STORYMIRROR

Siddhartha Sankar Tripathy

Romance Tragedy Inspirational

3  

Siddhartha Sankar Tripathy

Romance Tragedy Inspirational

ପ୍ରେମ

ପ୍ରେମ

4 mins
237


   କୌଣସି ଏକ ପରିସ୍ଥିତିରେ ଲେଖିବା ଆରମ୍ଭ କଲି, ମନେନାହିଁ ଭାବିଲେ ଶାନ୍ତିରେ ଲେଖିପାରେ। ଦୁଃଖଭରା ଚରିତ୍ର ତଥା ପାରିପାର୍ଶ୍ବିକ ପରିସ୍ଥିତିର ଚିତ୍ରଣରେ ଆତ୍ମତ୍ରୁପ୍ତି ପାଏ। କିଛି ଲେଖକଙ୍କ ଅନୁରୋଧରେ ନଦୀର ଗତିପରିବର୍ତ୍ତନ ପରି ଲେଖାର ଗତି ପରିବର୍ତ୍ତନକରି ମିଶ୍ରିତ ଲେଖା ଆରମ୍ଭ କଲି। 


   କିଛିଦିନ ପୁର୍ବେ.....

ଚିନ୍ତାକଲି ଯୁବପାଠକଙ୍କ ଆଦୃତି ଲାଭକରିବାକୁ। ଲେଖିବାକୁ ଆରମ୍ଭ କଲି ପ୍ରେମଗଳ୍ପ। ଏମିତି ଜଣେ ଦେଖାହେଲେ ଓ କଥାଛଳରେ କହିଲେ, ଆପଣ ପୁଣି ପ୍ରେମଗଳ୍ପ, ନା ପାରିବେନି। ସେଇ ଗୋଟିଏ ପଦ ମୋତେ ପ୍ରେରଣା ଦେଇଥିଲା।


     ନାମୀ ଲେଖକ ଅଖିଳଙ୍କ ସାକ୍ଷାତକାର ନେଉଥିଲା ସମ୍ୱାଦସରବରାହ ସଂସ୍ଥା। ଶେଷ ପ୍ରଶ୍ନ ଥିଲା, ଆପଣଙ୍କର ପ୍ରେମ ଓ ବିବାହର ବାଧକର କାରଣ କଣ ? ଆପଣ ତ ସୁପ୍ରତିଷ୍ଠିତ। ପ୍ରଶ୍ନକୁ ଏଡାଇଯାଇ ସାକ୍ଷାତକାର ସମାପ୍ତ କରିଥିଲେ ଲେଖକ ଅଖିଳ। 


   କିଛିଦିନ ପରେ.....

ମୋବାଇଲରେ ସୁମଧୁର ଲଳନାର କଣ୍ଠସ୍ବର, ସାର୍ ମୁଁ ଆପଣଙ୍କ ଜଣେ ଦ୍ରୁଢ ପ୍ରଶଂସକ। ଆପଣଙ୍କ ପ୍ରତିଟି ସଙ୍କଳନ ପଢିସାରିଛି। ବିଶେଷକରି ପ୍ରେମ ଉପରେ ଆପଣଙ୍କ ବିଶ୍ଳେଷଣ, ମୋ ପାଖରେ ପ୍ରଶଂସାର ଶବ୍ଦ ନାହିଁ। ତାପରେ ସେପଟରୁ ଫୋନ୍ କଟିଗଲା। 

  


     ନିଜ ସଦ୍ୟତମ ଲେଖାଟିର କିଛିଧାଡି ପଢୁଥିଲେ ଅଖିଳ। ପ୍ରେମ ସରସ,ସୁନ୍ଦର। ପ୍ରେମ ପାରିଜାତ। ପ୍ରେମ ଗ୍ରହୀତା ନୁହେଁ ଦାତା। ପ୍ରେମ ଜଳପୂର୍ଣ୍ଣ ପାତ୍ର। କିନ୍ତୁ ଅଖିଳ ? ପ୍ରେମର ସୁନ୍ଦର ବ୍ୟାଖ୍ୟା କରୁଥିବା ଲୋକଟି ପ୍ରେମ ଓ ସଂସାର ସୁଖରୁ ବଞ୍ଚିତ କାହିଁକି ? ହୋଇପାରେ ପୁର୍ବ ଜନ୍ମର କିଛି ଅପରାଧ ।


ପୁଣି ରାତିରେ ଝିଅଟିର ଫୋନ୍। କଥାବାର୍ତ୍ତାରୁ ଜାଣିପାରିଲେ ଝିଅଟିର ନାଆଁ ଛନ୍ଦା ଓ ସେ ଅବିବାହିତା। ନିଜର ନିଃସଙ୍ଗ ଜୀବନ ତଥା ନିଜ ବିଷୟରେ ସମସ୍ତ ବିଷୟ ଜ୍ଞାତ କରାଇଲେ ଓ ଛନ୍ଦା ବି ନିଜ ବିଷୟରେ ଗପି ଚାଲିଲା। 


