Prasanta kumar Hota

Abstract Others

4  

Prasanta kumar Hota

Abstract Others

ଅସହାୟତା

ଅସହାୟତା

10 mins
438



ଚନ୍ଦ୍ରରେ କଳଙ୍କ ଲାଗିବା ଠିକ୍ ହେଇପାରେ। ସମସ୍ତଙ୍କର ଭୂଲ ହେବା ସ୍ଵାଭାବିକ ହେଇପାରେ। କିନ୍ତୁ ଗାୟତ୍ରୀ ଦେବୀ ଯାହା କରନ୍ତି ଠିକ୍ କରନ୍ତି ଯାହା କହନ୍ତି ଠିକ୍ ହିଁ କହନ୍ତି। ଭୂଲ ତାଙ୍କର କେବେବି ହେଇ ନପାରେ। ଏକଥାରେ ସେ ପ୍ରାୟ ଏକତରଫା। କାହାର ମତାମତ ଲୋଡନ୍ତି ନାହିଁ। ତାଙ୍କ ଭୂଲ୍ ଧରିବା ପାଇଁ ଘରେ କାହାର ସାହସ ବି ନାହିଁ। ପୁଅ ରବି, ଝିଅ କୁନି ଓ ସ୍ଵାମୀ ନରେନ୍ଦ୍ର ବାବୁ ସମସ୍ତେ ପ୍ରାୟ ତାଙ୍କ କଥାରେ ସ୍ଵର ମିଳାନ୍ତି । ଚପଳତାରେ ଯଦି ପୁଅ ଝିଅ କେବେ ଭୂଲ୍ ଧରି ଦେଲେ ସାଙ୍ଗେ ସାଙ୍ଗେ କଡା ଉତ୍ତର ଚାଲି ଆସେ - ମହାଜ୍ଞାନୀ ପିଲାଟାତ ବୋପା ମାଆଙ୍କୁ ଉତ୍ତର ଦେବା ପାଇଁ ଚାଲି ଆସିଲା। ଯା, କେମିତି କଥା ହୁଅନ୍ତି ଆଗ ଶିଖ, ତାପରେ ଉତ୍ତର ଦେବ। ଯାହା ତ ପାଠ ପଢି ଅର୍ଜୁଛ ଆସିଗଲେ ପଣ୍ଡିତ ପଣ ଦେଖାଇବା ପାଇଁ। ଗାୟତ୍ରୀ ଦେବୀଙ୍କ ଉର୍ଦ୍ଧ୍ବ ଉଷ୍ମ ଶ୍ଵାସ ବାହାରି ଆସେ। ବାସ୍ କଥା ଏତିକିରେ ଶେଷ। ଆଉ କେହି ଉଁ ଚୁଁ କରନ୍ତି ନାହିଁ। ତାପରେ ଯିଏ ଯାହା ବାଟରେ। 

ଗାୟତ୍ରୀ ଦେବୀ ଦୀର୍ଘ ଶ୍ଵାସଟିଏ ଛାଡି କହନ୍ତି -ଆରେ ପିଲାଗୁଡାଙ୍କୁ କିଛି ନକହିଲେ ବେଶୀ ମୁହଁ ବଢି ଯାଉଛି। ନରେନ୍ଦ୍ର ବାବୁ କିଛି କହନ୍ତି ନାହିଁ। ତାଙ୍କ ନୀରବତାରୁ ସେ ସମର୍ଥନ କରୁଛନ୍ତି କି ବିରୋଧ କରୁଛନ୍ତି କିଛି ବୁଝା ପଡେନାହିଁ। ଯଦି କେହି ଘରକୁ ଆସିଥିବା ବ୍ୟକ୍ତି ଏ ବିଷୟରେ ପ୍ରଶ୍ନ ଉଠାନ୍ତି ସେ କହନ୍ତି - ହଁ ମୁ କହିଲି ଯେ। ଯୋଉଟା ଭୂଲ୍ ସେଇଟା ଭୂଲ୍। ଭୂଲ୍ କଣ କେବେ ଠିକ୍ ହେଇପାରେ। ପଚାରିଥିବା ବ୍ୟକ୍ତି ଏଇ ଉତ୍ତରରେ କୌଣସି ନିର୍ଯ୍ୟାସ ପାଇ ପାରନ୍ତି ନାହିଁ ଆବାକାବା ହେଇ ଅନାନ୍ତି ଓ ଚୁପ ରହିବାକୁ ପସନ୍ଦ କରନ୍ତି । ଏମିତି ଦିନ ତା ବାଟରେ ଗଡିଚାଲେ। ପ୍ରତ୍ୟେକ ନିଜ ନିଜ ଅସହାୟତା ଜାଣି ମଧ୍ୟ ଅଜଣା ହୋଇ ରହି ଯାଆନ୍ତି। ଯେଉଁଥିରେ ଜାଣିବାର ପ୍ରଦର୍ଶନ କରିବା ଅପେକ୍ଷା ଅଜଣା ରହିବା ବେଶୀ ହିତକର ମନେହୁଏ ସେଥିରେ ନୀରବ ରହିବାଟା ହିଁ ଠିକ୍। ଏପରି ଆତ୍ମସନ୍ତୋଷର ବିଚିତ୍ର ଆନନ୍ଦ ସମସ୍ତଙ୍କୁ ଆଚ୍ଛାଦନ କରି ରଖେ। ନିଜ ନିରାପତ୍ତା ନିଜ ପାଇଁ ଅଗ୍ରାଧିକାର ଆଣେ। ବ୍ୟକ୍ତିର ଆତ୍ମ ନିରାପତ୍ତା ଯେତେବେଳେ ନିଶ୍ଚିତ ହେଇଯାଏ, ତାର ଅନ୍ୟକୁ ଅଗ୍ରସର କରିବାର ଇଚ୍ଛା ମଧ୍ୟ ବଢିଯାଏ। ସେହି ଇଚ୍ଛା ସେତେବେଳେ ନିଜର ପ୍ରାଧାନ୍ୟ ରଖିବାକୁ ବଳବତ୍ତର ହୋଇ ଉଠେ ଏବଂ କ୍ରମଶଃ ତାର କ୍ରମବର୍ଦ୍ଧିଷ୍ଣୁ ଅହଂ ଭାବରେ ପରିଣତ ହୋଇଯାଏ। ଗାୟତ୍ରୀ ଏ ପ୍ରକାର ମାନସିକତାରୁ ବ୍ୟତିକ୍ରମ ହେଇ ପାରିଲେ ନାହିଁ। ଅର୍ଥାତ୍ ତାଙ୍କ ନିରାପତ୍ତା ଯେହେତୁ ଘରେ ଅଧିକ ସେ କାହାରି ବି ଭୁଲ୍ ଦେଖିଲେ ତୁରନ୍ତ କହିବା ଆରମ୍ଭ କରି ଦିଅନ୍ତି। ଭୂଲ୍ ର ମାତ୍ରା ଉପରେ ତାଙ୍କର ନଜର ନଥାଏ। ଅନ୍ୟ କୁ କହିବା ପାଇଁ, ନିଜ ବଡପଣ ସାବ୍ୟସ୍ତ କରିବା ପାଇଁ କିଛି ବାହାନା ତାଙ୍କର ଦରକାର। ଯେତେ କହୁଥାନ୍ତି ତାଙ୍କୁ ସେତେ ଅସହାୟ ବି ଲାଗୁଥାଏ। କାରଣ ତାଙ୍କ କଥା କୁ କେହି ଏତେ ଗୁରୁତ୍ବ ଦିଅନ୍ତି ନାହିଁ। ଯେଉଁ ଜିନିଷ ବାରମ୍ବାର ଘଟେ ସେ ତାର ଗୁରୁତ୍ବ ହରାଇବା ସ୍ଵାଭାବିକ। 

