Er.Siddhartha Sankar Tripathy

Romance Tragedy

4  

Er.Siddhartha Sankar Tripathy

Romance Tragedy

ପ୍ରେମ ଠିକ୍ ନା ଭୁଲ୍

ପ୍ରେମ ଠିକ୍ ନା ଭୁଲ୍

5 mins
333



କଟାକ୍ଷ ଲେଖିବାକୁ ଭଲପାଏ ମୁଁ। ଏଇ ଆଶାରେ ହୁଏତ କିଛିଟା ପଥହରା ପଥ ଦେଖିନେବେ। ହଠାତ୍ ଦିନେ ଜଣେ ଲେଖିକା ଯୁକ୍ତି କଲେ, ଆଜ୍ଞା ଗଳ୍ପ ପଢି କଣ କିଏ ବଦଳି ଯାଏ ? ବରଂ ଆପଣ ଶତ୍ରୁ କିଣୁଛନ୍ତି ତା ' ବି ମାଗଣାରେ। ମନମାରି ରହିଗଲି। ସେଦିନ ମୋ ଧୈର୍ଯ୍ଯର ବନ୍ଧ ଭାଙ୍ଗିଗଲା ଯେଉଁଦିନ ନିମ୍ନପ୍ରଦତ୍ତ କଥାଟି ଶୁଣିଲି। କାରଣ ମୋର ଅଧିକାଂଶ କଟାକ୍ଷ ସୋସିଆଲ ମିଡିଆକୁ ନେଇ। କିନ୍ତୁ ଏଇ କାହାଣୀ ଟିକେ ନିଆରା।ହୁଏତ ମୋର କଟାକ୍ଷର ମୁଖ୍ଯନାୟକ ( ମାନେ ସୋସିଆଲ ମିଡିଆ) ହିଁ ଦୋଷୀ ନୁହଁ, ଦୋଷୀ ତାହେଲେ କିଏ ? 


ଆଜିକାଲି ପ୍ରେମ ବି ଛତୁ ଫୁଟିଲା ପରି ସର୍ବତ୍ର, ସବୁ ବର୍ଗରଲୋକଙ୍କ ନୀତିଦିନିଆ ଘଟଣା।

ସାରଦିଆ ପରିବା ଖାଇ ଖାଇ ଆଜିକାଲି ଭେଜାଲ ପରିବା ପରି ପ୍ରେମ ବି ଭେଜାଲ। ସ୍ବାର୍ଥ ପାଇଁ ପ୍ରେମ ଓ ସ୍ବାର୍ଥସାଧନ ପରେ ପ୍ରତ୍ୟାଖାନ।

ସେମିତି ଏକ ସତ୍ୟ ଘଟଣା କାହାଣୀ ରୁପରେ ଉପସ୍ଥାପନା କରିବାକୁ ଯାଉଛି।

ଗଳ୍ପଟି ପଢନ୍ତୁ, ଜାଣିପାରିବେ।


ପୁଷ୍ପା ! ଏ ପୁଷ୍ପା ! ଝିଅକୁ ଆଜି ନୂଆଁ ବିଦ୍ୟାଳୟରେ ଦାଖଲ କରିବା।

ପୁଷ୍ପା କହିଲେ, ହଁ ସେ ବିଦ୍ୟାଳୟ ଭଲ ନୁହଁ, ତାଛଡ଼ା ସମ୍ବଲପୁର ସହରରେ କ'ଣ ବିଦ୍ୟାଳୟ ଅଭାବ କି ? ତମେ ତ ତମ ବ୍ୟବସାୟରେ ବ୍ୟସ୍ତ। ଆଜି କେମିତି ଝିଅର ପଢା କଥା ମନେ ପଡ଼ିଲା ?

