STORYMIRROR

Prasanta kumar Hota

Others

4  

Prasanta kumar Hota

Others

ମୁଁ ସବୁ ବୁଝିଗଲି

ମୁଁ ସବୁ ବୁଝିଗଲି

6 mins
385



ସେଦିନ ରାତିରେ ଘରକୁ ଡେରିରେ ଫେରିଲି। ଘରେ କିନ୍ତୁ କେହି କିଛି ପଚାରିଲେ ନାହିଁ। ଚୁପ ଚାପ ଖାଇ ଶୋଇବାକୁ ଗଲି କିନ୍ତୁ ହେଲା ନାହିଁ।

ମୋ ଭିତରର ଅସ୍ଥିରତା କ୍ରମଶଃ ମୋର ଅକ୍ତିଆର ବାହାରକୁ ଚାଲି ଯାଉଥିଲା। ରାସ୍ତାରେ ଯାଉଥିବା ବେଳେ ଆଲତୁଫାଲତୁ ଓ ଅସାମାଜିକ ଯୁବକଙ୍କ ଠାରୁ ଠେଲାପେଲା, ଧକ୍କା ଆଦି ସହ ଅସଭ୍ୟ ଭାଷା ଶୁଣିବା ଯେ କେତେ ଲାଞ୍ଛନା ଦିଏ ତାହାର ପୀଡା କଥାରେ କହି କାହାକୁ ହୃଦବୋଧ କରାଇ ହେବ ନାହିଁ। ରାତ୍ରିର ଘନତା ବଢି ଚାଲିଥିଲା। ମୋ ନିଦ କିନ୍ତୁ ମୋ ପାଖ ମାଡୁ ନଥିଲା।


ଯଦି ଜଣେ କି ଦୁଇଜଣ ମୋ ସହ ଏପରି ଅସଭ୍ୟ ଆଚରଣ କରିଥାନ୍ତେ, ମୁଁ କିଛି ପ୍ରତ୍ୟୁତ୍ତର ଦେଇ ଥାନ୍ତି କିନ୍ତୁ ସେମାନେ ପାଞ୍ଚଜଣ ଥିଲେ। ଜଣେ ନୀରବ ଦ୍ରଷ୍ଟା ସାଜି ସେମାନଙ୍କୁ ଉସକାଉ ଥାଏ ଓ ଅନ୍ୟମାନେ ମୋତେ ପ୍ରଶ୍ନ କରି ଅଶାଳୀନ ମନ୍ତବ୍ଯ ଦେଉଥାନ୍ତି। ମୁଁ ଦେଖୁଥିଲି କିନ୍ତୁ ଏସବୁର କାରଣ କିଛି ବୁଝି ପାରୁନଥିଲି କି କିଛି କରି ପାରୁନଥିଲି। ସାହାସ କରି ଯେତେବେଳେ ପଚାରିଲି ମୋ ସହ ଏପରି ବ୍ଯବହାର କାହିଁକି କରୁଛ ସେତେବେଳେ ଯୋଉ ଉତ୍ତର ମିଳିଲା ମୋ ମୁଣ୍ଡଟା ଝାଏଁ କଲା। ନୀରବ ଦ୍ରଷ୍ଟା ସାଜିଥିବା ଯୁବକର ନାଁ ବିଟୁ। ଅନ୍ୟ ଯୁବକମାନେ ତାକୁ ଚାହିଁ କହୁଥାନ୍ତି- ଆରେ ବିଟୁ ଏ ଛୁଆ କଣ କରିଛି କିଛି ଜାଣିନି କହୁଛି, ପୁରା ସୁନା ପିଲାଟା। 

ଆଉଜଣେ କଥା ଛଡାଇ କହିଲା - ଆବେ ସୁନା ନୁହେଁ, ପିତଳ ଉପରେ କୋଟିଂ ଦିଆ ହେଇଥିବ।

ଆଉଜଣେ ବିଟୁ କୁ ଚାହିଁ କହିଲା - ଇଏ ତୋର ଭଉଣୀକୁ କମେଣ୍ଟ ମାରିଛି ! ନାଇଁ ବେ, ଶଳାଟା ସୁନା ଭଳି ଲାଗୁଛି। 

