବ ପ୍ରବଣତା ରତନ ବୁଝି ପାରନ୍ତି ନାହିଁ। ରତନଙ୍କୁ ଅତୀତର ଦୃଶ୍ଯ ଜଳଜଳ ହେଇ ଦିଶିବାରୁ ସେ ଭାବନାରେ ଅତୀତକୁ ଚାଲିଗଲେ ।
ପ୍ରମଥେସ୍ ନିଜକୁ ଚାଲାକ ଭାବନ୍ତି ଓ ତାଙ୍କ ବୁଦ୍ଧିକୁ କେହି ତାରିଫ କରନ୍ତୁ ବା ନକରନ୍ତୁ ସେ ନିଜ ବୁଦ୍ଧି ପାଇଁ ଭରପୁର ଆତ୍ମସନ୍ତୋଷ ପାଆନ୍ତି। ମଣିଷର ନିଜ ଇଚ୍ଛା ମୁତାବକ କାର୍ଯ୍ଯ ହେଇ ଯାଉଥିଲେ ସେ ନିଜ ବୁଦ୍ଧିକୁ ତାରିଫ କରିବା ସ୍ୱାଭାବିକ।
ରବିନା କହୁଥିଲେ ବାପା ଆମ କଥା କିଛି ଗୁରୁତ୍ୱ ଦିଅନ୍ତି ନାହିଁ। ରାଘବ ଭାଇର ଖରାପ ଆଚରଣ ପାଇଁ ସେ କହିବେ ଛୋଟ ପିଲାଟା, ତା କଥା କଣ ଧରନ୍ତି। ତା'ପରଠୁ ଆଉ କେହି ଘରକୁ କହିବାକୁ ଆସନ୍ତି ନାହିଁ। ଏଇ କଥାରେ ସେ ବାହାବା ନେଇ ଆମକୁ କହନ୍ତି, କଥା ଏମିତି କହିବ ଯେମିତି ସେ ରାଗିବାକୁ ଚାହିଁଲେ ରାଗି ପାରୁ ନଥିବ। ଯୁକ୍ତି ଏମିତି କରିବ ଯେମିତି କାଟି କେହି ପାରିବେନି।
କୌଣସି ନିଷ୍ପତ୍ତି ନେଲାବେଳେ କେହି ତାଙ୍କୁ କିଛି କହିଲେ, ସେ ସମ୍ମାନ ଦେଇ ଶୁଣନ୍ତି କିନ୍ତୁ ତାର ଅ ଅକ୍ଷର ଧରନ୍ତି ନାହିଁ। ସେଥିପାଇଁ ଯୋଉମାନେ ପରାମର୍ଶ ଦେଉଥିଲେ ସେମାନେ ଧିରେ ଧିରେ ତାଙ୍କ ପରି ଚୁପ୍ ରହିବା ଶିଖିଗଲେ। ପୁଅ ବଡ ହେଇ ବାପାଙ୍କ ପରି ନିଜ ନିଷ୍ପତ୍ତି ନିଜେ ନେଲା। ବାପା ପଚାରିଲେ କହିଦେବ, ତମେ କିଛି ଜାଣିନ। ରାଘବ କଥାକୁ ବାପା ଭୁଲ କହିଲେ, ସେ ଯୁକ୍ତିରେ ତା କଥାକୁ ଠିକ ବୋଲି କହିବ। ବାପା ରାଗିଲେ ବି ରାଗି ପାରନ୍ତିନି। ନିଜେ ଉପଦେଶ ଦେଇଛନ୍ତି, କାହାକୁ କହିବେ!
