Satyabati Swain

Romance

4  

Satyabati Swain

Romance

ପ୍ରେମର ଆଦ୍ୟ ବର୍ଷା

ପ୍ରେମର ଆଦ୍ୟ ବର୍ଷା

6 mins
28


ଭିଜିଛନ୍ତି କେବେ ପ୍ରେମର ଆଦ୍ୟ ବର୍ଷାରେ !

ନିଆଁ ଲଗେଇଛି ସେ ବର୍ଷା ଛାତିରେ!

ବର୍ଷାର ବିଦ୍ୟୁତ ଝଟକା ଖାଇଛନ୍ତି 

ବର୍ଷା ଓ ପ୍ରେମ ର ସମ୍ପର୍କ ନିହାତି ଗଭୀର, ନାଇଁ ?


   ଅଦ୍ଭୁତ ଏ ଜୀବନ। ତହୁଁ ଅଦ୍ଭୁତ ପ୍ରେମ ବର୍ଷାର ତାତି। ଜୀବନ ତ ଗୋଟେ ପ୍ରେମର ଗୀତ।ପ୍ରତି ହୃଦ ନିଶ୍ଚିନ୍ତ ଗାଏ।ସେ ଗାଇବା ହେଉ ସୁରିଲା ବା ବେସୁରା।କିନ୍ତୁ ଗାଇବାକୁ ପଡେ।ନଲେ ଜୀବନ ମୃତ।ପ୍ରେମରେ ଜୀଵମରେ,ବଞ୍ଚେ,କାନ୍ଦେ,

ହସେ,ପାଗଳ ବି ହୁଏ।

   ପ୍ରେମ ଫ୍ରେମ କଥା ପଡିଲେ ମୋତେ ଗୋଟେ ଭୟ ବାଘ ପରି ମାଡି ବସୁଥିଲେ।ଏଇ ଶବ୍ଦଟି ମୁହଁରେ ଧରିବାକୁ ବି ଟିକେ କୁଣ୍ଠିତ ଭାଵ କି ଲଜ୍ଜା ଲାଗୁଥିଲା ଖୁବ୍।ମୋ ମଗଜ ବାହାରେ ଥିଲା ଏ ଶବ୍ଦ।କିନ୍ତୁ ଏଇଟା ଶୁଣୁଥିଲୁ କି ଟିନା ଦି ମୁନା ଭାଇଙ୍କୁ ,ଶିବାନି ଅପା ତପନ ଭାଇଙ୍କୁ,ଆମ ସାଙ୍ଗ ଫୁକୁନି ଟୁନା ଭାଇଙ୍କୁ ଭଲ ପାଉଥିଲେ।ସେମାନଙ୍କୁ ଅନ୍ୟ ମାନେ ଗୋଟେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ।ଘରେ ତୁମ୍ଭି ତୋଫାନ ଉଠୁଥିଲା।ଛିଃ ଛାକର କରୁଥିଲେ ଲୋକେ।ଭଲ ପାଉଥିବା ହଳି ଯୋଡିକ ଭଲ ପାଇବା ପାପରେ ଘାଣ୍ଟି ହେଉଥିଲେ। କିଏ ମରୁଥିଲା ତ କିଏ ଘରୁ ଲୁଚିକି ପଳାଉଥିଲା।ସାବାଳକ ହୋଇଥିଲେ ନ୍ୟାୟ ସମ୍ମତ ରେଜେଷ୍ଟ୍ରି ମ୍ୟାରେଜ କରୁଥିଲେ କେତେଜଣ ପଢୁଆ ପିଲା।

