Prasanta kumar Hota

Others

4  

Prasanta kumar Hota

Others

ଉପଦେଶ

ଉପଦେଶ

6 mins
300



ସୁଧାକର ବାବୁଙ୍କ ସହ ସତ୍ୟର ଚାକିରୀ ଆରମ୍ଭରୁ ଆତ୍ମୀୟତା ଥିଲା। ସତ୍ୟ ଚାକିରି ରେ ଯୋଗ ଦେଲା ବେଳକୁ ତାଙ୍କର ଆଉ ମାତ୍ର ପାଞ୍ଚ ବର୍ଷ ଥାଏ ଅବସର ନେବା ପାଇଁ। ସେ ସତ୍ୟ ସହିତ ବହୁତ ମିଶନ୍ତି, ଅନେକ କଥା ହୁଅନ୍ତି। ଜୀବନ ର ଅନେକ ଅଭିଜ୍ଞତା ତାଙ୍କ ପାଖରେ। ପିଲାମାନଙ୍କୁ ମଣିଷ କରିବା ଏକ କଳା ବୋଲି ସେ କହନ୍ତି। ସତ୍ୟ ଆଡକୁ ମଧ୍ୟ ଲକ୍ଷ୍ୟ କରି ବେଳେ ବେଳେ କୁହନ୍ତି ତମେ ଯଦି ଆଜି ଏକ ଶୃଙ୍ଖଳିତ ମଣିଷ ତା' କେବଳ ତୁମ ପିତାମାତାଙ୍କ ପ୍ରଚେଷ୍ଟା ବଳରୁ। ସେମାନେ ତୁମ ପଛେ ପଛେ ଜଗି ଶୃଙ୍ଖଳା ଜ୍ଞାନ ଦେଇ ନଥିଲେ ତୁମେ ଆଜି ଏତେ ଶୃଙ୍ଖଳିତ ହେଇ ପାରି ନଥାନ୍ତ। 

ଏସବୁ ସୁଧାକର କଣ ପାଇଁ କହନ୍ତି ସତ୍ୟ ବୁଝି ପାରେନାହିଁ। ତାଙ୍କ ତୁଣ୍ଡ କଥା କାଳେ ତାଙ୍କୁ ଭୁଲ୍ ଲାଗିବ ଓ ତାର ଦୁଃଖ ତାଙ୍କୁ ବ୍ଯଥିତ କରିବ, ସେଇ ଭୟରେ ସତ୍ୟ ପିଲାଦିନୁ ଯେ ବାପାମାଆ ଛେଉଣ୍ଡ ତାହା କେବେ କହନ୍ତି ନାହିଁ। 

ତାଙ୍କ କଥା ଶୁଣିବାରେ ସତ୍ୟର ସେମିତି ଆଗ୍ରହ ନଥିଲେ ବି ସତ୍ୟ ଜଣେ ତାଙ୍କର ଉତ୍ତମ ଶ୍ରୋତା ପରି ଶୁଣେ ଓ ସତ୍ଯର ଆଗ୍ରହ ଥିବା ଜାଣି ସେ ପ୍ରାୟ ସତ୍ୟ ପାଖରେ ଆସି ବସି ପଡନ୍ତି। 