ଆଉଜଣେ କର୍କଶ ପାଟିରେ ହାଃ ହାଃ ହେଇ ହସି କହିଲା - କଣ କହିଲୁ ସୁନା ! ଶଳାଟା କଣ ଖାଲି ମୁତି ଜାଣିଛି, ଆଉ କିଛି ଜାଣିନି।

ମନଟା ରାଗରେ ଆକ୍ତାମାକ୍ତା ହେଇ ଯାଉଥାଏ। କଣ ଭାବି ଏମାନେ ଏସବୁ କହି ଯାଉଥାନ୍ତି ଚିନ୍ତା କରି ମୋ ଭିତରଟା ରାଗ ଓ ମାଡ ଖାଇବା ଭୟରେ ଝାଳନାଳ ହେଇ ଯାଉଥାଏ। ସେତିକିବେଳେ ଜଣେ ମୋତେ ପଛରୁ ଧକ୍କା ଦେଲା। ମୁଁ ପଡି ଯାଉ ଯାଉ ନିଜକୁ ସମ୍ଭାଳି ନେଲି ଓ ବୁଲିପଡି କହିଲି- କୋଉ ଝିଅକୁ କମେଣ୍ଟ ମାରିବା କଥା କହୁଛ ସେ ଝିଅକୁ ଡାକ। ମୁଁ ତା ମୁହଁରୁ ଶୁଣିବାକୁ ଚାହୁଁଛି। ମୁଁ ତାକୁ କଣ କୋଉଝିଅକୁ କମେଣ୍ଟ କେବେ ମାରିନି। ମୋର ଦୃଢୋକ୍ତି ତାଙ୍କୁ କିଛି ସମୟ ନୀରବ କରି ଦେଲେ ବି ନିଜ ଦମ୍ଭ ଦେଖାଇ ତାତ୍ସଲ୍ୟ କରି କହିଲେ ସେ ଝିଅ କଣ ଏଠିକି ପୁଣି ଆସିବ, ପୁଣି ଥରେ ତାକୁ ଦେଖିବୁ। ଏତେ ଲାଳସା ତୋର। ତୋର ତ ବଢିଆ ଚାଲ୍, ଆମେ ସବୁ ଭୋକୁଆ। 

ମୁଁ ନିର୍ଭୟରେ କହିଲି, ମୋର ଦେଖିବାର କୌଣସି ଆଗ୍ରହ ନାହିଁ। ସେ ଆସିଲେ ମୁଁ ଆଖିରେ ରୁମାଲ ବାନ୍ଧିଦେବି। କିନ୍ତୁ ସେ ଝିଅ ମୋତେ ଚିହ୍ନି କହୁ ଯେ ମୁଁ ହିଁ ତାକୁ କମେଣ୍ଟ ମାରିଛି। ସେ ମିଛ କହିଲେ ବି ମୁଁ ତା କଥା ସ୍ୱୀକାର କରିବି।

ମୋ କଥାର ଗୁରୁତ୍ବ ବୋଧହୁଏ ହୃଦବୋଧ ହେଲା

ବିଟୁ ପାଖକୁ ଆସି ଦୟା ଦେଖାଇ କହିଲା- ଛାଡି ଦିଅ ତାକୁ। ବହୁତ ହେଲାଣି, ଏତିକିରେ ତାର କମେଣ୍ଟ ମରା ନିଶା ଛାଡି ଯାଇଥିବ। ମୋତେ ମାଡ ନମାରି ସିନା ଚାଲିଗଲେ, ଅପମାନରେ ମୋ ଭିତରଟା ଫାଟି ପଡୁଥାଏ।


