Sambit Srikumar

Romance Classics Inspirational

4.8  

Sambit Srikumar

Romance Classics Inspirational

ପ୍ରେମିକା

ପ୍ରେମିକା

10 mins
724



ପ୍ରେମ ସ୍ବତଃସ୍ଫୁତ ଭାବେ ହୁଏ ନା ମାପିଚୁପି ଆଗପଛ ଦେଖି ହାନିଲାଭର ହିସାବ ରଖି କରାଯାଏ? ଏହା ଚିରକାଳ ବିତର୍କର ବିଷୟ ନିଶ୍ଚିତ ଭାବେ। ସମ୍ଭବତଃ ପ୍ରେମ ସ୍ବତଃସ୍ଫୁତ ଭାବେ ସୃଷ୍ଟି ହୁଏ। ପହିଲି ଦେଖାରୁ ଚାରି ଚକ୍ଷୁ ମିଳନାନ୍ତେ ପ୍ରେମୀ ଯୁଗଳଙ୍କ ମନରେ ଉଠେ ପ୍ରେମର ଉତ୍ତାଳ ଜୁଆର। ଏହି ଜୁଆରରେ ଭାସି ଭାସି ବେନି ପ୍ରାଣୀ ଭୁଲିଯାଆନ୍ତି ସଚରାଚର ସଂସାର। ପ୍ରେମର ମହୁଆ ନିଶାଟା ହିଁ ଏମିତି। ସବୁ କିଛି ଭୁଲାଇଦିଏ। କେହି କେହି କହନ୍ତି ପହିଲି ଦେଖାର ପ୍ରେମ କଳ୍ପନା ମାତ୍ର। ବାସ୍ତବତା ଠାରୁ ଢେର୍ ଦୂର ଏଇ ସମ୍ପର୍କ। ଯଦି ପହିଲି ଦେଖାରେ ପ୍ରେମ ହୋଇ ଯାଉଥାନ୍ତା ତେବେ ଦୁନିଆରେ ଆଉ ଏକାନ୍ତ ଅବା ନିଃସଙ୍ଗ ମଣିଷ ନଥାନ୍ତେ!


ପୁଣି ପ୍ରଶ୍ନ ଉଠେ, ଦେହ ବିନା କଣ ପ୍ରେମ ସମ୍ଭବ? ଦେହ ଅଛି ବୋଲି ତ ପ୍ରେମ ଅଛି। ଶ୍ରାବଣ ଫଗୁଣକୁ ଅନୁଭବ କରି ହେଉଛି। ଏଇ ଦେହ ଅଛି ବୋଲି ତ ଯୌବନ ଆସୁଛି। ଯୌବନର ମାଦକତାରେ ମତୁଆଲା ହେଉଛି ମଣିଷ। ଦେହ ସୂକ୍ଷ୍ମ ଓ ସ୍ଥୂଳ ରୂପରେ ପ୍ରେମକୁ ପ୍ରଭାବିତ କରେ। ଏଇ ଦେହରୁ ହିଁ ସୌନ୍ଦର୍ଯ୍ୟ ଓ ରୂପମାଧୂର୍ଯ୍ଯର ସୃଷ୍ଟି। ଏଇ ଦେହକୁ ତ ନେଇ କେତେ ଭାବ ବିନ୍ଯାସ। ପ୍ରେମର ବ୍ୟାପାରରେ ଯେ ଦେହକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ପାରିବ ତାହା କେବଳ ପ୍ରତାରଣା ମାତ୍ର। ପ୍ରେମରେ ଦେହ ମୁଖ୍ୟ ନହେଲେ ମଧ୍ୟ ଗୌଣ ବି ନୁହେଁ।


ଶ୍ରୀୟଙ୍କା ଓ ରାଜେନ୍ଦ୍ର ଦୁହେଁ ଦୁହିଁଙ୍କୁ ରାଜଧାନୀ କଲେଜରେ ନାମଲେଖା ଦିନ ହିଁ ପହିଲିବାର ଭେଟିଥିଲେ। ଏହି ପହିଲି ଭେଟ ଯେ, ଦୁହିଁଙ୍କ ହୃଦୟରେ ପ୍ରେମର ବୀଜ ବପନ କରିବ ତାହା ଦୁହିଁଙ୍କୁ ଆଗୋଚର ଥିଲା। କେଜାଣି କାହିଁକି ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇପଡିଥିଲେ ଚୁମ୍ୱକ ଓ ଲୌହ ପରି। ଗୌରବର୍ଣ୍ଣା ଶ୍ରୀୟଙ୍କା ଓ ଶ୍ଯାମବର୍ଣ୍ଣର ରାଜେନ୍ଦ୍ର ଅତି କମ୍ ସମୟ ମଧ୍ୟରେ ନିବିଡ଼ ସମ୍ପର୍କରେ ଆବଦ୍ଧ ହୋଇଗଲେ। ଏଇଟା ପ୍ରେମ ଥିଲା ଅଥବା ଦୈହିକ ଆକର୍ଷଣ ତାହା ସଠିକ ଭାବରେ ନିର୍ଣ୍ଣୟ କରିବା କଠିଣ ବ୍ଯାପାର ଓ ସମୟ ସାପେକ୍ଷ। କିନ୍ତୁ ଦୁହିଁଙ୍କ ସଂସ୍ପର୍ଶରେ ଆସୁଥିବା ସହପାଠୀମାନେ ନିଶ୍ଚିତ ଭାବେ ଇର୍ଷାରେ ଜଳୁଥିଲେ।