ସତ୍ୟ ତାଙ୍କ ଘର ପାଖାପାଖି ରହୁଥିବାରୁ ସୁଧାକର ଥରେ ଖାଇବାକୁ ନିମନ୍ତ୍ରଣ କରିଥିଲେ। ତାଙ୍କ ବଡ ଝିଅ ସୁଲୀ ବଢାବଢି କରୁଥାଏ। ଅଳ୍ପ ସମୟର ରହଣି ମଧ୍ୟରେ ସତ୍ୟ ଲକ୍ଷ୍ୟ କଲା, ସୁଧାକର ସୁଲୀକୁ ଅନେକ କଥା ଉପଦେଶ ଛଳରେ କହି ଚାଲିଥାନ୍ତି। ସେଥିରୁ ଅନେକ ଆଚରଣ ବିଧି ଓ ଆଉ କିଛି ଖାଦ୍ୟ ପରଷିବାର ଆଚାର ସଂସ୍କାର ଥିଲା। ଯେପରି ବାଢିଲା ବେଳେ ପ୍ରଥମେ କଣ ବାଢିବା କଥା, ପାଣି ଗିଲାସ କୋଉଠି ରଖିବା କଥା, ପରଶିଲା ବେଳେ କେମିତି ପଚାରିବା କଥା ଇତ୍ୟାଦି ଇତ୍ୟାଦି କହି ଚାଲିଥାନ୍ତି। ସତ୍ୟର ମନେ ହେଉଥିଲା ତାକୁ ଯେମିତି ସେ ଖାଇବାକୁ ଦେବା ବାହାନାରେ ଝିଅ ଦେଖିବାକୁ ଡାକିଛନ୍ତି । ସତ୍ୟର ଏପରି ଦୃଢତାର ସହିତ ଭାବିବା ପଛର କାରଣ ହେଲା, ଭୋଜନ ପରେ ସୁଲୀର ପାଖକୁ ଆସି ଆଦରରେ ପଚାରିବା, ଆପଣଙ୍କ ପାନ କେମିତି? 


ସତ୍ୟକୁ ସୁଲୀର ଏମିତି ପାନ ପଚାରିବା ଅଡୁଆ ଲାଗିଲା। ଆହୁରି ଆଶ୍ଚର୍ଯ୍ୟ ହେଲା ଯେତେବେଳେ ସୁଧାକର ସୁଲୀକୁ ବୁଝାଇବାକୁ ଲାଗିଲେ ଯେ ଏମିତି ପଚରା ଯାଏ ନାହିଁ। ତୁ ସାଧା କଡା ଉଭୟ ପ୍ରକାର ପାନ ଆଣି ପାଖରେ ଦେଲେ ତାଙ୍କର ଯାହା ଦରକାର ସେ ନେବେ ଅଥବା ଦରକାର ନାହିଁ ବୋଲି କହିବେ। ଅତିଥି ଙ୍କୁ ସେବା କରିବା ପାଇଁ ପ୍ରଶ୍ନର ଉତ୍ତର ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ନାହିଁ। ସତ୍ୟକୁ ଲଜ୍ଜାବୋଧ ଆସିଲା ଓ ବ୍ୟବହାର ପାଇଁ ବିବ୍ରତ ହେଲା। ବ୍ୟସ୍ତ ହୋଇ ସୁଲୀ ଯିବା ପରେ କହିଲା, ଆପଣ ଏତେ ଛୋଟ ଛୋଟ କଥା ସବୁ ଆମ ଆଗରେ ଏମିତି କହିଲେ ସେମାନଙ୍କ ମନରେ କ୍ଷୋଭ ଆସିପାରେ, କିଛି କହି ନପାରିଲେ ମଧ୍ୟ ବିଦ୍ରୋହର ଭାବ ଜନ୍ମ ନେଇପାରେ। 

- ମୁଁ କଣ କିଛି ଭୁଲ କହିଲି କି? ପିଲାମାନଙ୍କୁ କଣ ଭଲ କଥା କହିବା ଭୁଲ !


