Prasanta kumar Hota

Others

3.4  

Prasanta kumar Hota

Others

ସାମାନ୍ଯ ଫୁଲ ପାଇଁ

ସାମାନ୍ଯ ଫୁଲ ପାଇଁ

7 mins
392



ଜୀବାନନ୍ଦ ନିଜ ବାଡିରେ ଲଗାଇଥିବା ନାନା କିସମର ଫୁଲ ସବୁକୁ ଉଜୁଡି ଯାଇ ଥିବାର ଦେଖି ଅତ୍ୟନ୍ତ ଉତ୍ତ୍ଯକ୍ତ ହେଇ ପଡୁଥିଲେ। କଲୋନୀ ମଝିରେ ଠିଆ ହେଇ ସମସ୍ତଙ୍କୁ ଲକ୍ଷ୍ଯ କରି ନିଜ ପୀଡାକୁ ପରାହତ କରି କହୁଥିଲେ, ଏ କାମ ଯିଏ ବି କରିଛି ଭଲ କରିନି। ଗଛରୁ ଫୁଲ ଏମିତି କିଏ ନଣ୍ଡା କରେ! ତା ବୋପା ବୁନିଆଦି ଚୋର କି କଣ!


ଏତେବଡ କଲୋନୀରେ ଆମେସବୁ ମିଳିମିଶି ରହୁଛେ, କାହା ଆଖିରେ କେମିତି ଏସବୁ ଦେଖା ଗଲାନି। ଯିଏ କରିଛି କେତେ ଚାଲାକ୍ କେତେବଡ ଚୋର! ଆମକୁ ଆମ ଘର ପ୍ରତି ସାବଧାନ ଏଥର ରହିବାକୁ ପଡିବ। ଘର ଭିତରେ କେତେବେଳେ ଯେ କଳାକନା ବୁଲିଯିବ କିଏ କହିବ। ପରସ୍ପର ପ୍ରତି ଆମ ଅନୁକମ୍ପା ଥିଲେ ଏସବୁ ହୁଅନ୍ତା ନାହିଁ। ଆମେ ଭାବୁଛୁ, ଯାହାର ଯାହା ହେଉଛି ହେଉ, ମୋର ତ ହେଉନି। ଏଇ ନୀତିରେ ଚାଲିଲେ ସମସ୍ତଙ୍କର ମଧ୍ଯ ମୋ ପରି ଦିନେ ଦିନ ଆସିବ। ସେତେବେଳେ କିଏ କେତେ ମୁହଁ ଲୁଚାଇ ରହିବ ଦେଖିବା।

କିଛି ଲୋକ ସାନ୍ତ୍ୱନା ଦେବା ଅଭିପ୍ରାୟରେ ପାଖକୁ ଆସି ପ୍ରୟାସ କରୁଥାନ୍ତି କିନ୍ତୁ ଜୀବାନନ୍ଦ ଙ୍କ କ୍ଷୋଭ କମ କରିବାକୁ କେହି ସଫଳ ହେଇପାରୁ ନଥାନ୍ତି।

ପାଖରେ ଠିଆହେଇ ଏସବୁ ଲକ୍ଷ୍ଯ କରୁଥିଲେ ଦର୍ଶନ ଶାସ୍ତ୍ର ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ହରି ନାରାୟଣ ଚୌଧୁରୀ। ସେ ଜୀବାନନ୍ଦଙ୍କ ଅତି ନିକଟକୁ ଆସି କହିଲେ, ନିଜେ ଆପଣ ଗଛରେ ପାଣି ଦେଇ ବଢେଇଛନ୍ତି ବୋଲି କଷ୍ଟ ହେଉଛି ନଚେତ୍ ଆମେ ଯାହା ଦେଖୁଛୁ ସବୁ ମାୟା ବୋଲି ଭାବିଲେ ଆପଣଙ୍କ ଗ୍ଲାନି ଆଉ ରହିବ ନାହିଁ। 