ଶ୍ରୀୟଙ୍କା ଥିଲା ଧନାଢ୍ୟ ପରିବାରର ଅଲିଅଳି କନ୍ଯା। ରାଜଧାନୀ ଭୁବନେଶ୍ଵରର ଏକ ନାମଜାଦା ସମ୍ଭ୍ରାନ୍ତ ଘର ତାଙ୍କର। ପିତୃପୁରୁଷଙ୍କର ଢେର୍ ସୁନାମ ସହରରେ। ପିଲାଟି ଦିନରୁ ବଡ଼ ଗେଲବସରରେ ବଢ଼ିଛି। ଯେତେବେଳେ ଯାହା ଚାହିଁଛି ମାଗିବା ପୂର୍ବରୁ ପାଇଛି।ଅପରପକ୍ଷରେ ରାଜେନ୍ଦ୍ର ଜନୈକ କୃଷକଙ୍କର ପୁତ୍ର। ଅଭାବ ଅନାଟନ ସହିତ ଯୁଝି ଯୁଝି ଜୀବନ ଜୀଇଁବାର କଳା ଶିଖିଛି। ତା'ର ଚାହିଁବା ନଚାହିଁବାରେ କିଛି ନାହିଁ। ଜୀବନରେ ଯାହା କିଛି ବି ପାଇଛି ଅବା ହାସଲ କରିଛି ତାହା କେବଳ ହିଁ କେବଳ ନିଜର କଠିନ ପରିଶ୍ରମ ବଳରେ କରିଛି। କାହାର ହାତଟେକାକୁ କେବେ ବି ଚାହିଁ ନାହିଁ ସେ, ନିଜର ରାସ୍ତା ନିଜେ ବନାଇ ସଗୌରବେ ବାଟ ଚାଲୁଛି।


ଦୁଇ ଦୁଇଟି ବୀପରିତ ଚରିତ୍ରର ବ୍ଯକ୍ତିବିଶେଷଙ୍କୁ ଐକ୍ୟବଦ୍ଧ କରିଥିଲା ସେଇ ପ୍ରଥମ ଦେଖାର ପ୍ରଥମ ଚାହାଣୀ! ଜୁଲାଇ ମାସର ସେଇ ମେଘମେଦୁରିତ ଅପରାହ୍ନ। ରାଜଧାନୀ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ନାମଲେଖା ସହିତ ଜନ୍ମ ନେଇଥିଲା ଏକ ଅକୁହା ଅଥଚ ଅଦ୍ୱିତୀୟ ପ୍ରେମ କାହାଣୀ। ଘରୁ ତରବର ହୋଇ କଲେଜକୁ ଆସିଥିବା ଶ୍ରୀୟଙ୍କା କଲମ ଆଣିବାକୁ ଭୁଲିଯାଇଥିଲା। ଦସ୍ତଖତ କରିବା ପାଇଁ ପ୍ରଥମ କରି ସେ ମାଗିଥିଲା ପେନ୍ ରାଜେନ୍ଦ୍ରକୁ। "ଏସ୍କୁଜ୍ ମି ପେନ୍ ପ୍ଲିଜ୍


କୋକିଳ କଣ୍ଠି ଶ୍ରୀୟଙ୍କାର ସ୍ବର ଶୁଣି ହତବମ୍ବ ହୋଇ ଚାହିଁ ରହିଥିଲା ରାଜଧାନୀର ରାଜପଥରେ ପହିଲିବାର ପାଦ ଥାପିଥିବା ରାଜେନ୍ଦ୍ର। କଣ ବା କହିବ କିଛି ଜାଣି ପାରୁନଥିଲା। କେବଳ ଚାହିଁରହିଥିଲା ଅପରୂପା ସୌନ୍ଦର୍ଯ୍ୟର ମୂର୍ତ୍ତିଟିକୁ ଅପଲକ ନୟନରେ। ରାଜେନ୍ଦ୍ରର ଏପରି ଚାହାଣିରେ ବିସ୍ମିତ ହୋଇ ଯାଇଥିଲା ଶ୍ରୀୟଙ୍କା। ସତରେ କଣ ସିଏ ଦିବ୍ୟ ସୁନ୍ଦରୀ ଯେ କେହିବି ତାକୁ ଏପରି ଏକଲୟରେ ନିର୍ବିକାର ଭାବରେ ଚାହିଁ ରହିପାରେ ତାହା ପୁଣି ସଭିଙ୍କ ସମକ୍ଷରେ? ଏମିତି ଭାବୁ ଭାବୁ ସେ ମଧ୍ୟ ରାଜେନ୍ଦ୍ର ଆଖିରେ ଆଖି ମିଶାଇଦେଲା। ବେଶ୍ କଥା କୁହା ଆଖି ଦୁଇଟି ରାଜେନ୍ଦ୍ରର । କଳିଙ୍ଗ ସାଗର ଉପକୂଳ ଅସ୍ତରଙ୍ଗରେ ତା'ର ଘର। କଳିଙ୍ଗ ସାଗରର ନୀଳ ଉତ୍ତାଳ ବାରିରାଶି ପରି ଠିକ୍ ତା'ର ମନ।


ଦୁହିଁଙ୍କ ଭାବନାରେ ବିରାମ ଦେଇ କଲେଜ୍ କର୍ମଚାରୀ ଶ୍ରୀୟଙ୍କାକୁ ଡାକିଲେ ଦସ୍ତଖତ କରିବା ପାଇଁ। ପ୍ରକୃତିସ୍ଥ ହେଲା ସେ। "ହ୍ଯାଲୋ ପେନ୍ ଦିଅ ପ୍ଲିଜ୍ " ପୁନର୍ବାର କଲମ ମାଗିଲା ଶ୍ରୀୟଙ୍କା ରାଜେନ୍ଦ୍ରକୁ। ଏଥର ଚେତିଲା ସେ। ହଠାତ୍ ସାର୍ଟ୍ ପକେଟ୍.ରୁ କାଢ଼ି ଆଣି ରେନଲ୍ଡସ୍ ବଲ୍ ପେନ୍.ଟିକୁ ବଢାଇ ଦେଲା ଶ୍ରୀୟଙ୍କା ହାତକୁ। ଦସ୍ତଖତ କରି ସାରିବା ପରେ କଲମଟିକୁ ଫେରେଇଦେବା ଅବସରରେ ଶ୍ରୀୟଙ୍କା ମୁଖମଣ୍ଡଳରେ ସ୍ମିତହାସ୍ୟରେଖା ଫୁଟାଇ କହିଲା, "ଥ୍ୟାଙ୍କ୍ସ


ରାଜେନ୍ଦ୍ର କେବଳ ନିଜର ମୁଣ୍ଡକୁ ଟୁଙ୍ଗାରିଲା ପ୍ରତ୍ଯୁତ୍ତରରେ। ଏମିତି ସରଳ ଏବଂ ନିଷ୍କପଟ ତରୁଣ କଣ ଆଜିର ଦିନରେ ଅଛନ୍ତି? ଏପରି ଭାବି ଶ୍ରୀୟଙ୍କା ପଚାରିଲା, "ଆଛା, ତୁମ ନାଁ କଣ?"


