ପରିବା ବାଲା ମୋଉସା
ପରିବା ବାଲା ମୋଉସା


ରଥଯାତ୍ରା ବୋଲି ସକାଳୁ ସକାଳୁ ବଳରାମ ତାଙ୍କ ନିତ୍ୟକର୍ମ ସାରି ଦେଇଥିଲେ। ଦୂରଦର୍ଶନରେ ସେ ପହଣ୍ଡିର ଆରମ୍ଭରୁ ରଥାରୂଢ ହେଲା ପର୍ଯ୍ୟନ୍ତ ଏକ ଲୟରେ ଦେଖିବେ, ତାଙ୍କର ସେଥିରେ ଖୁସି। ପୁରୀ ନଯାଇ ପାରିବାର ଅବଶୋଷ ସେ ଏଇ ଦର୍ଶନରେ ମେଣ୍ଟାଇ ଦିଅନ୍ତି। ସୁଧା ଆସି କହିଦେଇ ଗଲେଣି, ଘରେ ପରିବାପତ୍ର କିଛି ନାହିଁ, ତମେ ଆଗ ଯାଇ ହାଟରୁ କିଛି ନେଇ ଆସ, ତାପରେ ବସି ଦେଖିବ।
ପହଣ୍ଡି ଆରମ୍ଭ ହେଇଯିବ ବୋଲି ବଳରାମଙ୍କ ମନ ଯିବାକୁ ଚାହୁଁ ନଥିଲା, ସେ କହିଲେ, ସାଇକଲରେ ଏବେ ଯୋଉ ବୁଢା ମୋଉସା ଆସିବ, ତାଠୁ କିଛି ରଖିନେବ। ପରେ ମୁଁ ହାଟକୁ ଯାଇ ଆଣି ଆସିବି।
ସୁଧା ତାଙ୍କ କଥାର ପ୍ରତିବାଦ କୁ ସହି ପାରନ୍ତିନି। ସେ ପ୍ରଶ୍ନ କଲେ, ପରେ କାହିଁକି, ଏବେ କଣ ପାଇଁ ଯାଇ ହବନି, କେତେ ସମୟ ନଷ୍ଟ ହେଇଯିବ କି ତମର! ଭଲ ପରିବା ଦି'ଟା ହାଟକୁ ଗଲେ ମିଳିବ। ସାଇକଲରେ ସେ କୋଉ ବାସି ଶସ୍ତା ମସ୍ତା ପରିବା ଆଣିଥିବ, ତାଠୁ ମୁଁ ରଖିବିନି।
ବଳରାମ ସୁଧା ପରି ଉତ୍ତେଜିତ ନହେଇ କହିଲେ, ଆମେ ତ କେବେ ତାଠାରୁ କିଣିନେ, ତା'ଜିନିଷକୁ କିଣି ଥରେ ଦେଖ। ଖରାପ ପରିବା ହେଲେ କଣ ଏ କଲୋନୀକୁ ସେ ଆସନ୍ତା ! ଅନ୍ୟଲୋକ ପୁଣି କିଣୁଛନ୍ତି ତ!
- ଥାଉ ରଖ ତମ କଥା, ଅନ୍ୟମାନଙ୍କ ସହ ନିଜକୁ ତୁଳନା କରନି। ଯିଏ ଅଳସୁଆ ସେ ଘରେ ବସିକି ଯାହା ମିଳୁଥିବ କିଣି ଚଳାଇଦବ। ତମେ ତାଙ୍କଠୁ ମୋତେ ଅଳସୁଆମି ଶିଖିବାକୁ କହୁଛ ! କେମିତି କେଜାଣି ଲୋକେ ତମକୁ ପଣ୍ଡିତ କହୁଛନ୍ତି। ଆଚ୍ଛା ଲୋକ, ଷାଠିଏ ଟପିଲାଣି ଅଥଚ ବୁଦ୍ଧି ପାକଳ ନ ହେଇ ଯାହାକୁ ସେୟା।