ଜୀବାନନ୍ଦଙ୍କୁ ହଠାତ ଏମିତି ଅଯାଚିତ ଉପଦେଶ ଅରୁଚିକର ଲାଗିଲା। ସେ ତାଙ୍କର ଯତକିଞ୍ଚିତ୍ ବୁଦ୍ଧି ପ୍ରୟୋଗ କରି କହିଲେ, ଓଃ! ଏମିତି କଥା! ଆମେ ଯାହା ଦେଖୁଛୁ ଶୁଣୁଛୁ ଓ ଚିନ୍ତା କରୁଛୁ ସବୁ ମାୟା ତେବେ କଣଟା' ମାୟା ନୁହେଁ ! ଭଲ କଣ ଓ ମନ୍ଦ କଣ? କଣ ଗ୍ରହଣୀୟ ଓ କଣ ନୁହେଁ ଦୟାକରି ମୋତେ ପ୍ରାଞ୍ଜଳ ଭାବେ ବୁଝାଇବା ହୁଅନ୍ତୁ ।


ଜୀବାନନ୍ଦ ଙ୍କ କଥାରେ ବ୍ୟଙ୍ଗର ଛାପ ଥିଲେ ମଧ୍ଯ ହରିବାବୁ ହସି ହସି କହିଲେ- ନିଶ୍ଚୟ ! କିନ୍ତୁ ଜାଣି ରଖ ପ୍ରଥମରୁ ଯେ, ଆମର ଭଲ ମନ୍ଦ ଭାବନା ହିଁ ଭ୍ରମାତ୍ମକ, ତେଣୁ କହିବି କଣ ! ଦୋଷ ଗୁଣ ଆଦି ବିଚାର ମନକୁ ଆସିଲେ, ଠିକ କଣ ଭୁଲ କଣ ଭାବନା ମନକୁ ଆସେ। ଯିଏ ଫୁଲ ନେଲା ନେଲା, ସେ ପ୍ରଭୁଙ୍କ ଉଦ୍ଦେଶ୍ଯରେ ନେଇଛି ବୋଲି ଭାବି ଭୁଲି ଯାଆନ୍ତୁ।


- ଭୁଲିଯିବି କେମିତି। ଆପଣ କେବେ କଣ ନିଜ ଜୀବନରେ ଭୁଲିଛନ୍ତି। ଯଦି ଭୁଲିଛନ୍ତି ଆପଣ ମୋ ପରି ନିଜ ହାତରେ କେବେ ଗଢି ନଥିବେ। କହିବା ବହୁତ ସହଜ ବୁଝିଲେ। ସଂସାରରେ ଭେଦଭାବ ମିଛ ମାୟା ସମସ୍ତଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖା ଯାଏ। କାହାକୁ ଦେଖାଯାଏ ନାହିଁ ବୋଲି କେହି କହି ପାରିବେ ନାହିଁ। ସଂସାରରେ ଏପରି କିଛି ନାହିଁ ଯେଉଁଠି ଏହି ଭେଦଭାବ ନାହିଁ। ସମତା ଦୃଷ୍ଟିରେ ଦେଖିବା ଏକ କଳ୍ପନା ମାତ୍ର। ସର୍ବତ୍ର କିଛି ନା କିଛି ଭେଦଭାବ ପରିଲକ୍ଷିତ ହୁଏ। ତେଣୁ ବିନା ଭେଦଭାବର ବିଚାର ଆସିବ କେମିତି! ଭେଦଭାବ ମନରୁ ଦୂର କରିବା କଣ ସମ୍ଭବ। ଏଠି କିଏ ଭଲ ତ କିଏ ମନ୍ଦ ଚିହ୍ନିବା ଜରୁରୀ। ମନ୍ଦକୁ ଟାଣି ସର୍ବ ସମ୍ମୁଖକୁ ନଆଣିଲେ ଭଲ ଦୂର୍ବଳ ହେଇ ରହିଯିବ।


ହରି ପୁଣି କହିଲେ- ଆପଣ ଠିକ କହୁଛନ୍ତି ହେଲେ

ଏ ପ୍ରକାର ଭାବନାକୁ ସ୍ଥୁଳତଃ ଠିକ କହିଲେ ବି ଏସବୁ ଭ୍ରମାତ୍ମକ ବୋଲି ଜାଣ। ସମସ୍ତଙ୍କ ଦେହ ରେ ରକ୍ତ, ଅସ୍ଥି, ମାଂସ, ମେଦ, ଶୁକ୍ର ଆଦି ଯାହା ଅଛି ସବୁ ଏକ ପ୍ରକାରର। ଯେତେ ପ୍ରକାର ବସ୍ତୁ ଦେଖୁଛ ସେ ସମସ୍ତ ସେଇ ଏକ ପଞ୍ଚଭୂତରୁ ସୃଷ୍ଟି। ତେଣୁ ଚିତ୍ତ ଓ ଇନ୍ଦ୍ରିୟକୁ ସଂଯତ କରି ସମ୍ପୂର୍ଣ୍ଣ ଜଗତକୁ ଆତ୍ମା ମଧ୍ଯରେ ଦେଖିଲେ ଜାଣି ପାରିବ, କୋଉଥିରେ କିଛି ଭିନ୍ନତା ନାହିଁ। ସବୁଠି ସମତା ବିଦ୍ୟମାନ କାରଣ ଏ ସମସ୍ତ ଆତ୍ମା ମଧ୍ଯରେ ହିଁ ସ୍ଥିତ।