: ରାଜେନ୍ଦ୍ର! ରାଜେନ୍ଦ୍ର କୁମାର ଦାସ! ଆପଣ...?


: ଆରେ ମୁଁ ତ ଭୁଲି ଯାଇଛି ମୋ ନାଁ କହିବାକୁ। ମୁଁ ଶ୍ରୀୟଙ୍କା ଶତପଥୀ।


: ଆଜ୍ଞା!


ଏଇ ଦୁଇ ଚାରି ପଦ କଥା ପ୍ରକୃତ ପକ୍ଷେ ଦୁହିଁଙ୍କ ମଧ୍ୟରେ ପ୍ରେମର ମଜବୁତ୍ ମୂଳଦୁଆ ପକାଇଥିଲା। ସହରୀ ସଭ୍ୟତା ସହିତ ଅନଭ୍ୟସ୍ତ ଶଙ୍କିତ ରାଜେନ୍ଦ୍ରକୁ ପ୍ରେମର ଚଉପଦୀ ଶିଖାଇ ଦେଇଥିଲା ଶ୍ରୀୟଙ୍କା। ସେହି ପହିଲି ଦେଖାରୁ ହିଁ ଦୁହେଁ ଦୁହିଁଙ୍କ ପ୍ରତି ଗଭୀର ଅନୁରକ୍ତିରେ ବାନ୍ଧି ହୋଇଗଲେ। ପରସ୍ପର ସହିତ ସମୟ ବିତାଇବାର ମୌକା ଖୋଜୁଥିଲେ। ଏଇ ଖୋଜାଖୋଜି ଯେ ରାଜେନ୍ଦ୍ର ପାଇଁ ଏତେ ମହଙ୍ଗା ପଡ଼ିବ କିଏ ଅବା ଜାଣିଥିଲା?


ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶ୍ରୀୟଙ୍କା ଗୋଟିଏ ଘରୋଇ ଯାନ୍ତ୍ରିକ ମହାବିଦ୍ୟାଳୟରେ ବିପୁଳ ଅର୍ଥ ବିନିଯୋଗ କରି ଇଞ୍ଜିନିୟରିଂ ପଢିଲା। ରାଜେନ୍ଦ୍ର ପାଇଁ ବାଧକ ସାଜିଲା ଅର୍ଥ। ସୂତରାଂ ନିରୁପାୟ ହୋଇ ବିଜେବି କଲେଜରେ ଯୁକ୍ତ ତିନିରେ ପଦାର୍ଥ ବିଜ୍ଞାନ ସମ୍ମାନ ନେଇ ନାମ ଲେଖାଇଲା ସେ। ଦୁହିଁଙ୍କ ରାସ୍ତା ଅଲଗା ଅଲଗା ହେଲା ସତ ମାତ୍ର ପ୍ରେମ ପାଇଁ ଏହା ବାଧକ ନଥିଲା। ସମୟ ପାଇବା ମାତ୍ରକେ ପୂର୍ବବତ୍ ଦୁହେଁ ଦୁହିଁଙ୍କ ସାନିଧ୍ୟରେ କାଳାତିପାତ କରୁଥିଲେ। ଦୀର୍ଘ ଦିନ ଧରି ପ୍ରେମ ସମ୍ବନ୍ଧରେ ଦୁହେଁ ଆବଦ୍ଧ ହୋଇଥିଲେ ମଧ୍ୟ କେବେ ବି ମର୍ଯ୍ୟାଦାର ସୀମାରେଖା ଉଲଂଘନ କରିନଥିଲେ। ଏହା ହିଁ ଥିଲା ଦୁହିଁଙ୍କ ପ୍ରେମର ବିଶେଷତ୍ବ। ଏହା ଭିତରେ ବିତିଗଲା ଦୁଇଟି ବର୍ଷ। ରାଜେନ୍ଦ୍ର ଯୁକ୍ତ ତିନି ଅନ୍ତିମ ବର୍ଷର ଛାତ୍ର। ନିୟମିତ ପାଠ ପଢ଼ା ସହିତ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥାଏ। ମନରେ ଅସୁମାରି ଆଶା ଘର କରି ରହିଥାଏ। ଭଲ ଚାକିରିଟିଏ କରିବ, ଶ୍ରୀୟଙ୍କା ସହିତ ପରିଣୟ ପୁଣି ପିତୃତ୍ୱର ସୌଭାଗ୍ୟ, ଏମିତି ଅନେକ କିଛି


ପ୍ରେମର ସାର୍ଥକତା କଣ କେବଳ ମାତ୍ର ପ୍ରାପ୍ତିରେ ନିହିତ ଥାଏ? ନା ତ୍ଯାଗପୂତ ମନୋଭାବରେ? ଅଚାନକ ଦିନେ ଶ୍ରୀୟଙ୍କା ଗାଏବ୍ ହୋଇଗଲା ରାଜେନ୍ଦ୍ର ଜୀବନର ପରିଧିରୁ। ଅନେକ ଦିନ ଧରି ଭେଟ ହେଲା ନାହିଁ। ଘରକୁ ତା'ର ଫୋନ୍ କଲେ କେହି ଉତ୍ତର ଦେଲେ ନାହିଁ। ତା'ର କିଛି ବୋଲି କିଛି ବି ଖବର ପାଇଲା ନାହିଁ ରାଜେନ୍ଦ୍ର। ସାଙ୍ଗସାଥି ସମସ୍ତଙ୍କୁ ପଚରାଉଚରା କରୁଥିଲା ସେ କିନ୍ତୁ କାହାଠାରୁ କିଛି ବି ଟେର୍ ପାଇଲା ନାହିଁ ତା' ପ୍ରାଣପ୍ରିୟା ବାବଦରେ। ଦିନକୁଦିନ ବଢିବାରେ ଲାଗିଲା ତା'ର ହତାଶବୋଧ ପ୍ରିୟାର ଅନୁପସ୍ଥିତିରେ। ଦୁର୍ବିସହ ହୋଇପଡ଼ିଲା ତା ଜୀବନ। ଏମିତି ଏକ ଦୁର୍ବଳ ମୂହୁର୍ତ୍ତରେ ଶ୍ରୀୟଙ୍କାର ସ୍ମୃତିରେ ସେ ହରାଇ ବସିଲା ଆତ୍ମବଳ। ପଥଭ୍ରଷ୍ଟ ହୋଇ ନିଶାର ସାହାରାରେ ଜୀଇଁଲା। ମଣିଷ ସତରେ କେତେ ଅସହାୟ? ପ୍ରିୟଜନଙ୍କ ବିଚ୍ଛେଦର ଦୁଃଖ ଲାଘବ କରିବାକୁ ସିଏ ନିଶାର ସାହାରା ନିଏ।


