Banabihari Mishra

Romance

3  

Banabihari Mishra

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

8 mins
279


ପ୍ରଣୟ ବାବୁ ଆଜି ବେଶ୍ ଖୁସି। ନିଜର ବୋଲି ଏ ଦୁନିଆଁରେ ତାଙ୍କର କେହିଜଣେ ଅଛି ବୋଲି ଆଜି ଅନୁଭବ କରୁଥିଲେ। ଏମିତି କେହି ଜଣେ ଅଛି ତାଙ୍କର ସୁଖରେ ସୁଖୀ ଆଉ ଦୁଃଖରେ ଦୁଃଖୀ ହେବାପାଇଁ। ଲୁହରେ ଲୁହ ଆଉ କାନ୍ଦରେ କାନ୍ଦ ମିଶେଇବା ପାଇଁ।


ପିଲାଟି ଦିନରୁ ବାପା ମାଆ ନାହାନ୍ତି। ପିଉସୀ ନାନୀ ଘରେ ବାଲ୍ୟକାଳ କଟିଛି। ସେଇଠି ପ୍ରାଥମିକ ଶିକ୍ଷା। ପିଉସୀ ନାନୀଙ୍କର କଡା ଅନୁଶାସନ, ପିଉସୀ ଝିଅ ଭଉଣୀ ସୋନି ନାନୀର ସଠିକ ମାର୍ଗଦର୍ଶନ ଆଉ ସର୍ବୋପରି ପିଉସାଙ୍କର ଅକୁଣ୍ଠ ସ୍ନେହ ପ୍ରଣୟଙ୍କୁ ଗାଁରେ ଗୋଟେ ଭଲ ପିଲା କରି ଗଢିତୋଳିଥିଲା। ଯଦିଓ ବାଲ୍ୟ ଚପଳତା ବଶତଃ ପ୍ରଣୟ କେବେ କେବେ ଦୁଷ୍ଟାମି କରନ୍ତି, ତଥାପି ଅନ୍ୟ ସବୁ ଭଲଗୁଣକୁ ନଜରରେ ରଖି କେହି କେବେ ଘରେ ଆସି ଅଭିଯୋଗ କରନ୍ତି ନାହିଁ। ବରଂ ନିଜନିଜର ପିଲାମାନଙ୍କୁ ଆକଟ କରନ୍ତି, 'ପ୍ରଣୟ ସେମିତି ପିଲା ନୁହେଁ, ସେ କେବେ ଏମିତି କରିବନି।' ... ଇତ୍ୟାଦି।


ଗାଁର ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଣୟ ପାଖ ସହରରେ ମହାବିଦ୍ୟାଳୟରେ ନାମ ଲେଖାନ୍ତି। ଗାଁ ଠାରୁ ପ୍ରାୟ ସତର କି ଅଠର କିଲୋମିଟର ଦୂର। ପ୍ରଥମେ ପ୍ରଥମେ ତ ଯୌବନର ଉଦ୍ଦାମତା ଯୋଗୁଁ ହେଉ କି ସାହସିକ ପଦକ୍ଷେପ ନେବାପାଇଁ ଲାଳସା, ପ୍ରଣୟ ତାଙ୍କ ପିଉସାଙ୍କର ସେଇ ମରହଟ୍ଟିଆ ହମ୍ବର ସାଇକେଲରେ କଲେଜ ଯାଉଥିଲେ। ପ୍ରାୟ ସବୁଦିନେ ସାଇକେଲରେ କିଛି ନା କିଛି ସମସ୍ୟା ଦେଖାଦିଏ। କୋଉଦିନ ସାଇକେଲର ବ୍ରେକ କାମ କରେନା ଆଉ ପ୍ରଣୟ କୋଉ ଗଛ କି ବୁଲା ଗାଈଗୋରୁ ସହ ଧକ୍କା କରି କଚଡାଏ ଖାଇ ଫେରନ୍ତି ତ ଆଉ କୋଉଦିନ ସାଇକେଲର ଚେନ୍ ଖସିଯିବା ହେତୁ ହାତ ମୁହଁ କଳା କରି ଫେରନ୍ତି। ସେଥିରେ ପୁଣି ଘରେ ପହଞ୍ଚିବା ପରେ ସେଇ କଥାକୁ ନେଇ ପିଉସୀ ଆଉ ପିଉସାଙ୍କ ଭିତରେ ଉଚ୍ଚବାଚ ହେଇଯାଏ। ପିଉସୀ କୁହନ୍ତି, 'ପିଲାଟାର ସାଇକେଲଟା ସଜାଡି ଆଣୁନ, ପିଲାଟି ହୀନସ୍ତା ହୋଉଚି, ତୁମକୁ କ'ଣ ଭଲ ଲାଗୁଛି'। ପିଉସା କୁହନ୍ତି, 'ସିଏ କ'ଣ ଛୋଟ ପିଲା ହେଇଚି। କଲେଜରେ ପଢିଲାଣି। ନିଜେ ଯାଇ ସାଧୁଆ ପାଖରେ ମରାମତି କରିନେଇ ପାରିବନି?'