ସମାନ ଧରଣର ଭୂଲ୍ ଯଦି ଗାୟତ୍ରୀ ନିଜେ କରନ୍ତି ଅନ୍ୟମାନେ କେବଳ ଅସହାୟ ହୋଇ ଦେଖନ୍ତି। କହିବାର ସାହସ କରି ଯୁକ୍ତି କୁ ସମ୍ମୁଖୀନ ହେବା ପାଇଁ କେହି ଇଛା କରନ୍ତି ନାହିଁ। ଘର ଭିତରେ ଯେମିତି ସଦାବେଳେ ଏକ ଅନୁଚ୍ଚାରିତ ଶୀତଳ ଯୁଦ୍ଧ ଲାଗି ରହିଥାଏ। 

ଇତିମଧ୍ୟରେ ପୁଅ ଚାକିରୀ କରିବାରୁ ନିଜକୁ ସ୍ଵତଃ ସ୍ବାଧୀନ ମନେକଲା। ଅନ୍ୟ କାହାର ଆଦେଶ ବା ଉପଦେଶ ତାକୁ ଆଉ ଭଲ ଲାଗିଲା ନାହିଁ। କେହି ଚାକିରିଆ ପୁଅକୁ କିଛି କହିଲେ ବି ନାହିଁ। ତାର ସ୍ଵେଛାଚାରିତା ଯେତିକି ବଢିଲା ଅନ୍ୟମାନଙ୍କ ଅସହାୟତା ମଧ୍ୟ ସେତିକି ଆରମ୍ଭ ହେଲା। ଯେଉଁ ଜିନିଷର ଆରମ୍ଭ ଶୃଙ୍ଖଳାରୁ ସୃଷ୍ଟି ହେଇ ନାହିଁ ସେଥିରେ ଏବେ ଅଙ୍କୁଶ ଆଉ କିଏ ଲଗେଇବ। 

ଝିଅ ବାହାହେଲା ପରେ ତାର ମଧ୍ୟ ସ୍ଵାତନ୍ତ୍ର୍ୟତା ଆସିଗଲା। ସେ ମଧ୍ୟ ନିଜକୁ ସ୍ଵାଧୀନ ଓ ନିରାପତ୍ତା ପାଇଲା ପରି ମନେକଲା। ଗୋଟିଏ ଝିଅକୁ ଅର୍ଥ ସ୍ଵଛଳତା ଓ ଶିଷ୍ଟ ଭାବର ସ୍ଵାମୀ ମିଳିଗଲେ ଆଉ ତାର କାହାକୁ ନିର୍ଭର ବା ଭୟ କରିବା ଦରକାର କଣ ! ସେ ବି ନିଜ ସାମ୍ରାଜ୍ୟର ସାମ୍ରାଜ୍ଞୀ ହୁଏ। 