ବଳରାମ ନ ଯିବା ପାଇଁ ଆଉ କଣ କହିବେ ଭାବୁ ଥିଲେ, ସୁଧା ଉପମା ପ୍ଲେଟଟା ହାତରେ ଧରାଇକି କହିଲେ ଜଲଦି ଖାଇଦେଇ ଯାଅ, ପହଣ୍ଡି ଆରମ୍ଭ ହେବ। ଦୂରଦର୍ଶନ ପରଦାରେ ଘୋ ଘୋ ଘର୍ଘର ନାଦ ଶୁଭୁଥାଏ। ସେ ଆଖି କାନ ଦୁଇଟା ତନ୍ମୟର ସହ ସେଇଆଡେ ଦେଲେ, ଘୋଷକ ଘୋଷଣା କରୁଥିଲେ, ଆଉ କିଛିକ୍ଷଣ, ପହଣ୍ଡି ଆରମ୍ଭ ହେବ। ବଳରାମ ଚାହିଁଲେ ସୁଧାଙ୍କୁ, ସେ କ୍ଷମା ସ୍ଵରୂପିଣୀ ହୋଇ କାଳେ ତାଙ୍କୁ ନଯିବାକୁ କହିବେ। ସୁଧାଙ୍କ ହୃଦୟ ବୋଧହୁଏ ତରଳି ଗଲା, କହିଲେ ହୋଉ ଠିକ ଅଛି, କିନ୍ତୁ ତମେ ନିଜେ ଯାଇ ସେ ସାଇକଲ ବାଲା ବୁଢାଠୁ ବାଛିକି ଆଣିବ, ମୁଁ ଆଣି ପାରିବିନି।
ବଳରାମ ସୁଧାଙ୍କୁ ଚାହିଁ ସ୍ମିତ ହସି କହିଲେ, ତାକୁ ମୋଉସା କହୁନ, ସାଇକଲବାଲା ବୁଢା କଣ ପାଇଁ କହୁଛ !
- କାହିଁକି, କଣ ହେଲା ! ମୁଁ କହିବି, ସେ କିଏ କି ଏମିତି ଯେ ତମକୁ ଖରାପ ଲାଗୁଛି।!
- ମୋର କେହି ନୁହଁ, କିନ୍ତୁ ଡାକର ଅସୌଜନ୍ୟତା ମଣିଷ ପ୍ରତି ଭାବନାକୁ କଦର୍ଯ୍ୟ କରିଦିଏ।
ଗାଁରେ ତ ପୁଣି ଆମ ବୁଢା ହଳିଆକୁ ମୋଉସା କହି ତମେ ଡାକୁଛ। ତାକୁ ଡାକିଦେଲେ କଣ ସେ ମୋଉସା ହେଇଯାଉଛି। ଆମ ଡାକରେ ଅସମ୍ମାନ ନକରିବାର ଅଭିପ୍ରାୟ ଏଥିରୁ ଜଣା ପଡିଯାଏ।
ହୋଉ ହେଲା ! ତମ ମୋଉସା ଆସିଲେଣି ଯାଅ, ତା ଡାକ ଶୁଭୁଛି ବାହାରେ। ଭଲ ପରିବା ଦେଖି ଆଣିବ।
ବଳରାମ କବାଟ ଖୋଲି ଚାହିଁଲେ, ଟିକେ ଦୂରରେ ମୋଉସା ଠିଆ ହେଇ ଡାକ ଛାଡୁଥିଲା- ପରିବା ନିଅ, ପରିବା ଆଣିଛି- ଭେଣ୍ଡି, ବାଇଗଣ, କଖାରୁ ସାରୁ, କୋଶଳା କାକୁଡି, ଜହ୍ନି, କୁନ୍ଦୁରି, ପୋଟଳ।
ବଳରାମ ପଛକୁ ବୁଲି ଟିଭି ପରଦାକୁ ଚାହିଁଲେ, ପହଣ୍ଡି ଆରମ୍ଭ ହେଇନି ଜାଣି ନିଶ୍ଚିତ ହେଲେ। ତାଙ୍କ ଇଚ୍ଛା ସିଂହ ଦ୍ୱାରରୁ ବାହାରୁ ବାହାରୁ ସେ ଦେଖିବେ। ତାଙ୍କର ସେଇ ଦର୍ଶନରେ ଅଭିଳାଷା। ପରିବା ମୋଉସା ପାଖକୁ କେହି ଗ୍ରାହକ ଆସୁ ନ ଥିବା ଦେଖି, ସେ ହାତଠାରି ପାଖକୁ ଡାକିଲେ। ଭୋକିଲାକୁ ଆହାର ମିଳିଲା ପରି ସାଇକଲ ସହ ଚାଲି ଆସିଲା। ତାର ଆତୁରତା ଦେଖି ବଳରାମ ପଚାରିଲେ, ଆଜି କଣ ବେପାର ହେଉନାହିଁ କି ମୋଉସା!