- ଭଲ କଥା କହିବା କେବେ ଭୁଲ୍ ନୁହେଁ। କିନ୍ତୁ ଭୁଲ ଦର୍ଶାଇ ଭଲକଥା କାହା ଆଗରେ କହିଲେ ଭଲ କଥାର ପ୍ରଭାବ ମଧ୍ୟ ଭଲ ହେଇ ନପାରେ। ମଣିଷର ଅନ୍ତର୍ନିହିତ ସୁପ୍ତ ସ୍ଵାଭିମାନ ତାକୁ ବିଦ୍ରୋହ କରିବାକୁ ବାଧ୍ୟ କରେ। ସମ୍ପର୍କର ପାଚେରୀ ଡେଇଁ ସେ ସିନା ଆସି ପାରେନାହିଁ କିନ୍ତୁ ଭାବନାର ତଡିତ ସ୍ରୋତ କୌଣସି ବି ରୂପରେ କେବେ ପ୍ରକାଶ ପାଇପାରେ। ଆମ ପିଲାଙ୍କୁ ଅନ୍ୟ ସମୟରେ ବୁଝେଇ କହିଲେ ଅସୁବିଧା କଣ! 

ସୁଧାକର ହସିଦେଇ କହିଲେ ତମକୁ ବୋଧେ ତମଘରେ ସେହି ଉପାୟରେ ବୁଝାନ୍ତି ସେଥିପାଇଁ ତମେ ତାର ଗୁରୁତ୍ବ ଦେଉଛ। ଘର ଭିତରେ ପିତାକୁ ତା ସନ୍ତାନ ପାଇଁ କହିବାକୁ ପୁଣି କଟକଣା କଣ! ସତ୍ଯ କଥାକୁ କହିବାରେ ଯେତେ କୁଣ୍ଠିତ ହେବ ସତ୍ଯ ସେତେ ଲୁଚି ରହିବ।ପିଲାଙ୍କୁ ଯେତେ କହିବ ସେମାନେ ଶୁଣି ସେତେ ମାର୍ଜିତ ହେବେ। ତେଣୁ କହିବା ବହୁତ ଜରୁରୀ। ତା'ପରେ ତାର ବାହାଘର ହେବ। ବାହା ହେଇ ଆଉଜଣଙ୍କ ଘରକୁ ଯେତେବେଳେ ଯିବ ଝିଅର କଥାବାର୍ତ୍ତା, ଚାଲି ଚଳନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଯଦି ବାପା'ମା ଶିଖାଇ ନଥିବେ ତାହାଲେ ନିନ୍ଦା ପାଇବା ନିଧାର୍ଯ୍ୟ ନୁହେଁ କି! ସେଥିପାଇଁ ମୁଁ ଆରମ୍ଭରୁ ଏସବୁ ଏମିତି ଝିଅ କୁ କହେ। 


ସତ୍ୟ ଆଉ ଏ ବିଷୟରେ ଆଗକୁ ବଢିବାକୁ ଚାହୁଁ ନଥିଲା। ସେ କହିଲା, ଆପଣଙ୍କ କହିବା ଦ୍ଵାରା ଝିଅ ଯଦି ବଦଳି ପାରୁଛି ଖୁବ୍ ଭଲ କଥା। ଆପଣଙ୍କର ଅଭିଜ୍ଞତା ଅଧିକ। ଆପଣ ନିଶ୍ଚୟ ମୋଠାରୁ ଅଧିକ ଜାଣିଥିବେ କହି ଯିବାକୁ ଉଠିଲା। ସୁଧାକରଙ୍କ ଓଠରେ ତୃପ୍ତି ର ହସଟିଏ ଖେଳିଗଲା। ନିଜକଥାକୁ ଠିକ ସାବ୍ୟସ୍ତ କରି ପାରି ଥିବାରୁ ଆତ୍ମସନ୍ତୋଷର ଚେନାଏ ହସ ସୁଧାକର ଓଠଫାଙ୍କରେ ଛାଡି ଦେଲେ। ସତ୍ୟ ଭାବୁଥିଲେ ସୁଲୀକୁ ତା' ଆଗରେ କହିଥିବା କାରଣରୁ ତାର ମନରେ ନିଶ୍ଚୟ ଆଘାତ ଆସିଥିବ। ତା ଯୋଗୁଁ ବିଚରା ସେ ଯାହା କଷ୍ଟ ପାଇଲା। 