ବିଟୁକୁ କୋଉଠି ଦେଖିଲା ପରି ମନେ ହେବାରୁ ସେ କିଏ ବୋଲି ବହୁତ ଭାବିଲି। ଏଇଠି କେତେ ଥର ଦେଖିଛି ମନେ ପଡିବାରୁ ପାଖରେ ରହେ ବୋଲି ନିଶ୍ଚିତ ହେଲି। ସକାଳେ ସାଙ୍ଗମାନଙ୍କ ସହ ଦେଖା କରି ସେ କିଏ ତାର ଭଉଣୀ କିଏ ବୁଝି ପାରିବି ବୋଲି ଭାବି ଶୋଇବାକୁ ଚେଷ୍ଟା କଲି । ନିଦରେ ଶୋଇବା ହେଲା ନାହିଁତ। ମନକୁ ଆଚ୍ଛନ୍ନ କରି ରଖିଥିବା ଅବସାଦ ଅବଦମିତ ପୀଡାରେ ଏମିତି ଅବସନ୍ନ କରି ରଖିଥାଏ ଯେ ଆଖିର ଆଖ ପାଖ ମଧ୍ଯ ନିଦ ମାଡୁନଥିଲା। ଦୁଃଖର ଭାର ଠାରୁ ଅନିଦ୍ରାର ଭାର ଧିରେ ଧିରେ ଭାରି ଭାରି ଲାଗିବାରୁ ମୁଁ ଶୋଇପଡିଲି। 


ପରଦିନ ସକାଳେ ମୁଁ କିଛି ବନ୍ଧୁଙ୍କୁ ଯାଇ ସବୁକଥା କହିଲି। ଜଣେ ବନ୍ଧୁ ରବି ତାଙ୍କ ଘର ଲୋକଙ୍କୁ ବି ଭଲ ଭାବରେ ଜାଣିଛି ବୋଲି କହିବାରୁ ମୁଁ ତାଙ୍କ ଘରକୁ ଯିବାକୁ ଅନୁରୋଧ କଲି। ମୁଁ ଜାଣିବାକୁ ଚାହୁଁଥାଏ କିଏ ସେହି ମହାନ ଝିଅ ଯାହାକୁ ମୁଁ କମେଣ୍ଟ ନ ମାରିବା ସତ୍ତ୍ୱେ ମୋ ବିରୁଦ୍ଧରେ ଭାଇକୁ କହି ଏଭଳି ଅପମାନିତ କରିଛି।

ରବି ମୋତେ ଥଟାରେ କହିଲା - ସୁନ୍ଦରୀ ଟା, ତୁ ଦେଖି ସାରିଲା ପରେ ଫସି ଯିବୁନି ତ! ଅପମାନର ଜ୍ଵାଳାରେ ଛଟପଟ ହେଉଥିବା ମନଟା ପରିହାସକୁ ଗ୍ରହଣ କଲେ ବି ମୁହଁ ଖୋଲି ହସି ପାରିଲି ନାହିଁ।

ଆମେ ଅପରାହ୍ନରେ ଯାଇ ତାଙ୍କ ଘରେ ପହଞ୍ଚି ଗଲୁ। ରବି ଘର ଭିତରକୁ ପଶିଯିବା ଦେଖି ତାଙ୍କ ଘରେ ସେ ବେଶ ପରିଚିତ ବୋଲି ଜାଣିଲି। ମୁଁ ବାହାରେ ବସି ଅପେକ୍ଷା କରିଥାଏ। ବେଳେବେଳେ ଭାବୁଥାଏ, ମୁଁ କୋଉଠି ତାର କଣ କଲି ଯେ ସେ ମୋ ନାଁରେ ଏଭଳି ମିଛ କହି ଅପମାନିତ କଲା। କେତେ ସୁନ୍ଦରୀ ସେ ଝିଅ ଯେ ତାର ଏତେ ଗର୍ବ! ଆଖପାଖର ଅନେକ ଝିଅଙ୍କୁ ମୁଁ ଦେଖିଛି, କେହି ଜଣେ ବି ମୋତେ ସୁନ୍ଦରୀ ଲାଗନ୍ତି ନାହିଁ। ଏ ଝିଅ ଏଇ ପାଖରେ ରହି କଣ ମୁଁ ଦେଖି ପାରିନି! ଏମିତି ଆଜେବାଜେ ଭାବନା ମନର ଏକାନ୍ତକୁ ନଷ୍ଟ କରି ଚାଲିଥାଏ। ରବି ଘରଭିତରକୁ ଯାଇ ଏପର୍ଯ୍ୟନ୍ତ ଆସି ନଥିବାରୁ ଏକୁଟିଆ ବସି ବିରକ୍ତ ଲାଗୁଥାଏ। ଭିତରେ ତାକୁ ମୋ ବିରୁଦ୍ଧରେ ବୁଝାଉ ନଥିବେ ତ! ଘରୋଇ ବନ୍ଧୁଭାବ କଟିଯିବ ବୋଲି ମୋ ବନ୍ଧୁତା କୁ ହୁଏ ତ ସେ ବଳି ଦେଇପାରେ।

ଏତିକିବେଳେ କେହିଜଣେ ଜଳଖିଆ ପ୍ଲେଟ୍ ମୋ ପାଖରେ ଥୋଇ କହିଲା ଆପଣ ଖାଆନ୍ତୁ।

ମୁଁ ପଚାରିଲି

- ରବି କାହିଁ !

