Satyabati Swain

Romance Tragedy

3  

Satyabati Swain

Romance Tragedy

ପ୍ରେମକୁ ପ୍ରେମ

ପ୍ରେମକୁ ପ୍ରେମ

6 mins
357



ଏ.... ଏ... ମାଉସୀ କହି ମୁଁ ବଡ଼ ପାଟିରେ ତଳେ ଘୁଷୁରୁ ଥିବା ପଣତ ଦେହରେ ଚଢି ଜୋତା ମିଶା ଗୋଡ଼ରେ ମକଚି ପକେଇଲି।ସେ ମୋ ପାଟି ଶୁଣି ପଛକୁ ଅନେଇଁ ଦାନ୍ତ ଦେଖେଇ ଉଠି ଚାଲିଗଲେ।ଅଜବ.....ଏଇଲେ ପୋଡି ମରିଥାନ୍ତେ ଭୟ ପରିବର୍ତ୍ତେ ହସୁଛନ୍ତି ! ଆଶ୍ଚର୍ଯ୍ୟ ହୋଇ ଚାହିଁ ମୁଁ କାବା ହୋଇଗଲି। କି କଥା ଦେହରେ ନିଆଁ ଲାଗିଛି ଜାଣିଲା ପରେ ବି ହସୁଛନ୍ତି !! ସ୍କୃ ଢିଲା କି? ଲୋକେ ମୋ ମୁହଁର ଭାଷା ପଢିନେଇ କହିଲେ ସେ ସେମିତି ମ ବାବୁ;ସବୁ କଥାରେ କେବଳ ଦାନ୍ତ ହିଁ ଦେଖାଏ। ପୋଡି ମରିଥାନ୍ତା ଏବେ,ଭାଗ୍ୟ ଭଲ ତୁମ ନଜର ପଡିଲା।


ସେ ସେ..ମି...ତି;ମାନେ କଣ? ଏଇ ଦୁଇଟି ଶବ୍ଦର ଅର୍ଥ ମୋ ପାଇଁ ଅବୋଧ୍ୟ ଥିଲା। କାରଣ ବେଶ ପୋଷାକ କହୁଥିଲା- ଥିଲା ଥୋଇଲା ଵାଲା ଘର ମଣିଷ ହୋଇଥିବେ। ହେଉ ଛାଡ଼। ମନ କଥା ମନରେ ରଖି ମୁଁ ଭିଡ଼ ଭିତରେ ଦୀପଟିଏ କିଣି ଜାଳିବାକୁ ଗଲା ବେଳକୁ ମୋ ପିଲା ଦିନର ସ୍କୁଲ ସାଙ୍ଗ ଟୁନା ଦେଖା ହେଲା । ଆଜି ଜାଗର ମା ର ବରାଦ ଶିବ ମନ୍ଦିରରେ ଦୀପ ଜାଳିବା ପାଇଁ। ଟୁନାକୁ ଦେଖି ଭାରି ଖୁସି ଲାଗିଲା। ସେ ମୋତେ ଆସି କୁଣ୍ଢାଇ ପକାଇ କହିଲା କଣ ହିରୋ, ବାବୁ ହୋଇଗଲୁଣି;ଚିହ୍ନି ପାରୁଛୁ? ମୁଁ ତା ପିଠି ଥାପୁଡ଼େଇ କହିଲି ଆବେ ତୁ ଟୁନା ଟି ତୋତେ ଭୁଲିବି? ଡହରା କେଉଁଠିକାର...


ହେଲେ ତୁ ବି କଣ ଏଇ ଭୁବନେଶ୍ୱରରେ ରହୁଛୁ? ମୁଁ ପଚାରିଲି।


ଟୁନା କହିଲା ହଁ ଭାଇ ବାଜାଜ୍ କଂପାନୀର ମାର୍କେଟିଙ୍ଗ ମ୍ୟାନେଜର ଅଛି। ଏଇ ଗଭର୍ଣ୍ଣର ହାଉସ ପଛ ପଟେ ରହୁଛି। ଆଉ ତୁ? 