ହସିଦେଇ ଚୁପ୍ ରହିଲେ ମାନସବାବୁ।


ପୁଷ୍ପା ନିର୍ଦ୍ଧାରିତ ସମୟରେ ଝିଅକୁ ନେ଼ଇ ବିଦ୍ୟାଳୟକୁ ଗଲେ। ବିରାଟ ଅନୁଷ୍ଠାନ। ଦେଖି ଖୁସି ହୋଇଗଲେ ପୁଷ୍ପା। ଆଜିକାଲିର ଅନୁଷ୍ଠାନ। ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ। ଏତେ ବଡ ବିଦ୍ୟାଳୟରେ କେମିତି କ'ଣ କରିବେ, କାହାକୁ ପଚାରିବେ ଭାବୁ ଭାବୁ ଦେଖାହେଲେ ଧୋବଧାଉଳିଆ ବାବୁ କୃଷ୍ଣ । ପୁଷ୍ପାକୁ ନିରିଖେଇ ଦେଖୁଥିଲେ କୃଷ୍ଣବାବୁ। ଲତାଟିଏ ସାହାରା ପାଇ ଦ୍ରୁମରେ ଲଟକି ଗଲା ପରି ସୁନ୍ଦରୀ ପୁଷ୍ପା ପଚାରିବସିଲେ , ଆଜ୍ଞା ! ଟିକେ ଶୁଣିବେ ?


ଧ୍ୟାନଭଙ୍ଗ କରି ଚମକି ଉଠିଲେ କୃଷ୍ଣବାବୁ। ହଁ ମ୍ୟାଡମ୍, କୁହନ୍ତୁ। ପୁଷ୍ପା କହିଲେ, ଆଜ୍ଞା ! ମୋ ଝିଅକୁ ଏହି ବିଦ୍ୟାଳୟରେ ପ୍ରବେଶ କରେଇବା ପାଇଁ ଆସିଛି। କିନ୍ତୁ ଏଠି କାହାକୁ ଜାଣିନାହିଁ। ସ୍ମିତ ହସି କୃଷ୍ଣବାବୁ କହିଲେ, ମୁଁ ଏହି ବିଦ୍ୟାଳୟର ଶିକ୍ଷକ। ମୋ ଝିଅ ବି ଆପଣଙ୍କ ଝିଅ ଶ୍ରେଣୀର କହି ପୁଷ୍ପାଙ୍କୁ ସାଙ୍ଗରେ ନେଇ ସମସ୍ତ ସୁବିଧା କରେଇଦେଲେ। ଖୁସିରେ ଗଦଗଦ ହୋଇ ପୁଷ୍ପା ଧନ୍ୟବାଦ ଜଣାଇଲେ।


କୃଷ୍ଣବାବୁ କହିଲେ, ମ୍ୟାଡମ୍, ଆଜିକାଲି ବେଳକାଳ ଠିକ୍ ନାହିଁ, ଆପଣ ଝିଅକୁ ନିଜେ ନେବା ଆଣିବା କରନ୍ତୁ ଏତିକି ଅନୁରୋଧ। ପୁଷ୍ପା କହିଲେ ଆଜ୍ଞା , ମୋତେ ଘର କାମରେ ଦଣ୍ଡେ ଫୁରୁସତ୍ ନାହିଁ, ତଥାପି ନିଶ୍ଚୟ ଚେଷ୍ଟା କରିବି। ହଉ ମୋ ମୋବାଇଲ୍ ନମ୍ବର ରଖନ୍ତୁ, ସୁବିଧା ଅସୁବିଧା ହେଲେ ଜଣାଇବେ କହି ବିଦାୟ ଦେଲେ ପୁଷ୍ପାଙ୍କୁ।


ରାତିରେ ଘରକୁ ଫେରି ଆନନ୍ଦରେ କୁରୁଳି ଉଠୁଥିଲେ କୃଷ୍ଣବାବୁ। ସ୍ତ୍ରୀ ଲତା ପଚାରିଲେ କ'ଣ କିହୋ, ଆଜି ଭାରୀ ଖୁସି ଜଣା ପଡ଼ୁଛ ? କ'ଣ କିଛି ଶୁଭ ଖବର ଅଛି କି ? ନିଜକୁ ସମ୍ଭାଳିନେଇ କୃଷ୍ଣବାବୁ କହିଲେ, ନା ମ , ଆଜି ବିଦ୍ୟାଳୟରେ ବହୁତ୍ ଛାତ୍ରୀ ଜଏନ କଲେ। ତେଣୁ ଅନଲାଇନ କାମ ରହିବ, ତମେ ମୋତେ ବ୍ୟସ୍ତ କରିଵ ନାହିଁ। ମୋବାଇଲ ଜାବୁଡ଼ି ଧରି ଏକାନ୍ତରେ ବସି ରହିଲେ କୃଷ୍ଣବାବୁ, କାଳେ ପୁଷ୍ପା ମ୍ୟାଡମ୍ ଙ୍କ ଫୋନ ଆସିବ। ସେ ବି ତ ହସି ହସି ଗପୁଥିଲେ। ମୋତେ ମନେ ପକେଇବେ ନିଶ୍ଚୟ।