ରାଘବ ଭଲ ପଢୁଥିଲେ ମଧ୍ଯ ଭଲ ଚାକିରି ନପାଇ ବେସରକାରୀ କଲେଜରେ ଅଧ୍ୟାପକ ଅଛି। କିଏ କହିଲେ ରାଘବ କହେ, ବାହାରକୁ ଯିବା ଅପେକ୍ଷା ଏ ଚାକିରି ଯଥେଷ୍ଟ ଭଲ। ଏଠି ବାପାଙ୍କୁ ଦେଖିବ କିଏ, ଘର କଥା ବୁଝିବ କିଏ। ପୁଅର ଦାୟିତ୍ବ ସମ୍ପନ୍ନ କଥାରେ ବାପା ଖୁସି ହେଇଯାନ୍ତି। ରାଘବ ସୁଯୋଗ ଦେଖି ବାପାଙ୍କ ଠାରୁ ସବୁ ସମ୍ପତ୍ତି ନିଜ ନାଁରେ କରିନେଇଛି। ବାପା ବୁଝି ପାରୁଥିଲେ ମଧ୍ଯ ମା ପୁଅଙ୍କ ପାଖେ ତାଙ୍କ କହିବା ଧିମା ପଡିଯାଏ। ଘରେ ପାଟିତୁଣ୍ଡ ନହେଉ ଭାବି କିଛି କୁହନ୍ତି ନାହିଁ।
ରବିନାର ବାହାଘର ଯେତେବେଳେ ଠିକ ହେଲା, ରାଘବ ବାପାଙ୍କ ଠାରୁ ନେଇଥିବା ପଇସା ଦେଲା ନାହିଁ। ମାଆ ପୁଅ ମିଶି କହିଲେ, ଏ ପଇସା ଥାଉ, କୁଆଡେ କଣ ପଳଉଛି। ତମ ସାନଝିଅ ବାହାଘର କାମରେ ଲାଗିବ। ତମ ପଇସା ଅଛି ଜାଣିଲେ ଝିଅଙ୍କ ଲୋଭ ଅଧିକା ହେବ। ସେମାନେ ଭାବିବେ ଟଙ୍କା ଥାଇ ବି ବାପା ସେମାନଙ୍କୁ ଅଧିକା ଯୌତୁକ ଦେଇ ବିଦା କରି ନାହାନ୍ତି।
ରାଘବ ପାଖରେ ଥିଲେ କେହି ଲୋଭ କରିବେନି । ଝିଅ ବାହା ହେଇଗଲା ପରେ ସେ ତା କଥା ଆପେ ବୁଝିବ! ଆଉ କେହି ମୁଣ୍ଡ ଖେଳାଇବାକୁ ନଥିବେ।
ବାପା ଜାଣିଲେ ପୁଅକୁ ଦେଇଥିବା ଟଙ୍କା ପାଇବା ସହଜ ନୁହେଁ। ସେ ଟ୍ରେଡିଂରେ ଲଗାଇ ସାରିଲାଣି। ସେ ରବିନା ବାହାଘର ଯେଣତେଣ ଭାବେ କଲେ। ଅଭାବରୁ ବାହାଘର ଅବ୍ୟବସ୍ଥା ଭିତରେ ହେଲେ ବି ସବୁ ଭଲ ହେଇଛି କହି ମାଆ ପୁଅଙ୍କ ଡିଣ୍ଡିମ ପିଟାକୁ ବାପା ନିଜ ସମ୍ମାନ ଭାବି ସମର୍ଥନ କଲେ। ଲୁଗାପଟା ବେଭାର, ଦେବାନେବା ଯେତେ ଯାହା କାଟଛାଟ କଲେ। ରବିନା କିଛି ଘରେ କହିଲେ ମା କହନ୍ତି, ସଂସାରରେ ଘରକରି କେମିତି ଚଳିବାକୁ ହୁଏ ଏଇଥିରୁ ଶିଖିବାକୁ ହୁଏ। ଆଜି କାଲି ଯାହା ଆଇନ ଝିଅଙ୍କ ପାଇଁ ହେଲାଣି ଝିଅମାନେ ଯେମିତି ଚାହିଁବେ, ସେମିତି ହେବ। ଯୁଗ ଥିଲା ଦିନେ ଝିଅ ଙ୍କୁ କୁହା ହେଉଥିଲା - କାନ୍ଦୁ ଥା, ବାନ୍ଧୁ ଥା। ଏବେ ହେଲା କନ୍ଦାଉ ଥା, ଆଣୁ ଥା। ତାହାଲେ ତୋ ଶାଶୁ ଘରେ ତୋତେ ଡରିକି ରହିବେ ! ରବିନା ତା' ପର ଠାରୁ ଘରେ ଆଉ କିଛି କହିନାହିଁ । ରବିନା ମଧ୍ଯ ରତନଙ୍କୁ ଧରି ଆଗପରି ଆଉ ଆସେ ନାହିଁ।