 ଏଇ ସେକ୍ରେଟେରିଏଟ୍ ରେ ମୁଁ କହିଲି।

 

ଏକା ସହରେ ଅଛେ ଅଥଚ ପରସ୍ପରକୁ ଜାଣିନେ ଆମେ ମୁଁ କହିଲି।


ଟୁନା କହିଲା ଆରେ ଭାଇ ସ୍କୁଲ ପଢା ପରେ କିଏ କେଉଁଠି ପଢିଲେ ଆଉ ଖୋଜ୍ ଖବର ରହିଲା ନାହିଁ।


ଆଉ କହ କଣ ଚାଲିଛି? ବାହା ସାହା ହେଲୁଣି ନା ନାହିଁ? ସେଇ ସ୍କୁଲରୁ ଯାହା ପଛରେ ପଡିଥିଲୁ,କଣ ତ ତାର ନାଁ....ପ୍ରଣିତା ହଁ ହଁ ପଣି ,କଣ ହେଲା ତୁମ ଦୁହିଁଙ୍କ କଥା?


ବୁଝିଲୁ ସାଫଲ୍ୟ ତୁ ସବୁ ମନେ ରଖିଛୁ? ପଣି...ପଣି ବା ଏବେ ଜଣେ ଡ଼ାକ୍ତରାଣୀ। ତାର ଭାଉ ଯାଇ କାହିଁ? ସେ କଣ ଆଉ ସେଇ ନାକ କାନ୍ଦୁରି ପଣି ହୋଇ ରହିଛି? ଡକ୍ଟର ପ୍ରଣିତା ଆଚାର୍ଯ୍ୟ। ସେ ବି ଜଣେ ଡ଼କ୍ଟରଙ୍କୁ ମ୍ୟାରେଜ କରିଛି,ଦିଲ୍ଲୀ ଏମ୍ସରେ ଅଛି। ମୁଁ ବାହା ହୋଇ ବର୍ଷକର ଝିଅଟିଏ ମୋର। ମୋ ମିସେସ୍ ଜଣେ କୋଚ୍ ଡିଜାଇନର।


ଆଉ ତୁ.....ବାହା ସାହା ହେଲୁଣି ନା ନାହିଁ ପଚାରିଲା ଟୁନା।


ବୋହୁ ଖୋଜା ଚାଲିଛି। ବୁଝିଲୁ ଟୁନା ମନ୍ଦିର ଆସିବାକୁ ମନା କରୁଥିଲି। ଯାହା ହେଉ ଆସି ଭଲ ହେଲା, ତୋ ସହ ଦେଖା ହୋଇ ଗଲା। ମୁଁ କହିଲି ମୋ ମାର ଜିଦି ଚାକିରିଆ ବୋହୁ କରିବ ନାହିଁ। ଗୋଟେ ସୁନ୍ଦର ଗୁଣର ବୋହୁ ଦରକାର। ତୋ ଆଖିରେ ଥିଲେ କହିବୁ,ବୁଝିଲୁ। ଯେଉଁ ଝିଅ ମୋ ମା କୁ ବୁଝୁଥିବ,ମୋ ଭଉଣୀ ଭାଇଙ୍କୁ ଆପଣାର ଭାଇ ଭଉଣୀ ଭାବିବ। ଆସୁ ଆସୁ ମୋ ବର,ମୋ ଘର ନ ହୋଇ ଆମ ଘର ଓ ସମସ୍ତଙ୍କୁ ଆପଣାର କରିବା ଭାଵ ଥିବ। ଜାଣିଛୁ ତ ମା କେତେ କମ୍ ବୟସରୁ କେତେ ଦୁଃଖ ଭୋଗିଛନ୍ତି। ବାବା, ମୋତେ ସାତ,ମୋ ଭଉଣୀକୁ ପାଞ୍ଚ ଓ ଭାଇ କୋଳରେ ଥିବା ବେଳେ ଶହୀଦ ହୋଇ ଗଲେ। ବହୁ କଷ୍ଟରେ ସତେଇଶି ବର୍ଷ ବୟସରୁ ମା ଦୁଃଖ ଭୋଗି ଆସୁଛି। ମୁଁ ଚାହେଁ ନାହିଁ ତା ଜୀବନରେ ଆଉ କିଛି ଦୁଃଖ ଭୋଗୁ।


ଏଇ କଥା ହେବା ଭିତରେ ଆମେ ଦୁହେଁ ମନ୍ଦିର ଯଜ୍ଞ ମଣ୍ଡପ ଉପରେ ଆସି ବସି ପଡ଼ିଲୁ। ମୁଁ କହିଲି ଟୁନା ତୋ ମିସେସ୍ କେମିତି? ଡାକିବୁ ନା ନାହିଁ ଘରକୁ ଖାଇବାକୁ?