ଆଜି କୋଡିଏ ବର୍ଷର ବ୍ୟବଧାନ ପରେ ପହଞ୍ଚି ସତ୍ୟ ଲକ୍ଷ୍ୟ କରୁଥିଲା ସୁଧାକରଙ୍କ ଠିକ ସେଇ ଏକା ହସ କିନ୍ତୁ ସେଥିରେ କିଛି କୃତ୍ରିମତା ବାରି ହେଇ ଯାଉଥିଲା । ସୁଧାକର ବାର୍ଦ୍ଧକ୍ୟ, ବାୟୁ ଦୋଷ ଓ ମେରୁଦଣ୍ଡ ଜନିତ ଯନ୍ତ୍ରଣା ପାଇ ଖଟରେ ପଡିଥିଲେ ବି ସତ୍ୟକୁ ଦେଖି ଚିହ୍ନିପାରିଲେ ଓ ହସି ଦେଇ ସ୍ଵାଗତ କଲେ। କିଛି ସମୟର କଥାବାର୍ତ୍ତା ପରେ ସତ୍ୟ ଜାଣିପାରିଲା ଯେ ତାଙ୍କର ଏକମାତ୍ର ପୁଅ ସେଇଘରେ ଅଲଗା ହୋଇ ରହୁଛି। ସୁଲୀ ବାପାଙ୍କ କଥା ବୁଝିବାକୁ ସେତେବେଳେ ପୁଅକୁ ଧରି ଏକୁଟିଆ ଘରକୁ ଆସିଥାଏ। ମାତ୍ର ଅଧଘଣ୍ଟା ର ରହଣି ମଧ୍ୟରେ ସୁଲୀର ସୁଧାକରଙ୍କ ସହିତ କଥାବାର୍ତ୍ତା ଶୁଣି ସତ୍ୟ ଆଶ୍ଚର୍ଯ୍ୟ ହେଇଗଲେ। ସୁଲୀକୁ ସେ ଆଗରୁ ଯାହା ଦେଖିଥିଲେ ଏବେ ସେ ଏକ ଭିନ୍ନ ସୁଲୀ ଦେଖୁଥିଲେ। ସେତେବେଳେ ସୁଧାକର ସୁଲୀକୁ ଉପଦେଶ ଦେଉଥିଲେ, ଏବେ ସୁଲୀ ସୁଧାକରଙ୍କୁ ଉପଦେଶ ଦେଉଛି। ସୁଧାକରଙ୍କ ଉପଦେଶରେ ସୁଲୀ ପରିବର୍ତ୍ତନ କେତେ ହେଲା ସେ ବୁଝିପାରି ନଥିଲେ। ଏବେ ସୁଲୀର ଉପଦେଶରେ ସୁଧାକର ଯେ ପରିବର୍ତ୍ତନ ହେବେ ତା ମଧ୍ୟ ସେ ଚିନ୍ତା କରି ପାରୁନଥାନ୍ତି। ସୁଧାକର ଯେ ଏଇ ବୟସରେ ନିଜ ପିଲାଙ୍କ ଇଚ୍ଛା ଅନୁସାରେ ପରିବର୍ତ୍ତନ ହେବେ, ତା ମଧ୍ୟ ତାଙ୍କୁ ଠିକ୍ ଲାଗୁ ନଥିଲା। ସତ୍ୟ ମନ ଭିତରେ ବହୁତ ଘାଣ୍ଟି ହେଲେ। ସୁଲୀ କୁ କିଛି କହିବାକୁ ଇଚ୍ଛା କରି ମଧ୍ୟ କହି ପାରିଲେ ନାହିଁ। ବାପ ଝିଅଙ୍କ ସମ୍ପର୍କରେ ସେ ତୃତୀୟ ପୁରୁଷ। ତାଙ୍କର ପ୍ରବେଶ ଅନାହୂତ ଆଗନ୍ତୁକ ସଦୃଶ । ତଥାପି ଠିକ ଭୁଲ କୁ ନିଜ ବିଚାରଧାରାରେ ଭାବି କିଛି କହିବାକୁ ମନଟା ଉଦବେଳିତ ହେଉଥିଲା। 