ଯେତେବେଳେ ଗୋଟିଏ ପରିବାରରେ ପରସ୍ପରର ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ସମ୍ମାନ କୌଣସି ଚାପ ବା ଭୟରୁ ବା ଅନ୍ୟ କିଛି ମାନସିକତାରୁ ସୃଷ୍ଟି ହୋଇଥାଏ ସେତେବେଳେ ସେଇ ଚାପ ବା ଭୟ ହଟିଯିବା ମାତ୍ରେ ହିଁ ବ୍ୟକ୍ତି ତାର ନିଜସ୍ବ ଭାବ ବା ଇନ୍ଦ୍ରିୟାବଶ ଆଚରଣରେ ପରିଚାଳିତ ହୁଏ ଯାହାକୁ କେବଳ ନିଜର ସଂସ୍କାର ଓ ନୈତିକତା ହିଁ ଲଗାମ ଦେଇଥାଏ। ଯାହାର ସେ ଲଗାମ ନାହିଁ ତାର ଅବସ୍ଥା କୌଣସି ସ୍ଵେଛାଚାରି ଠାରୁ କମ୍ ନୁହେଁ। ବିଶ୍ଵାସ ଭଲପାଇବା ଓ ଆଗ୍ରହ ଯେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରେ ସେଠାରେ ସମ୍ପର୍କର ମୂଲ୍ୟ ଅସହାୟ ବୋଧ ହୁଏ। 

ଗାୟତ୍ରୀ ଦେବୀ ଯେମିତି ନିଜ ଇଛା ଅନିଛାକୁ ପ୍ରୟୋଗ କରୁଥିଲେ ସେମିତି ପୁଅ ଝିଅ ମଧ୍ୟ ନିଜ ଇଛା ଅନିଛାରେ କାର୍ଯ୍ୟ ଆରମ୍ଭ କରିଲେ। ନିଜ ଚାଲି ଚଳନ ନିଜ ଘରୁ ହିଁ ତ ସୃଷ୍ଟି ହୁଏ। ବିଚରା ନରେନ୍ଦ୍ର ବାବୁ ଯାହା ଘାଣ୍ଟି ଚକଟି ହେଉଥାନ୍ତି। କିନ୍ତୁ ଘାଣ୍ଟି ଚକଟି ନହେବାର ସୁନ୍ଦର ଅଭିନୟ ବି କରୁଥାନ୍ତି। ସତେ ଯେମିତି ସବୁକିଛି ଠିକ୍ ଚାଲିଛି। ଏହି ଲୁକ୍କାୟିତ ଅସହାୟତା କେବଳ ଘନିଷ୍ଠ ଲୋକ ହିଁ ବୁଝି ପାରୁଥିଲେ। ତାଙ୍କର ଏକମାତ୍ର ଜ୍ବାଇଁ ଏସବୁର ମୁକସାକ୍ଷୀ। କାରଣ ସେ ଘରକୁ ଅନେକ ସମୟରେ ଗଲେ ମଧ୍ୟ ନା କାହାଠୁ ଆଦର ପାଆନ୍ତି ନା କେହି ସମ୍ମାନ କରନ୍ତି। ଏସବୁ ନକରି ମଧ୍ୟ ସମସ୍ତେ ନିଜ ହିସାବରେ ନିଜକୁ ଠିକ୍ ବୋଲି ମନେକରନ୍ତି ଓ ସଠିକ୍ ଦାୟିତ ତୁଲାଇ ପାରିବାର ଆନନ୍ଦ ବି ନିଅନ୍ତି। ଜ୍ୱାଇଁ ଘରକୁ ଗଲେ ଚୁପ୍ ଚାପ୍ ପରିବାରର ତାମସା ଦେଖନ୍ତି ଓ ସମୟ କ୍ରମେ ଔପଚାରିକ ସରିଗଲେ ନିଜ ଘରକୁ ଫେରି ଆସନ୍ତି। ଚଳଣିର ଅଭିନୟରେ ସମ୍ମାନ ଦେବା ନେବାର ଯେଉଁ ବଳୟ ସୃଷ୍ଟି ହୁଏ ତାହାକୁ କେହି ଦେଖି ପାରନ୍ତି ନାହିଁ। ସମ୍ପର୍କ ରେ ଦୂରତା ଧୀରେ ଧୀରେ ବଢି ବଢି ଆସେ। ସବୁ ଥାଇ ବି ଅସହାୟ ପରି ମନେ ହୁଏ। 

ଯାହାର ଅସହାୟତା ଅନୁଭବ କରି ହୁଏ ତାକୁତ ଅନୁକମ୍ପା ମିଳିଯାଏ। କିନ୍ତୁ ଯାହାର ଅସହାୟତା କେହି ଦେଖି ପାରନ୍ତି ନାହିଁ ତାକୁ ବା କଣ ମିଳିବ। ସେ ସବୁଠାରୁ ବଡ ଅସହାୟ ହୋଇଯାଏ।