ଓହୋ ହୋ.. ମୋର ମହା ଭାଗ୍ୟ ତୋ ପରି ଜଣେ ବଡ଼ ହାକିମ ମୋ ଭଡା ଘରକୁ ଯିବ। ଆର ରବିବାର ତୋତେ ନିମିନ୍ତ୍ରଣ ରହିଲା,ତୋ ସପରିବାର ମୋ ଘରେ ଖାଇବ। ଶୁଣ୍ ତୋ ପାଇଁ ଝିଅ ବି ଦେଖିଯିବ।


କିରେ ପକେଟ୍ ରେ ପୁରାଇ ଝିଅ ବୁଲିଲା ପରି କଣ କହୁଛୁ। ମା ଖୋଜି ଖୋଜି ଥକତ ହେଲାଣି ମୁଁ କହିଲି।


ଆରେ ବାବା ଏ ଟୁନା ସହ ତୋର ଦେଖା ହୋଇ ନଥିଲା ନା। ଏବେ ଦେଖ୍ ଝିଅଙ୍କ ଲାଇନ୍ ଲଗେଇ ଦେବି।


ତୁ ସେଇ ଡହରା ଗୁଣ ରଖିଛୁ ଆଜିଯାଏ ରେ ଟୁନା?


ଏଥିରେ ଅଲଗା ଚାର୍ମ ଅଛି ରେ ସାଫଲ୍ୟ,ତୋ ଭଳି ପୁସ୍ତକ କୀଟ ଏ କଥା ବୁଝି ପାରିବେ ନାହିଁ।


କଥା ମଝିରେ ଦୀପଟିଏ ଧରି ସେଇ ମାଉସୀ ଜଣଙ୍କ ଆମ ଆଗ ଦେଇ ଚାଲିଗଲେ।ମୁଁ ଆତୁର ହୋଇ କହିଲି ଦେଖିଲୁ ଦେଖିଲୁ ଟୁନା ଜାଣିଛୁ ଏ ମାଉସୀଙ୍କୁ?


କାହିଁକି? ଟୁନା ବିସ୍ମୟ ହୋଇ କହିଲା।


ନାଇଁ ଯେ ...ଏମିତିରେ ପଚାରୁଥିଲି।ଆଜି ତାଙ୍କ ଶାଢ଼ୀ କାନିରେ ଆସିଲା ବେଳେ ନିଆଁ ଲାଗି ଯାଇଥିଲା।ମୁଁ ଲିଭାଇଲି।କିନ୍ତୁ ନିଆଁ ଲାଗିବା ଜାଣି ବି ସେ ହସି ଦେଲେ ତ ବୁଝି ପାରିଲି ନାହିଁ,ତାଙ୍କ ହସିବା ରହସ୍ୟ।ସେଥିପାଇଁ ପଚାରୁଛି।


ଟୁନା ମନ ଦୁଃଖ କରି କହିଲା ଏ ମାଉସୀ,ଲୋକେ କୁହନ୍ତି ଦୀର୍ଘ କୋଡିଏ ବର୍ଷ ହେବ ଲଗାତାର ମହାଶିବରାତ୍ରିରେ ଠିକ୍ ଏଇ ମନ୍ଦିରକୁ ଜାଗର ଜାଳିବାକୁ ଆସନ୍ତି।ଖୁବ୍ ଭଲ ମାଉସୀଟିଏ।ସବୁବେଳେ ହସୁଥିବେ।ଦୁଃଖ କି ସୁଖ ସବୁବେଳେ ହସ।ଏଣୁ ଏଠି ତାଙ୍କ ନାଁ ହସକୁରି ବିନା ମାଉସୀ।ଲମ୍ବା ଚଉଡା ଇତିହାସ ୟାଙ୍କର।କେଦାର ଗୌରୀ ପରି କାଳେ ଥିଲେ ଏ ବିନା ମାଉସୀ ଆଉ ତାଙ୍କ ପ୍ରେମିକ ବେଦାନ୍ତ।ଏଇ ମହାଶିବରାତ୍ରି ଦିନ ଦୁହେଁ ଆସି ଜାଗର ଜାଳୁଥିଲେ।ଦୁର୍ବୃତ୍ତ ମାନେ ବିନା ମାଉସୀ ଓ ତାଙ୍କ ବେଦାନ୍ତ ଙ୍କୁ ଉଠାଇ ନେଇଥିଲେ।ବିନା ମାଉସୀ ଖୁବ ପଇସା ଵାଲା ବାପାର ଝିଅ ଥିଲେ।ବେଦାନ୍ତ ଗୋଟେ ରାଜ ମିସ୍ତ୍ରୀ ପୁଅ।ଦୁଇ ଦିନ ପରେ ଏ ବିନା ମାଉସୀଙ୍କୁ ଓ ତାଙ୍କ ମୃତ ପ୍ରେମିକ ବେଦାନ୍ତଙ୍କୁ ଗୋଟିଏ ପୋଲ ଦାଢ଼ରେ ଥିବା ବୁଦା ମୁଳୁ ଉଦ୍ଧାର କଲେ ପୋଲିସ୍।ମେଡ଼ିକାଲରେ ମରଣ ସହ ତିନି ମାସ ସଂଘର୍ଷ କରି ବିନା ମାଉସୀ ବଞ୍ଚିଗଲେ ସିନା କିନ୍ତୁ ତାଙ୍କ ସହ କଣ ହୋଇଛି କିଛି ମନେ ପକାଇ ପାରୁ ନଥିଲେ।