ବାରମ୍ବାର ମୋବାଇଲକୁ ଅନେଇ ଏକଡ ସେକଡ କରୁଥିଲେ କିନ୍ତୁ ପୁଷ୍ପାର ଫୋନ ନଥିଲା। କାଳେ ନେଟୱର୍କ ନଥିବ ଭାବି ମୋବାଇଲ ବନ୍ଦ କରୁଥିଲେ। ନିଜକୁ ନିଜେ ଗାଳି ଦେଇ କହୁଥିଲେ, ମୁଁ କେଡେ ମୁର୍ଖ, ପୁଷ୍ପାର ନମ୍ବର ରଖିପାରିଲିନାହିଁ।

କେତେବେଳେ କୃଷ୍ଣବାବୁଙ୍କ ଆଖି ଲାଖି ଯାଇଛି।


ଭୋର ତିନିଟା .....


ନିଦରୁ ଉଠି ଘଡି ଦେଖିଲେ କୃଷ୍ଣବାବୁ। ବିଦ୍ୟାଳୟ ଯିବାକୁ ଆହୁରି ସାତଘଣ୍ଟା ବାକି ଅଛି। ମୋବାଇଲ ଦେଖିଲେ କାଳେ ପୁଷ୍ପା ମେସେଜ କରିଥିବେ। କିନ୍ତୁ ନା।

ଅସ୍ତବ୍ୟସ୍ତ ହେଇ ଏପଟ ସେପଟ ଘୁରିବାରେ ଲାଗିଲେ। ଶ୍ରୀମତି ଓ ଝିଅ ଗାଢ଼ ନିଦ୍ରାରେ।


ସଅଳ ପ୍ରସ୍ତୁତ ହୋଇ ବିଦ୍ୟାଳୟ ଯିବାକୁ ବାହାରିଲେ। ଶ୍ରୀମତି ପଚାରିଲେ ଏତେ ଜଲଦି କାହିଁକି ? 

ବିଦ୍ୟାଳୟରେ ବହୁତ୍ କାମ କହି ବାହାରିଗଲେ କୃଷ୍ଣବାବୁ।

ସମୟ .....

ସେ ତା ନିର୍ଦ୍ଧାରଣ ଅନୁସାରେ ଗତିଶୀଳ। କିନ୍ତୁ କୃଷ୍ଣବାବୁଙ୍କୁ ଲାଗୁଛି ସତେ ଯେମିତି ସମୟ ଆଜି ଅଟକି ଯାଇଛି। ବିଦ୍ୟାଳୟ ହତାରେ ଏପଟ ସେପଟ ଘୁରିବାକୁ ଲାଗିଲେ ସେ। ନଜର ମୁଖ୍ୟ ଫାଟକ ଉପରେ।


ଦିନ ଦଶଟା। ପୁଷ୍ପା ଝିଅ ସହ ଅଟୋରୁ ଓଲ୍ହେଇଲେ। ଫାଟକ ପାଖକୁ ଦୌଡ଼ି ଗଲେ କୃଷ୍ଣବାବୁ। ମୁରୁକି ହସିଦେଲେ ପୁଷ୍ପା। ଓଃ ! ସତେ ଯେମିତି କୃଷ୍ଣବାବୁଙ୍କ ଛାତି ଭିତରଟା କାଟି ହୋଇଗଲା।


ଝିଅକୁ ବିଦ୍ୟାଳୟରେ ଛାଡ଼ିଲାପରେ ବିଭିନ୍ନ ଆଳରେ ଗପି ଗପି ପୁଷ୍ପାର ମୋବାଇଲ ନମ୍ବର ମାଗିନେବା ସହ କୃଷ୍ଣବାବୁ କହିଲେ, ମ୍ୟାଡମ୍ , ଗତକାଲି ଆଉ ଫୋନ କଲେ ନାହିଁ ତ, ମୁଁ ଅପେକ୍ଷା କରିଥିଲି। ପୁଷ୍ପା କହିଲେ, ନା ସାର୍ ! ମୁଁ ସର୍ବଦା ଘର କାମରେ ବ୍ୟସ୍ତ ତାଛଡ଼ା କିଛି ବିଷୟ ନଥାଇ କ'ଣ କଥା ହେବି।