     ଥମୁ ନଥିଲା କିନ୍ତୁ ଅପରାଧ ଝଡ଼ ସେମାନଙ୍କ ଜୀବନରୁ।ସବୁଠୁ ଖରାପ କାମ ଏଇ ଭଲ ପାଇବା ଆମ ପରି ଛୋଟ ପିଲାଙ୍କ ମନ ଭିତରେ ବସା ବନ୍ଧେଇ ଦେଉଥିଲା ଆମ ଚାରି ପାଖ।କେହି କିନ୍ତୁ କହୁ ନଥିଲେ ସେ ପ୍ରେମ କରୁଛି ବରଂ କହୁଥିଲେ ଅଲାଜୁକ,ଚରିତ୍ରହୀନ,ସ୍ୱେଚ୍ଛାଚାରୀ,ଉପରମୁହାଁ ଇତ୍ୟାଦି।ଯାହା ସେଦିନ ସଙ୍କୋଚରେ,ଦ୍ବିଧାରେ କହୁଥିଲୁ ଏବେ ପ୍ରେମ କହିଲେ ସେମିତି ଲାଗୁନି।ଲାଗୁଛି ପ୍ରେମ ବିନା ଜୀବନ କାହିଁ ?

   ଆଜିକାଲି ପ୍ରେମର ସଂଜ୍ଞା ମାଲୁମ ହୋଇଗଲାଣି ମୋତେ।ମାଆ ବାବା ପ୍ରେମ କରନ୍ତି ତାଙ୍କ ଛୁଆଙ୍କୁ।ବନ୍ଧୁପ୍ରେମ କରେ ବନ୍ଧୁଙ୍କୁ।ଭାଇ ପ୍ରେମ କରେ ଭଉଣୀଙ୍କୁ।ପତି ପ୍ରେମ କରେ ପତ୍ନୀକୁ।ଛୁଆ ପ୍ରେମ କରେ ତା ମାଆବାବାଙ୍କୁପଶୁପକ୍ଷୀ,

ସଚରାଚାର ଜୀଵ ଜଗତ ପ୍ରେମରେ ହିଁ ବନ୍ଧା।ପୁନଶ୍ଚ ପ୍ରେମ; ପ୍ରେମ କରେ ହୃଦୟକୁ,ମନକୁ।ପ୍ରେମ ନିରୁତା,ପ୍ରେମ ସୁନ୍ଦର।ଅପ୍ରେମରେ ଜୀବନ ଅଛିକି!!

   କିନ୍ତୁ ସବୁ ସମୟରେ ଏଇ ପ୍ରେମକୁ ନେଇ ଯେତେ ସବୁ କନ୍ଦଳ,ମହାଭାରତ କାହିଁକି;ଏଯାଏ ବୁଝିନି କିନ୍ତୁ। 

ଜୀଵନ ତ ଗୋଟେ ପ୍ରେମର ବହି,।ଯାହାର ପ୍ରତ୍ୟେକ ପୃଷ୍ଠାରେ ଗୋଟିଏ ଗୋଟିଏ ପ୍ରେମ କାହାଣୀ ଲେଖା।

    ପ୍ରେମକୁ ଡରି ମରୁ ଥିବା ମୋ ପରି ବୋକି ଝିଅକୁ ଯେ କେହି ପ୍ରେମ କରି ବସିବ ଏକଥା କଳନା କରି ନଥିଲି। 2 ଶେଷ ବର୍ଷ।ଘରକୁ ଆସିଥିଲି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ।ହଷ୍ଟେଲ; ଟେଷ୍ଟ ପରୀକ୍ଷା ପରେ ଖାଲି ହୋଇ