ଜାଣିଛୁ ସାଫଲ୍ୟ ଏ ଘଟଣା ପଛରେ ବିନା ମାଉସୀଙ୍କ ବାପାଙ୍କର ହାତ ଥିଲା ବୋଲି କୁହନ୍ତି ସଭିଏଁ।ମୁଁ ଏଠି ପାଞ୍ଚ ବର୍ଷ ହେଲା ରହିଲିଣି।ତୋ ପରି ଏ ବିନା ମାଉସୀଙ୍କୁ ଦେଖି ମୋ ମନରେ ବି ଜିଜ୍ଞାସା ସୃଷ୍ଟି ହୋଇଥିଲା।ପଚାରି ଯାହା ବୁଝିଛି ବିନା ମାଉସୀଙ୍କ ବାପା ସିନା ବେଦାନ୍ତକୁ ରାସ୍ତାରୁ ହଟେଇ ବାକୁ ଚାହୁଁଥିଲେ।ସେ କଣ ଜାଣିଥିଲେ ବେଦାନ୍ତକୁ ମାରିବା ସହ ତାଙ୍କ ଅଲିଅଳି ସ୍ୱର୍ଗ ଅପ୍ସରୀ ପରି ଝିଅର ଇଜ୍ଜତ ସେ ଦୃବୃତ୍ତ ମାନେ ନେଇ ଅଧା ମରା କରି ଫିଙ୍ଗିଦେବେ?


 ସେଇ ଘଟଣା ପରଠାସରୁ ବିନା ମାଉସୀଙ୍କର ସ୍ମୃତିଶକ୍ତି ଚାଲି ଯାଇଥିଲା।ତାଙ୍କ ସହ କଣ ହୋଇଥିଲା କି ତାଙ୍କ ପ୍ରେମିକ ବେଦାନ୍ତ କେମିତି ମଲା କିଛି ମନେ ନାହିଁ ତାଙ୍କର।କେବଳ ଏଇ ମହାଶିବରାତ୍ରି ଜାଗର ଜଳା କଥା ତାଙ୍କର ମନେ ଅଛି।ସେ ଏବେ ବି ଭାବନ୍ତି ତାଙ୍କ ପ୍ରେମିକ ଯେଉଁଠି ଥାଉ ନା କାହିଁକି ସେ ନିଶ୍ଚିତ ଆସିବେ।ସେଇ ଆଶାରେ ପ୍ରାୟତଃ ଏ ମନ୍ଦିରରେ ଜାଗର ଦିନ ତାଙ୍କୁ ଦେଖିବାକୁ ମିଳେ।ପଚାରିଲେ କୁହନ୍ତି "ସେ ଆସିବେ"।ବହୁତି ଭଲ ଭଦ୍ର ମାର୍ଜିତ ମଣିଷ ଏ ମାଉସୀ।ସତେକି ଜୀବନରେ ସେ ହସ ବାଣ୍ଟିବାକୁ ବଞ୍ଚିଛନ୍ତି।ପାଗଳ ୟାଙ୍କୁ କୁହା ଯାଇ ନ ପାରେ।କୌଣସି ପାଗଲାମୀ ଲକ୍ଷଣ ୟାଙ୍କ ଠାରେ ନାହିଁ।କେବଳ ମାତ୍ର ବୟସ ବଢିଲେ ମଧ୍ୟ ସେ ବାହାରି ପାରୁ ନାହାନ୍ତି ସେଇ ପଚିଶି ବର୍ଷ ବୟସ ଭିତରୁ।କହିଲେ ବି ସେ ମାନିବାକୁ ପ୍ରସ୍ତୁତ ନୁହନ୍ତି।ଯେତେ ବୁଝାଇଲେ ବି ସେ ହସି ଦେଇ କୁହନ୍ତି "ହା..କୁ ସେମିତି କୁହନ୍ତି!ବେଦାନ୍ତ ଦିନେ ଆସିବେ ଦେଖିବ।ଆମେ ସାଙ୍ଗ ହୋଇ ମହାଦୀପ ଉଠିବା ଯାଏ ଜାଗର ଜାଳିବୁ"।