ବିଦାୟ ନେଲେ ପୁଷ୍ପା। ବିଦ୍ୟାଳୟରେ ମନ ଲାଗୁନଥିଲା କୃଷ୍ଣବାବୁଙ୍କର । ଘରକୁ ଫେରି ମୋବାଇଲ ଧରି ବସିଲେ। ପୁଷ୍ପାଙ୍କ ଫୋନ ଅଥବା ମେସେଜ ନାହିଁ। ରାତି ସାତଟା। ହ୍ୟାଲୋ ମ୍ୟାଡମ୍ ଲେଖିଲେ କୃଷ୍ଣବାବୁ । ବୋଧେ ପୁଷ୍ପା ବସିଥିଲେ ତେଣୁ ଉତ୍ତର ଦେଲେ, ଆଜ୍ଞା କୁହନ୍ତୁ। 


ଖୁସିରେ ଗଦ ଗଦ ହୋଇ ଖଟ ଉପରୁ ତଳକୁ ଲମ୍ଫ ପ୍ରଦାନ କଲେ କୃଷ୍ଣ। ଶରୀରରୁ ଲୁଙ୍ଗି ଅଲଗା ହୋଇଗଲା କିନ୍ତୁ ତାଙ୍କର ନିଘା ନଥିଲା। ଶ୍ରୀମତି ପାଟିକଲେ, କି ଅସଭ୍ୟ ଲୋକ ହୋ, ଘରେ ଝିଅଟା ଅଛି ଅଥଚ ଲଙ୍ଗଳା ହୋଇ ବୁଲୁଛ । କିଛିଦିନ ହେବ ଲକ୍ଷ୍ୟ କରୁଛି ତମର ଅସ୍ବାଭାବିକ ପରିବର୍ତ୍ତନ।


ନିଜକୁ ସମ୍ଭାଳି ନେଲେ କୃଷ୍ଣବାବୁ। ୟା ଭିତରେ ଦଶମିନିଟ ବିତିଗଲା। ବ୍ୟସ୍ତ ହୋଇ କୃଷ୍ନବାବୁ ଲେଖିଲେ, ମ୍ୟାଡମ୍ କ'ଣ କରୁଛନ୍ତି ? କିନ୍ତୁ ସେପଟୁ ଆଉ ଉତ୍ତର ନଥିଲା।

ରାତି ଦୁଇଟା ଯାଏଁ ଉତ୍ତର ଅପେକ୍ଷାରେ ମୋବାଇଲ୍ ଧରି ବସିଲେ କୃଷ୍ଣବାବୁ। 


ପରଦିନ ......


ପୁଣି ଦେଖାହେଲେ ପୁଷ୍ପା। କୃଷ୍ନବାବୁ କହିଲେ, ଆପଣ କାଲି ଆଉ ଉତ୍ତର ଦେଲେ ନାହିଁ, ମୁଁ ରାତି ଦୁଇଟା ଯାଏଁ ଅପେକ୍ଷା କରିଥିଲି। ପୁଷ୍ପା କହିଲେ, ମୁଁ ଦୁଃଖିତ ଆଜ୍ଞା, କାଲି ସ୍ଵାମୀ ଆସିଗଲେ ଓ ମୁଁ ରୋଷେଇରେ ବ୍ୟସ୍ତ ରହି ଭୁଲିଗଲି। 


କୃଷ୍ଣବାବୁ କହିଲେ, ଆପଣ ଭାରୀ ସୁନ୍ଦରୀ। ଆପଣଙ୍କ ପରି ମହିଳାକୁ ଦେଖିଲେ ସମ୍ବଲପୁର ଷ୍ଟେସନ୍ ରେ ରେଳ ଅଟକି ଯିବ। ସହରର ଟୋକାମାନେ ପାଗଳ ହୋଇ ସିଟି ମାରିବେ। ଲାଜେଇ ଯାଇ ଭୂଇଁରେ ଗାର କାଟୁ କାଟୁ ପୁଷ୍ପା କହିଲେ, ନା ନା ସେମିତି କିଛି ନାହିଁ।