ରାଘବ ଥରେ ଥଟାରେ ରବିନାକୁ କହିଲା, କଣ କିଲୋ ଏକୁଟିଆ ଚାଲି ଆସୁଛୁ। ରତନ କଣ ମିଠା ଆଣିବାକୁ ପଡିବ ବୋଲି ଆସୁ ନାହାନ୍ତି କି ! ରତନଙ୍କୁ ସାଙ୍ଗରେ ନେଇ ଏଇ ସାତଟାକୁ ଚାଲି ଆସିବୁ ଯେ ନ'ଟା ବେଳକୁ ରୁଟି ଡାଲମା ଖାଇ ଚାଲିଯିବ। ମା ହସିହସି ପୁଅର ବୁଦ୍ଧିକୁ ତାରିଫ କରି କହିବେ ସେଥିପାଇଁ ରାଘବ ବୋଧେ ଆସୁ ନାହାନ୍ତି। ଏଥର ସାଙ୍ଗ ହେଇ ଆସିବ।
ଥରେ ତାଙ୍କ ପଡୋଶି ରାମବାବୁ କୋଉଠୁ ଶୁଣି ବାପାଙ୍କୁ ପଚାରିଲେ ବରଯାତ୍ରୀଙ୍କୁ କଣ ଜଳଖିଆ ଦେବାରେ ଅବ୍ୟବସ୍ଥା ହେଇଥିଲା କି?
ବାପା କହି ଆସୁଥିଲେ ଯେ - ଜଳଖିଆ ବିଲକୁଲ ଦିଆ ହେଇନି ! ଅଭାବ କାରଣରୁ ଖର୍ଚ୍ଚ କାଟିବାକୁ ପଡିଲା। ସେତିକିବେଳେ ମା ବାହାରିଆସି କହିଲେ ସେମାନେ କଣ ଭୋକିଲା ହେଇଛନ୍ତି ଯେ ଏଇଠୁ ଆସୁ ଆସୁ ଖାଇ ପକାଇବେ। ଘରୁ କଣ ଜଳଖିଆ ଖାଇ ଆସିନଥିବେ! ସେମାନେ ବହୁତ ଭଲଲୋକ, ଆସିକି ତ ଭୋଜି ଖାଇଲେ! ଜଳଖିଆ ଖାଇଥିଲେ କଣ ଭୋଜି ଖାଇ ପାରିଥାନ୍ତେ !
ପଡୋଶୀ ରାମବାବୁ ଏଇ କଥାରୁ ସବୁ ବୁଝିଗଲେ ବି ନବୁଝିବାର ଅଭିନୟ କରି କୃତ୍ରିମ ହସି କହିଲେ - ନାନୀ ଠିକ କହିଛନ୍ତି। ଯୋଉମାନେ ଜଳଖିଆ ଖାଇ ପକାନ୍ତି ସେମାନେ ନିଶ୍ଚୟ ସେଇ ଭୋକିଲା ଶ୍ରେଣିର ନଚେତ ଖାଦ୍ଯ ଲୋଭୀ ଜୀବ ଗୁଡାକ। ମାଗଣା ମିଳିଲେ ଆଲକାତରା ପିଇଯିବେ।
ବାପାଙ୍କ ମୁହଁଟା ଆମ୍ବିଳା ହେଇଗଲା, କାରଣ ସେ କିଛି ଦିନ ତଳେ ଏଇ ପାଖକୁ ଯାଇ ଗୁଡାଏ ଖାଇ ପକାଇଥିଲେ। ରାମବାବୁଙ୍କୁ ଖାଇବାକୁ କହିବାରୁ ସେ ମନାକରି କହିଥିଲେ, ଏଗୁଡା ଖାଇଲେ ସେ ଆଉ ଭୋଜି ଖାଇ ପାରିବେନି।
ମା ଭଲରେ ବୁଝେଇ କହିଲେ, ସମୁଦୀ ବଢିଆ ଲୋକ, ସେଥିପାଇଁ ସେ ଏସବୁ ଧ୍ୟାନ ଦିଅନ୍ତି ନାହିଁ। କହିବେ ଆମେ କଣ ଖାଇବାକୁ ଆସିଛୁ କି! ବୋହୁ ନେବାକୁ ଆସିଛୁ। ଭଲ ବୋହୂ ପାଇଲେ, ସେ କଣ ଖାଇବାକୁ କରି ଦେବନି !