ଗରୀବର କଥା କାଳିଆ କଣ ସହଜରେ ଶୁଣିବ, କହି କାନ୍ଦି ପକାଇଲେ ମୋଉସା।
- ଆରେ କାନ୍ଦୁଛ କାହିଁକି! ସେ ଶୁଣି ନଥିଲେ କଣ ମୁଁ କିଣିବାକୁ ଆସିଥାନ୍ତି। ଦିଅ, ତମ ପରିବାରୁ କିଛି କିଛି ସବୁ ଦିଅ।
- ସେକଥା ନୁହଁ, ଜଣେ ବାବୁ ରାତିରେ ମୋତେ ସାଙ୍ଗରେ ନେଇ ପୁରୀ ଯିବେ କହିଥିଲେ, ବଡ ମନ କରିଥିଲି, ସେଥିପାଇଁ ମୁଁ ପରିବା ବି ଆଣିନଥିଲି। କାଳିଆକୁ ରଥରେ ବାବୁ କେବେ ଦେଖିନିତ! ମୋ ଡାକ ସେ ଶୁଣିଛନ୍ତି ଭାବି ବାହାରିଲାରୁ ପୁଅ ନିଜେ ବାହାରି ମୋତେ ଯିବାକୁ ମନାକରି କହିଲା, ତମ ଯିବା ଠିକ ନୁହଁ, ମୁଁ ଯାଉଛି, ଦୋକାନର ପରିବାକୁ ସାଇକଲରେ ନେଇ ବିକିଦେବ। ଏ ପରିବାତକ ତା ଦୋକାନର। କଣ ଆଉ କହିବି! କେତେ ଇଚ୍ଛା ଥିଲା ଦେଖିବାକୁ, ପୁଅଟା ମନ କରିଛି ଯଦି ଯାଇ ଦେଖୁ। ବଡଠାକୁର କୃପା କରି ଆସୁଥିବା ବେଳେ ମୋତେ ପୁଣି ଅଧମଟା ଭାବି ବୋଧେ ଅଟକାଇ ଦେଲେ। ମୁଁ କାହିଁକି ପୁଅକୁ ଅଟକାଇବି! କାଳିଆ ଇଚ୍ଛାକୁ ବାଦ କଲେ କଣ ସେ ଖୁସି ହେବ କହିଲା ବେଳକୁ ତାଙ୍କ ଆଖିରୁ ଲୁହ ଝରି ଆସିଲା। ମୋଉସା ଦୁଃଖୀ ଜଣା ପଡିଲେ ବି ଦୁଃଖରେ ଛପି ରହିଥିବା ଆନନ୍ଦକୁ ବଳରାମ ପଢି ପାରୁଥିଲେ। ମୋଉସାଙ୍କ ନୀରବ ଅଶ୍ରୁପାତ ଦେଖି ବଳରାମ ବିସ୍ମିତ ହେଇ ଭାବୁଥାନ୍ତି, ସେ ତାଙ୍କ ଜୀବନକାଳ ଭିତରେ ଏମିତି ଆତୁରତା ପୂର୍ଣ୍ଣ ସମର୍ପଣ ଭାବ ନେଇ ଦୁଃଖର ଭାବାବେଗକୁ ସଂଯତ କରିନପାରି କାଳିଆ ପାଇଁ ପିଡ଼ା ଅନୁଭବ କରି କେହି କାନ୍ଦିବା କଣ ଦେଖିଛନ୍ତି। ତାର ଏଇ ଭଗବତ୍ ଆବେଗରୁ କିଛିମାତ୍ର ଯଦି ମୋ ପାଖରେ ଥାଆନ୍ତା, ମୁଁ ପ୍ରଭୁ ଧନ୍ଯ ମନେ କରନ୍ତି। ମୁଁ ବି ତ ପ୍ରଭୁ ତମକୁ ଡାକୁଛି ମୋର କାହିଁକି ଏ ଭାବନା ଆସୁନି! ବଳରାମ ନିଜ ଆଖିର ଲୁହ ଅଟକାଇ ନପାରି ଘରଭିତରକୁ ଚାଲି ଗଲେ।
ବାବୁ! ପରିବା ନେବେ ପରା ! ମୋଉସା ଡାକିଲେ।
ଶୁଣିବାକୁ ଧର୍ଯ୍ୟ ନଥିଲା ବଳରାମଙ୍କର। ଗ
ାମୁଛା ଧରି ଲୁହ ପୋଛି ଆସୁ ଆସୁ କହିଲେ, ସବୁ ଓଜନ କରି ଭିତରକୁ ନେଇଆସ। ବଳରାମ କହିଦେଇ ସୋଫା ଉପରେ ବସି ପଡିଲେ।
ପହଣ୍ଡି ଆରମ୍ଭ ହେଇ ଯାଇଥାଏ, ବଳରାମ ଧ୍ୟାନର ସହ ଦେଖୁଥାନ୍ତି। ପଛପଟୁ ମୋଉସା ପରିବା ଧରି ଆସି କହିଲା, ବାବୁ, ମୁଁ ଟିକିଏ ଏଇଠି ବଡଠାକୁର ଙ୍କୁ ଦେଖି ପାରନ୍ତି!