- ଆପଣ ମୋତେ ଏସବୁ କାହିଁକି କହୁଛନ୍ତି। ଏ ଜ୍ଞାନ ଆପଣଙ୍କ ପାଖରେ ରଖନ୍ତୁ। ନଚେତ୍ "ଓ ମାଇ ଗଡ୍" ସିନେମାରେ ପରେଶ ରାଓଲ୍ ଚାପୁଡା ମାରି ମୁଁ ମାରିନି ଭଗବାନ ମାରିଛନ୍ତି କହିଲା ପରି ଅବସ୍ଥା ସୃଷ୍ଟି ହେବ। କାରଣ ମୁଁ ମାରିବା ଭଗବାନ ମାରିବା ସବୁ ଏକ ପ୍ରକାରର। 

- ଆପଣ ରାଗି ଯାଉଛନ୍ତି ଜୀବାନନ୍ଦ ବାବୁ। ଚାପୁଡା ମାରିବା ଅର୍ଥ ନିଜ ବଳ କଷାକଷି ହେବା। ଯାହାର ଅଧିକ ବଳ ତାର ପକ୍ଷ ଅଧିକ ରହିବ ଓ ନିର୍ବଳ ପୁଣି ପୀଡା ପାଇବ। ଏହା ଭଗବାନ ଅବା ଆଉ କେହି ମାରନ୍ତୁ। 

- ତାହାଲେ ଆପଣ କଣ କହିବାକୁ ଚାହାନ୍ତି !

- ମୁଁ ! ହରି ବାବୁ ଆହୁରି ଉତ୍ସାହିତ ହେଇ କହିଲେ ଯେପରି ପୁଷ୍ପରେ ଥିବା ରଙ୍ଗ ସୂର୍ଯ୍ୟଙ୍କର, ସେପରି ସବୁକିଛି ଆତ୍ମାର ଅବଦାନ। ସୂର୍ଯ୍ୟ ନଥିଲେ ସବୁ ପ୍ରକାର ରଙ୍ଗ ଏକା ହେଲା ଭଳି ଦୃଶ୍ଯମାନ ହୁଏ କି ନାହିଁ କୁହନ୍ତୁ ! ତେଣୁ ପଦାର୍ଥ ରେ ଭେଦଭାବ ରହିବା ଉଚିତ ନୁହେଁ। ଫୁଲ ଯିଏ ନେଇଗଲା ନେଇଗଲା, କର୍ତ୍ତବ୍ଯ ଦୃଷ୍ଟିରୁ ଧରିବାର ପ୍ରୟାସ କରିବା। ତା' ପାଇଁ ଆମେ ନିଜ ବିପି ବଢେଇବାର ଆବଶ୍ୟକତା ନାହିଁ।

ଆମେ ଆତ୍ମା ଠାରୁ ଅନ୍ୟକୁ ପୃଥକ ଭାବୁଛୁ ବୋଲି ଭେଦଭାବ ସୃଷ୍ଟି ହେଉଛି। ସବୁ କିଛିକୁ ଆତ୍ମା ମଧ୍ଯ ରେ ଓ ଆତ୍ମାକୁ ପରମାତ୍ମାଙ୍କ ମଧ୍ଯରେ ଦେଖି ପାରିଲେ କୌଣସି ମାୟା ବା ଭେଦଭାବ ଆସିବ ନାହିଁ।