- ଠିକ, ବହୁତ ଭଲ ଲୋକ ଭଲ ଉତ୍ତର ପାଇଲ।
ମା ମନେ ମନେ ନିଜ ମିଥ୍ୟା ବଚନିକାକୁ ତାରିଫ କରି ବାପାଙ୍କଠୁ
ପ୍ରଶଂସା ପ୍ରତ୍ୟାଶା କଲେ। ବାପା ମୁହଁ ଖୋଲି ନକହିଲେ ମଧ୍ଯ ସ୍ମିତ ହସି ସମର୍ଥନ ଜଣାଇଲେ।
ରାମବାବୁ କଥାର ମଜା ନେବା ପାଇଁ କହିଲେ, ବରଯାତ୍ରୀରେ ପରା ବାହାର ଲୋକ ବେଶି ଥା'ନ୍ତି। ସେମାନେ ବଦନାମ କରନ୍ତି। ମୁଁ ଶୁଣିକି କହୁଛି।
- ହଁ କୁହନ୍ତୁ। କହିବା ଲୋକଙ୍କ ପାଟି କିଏ ବନ୍ଦ କରିବ! ହାତୀ ଗଲାବେଳେ କୁକୁର ଭୁକିଲେ ହାତୀ ର କଣ ଯାଏ। ଯିଏ କହୁଛି କହୁ। ସେମାନେ କଣ ଆମକୁ ଦେବେ କି ! ଆମ ଜୋଇଁ ଭଲ ତ ସବୁ ଭଲ।
- ହଁ ସେଇଟା ଠିକ କଥା। ଜୋଇଁ ଭଲ ହେଲେ ହେଲା। ରାମବାବୁ କହିଲେ।
- ଭଲ ମାନେ, ଆମ ଜୋଇଁ ରତନ ଖୁବ୍ ଭଲ।
ଏତିକିବେଳେ ରତନଙ୍କ ଫୋନ୍ ଆସିଛି ବୋଲି ଝିଅ କହିବାରୁ ମା' ରାମବାବୁଙ୍କୁ ନିଜ ଦର୍ପାଭିମାନ ରେ ଝିଅକୁ କହିଲେ- ମା' ରେ ଜୋଇଁଙ୍କୁ କହ ଆସି ଏଠି ଡିନର୍ କରିବେ ଆଉ ତୋତେ ନେଇଯିବେ। ଓଲା କରିବାକୁ କହିଲେ ମନା କରିବୁ।
ରବିନା ତାଙ୍କୁ ଆସିବାକୁ କହି ଚୁପଚାପ ଅପେକ୍ଷା କଲା। ରତନ ଆସିବା କ୍ଷଣି ସୌଦାମିନି ଆଗ୍ରହ ଦେଖାଇ କହିଲେ, ପୁଅ ତମେ ବହୁତ ଦିନ ହେଲା ଆସିନ। ଆଜି ଡିନର କରି ଯିବ। ରାମବାବୁ ତମ କଥା ପଚାରୁଥିଲେ, କହୁଥିଲେ ତମ ଜୋଇଁଙ୍କର କଣ ଦେଖା ନାହିଁ। ଏବେ ବସି ଗପସପ କର। ମୁଁ ଖାଇବା ରେଡି କରୁଛି।
ରାଘବ ବାହାରି ଆସି ଥଟାରେ ପଚାରିଲା - କଣ ଖାଇବେ କୁହନ୍ତୁ ଭିଣୋଇ ମହାଶୟ।
ରତନ ହସିଦେଇ କିଛି କହିଲା ନାହିଁ।
ରାଘବ ପୁଣି ପଚାରିଲା - କୁହନ୍ତୁ! କହିବାକୁ ପଡିବ ଆଜି ତମର ବିଶେଷ ଚର୍ଚ୍ଚା ହେବାର ଅଛି।