ହଁ, ହଁ ଏଇ ସୋଫାରେ ବସି ଦେଖ। ମୋଉସା ନ ବସିବାରୁ ବଳରାମ ହାତଧରି ବସାଇ ଦେଲେ।
ଉଭୟେ ପହଣ୍ଡି ଦେଖୁଥାନ୍ତି। ବଳରାମ ମଝିରେ ମଝିରେ ମୋଉସାଙ୍କୁ ଚାହିଁ ତାର ଭାବାବେଗକୁ ଲକ୍ଷ୍ଯ କରି ତନ୍ମୟ ହେଇ ଯାଉଥାନ୍ତି। ପ୍ରାୟ ଏକ ଘଣ୍ଟା ବିତିଗଲା ପରେ, ବଳରାମ ମୋଉସାଙ୍କୁ କିଛି ଖାଇବାକୁ ଦେଇ କହିଲେ, ମୋଉସା, ଖାଇସାରି ପରିବାତକ ଭିତରକୁ ନେଇଆସିବ। ସାଇକଲରେ ଖରା କାହିଁକି ଖାଉଥିବ।
- ନାଇଁ ବାବୁ, ମୁଁ ଯାଉଛି, ଏଗାରଟା ଉପରେ ହବ ଆଉ କଣ କିଏ ପରିବା ନେବ, ଯେତିକି ପରିବା ବିକ୍ରି ହବ କରିବି। ଠାକୁରଙ୍କ ଉପରେ ଅସନ୍ତୋଷ ହେଇ ନିଜ କର୍ମ କାହିଁକି ଛାଡିଦେବି। ବିକ୍ରି କରି ନ ପାରିଲେ ପୁଅ ଅଶାନ୍ତି ହବ। ସମସ୍ତେ କଣ ଆଉ ଭାଗ୍ୟବାନ ହେଇଛନ୍ତି। ଟିଭିକୁ ହାତ ଦେଖାଇ ମୋଉସା କହିଲେ, ଏ ବାବୁମାନଙ୍କୁ ଦେଖ କେତେ ପୂଣ୍ଯ କରି ଜନ୍ମ ନେଇଛନ୍ତି ଯେ ବଡଦାଣ୍ଡରେ ବଡ କୋଠାରେ ଚାନ୍ଦୁଆ ତଳେ ବସି ପଙ୍ଖାପବନ ପାଇ ଥଣ୍ଡା ପାନୀୟ ଧରି ଦର୍ଶନ କରୁଛନ୍ତି। ମୁଁ ତ ଭିଡ ଭିତରେ ଠିଆ ହେଇ ଖରା ତେଜର କଷ୍ଟ ପାଇ ଟିକେ ଦର୍ଶନ କରିବାକୁ ଚାହୁଁଥିଲି।
ମୋଉସା ଦୁଃଖ କରୁଥିଲେ କି ବ୍ୟଙ୍ଗ କରୁଥିଲେ ସେଇ ବଡବଡ ବାବୁମାନଙ୍କୁ, ବଳରାମ ଠଉରାଇ ନପାରି ମନେ ମନେ ଭାବୁଥାନ୍ତି, ମୋଉସାଙ୍କ ଏଇ ପରିବା ତକ କିଏ ହେଲେ ନେଇଯାନ୍ତା, ସେ ରଥ ଗଡିବା ପର୍ଯ୍ୟନ୍ତ ଏଇଠି ଏସି ରୁମରେ ବସି ହେଲେ ଅଚିନ୍ତା ଦେଖିପାରନ୍ତା।
ମୁଁ ବାବୁ ଯାଉଛି, ମୋଉସାଙ୍କ ଡାକ ଶୁଣି ବଳରାମ ଭାବନାରୁ ବାହାରି ଆସି କହିଲେ ତମେ ଏଇ ବାବୁ ମାନଙ୍କୁ ଦେଖି ଠାକୁରଙ୍କ ଉପରେ ରାଗୁଛ କି !