ନରେନ୍ଦ୍ର ବାବୁ ଏହା ଭିତରେ ଚାକିରିରୁ ଅବସର ନେଇ ଯାଇଥିଲେ। ଡାଏବେଟିସ, ବିପି ଆଣ୍ଠୁ ଗଣ୍ଠି ମଧ୍ୟ ବାହାରି ଯାଇଥାଏ। ଗାୟତ୍ରୀ ଥରେ ଅସୁସ୍ଥ ହୋଇ ପଡ଼ିଲେ ଯେ ଆଉ ଉଠି ପାରିଲେ ନାହିଁ। ସମସ୍ତେ ଦେଖିବାକୁ ଆସନ୍ତି, ପାଖରେ ବସନ୍ତି ଓ ଚାଲିଯାଆନ୍ତି। ସତେଯେମିତି ସେମାନେ ଉପସ୍ଥାନ ଦେବା ପାଇଁ ଆସିଥିଲେ। କେହି ସୌହାର୍ଦ୍ଦ୍ୟ ମୂଳକ କଥା ହୁଅନ୍ତି ନାହିଁ କି ନିଜର ବିଚାର ରଖନ୍ତି ନାହିଁ। ସାନ୍ତ୍ବନା ତ ଦୂରର କଥା ପାଖରେ ବସି ମନ ଖୁସି କଲା ପରି ଦି ପଦ କଥା ବି କେହି ହୁଅନ୍ତି ନାହିଁ। ଆସିବା ଯିବା କିନ୍ତୁ ମଝିରେ ମଝିରେ ଲାଗିଥାଏ। କେହି ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ବି କହୁ ନଥାନ୍ତି। ଦେହ ବେଶି ଖରାପ ହେବାରୁ ନରେନ୍ଦ୍ର ବାବୁ ପଡିଶା ଲୋକ ଡାକି ହସ୍ପିଟାଲ ନେଲେ। ସମସ୍ତେ ସେଠି ମୁହଁ ଦେଖାଇ ପଳାଇ ଆସନ୍ତି। ନରେନ୍ଦ୍ର ବାବୁ ଯେତେ ବ୍ୟତିବ୍ୟସ୍ତ ଓ ଅସହାୟ ଅନୁଭବ କଲେ ବି କାହାକୁ କିଛି କହି ପାରନ୍ତି ନାହିଁ। ଯେତିକି ନିହାତି ଆବଶ୍ୟକ ବାଧ୍ୟ ହୋଇ କହନ୍ତି। ସ୍ଵତଃ ଆଦର କାହାର ଆସେ ନାହିଁ କି ସେବା କରିବାର ଆନ୍ତରିକତା କେହି ଦେଖାନ୍ତି ନାହିଁ। ରୋଗୀର ହୃଦୟକୁ ଯେଉଁ ସନ୍ତୋଷ ମିଳିବା କଥା ଆସିବ କୁଆଡୁ? ତେଣୁ ରୋଗ ବଢିଗଲା। ଉପଚାର କରି ସାରିଲା ପରେ ଡାକ୍ତର ଘରକୁ ପୁରା ବିଶ୍ରାମ କରିବା ପାଇଁ ପଠାଇ ଦେଲେ। ଆଣ୍ଠୁ ଗଣ୍ଠି ଉଠେଇ ହେଉ ନଥାଏ କିନ୍ତୁ ସେମିତି ନେଇ ଆସିଲେ। ଘରେ ପୁଅର ସମୟ ନାହିଁ ବୋହୂର ଇଛା ନାହିଁ। ନରେନ୍ଦ୍ର ବାବୁ ନିଜର ବିମାରି ସହିତ ପତ୍ନୀଙ୍କ ଯତ୍ନ ନେଉନେଉ କ୍ଳାନ୍ତ ହୋଇ ପଡ଼ିଲେ। ଚାକରାଣୀଟା ଘରେ ରୋଷେଇ କରି ଦେଉଥିଲା ଯେ ସେ ଏବେ ଆଉ ଆସୁ ନାହିଁ। ଆସିଲେ ବି କିଛି ଦିନ ରହି ପଳେଇ ଯାଉଛି। ନରେନ୍ଦ୍ର ବାବୁଙ୍କ ଖାଇବା ସମସ୍ୟା ଏ ଭିତରେ ବହୁତ ବଢିଗଲା। ତା'ସହିତ ଗାୟତ୍ରୀଙ୍କ ଖାଇବା ପ୍ରତି ଇଛା ମଧ୍ୟ ବଢୁଥାଏ। ଦୁଇଟିଯାକ ଦିଗକୁ ସମ୍ଭାଳୁ ସମ୍ଭାଳୁ ସେ ନୟାନ୍ତ ହେଇ ପଡୁଥାନ୍ତି। ପୁଅ ଝିଅ ଜ୍ୱାଇଁ କିଏ ଟିକିଏ କଣ ଆଣିଦେବେ ବୋଲି ଯାହା ଭାବୁ ଥିଲେ ତାହା ଆଶାରେ ରହିଗଲା। ଝିଅକୁ କହିଲେ ବେଳେବେଳେ ସେ ଆଣେ। କେତେ ବା କହିବେ। ପରଘର କଥା ବେଶି କହିଲେ ଭଲ ନୁହେଁ ଭାବି ଚୁପ୍ ରୁହନ୍ତି। ନିଜ ପୁଅ ବୋହୁ ଯଦି ଘରେ ଥାଇ ବୁଝିପାରୁ ନାହାନ୍ତି ଝିଅଠାରୁ କାହିଁକି ଆଶା କରି ରହିବେ। ତଥାପି ଖାଇବା ଲୋଭ ସମ୍ଭାଳି ପାରନ୍ତି ନାହିଁ। ଦିନେ ଦିନେ ଆଇଁଷ ଖାଇବାକୁ ଇଛା କରି ଝିଅକୁ ପଚାରି ଦିଅନ୍ତି -ଆଇଁଷ କରିଛୁକି। ଝିଅ ବାପାଙ୍କ ଇଛା ଜାଣି ପାରି ତାଙ୍କ ପାଇଁ ଦି'ଟା ନିଏ। କିନ୍ତୁ ଘରେ ପହଞ୍ଚିଲା ପରେ ମା କହନ୍ତି ମୋ ପାଇଁ ଦି'ଟା ଆଣିଲୁନି। କୁନୀ ବିରକ୍ତ ହେଇ କହେ ବାପା ଯେମିତି ତାଙ୍କ ପାଇଁ କହିଲେ ତୁ କହିଲୁନି। 