   ଆନନ୍ଦ ଓ ଅଦ୍ଭୁତ ଶାନ୍ତି ପାଉଥିଲେ ଅଖିଳ। ଧିରେଧିରେ କଥାବାର୍ତ୍ତାରୁ ଆରମ୍ଭ ହେଲା ପ୍ରେମ। ପ୍ରେମର ପ୍ରବାହରେ ଶାନ୍ତ ଭାବରେ ବହିଚାଲିଲା ଦୁହିଁଙ୍କର ପ୍ରେମର ତରୀ। ନିଜ ଲେଖନୀ ଓ ପ୍ରକ୍ରୁତିର ସତ୍ୟ ସହ ତୁଳନା କରୁଥିଲେ ଅଖିଳ। 




   

      ଲେଖନୀମୁନରେ ଜୀବନ୍ତ ପ୍ରେମ ଲେଖୁଥିବା ଲେଖକ ଆଜି ନିଜେ ଅନୁଭବ କରୁଥିଲେ ପ୍ରେମର ଗଭୀରତା ଓ ସୁନ୍ଦରତା। ନିଜକୁ ବିଶ୍ବାସ କରିପାରୁନଥିଲେ ତାଙ୍କପରି ବ୍ୟକ୍ତିତ୍ବକୁ କୌଣସି ସୁନ୍ଦରୀ ଲଳନା ଜୀବନଠୁଁ ଅଧିକ ଭଲପାଇପାରେ ? ୟାରି ଭିତରେ ବିତିଗଲା ବେଶ୍ କିଛିଦିନ।



     ମନେମନେ ତାଙ୍କରି ପରି ଜଣେ ଲେଖକକୁ ଏତେ ପାଠୁଆ, ଧନାଢ୍ଯ ଝିଅ ଜୀବନଠୁ ଅଧିକ ଭଲପାଉଥିବାରୁ ନିଜକୁ ଭାଗ୍ୟବାନ ମଣୁଥିଲେ ଅଖିଳ। ପ୍ରେମ ଥିଲା ଚରମସୋପାନରେ ତା ବି ବିନା ଦେଖାରେ। 


    ମନେମନେ ଭାବୁଥିଲେ ଅଖିଳ, ବିନା ଅଭିଜ୍ଞତାରେ ପ୍ରେମର ରଚନା ସେ କରି ଆଦ୍ରୁତି ଲାଭ କରିଥିଲେ କିନ୍ତୁ ଆଜି ସେ ବୁଝିପାରିଛନ୍ତି ତାଙ୍କ ଲିଖିତ ପ୍ରେମର ପ୍ରତିଟି ଶବ୍ଦ ଠିକ୍। ତା ନହେଲେ ନିଜ ବିଷୟରେ ଯାହା ବି କହିଲେ ଗୋଟିଏ ଉତ୍ତର ଛନ୍ଦାର, ଓହୋ ମୁଁ ଚେହେରାକୁ ଭଲପାଇନାହିଁ, ମୁଁ ଭଲପାଇଛି ଶାନ୍ତ, ସରଳ ସରସ୍ଵତୀଙ୍କ ବରପୁତ୍ର, ସାରସ୍ବତ ସାଧକ ଅଖିଳକୁ। 



       ପ୍ରେମର ଅମ୍ରୁତ ବାରିଧାରାରେ ତାହେଲେ ବିଷର ସିଞ୍ଚନ ଓ ପ୍ରତାରଣା ଏସବୁ ହୁଏ କେମିତି ଓ କାହିଁକି ? ଅନୁଶୀଳନ କରୁଥିଲେ ଅଖିଳ। ଏତେ ସୁନ୍ଦର ପ୍ରେମରେ ଝଡ ଓ ଭଟ୍ଟା ଆସେ କେମିତି ? ବୁଝିପାରୁନଥିଲେ ଅଖିଳ। ବହୁତ ଗଳ୍ପରେ ବର୍ଣ୍ଣନା କରିଛନ୍ତି, ଗୋଲାପ ଧରିବାକୁ ହେଲେ କଣ୍ଟା ନିଶ୍ଚୟ ଫୋଡିହୋଇଯିବ କିନ୍ତୁ ସେ ତ ବିନା କଣ୍ଟାରେ ଗୋଲାପ ପାଇଗଲେ। ତାଙ୍କର ଆଗକୁ ପଛକୁ କେହି ନାହିଁ, ତାଛଡା ଛନ୍ଦା ପଟରୁ ଆପତ୍ତି ନାହିଁ। ତାହେଲେ, ପ୍ରେମରେ ଅସଫଳ ଆତ୍ମହତ୍ୟା ଏସବୁର ଚିତ୍ରଣ ବୋଧେ ଭୁଲ୍ ଥିଲା।