ରତନ ଲଜ୍ଜା ପାଇ କହିଲା - ଯାହା କଲେ ଚଳିବ
ରାମବାବୁ ହସି ହସି କହିଲେ - ତମର ସବୁ ଚଳେ ବୋଲି ଏଠି ବହୁତ ପ୍ରଶଂସା। ତଥାପି ନିଜ ପସନ୍ଦ କଣ ! ମଟନ୍ ବେଶି ପସନ୍ଦ କର ନା ଚିକେନ୍।
ରତନ କହିବା ପୂର୍ବରୁ ରବିନା କହିଲା - ତାଙ୍କର ମଟନ୍ ବହୁତ ପସନ୍ଦ। ତାଙ୍କ ଘରେ ଚିକେନ କମ୍।
ରାମବାବୁ ଓ ରତନ ଗପରେ ଲାଗି ପଡିଲେ।
ମା ରାଘବକୁ ଚିକନ ଆଣିବାକୁ କହିଲାରୁ ରବିନା ଆବା କାବା ହେଇ ଚାହିଁଲା ଓ ଭାଇ ଯାଇସାରିଲା ପରେ କହିଲା- ସେ ପରା ମଟନ୍ ପସନ୍ଦ କହିଲେ!
ମା କହିଲେ, ତୁ ଚୁପ କର - ପିଲାମାନଙ୍କୁ ଚିକେନ ଭଲ। ସମସ୍ତେ ଚିକେନ ଭଲପାଆନ୍ତି। ଶହେ ଟଙ୍କା ର ଚିକେନ ଆଣିଲେ, ତମେ ଦି'ଜଣ ଖାଇ ଭାଇ ବି ଖାଇବ। ଏବେ ମଟନ କଟା ତ ମିଳିବନି, କୋଉ ହୋଟେଲ ଯାଇ ଆଣିଲେ ପାଞ୍ଚଶହ ଟଙ୍କାରୁ କମ୍ ହେବନି। ଅଯଥା ଖର୍ଚ୍ଚ କରିବା କଣ ଦରକାର। ତୁ କଣ ଗୋଟେ କହି ବୁଝାଇ ଦେବୁ। ତୁ କଣ ଆମର ନୁହଁ କି। ତୁ ତାଙ୍କର ଯେତିକି ଆମର ସେତିକି।
ଖାଇଲା ବେଳେ ରତନ ଚିକେନ ଜାଣିପାରି ହସି ଦେଇ ରବିନାକୁ ପଚାରିଲେ, ମୋତେ ମଟନ କହି ଚିକେନ କଲ। ରବିନା କିଛି ନ କହିବାରୁ ରତନ ହସି ହସି କହିଲା - ଟେନସନ ନିଅନି, ଆରଥରକୁ ଆସିଲେ ସନ୍ତୁଳା କରିବାକୁ କହିବ ଯେ ଚିକେନଠୁ ବି କମ୍ ଖର୍ଚ୍ଚ ହେବ।
ରାମବାବୁ ମୁହଁ ଚାପି ମୁରୁକି ମୁରୁକି ହସୁଥାନ୍ତି।
ରବିନା କହିଲା, ଥାଉ ତମେ ଖାଅନି। ଆମେ ବାଟ ରୁ ନେଇଯିବା।
- ଯିଏ ଘରେ ଦେଇ ପାରୁନି, ସେ ବାଟରୁ କିଣି ନେବା ପାଇଁ କଣ ରାଜି ହେବ ! ଧିରେ ଧିରେ କହିଲେ ରତନ।
- ମୁଁ କହୁଥିଲି କଣ କି, ଆମେ କିଣି ନେବା।
- ତା'ଠାରୁ ଭଲ ତ ଏଇ ଚିକେନ ଖାଇଦେବା!