ଯାଉଥିଲ।ସମସ୍ତେ ଚାଲି ଯାଉଥିଲେ ଘରକୁ ପ୍ରିପାରେସନହଲି ଡେ ରେ।ମୁଁ ବି ଆସିଥିଲି ଘରକୁ।

    ସ୍କୁଲର 'ସିଦ୍ଧାନ୍ତ'ଭଲ ସାଙ୍ଗ ମୋର ଥିଲା।ଅତି...... ଭଲ ସାଙ୍ଗ।ମୋତେ ନେଇ ଗୀତ ବୋଲେ।ମୋ ପାଇଁ ଚିତ୍ର କରେ।କ୍ଲାସରେ ସେ ପ୍ରଥମ ହେଉଥାଏ।ସବୁ ପିଲା ତାକୁ ଭଲ ପଢେ ବୋଲି ଭଲ ପାଆନ୍ତି।ସାର୍ ମାନେ ସବୁ କଥାରେ ତାକୁ ଆଗ ଖୋଜନ୍ତି।ସେ ଗୋଟେ ବିସ୍ମୟ ଥିଲା।ଅତି ଅଭାବୀ ଘରର ପିଲା କିନ୍ତୁ ଈଶ୍ୱର ତାକୁ ସବୁ ଭଲ ଗୁଣ ଖୁନ୍ଦି ଖୁନ୍ଦି ଦେଇଥିଲେ।ମୁଁ କ୍ଲାସରେ ଦ୍ବିତୀୟ ହୁଏ।ପ୍ରଥମ ସ୍ଥାନଟି ସବୁବେଳେ ସେ ଅକ୍ତିଆର କରିଥାଏ।ଏଥି ପାଇଁ ମୋ ମନ ଭାରି କଷ୍ଟ ହୁଏ।ମୁଁ କାହିଁକି ପ୍ରଥମ ହୋଇ ପାରୁନି ବୋଲି ନିଜକୁ ଧିକାର୍ କରେ।ପ୍ରତିଯୋଗିତା ନକଲେ ମଧ୍ୟ ତା ସହ ମୋର ମାନସିକ ସ୍ତରରେ ଆଦୌ ପଡେନି।ମନ ମସ୍ତିଷ୍କରେ ଶୀତଳ ଯୁଦ୍ଧଟିଏ ଲାଗେ ତା ସହ ନିରନ୍ତର।

    କିନ୍ତୁ ଆମେ ଭଲ ବନ୍ଧୁ।ଦଶମ ଟେଷ୍ଟ ପରୀକ୍ଷାରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦ୍ଵିତୀୟ ଓ ମୁଁ ପ୍ରଥମ ହୋଇଥିଲି।ସାର୍ ମାମ୍ ସମସ୍ତେ ଚକିତ।"ସିଦ୍ଧାନ୍ତ" ଦ୍ୱିତୀୟ!!କେମିତି ଗୋଟେ ଅବିଶ୍ୱନୀୟ ଭାଵ ଜାବୁଡି ଧରିଥିଲା ସମସ୍ତଙ୍କୁ।ହେଡ ସାର୍ ତାକୁ ଏମିତି କାହିଁକି ହେଲା ବୋଲି ପଚା

ରିଲେ।ସେ ତଳକୁ ମୁହଁ ପୋତି ନୀରବ ଥିଲା।ମୋତେ କିନ୍ତୁ ଗଦେଇ ପଡୁଥିଲା ଶୁଭେଚ୍ଛା ଓ ଆଶୀର୍ବାଦ।

    ହେଲେ କାହିଁକି କେଜାଣି ଖୁସି ହୋଇ ପାରୁ ନଥିଲି।ଏଇଆ ତ ଚାହୁଁଥିଲି।ଚାହୁଁଥିଲି ଅନ୍ତତଃ ସ୍କୁଲ ଛାଡ଼ିବା ପୂର୍ବରୁ ଥରେ ସିଦ୍ଧାନ୍ତକୁ ପଛରେ ପକାଇ ଦିଅନ୍ତି କି! କିନ୍ତୁ ସେଇ ସ୍ୱପ୍ନ ପୂରଣ ହେଲା ପରେ ସେତେଟା ଖୁସି ହୋଇ ପାରୁନି କାହିଁକି ! ସିଦ୍ଧାନ୍ତ କିନ୍ତୁ ହସୁଥିଲା ମୋତେ ଦେଖି ଦାନ୍ତ ଚିପି ଚିପି,ଗୋଟେ ରହସ୍ୟ ମୟ ହସ।ମୋତେ ଅଭିନନ୍ଦନ ଜଣାଇ କହିଲା କଣ ତପୁ ମୋତେ ପଛରେ ପକାଇ ଦେଲୁ ଏଥର। ତୁ ଖୁସି ତ!!!