ତା ପର ଶନିବାର ଦିନ ପ୍ରଣୟ ସାଇକେଲଟା ନେଇ ସାଧୁକକା ଦୋକାନରେ ପହଞ୍ଚିଲେ। ଛୋଟିଆ ଦୋକାନ। କେତେଖଣ୍ଡ ରେଞ୍ଚି, ପ୍ଲାସ୍ ଆଉ ସାଇକେଲ ସଜାଡିବା ପାଇଁ ଆବଶ୍ୟକ ସରଞ୍ଜାମକୁ ନେଇ ଦୋକାନ। ସାଧୁକକା ଗୋଟେ ମୋଟା ଚଷମା ଲଗେଇ ସାଇକେଲ ମରାମତି କରନ୍ତି। ପୁଅଟାକୁ ଏ ସାଇକେଲ ମରାମତି ଧନ୍ଦାରେ ଜମାରୁ ହାତ ଲଗେଇ ଦେଲେନି। ପୁଅକୁ କୋଉ ଦୂର ଜାଗାରେ ପାଠ ପଢେଇଲେ। ଭଲ ପଢୁଥାଏ। 


ପ୍ରଣୟ ସାଇକେଲ ନେଇ ପହଞ୍ଚିବା ମାତ୍ରେ ତାର ଅପରେସନ ଆରମ୍ଭ ହେଇଗଲା। ସବୁ କଳକବଜା ଖୋଲି ସଫା କରାଗଲା। ସାଧୁକକା କହିଲେ, 'ପୁଅ, ଘର ଭିତରେ ଯାଇ ବସିଥା। ମୁଁ ସବୁ ଠିକ୍ କରିଦୋଉଚି। ମୋତେ ନନା (ପ୍ରଣୟଙ୍କ ପିଉସା) ସବୁ କହିଛନ୍ତି।' ସେଇ ଦୋକାନରେ ବସି ବସି ବୋର୍ ହେବା ଅପେକ୍ଷା ଘର ଭିତରେ ଯାଇ ବସିବା ଶ୍ରେୟସ୍କର ବୋଲି ଚିନ୍ତାକରି ପ୍ରଣୟ ଘର ଭିତରକୁ ଗଲେ। ଦୋକାନକୁ ଲାଗି ସାଧୁକକାଙ୍କ ଘର। ସେଇ ବାଟଘରେ ପଡିଥିବା ଗୋଟେ ଚେୟାରରେ ବସିଗଲେ। ଗାଁରେ ଏତେ ସବୁ ଫର୍ମାଲିଟି ନଥାଏ। ହାଲୋ, ହାୟ, ଥ୍ୟାଙ୍କ୍ ୟୁ, ସରି ଆଦି ଉପରଠାଉରିଆ ଅଭିବ୍ୟକ୍ତିଠୁ ଦୂରରେ ଆବିଳତାମୁକ୍ତ ସରଳ ମନଥିବା ମଣିଷସବୁ। 


ଘରଟା ଭିତରେ ବସିବା ସମୟରେ ପ୍ରଣୟ ଆଖି ବୁଲେଇ ଆଣିଥିଲେ ଘରଟିର ସାଜସଜ୍ଜା ଉପରେ। ବେଶ୍ ରୁଚିପୂର୍ଣ୍ଣ ଭାବରେ ଘରଟି ସଜା ହୋଇଥାଏ। ଗୋଟିଏ କଣକୁ ପଢା ଟେବୁଲ। ତା ଉପରେ ଠିକ୍ ଭାବରେ ବହି ଆଉ ଖାତା। ଟେବୁଲ ଉପରେ ପଡିଥିଲା ସୁନ୍ଦର ଭାବରେ କଳାକୃତି ପୂର୍ଣ୍ଣ ଟେବୁଲକ୍ଲଥ ଆଉ ତା ଉପରେ ଟେବୁଲ ଲ୍ୟାମ୍ପ। କାନ୍ଥରେ ହାତବୁଣା ଫ୍ରେମରେ ବନ୍ଧା ହୋଇଥିବା ତିନୋଟି ଚିତ୍ରପଟ। ଘରର ସାଜସଜ୍ଜା ଦେଖି ଏସବୁ ପଛରେ ଥିବା ହାତକୁ ମନେ ମନେ ପ୍ରଶଂସା କରୁଥିଲେ ପ୍ରଣୟ। ଏକରକମ ଭାବନାରେ ହଜି ଯାଇଥିଲେ ସେ। ହଠାତ୍ କାହାର ସୁମଧୁର ସ୍ବରରେ ସଚେତନ ହେଲେ ସେ। ଆଖି ଉଠେଇ ଦେଖିଲେ ପ୍ରଣୟ, ଆଗରେ ସୁନ୍ଦରୀ ମାର୍ଜିତା ଝିଅଟିଏ। ପାଣି ଗ୍ଲାସ ଧରି 'ପାଣି ନିଅନ୍ତୁ' ବୋଲି କହୁଛି। 