ହୋଉ ହେଲା ଏବେଠାରୁ କହିଲି, ଯେତେବେଳେ ଆଣିବୁ ମୋ ପାଇଁ ଆଣିବୁ। ଗାୟତ୍ରୀ କଥାଟା ମୁହଁ ଫୁଲେଇ କହିଲେ। 

କୁନୀ ବୁଝି ପାରିଲାନି ଘରେ ପୁଅ ବୋହୁ ଥାଉ ଥାଉ ତାକୁ କାହିଁକି ଏତେ କହୁଛନ୍ତି। ପଚାରିବାରୁ କହିଲେ- ସେମାନେ ତ ବହୁତ କରୁଛନ୍ତି। ଜ୍ୱାଇଁ ବାହାରି ପଡି କହିଲେ- ଆପଣଙ୍କର ଭଲରେ ଦି'ଟା ଖାଇବା ଛଡା ଆଉ କଣ ଦରକାର ଯେ କରୁଛନ୍ତି। 

ହଁ ହଁ ସେମାନେ କରୁଛନ୍ତି, ନରେନ୍ଦ୍ର ଏକପ୍ରକାର କୃତ୍ରିମ ହସ ହସି କହିଲେ। 

- ମୁଁ ବା ପଚାରୁଛି କଣ କରୁଛନ୍ତି, ଜୋଇଁ ତାଙ୍କ କଥାକୁ ପୁନରାବୃତ୍ତି କଲେ।

ନରେନ୍ଦ୍ର ପୁଣି ସେମିତି କହିଲେ- ହଁ ହଁ କରୁଛନ୍ତି। 

ହୋଉ କରୁଛନ୍ତି ଯଦି ଭଲ କଥା କହି ଝିଅ ଜ୍ୱାଇଁ ରାଗରେ ଉଠି ପଳାଇ ଆସିଲେ। 

କିନ୍ତୁ ଚାରିଦିନ ଯାଇନି ଡାକରା ଆସିଲା, ଦେହ ଭାଷଣ ଖରାପ। ଦୁଇ ଦିନ ଧରି ବାପାମା ଭଲରେ ଖାଇ ନାହାନ୍ତି। 

ଝିଅ ପଚାରିଲା -ଭାଉଜ କଣ ତାଙ୍କ ପାଇଁ ଖାଲି ରାନ୍ଧୁଛନ୍ତି। ତମ ପାଇଁ କିଛି କରୁନାହାନ୍ତି। ବାପା ଉତ୍ତର ନଦେଇ ଚୁପ ରହିଲେ।  

ଭାଇ ଭାଉଜଙ୍କ ଦାୟିତ୍ବହୀନତା ପାଇଁ କୁନୀ ଖୁବ୍ ଆପତ୍ତି କରିଲାରୁ ଗାୟତ୍ରୀ କହିଲେ ସେମାନେ ବହୁତ କରୁଛନ୍ତି। ବାପାମାଆଙ୍କ ଏପରି ଭିତ୍ତିହୀନ ଉତ୍ତରରେ କୁନୀ ଅସହାୟ ଅନୂଭବ କଲା। ଅସହାୟତା ଧିରେ ଧିରେ ଅସହିଷ୍ଣୁତା ଆଡକୁ ବି ଢଳିବାକୁ ଲାଗିଲା। 

କୁନୀ କିଛି କହିବା ପାଇଁ ଚାହୁଁଥିଲା କିନ୍ତୁ ଗାୟତ୍ରୀ ଦେବୀ ଅଟକାଇ ଦେଇ କହିଲେ- ତୁତ ମୋ ଝିଅ। ତୁ ଆମ ପାଇଁ ଦି'ଟା ଖାଇବାକୁ ଆଣିଆସିଲେ କଣ ହୁଅନ୍ତା ନାହିଁ। ଝିଅ ଏତେ ଦୂରରୁ ଖାଇବା ଆଣିବା ପାଇଁ ରାଜି ହେଇ ପାରୁନଥିଲା କି କିଛି କହି ପାରୁ ନଥିଲା। ଶେଷରେ ବୁଦ୍ଧି ଖର୍ଚ୍ଚ କରି କହିଲା- ମା! ଠିକ୍ ଅଛି ମୁଁ ତିନି ଦିନ ଖାଇବା ନେଇ ଆସୁଛି। ତମେ ପୁଅକୁ କହି ବାକି ଦିନ ଏଠି ଖାଇଦେବ। ସେମାନେ ଏ ଘର ଭିତରେ ରହି ଏତିକି କଣ କରି ପାରିବେନି। 

ହଁ ହଁ ସେମାନେ କରୁଛନ୍ତି। ତୁ ଆମର ତିନି ଦିନ ନେଇ ଆସିବୁ- ବୁଧବାର ଶୁକ୍ରବାର ଓ ରବିବାର। ତୋ ବାପା କେତେ ଆଇଁଷକୁ ଭଲ ପାଆନ୍ତି, ତୁ ତ ଜାଣିଛୁ !

