ମୋ ଶେଷ କଥା
ମୋ ଶେଷ କଥା


ପାହାନ୍ତାରୁ ସେଠି ଚୌକିରେ ବସି କଣ ପଢୁଛ! ତମକୁ ଦେଖା ଯାଉଛି ତ ? ପ୍ରଶ୍ନ କଲେ ବିନି।
ବିଜନ କହିଲେ, ଠିକ କହିଲ, ଜହ୍ନ ଆଲୁଅରେ ପଢି ହେଉଥିବା ବହିର ଶବ୍ଦଗୁଡାକ ଆଜିକାଲି ଆନମନା ହେଇ ଯାଉଛନ୍ତି l
- ତମେ କାହିଁକି ପାହାନ୍ତା ପ୍ରହରରେ ପଢୁଛ କି! ଅପେକ୍ଷା କରୁନ ଦିନ ହେଲା ଯାଏଁ। ଯଦି ପଢି ପକେଇବା ପାଇଁ ଏତେ ବ୍ୟସ୍ତ ଲାଗୁଛି, ଲାଇଟ ଲଗଉନ, ସବୁ ଦିଶିବ, ଆନମନା କାହିଁକି ହେବେ।
ବିନିଙ୍କ କଡା ଆଭିମୁଖ୍ଯରେ ବିଜନଙ୍କ କହିବାର ଆଗ୍ରହ ସେତିକିରେ ରହିଯାଏ।
ବିଜନ କିନ୍ତୁ ଚୌକିରୁ ଉଠିବାର ଚେଷ୍ଟା ନକରି ନିରିଖେଇ ବହି ଭିତରକୁ ଚାହୁଁଥିଲେ, ଦୃଷ୍ଟିରୁ ଦୁରେଇ ଯାଉଥିଲେ ଶବ୍ଦଗୁଡିକ ଦୂର ଦିଗବଳୟ ଆଡେ l ଜାଣି ପାରିଲେ, ଲୁହର ନଈଟି ବହି ଚାଲିଛି କେତେବେଳୁ ଆକସ୍ମିକ ଭାବରେ ଆଖିରୂ l ଅତୀତର ସ୍ମୃତି ଗୁଡାକ ଶୁଖିଲା ପତ୍ର ଭଳି ଚାଲି ଯାଉଛି ଦୁରକୁ ଦୁରକୁ l ଶୂନ୍ୟତା ପ୍ରତି ଆସକ୍ତି ନଥିଲେ ବି ଶୂନ୍ୟତାରେ ଆବଦ୍ଧ ହେଇଯାଉଛନ୍ତି।
- କଣ ଭାବୁଛ! ମିନିକଥା କି ! ବିନି ପଚାରିଲେ।
ନାଇଁ କିଛି ନାହିଁ କହିବାରୁ ବିନି ଚା' କରିବାକୁ ଚାଲିଗଲେ।
ବିନିକୁ କହିଲେ କଣ ହେବ। ତାର ତର୍ଜମା ତା' ତୁଣୀରରୁ ଶର ନିକ୍ଷେପ ହେଲା ପରି ଏପରି ଭେଦିଯିବ ଯେ ସହଜରେ ଫେରିବ ନାହିଁ। ମିନି ସହିତ ଅଳ୍ପଦିନର ସମ୍ପର୍କକୁ ସେ ବା କାହୁଁ ବୁଝିବ।
ଗାଁ ସ୍କୁଲରୁ ପାଠ ଆରମ୍ଭ କରି ବିଜନ ଦିଲ୍ଲୀରେ ପହଞ୍ଚି ଯାଇଥିଲେ ପାଠର ଶେଷ ପର୍ଯ୍ୟାୟ ପାଇଁ।ତାପରେ ଚାକିରି, ତାପରେ ବାହାଘର। ସବୁକିଛି ଏତେ ଶିଘ୍ର ହେଇଗଲା ଯେ ଗାଁରେ ବିନି ସହିତ ବିତାଇଥିବା ଜୀବନର ମଧୁର ମୁହୂର୍ତ୍ତର ସ୍ମରଣ ରହିଲା ନାହିଁl ଗାଁ ପାଠପଢା ଭିତରେ ଯେଉଁ ସମ୍ପର୍କ ଧିରେ ଧିରେ ସଂଜ୍ଞା ଖୋଜୁଥିଲା ସେ ନିରୁଦ୍ଦିଷ୍ଟ ହେଇ ରହିଗଲା ଓ ସେ ପିତାଦେଶ ପାଳନ କରି ମିନିକୁ ବାହା ହେଇଗଲେ।
ବିଜନ ଓ ବିନି ଅସମ୍ପର୍କିତ ହେଇ ରହିଗଲେ। ଦୁଇଜଣଙ୍କ ମଧ୍ୟରେ ଏବେ ଯେମିତି ଆଉ କିଛି ସମ୍ବନ୍ଧ ନାହିଁ l ଗାଁରେ କେତେବେଳେ ଦେଖା ହେଲେ ଉଭୟେ କୃତ୍ରିମ ହସ ହସି ପରସ୍ପରକୁ ସ୍ୱାଗତ କରିବାର ପ୍ରୟାସ କରନ୍ତି। ଉଭୟଙ୍କୁ ସ୍ୱାଗତ ଅପ୍ରାକୃତିକ ଲାଗିଲେ ବି କୃତ୍ରିମ ହେବାର କାରଣ କେହି ଖୋଜିବାକୁ ଇଚ୍ଛା କରନ୍ତି ନାହିଁ।
ବିଜନ ଥରେ ବିନିକୁ ପଚାରିଲା, ବିନି ତମେ ଏ ପର୍ଯ୍ୟନ୍ତ ବିବାହ କାହିଁକି କଲ ନାହିଁ।
- ବିନି ହସିଦେଇ କହିଥିଲା, ଯୋଗ୍ଯ ପାତ୍ର କାହିଁ!