    ମୁଁ ତପସ୍ୱିନୀ ଭୋଳ,ତପୁ ଖାଲି ଟିକେ ଦାନ୍ତ ଦେଖେଇ ତା ପ୍ରଶ୍ନର ଉତ୍ତର ଦେଲି।ତା ସାଙ୍ଗ ଅଭି କହିଲା ତୁ କାହିଁକି ପ୍ରଥମ ହେଲୁନି ? କଣ ଅସୁବିଧା ହେଲା ? ଦେଖ ସେ ଝିଅ ପିଲା ଗୁଡା କେମିତି ଖୁସିରେ ଫାଟି ପଡୁଛନ୍ତି।ସିଦ୍ଧାନ୍ତ କହିଲା ଯେ ପରିଶ୍ରମ କଲା ଫଳ ତାର।ମୁଁ ଟିକେ ପଢ଼ାରେ ଢ଼ିଲା କରି ଦେଲି ତ ସେଇ ପାଇଁ ତପୁ ଫାଷ୍ଟ ହେଲା।

   କିନ୍ତୁ ପରେ ଜାଣିଲି ମୋ ଖୁସି ପାଇଁ ସିଦ୍ଧାନ୍ତ ଜାଣି ଜାଣି ମ୍ୟାଥ୍ ଛାଡି ଆସିଥିଲା। ଏହା ପରେ ବୋର୍ଡ ପରୀକ୍ଷା।କିଏ କୁଆଡେ ଯିବେ।ମୋ ମନ କଥା ସିଦ୍ଧାନ୍ତ କେମିତି ଜାଣିଲା ଯେ ଥରେ ତାକୁ ପଛରେ ପକାଇବା ମୋର ଗୋଟେ ସ୍ୱପ୍ନ ବୋଲି!!ସବୁ ସତ ଜାଣିଲା ପରେ ମୋତେ ବହୁତ ଖରାପ ଲାଗିଲା।ପ୍ରଥମ ହେବାର ଆନନ୍ଦ ମୋର ଧୂଳିସାତ ହୋଇ

ଗଲା।ଦ୍ଵିତୀୟ ହେବାର ଅଭିମାନ ଏଇ ଅନୁଗ୍ରହରୁ ପ୍ରଥମ ହେବାଠାରୁ ଯଥେଷ୍ଟ ଗୌରବ ଦେଉଥିଲା।ଅନ୍ତତଃ ସେଇ ଟା ମୋ ନିଜସ୍ୱ ଥିଲା।

     ଏହା ଭିତରେ ବୋର୍ଡ ପରୀକ୍ଷା ରେଜେଲଟ୍ ବାହାରିଲା।ଆମେ ବାର ଜଣ ଫାଷ୍ଟ କ୍ଲାସ୍ ଶତକଡା ନବେ ଉପରକୁ ରଖି ପାସ୍ କରିଥିଲୁ।ସିଦ୍ଧାନ୍ତ ଟପ୍ ହଣ୍ଡ୍ରେଡ୍ ଭିତରେ ଥିଲା।ମୁଁ ବି ତା ତଳକୁ ଥିଲି।ସେ ଓଭର୍ସିଅର୍ ପଢିଲା ଆଉ ମୁଁ ରେଭେନ୍ସାରେ ସାଇନ୍ସ। 2 ଫାଇନାଲ ପରୀକ୍ଷା ଦୁଇ ମାସ ଥାଏ। ମୁଁ ପ୍ରିପାରେସନ୍ ରେ ଆସି ଘରେ ରହି ପଢୁଥାଏ। ସିଦ୍ଧାନ୍ତ ଅନ୍ୟ ଗାଁର ପିଲା,ପୁଣି ଅଲଗା କଲେଜରେ ପଢୁଥିଲା।ଦୁଇ ବର୍ଷ ଧରି ଦେଖା ହୋଇ ନଥିଲା।ପଢା ଓ ନୂଆ ସାଙ୍ଗ ମାହୋଲ ଭିତରେ ସିଦ୍ଧାନ୍ତ ମୋ ମନରୁ ଲିଭି ଯାଇଥିଲା ଯେମିତି।