ବିଜେବି କଲେଜର ହଷ୍ଟେଲରୁ ବାହାରି ଆସି ଏ ସହରରୁ ସେ ସହର ରାଜେନ୍ଦ୍ର ପାଗଳ ପ୍ରାୟ ଘୁରିବୁଲିଲା ତା ପ୍ରେମିକାର ଅନ୍ବେଷଣରେ। ଧର୍ମ ଅଧର୍ମ, ନ୍ଯାୟ ଅନ୍ଯାୟ, ବାଟ ଅବାଟର କିଛି ବି ଫରକ ରହିଲାନି ତା ପାଇଁ। ଆଲୋକିତ ରାଜପଥରୁ ଅନ୍ଧାରୀ ଗଳି, ମଠମନ୍ଦିରରୁ ପୁଣି ବାଈଜୀକୋଠି, ସବୁଠି ସେ ଖୋଜୁଥିଲା ଶ୍ରୀୟଙ୍କାକୁ। ବାଟରେ ଘାଟରେ, ଦେହରେ ଦାହରେ, ପ୍ରତିଟି କ୍ଷେତ୍ରରେ ପ୍ରତିଟି ନାରୀରେ ସେ କେବଳ ଖୋଜୁଥିଲା ଶ୍ରୀୟଙ୍କାକୁ, ତା ପ୍ରେୟସୀକୁ, ତା ଜୀବନକୁ। ତା ଖୋଜିବାଟା ଥିଲା ଏକ ଅନ୍ତହୀନ ଅନ୍ବେଷଣ। ଏତେ ବଡ଼ ଦୁନିଆଁରେ କଣ ଗୋଟିଏ ମଣିଷକୁ ଖୋଜି ପାଇବା କେବେ ସମ୍ଭବ ହୋଇପାରେ?


ଦୀର୍ଘ ଦୁଇ ଦଶନ୍ଧି ଧରି ଶ୍ରୀୟଙ୍କାକୁ ଦୁନିଆଁଟା ଯାକ ଖୋଜିଖୋଜି ରାଜେନ୍ଦ୍ର ଆକ୍ତାମାକ୍ତା ହୋଇ ପରିଶେଷରେ ଯାଇ ପହଁଞ୍ଚିଲା ବୃନ୍ଦାବନରେ। ଜୀବନ ସାରା ନିଜର ପ୍ରେମିକାକୁ ଖୋଜିଖୋଜି କେତେବେଳେ ଯେ ସିଏ ଯାଇ ସେଠି ପହଞ୍ଚି ଗଲା ଅବା କେଉଁ ଅଦୃଶ୍ୟ ଶକ୍ତି ତାକୁ ବାଟ କଢ଼ାଇ ଅଥବା ଆକର୍ଷିତ କରି ସେଠାକୁ ନେଇଗଲା ସେକଥା ତାକୁ ଅଜଣା। କେଜାଣି କାହିଁକି ଏଇ ଜାଗା ଛାଡ଼ି ଆଉ କେଉଁଠିକୁ ଯିବାକୁ ତାକୁ ସ୍ପୃହା ନଥିଲା। ସତେ ଯେମିତି ଏଇଠି ଜୀବନର ଶେଷ ଶ୍ବାସ ତ୍ଯାଗ କରିବାକୁ ସେ ଥିଲା ବଦ୍ଧ ପରିକର। ବୃନ୍ଦାବନର କୃଷ୍ଣମୟ ଆଧ୍ଯାତ୍ମିକ ବାତାବରଣରେ ରାଜେନ୍ଦ୍ର ନିଜକୁ ପ୍ରକୃତିସ୍ଥ ଅନୁଭବ କରୁଥିଲା। ଯାବତୀୟ ଦୁଷ୍କୃତିରୁ ନିସ୍ତାର ମିଳିଯିବା ପରି ଲାଗୁଥିଲା ତାକୁ। ପୁଣିଥରେ ଜୀଇଁବାକୁ ଚେଷ୍ଟା କରୁଥିଲା ସେ।


ଏକ ଶିତୁଆ ସନ୍ଧ୍ୟାରେ ବୃନ୍ଦାବନର ଏକ ମଠରେ ରାଜେନ୍ଦ୍ର ଦେଖିବାକୁ ପାଇଲା ଅଦ୍ଭୁତ ଦୃଶ୍ଯ। ନିଜ ଆଖିକୁ ବିଶ୍ବାସ କରି ପାରୁନଥିଲା ସେ। କିନ୍ତୁ ତାହା ଥିଲା ନିରୁତା ସତ୍ୟ ପାଣ୍ଡୁର ବାସ୍ତବତା। ଯେଉଁ ଶ୍ରୀୟଙ୍କାକୁ ସେ ଦୁନିଆଁର କୋଣ ଅନୁକୋଣରେ ଦୀର୍ଘ କୋଡ଼ିଏ ବର୍ଷ ଧରି ଖୋଜୁଥିଲା, ଯେଉଁ ପ୍ରେମିକାକୁ ଦିନେ ଜୀବନସାଥି କରିବାକୁ ସୁନେଲି ସ୍ବପ୍ନ ଦେଖୁଥିଲା ସେଇ ଅପରୂପା ଅନିନ୍ଦ୍ୟା ସୁନ୍ଦରୀର ଏକ ବିବିଚିତ୍ର ସ୍ବରୂପ ତା' ଆଖି ଆଗରେ ଥିଲା। କିନ୍ତୁ ଏହି ବାସ୍ତବତାକୁ ସେ ବିଶ୍ୱାସ କରିବା ପାଇଁ ଆଦୌ ପ୍ରସ୍ତୁତ ନଥିଲା। ବାସ୍ତବତା କଣ ଏତେ କଠୋର ଏମିତି ଦାରୁଣ ହୋଇପାରେ? ନା ଏଇ ନାରୀଟି କେବେ ବି ତା'ର ଚପଳ ଛନ୍ଦା ପ୍ରେମିକା ଶ୍ରୀୟଙ୍କା ହୋଇନପାରେ।