ସେ କହିଲା, ସେ ଭିତରେ କଥା ହେଇ ଖାଉଛି। ଆପଣ ଖାଆନ୍ତୁ। ମୁଁ ଖାଇବାକୁ ମନାକରିବା ସତ୍ତ୍ୱେ ସେ ବାରମ୍ବାର ପଛକୁ ଚାହୁଁଥାଏ ଓ ମୋତେ କହୁ ଥାଏ, ଅଳ୍ପ ଟିକିଏ ତ ଖାଇଦିଅନ୍ତୁ। ଖାଇବା ପ୍ଲେଟ ରେ ଯାହା ଥିଲା ଅଳ୍ପ କେବେ କୁହା ଯାଇନପାରେ କାରଣ ସିଙ୍ଗଡା, ଚପ୍ ବରା, ମିଠା, କଚୋଡି,ଚିପ୍ସ

ଗାଣ୍ଠିଆ ଓ ବଡବଡ ଅଙ୍ଗୁର ଥିଲା। ଏତେ ଚର୍ଚ୍ଚାର କାରଣ ମୁଁ ଖୋଜି ପାଉନଥାଏ।

ସେ ପୁଣି ମୋତେ କହିଲା- ଭାଇ ଖାଆନ୍ତୁ।

ମୁଁ ପ୍ରଶ୍ନ ପଚାରିବା ଭଙ୍ଗୀରେ କହିଲି କିଏ କହିଛନ୍ତି କି ? ସେ ତତକ୍ଷଣାତ ଉତ୍ତର ଦେଲା, ଦିଦି କହିବା ପାଇଁ କହିଛନ୍ତି।

ଘଟଣାର ମୋଡ ଏମିତି ହେବ ବୋଲି କଳ୍ପନା ବା କାହିଁକି କରିବି। ଏ ଚର୍ଚ୍ଚା ହୁଏତ ବନ୍ଧୁର ବନ୍ଧୁଘର ପାଇଁ ହେଇଥିବ ଭାବିଲି। ତଥାପି ଉପସଂହାରକୁ ମୋର ଅପେକ୍ଷା ଥାଏ। 

ମୋ ଜୀବନର ସତେଜ ଫୁଲ ଭିତରେ ଯେଉଁ ଏକ ଭୀଷଣ କୀଟ ପଶିଯାଇ ଦଂଶନ କରୁଥିଲା ତାର ଯନ୍ତ୍ରଣା ଧିରେ ଧିରେ କମି ଆସୁଥାଏ। ରବି ଆସି କହିଲା, ମୁଁ କଥା ହେଇଯାଇଛି, ତୁ ଖାଇଦେ ଶୀଘ୍ର ଆମେ ଯିବା।

ମୋର ଖାଇବାରେ ଆଗ୍ରହ ନଥାଏ, ମୁଁ ପଚାରିଲି ସେ ଝିଅ କଣ ଆସିବନି।

ରବି ହସିବାର ଦେଖି, ମୁଁ କହିଲି, ଯଦି ମୁଁ କମେଣ୍ଟ କରିନି ତାକୁ ଆସି କହିବା ପାଇଁ କାହିଁକି ଲଜ୍ଜା ଲାଗୁଛି। 