ଜୀବାନନ୍ଦ କଥାରେ ବାଧା ଦେଇ କିଛି କହିବାକୁ ଯାଉଥିଲେ, ହରିବାବୁ ତୁରନ୍ତ କଥାକୁ ଭିଡି ଆଣି କହିଲେ - ଜୀବାନନ୍ଦ ବାବୁ! ଅଳଙ୍କାର କୁ ସୁବର୍ଣ୍ଣ ମଧ୍ଯରେ ଓ ସୁବର୍ଣ୍ଣକୁ ପୃଥିବୀ ମଧ୍ଯରେ ଥରେ ଦେଖ। କାଞ୍ଚନ ମୃତ୍ତିକାର ଏକ ବିକାର କିନ୍ତୁ ସୁବର୍ଣ୍ଣ ଠାରୁ ଭିନ୍ନ ଅର୍ଥାତ୍ ଉଭୟେ ସମାନ ଜଣା ପଡୁ ନଥିଲେ ମଧ୍ଯ ସମାନ। ଏହା କେବଳ ସ୍ଥୁଳ ଦୃଷ୍ଟି ଓ ସୂକ୍ଷ୍ମ ଦୃଷ୍ଟିର ବିଚାର। ଆତ୍ମା ରେ ସବୁକିଛି ଦେଖିବା ଓ ଆତ୍ମାକୁ ପରମାତ୍ମାଙ୍କ ମଧ୍ଯରେ ଦେଖିବା ହେଉଛି ଆଧ୍ୟାତ୍ମିକ ବିଜ୍ଞାନ। ସେଇ ସମତାର ଭାବ ଆସିଲେ ଆମେ ଆଉ ଉତକ୍ଷିପ୍ତ ହେବା ନାହିଁ। ଯେତେବେଳେ ବାହ୍ୟିକ ଜ୍ଞାନ ଆଧ୍ୟାତ୍ମିକ ବିଜ୍ଞାନ ଯୁକ୍ତ ହେବ ସେତେବେଳେ ସମସ୍ତ ପ୍ରାଣୀ ଜଗତ ଆତ୍ମବତ୍ ମନେହେବ।

ଆତ୍ମାନୁଭୂତି ପରେ ବିଷୟଜନିତ ବିଘ୍ନ ଆଉ ଜଣା ପଡେ ନାହିଁ। କାରଣ ସେତେବେଳେ କର୍ତ୍ତବ୍ଯ ଅକର୍ତ୍ତବ୍ୟ, ବିଧି ଅବିଧିରେ ଥିବା ଭେଦଭାବ ଜ୍ଞାନ ରହେନାହିଁ। ଯାହାର ଜ୍ଞାନ ବିଜ୍ଞାନ ଯୁକ୍ତ ଆତ୍ମବତ୍ ଚିନ୍ତାଶୀଳ ତାର କିଛି ବନ୍ଧନ କିମ୍ବା କାହା ପ୍ରତି ମଳିନତା ରହେ ନାହିଁ।

- ମୁଁ ପୁଣି ଆପଣଙ୍କୁ ପଚାରୁଛି, ମୋତେ ଏସବୁ କଣ ପାଇଁ ଶୁଣାଉଛନ୍ତି। ଯାହା ମୋର ଶୁଣିବାର ଆଗ୍ରହ ନାହିଁ ତାକୁ ବାଧ୍ଯ କରି ଶୁଣାଇବାରେ ଆପଣଙ୍କର କଣ କିଛି ସ୍ବାର୍ଥ ଅଛି କି ! ସାମାନ୍ଯ ରୋଷଭରା କଣ୍ଠରେ ଜୀବାନନ୍ଦ କହିଲେ।

- ହଁ ଅଛି ! ମୁଁ ଚାହୁଁଛି ଆପଣ ଶାନ୍ତ ପଡି ଯାଆନ୍ତୁ।

ଇନ୍ଦ୍ରିୟର ଅଧିନ ଆମେ ଥିବାରୁ ବିଷୟଜନିତ ସୁଖ କୁ ସୁଖ ବୋଲି ମନେକରୁ। ଭୋଗସାମଗ୍ରି ଯେତେ ପ୍ରଚୁର ମାତ୍ରାରେ ମିଳିବ ଆମେ ସେତେ ସୁଖୀ ହେଇପାରିବା ବୋଲି ଏକ ମିଥ୍ୟା ଧାରଣା ରହିଛି। ଏ ଫୁଲ କେବେ ଆପଣଙ୍କ ସୁଖର କାରଣ ନୁହେଁ। ଫୁଲ ସଂସାରରେ ଏକ ବିଷୟ ମାତ୍ର। ଆମ ସୁଖ ବିଷୟର ଗ୍ରହଣରେ ନୁହେଁ ବିଷୟର ତ୍ଯାଗରେ ହିଁ ଥାଏ। ଆଶା ଅପେକ୍ଷା ଆଶାର ପରିତ୍ଯାଗ ରେ ସୁଖ ମିଳେ। 