ଶ୍ବେତ ବସ୍ତ୍ର ପରିଧାନ କରି ମୁଣ୍ଡିତ ମସ୍ତକକୁ ଓଢ଼ଣାରେ ଢାଙ୍କି ବିଷର୍ଣ୍ଣ ବଦନରେ ରାଜେନ୍ଦ୍ର ସାମ୍ନାରେ ଠିଆ ହୋଇ ରହିଥାଏ ଶ୍ରୀୟଙ୍କା। ଯୌବନ କାହିଁ କେଉଁ କାଳରୁ ମେଲାଣି ଘେନିଛି ତା' ଦେହର ଦେହଳୀରୁ। ମୁଖରେ କୁଞ୍ଚିତ ରେଖା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଥାଏ। ଦୁହେଁ ଦୁହିଁଙ୍କୁ ଦେଖୁଥାନ୍ତି ଅପଲକ ନୟନରେ ଯେମିତି ଦେଖିଥିଲେ ପରସ୍ପରକୁ ପହିଲିବାର ରାଜଧାନୀ କଲେଜର ନିଭୃତ ଶ୍ରେଣୀଗୃହରେ ଢେର୍ କିଛି ବର୍ଷ ତଳେ। କାହାରି ମୁଖରୁ ଶବ୍ଦଟିଏ ମଧ୍ୟ ସ୍ଫୁରଣ ହେଉନଥିଲା। ଦୁହେଁ ଜଡ଼ ପାଲୋଟି ଯାଇଥିଲେ। ଦୁହେଁ ଦୁହିଁଙ୍କ ସନ୍ନିକଟରେ ଉପସ୍ଥିତ ଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିଲା ଯୋଜନ ଯୋଜନର ଦୂରତା। ଅଲ୍ଲଂଘନୀୟ ଏଇ ଦୂରତା। ଯାହା କେବେ ବି ଆଉ ଲଂଘନ କରିବା ଦୁଷ୍କର ବ୍ଯାପାର। ଦୁଇଟି ସମାନ୍ତରାଳ ରେଖା ଭାବେ ଦୁହେଁ ଦଣ୍ଡାୟମାନ ହୋଇଥାନ୍ତି। ଦୁହିଁଙ୍କ ଆଖିରୁ ଅଶ୍ରୁ ଧାର ଅବାରିତ ବୋହି ଯାଉଥିଲା ବନ୍ଧବାଡ ନମାନି। ସମସ୍ତ ଅବିଶ୍ଵାସର ଧୂମ ଧିରେ ଧିରେ ଦୂରେଇ ଯାଉଥିଲା ଅଶ୍ରୁ ଜଳରେ। କାହାରିକୁ କିଛି ବି କହିବା ଲୋଡ଼ା ନଥିଲା। ଅଶ୍ରୁ ହିଁ ସବୁକିଛି ବୟାନ କରିଯାଉଥିଲା। ଅଶ୍ରୁ ହିଁ ଏଠି ଶବ୍ଦ, ଅଶ୍ରୁ ହିଁ ଭାବ, ଅଶ୍ରୁ ହିଁ ସକଳ ବୈଭବ।

ନିଜ ପରିବାରର ଇଛା ମୁତାବକ ଶ୍ରୀୟଙ୍କା ବାଧ୍ଯ ହୋଇ ରାତାରାତି ବିବାହ କରିଥିଲା ତା' ପିତାଙ୍କର ବ୍ଯବସାୟୀ ବନ୍ଧୁ କମଳାକାନ୍ତ କରଙ୍କ ଏକମାତ୍ର ପୁତ୍ର ଅନିର୍ବାଣ ସହିତ। ନିଜର ଇଛା ଆକାଂକ୍ଷା ପ୍ରେମ ପ୍ରେମିକ ସବୁ କିଛି ବାଜି ଲଗାଇ ଦେଇଥିଲା ପରିବାରର ମଙ୍ଗଳ ପାଇଁ, ପିତୃପୁରୁଷଙ୍କ ମାନସମ୍ମାନ ପାଇଁ ଏବଂ ବୃଥା ଅହଙ୍କାର ପାଇଁ। ଶତପଥୀ ପରିବାରର ଆକାଶଚୁମ୍ବୀ ଅହମିକା ଆଗରେ ଫିକା ପଡିଯାଇଥିଲା ଶ୍ରୀୟଙ୍କାର ପ୍ରେମ ଆଉ କପର୍ଦ୍ଧକଶୂନ୍ୟ ପ୍ରେମିକ ରାଜେନ୍ଦ୍ର। ରାଜେନ୍ଦ୍ରର ଜାତି ବି ସାଜିଥିଲା ବାଧକ। ଝିଅର କଥା ନଶୁଣିବା ପାଇଁ ଏକ ଉତ୍ତମ ବାହାନା ସାଜିଥିଲା ରାଜେନ୍ଦ୍ରର ଜାତି। ପ୍ରତିଲୋମ ବିବାହର ଘୋର ବିରୋଧୀ ଥିଲେ ଶତପଥୀ ପରିବାର। 