ଝିଅଟି ହାତରୁ ପାଣିଗ୍ଲାସ ନେଇ ପିଇବା ଭିତରେ ପ୍ରଣୟ ମନେ ମନେ ଭାବୁଥିଲେ କାଇଁ ଏ ଝିଅଟା ତ ଆମ ଗାଁର ନୁହେଁ। କିନ୍ତୁ କୋଉଠି ଦେଖିବା ଭଳି ଲାଗୁଛି। ପ୍ରଣୟ ମନେ ପକାଉଥିଲେ କୋଉଠି ଏ ଝିଅଟାକୁ ଦେଖିଛନ୍ତି। ସେତିକିବେଳେ ଝିଅଟି ଘର ଭିତରୁ ପୁଣି ଆସିଲା। ଏଥର ହାତରେ ଗୋଟେ ପ୍ଲେଟରେ କିଛି ବିସ୍କୁଟ ଆଉ ଚା' କପେ ଥିଲା। ମୋ ସାମନା ଚେୟାରରେ ଝିଅଟା ବସିପଡିଲା। ପ୍ରଣୟ କହିଲେ, "ଆଗରୁ ମୁଁ ତୁମକୁ କୋଉଠି ଦେଖିଛି। ଠିକରେ ମନେ ପକେଇ ପାରୁନି।" ଝିଅଟି କହିଲା, "ଆପଣ ଯୋଉ କଲେଜରେ ପଢନ୍ତି, ମୁଁ ସେଇ କଲେଜରେ ପଢେ। ଆପଣ ଇଣ୍ଟରମେଡିଏଟ ସାଇନ୍ସ ଦ୍ବିତୀୟ ବର୍ଷ ଆଉ ମୋର ଇଣ୍ଟରମେଡିଏଟ ଆର୍ଟ୍ସ ପ୍ରଥମ ବର୍ଷ।" ପ୍ରଣୟ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ଦୈନିକ ଯିବା ଆସିବା ଭିତରେ ଏ ଗାଁର ପ୍ରାୟ ସବୁ ପୁଅ ଝିଅଙ୍କୁ ସେ ଦେଖିଛନ୍ତି। କିନ୍ତୁ ଏ ଝିଅକୁ କେବେ ଦେଖିନାହାନ୍ତି। ପଚାରିଲେ, "ତୁମ ଘର କୋଉଠି? ତୁମେ ସାଧୁକକାଙ୍କ ଘରେ କେମିତି?"


ଝିଅଟିର ଉତ୍ତରରେ ପ୍ରଣୟ ହତବାକ୍ ହେଇଯାଇଥିଲେ। ସାଧୁକକାଙ୍କ ଝିଅ? ନାଁ ସୀମା। ପିଲାଟି ଦିନରୁ ଏଇ ଗାଁରେ ପ୍ରଣୟ ବଢିଛନ୍ତି। ବଡ ଗାଁଟିଏ ହେଲେ ବି ଗାଁର ସବୁ ଲୋକଙ୍କୁ ସିଏ ଜାଣନ୍ତି। ସାଧୁକକାଙ୍କର ଷୋଳ ସତର ବର୍ଷର ଝିଅଟିଏ କେବେ ହେଲା? ନିଜର ଭାବନାକୁ ମନ ଭିତରେ ରଖି ଅନ୍ୟ ବିଷୟରେ କଥାବାର୍ତ୍ତା ହେଲେ। ସେତିକିବେଳେ ସାଧୁକକା ଡାକିଲେ, "ପୁଅ, ତୋ ସାଇକେଲଟା ଠିକ ହେଇଗଲା। ନେଇଯା।" କେତେ ପଇସା ହେଲା ବୋଲି ପଚାରିବାରୁ 'ନନା ବୁଝିବେ, ତୁ ଚିନ୍ତା କରନା'। ପ୍ରଣୟ ସାଇକେଲ ଆଣି ଘରକୁ ମୁହେଁଇଲେ। ମନଟା ବ୍ୟାକୁଳ ହେଉଥାଏ ସେଇ ଝିଅଟା ବିଷୟରେ ଜାଣିବା ପାଇଁ। ସୁବିଧା ଦେଖି ପିଉସୀଙ୍କୁ ପଚାରିଲେ। ଜାଣିବାକୁ ପାଇଲେ ସୀମାର ବାପା ସାଧୁକକାଙ୍କ ଶଳା। ତାଙ୍କ ଗାଁ ଦୂର ହେଇଥିବାରୁ ମଝିରେ ମଝିରେ ସିଏ ତା ପିଉସୀ ଘରକୁ ଆସେ। କିନ୍ତୁ ଏଇ ଗଲା ମାସ ଗୋଟେ ସଡକ ଦୁର୍ଘଟଣାରେ ତା ବାପା ମାଆ ଚାଲିଗଲା ପରେ ଝିଅଟା ତା ପିଉସୀ ଘରେ ରହି ପାଠ ପଢୁଛି। ଏମିତି ତ ସିଏ ମେସରେ ରହୁଛି, କିନ୍ତୁ ଛୁଟି ହେଲେ ମଝିରେ ମଝିରେ ଆସେ। ଯିଏ ପଚାରିଲେ ସାଧୁକକାଙ୍କ ଝିଅ ବୋଲି ପରିଚୟ ଦେଉଛି।