- ତାହାଲେ ଆପଣଙ୍କ ଘରୁ ଚୋରି ହେଲେ ଆପଣ ଦୁଃଖୀ ହେବେ ନାହିଁ।

- କାହିଁକି ଦୁଃଖୀ ହେବି ନାହିଁ। ଯୋଗକ୍ଷେମର କଥା ଆସିଲେ ଦୁଃଖୀ ହେବା ତ ସ୍ୱାଭାବିକ। ଦୁଃଖ ଲାଗିବ ହିଁ ଲାଗିବ କିନ୍ତୁ ମ୍ରିୟମାଣ ହେବି ନାହିଁ। କିନ୍ତୁ ଯୋଗକ୍ଷେମର ଦାୟିତ୍ବ ପ୍ରଭୁ ନିଜେ ନେଇଛନ୍ତି ହୃଦବୋଧ ହେଲେ ସେ ଦୁଃଖ ବି ଆଉ ରହେ ନାହିଁ। ଗୀତାର ବାଣୀ ମନେ ପକାନ୍ତୁ -:

ଅନନ୍ୟାଶ୍ଚିନ୍ତୟନ୍ତୋମାଂ ଯେଜନାଃ ପର୍ଯ୍ୟୁପାସତେ

ତେଷାଂନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂଵହାମ୍ୟହଂ

- ମୁଁ ଆପଣଙ୍କ ପରି ହେଇ ପାରିବିନି। ଜୀବାନନ୍ଦ କହିଲେ

- କେହି କାହା ପରି ହେଇ ପାରନ୍ତି ନାହିଁ। ମୁଁ ବି ଆପଣଙ୍କ ପରି ହେଇ ପାରିବିନି।

ପୂର୍ବଜନ୍ମର ସଂସ୍କାର ବଶତଃ ଲୋକେ ବାଧ୍ଯ ହେଇ ଇଚ୍ଛା ବିରୁଦ୍ଧରେ ଅନେକ ପ୍ରକାର ଅପରାଧ କରି ବସନ୍ତି। ତେଣୁ ଯଦି କେହି ଦୈବୀ ମାୟା ବଶତଃ କାହାକୁ କଷ୍ଟ ଦିଏ ତେବେ ଆମ ପକ୍ଷରେ ତାହା ସହନୀୟ। ମୂର୍ଖ ଲୋକେ ମୂର୍ଖତା ପ୍ରଦର୍ଶନ କଲେ ଜ୍ଞାନୀ ଲୋକ ନିଜର ଉଦାରତା ଓ ନମ୍ରତାର ପରିଚୟ ଦେବା ଉଚିତ। ଆପଣ ତ ଜ୍ଞାନୀ।

- ନା ନା ! ମୁଁ ଜ୍ଞାନୀ ନୁହେଁ। ମୋତେ ଆପଣଙ୍କ କଥା କିଛି ବୁଝା ପଡୁନି।

- କେମିତି ବୁଝା ପଡିବ। ଆପଣଙ୍କ ମନ ତ ଫୁଲ ପାଖରେ। ସାଂସାରିକ କଥାରେ ମାଡିଯିବା ଆମ ପକ୍ଷରେ ସେପରି ଆଶ୍ଚର୍ଯ୍ୟର କଥା ନୁହେଁ। ବିଷୟ ପ୍ରତି ଦୂର୍ବଳ ରହିବା ସ୍ୱାଭାବିକ କଥା। କିନ୍ତୁ ଏହା ଆଶ୍ଚର୍ଯ୍ୟର କଥା ଯେ ବିଷୟାମଗ୍ନ ଥାଇ ସେ ଅନ୍ୟ ବିଷୟକୁ ଭୁଲିଯାଏ।

- ଅନ୍ୟ ବିଷୟ ମାନେ କୋଉ ବିଷୟ !

- ଆପଣଙ୍କ ପାଖରେ କଣ ଫୁଲ ଏକମାତ୍ର ବିଷୟ ଫୁଲ ପ୍ରତି ଚିତ୍ତ ଏତେ ବ୍ୟାକୁଳ ହେଲେ ଆପଣଙ୍କ ମନ ଅନ୍ଯ ବିଷୟକୁ ଗ୍ରହଣ କରି ପାରିବ ତ !