    ଦିନେ ସନ୍ଧ୍ୟା ଦେଇ ସାରି ପଢାଘରକୁ ଯାଉଥାଏ। ମୋ ବାବା ଗୋଟିଏ ଖାତା ଆଣି ମୋତେ ଦେଇ କହିଲେ "ତପୁ ସୁବର୍ଣ୍ଣପୁର ଗାଁର ତୋ ସହ ପଢ଼ୁଥିବା ସିଦ୍ଧାନ୍ତ କଣ ଗୋଟେ ନୋଟ୍ ପଠେଇଛି। ତୁ କାଳେ ତାକୁ ପଢ଼ିବୁ ବୋଲି ମାଗି

ଥିଲୁ । ଆଜି ହାଟରେ ଦେଖା ହେଲା ସେ। ମୋ ହାତରେ ନୋଟ୍ ଟି ପଠାଇଛି ନେ।"


ନୋଟ୍ !


କି ନୋଟ୍ !


  ମୋର ତ ଦେଖା ହୋଇନି ତା ସହ ପାଖାପାଖି ଦୁଇ ବର୍ଷ ହେବ!!!


  ତଥାପି ଖାତାଟି ଖୋଲିଲି।ଫୁଲ୍ ପେଜର୍ ଚଉଦ 

ଫର୍ଦ୍ଦିଆ ହାତ ତିଆରି ଖାତାଟିଏ। କି ନୋଟ୍ ହୋଇପାରେ !ଆଶ୍ଚର୍ଯ୍ୟ ହୋଇ ଖୋଲିଲି ସେଇଟିକୁ।


ଓ ମାଇଁ ଗଡ୍....!!


   ଏ କଣ!!! ଏ ତ ଗୋଟେ ଚିଠି। ସିଦ୍ଧାନ୍ତ ଲେଖିଛି ତା ମନ କଥା। ଟିକି ନିକି ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋର ସମସ୍ତ କାର୍ଯ୍ୟ କଳାପ । ସ୍କୁଲରେ କେଉଁଠି ମୁଁ କରମଙ୍ଗା ଗଛରେ ଚଢ଼ୁଚଢ଼ୁ ପଡିଥିଲି,କେଉଁଠି ବଗିଚାରୁ ଗୋଲାପ ଫୁଲ ଲୁଚେଇ ଚିଣ୍ଡେଇଥିଲି,କେବେ ଦ୍ଵିତୀୟ ହେଉଛି ବୋଲି ଲୁଚେଇ ଲୁଚେଇ କାନ୍ଦିଥୁଲି,ଲଙ୍ଗ୍ ଜମ୍ପ୍ କରୁ କରୁ ମୋ ଫ୍ରକ୍ ଚିରି ଯାଇଥିଲା,ଶନିବାର ସକାଳୁଆ କେବେ ଗୋଟା ସୁଦ୍ଧା ଓଦା ହୋଇ କ୍ଲାସକୁ ଯାଇ ଥିଲି,ପରୀକ୍ଷା ସରିବା ଦିନ ବରଗଛ ମୂଳରେ କଲମରୁ କାଳି ଢ଼ାଳିଥିଲି ଇତ୍ୟାଦି।

    ସିଦ୍ଧାନ୍ତ ପାଗଳ ହୋଇ ଯାଇଛି ନା କଣ?ଏତେ କିଏ ମନେ ରଖି ଏମିତି ଲେଖେ!!ପୁଣି ମୋ ବାବାଙ୍କ ହାତରେ ନୋଟ କହିଦିଏ!!ବାବା ଯଦି ଖୋଳିଥାନ୍ତେ...ଆଉ ତେଣିକି ଭାବି ପାରିଲି ନାହିଁ।ମଝିରେ କଣ ଲେଖା ଥିଲା ମୁଁ ଆଉ ପଢ଼ିବାର ଧୈର୍ଯ୍ୟ ନଥିଲା।ଶେଷ ପୃଷ୍ଠାରେ ଲେଖି