ନିରୁତା ଅଖଣ୍ଡ ପ୍ରେମର ଜୀବନ୍ତ ମୂର୍ତ୍ତିମନ୍ତ ପ୍ରତୀକ ହସକୁରି ବିନା ମାଉସୀଙ୍କୁ ଦେଖି କେଜାଣି ମୋ ଯୁବ ସୁଲଭ ପ୍ରାଣ କାନ୍ଦି ଉଠିଲା।କି ବିଶ୍ୱାସ! କି ନିଃସର୍ତ୍ତ ଅଖଣ୍ଡ ପ୍ରେମ "ସେ ଆସିବେ"ବିଶ୍ୱାସର ଜାଗର ଜାଳୁଛନ୍ତି ବିନା ମାଉସୀ ! ମଲା ଲୋକ ଫେରି ଆସିବ ପୁଣି ସାଙ୍ଗ ହୋଇ ଜାଗର ଜାଳିବେ?


ସତରେ ପ୍ରେମ କି ଚିଜ ??


ମୁଁ ପଚାରିଲି ଏ ବିନା ମାଉସୀ ରୁହନ୍ତି କେଉଁଠି?


ଟୁନା କହିଲା ଏଇ ପାଖ ଛକରେ ୟାଙ୍କ ବାପାଙ୍କ ବିରାଟ କେଇଟା କୋଠା ଦୋକାନୀ ଭଡା ନେଇଛନ୍ତି।ୟାଙ୍କ ବାପା ମା ମରି ଗଲେଣି।ବିନା ମାଉସୀ ତାଙ୍କର ଏକମାତ୍ର ସନ୍ତାନ।ହେଇ ଦେଖ୍ ସେଇ ଯେଉଁ ଲୋକଟି ଭୋଗ ଦୋକାନ ଆଗରେ ଚେୟାର ଉପରେ ବସିଛନ୍ତି ସେ ତାଙ୍କ ସ୍ୱାମୀ।ଜଗି ବସିଛନ୍ତି।ମହାଦୀପ ନ ଉଠିବା ଯାଏ ବିନା ମାଉସୀ ସେମିତି ଦୀପ ଜାଳୁଥିବେ।ତାପରେ ଆପେ ଆପେ ଉଠି ଆସି କହିବେ "ମଧୁ" ଯିବା ଚାଲ ଏଥରକ ବି ବେଦାନ୍ତ ଆସିଲେନି।ମଧୁ ତାଙ୍କ ସ୍ୱାମୀଙ୍କ ନାମ।


ଆହୁରି ବିସ୍ମିତ ହୋଇ ଗଲି ମୁଁ। ସ୍ୱାମୀ !