- କିନ୍ତୁ ଫୁଲ ଯିଏ ନେଇଛି ତାକୁ ମୁଁ ଜମା ଛାଡିବି ନାହିଁ। ଗଛରେ ଗୋଟିଏ ବି ଫୁଲ ସେ ରଖିନି।

- ଫୁଲ ଆମ ଭକ୍ତି ପଥରେ ଏକ ପଦାର୍ଥ ମାତ୍ର। ଆପଣ କିନ୍ତୁ ଏହାଠାରୁ ପୃଥକ୍ ହେଇ ଯାଉଛନ୍ତି। ଭକ୍ତି ମାର୍ଗ ଏପରି ଏକ ଅକ୍ଷୟ ମାର୍ଗ ଯେ ଏଥି ନିମିତ୍ତ କରା ହେଇଥିବା ଅଳ୍ପ ଉଦ୍ୟମ ଓ ପ୍ରୟାସ ଅକ୍ଷୟ ହେଇଥାଏ। ଭକ୍ତି ମାର୍ଗରେ ଅଗ୍ରସର ହେଇ ପଥଭ୍ରଷ୍ଟ ହେଲେ ବି ଚିନ୍ତା ନାହିଁ। ଯେପର୍ଯ୍ୟନ୍ତ ଜଣେ ଅଗ୍ରସର ହେଇଥାଏ ତାର ଧର୍ମ ସୁରକ୍ଷିତ ସଞ୍ଚିତ ଥାଏ। ତେଣୁ ଫୁଲ ପାଇଁ ବିଚଳିତ କାହିଁକି!

ଆପଣ ଭକ୍ତିରେ ଠାକୁରଙ୍କୁ ଫୁଲ ଦେଲା ବେଳେ କେବେ ଠାକୁରଙ୍କୁ ସ୍ମରଣ କରି କାନ୍ଦିଛନ୍ତି! ଥରେ ଆପଣ କାନ୍ଦିବା ଦରକାର। ଦେଖିବେ, ଆପଣଙ୍କ ଜମାଟ ବାନ୍ଧିଥିବା କ୍ରୋଧ ଘିଅ ପରି ତରଳିବାକୁ ଆରମ୍ଭ କରିବ।

ଜୀବାନନ୍ଦ କଣ କହିବାକୁ ଯାଉଥିଲେ ବୋଧେ ଭିତରୁ ଉର୍ମୀ ଡାକ ଛାଡୁଥିଲେ - କାହା ସହିତ ଏତେବଡ ପାଟିରେ ସକାଳୁ କଥା ହେଉଛ। ଯିବ ନାହିଁ କି ! ଜଲଦି ବାହାର, ତମ ଭଉଣୀର ଆଜି ଅଷ୍ଟପ୍ରହରୀ, କଣ ଭୁଲିଗଲ କି !


ଜୀବାନନ୍ଦ କ୍ଷଣିକ ପାଇଁ ବିଚଳିତ ହେଇଗଲେ। ଉର୍ମୀଙ୍କୁ ପଚାରିଲେ - ସେ କହିଥିଲା ଫୁଲ ନେବ ବୋଲି, ଏବେ ଗଛରେ କିଛି ନାହିଁ।

-ସେ ଆସି ନେଇ ସାରିଲାଣି। ତମେ ଶୀଘ୍ର ଆସିଲ ବାହାରିବ।

- କିଏ ଆସିଥିଲା ? ତାଙ୍କ ଘରୁ କଣ କିଏ ଆସି ସବୁତକ ଫୁଲ ନେଇ ଯାଇଛି କି ?

ଏତିକିବେଳେ ଭଉଣୀର ଫୋନ୍ ଆସିଲା, କହିଲା ଭାଇ ତୋ ବାଡିର ଫୁଲସବୁ ବଢିଆ ହେଇଛି। ବହୁତ ସୁନ୍ଦର। ତୋତେ ଧନ୍ୟବାଦ। ତମ ବାଡିରୁ ଫୁଲ ନ ଆଣିଥିଲେ ଆଜି ଏମିତି ଫୁଲ କୋଉଠି ମିଳି ନଥାନ୍ତା। ଟ୍ରେନରେ ଆଜି ଫୁଲ ଆସିବା ବି ଡେରି ହେଲାଣି।

- ତୁ କେତେବେଳେ ଆସି ଫୁଲ ନେଲୁ !