ଝିଅ ମାର ବୁଦ୍ଧିକୁ ଘୃଣା କରିବ କି ପ୍ରଶଂସା କରିବ କିଛି ବୁଝି ପାରୁ ନଥିଲା। ବ୍ୟସ୍ତ ହୋଇ ଏପଟ ସେପଟ ଅସହାୟ ଭାବରେ ଅନାଇଲା। ଜ୍ୱାଇଁ ଚୁପ୍ ଚୁପ୍ ହସୁଥାନ୍ତି। 

କିଛି ସମୟ ପରେ କୁନୀ ଉପାୟ ପାଇଲା ପରି କହିଲା -ହୋଉ ସେୟା କରିବି। ଗାୟତ୍ରୀ ଖୁସି ହେଇ କହିଲେ ମୋ ସୁନା ଝିଅଟା ପରା ମୁଁ ଜାଣେ ଆମ ପାଇଁ ଏତିକି ଟିକେ କଷ୍ଟ ନିଶ୍ଚିତ କରିବ। ଆଉଟିକେ ଖୁସି ହୋଇ କହିଲେ, କାଲି ବାରଟାରୁ

ଗୋଟେ ଭିତରେ ଖାଇବା ନେଇ ଆସିବୁ ନହେଲେ ତୋ ବାପାଙ୍କ ଖାଇବା ସମୟ ଡେରି ହେଇଯିବ। ଜ୍ୱାଇଁ ପାଖରେ ବସିଥିଲେ ଭାବିଲେ କହିବେ କି, -ଖାଇବାକୁ ଠିକରେ ଯିଏ ପାଉନି, ସମୟ ଶୃଙ୍ଖଳା କଥାକୁ ଚିନ୍ତା କରୁଛି। କିନ୍ତୁ ହସିଦେଇ ରହିଗଲେ।

ଝିଅ ହସି ଦେଇ କହିଲା, ମା ତୁ ଜମାରୁ ବ୍ୟସ୍ତ ହ' ନା। ମୁଁ ପୁରା ସକାଳୁ ପଳେଇ ଆସିବି ଯେ ଏଇଠି ତମପାଇଁ ରୋଷେଇ କରିଦେବି। ଗାୟତ୍ରୀ ଚମକି ଉଠି ପଚାରିଲେ, ତୋ'ଘରେ ପୁଣି କେମିତି ଯାଇ ରୋଷେଇ କରିବୁ। ଜ୍ୱାଇଁ କେମିତି ଖାଇକି ଯିବେ। 

କୁନୀ କହିଲା- ତୁ କାହିଁକି ଚିନ୍ତା କରୁଛୁ? ମୁଁ ଏଠି ସବୁ କରିଦେବି! ମୋ ଘର ପାଇଁ ବି ଏଥିରୁ କିଛି ନେଇଯିବି। 

ଗାୟତ୍ରୀ ମୁହଁ ଆମ୍ବିଳା କରି ଅନାଇ ରହିଲେ। ତାଙ୍କ ଅସହାୟତା ଯେମିତି ମାଡି ବସୁଥିଲା। 

କୁନୀର ବୁଦ୍ଧି କୁ ତାରିଫ କରି ଜ୍ୱାଇଁ ମନେ ମନେ ହସୁଥିଲେ। 

ପରଦିନ ଝିଅ ଯେତେବେଳେ ଘରେ ଆସି ରୋଷେଇ ଆରମ୍ଭ କଲା, ପଚାରିଲା -କଣ କରିବି କୁହ। ଅନିଛା ସତ୍ଵେ ମା କହିଲେ ତୋର ଯାହା ଇଛା କର। 

ମୋର କିଛି ଇଛା ନାହିଁ। ତମେ ତ ଆଇଁଷ ଖାଇବ ବୋଲି ମୋତେ ଡାକିଛ। 

ହୋଉ ତୋ ବାପାଙ୍କୁ ପଚାର ଆଜି ସେ ଖାଇବେ ନା ନାଇଁ। 

ନରେନ୍ଦ୍ର ସାଙ୍ଗେ ସାଙ୍ଗେ କହିଦେଲେ ଆଜି ସାଧା କର।

କୁନି ଏଥରକ ହସିକି ପଚାରିଲା- ସାଧା ଯେ କଣ କରିବି କୁହ। ଫ୍ରୀଜରେ ଖାଲି ପୋଟଳ ଅଛି। 

ହଁ ସେୟା କରିଦେ ବୋଲି କହିଲେ, ବାପା।

ରୋଷେଇ ଆରମ୍ଭ କରି କୁନୀ ଫୋନରେ ମାଛ ମଗେଇଲା। ସାଧା କରି ସାରି ଯେତେବେଳେ ସେ ମାଛ ଆରମ୍ଭ କଲା ଗାୟତ୍ରୀ ଆଉ ନିଜକୁ ସମ୍ଭାଳି ପାରିଲେ ନାହଁ। କହିଲେ ମାଛ ଭାଜୁଛୁ କି? 

କୁନୀ ଉତ୍ତର ଦେଇ କହିଲା ହଁ ବୁଧବାର ତ ଆମେ ମାଛ ଖାଇବୁ। ତମେତ ସାଧା ଖାଇବ କହିଲ !