ଏମିତି କଣ କେବେ ହେଇପାରେ, ବିନି ପାଠ ପଢିଛି, ଦେଖିବାକୁ ସୁନ୍ଦର। ଯୋଗ୍ଯ ପାତ୍ର କଣ ମିଳିଲେ ନାହିଁ। ବିଜନ ମନ ଭିତରେ ଘାଣ୍ଟିହେଇ କହିଲା- ତମେ ମିଛ କହୁଛ, ତମ ପାଖରେ କଣ ଅଭାବ ଅଛି ଯେ ତମକୁ ମିଳିଲେ ନାହିଁ।
ବିନି ପ୍ରଶ୍ନକୁ ନ ଏଡ଼ାଇ କହିଲା- ଅଭାବଟା ସିନା ଦେଖିଲା ଲୋକ କହିବ, ମୁଁ କେମିତି କହିବି ! ମୋର ଶ୍ୟାମଳ ବର୍ଣ୍ଣ କାହାର କାରଣ ହେଇପାରେ ମୋର ପାଠ କାହାକୁ ଅସମ୍ପୂର୍ଣ୍ଣ ଲାଗିପାରେ। ୟା' ଛଡା କନ୍ୟାର ଗୁଣାତ୍ମକ ମାନ ଦେଖିବା ପାଇଁ ଆହୁରି କେତେ କଣ ଅଛି। ତମେ କଣ ଜାଣିନ ଯେ ମୁଁ କହିବି।
ବିଜନ ପାଟିରୁ ଉତ୍ତର ବାହାରିଲା ନାହିଁ, ସେ ତାକୁ ଲକ୍ଷ୍ଯ କରି ବ୍ୟଙ୍ଗ କରୁ ନାହିଁ ତ! ବିନି ଆଡକୁ ଚାହିଁଲା। ମୂଖ ମଣ୍ଡଳରେ ଭାବର କୌଣସି ପରିବର୍ତ୍ତନ ନାହିଁ। ସ୍ଵାଭାବିକ ଭାବରେ ଫୁଟୁଥିବା ସ୍ମିତ ହସ କୌଣସି ବ୍ୟଙ୍ଗ ଭାବକୁ ସୂଚନା ଦେଉ ନଥିଲା।
ବିଜନ ଶେଷ ପ୍ରଶ୍ନ ପଚାରିଲା- ବିନି ! ତମେ କଣ ସତରେ ବିବାହ କରିବନି।
- ମୁଁ ଏମିତି କେତେବେଳେ କହିଲି ? ତମେ ମୋତେ ପ୍ରଶ୍ନ ପଚାରି ଅଭିଆଡ଼ି ରହିବାର ସଂକଳ୍ପ କରାଉନ ତ!