ହଁ ନାମକୁ ମାତ୍ର।କହିଲି ନା ସହର ଛାତିରେ ଗୁଡାଏ ଜାଗା ବାଡ଼ି,ଘର ଦ୍ୱାର ୟାଙ୍କ ବାପାଙ୍କର।ବିନା ମାଉସୀଙ୍କ ବାପା ମରିବା ପୂର୍ବରୁ ଏ ଲୋକଟିକୁ ବିନା ମାଉସୀ ଜିମା ଦେବା ସହ ସବୁ ସମ୍ପତ୍ତିର ଦେଖା ରଖା କରିବା ପାଇଁ ଲେଖା ପଢା କରି ଦେଇ ଯାଇଛନ୍ତି।ଯିଏ ବିନା ମାଉସୀଙ୍କୁ ବିବାହ କରିବ ସେ ହିଁ ସବୁ ସମ୍ପତ୍ତିର ମାଲିକ ହେବ।ଏମିତିରେ ବିନା ମାଉସୀ କି ସୁନ୍ଦର !ଯେ କେହି ପୁରୁଷର ଇପ୍ସିତ ସ୍ବପ୍ନ ନାୟିକା ହେବା ପରି ରୂପ।ଏଣୁ ଏ ମହାଶୟ ବିନା ମାଉସୀଙ୍କୁ ବାହା ହୋଇଛନ୍ତି।ତାଙ୍କର ଆଉ ଜଣେ ସ୍ତ୍ରୀ ବି ଅଛନ୍ତି।ବିନା ମାଉସୀ ତ ବେଦାନ୍ତ ପ୍ରେମର ମୀରା ବାଈ।ପ୍ରତିକ୍ରିୟା ଶୁନ୍ୟ।ବେଦାନ୍ତ ପ୍ରେମ ପାଗଳୀ।ଏ ମହାଶୟ ବିନା ମାଉସୀଙ୍କ ଦେଖା ଚାହାଁ କରନ୍ତି।ବହୁତ ଯତ୍ନ ନିଅନ୍ତି।କାହିଁକି ନା ବିନା ମାଉସୀ ବଞ୍ଚିଥିବା ଯାଏ ସବୁ ସମ୍ପତ୍ତିର ମାଲିକାନା ସତ୍ତ୍ୱ ତାଙ୍କ ସ୍ୱାମୀଙ୍କର।ଯେଉଁ ଦିନ ବିନା ମାଉସୀ ମରିବେ ସବୁ ସମ୍ପତ୍ତି ଅନାଥ ଆଶ୍ରମକୁ ଚାଲିଯିବ।ବିନା ମାଉସୀଙ୍କ ବାପା ଖୁବ୍ ଚାଲାକ ଥିଲେ ବୋଧେ।ନଚେତ ବିନା ମାଉସୀ ଆଜି ଯାଏ ଜୀବିତ ଥାଆନ୍ତେ କି?ଧନ ଲୋଭରେ କେଉଁ ନା କେଉଁ ଉପାୟରେ ମାରି ସାରନ୍ତେଣି ତାଙ୍କୁ।ବିଚରା ବିନା ମାଉସୀ....


ଆହୁରି ଅନେକ ସମୟ ବାକି ଅଛି ମହାଦୀପ ଉଠିବାକୁ।

ଏକାଗ୍ର ଚିତ୍ତରେ ବିନା ମାଉସୀ କିନ୍ତୁ ଜାଳୁଛନ୍ତି ଜାଗର ତାଙ୍କ ବେଦାନ୍ତ ପାଇଁ।ମୋର ସମ୍ମାନ ଓ ଭକ୍ତି ଆହୁରି ବଢିଗଲା ବିନା ମାଉସୀଙ୍କ ପାଇଁ।ମୁଁ ତାଙ୍କ ପାଖକୁ ଯାଇ କହିଲି ମାଉସୀ ଆପଣଙ୍କର ସତରେ କିଛି ମନେ ନାହିଁ?


ସେ ସେମିତି ଫିକ୍ କିନା ହସି ଦେଇ କହିଲେ କେଉଁ କଥା,ପୁଅ?ଏ ଯେଉଁ ସମସ୍ତେ କହୁଛନ୍ତି ବେଦାନ୍ତ ମରିଛନ୍ତି,ସେଇ କଥା ତ...!ବାବୁରେ ପ୍ରେମ କଣ ମରେ?ମୁଁ ବେଦାନ୍ତକୁ ମରିବା ଯାଏ ପ୍ରେମ କରୁଥିବି ଏଇଟା କଣ "ପ୍ରେମକୁ ପ୍ରେମ" କରିବା କୁହା ଯିବନି?ମୁଁ ମୋ ଆଖି ଆଗରେ ପରା ବେଦାନ୍ତକୁ ସେ ରାକ୍ଷସ ମାନେ ମାରିବା ଦେଖିଛି?ମୋରି ଇଜ୍ଜତ ବଞ୍ଚାଇବାକୁ ଯାଇ ତ ବେଦାନ୍ତ ମରିଛି।କିନ୍ତୁ ମୋ ପ୍ରେମ ବେଦାନ୍ତ ପ୍ରତି ମରିନି।ବେଦାନ୍ତ ବଂଚିଛି ମୋ ବିଶ୍ୱାସରେ,ମୋ ହୃଦୟରେ,ମୋ ଆଖିରେ ମୋ ନିଃଶ୍ଵାସରେ।ବଞ୍ଚିଥିବେ ମୋ ଶରୀର ଶବ ହେବା ଯାଏ ପୁଅ।


ତା ମାନେ......ମୁଁ ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇଗଲି।ବିନା ମାଉସୀ ସେମିତି ଫିକ କିନା ହସି ଦୀପ ଆଡକୁ ମୁହଁ କଲେ।


Rate this content
Log in

Similar oriya story from Romance