ଗାୟତ୍ରୀ ନିଜ ଇଚ୍ଛାକୁ ଯେତେ ଚାପି ଧରିଲେବି ପାରୁ ନଥାନ୍ତି। ଶେଷରେ କହି ପକାଇଲେ -ଆଲୋ ଝିଅ ମାଛ ଦି'ଟା ରଖିଥିବୁ। ମୋ ପୁଅର ମାଛକୁ ଭାରି ଲୋଭ। 

କୁନୀ ରାଗରେ କହିଲା- ମୁଁ କଣ ତାଙ୍କ ପାଇଁ ଏଠି ରୋଷେଇ କରୁଛି? 

ତୋ ଭାଇଟା ପରା, ଗାୟତ୍ରୀ ସାକୁଳେଇ କହିଲେ।

ହୋଉ ହୋଉ, ମୁଁ ଫୋନଟା ଲଗେଇ ଦେଉଛି ତୁ ଟିକେ ଭାଇକୁ କହିଦେ ଆସିଲା ବେଳକୁ ଗୋଟିଏ ବଡ ପିଜା ଆଣିଥିବ। 

ମୁଁ ସେଗୁଡା କହି ପାରିବିନି, ଗାୟତ୍ରୀ ଚିଡି ଯାଇ କହିଲେ

-ତାହେଲେ ମା ତୁ କିଛି କହନା। ତୁ ଏମିତି କାହିଁକି ହେଉଛୁ ଯେ। 

ଗାୟତ୍ରୀ କହିଲେ କଣ ହେଲି ମୁଁ । ମାଛ ଦି'ଟା ରଖିବାକୁ କହିଲି ଯେ ଭୁଲ ହେଇଗଲା। ତୁ ତ ପୁଣି ଆମ ଡାଲି ଚାଉଳ ଗ୍ୟାସ ସବୁ ଖର୍ଚ୍ଚ କଲୁ। ତୋର କଣଟା କ୍ଷତି ହେଇଗଲା। 

କୁନୀ ଏସବୁ ଶୁଣି ଥମ୍ ହୋଇ ବସି ପଡ଼ି କହିଲା -ମୋର ଭୁଲ ହେଇ ଯାଇଛି। ତମ ଘର ଜିନିଷ ମୁଁ ଆଉ ଜମାରୁ ନେବିନି। ସବୁ ରଖି ଦେଇ ଯାଉଛି। ତୋ ପୁଅ ବୋହୁ ଙ୍କୁ ଦେଇଦେବୁ। 

କୁନୀ ବାହାରି ଚାଲି ଆସିଲା। ପଛରୁ ଯେତେ ଡାକୁଥାନ୍ତି ଆଉ ଶୁଣିଲା ନାହିଁ। 

କିଛି ଦିନ ଉତ୍ତାରୁ ପୁଣି ଫୋନ୍ ପରେ ଫୋନ୍ ଆସିବା ଆରମ୍ଭ ହେଇଗଲା। କେତେବେଳେ ମା କିଛି ଖାଉ ନାହାନ୍ତି ତ କେତେବେଳେ ଖଟରେ ଝାଡା ପରିଶ୍ରା ହେଇ ଯାଉଛି। ଦିନେ ନରେନ୍ଦ୍ର ନିଜେ ଫୋନ୍ କରି କୁନିକୁ କହିଲେ -ପୁଅ ବୋହୁ ଦୁଇ ଦିନ ହେଲା ଯାଇଛନ୍ତି ଯେ ଆମେ ଆଉ କିଛି ଖାଇ ପାରୁନୁ। ହୋଟେଲ ଖାଇବା ଖାଇ ତୋ ମାର ଦେହ ଆହୁରି ଖରାପ୍ ହେଇ ଯାଉଛି। ତୁ ଟିକେ ଆମ ପାଇଁ କଣ ନେଇକି ଆସନ୍ତୁ ନାହିଁ? 

କୁନୀର ମନ ଦୁଃଖରେ ଝାଉଁଳି ପଡିଲା। ତୁରନ୍ତ ଘରେ ଖାଇବା ଧରି ସେ ପହଞ୍ଚି ଗଲା। ଗାୟତ୍ରୀ ଆଗ ଗୁଡାଏ କାନ୍ଦି ପକାଇ କହିଲେ -ମୋ ମା'ଟା ଆସିଛୁ। ଆମକୁ ଟିକିଏ ତମ ଘରକୁ ନେଇଯାଇ ରଖିଲେ ହୁଅନ୍ତା ନି? ତୋ ବାପା ଏଠି ବହୁତ ହଇରାଣ ହେଉଛନ୍ତି। ମୁଠାଏ ଭଲରେ ଖାଇବାକୁ ପାଉ ନାହାନ୍ତି। ସଦାବେଳେ ହୋଟେଲ ଖାଇବା ଦେହରେ ଯାଉନି। 

କୁନୀ ପଚାରିଲା -ତୁ କଣ ସତରେ ଯିବୁ ! ତୋତେ ଭଲ ଲାଗିବ ତ? 