ଥିଲା "ତପୁ! ଆଇ ଲବ୍ ୟୁ।ତୋ ଉତ୍ତର ଅପେକ୍ଷାରେ।"

   ମୁଁ ଥରୁଥିଲି ଗୋଟା ସୁଦ୍ଧା।ମୋ ତଣ୍ଟି ସୁଖୀ ଯାଉଥିଲା। ଧାଉଁଧାଉଁ ଛାତି ପଡୁଥିଲା ଉଠୁଥିଲା।ଝାଳରେ ଗାଧୋଇ ପଡ଼ିଥିଲି,ଯଦିଓ ଗରମ ଦିନ ହୋଇ ନଥିଲା।ମୋତେ ଲାଗୁଥିଲା ଏ ଚିଠି ଯେମିତି ସମସ୍ତେ ମୋ ଆଗରୁ ପଢି ଦେଇଛନ୍ତି। ହୁଏତ ପଢା ଘରୁ ବାହାରିଲା ମାନେ ମୋତେ ବାବା ମାଆ ସାଇ ଭାଇ ସମସ୍ତେ ଜେରା କରିବେ ଏ କଣ!!ସେ ପିଲାଟା କିଏ!!ଏତେ ସାହସ କଲା କେମିତି! ତୋ ସାହସ ସେ ପାଇଛି । ନଚେତ୍ ଏତେ ସାହସ କରନ୍ତା ?ପଢ଼ା ନାଁରେ ସହରରେ ଯାଇ ନାଚ କରୁଛ ?

     ସେ ଖାତା ନାଁର ଚିଠିଟିକୁ ମୁଁ ଟିକିଟିକି କଲି।ସେ ଟୁକୁରା କାଗଜ ଗୁଡିକ କଣ କରିବି ଆହୁରି ଗୋଟେ ସମସ୍ୟା ହେଲା। ଧୀରେ କବାଟ ଖୋଲି ଦେଖିଲି,ମାଆ ରୋଷେଇ ସାରି ଗୁହାଳକୁ ଯାଇଛି। ବାବା ନାହାନ୍ତି। ମୋ ଭାଇ ବି ଛକକୁ ଯାଇଛି ବୋଧେ। ଜେଜେ ନିଆଁ ପୋଉଛନ୍ତି ଚୁଲି ମୂଳେ। ଚୋରି କି ମଣିଷ ମାରିବା ଅପରାଧୀ କଲେ ମୋତେ ହୁଏତ ଏତେ ଡର ଲାଗିଥାନ୍ତା କି ନାହିଁ। ଅପରାଧ ଓ ଭୟ ମୋତେ ଗୋଟା ସୁଦ୍ଧା ଟେକଟେକି କାଖେଇଥାନ୍ତି।।ବାଁରେଇ ଡାକିଲି ମାଆ ରୋଷେଇ ସରିଲାଣି। ଭୋକ ହେଲାଣି ଖାଇ ଥାନ୍ତି କହି କହି ଚୁଲୀ ପାଖକୁ ଆସିଲି।କାଠ ନିଆଁ ଡହଡହ ହେଉଥାଏ। ଆକୁଳରେ ଚିରା କାଗଜ ଗୁଡା ପକେଇ ଦେଲି ଚୁଲୀ ଭିତରେ। ଖେଞ୍ଚି ଦେଲି ଗୋଜଣା ଭଲ କି।ଜଳି ଉଠିଲା କାଗଜ ଗୁଡା ହାଉହାଉ ହୋଇ। ଲାଗୁଥିଲା ସିଦ୍ଧାନ୍ତକୁ ମୁଁ ଯେମିତି ଚୁଲିରେ ପୁରେଇ ଖେଞ୍ଚି ଖେଞ୍ଚି ପୋଡ଼ୁଛି। ଅଣନିଃଶ୍ଵାସୀ ଭାବଟିଏ ମୋତେ କାବୁ କରିଥିଲା ସେତେବେଳେକୁ।