ବିଜନ୍ ଲଜ୍ଜିତ ହେଇ କ୍ଷମା ମାଗି କହିଲା- ମୋର କହିବାରେ ଏଭଳି କୌଣସି ଉଦ୍ଦେଶ୍ଯ ନାହିଁ।
- ତମ ପ୍ରଶ୍ନରେ କଣ ଏଭଳି ଉଦ୍ଦେଶ୍ଯ ନାହିଁ ବୋଲି ଜଣା ପଡୁଛି କି ! ମନର ଭାବନାକୁ ପଢିବାର ସାମର୍ଥ୍ଯ ତମର ଯେତେବେଳେ ନାହିଁ, ଅନ୍ୟର ଅଛି ବୋଲି ଭାବିବା କଣ ଠିକ ହେବ। ପ୍ରଶ୍ନ କରୁଥିବା ବାକ୍ଯର ଶବ୍ଦରୁ ଯେତିକି ଅର୍ଥ ପ୍ରତିଫଳିତ ହେଉଥିବ, ଜଣେ କେବଳ ସେତିକି ବୁଝିବାକୁ ସମର୍ଥ ହେବ।
- ତମ କଥା ଶୁଣି ବିନି, ତମେ ସେଇ ବିନି ବୋଲି ମନେ ହେଉନ। ତମେ ଯେମିତି କିଛି କହିବା ପାଇଁ ଚାହୁଁଛ କିନ୍ତୁ ନକହି ଶବ୍ଦ ଜାଲରେ ନିଜକୁ ଲୁଚାଇ ଦେଉଛ। ମୁଁ ସତ କହୁଛି ଯେ ମୁଁ ଚାହେଁ ତମେ ବାହା ହେଇ ଘର ସଂସାର କର!
ବିନି ଜୋରରେ ହସି କହିଲା, ତମେ ତମ ଉକ୍ତିର ସାର୍ଟିଫିକେଟ କାହିଁକି ଦେଉଛ। ମୋ କଥାରେ ଅସତ୍ୟ ନଥାଇ ମଧ୍ଯ ତମେ ଯେମିତି ସନ୍ଦେହ କଲ ତମ କଥାରେ ସତ୍ଯତା ଥିଲେ ମଧ୍ଯ ଶୁଣିବା ଲୋକ କେମିତି ବିଶ୍ବାସ କରିବାକୁ ବାଧ୍ଯ ହେବ।
ଆଜିକାଲି ସରକାରୀ ବେସରକାରୀ ସବୁଠି ମୁଁ ସତ କହୁଛି ବୋଲି ସାର୍ଟିଫିକେଟ ଦେବାକୁ ପଡୁଛି। ସମସ୍ତେ ବି ଏହାର ବୈଧତା ଜାଣିଛନ୍ତି।
କେବଳ ଔପଚାରିକ କର୍ତ୍ତବ୍ଯ ଦୃଷ୍ଟିରୁ କରୁଛନ୍ତି।
- ମୋ କଥାରେ କିନ୍ତୁ ଔପଚାରିକତା ନାହିଁ। ତମେ ବିଶ୍ବାସ କର।
- ଠିକ ଅଛି, ବିଶ୍ବାସ କଲି। ଆଗରୁ ବି ତମକୁ ବିଶ୍ବାସ କରିଥିଲି। କଣ କରି ନଥିଲି ! ବିଶ୍ବାସ କଲେ କଣ ପ୍ରତିବିଶ୍ୱାସ ଆସିବାର ସମ୍ଭାବନା ଅଛି!
ବିନିର ପ୍ରଶ୍ନରେ ବିଜନ ନିଜକୁ ଅପଦସ୍ତ ହେଲା ପରି ମନେକଲା। ହଠାତ ବାଟଭାଙ୍ଗି ଯିବାକୁ ମଧ୍ଯ କୌଣସି ବାହାନା ନଥିଲା, ଅର୍ଥାତ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଚାଲି ଚାଲି କଥାର ବୋଝକୁ ବୋହିବାକୁ ପଡିବ। ବିଜନ କଥା ବଦଳାଇବାକୁ ଚେଷ୍ଟା କରି କହିଲା, ଗାଁ ଆଗ ଅପେକ୍ଷା ବଦଳି ଯାଇଛି। ରାସ୍ତା ପିଚୁ ପଡି ଚିକ୍କଣ ଦିଶୁଛି। ଏଇ ଆମ୍ବତୋଟା ବି କେତେ ପରିସ୍କାର ଦିଶୁଛି।