    ନିଃସ୍ୱାର୍ଥ ପ୍ରେମ କଣ୍ଟକଶୂନ୍ୟ। ପ୍ରେମର ନଈରେ ଭାସିଚାଲିଥିଲା ଅଖିଳ ଓ ଛନ୍ଦାର ଡଙ୍ଗା। ଆଗରୁ ତ ଅଖିଳ କହିସାରିଛନ୍ତି ଓ ମୁହଁର ଫଟୋ ଦେଖି ବି ସ୍ୱିକ୍ରୁତି ଦେଇ ଆଗକୁ ବଢିଛି ସୁନ୍ଦରୀ, ଶିକ୍ଷିତା ଛନ୍ଦା। 



     ନିଜର ଅକ୍ଷମତା ପାଇଁ ପ୍ରେମ ଓ ସଂସାରକୁ ମନରୁ ପୋଛିଦେଇ ପ୍ରେମଗଳ୍ପ ଲେଖିଲେଖି ଜୀବନ ଯିଇଁ ଚାଲିଥିଲେ ଅଖିଳ। ଆଜି ବି ଛନ୍ଦାର ପ୍ରେମ ଅବିଶ୍ୱସନୀୟ ତଥା ସ୍ୱପ୍ନ ପରି ଲାଗୁଛି। ଆରେ......!

ଭାବନା ରାଜ୍ୟରେ ମଶଗୁଲ ଥିବା ସମୟରେ ଛନ୍ଦା ଚାରିଚାରିଥର ଫୋନ୍ କରିସାରିଲାଣି। ବ୍ୟସ୍ତ ହୋଇପଡୁଥିବ ବିଚାରୀଟା। ଫୋନ୍ କରି ଚମକିଉଠିଲେ ଅଖିଳ। ଛନ୍ଦା ତା ଘରକୁ ଆମନ୍ତ୍ରଣ କରୁଛି। ହେଲେ ତାହା ତ ସମ୍ଭବ ନୁହେଁ, ଛନ୍ଦା କଣ ଜାଣିନି।



    ନିଜର ଅକ୍ଷମତା ପ୍ରକାଶ କଲା ଅଖିଳ। ଛନ୍ଦା କହିଲା, ମନଦୁଃଖ କରନାହିଁ, ମୁଁ କିଛି ବ୍ୟବସ୍ଥା କରୁଛି। ତାପରେ ଚାଲିଲା ପ୍ରେମାଳାପ। କିଛିଦିନ ପରେ ଛନ୍ଦା ସପରିବାର ଅଖିଳ ଘରେ ପହଞ୍ଚିଗଲା। ଛନ୍ଦା ଲାଜେଇଯାଇ ଗାଡିଭିତରେ ବସି ରହିଲା। ଓହ୍ଲେଇଗଲେ ବାପାମାଆ। ନୁଆଁଣିଆ ଚାଳଛପରଘରେ ପ୍ରବେଶ କରୁକରୁ ଠାଏକିନି ମୁଣ୍ଡ ବାଜିଗଲା ଛନ୍ଦାର ବାପାଙ୍କର। ବାହାରେ ୱ୍ହିଲ ଚେୟାର ଉପରେ ବସିଥିବା ଶାରୀରିକ ଅକ୍ଷମ ଯୁବକ ଜଣକୁ ଛନ୍ଦାର ବାପା ପଚାରିବସିଲେ, ଆଜ୍ଞା ଟିକେ ଅଖିଳବାବୁଙ୍କୁ ଡାକି ଦିଅନ୍ତୁ, ଆମେ ଝିଅର ଜିଦ୍ ଯୋଗୁଁ ତାପାଇଁ ପ୍ରସ୍ତାବ ଦେଖିବାକୁ ଆସିଛୁ। 



    ଯୁବକଜଣକ ହସିହସି କହିଲେ ଆଜ୍ଞା, ପ୍ରଣାମ। ମୁଁ ହିଁ ଅଖିଳ। ଚମକିଉଠିଲେ ଛନ୍ଦାର ବାପାମାଆ।କଦାକାର ପୁରୁଷ, ନା ଘର, ନା ଚାକିରୀ, ନା ଚେହେରା, କଣ ଦେଖି ଝିଅ ଭଲପାଇ ବସିଲା ? ଘରକୁ ଗଲେ ତାକୁ ବୁଝେଇଦେବା କହି ଗାଡି ପାଖକୁ ଚାଲିଲେ ଦୁହେଁ। 