   ଜେଜେ "କହିଲେ ଆଲୋ କଣ ପୋଡୁଛୁ?"ରକ୍ଷା ଜେଜେ ପଢି ନାହାନ୍ତି,ନଲେ ଏଇଲେ ନାକରେ କନ୍ଦେଇ ଥାନ୍ତେ।

   ତାପରେ ଆଠ ଦିନ କାଳ ମୁଁ ସ୍ଥିର ହୋଇ ପାରୁ ନଥିଲି।ରାଗରେ ମୋ ଦେହ ଜଳି ଯାଉଥିଲା।ଦେଖା ହୁଅନ୍ତା କି ସିଦ୍ଧାନ୍ତ ତା ପ୍ରେମ ଛଡେଇ ଦିଅନ୍ତି।ପାଜି ଚିଠି ଦେଇଛି ପୁଣି ମୋରି ବାବା ହାତରେ ମୋତେ! 

   ଓଃ କି ଦ୍ଵନ୍ଦ। କି ଚଞ୍ଚଳତା,କି ଭୟରେ ବାବା ସେଦିନ ମୁଁ ଅନୁଭବ କରିଥିଲି!!ହଁ ଏଇଟା ବି ସତ ସବୁ ପରେ ବି ଗୋଟେ ଅଦ୍ଭୂତ ଅପୂର୍ବ ନୂଆ ଖୁସି ମୋତେ ସେଦିନ ନିଶ୍ଚିତ ଛୁଇଁଥିଲେ।

   ସିଦ୍ଧାନ୍ତ ଚିଠିର ଉତ୍ତର ତ ଦେଇ ନଥିଲି ମୋ ଦ୍ୱାରା ସମ୍ଭବ ନୁହେଁ ବୋଲି। କିନ୍ତୁ ବେଳେବେଳେ ଅବଶୋଷ ହୁଏ ସିଦ୍ଧାନ୍ତ ଚିଠିଟି ମୂଳରୁ ଶେଷ ଯାଏ ପଢି ନ ପାରି ଥିବାରୁ। କେଜାଣି କଣ କଣ ଆଉ ଲେଖିଥିବ ଭାବି ମୋତେ ଯେମିତି କୁତୁକୁତୁ କରେ କିଏ ଏବଂ ଅସୁସ୍ଥ ଅସୁସ୍ଥ ଅନୁଭବ କରେ ମୁଁ। ତେବେ କଣ ମୁଁ ବି ଭଲ ପାଉଥିଲି ସିଦ୍ଧାନ୍ତକୁ ! କେବଳ ଭୟ ଯୋଗୁଁ ସମାଧି ନେଇଗଲା ମୋ ପ୍ରେମ! 

   ଏବେ ସେ ଜଣେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି।ମୁଁ ବି ଜଣେ ସଂସାରୀ।କିନ୍ତୁ ସେ ନୋଟ୍ ନାମର ଚିଠି କଥା ମନେ ପଡିଲେ ମନେ ମନେ ହସିଦିଏ। ସିଦ୍ଧାନ୍ତ ବିଚରା! ମୋତେ ଏତେ ଭଲ ପାଉଥିଲା ଭାବି ଖୁସି ବି ଲାଗେ।

      ସେଇ ଅପମାନ କି ଅପ୍ରାପ୍ତି ଯୋଗୁଁ ସିଦ୍ଧାନ୍ତ ଆଉ ମୋ ସହ ସମ୍ପର୍କ କି ଖବର ଅନ୍ତର ରଖିନି।ମୋତେ କିନ୍ତୁ ଭଲ ଲାଗେ ଆଖି ବୁଜି ତା କଥା,ସେ ଚିଠି କଥା ନିରୋଳାରେ ଭାବିବାକୁ।ଏ ଗୁଡିକ କାହିଁକି ଏମିତି ମିଠା ଦରଜ ଦିଅନ୍ତି!!ଏହା କଣ ପ୍ରେମ ଆଦ୍ୟ ବର୍ଷା ।


రచనకు రేటింగ్ ఇవ్వండి
లాగిన్

Similar oriya story from Romance