ବିନି କହିଲା, ସେପଟେ ଥିବା ପୋଖରୀଟା ବି ପରିସ୍କାର ହେଇ ଯାଇଛି। ସେତେବେଳେ ଯତ୍ନ କେହି ନେଉ ନଥିଲେ। ଏବେ ଏସବୁର ଯତ୍ନ ମୁଁ ନେଉଛି। କର୍ମରେ ପ୍ରତିରୋଧ ପ୍ରତିବାଦ ଓ ପ୍ରତିକ୍ଷେପ ଯଦି ନାହିଁ, ତାହାଲେ ପ୍ରକୃତି ମଧ୍ଯ କର୍ମକୁ ଉତ୍ସାହିତ କରେ। ଅନୁତ୍ସାହିତ କର୍ମରେ ପ୍ରକୃତି ମଧ୍ଯ ସହଯୋଗ କରେନାହିଁ।
ଫଗୁଣ ଆସିଲା କହି ଫଗୁରେ ଫଗୁ ବୋଳିଦେଲେ କଣ ପାରସ୍ପରିକ ପ୍ରେମ ବଢିଯାଏ। ଭଅଁର ବୀଣା ବଜାଇ ଦେଲେ କଣ ଆପେ ସ୍ୱାଗତ ହେଇଯାଏ। ସବୁ ସମ୍ଭାବନାକୁ ସମର୍ଥ କରିବା ପାଇଁ ସଂଯୋଗ ଓ ନିଯୋଗର ଆବଶ୍ୟକତା ରହିଛି।
ବିଜନକୁ ଅନାଇ ବିନି କହିଲା, ଗାଁ ମୁଣ୍ଡ ଆସିଲାଣି ତମେ ମୋଠାରୁ ମୁକ୍ତି ପାଇବାକୁ ବ୍ୟସ୍ତ ହେଉଥିବ। ହୋଉ ଯାଅ, କହି ବିନି ଉତ୍ତରକୁ ଅପେକ୍ଷା ନକରି ଘରମୁହାଁ ଆଗେଇ ଚାଲିଲା।
ବିଜନ ମୁକ୍ତି ପାଇଲା ପରି ନିଃଶ୍ବାସ ମାରିଲା। ବିନି ର ଶବ୍ଦଗୁଡିକ ତାକୁ କେତେ ଅଣନିଶ୍ଵାସୀ କରି ପକାଉଥିଲା ! ଶବ୍ଦରେ ଆକ୍ରୋଶ ନଥାଇ ମଧ୍ଯ ବିନି କଥାଗୁଡାକ ଆକ୍ରମଣାତ୍ମକ ପରି ଲାଗୁଥିଲା। ସେ କଣ ତାର ପୁଞ୍ଜିଭୂତ ଭାବନାକୁ ପରିପ୍ରକାଶ କରୁଥିଲା ! ଯାହା ବି ହେଉ ବିନିର କଥାରେ ଜ୍ଞାନ ଓ ଶାଳୀନତାର ଅପୂର୍ବ ମିଶ୍ରଣ ଥିଲା ପରି ମନେ ହେଉଥିଲା। ଏତେ ନିବିଡ଼ତାରେ ଗୋଟିଏ ଝିଅ କେବଳ ତାର ଅନ୍ତରଙ୍ଗ ସାଥିକୁ କହିପାରେ। କିନ୍ତୁ ଆମ ନିବିଡତା ସ୍କୁଲ ଛାଡିଲା ପରଠାରୁ ଗଲାଣି। ନା, ମୁଁ ଯାହା ଭାବୁଛି, ତା କେବେ ସତ୍ଯ ହେଇ ନପାରେ! ମିନି ସହିତ ମୋ ବାହାଘର କଣ ବିନିର ଦୁଃଖ ! ମୁଁ ତ କେବେ ବିନିକୁ ଭଲପାଏ ବୋଲି କହିନି।
ମୋର ମିନି ସହ ବାହାଘର ଠିକ ହେଲାବେଳେ ବାପା ବିନିର ପରିବାରକୁ ବି କହିଥିଲେ। ତାଙ୍କର ଇଚ୍ଛା ଥିଲେ କଣ ଏ ବିଷୟରେ କହିନଥାନ୍ତେ। ନା, ସେ ଅଯଥାରେ ଭାବୁଛି !