- ନା, ନା, ରାଗିବି କାହିଁକି! ଯିଏ ଯାହାର ଭାଗ୍ଯକୁ ନେଇ ଜନ୍ମ ହେଇଛି। ମୁଁ କହିବାକୁ କିଏ !
- ମୁଁ କିନ୍ତୁ ଭାବୁଛି ମୋଉସା, ତମେ ସେମାନଙ୍କଠୁ ଅଧିକ ଭାଗ୍ୟବାନ୍।
ମୋଉସା ନିଜ ଭାଗ୍ଯକଥା ଶୁଣି ଚମକି ପଡି ତାଙ୍କୁ ଚାହିଁବାରୁ ବଳରାମ କହିଲେ, ଆଶ୍ଚର୍ଯ୍ୟ ହଉଛ କି! ସତ କହୁଛି, ତମଭଳି ଭାବର ଆବେଗ ଏମାନଙ୍କ ପାଖରେ କାହିଁ! ଠାକୁରଙ୍କ ପାଇଁ ବୁନ୍ଦେ ଅଶ୍ରୁ କା'ର ଅଛି। ତମ ଆଖିକୁ ଦେଖ, ଲୁହର ନିର୍ଗମନ ପଥ ଯେମିତି ବନ୍ଦ ହେଉନାହିଁ। ତମ ଅଙ୍ଗର ରୋମକୁ ଦେଖ, କେମିତି ପ୍ରଭୁ ଚିନ୍ତନର ଶିହରଣରେ ଠିଆ ହେଇ ଯାଇଛି। ଏସବୁ ତ ଦୈବ ଲକ୍ଷଣ, କେବଳ ଭକ୍ତଠାରେ ହିଁ ଥାଏ।
ମୋଉସା ବଳରାମଙ୍କୁ ଆଶ୍ଚର୍ଯ୍ୟରେ ଅନାଇ ଭାବୁ ଥାନ୍ତି, ବାବୁ କଣ ମୋତେ ପରିହାସ କରୁଛନ୍ତି !
- କଣ ହେଲା, ପୁଣି ଏମିତି ଆଶ୍ଚର୍ଯ୍ୟରେ ମୋତେ ଚାହିଁ ରହିଛ ଯେ! ମୋଉସା।
ମୋଉସା ସାମାନ୍ଯ ହସିଦେଇ କହିଲେ, ମୁଁ ପୁଣି ତାଙ୍କ ଭକ୍ତ ବୋଲାଇବାର ଦୁଃସାହସ କରିବି। ନା, ବାବୁ, କେତେ ଜନ୍ମ ଲାଗିଯିବ ଭକ୍ତ ହେବା ପାଇଁ। ମୋ କର୍ମରେ ମୋର ସବୁ ବନ୍ଧା, ସେଥିରେ ମନନ ସେଥିରେ ଚିନ୍ତନ, ସେଥିରେ ସ୍ମରଣ। ଭକ୍ତ ହେବା କୁ ଗୁହାରି କରିବି କେତେବେଳେ !
ବଳରାମଙ୍କ ପାଟିରୁ ସ୍ଵତଃ ବାହାରି ପଡିଲା -
କର୍ମଣି ଅକର୍ମ ଯଃ ପଶ୍ୟେଦକର୍ମଣି ଚ କର୍ମଯଃ
ସ ବୁଦ୍ଧିମାନ ମନୁଷ୍ଯେଷୁ ସ ଯୁକ୍ତଃ କୃଷ୍ଣକର୍ମକୃତ।
ମୋଉସା କିଛି ବୁଝି ନପାରି ଚାହିଁବାରୁ ବଳରାମ କହିଲେ, ଶୁଣ -ଏହା ଭଗବତ୍ ଗୀତାର ଶ୍ଳୋକ।
ଯିଏ କର୍ମରେ ଅକର୍ମ ଏବଂ ଅକର୍ମରେ କର୍ମ ଦେଖି ପାରେ ସେ ସମାଜରେ ବୁଦ୍ଧିମାନ କାରଣ ସେ କର୍ମ କରି ମଧ୍ଯ କର୍ମାସକ୍ତ ହୋଇ ନଥାଏ, ଦିବ୍ୟସ୍ତରରେ ଅବସ୍ଥାନ ସେ କରୁଥାଏ। ବୁଝି ପାରୁଛ ମୋଉସା !