- ମୁଁ ଆସିନି । ପୁଅ ଯାଇଥିଲା ଭୋରରୁ। ତମକୁ ନିଦରୁ ଉଠେଇବନି ବୋଲି ଗେଟ୍ ଡେଇଁ ନେଇ ଆସିଛି।

- ଗେଟ ଡେଇଁବା କଣ ଦରକାର ଥିଲା। ମୋତେ କହିଥିଲେ କଣ ମୁଁ ଦେଇ ନଥାନ୍ତି। ସେ ଏମିତି ଆସିବା କଣ ଦରକାର ଥିଲା।

- ରାଗୁଛୁ କାହିଁକି ଭାଇ! ସେ ପରା ତୋତେ ଆଗରୁ ଫୁଲ ଆଣିବ ବୋଲି କହିଥିଲା। ସେଥିପାଇଁ ସେ ତାର ସୁବିଧା କରି ଗଲା। ସବୁ କାମ ସେ ତାର ସୁବିଧା ଅନୁସାରେ କରେ। ସେ ଫୁଲ ତୋଳି ଆଉ କୁଆଡେ ଗଲାଣି, ସେ ଅଛି ବୋଲି ତ କୌଣସି କାମ ପାଇଁ ଚିନ୍ତା ନାହିଁ। ଅଷ୍ଟ ପ୍ରହରୀ ଦଳ ଏବେଗ ଆସୁଥିବେ। ତମେମାନେ ଆସି ଶୀଘ୍ର ପହଞ୍ଚ।

ଜୀବାନନ୍ଦ ଫୋନ୍ କାଟି ଦେଇ ଉର୍ମୀଙ୍କୁ ଚାହିଁଲେ।

ଉର୍ମୀ କହିଲେ- ସେ ଭଲ କରିଛି। ତମକୁ ଫୁଲ ମାଗିଥିଲେ କଣ ତମେ ସବୁ ତୋଳି ଦେଇଥାନ୍ତ। 

ଜୀବାନନ୍ଦ ବିଷର୍ଣ୍ଣ ବଦନରେ ହରିବାବୁଙ୍କୁ ଚାହିଁଲେ

ହରିବାବୁ ମୁରୁକି ମୁରୁକି ହସୁଥାନ୍ତି, କହିଲେ - 

ବିଷୟ ବାସନାର ସଂସର୍ଗରେ ହୃଦୟ ପଥର ପ୍ରାୟ ହେଲେ କିଛି ବୁଝିପାରେ ନାହିଁ। ଏହି ଅବସ୍ଥାରୁ ଯିବାକୁ ହେଲେ ନିରନ୍ତର ପ୍ରଭୁଙ୍କ ନାମ ନେଇ, ତାଙ୍କ ଲୀଳା ଶୁଣି ଆଖିରୁ ଲୁହ ଝରାଇବାକୁ ହେବ। ଅଶ୍ରୁ ବିନା ହୃଦୟ କେବେ ଦ୍ରବୀଭୂତ ହୁଏନାହିଁ। ଆମେ ଯାହା ଧ୍ୟାନ କରିବା ମନରେ ସେଇ ସଂସ୍କାର ରହିଯିବ। 


ଜୀବାନନ୍ଦ ହରିବବୁଙ୍କୁ ଚାହିଁ ସରି ବୋଲି କହିବାକୁ ଚାହୁଁଥିଲେ କିନ୍ତୁ କେଜାଣି କାହିଁକି କହି ପାରିଲେ ନାହିଁ। ଆସୁଛି ବୋଲି କହି ଯିବାକୁ ବାହାରିଲେ।

ହରି ବାବୁ କିନ୍ତୁ ହସିଦେଇ କହିଲେ - ଆପଣ ସରି ନକହିଲେ ବି ଆପଣ ଦୁଃଖିତ, ମୁଁ ବୁଝି ପାରୁଛି। 

ଜୀବାନନ୍ଦ ପଛକୁ ବୁଲି ସାମାନ୍ଯ ହସିଦେଇ ତାଙ୍କ କଥାକୁ ସ୍ବୀକୃତି ଦେଲେ।


@ ସମାପ୍ତ 



Rate this content
Log in