 ଗାଡିଭିତରେ ଛନ୍ଦା ନଥିଲା। ବାହାରେ କେଉଁଠି ବି ଦେଖାଯାଉନଥିଲା। ଆଶ୍ଚର୍ଯ୍ୟଚକିତ ହୋଇ ଖୋଜିବାରେ ଲାଗିଲେ ଛନ୍ଦାକୁ। ଶେଷରେ ନିରାଶ ହୋଇ ଗାଡିପାଖରେ ଠିଆ ହୋଇଥିବା ସମୟରେ ଦୁଇହାତରେ ଦୁଇଟି ଚାହାକପ୍ ଧରି ପହଞ୍ଚିଯାଇଥିଲା ଛନ୍ଦା। ଆଶ୍ଚର୍ଯ୍ୟ ହୋଇ ଛନ୍ଦାକୁ ଦେଖୁଥିଲେ ତାର ବାପାମାଆ। କୁଟାଖଣ୍ଡକ ଦିଖଣ୍ଡ କରୁନଥିବା ଅଲିଅଳି ଝିଅର କାର୍ଯ୍ୟକଳାପକୁ ବିଶ୍ବାସ କରିପାରୁନଥିଲେ ସେମାନେ। 



    ଝିଅ ତୁ ଚାହା କରି ଆଣିଛୁ ? ହସିହସି ଛନ୍ଦା କହିଲା, ହଁ ବାପା, ମୁଁ ଜାଣିଥିଲି ତମେମାନେ ଅଖିଳ କୁ ଗ୍ରହଣ କରିବ ନାହିଁ। ଆମ ଭିତରେ ଫରକ ନାହିଁ। ସେ ଜଣେ ହ୍ରୁଦୟବାନ ମଣିଷ। ଆଜିର ଦୁନିଆରେ ବିରଳ। ତମ ଆଖିରେ ସମ୍ପତ୍ତିର କଳାଚଷମା। 


    ଅଖିଳର ପ୍ରେମର ରଙ୍ଗରେ ମୋର ବିଶ୍ବାସର ତୁଳି।

     ଆମର ପ୍ରେମର ରଙ୍ଗକୁ ଭରସାର ତୁଳିରେ ମନର କାନଭାସରେ ଅଖିଳ ଆଙ୍କି ସାରିଛନ୍ତି ସୁନ୍ଦର ଚିତ୍ରପଟ।

ତମର ଅବିଶ୍ବାସର ରଙ୍ଗ ଢାଳି ଆମର ପ୍ରେମର ଛବିକୁ ତୁଳିରେ ନଷ୍ଟ କରିବାର ବ୍ଯର୍ଥ ପ୍ରୟାସ କଲେ ତମ ଝିଅର ରଙ୍ଗିନ ସ୍ୱପ୍ନ ବେରଙ୍ଗ ହୋଇଯିବ।


      ଭୁଲ ବୁଝିପାରୁଥିଲେ କି ବାଧ୍ୟବାଧକତାରେ ରାଜିଥିଲେ, ଛନ୍ଦାର ବାପାମାଆ ବୁଝି ହେଉନଥିଲା। ଛନ୍ଦାର ବାପାମାଆଙ୍କର ଆଖିରେ ଅଶ୍ରୁର ପ୍ଳାବନ। ସେ ଅଶ୍ରୁ ଖୁସିର କି ଦୁଃଖର ବାରି ହେଉନଥିଲା। ଛନ୍ଦା, ଅଖିଳର ପାଦତଳେ ବସିଥିଲା। ଛନ୍ଦା ଓ ଅଖିଳର ଆଖିରେ ଅଶ୍ରୁ। ହଁ, ଏହି ଅଶ୍ରୁ ଥିଲା ଖୁସିର, ବିଶ୍ବାସର, ପ୍ରେମର ସ୍ପଷ୍ଟ ବାରି ହୋଇପଡୁଥିଲା। ପ୍ରେମ ସଫଳ ଥିଲା। ବାହାଘର ଦିନ ବି ସ୍ଥିର ହୋଇସାରିଥିଲା। 


ଆରେ ଚାଲନ୍ତୁନା, ଆଧୁନିକ ଯୁଗରେ ଏମିତି ବିରଳ ପ୍ରେମକୁ ସମ୍ମାନ ଦେବାସହ ଭୋଜି ଖାଇ ଆସିବା। ହୁଏତ ଆମେ ବୁଝିପାରିବା ପ୍ରକ୍ରୁତ ପ୍ରେମର ସଂଜ୍ଞା!!


Rate this content
Log in

Similar oriya story from Romance