ଏଇମିତି ଥିଲା ସୀମା ସହ ପ୍ରଣୟଙ୍କର ପ୍ରଥମ ପରିଚୟ। ଆଉ କଲେଜରେ ଧୀରେ ଧୀରେ ଦୁଇଜଣଙ୍କର ଦେଖା ସାକ୍ଷାତ ବଢ଼ିବାରେ ଲାଗିଲା। ଇଣ୍ଟରମେଡିଏଟ ଫାଇନାଲ ପରୀକ୍ଷା ପାଖେଇ ଆସିବାରୁ ପ୍ରଣୟ ସେଇ କଲେଜ ପାଖାପାଖି ଗୋଟେ ମେସରେ ରହିଲେ। ସୀମା ମଧ୍ୟ ଆଗରୁ ସେଇ ପାଖାପାଖି ଗୋଟେ ଲେଡିଜ୍ ମେସରେ ରହୁଥିଲା। ସ୍ବାଭାବିକ ଭାବରେ ଦୁଇଜଣଙ୍କର ସେଇ ଗୋଟିଏ ସମୟରେ ଗୋଟିଏ ସ୍ଥାନରେ ଦେଖାହୁଏ। ସାଧାରଣ ଭାବରେ ନିତ୍ୟ ଘଟୁଥିବା ଘଟଣାର ପୁନରାବୃତ୍ତି ହୁଏ। ପ୍ରଣୟ ଆଉ ସୀମାଙ୍କ ମଧ୍ୟରେ ଗଢିଉଠେ ପ୍ରେମ ସମ୍ପର୍କ। ଏ ସବୁଥିରେ ସାକ୍ଷୀ ରହିଥାଏ ସେଇ କୃଷ୍ଣଚୂଡା ଗଛ। ତାରି ଛାଇରେ ସବୁ ପ୍ରେମିକ-ପ୍ରେମିକା ଯୋଡି ଭଳି ସେମାନେ ଗଢି ତୋଳନ୍ତି ସ୍ବପ୍ନର ସୌଧ। ହୃଦୟ ଦେବା ଆଉ ହୃଦୟ ନେବାର ଏଇ ମଧୁର ପ୍ରକ୍ରିୟାରେ ସାକ୍ଷୀ ଥାଏ ସେଇ କୃଷ୍ଣଚୂଡା ଗଛଟା। କେତେବେଳେ ପ୍ରଣୟ ଆଉ ସୀମା କୃଷ୍ଣଚୂଡାର ଖଣ୍ଡେ ଡେମ୍ଫ ଭାଙ୍ଗିଆଣି 'ହି ଲଭ୍ସ ମି, ହି ଲଭ୍ସ ମି ନଟ୍' ବା 'ସି ଲଭ୍ସ ମି, ସି ଲଭ୍ସ ମି ନଟ୍' କହି ଖଣ୍ଡେ ଖଣ୍ଡେ ଭାଙ୍ଗି ପ୍ରେମର ପରାକାଷ୍ଠାକୁ ମିଛିମିଛିକା ପରୀକ୍ଷଣ କରିବସନ୍ତି ତ ଆଉ କେତେବେଳେ କୃଷ୍ଣଚୂଡା ଫୁଲର ପାଖୁଡା ସୀମାର ଗାଲ ପାଖରେ ରଖି ଲଜ୍ଜାବନତା ଅନୁଢାର ଗାଲର ରକ୍ତିମତା ଅବା ରକ୍ତିମ ଓଠ ପ୍ରଲେପର ରଙ୍ଗର ତୁଳନା କରୁଥିଲେ ପ୍ରଣୟ। ସର୍ବୋପରି ଏଇ କୃଷ୍ଣଚୂଡା ସୀମା ଆଉ ପ୍ରଣୟଙ୍କର ପ୍ରେମର ମୂକସାକ୍ଷୀ ହେଇଯାଇଥାଏ।


ଏବେ ସାରା କଲେଜରେ ଚର୍ଚ୍ଚାର ବିଷୟ ସୀମା ଆଉ ପ୍ରଣୟଙ୍କର ପ୍ରେମ। ଏମିତିକି କାନ୍ଥ ବାଡରେ ସେ ଦି'ଜଣଙ୍କ ନାଁ ଯୋଡି ଲେଖାଯାଏ। ସେଥିପାଇଁ କିନ୍ତୁ ସେମାନଙ୍କର ଆଦୌ ଖାତିରି ନଥାଏ। ଗାଁରୁ ପଢୁଥିବା ଅନ୍ୟ ପିଲାମାନଙ୍କ ମାଧ୍ୟମରେ ଗାଁରେ ବି କଥାଟା ପ୍ରଘଟ ହେଇଯାଇଥାଏ। ସବୁଆଡେ ଟୁପୁରୁଟାପର। ପ୍ରଣୟ ଘରକୁ ଯାଇଥିଲା ବେଳେ ପିଉସୀ ନାନୀ ଇଙ୍ଗିତରେ କେତେଥର ପଚାରିଲେଣି। କିନ୍ତୁ ପ୍ରଣୟ କଥାକୁ ଏଡେଇ ଯାଆନ୍ତି।