ଆଭିଜାତ୍ୟର ବଡପଣରେ କେହି ବି ବୁଝିନଥିଲେ ଝିଅର ଇଛା ଅନିଚ୍ଛା। ଶ୍ରୀୟଙ୍କା ଯେ ପ୍ରତିବାଦ କରିନଥିଲା ତାହା ନୁହେଁ। ବହୁ ଅନୁନୟ କରିଥିଲା ତା'ର ମାତାପିତାଙ୍କୁ। କିନ୍ତୁ ସବୁକିଛି ନିଷ୍ଫଳତ ହୋଇଥିଲା। କୋଟିପତି ବ୍ଯବସାୟୀ କମଳାକାନ୍ତ ବାବୁଙ୍କ ଅନୁଗ୍ରହର ବୋଝ ତଳେ ଶତପଥୀ ପରିବାରର ଅସ୍ତିତ୍ବ ଅସ୍ମିତା ଜୀଇଁ ରହିଥିଲା। ଏଥିପାଇଁ ଅନିର୍ବାଣ ପରି ନଷ୍ଟ ଚରିତ୍ର ଯୁବକ ସହିତ ଶ୍ରୀୟଙ୍କାର ବିବାହକୁ ପ୍ରତ୍ଯାଖ୍ଯାନ କରିବା ପାଇଁ ମନା ଟାଣପଣ ନଥିଲା ନିଃସହାୟ ଶ୍ରୀଧର ଶତପଥୀଙ୍କର। ସବୁକିଛି ଜାଣି ସୁଦ୍ଧା ଏକରକମ ନାଚାର ଥିଲେ ସେ। ଅନିର୍ବାଣ ସହିତ ଶ୍ରୀୟଙ୍କାର ବିବାହ ନହେବାର ଅର୍ଥ ଶତପଥୀ ପରିବାର ଦେବାଳିଆ ହେଇ ତଳିତଳାନ୍ତ ହେବା। ଏହା ତାଙ୍କୁ ଜଳ ଜଳ ହୋଇ ଦିଶୁଥିଲା। ସବୁ ପ୍ରକାରେ ଝିଅକୁ ବୁଝାଇବାକୁ ବିଫଳ ହେବା ପରେ ଆତ୍ମହତ୍ଯାର ଧମକ ଦେଇ ତୁନି କରି ମନାଇ ଦେଇଥିଲେ ଚତୁର ଶ୍ରୀଧର ଶତପଥୀ ।


ପରିବାର ଓ ପିତାମାତାଙ୍କ ଖୁସି ପାଇଁ ନିଜକୁ ଉତ୍ସର୍ଗୀ କରିଦେଇଥିଲା ଶ୍ରୀୟଙ୍କା। ସ୍ୱଳ୍ପ ସମୟ ମଧ୍ୟରେ ଅତ୍ୟନ୍ତ ଗୋପନୀୟ ଭାବେ ଅନୁଷ୍ଠିତ ହୋଇଥିଲା ବିବାହ ଯାହାର ଟେର୍ କେହିବି ପାଇନଥିଲେ। ଅନିର୍ବାଣର କଳଙ୍କିତ ଇତିହାସ ପାଇଁ ଏପରି କରାଯାଇଥିଲା। ଅନେକ ତରୁଣୀଙ୍କ ଯୌବନ ସହିତ ଖେଳ ଖେଳିଥିବା ହେତୁ କାଳେ କେହି ଏହି ବିବାହରେ ବିଘ୍ନ ଘଟାଇବ ସେଥିପାଇଁ ବିବାହ ଖବର ଗୁପ୍ତ ରଖାଯାଇଥିଲା। ବିବାହ ପରେ ଓଡ଼ିଶା ଛାଡ଼ି ଶ୍ରୀୟଙ୍କା ଚାଲିଆସିଥିଲା ଗୁରୁଗାଓଁ ପତି ଅନିର୍ବାଣ ସହିତ ନୂଆ ଜୀବନ ଆରମ୍ଭ କରିବା ପାଇଁ। ଏଠାରେ ଅନିର୍ବାଣ ତା' ପିତାଙ୍କର ରିଅଲ ଇଷ୍ଟେଟ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅବସ୍ଥାପିତ ଥିଲା।


ଶିକ୍ଷା ସମାପ୍ତି ପୂର୍ବରୁ ବିବାହ ତାହା ପୁଣି ଅନିର୍ବାଣ ପରି ଏକ ନଷ୍ଟ ଚରିତ୍ର ପୁରୁଷ ସହିତ ଏସବୁକୁ ସଠିକ୍ ଭାବରେ ଗ୍ରହଣ କରି ପାରୁନଥିଲା ଶ୍ରୀୟଙ୍କା। ତଥାପି ହସି ହସି ଗରଳ ପାନ କରି ନିଜର ଗୃହସ୍ଥି ବସାଇବାର ପ୍ରଚେଷ୍ଟା କରୁଥିଲା ସେ। ଅନିର୍ବାଣ ସହିତ ମଧୁଶଯ୍ୟା ତା ପାଇଁ ଥିଲା କଣ୍ଟକାକୀର୍ଣ୍ଣ। ନା ସେ ରାଜେନ୍ଦ୍ରକୁ ଭୁଲି ପାରୁଥିଲା ନା ଅନିର୍ବାଣକୁ ଶୁଦ୍ଧାନ୍ତକରଣରେ ଗ୍ରହଣ କରିପାରୁଥିଲା। ବରଂ ରାଜେନ୍ଦ୍ର ପ୍ରତି କରିଥିବା ଅନ୍ଯାୟ ପାଇଁ ସେ ଅନୁତାପରେ ଅହର୍ନିଶି ଜଳି ଜଳି ମରୁଥିଲା। ଏକଥା ଅବ୍ଯକ୍ତ ହୋଇ ରହିଯାଉଥିଲା ତା ହୃଦୟର କେଉଁ ନିଭୃତ କୋଣରେ। ଯୌନ ବିକାର ଗ୍ରସ୍ତ ଅନିର୍ବାଣ ପ୍ରତିଦିନ ତା ଇଛା ବିରୁଦ୍ଧରେ ଧର୍ଷଣ କରୁଥିଲା। ଇତର ପଶୁତୁଲ୍ଯ ବ୍ୟବହାର ପ୍ରଦର୍ଶନ କରୁଥିଲା। ବସ୍ତୁତଃ ସେ ଅନିର୍ବାଣର ଧର୍ମପତ୍ନୀରୁ ଯୌନଦାସୀ ପାଲଟିଯାଇଥିଲା।