ମୋର ଉଠିବାର ଅନାଗ୍ରହ ଓ ଝିଅ କୁ ଭେଟିବାର ଜିଦ୍ ଦେଖି ଝିଅର ବାପା ପାଖକୁ ଚାଲି ଆସି କହିଲେ। ତମ ଭାବନାକୁ କଷ୍ଟ ପହଞ୍ଚି ଥିବାରୁ ଆମେ ସମସ୍ତେ ଦୁଃଖିତ। ରାନୀକୁ (ଝିଅ) ଏଠିକି ଆସିବାରେ ଆମର କିଛି ଆପତ୍ତି ନାହିଁ ବରଂ ତମକୁ ଆହୁରି କଷ୍ଟ ହେବ ବୋଲି ଭାବି ମନାକଲୁ। ତମେ ଯଦି ନିହାତି ଇଚ୍ଛା କରିବ ମୁଁ ତାକୁ ଆସିବାକୁ କହିବି ନଚେତ୍ କିଛି କଥା ଅକୁହା ରହିଗଲେ ଭଲ। ତମେ ଭଲ ପିଲା, ତମ ସମ୍ମାନ ପାଇଁ ମୁଁ କହୁଛି।

ମୁଁ ଯାହା ଭାବୁଥିଲି ସବୁ ଏବେ ଗୋଳମାଳିଆ ପରି ଲାଗୁଥିଲା। ଗୋଟିଏ ଝିଅ ମୋତେ ମିଛ ଆରୋପ କରି ଅପମାନିତ କରିବା ପରେ ବି ସେ ଆସି ଭୁଲ୍ ମାଗିବ କଣ, ତା ବାପା କହୁଛି ଏଥିରେ ମୋର ମାନ ସମ୍ମାନ ହାନି ହେବାର ଭୟ ଅଛି। ସେ ନିଜର ମାନ ସମ୍ମାନ ତଳେ ପଡିଯିବା ଭୟରେ ଏମିତି କହୁ ନାହାନ୍ତି ତ ! ମୁଁ ରବିକୁ ଚାହିଁଲି। ରବି ମୁରୁକି ହସି ମୋତେ ଜଳଖିଆ ଖାଇବାକୁ ଇସାରା କଲା। ମୋର ବିଲକୁଲ ଖାଇବାକୁ ଇଚ୍ଛା ନଥାଏ। 


ଆମେ ଯିବାକୁ ବାହାରିଲାରୁ ରାନୀ ରବିକୁ ଡାକି କଣ କହିଲା। ବାଟରେ କଣ କହୁଥିଲା ବୋଲି ମୁଁ ପଚାରିଲାରୁ, କହିଲା ତା ଭାଇ ଭଲ ନୁହେଁ, ଭାରି ଗର୍ବ ତାର।

ମୁଁ ତୁରନ୍ତ କହିଲି - ସତ ତ, ଭୂଲ୍ ମାଗିବା କଥା।

- ଆଉ ଯଦି ସେମାନେ ତୋ ରାଜୁ ଭାଇନାକୁ ମଧ୍ଯ ଭୂଲ୍ ମାଗିବାକୁ କହନ୍ତି, ଭଲ ଲାଗିବ ତ ତୋତେ !

- ରାଜୁ ଭାଇ କାହିଁକି ଭୂଲ୍ ମାଗିବ। 

- ସେ ରାନୀକୁ କମେଣ୍ଟ ମାରିଛି। ତମ ଦି'ଜଣଙ୍କ ମୁହଁ ପାଖାପାଖି ମିଶୁ ଥିବାରୁ ତୁ ଫସି ଯାଇଛୁ। 

ବିଶ୍ବାସ ହେଉନି ଯଦି ପଚାରିବୁ। ତମ ଚେହେରା ପାଇଁ ରାନୀ ତୋତେ ରାଜୁ ଭାବି ତା'ଭାଇ କୁ କହି ଥିଲା। ତମ ଫୋଟ ଦେଖିଲା ପରେ ସେ ବୁଝିଲା।


- ସେ ତ ଓଏଏସ୍ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛି ଏସବୁ କଲା କେତେବେଳେ। ସବୁ ମିଛ, ମୋର ବିଶ୍ବାସ ହେଉନି, ମୁଁ ଭାଇକୁ ପଚାରିବି।

- ଦେଖ ରାନୀ ମିଛ କହିବନି। ମୋଉସା ବି ଭଦ୍ର ଲୋକ ବୋଲି କଥାକୁ ସହଜ କରିଦେଲେ ତୋର ଇଚ୍ଛା ହେଉଛି ଯଦି ପଚାର।

ତା'ପରଦିନ ମୁଁ ଭାଇକୁ ପଚାରିବାରୁ କହିଲା, ନା ସେ କିଛି କହିନି। ସନାତନ (ତା'ସାଙ୍ଗ) ତାକୁ ଦେଖି କହିଲା- ଓଏଏସ ପାଇଲେ ୟା'କୁ ବାହା ହେବୁ କି ! ସୁନ୍ଦରୀ ଟେ ହେଇଛି। 

- ଏତିକି ! ତୁ କିଛି କହିନୁ?