ସୁଧାକର ଥାଳିକୁ ହାତରେ ଧରି ଖାଉଥିଲେ। ଖାଇ ସାରି ସେ ଥାଳିକୁ ପୋଛି ପୋଛି ଖାଇବାରୁ ସୁଲୀ ପାଟି କରି କହିଲା, ଥାଳିଟାକୁ ଚାଟି ଚାଟି ଖାଇବା କଣ ଦରକାର। ଖାଇବାକୁ ଯଦି ଇଛା ଅଛି, ଆଉ କଣ ଦେବି କହୁନ। ଏମିତି ପୋଛି ପୋଛି କଣ ଖାଉଛ। ଖାଇବାର ଆଚରଣ ବିଧି ଟିକେ ଶିଖ। କେତେଥର ତମକୁ ଏକଥା କହିଲିଣି !

ସୁଧାକର ଥରେ ସୁଲୀକୁ ଦୃଷ୍ଟି ଦେଇ ସତ୍ୟ ଆଡେ ଚାହିଁ ହସି ଦେଲେ। ସେ ହସରେ ଆତ୍ମ ତୃପ୍ତି ବଦଳରେ ଆତ୍ମଦାହ ଥିଲା। ଯାହା ସେ ଲୁଚାଇବା କୁ ଚେଷ୍ଟା କରୁଥିଲେ ତା' ଫୁଟି ବାହାରି ପଡୁଥିଲା। ସୁଲୀ ଆହୁରି ତରକାରୀ ଆଣି ଦେଲାରୁ କହିଲେ - ନା ନା, ଆଉ କିଛି ଦରକାର ନାହିଁ, ଥାଉ। 

ଆଉ ତାହାଲେ ଥାଳିଟାକୁ ଚାଟୁଛ କାହିଁକି ! ସୁଲୀ ପ୍ରଶ୍ନକୁ ଏପରି ଭାବରେ ସୁଧାକରଙ୍କୁ ଫୋପାଡ଼ିଲା ଯେ ସତ୍ୟ ଚିନ୍ତା କରିବାକୁ ଲାଗିଲେ, ସେ କଣ ସତରେ ତା ବାପାର ସେବା କରିବାକୁ ଆସିଛି ନା ବାହାଘର ପରେ ପାଇଥିବା ସାର୍ବଭୌମତ୍ୱ ରୁ ସୃଷ୍ଟି ହେଇଥିବା ଅଧିକାର କୁ ସାବ୍ୟସ୍ତ କରିବାକୁ ଆସିଛି। ସୁଧାକର ପିଲାମାନଙ୍କୁ ଶିଖେଇଥିବା କୌଣସି ଆଚାର ବ୍ୟବହାର ସୁଲୀଠାରେ ସତ୍ଯ ଲକ୍ଷ୍ୟ କରି ପାରିଲା ନାହିଁ। ସେ ଥିବା ପର୍ଯ୍ୟନ୍ତ ତାଙ୍କ ପୁଅ ବୋହୂ ପାଖକୁ ମଧ୍ୟ ଆସି ନଥିଲେ। ସୁଲୀ ବିରକ୍ତ ହୋଇ କହୁଥିଲା - ତମ ଗେହ୍ଲା ପୁଅ ବୋହୂଙ୍କୁ ଡାକୁନ। ତାଙ୍କୁ କଣ ତମ ଆଚରଣ ବିଧି ଶିଖେଇନ କି ! ସୁଧାକର କଥାକୁ ସହଜ କରିବା ପାଇଁ ସାମାନ୍ଯ ହସିବାକୁ ଚେଷ୍ଟା କଲେ। ତାଙ୍କ ବିବସତାକୁ ବୁଝି ପାରି ସତ୍ଯ ଯିବାକୁ ଅନୁମତି ମାଗିଲା। 