ମିନି ଆଜି ବାପଘରୁ ଏକୁଟିଆ ଫେରୁଛି। ଆସିବା ବେଳ ହେଉଥିବାରୁ ଫୋନ ଲଗେଇଲା। ଫୋନ୍ ସୁଇଚ ଅଫ୍ କହିବାରୁ ମନର ଆଶଙ୍କା ଗୋଡ ଦୁଇଟାକୁ ଶିଘ୍ର ଶିଘ୍ର ଘରଆଡେ ଟାଣିନେଲା। ଘର ଆଗରେ କାରଟେ ଆସି ହଠାତ୍ ଲାଗିଯିବାରୁ ମିନି ପହଞ୍ଚିଲା ଭାବି ନିଶ୍ଚିନ୍ତ ହେଲା। ଘରୁ ଅନ୍ୟମାନେ ବାହାରି ଆସିଲେ ମିନିକୁ ପାଛୋଟି ନେବାପାଇଁ। ମିନିପଟ ଦ୍ବାର କିନ୍ତୁ ଖୋଲୁ ନଥାଏ। ଡ୍ରାଇଭର ନିଜେ ଆସି ଦ୍ବାର ଖୋଲି ଡାକିଲା। ବିଜନ କାର ପାଖର ପହଞ୍ଚି ସାରିଥାଏ। ନିଜେ ମିନିର ହାତ ହଲାଇ ଡାକିବାରୁ ମିନି ସେଠି ଟଳି ପଡିଲା। ଅବସ୍ଥା ଦେଖି ବିଜନ ଚେତା ହରାଇ ପଡିଗଲା।
ସେଇଦିନରୁ ନିଃସଙ୍ଗତାକୁ ସଙ୍ଗ କରି ଶୂନ୍ୟତା ଭିତରେ କାହାକୁ ଯେମିତି ଖୋଜି ଚାଲିଥିଲା ବିଜନ। ମିନିର ପ୍ରଥମ ବର୍ଷ ଶ୍ରାଦ୍ଧ ପରେ ଦିନେ ତା' ବ୍ୟାଗ ଭିତରୁ ଚିଠିଟିଏ ପାଇ ଖୋଲି ଦେଖିଲା, ଉପରେ ଲେଖାଅଛି, ବିଜନ! ତମପାଇଁ ମୋ ଶେଷକଥା। ତରତର ହେଇ ସେ ପଢିବାକୁ ଲାଗିଲା - ମୋ କ୍ୟାନସର ଶେଷ ଅବସ୍ଥାରେ ଅଛି ଜଣା ପଡିବାରୁ ମୁଁ ତମଠାରୁ ଏ କଥା ଲୁଚାଇ ରଖିଥିଲି। କାଲି ଜାଣିବାକୁ ପାଇଲି, ବିନି ତମକୁ କୁଆଡେ ବହୁତ ଭଲପାଏ। ତେଣୁ କାଲିଠାରୁ ମୁଁ ଭଗବାନଙ୍କୁ ଡାକୁଛି ମୋର ଏ ଅଲୋଡା ଜୀବନ ତାଙ୍କ ପାଖକୁ ଜଲଦି ନେଇଯିବା ପାଇଁ। ଯିବା ପୂର୍ବରୁ କାହା ମନରେ ଟିକିଏ ଖୁସି ଦେଇ ପାରିଲେ ମୋ ଆତ୍ମା ଶାନ୍ତି ପାଇ ପାରିବ। ମୋର ଯନ୍ତ୍ରଣା ଆରମ୍ଭ ହେଇଗଲାଣି, ମୁଁ ଘରେ ପହଞ୍ଚିଲା ପର୍ଯ୍ୟନ୍ତ ବୋଧେ ଆଉ ବଞ୍ଚି ନଥିବି। ତମେ ବିନିକୁ ନିଜର କରିନେବ। ମୋ ଶେଷକଥା, ମନାକରିବନି ପ୍ଲିଜ।
ଅକୁହା ବେଦନା ଯେତେବେଳେ ଶାନ୍ତ ହୁଏନାହିଁ ସେତେବେଳେ ଆଖିର ଲୁହ ହୋଇ ବୋହିଆସେ।
ବିନି ଚାହାକପ ଧରି ପହଞ୍ଚି ଯାଇଥିଲେ। ବିଜନଙ୍କ ସଜ୍ଜଳ ଆଖିକୁ ଦେଖି କହିଲେ, ବହି ଭିତରେ ସେ ଚିଠିକୁ ଲୁଚାଇ ଆଉ କେତେ ପଢିବ। ମୁଁ ସେଇ ଚିଠିକୁ ଏଥର ଫ୍ରେମ କରିଦେବି ଯେ ଲୁଚେଇ ପଢିବାର ଆବଶ୍ୟକତା ରହିବ ନାହିଁ। ସତ୍ୟଠାରୁ ଯେତେ ଦୂରକୁ ଯିବ ଆନନ୍ଦର ଅନୁଭବ ସେତେ କମି କମି ଯିବ। ତମର ସେ ଚିଠି ପଢିବାରେ ମୁଁ କଣ କେବେ ଅନ୍ତରାୟ ହେଇଛି।
ତମେ ସିନା ଅନ୍ତରାୟ ହେଇନ, ତମ ଶବ୍ଦ ବାଣ ମୋତେ ଭୟଭୀତ କରାଇ ଦିଏ। ହସିହସି ବିଜନ କହୁକହୁ ବିନିକୁ ପାଖକୁ ଭିଡି ଆଣିଲେ।