ଯିଏ କୃଷ୍ଣ ଚେତନାରେ କର୍ମ କରୁଥାଏ, କୃଷ୍ଣ କଥା ମନରେ ଭାବି ଭାବି କର୍ମରେ ଥାଏ, ତାର ଏଇସବୁ କର୍ମ କେବଳ ଆମ ସ୍ଥୁଳଚକ୍ଷୁ ଦେଖିବା ପାଇଁ, ତା 'କର୍ମ ଆମ ଚିନ୍ତା ଧାରାରୁ ଅପରିକଳ୍ପିତ। ସେ ତା' କର୍ମର ସୁଫଳ କୁଫଳରୁ ମୁକ୍ତ କାରଣ ତା'କର୍ମ ତା ଭଗବତ ଚିନ୍ତାରେ ଥାଏ ଯୋଉଠି ଫଳ କେବଳ ଈଶ୍ବରାନୁଭୂତି ଏବଂ ଈଶ୍ବରଙ୍କ ପ୍ରେମର ଅନୁଭବ।
ତମେ ସେ ଦୃଷ୍ଟିରୁ ଅନେକ ଉତ୍କୃଷ୍ଟ। ମଣିଷର ଧନ ଓ ମର୍ଯ୍ୟାଦା ତାଙ୍କୁ ସୁବିଧା ଦେଇପାରେ କିନ୍ତୁ ତମ ଅମୂଲ୍ଯ ଭାବର ଆବେଗ ସେମାନେ ପାଇବେ କୋଉଠୁ ! ଏହାତ ସ୍ଵତଃ କେହି କ୍ରୟ କରିପାରନ୍ତି ନାହିଁ। ଯାହାର ଯେତେ ଭକ୍ତି ତାର ସେତେ ଆବେଗ।
ତମର ତ କିଛି କାମନା ନାହିଁ ସବୁ ଚିନ୍ତା ସେଇ ଠାକୁରଙ୍କ ଠାରେ। ଯାହାଙ୍କ ସମସ୍ତ କର୍ମ ଇନ୍ଦ୍ରିୟ ତୃପ୍ତି କାମନାରୁ ମୁକ୍ତ ସେ ସଦାବେଳେ ଅନ୍ୟଙ୍କ ଠାରୁ ସ୍ଵତନ୍ତ୍ର କାରଣ କାଳିଆ ତାଙ୍କୁ ହିଁ ଦେଖିବାକୁ ସଦାବେଳେ ଆତୁର ଆମେ ଅନ୍ୟମାନେ ଯାହା ରଥାରୂଢ ଠାକୁରଙ୍କ ଦର୍ଶନରେ ଆଗ୍ରହ। ତମେ ସିନା କାଳିଆକୁ ଦେଖିପାରୁନ ତମକୁ ଦେଖିବାକୁ କାଳିଆ କିନ୍ତୁ ଆତୁର ଥିବ। ଜ୍ଞାନୀଭକ୍ତ ସବୁ ଜାଣି ଥାଏ ବୋଲି ନୀରବରେ ନାମ ନଉଥାଏ, ଅଜ୍ଞାନୀ ଭକ୍ତ ନଜାଣି ପ୍ରଭୁଙ୍କ ଚିନ୍ତାରେ ଲୁହ ଗଡାଉ ଥାଏ, ଯାହା ତୁମେ କରୁଛ। ଉଭୟ ଭକ୍ତ ଭାଗ୍ଯବାନ୍।
ଟିଭି ପରଦାରୁ ଏତିକିବେଳେ ଘୋଷକଙ୍କ ଗମ୍ଭୀର ବାଣୀରେ ଶୁଣାଗଲା -
ଯସ୍ୟ ସର୍ବେ ସମାରମ୍ଭାଃ କାମସଙ୍କଳ୍ପବର୍ଜିତାଃ
ଜ୍ଞାନାଗ୍ନି ଦଗ୍ଧ କର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ।
ମୋଉସା ବାହାରି ଚାଲି ଯାଉଥିଲେ। ବଳରାମ ଦେଖିଲେ ଟିକେ ଆଗରେ ମୋଉସାଙ୍କ ଠାରୁ କିଏ ଜଣେ ଅଟକାଇ ପରିବା କିଣୁଛି। ବଳରାମଙ୍କ ଆଖିରେ ତୃପ୍ତିର ଲୁହ ଭରି ଆସିଲା ।