ରାମବାବୁ କଥା ସମ୍ଭାଳିବା ପାଇଁ କହିଲେ, ମଟନ୍ ମିଳି ନଥିବ ! ଆଜିକାଲି ତ ଚିକେନ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ନେଇ ଆସିଥିବେ !
- ଆହୁରି ବି ଅନେକ କାରଣ ଥିବ ଅଙ୍କଲ୍। କାରଣ ଯାହା ବି ଥାଉ, ଚିକେନ ବହୁତ ବଢିଆ ହେଇଛି। କଥା ବୁଲାଇବାକୁ ଚେଷ୍ଟା କରି ରତନ କହିଲା।
ରାଘବ ପହଞ୍ଚି କହିଲା - ଚିକେନ ବଢିଆ ହେବନି, ମୁଁ ପରା ଆଣିଛି। ଖାସ୍ ତମେ ଖାଇବ ବୋଲି।
- ବଢିଆ ନା ଚୋପା। ତୋ ପାଇଁ ବି ରଖିଛି। ଖାଇ ସାରି କହିବୁ। ରବିନାର କଥା ଶୁଣି ସମସ୍ତେ ଚୁପ୍ ହେଇଗଲେ।
ଫେରିଲା ବେଳେ ବାଟରେ ରତନ ପଚାରିଲେ - ବରଯାତ୍ରୀଙ୍କ ଖାଇବାରେ ଏତେ ଅବ୍ୟବସ୍ଥା ଥାଇ ବି ତମକୁ ଘରେ କିଏ କଣ କହିଲେ, ତମେ ଘର ପାଇଁ କେତେ ପ୍ରକାର ସଫେଇ ଦିଅ, ଆଜି ସେଇ ଘରକୁ ସାମାନ୍ଯ ମଟନ ପାଇଁ ମୁହଁ ଲାଲ୍ କରୁଛ!
ଘରେ ପହଞ୍ଚି ଯାଇଥିଲେ । ମୋଟରସାଇକେଲ ରୁ ଓହ୍ଲାଇ ଗେଟ୍ ଖୋଲୁ ଖୋଲୁ ରବିନା କହିଲେ ସେତେବେଳେ ମୁଁ ତାଙ୍କର ଝିଅ ଥିଲି ବର୍ତ୍ତମାନ ସ୍ତ୍ରୀ ତମର। ତାଙ୍କ ଅସୁବିଧା ଅପେକ୍ଷା ତମ ଅସୁବିଧା ମୋତେ ଏବେ ବେଶି ଦିଶିବ।
ଉତ୍ତର ଶୁଣି ରତନ ଚମକି ପଡିଲା। ମନେ ମନେ ଭାବିବାକୁ ଲାଗିଲା - ଏଇଟା କଣ ନାରୀର ସ୍ଵତଃ ପ୍ରବୃତ୍ତ ପ୍ରକୃତିରେ ପରିବର୍ତ୍ତନ ନା ଏ ପରିବର୍ତ୍ତନକୁ ପ୍ରକୃତିରେ ଆଣିବାକୁ ହୁଏ।
ରବିନା ଡାକିଲେ - ଭିତରକୁ ଆସୁନ । ସେଠି କଣ ପାଇଁ ଠିଆ ହେଇଛ !
ପାଟିରେ ରତନଙ୍କ ଭାବନା ଭାଙ୍ଗିଗଲା। ଚମକି ପଡି ଦେଖିଲେ ତାଙ୍କ ଶଶୁର ଖାଇ ସାରି ହାତ ଧୋଉଛନ୍ତି ଯେମିତି ତାଙ୍କ ଝିଅ ତାଙ୍କୁ କିଛି କହିନି। ସେ କାହିଁକି ତାହାଲେ ଏତେ ଭାବି ହେଉଛନ୍ତି। ଯାହାର ପ୍ରକୃତି ଯାହା ସେ ସେୟା। ରବିନାକୁ କହିଲେ, ବାଢ ଆମେ ଖାଇବା।