ସୁଧାକର ଆଉଟିକେ ବସିବାକୁ ଅନୁରୋଧ କଲେ। ସତ୍ୟ ଅନୁରୋଧ ର ବିଶେଷତା ବୁଝି ନପାରିଲେ ବି ଅନୁରୋଧ ଭାଙ୍ଗି ପାରିଲେ ନାହିଁ। ସୁଲୀ ମଧ୍ୟ ବସନ୍ତୁ ଭାଇ କହି ଚାହା ଆଣିବି କି? ପଚାରିଲା।

ସତ୍ୟର ମନେ ପଡିଗଲା ସୁଧାକର ଦିନେ ଏଇ ଝିଅକୁ ଉପଦେଶ ଦେଇ କହିଥିଲେ ଅତିଥି ଙ୍କୁ ଏମିତି ପ୍ରଶ୍ନ ପଚାରିବା ଉଚିତ ଯେମିତି ତାକୁ ଉତ୍ତର ଦେବାକୁ ପଡ଼ିବ ନାହିଁ ଅର୍ଥାତ୍ ମୁଁ ଚାହା ଟିକେ ଆପଣଙ୍କ ପାଇଁ କରିକି ଆଣୁଛି। ଏଥିରେ ଅତିଥିଙ୍କୁ ଉତ୍ତର ଦେବାର ଆବଶ୍ୟକତା ନାହିଁ ଅଥଚ ଇଚ୍ଛା ନଥିଲେ ମନା କରି ପାରିବେ। ସୁଲୀର ସେ ଉପଦେଶ ମନେ ନାହିଁ ଅବା ଉପଦେଶ କୁ ଉଚିତ ମନେ ନକରି ନିଜେ ଯାହା ଉଚିତ ମନେ କଲା ସେୟା ହିଁ କରୁଛି। 

ସୁଲୀ ପୁଣିଥରେ ପଚାରିଲା- ଭାଇ! ଚାହା କରିବି !

ସତ୍ୟ ମୁଣ୍ଡ ହଲାଇ ମନାକଲା। ସୁଲୀର କୌଣସି ପ୍ରତିକ୍ରିୟା ନଥିଲା। ସୁଧାକର କିନ୍ତୁ ବାଧ୍ୟକରି କହିଲେ - କର ମା, ସେ ପିଇବେ, ମୋର ବି ଟିକେ ଇଚ୍ଛା ହେଉଛି। 

ତମର ଇଚ୍ଛା ହେଉଛି ବୋଲି କହୁନ, କହିଦେଇ ସୁଲି ଭିତରକୁ ଚା' କରିବା ପାଇଁ ଚାଲିଗଲା। 

ସୁଧାକର ସତ୍ୟକୁ ଆଗ୍ରହରେ ଅନାଇ କହିଲେ - ତମକୁ ଜୋଇଁ କରିବାର ଭାରି ଇଚ୍ଛା ଥିଲା କିନ୍ତୁ ସଙ୍କୋଚରେ କଣ ଭାବିବ ବୋଲି ସେତେବେଳେ ପଚାରି ପାରିଲି ନାହିଁ। 