ସମୟ ଗଡିଚାଲେ। ପ୍ରଣୟ ଇଣ୍ଟରମେଡିଏଟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ଏକ ମହାବିଦ୍ୟାଳୟରେ ବିଜ୍ଞାନ ସ୍ନାତକରେ ନାମ ଲେଖାନ୍ତି। ସୀମାର ଇଣ୍ଟରମେଡିଏଟ କଳା ଅନ୍ତିମ ବର୍ଷ। ଆଗକୁ ପରୀକ୍ଷା। ପରୀକ୍ଷାରେ ବ୍ୟସ୍ତତା ହେତୁ ସୀମା ଆଉ ପ୍ରଣୟଙ୍କର ସହ ବିଶେଷ ଯୋଗାଯୋଗ ରଖିପାରି ନଥିଲା। ପ୍ରଣୟ ମଧ୍ୟ ଚାହୁଁ ନଥିଲେ ସୀମାକୁ ଫାଇନାଲ ଇୟରରେ ଡିଷ୍ଟର୍ବ କରିବା ପାଇଁ। ସ୍ନାତକ ଦ୍ୱିତୀୟ ବର୍ଷରେ ପ୍ରଣୟ ପାଇଯାଇଥିଲେ ମେଡିକାଲ ପଢିବା ପାଇଁ ସୁଯୋଗ। ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୁର୍ଲା ମେଡିକାଲ କଲେଜରେ ନାମ ଲେଖାଇଥିଲେ। ଦୀର୍ଘ ଛଅ ବର୍ଷର ଡାକ୍ତରୀ ପଢା ଭିତରେ ଆଉ ପଛକୁ ଫେରି ଚାହିଁ ନଥିଲେ ପ୍ରଣୟ। ତଥାପି ମନର କୋଉ ଗୋଟିଏ ଅନ୍ଧାରୁଆ କୋଣରେ ପ୍ରଥମ ପ୍ରେମର ସେଇ ଉନ୍ମାଦକ ମୂହୁର୍ତ୍ତସବୁ ବେଳେବେଳେ ମନକୁ ବ୍ୟଥିତ କରୁ ନଥିଲା ତା' ନୁହେଁ। 


ହାଉସ୍ ସର୍ଜନସିପ୍ ପରେ ପରେ ପ୍ରଣୟଙ୍କର ଗୋଟେ ଦୂର ଅପନ୍ତରା ଜାଗାରେ ପ୍ରଥମ ନିଯୁକ୍ତି ହେଲା। ଏହା ଭିତରେ ସୋନି ନାନୀର ବାହାଘର ସରିଯାଇଥିଲା। ପିଉସା ଆଉ ପିଉସୀ ଆଗପଛ ହେଇ ଡକାଡକି ହେଲାପରି ସେପାରିକୁ ଚାଲି ଯାଇଥିଲେ। ସେସବୁ କାମଦାମରେ ପ୍ରଣୟ ଗାଁକୁ ଆସିଥିଲେ। କିନ୍ତୁ ଅନେକ ଚେଷ୍ଟା ପରେ ବି ସୀମାର ଦେଖା ମିଳି ନଥିଲା। ଶୁଣିବାକୁ ପାଇଥିଲେ ଯେ ପ୍ରଣୟଙ୍କ ସହ ତା'ର ସମ୍ପର୍କକୁ ନେଇ ନାନା କଥା ଶୁଣିବା ପରେ ସୀମାକୁ ତା'ର ବାପା ଆଉ ପିଉସୀ ଘରକୁ ଛାଡି ନଥିଲେ। ଗ୍ରାଜୁଏସନ ପରେ ତାର ବାହାଘର କରି ଦେଇଥିଲେ। ଆଉ ତା'ପରେ ପ୍ରଣୟ ସୀମାର କୌଣସି ଖବର ରଖି ନଥିଲେ। 