-ଆମର ଆଉ ଭଲ ମନ୍ଦ କଣ ଅଛି। ଭଲ କଣ ପାଇଁ ଲାଗିବନି। ଆମ ନାତି କେତେ ବଡ ହେଇ ଗଲାଣି। 

-ହଁ ଯେ, ନାତି ସାନ ଥିଲା ବେଳେ ତ ଘରେ ଆସି କେବେ ରହିନଥିଲ। ଏବେ ସତ କହୁଛ- ସବୁଦିନ ପାଇଁ ରହି ପାରିବ। 

-ଗାୟତ୍ରୀ କାନ୍ଦି କହିଲେ -ଆମେ ତ ଠିକରେ ଉଠି ବସି ପାରୁନୁ। ତୁ ହିଁ ଏକା ଭରସା, ପୁଅଟା ତ ଆମ କଥା ବୁଝିଲା ନାହିଁ ଆଉ କାହାକୁ କହିବି! ଆମେ ବୁଢ଼ା ବୁଢୀ ଦିଜଣଙ୍କୁ ତମେ ଟିକିଏ ନ ପଚାରିଲେ କଣ ହେବ। ଜ୍ୱାଇଁ ଆମର ତ ସୁନା ମୁଣ୍ଡାଟେ। 

ଝିଅ ପୁଣି ଥରେ ବାପାଙ୍କ ଆଡକୁ ଚାହିଁ ପଚାରିଲା -ବାପା ତମେ ଯିବ ତ! 

ହଁ ତୁ ରଖି ପାରିଲେ ଯିବି- ଅସ୍ପଷ୍ଟ ଭାବରେ ଉତ୍ତର ଦେଲେ ନରେନ୍ଦ୍ର 

କୁନୀ କହିଲା ଠିକ୍ ଅଛି ତମେ ପ୍ରସ୍ତୁତ ହୁଅ । ଏ ଘରଟା ଖାଲି କରିଦେଇ ଭଡା ଲଗାଇ ଦେବା। ଆଉ ପଛ ପଟ ଯାଗାଟା ମୋ ନାଁରେ କରିଦେବ। ଏବେ ନୁହେଁ ପରେ ସୁବିଧା ଦେଖି କରିବା। 

-ଗାୟତ୍ରୀ ଶଙ୍କାର ସହିତ ପଚାରିଲେ - ତୁ ଏମିତି କଣ କହୁଛୁ ! ତୋର ଆମ ସମ୍ପତ୍ତି ଉପରେ ଲୋଭ କାହିଁକି? 

-ଭୁଲ୍ କଣ ହେଲା। ଏଠି ତ ଏତେ କଷ୍ଟ, ତମେ ସହି ପାରୁନ। ମୋ ପାଖରେ ଆରାମରେ ରହିବ। ଅସୁବିଧା କଣ। ତମ ଘରେ ତ ଭାଇ ରହୁଛି। ସେ ବି ପୁରା ଘରଟା ପାଇ ଅଚିନ୍ତା ହେଇଯିବ।

ଗାୟତ୍ରୀ ନରେନ୍ଦ୍ର ଙ୍କୁ ଲକ୍ଷ କରି କହିଲେ ଦେଖୁଛ ତ ଏମାନଙ୍କ ଉଦ୍ଦେଶ୍ୟ। ଏମାନେ ଆମକୁ କେମିତି ହଇରାଣ କରି ମାରୁଛନ୍ତି। ମୁଁ କେତେବେଳେ ହଇରାଣ କଲି। ତମେ ତ ମୋ ପାଖରେ ଭଲରେ ରହିବ ବୋଲି ଡାକିଛ। ମୁଁ ବି ତ କହୁଛି ଭଲରେ ରଖିବି। ତାପରେ ପଛପଟ ଯାଗା ଟା ଦେଲେ ଅସୁବିଧା କଣ। ତମ ପରେ ତ ଘରଟା ଭାଇର। ତାର ବି କିଛି ଅସୁବିଧା ନାହିଁ। ତମେ ବି କାହାପାଇଁ ଲୋଭ କରି ରଖୁଛ, ଯିଏ ତମକୁ ଟିକେ ଖାଇବାକୁ ଦେଇ ପାରୁନି ! ଗାୟତ୍ରୀ ଅସହାୟ ଜଣା ପଡୁଥିଲେ ଓ ନରେନ୍ଦ୍ରଙ୍କ ଆଡକୁ ବାରମ୍ବାର ଅନାଉଥାନ୍ତି। ନରେନ୍ଦ୍ର ନିଜର ଅସହାୟତା ପ୍ରକାଶ କରି କହିଲେ ତମେ ଯାହା ଠିକ୍ ଭାବୁଛ କର।  ଗାୟତ୍ରୀ ଝିଅକୁ କହିଲେ -ତୁ ମା' ଯା। ଆମେ ତୋ ଘରେ ରହିଲେ ତୋ ଶାଶୁ ଶଶୁର କଣ ଭାବିବେ!। ତୁ ଭଲରେ ରହ। ଆମକୁବି ଭଲରେ ରହିବାକୁ ଦେ। ଆମେ ଯେମିତି ଅଛୁ ଭଲରେ ଅଛୁ। କାହାର ଦୟା ଦରକାର ନାହିଁ। ଆମେ ଅସହାୟ ନୁହଁ। ଜ୍ୱାଇଁ ସବୁ ବସି ଶୁଣୁଥିଲେ ଓ ବୁଝିବାକୁ ଚେଷ୍ଟା କରୁଥିଲେ, ସତରେ କଣ ଅସହାୟ ନୁହଁ?



Rate this content
Log in

Similar oriya story from Abstract