ଅମାନବୀୟ ଅକଥନୀୟ ଅତ୍ୟାଚାର ସହିବା ପରେ ମଧ୍ୟ ନିଜ ପିତୃପୁରୁଷଙ୍କ ମାନସମ୍ମାନ ତଥା ଶତପଥୀ ପରିବାର ସଦସ୍ୟଙ୍କ ଖୁସି ପାଇଁ ସବୁକିଛି ନିର୍ବିରୋଧରେ ସହିଯାଉଥିଲା ଶ୍ରୀୟଙ୍କା। ଆଖିର ଲୁହ ଓଠ ପିଇ ଯାଉଥିଲା ନିର୍ବିକାର ଭାବରେ। ଏତିକିରେ ସରିନଥିଲା ତା'ର ଯନ୍ତ୍ରଣା ଜର୍ଜରିତ କାହାଣୀ। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ମାତୃତ୍ୱର ଗୌରବ ହାସଲ ନକରିଥିବା ହେତୁ ନାନାଦି ଲାଞ୍ଛନା ସହିବାକୁ ପଡୁଥିଲା। ମାତ୍ର ଏଥିପାଇଁ ଯେ ସେ ଦାୟୀ ଅବା ଅନିର୍ବାଣ ଦୋଷୀ ତାହା ନିର୍ଣ୍ଣୟ କରିବା ପାଇଁ ଯେତେଥର ଅନିର୍ବାଣକୁ କାକୁତିମନତି କରି ଡାକ୍ତର ପରାମର୍ଶ କରିବାକୁ କହିଛି ପ୍ରତିବଦଳରେ କେବଳ ଶାରୀରିକ ଓ ମାନସିକ ନିର୍ଯାତନା ହିଁ ପାଇଛି। କିନ୍ତୁ କେବେ ବି ଦୁହେଁ ହସ୍ପିଟାଲ ଯାଇନାହାନ୍ତି କି ପରୀକ୍ଷା କରାଇନାହାନ୍ତି। ଶ୍ରୀୟଙ୍କାର ଡାକ୍ତରୀ ସହାୟତା ପ୍ରସ୍ତାବ ଅନିର୍ବାଣ ପାଇଁ ଅସହ୍ଯ ଥିଲା। କାରଣ ତା'ର ପୌରୁଷ ପ୍ରତି ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା।


ଯାହା ଯେମିତି ଜୀବନ ବିତି ଚାଲିଥିଲା, ସେତେବେଳେ ଆକାଶ ତା' ମଥାରେ ଛିଡ଼ି ପଡିଲା ପରି ଅନୁଭବ ହେଲା ଶ୍ରୀୟଙ୍କାକୁ ଯେବେ ଅନିର୍ବାଣ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲା। ନିଜର ବନ୍ଧୁମାନଙ୍କ ସହିତ ଦିଲ୍ଲୀର ଏକ ସପ୍ତ ତାରକା ହୋଟେଲରେ ନ୍ଯୁ ଇୟର ପାର୍ଟି କରୁଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଅନିର୍ବାଣ ଘଟଣା ସ୍ଥଳରେ ହିଁ ମୃତ୍ଯୁ ବରଣ କରିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଶବକୁ ଚିହ୍ନଟ କରିବା ପୋଲିସ୍ ପାଇଁ ଥିଲା ଦୂରୁହ ବ୍ଯାପାର। ଅନିର୍ବାଣର ଅକାଳ ବିୟୋଗ ଘଟିବା ଫଳରେ ଶ୍ରୀୟଙ୍କାର ଜୀବନରେ ଅନିଶ୍ଚିତତାର କଳା ବାଦଲ ଘୋଟିଆସିଲା। ଶାଶୁଘର ଠାରୁ ବାପଘର ଯାଏଁ ସଭିଏଁ ଅନିର୍ବାଣର ମୃତ୍ୟୁ ପାଇଁ ତାକୁ ହିଁ ଦାୟୀ କଲେ। କାରଣ ସେ ତା'ର ସ୍ବାମୀକୁ ପ୍ରେମର ଡୋରିରେ ବାନ୍ଧି ରଖିବାରେ ସକ୍ଷମ ହୋଇନଥିଲା। ତାର ଅସମର୍ଥତା ପାଇଁ ଅନିର୍ବାଣ ରାତି ରାତି ଘରକୁ ନଫେରି ବାହାରେ ଫୁର୍ତ୍ତି କରୁଥିଲା। ଆଉ ଏଇ ଫୁର୍ତ୍ତି ହିଁ ତାର କାଳ ହେଲା।


ଅନିର୍ବାଣର ମୃତ୍ୟୁ ପରେ ଶ୍ରୀୟଙ୍କା ପାଇଁ ସବୁ ରାସ୍ତା ବନ୍ଦ ହୋଇ ଯାଇଥିଲା। ଚାକରାଣୀ ପରି ଘରର ଯାବତୀୟ କାମ କରିବା ସତ୍ତ୍ବେ ମଧ୍ୟ ଶାଶୁଘର ଲୋକେ ଦୂର୍ ଦୂର୍ ମାର୍ ମାର୍ କରୁଥିଲେ। ବାପଘର କଥା ତ ନକହିବା ଭଲ। ବାହାଦେବା ପରେ ଦିନଟିଏ ମଧ୍ଯ ହାନିଲାଭ ବୁଝିବାକୁ କେହିବି ଚାହିଁ ନାହାନ୍ତି। ତା ଜୀବନରେ ଘଟୁଥିବା ଦୁର୍ଘଟଣା ରାଜେନ୍ଦ୍ର ପ୍ରତି କରିଥିବା ପ୍ରତାରଣାର ପ୍ରତିଫଳ ବୋଲି ବିବେଚନା କରି ପଶ୍ଚାତାପର ଅଗ୍ନିରେ ଜଳୁଥିଲା ସେ। ଦିନେ ଜୀବନ ପ୍ରତି ବୀତସ୍ପୃହ ହୋଇ ଆତ୍ମହତ୍ୟା କରିବାର ଚେଷ୍ଟା କଲା ସିଏ। ଶାଶୁଘରୁ ଲୁଚି ପଳାଇ ଆସି ପୂର୍ଣ୍ଣଗର୍ଭା ଯମୁନା ନଦୀକୁ ଲମ୍ଫ ପ୍ରଦାନ କଲା କିନ୍ତୁ ବିଧାତା ତାହାରି ଭାଗ୍ୟରେ ଭିନ୍ନ କାହାଣୀ ଲେଖିଥିଲା। ଜୀବନର ଯନ୍ତ୍ରଣାରୁ ଏତେ ଶୀଘ୍ର ମୁକ୍ତି ପାଇବା ତା' ଭାଗ୍ୟରେ ନଥିଲା। ଜୀବନର ମୋଡ଼ ତାକୁ ଆଣି ବୃନ୍ଦାବନରେ ପହଞ୍ଚାଇ ଦେଲା।