ଦୀର୍ଘ ତିରିଶି ବର୍ଷର ଚାକିରୀ କାଳ ମଧ୍ୟରେ ପ୍ରଣୟ ସୀମାକୁ ପ୍ରାୟ ସବୁଦିନେ ମନେ ପକାନ୍ତି। ସେଇ ଅଳ୍ପ କେଇଦିନର ପ୍ରେମର ମଧୁର ସ୍ମୃତିକୁ ପାଥେୟ କରି ସାରା ଜୀବନଟା କଟେଇ ଦେବାର ଦୃଢ ନିଷ୍ପତ୍ତି ନେଇ ପୁରା ଚାକିରି କାଳଟା ପ୍ରଣୟ କଟେଇ ଦେଲେ। ଅବଶ୍ୟ ବୁଝାବୁଝି କରି ପ୍ରସ୍ତାବ ପକେଇ ବାହାଘର କରେଇବା ପାଇଁ ସୋନି ନାନୀ ଆଉ ଭାଇନା ତା ଉପରେ କମ୍ ଚାପ ପକେଇ ନାହାନ୍ତି। କିନ୍ତୁ ପ୍ରଣୟ ଥିଲେ ନିଜ ନିଷ୍ପତ୍ତିରେ ଅଟଳ।


ସରକାରୀ ଚାକିରୀରୁ ଅବସର ନେବା ପରେ ପରିଣତ ବୟସର ଏକାକୀପଣକୁ ଆପଣେଇ ନେଇଥିଲେ ପ୍ରଣୟବାବୁ। ଏପରି ସମୟରେ ବନ୍ଧୁ ଶରତ ଗୋଟେ ପ୍ରସ୍ତାବ ଦେଇଥିଲେ ଯାହା ପ୍ରଣୟଙ୍କର ମନକୁ ପାଇଥିଲା। ତାଙ୍କ ନିଜ ଗାଁରେ ସ୍ବଳ୍ପ ପୈତୃକ ଜମିଜମାର ଦେଖାଶୁଣା ସହ ନିଜ ଜାଗାରେ ଗୋଟେ କ୍ଲିନିକ୍ ଖୋଲିଲେ ଗାଁ ଲୋକେ ଉପକୃତ ହୁଅନ୍ତେ ଆଉ ତା'ଛଡା ବ୍ୟସ୍ତତା ଭିତରେ ସମୟ କଟି ଯାଆନ୍ତା। 


ସତକୁ ସତ ପ୍ରଣୟ ବାବୁ ସେଇଆ କଲେ। ହାଟଦେଖା ସାଙ୍ଗକୁ କଦଳୀବିକା ମଧ୍ୟ ହେଇଯିବ। ପୈତୃକ ଜମିବାଡ଼ି, ଯାହା ଏତେଦିନ ହେଲା ଭାଗଚାଷରେ ଦିଆହୋଇ ଥିଲା ଆଉ ଭାଗଚାଷୀମାନେ ନିଜର ଇଚ୍ଛାମତେ ଯାହା ଦେଉଥିଲେ, ସେ ଜମିବାଡିର ପ୍ରତ୍ୟକ୍ଷ ଦେଖାଶୁଣା କରିବାରେ କିଛି ସମୟ ଲାଗିଯିବ।


ଯଥା ସମୟରେ କ୍ଲିନିକ୍ ପ୍ରସ୍ତୁତ ହେଇଗଲା। ପ୍ରଣୟ ବାବୁଙ୍କ କ୍ଲିନିକରେ ଭିଡ ଦିନକୁ ଦିନ ବଢ଼ିବାରେ ଲାଗିଲା। ବୟସାଧିକ୍ୟ ହେତୁ ପ୍ରଣୟ ବାବୁ କ୍ଲିନିକରେ ଜଣେ ସହାୟକର ଆବଶ୍ୟକତା ଅନୁଭବ କରୁଥିଲେ। ଏତିକିବେଳେ ବନ୍ଧୁ ଶରତ ପୁଣି ସହାୟତାର ହାତ ବଢେଇଥିଲା। 


ସେଦିନ ଶରତ ଜଣେ ବୟସ୍କା ମହିଳାଙ୍କୁ ଆଣି ଆସିଲା ସହାୟିକା ଭାବରେ କାମ କରିବା ପାଇଁ। ପ୍ରଣୟ ବାବୁ ମହିଳା ଜଣଙ୍କ ମୁହଁକୁ ଦେଖୁଥାଆନ୍ତି। ବୟସ ଅଧିକ ହେଲେବି କେମିତି ଚିହ୍ନା ଚିହ୍ନା ଲାଗୁଥିଲା। କିନ୍ତୁ ଶରତ କହିଥିଲେ ତାଙ୍କ ନାଁ ପ୍ରଣତି ବୋଲି। ବେଶି କିଛି ଭିତରକୁ ନ ଯାଇ ପ୍ରଣୟ ବାବୁ ତାକୁ କାମ ବିଷୟରେ ବୁଝେଇ ଦେଲେ। ସକାଳୁ ଆସି କ୍ଲିନିକ୍ ସଫାସୁତୁରା କରିବା ଆଉ ରୋଷେଇ କରିବା ତା କାମ।