ପୁରୁଣା କଥା କହିଁକି ମନେ ପକାଉଛନ୍ତି, ସାର୍। ଯେତେବେଳେ ଆମର ଯାହା ହେବା କଥା ହେବ। 

ଦୀର୍ଘନିଃଶ୍ଵାସ ପକାଇ ସୁଧାକର କହିଲେ, ହଁ ଠିକ କହିଲ। ମୁଁ ସେତେବେଳେ ପିଲାମାନଙ୍କୁ ଠିକ ଭୁଲର ଉପଦେଶ ଦେଉଥିଲି। ସମସ୍ତେ ଗ୍ରହଣ କରିବାର ଅଭିନୟ କରୁଥିଲେ। କେହି ଗ୍ରହଣ କରିଥିବା ମୋର ଅନୁଭବ ହେଉ ନାହିଁ । ସମସ୍ତେ ନିଜ ପ୍ରକୃତିରେ ବନ୍ଧା ଅଛନ୍ତି। ଏବେ ସେମାନେ ମୋତେ ଉପଦେଶ ଦେଉଛନ୍ତି, ମୋର ପରିବର୍ତ୍ତନ ଖୋଜୁଛନ୍ତି । ନିରାଶାବାଦୀ ହୋଇ ସୁଧାକର କହିଲେ, ପ୍ରକୃତରେ ଯେତେବେଳେ ଯାହା ହେବା କଥା ହେବ। ଆମେ ନିମିତ୍ତ ମାତ୍ର। 


ସତ୍ୟ ଏ କଥାର ତାତ୍ପର୍ଯ୍ୟ ବୁଝି କହିଲା, ସାର୍ ସେତେବେଳେ ଆପଣ କହୁଥିଲେ ଏବେ ସୁଲୀ କହୁଛି। ସୁଲୀର କିଛି ପରିବର୍ତ୍ତନ ହେଲା ନାହିଁ କି ଆପଣଙ୍କର ମଧ୍ୟ କିଛି ହେବ ନାହିଁ। ପରିବର୍ତ୍ତନ ହେବା ପାଇଁ ଆମ ମନରେ ଆଲୋଡନ ଆସିବା ଦରକାର ଯୋଉ ଆଲୋଡନରୁ ସଂସ୍କାର ମନୋବୃତ୍ତି ଜନ୍ମ ନିଏ। 


ତମେ ସତ କହିଲ, କହି ସୁଧାକର ହସିବାକୁ ଚେଷ୍ଟା କଲେ। ସୁଲୀ ଚାହା ରଖିଦେଇ କହିଲା, ଆପଣ ଟିକେ ବାପାଙ୍କୁ ବୁଝାନ୍ତୁ। ସେ ଖାଲି ତାଙ୍କ ଝିଅକୁ କହି ଜାଣିଛନ୍ତି, ପୁଅକୁ କହିଲା ବେଳକୁ କହିବେ ସେ ଯାହା କରୁଛି କରୁ । ସତ୍ୟ ନିରୁତ୍ତର ହୋଇ ସାମାନ୍ୟ ହସିଦେଲା। ବିଦାୟ ନେଇ ବାହାରି ଆସିଲା ବେଳକୁ ସତ୍ୟ ଭାବୁ ଥାଏ ପ୍ରକୃତରେ ସେ କଣ ବୁଝେଇଥାନ୍ତା। ସେ କଣ ବୁଝେଇ ପାରିବ। କାହାକୁ ବୁଝେଇବ ! ସୁଲୀକୁ ନା ସୁଧାକରକୁ। ସମସ୍ତେ ତ ଅନ୍ୟକୁ ବୁଝେଇବାରେ ବ୍ୟସ୍ତ। ନିଜେ ବୁଝିବାକୁ କିଏ ପ୍ରସ୍ତୁତ। ସନ୍ଧ୍ୟା ଅନେକ ବେଳୁ ଅତିକ୍ରାନ୍ତ ହେଇ ସାରିଥାଏ। ଘରେ ପହଞ୍ଚିଲା ବେଳକୁ ପତ୍ନୀ ଙ୍କ ଭାଗବତ ପଢା ଚାଲିଥାଏ। - 

ନାନା ପ୍ରକାରେ ହରିପାଦେ ଯାହାର ଚିତ୍ତ ଅପ୍ରମାଦେ

ଭଲଇ ଜାଣି ବିଷ୍ଣୁ ମାୟା ସେ ହରି କରେ ତାର ଦୟା ।।


Rate this content
Log in