- ହଁ, ମୁଁ କହିଲି ସୁନ୍ଦରୀଙ୍କ କଣ ଅଭାବ ପଡିଗଲା ଯେ ତୁ ୟାକୁ ସୁନ୍ଦରୀ କହୁଛୁ। କିନ୍ତୁ ତୁ ମୋତେ ଏସବୁ କଣ ପାଇଁ ପଚାରୁଛୁ !

- ତା ଭାଇ ମୋତେ ତୁ ବୋଲି ଭାବି ଯାହା ପାରି ତାହା କହିଛି। ମୁଁ ତାଙ୍କ ଘରକୁ ଯିବାରୁ ସବୁ ଜଣା ପଡିଲା। 

ହାଃ ହାଃ କରି ଭାଇ ଯୋରରେ ହସିଲାରୁ ମୋତେ ଭାରି ଅଡୁଆ ଲାଗିଲା। ମୁଁ ପଚାରିଲି ତୁ ହସୁଛୁ କାହିଁକି? ଭାଇ ସେଦିନ କିଛି କହିଲାନି। 

କିଛିଦିନ ପରେ ରାଜୁ ଭାଇର ରାନୀ ସହ ପ୍ରସ୍ତାବ ପଡିବାରୁ ରାନୀ ପଚାରିଲା, ମୁଁ ତ ସୁନ୍ଦର ନୁହେଁ, ବାହା ହେବ କେମିତି। 

ଭାଇ କହିଲା- ବାହାହେବାକୁ ସୁନ୍ଦରତା ଏକମାତ୍ର କାରଣ ନୁହେଁ। ତମେ ବହୁତ ଭଲ ସେଥିପାଇଁ ମୁଁ ପସନ୍ଦ କଲି।

ରାନୀ ଏଇ ପଦକ କଥାରେ ଏତେ ପ୍ରଭାବିତ ଥିଲା ଯେ ଖୁସି ଓ ଲଜ୍ଜାରେ ଆଉକିଛି ପଚାରିଲା ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଇ ଭାଇକୁ ପଚାରିଲି, ସେ ତୋତେ ଭଲ ପିଲା ନୁହେଁ ବୋଲି କହିବା ସତ୍ତ୍ୱେ ତୁ ରାଜି। ଭାଇ କିଛି କହିଲା ନାହିଁ, ହସିଦେଇ ଚୁପ୍ ରହିଲା।

ମୁଁ ବାହା ହେଇସାରିଲା ପରେ ବୁଝିଲି ଯେ ନାରୀର ସୁନ୍ଦରତାକୁ ଅଗ୍ରାହ୍ଯ କରିବା ମଧ୍ଯ ତାର ଏକ ଅପମାନ। ସେଥିପାଇଁ ସେ ତାକୁ ଯେ କୌଣସି ରୂପ ଦେଇପାରେ। ନାରୀର ସାମାନ୍ଯ ପ୍ରଶଂସା ସେମିତି ତାକୁ ସବୁକିଛି ଭୁଲାଇ ଦିଏ। 

- କଣ ବସି ଏତେ ଭାବୁଛ। ଚାହାରେ ଚିନି ପଡିନି କଣ ଜାଣି ପାରୁନ ଯେ ପିଇ ଚାଲିଛ ।

ପତ୍ନୀଙ୍କ କଥାରେ ମୁଁ ପ୍ରକୃତିସ୍ଥ ହେଇ କହିଲି, ଚିନି ନ ପଡିଲେ କଣ ହେଲା, ଚାହା ତ ଭଲ ଲାଗୁଛି।

ପତ୍ନୀଙ୍କ ମୂଖ ମଣ୍ଡଳରେ ଖୁସିର ଲହର ଖେଳିଗଲା

ମୁଁ ସବୁ ବୁଝିଗଲି ।




Rate this content
Log in