ବେଶ କିଛିଦିନ ଭଲରେ ଚାଲିଗଲା। ସେଦିନ ପ୍ରଣୟବାବୁ ପ୍ରଣତିକୁ ବହିଥାକଟା ସଫା କରିଦେବାକୁ କହି କ୍ଲିନିକରେ ବ୍ୟସ୍ତ ରହିଗଲେ। ପ୍ରଣତି ଜଣକ ବହିଥାକ ସଫା କରୁକରୁ ପ୍ରଣୟବାବୁଙ୍କ ଡାଏରୀ ଟେବୁଲ ଉପରେ ଦେଖି କୌତୁହଳତା ବଶତଃ ଡାଏରୀ ଖୋଲିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ପୃଷ୍ଠାରେ ସେଇ ଗୋଟିଏ ନାଁ, ସୀମା। ପ୍ରତି ପୃଷ୍ଠାରେ ପ୍ରଣୟ ଆଉ ସୀମାଙ୍କ ପ୍ରେମର ସ୍ମୃତି। ଆଖିରୁ ଲୁହ ବାହାରି ଆସିଥିଲା। ବାହାଘର ପରେ ଶାଶୁଘରେ ତା ନାଁ ବଦଳେଇ ଦିଆ ଯାଇଥିଲା କୋଉଗୋଟେ ଅଲିଖିତ ପ୍ରଥା ଅନୁସାରେ। ସୀମାରୁ ସିଏ ହେଇ ଯାଇଥିଲା ପ୍ରଣତି। ସୀମା ନାଁଟା ହଜି ଯାଇଥିଲା ଶାଶୁଘରେ ଆଉ ଶାଶୁଘର ଗାଁର କୋଉ ଅନ୍ଧଗଳି ଭିତରେ।


ପ୍ରଣୟ ୟା ଭିତରେ ତିନି ଚାରିଥର ଡାକି ସାରିଲେଣି। ସୀମାକୁ ସେ ଡାକ ଶୁଭୁନଥିଲା। ସିଏ ହଜି ଯାଇଥିଲା ସେଇ ପୁରୁଣା ପ୍ରେମର ମଧୁର ସ୍ମୃତିରେ। ତା ଆଖି ଆଗରେ ଭାସିଯାଉଥିଲା ସେଇ କୃଷ୍ଣଚୂଡା ଗଛ ଆଉ ତା ସହ ଯୋଡି ହେଇଯାଇଥିବା ଅସରନ୍ତି ସ୍ମୃତି ସମୟ ଆକାଶରେ ଭସା ବାଦଲ ପରି। ତିନି ଚାରିଥର ଡାକିଲା ପରେ ବି ସିଏ ନଶୁଣିବାରୁ ପ୍ରଣୟ ବାବୁ କେତେବେଳେ ଆସି ତା ପଛରେ ଠିଆ ହେଇଯାଇଥିଲେ ସେକଥା ସୀମା ଜାଣିପାରି ନଥିଲା। ଏକଥା ପ୍ରଣୟ ବରଦାସ୍ତ କରି ପାରୁନଥିଲେ ଯେ ଜଣେ ସ୍ବଳ୍ପ ପରିଚିତା ମହିଳା ତାଙ୍କର ନିହାତି ବ୍ୟକ୍ତିଗତ ଇଲାକାରେ ଦଖଲ ଦେବ, ଯୋଉଠି କାହାର ବି ଅନୁପ୍ରବେଶ ପ୍ରଣୟଙ୍କର ପସନ୍ଦ ନଥିଲା। ବିରକ୍ତିଭରା ସ୍ବରରେ ପ୍ରଣୟ କିଛି କହିବାକୁ ଆରମ୍ଭ କରୁଥିଲେ, କିନ୍ତୁ ସୀମା କିଛି ଶୁଣିବା ଆଗରୁ ସେଠାରୁ ଚାଲିଯାଇଥିଲା।


ତା ପରଦିନଠାରୁ ସୀମା ଆଉ ପାଞ୍ଚ ଛଅ ଦିନ କ୍ଲିନିକକୁ ଆସି ନଥିଲା। ଶେଷରେ ଦିନେ ଶରତକୁ ସାଙ୍ଗରେ ନେଇ ପ୍ରଣୟବାବୁ ପାଖ ଗାଁରେ ସୀମାର ଘରକୁ ଯାଇଥିଲେ। ଘର ନୁହେଁ ତ, ଚାଳିଆ କହିଲେ ଅତ୍ୟୁକ୍ତି ହେବନି। ଘର ଭିତରକୁ ପ୍ରଣୟ ଆଉ ଶରତ ଦୁହେଁ ପଶିଲେ। ଘରଟା ଏକଦମ ଶୂନଶାନ। ଖାଁ ଖାଁ ଲାଗୁଥିଲା। ସେଠି ଥିଲା କେମିତି ଗୋଟେ ଅସାଧାରଣ ନୀରବତା। ଗୋଟେ ଦଦରା ଖଟରେ ଘୋଡେ଼ଇ ହୋଇ ସୀମା ଶୋଇଥିଲା। ପ୍ରଣୟ ଦେହରେ ହାତମାରି ଦେଖିଲେ, ଜର। ଶହେ ଦୁଇ କି ତିନି ହେବ। ଦୁହେଁ ମିଶି ସୀମାକୁ ଉଠେଇ ବସେଇଲେ। ନିଜ ଗାଡିରୁ ଆଟାଚିଟା ଆଣି ପ୍ରଣୟ ରୋଗୀର ପରୀକ୍ଷଣ କରି କହିଲେ, "ଶରତ, ଧର ତାଙ୍କୁ କ୍ଲିନିକକୁ ନେଇଯିବା। ଦୁଇ ତିନି ଦିନ ଧରି ଖାଲି ପେଟରେ ରହି ଏପରି ଅବସ୍ଥା ହେଇଛି। ଏଠି ଚିକିତ୍ସା ସମ୍ଭବ ହେବନି।" 