ଶତପଥୀ ପରିବାରର ଅଲିଅଳି କନ୍ଯାରୁ ନିରାଶ୍ରୟା ବିଧବା ପାଲଟି ଯାଇଥିଲା ଶ୍ରୀୟଙ୍କା। ବୃନ୍ଦାବନର ବିଧବା ଆଶ୍ରମରେ ଅନ୍ଯ ନିଃସହାୟା ବିଧବାମାନଙ୍କ ପରି ସେ ବି ଜୀବନ ଜୀଇଁବାକୁ ଲାଗିଲା। ଯାହା ବି ହେଉ ଶାଶୁଘର ପରି ନର୍କରୁ ତ ମୁକ୍ତି ମିଳିଗଲା। ବାପଘର ତ ତା' ବାହାଘର ପରଠାରୁ ପର ହୋଇଯାଇଥିଲା। ବୃନ୍ଦାବନର ଏଇ ବିଧବା ଆଶ୍ରମ ବ୍ଯତୀତ ଆଉ କେଉଁ ପୁର ଯେ ତା' ଲାଗି ସୁରକ୍ଷିତ ଥିଲା? ଏଠି ସିଲେଇ ଶିଖିବା ସହିତ ଭଜନ କୀର୍ତ୍ତନ କରି କାଳ କାଟୁଥିଲା। ଅନ୍ତର୍ମନରେ ନିଜ ପାପର ପ୍ରାୟଶ୍ଚିତ୍ତ କରୁଥିଲା। ଜୀବନରେ ଥରୁଟିଏ ରାଜେନ୍ଦ୍ରକୁ ଭେଟି ତା'ର ଅନିଚ୍ଛାକୃତ ପ୍ରତାରଣା ନିମନ୍ତେ କ୍ଷମା ଯାଚନା କରି ପ୍ରଶାନ୍ତିର ସହିତ ମରିବାକୁ ଚାହୁଁଥିଲା ଯାହା। ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀରଙ୍ଗାଚରଣରେ ଅନବରତ ବିନତି କରୁଥିଲା।


ପଥଭ୍ରଷ୍ଟ ରାଜେନ୍ଦ୍ର ଦିବ୍ୟ ମହିମାର ଡୋରିରେ ଆକର୍ଷିତ ହୋଇ ଅମଡ଼ାବାଟରେ ଚାଲି ଚାଲି ଝୁଣ୍ଟି ପଡ଼ି ପୁଣି ଉଠି ଶେଷରେ ଆସି ସେଇ ପୂଣ୍ୟ ଧାମ ବୃନ୍ଦାବନରେ ପହଞ୍ଚିଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କର ଇଙ୍ଗିତରେ ସେ ଚାଲି ଆସିଥିଲା ଏଠାକୁ ଶ୍ରୀୟଙ୍କାର ମନୋବାଞ୍ଛା ପୂର୍ଣ୍ଣ ଉଦ୍ଧେଶ୍ୟରେ। ଦୀର୍ଘ ଦୁଇ ଦଶନ୍ଧିର ତମାମ ଘାତ ପ୍ରତିଘାତ ସହି ପ୍ରେମର ସମସ୍ତ ପରୀକ୍ଷାରେ ରାଜେନ୍ଦ୍ର ଓ ଶ୍ରୀୟଙ୍କା ଦୁହେଁ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇ ସାରିଥିଲେ। ପ୍ରାରବ୍ଧ କର୍ମର ସମସ୍ତ ପାପ କ୍ଷୟ ହୋଇଯାଇଥିଲା ବୃନ୍ଦାବନଧାମର ପାବନ ଭୂମିର କାଉଁରୀ ସ୍ପର୍ଶରେ। 

ଯଦିଓ ତାରୁଣ୍ୟର ଉଦ୍ଧାମତା ଓ ଯୌବନର ଆକର୍ଷଣ ଅନେକାଂଶରେ ହ୍ରାସ ପାଇଯାଇଥିଲା ତଥାପି ଦୁହିଁଙ୍କ ମଧ୍ୟରେ ଅନାବିଳ ଦେହାତୀତ ପ୍ରେମ କାଣିଚାଏ ମଧ୍ୟ କମ୍ ହୋଇନଥିଲା। ଘନ ମେଘାଛନ୍ନ ଆକାଶରେ ବିଜୁଳି ଚମକିଲା ପରି ପ୍ରେମୀଯୁଗଳଙ୍କ ଅଶ୍ରୁସ୍ନାତ ମୁଖମଣ୍ଡଳରେ ଏକ ଅନିର୍ବଚନୀୟ ଆନନ୍ଦ ଖେଳି ଯାଉଥିଲା। ଶାଶ୍ୱତ ନୈସର୍ଗିକ ଭାବନାରେ କୁରୁଳି ଉଠୁଥିଲା ଦୁହିଁଙ୍କର ମନ ପ୍ରାଣ ଓ ସମଗ୍ର ଜାଗତିକ ସତ୍ତା। ବେନି ପ୍ରାଣୀଙ୍କ ମନମନ୍ଦିରରେ ଗୁଞ୍ଜରିତ ହେଉଥିଲା "ହରେକୃଷ୍ଣ ହରେରାମ"ର ମୋକ୍ଷ ପ୍ରଦାୟିନୀ ମହାମନ୍ତ୍ର।




Rate this content
Log in

Similar oriya story from Romance