ପ୍ରଣୟବାବୁଙ୍କ ଚିକିତ୍ସାରେ ସୀମା କ୍ରମଶଃ ସୁସ୍ଥ ହେଲା। ୟା ଭିତରେ ପ୍ରଣୟବାବୁ ଲକ୍ଷ୍ୟ କରୁଥିଲେ ଯେ ସୀମା ତାଙ୍କ ସହ ଅଧିକ ସହଜ ହେଇଯାଇଛି। କଥାରେ କଥାରେ ସେଦିନ ସୀମା ସବୁ ଖୋଲି କହିଥିଲା। ବଦନାମୀକୁ ଡରି ପିଉସା ତାର ବାହାଘର ଏଇ ଗାଁରେ କରି ଦେଲେ। ସୀମା ଭାବିନେଇଥିଲା ପ୍ରଣୟ ତାକୁ ଭୁଲି ଯାଇଛନ୍ତି। ସେଥିପାଇଁ ସିଏ ବି ତା ବାଟ ବାଛିନେବା ଶ୍ରେୟସ୍କର ବୋଲି ସୀମା ବାହାଘର ପାଇଁ ରାଜି ହେଇ ଯାଇଥିଲା। ବାହାଘରର ଅଳ୍ପ ଦିନପରେ ଗୋଟେ ଅଜଣା ରୋଗରେ ତା ସ୍ବାମୀ ଚାଲିଗଲେ। ଘରେ କେବଳ ଶାଶୁ ଆଉ ସିଏ। ନିମ୍ନ ମଧ୍ୟବିତ୍ତ ପରିବାର। ଆୟର ପନ୍ଥା କିଛି ନଥିଲା। ଧୀରେ ଧୀରେ ଯାହା ଥିଲା ସେତକ ବି ସରିଲା। ଅନାହାର ଅର୍ଦ୍ଧାହାରରେ ଶାଶୁ ମଧ୍ୟ ଶଯ୍ୟାଶାୟୀ ହେଇ ସେପାରିକୁ ଚାଲିଗଲେ। ସେଇ ଦିନରୁ ସିଏ ଏକୁଟିଆ ଲଢି ଚାଲିଛି।


ଜୀବନରେ କେବେବି ଆଖିରୁ ବୁନ୍ଦାଏ ଲୁହ ଗଡେଇନଥିବା ପ୍ରଣୟବାବୁ ଆଜି କାନ୍ଦୁଥିଲେ ଛୁଆଙ୍କ ପରି। ଆଖିର ଲୁହ ଯେମିତି କୋଉକାଳରୁ ଅବରୁଦ୍ଧ ହେଇ ରହି ଆଜି ହଠାତ୍ ଉଛୁଳି ପଡିଛି। ପ୍ରଣୟବାବୁ ଚିହ୍ନି ସାରିଥିଲେ ଏଇ ତାଙ୍କର ପ୍ରଥମ ପ୍ରେମର ନାୟିକା। ବୟସର ଅପରାହ୍ନରେ ବି ଯୌବନର ଉନ୍ମାଦ ଅନୁଭବ କରୁଥିଲେ ପ୍ରଣୟ। ଆବେଗରେ ଜାବୁଡ଼ି ଧରିଥିଲେ ସୀମାକୁ। ଏତେ ଦିନ ପରେ ପାଖରେ ପାଇ ଆଉ ହାତଛଡା କରିବାକୁ ଚାହିଁ ନଥିଲେ। ସୀମା ମଧ୍ୟ କୌଣସି ପ୍ରତିବାଦ କରି ନଥିଲା। 


ଏବେ ସୀମା ପ୍ରଣୟବାବୁଙ୍କ ଘରେ ସବୁବେଳେ ରହେ। ଗେଟ୍ ପାଖରେ ଥିବା କୃଷ୍ଣଚୂଡା ଗଛଟା ଏବେ ଫୁଲରେ ଭର୍ତ୍ତି ହେଇଯାଇଛି ଆଉ ଅଗଣା ସାରା ଲାଲ କୃଷ୍ଣଚୂଡା ଫୁଲର ପାଖୁଡାରେ ଭର୍ତ୍ତି ହେଇଯାଇଛି।


Rate this content
Log in

Similar oriya story from Romance