ଧିରେ ଧିରେ ଗପସପ ବଢିଲା। ହଠାତ ଦିନେ କୃଷ୍ଣବାବୁ ବନ୍ଧୁତ୍ୱର ପ୍ରସ୍ତାବ ଦେଲେ। ପୁଷ୍ପା ପଚାରିଲେ କାହିଁକି ? ସବୁ ପୁରୁଷ ପ୍ରାୟତଃ ମହିଳା ବନ୍ଧୁ ଖୋଜନ୍ତି ? ମହିଳା ତ ପୁରୁଷବନ୍ଧୁ ଖୋଜେ ନାହିଁ।


ଧିରେ ଧିରେ ବନ୍ଧୁତ୍ୱ ବଢିଲା। ପାର୍କରେ ଲୋକଲୋଚନ ଆଢ଼ୁଆଳରେ ଘଣ୍ଟା ଘଣ୍ଟା ଗପିଲେ ଦୁହେଁ।

ବନ୍ଧୁତ୍ୱରୁ ସୃଷ୍ଠି ହେଲା ପ୍ରେମ। କେମିତି ହେଲା, କାହିଁକି ହେଲା କେହି ଜାଣିପାରିଲେ ନାହିଁ।

ପ୍ରେମରେ ପଡିବା ବଡ଼ କଥା ନୁହଁ;ବଡ କଥା ପ୍ରେମକୁ ସ୍ଥାୟୀ କରିବା।ଏ ଯୁଗରେ ପୁଅଟିଏ, ଝିଅଟିଏ ଆଇନଷ୍ଟାଇନଙ୍କ ନିୟମ ପରି "ଅପୋଜିଟ ପୋଲ ଏଟ୍ରାକ୍ଟସ" ନ୍ୟାୟରେ, ପ୍ରଜାପତି, ମହୁମାଛି ଭଳି ପ୍ରେମ କରି ଜାଣନ୍ତି। କିନ୍ତୁ ଲଘୁପ୍ରଣୟ ବେଶୀ ଦିନ ସ୍ଥାୟୀ ହୁଏ ନାହିଁ। ପ୍ରେମ ପ୍ରାଣର ଏକ କଳା।ପ୍ରୁଥିବୀରେ ଏପରି କୈାଣସି ଅମର ପ୍ରେମର ଲିଖିତ କାହାଣୀ ନାହିଁ ଯାହା ତ୍ୟାଗର ଅଶ୍ରୁ,ଝାଳ ଆଉ ଶୋଶିତରେ ଲବଣାକ୍ତ ହୋଇନାହିଁ।


ଏତେ ବର୍ଷ ଏକା ରହି ବି କାମଦେବତାଙ୍କ ତୀର ମୋ ଶରୀର ସ୍ପର୍ଶ କରିବାର ସାହସ କରିନଥିଲା। ସଞ୍ଜମତାର ମୂର୍ତ୍ତି ଥିଲି ମୁଁ। 


କିନ୍ତୁ.....

ମହର୍ଷି ବିଶ୍ୱାମିତ୍ର ବି ମେନକା ପ୍ରେମରେ, ଆଉ ପୁଷ୍ପା ତ ସାମାନ୍ଯ ମନୁଷ୍ଯଟିଏ ତା ବି ନାରୀ।


ତାଛଡା ପ୍ରେମ....

ମାନେନାହିଁ ବୟସର ତାରତମ୍ୟର ଗଣିତ । 

କାମାଗ୍ନିରେ ଜଳୁଥିଲେ ଦୁହେଁ। 


ଏସବୁ ଲୁଚି ରହେନା। ଦିନେ କୃଷ୍ଣବାବୁଙ୍କ ସ୍ତ୍ରୀ କିଛିଟା ଆଭାସ ପାଇ ତାଗିଦ୍ କଲେ। ମିଳାମିଶା କମିଗଲା। ନାରୀ ମାଂସଲୋଭି କୃଷ୍ଣକୁ ବିଶେଷ ଫରକ ପଡ଼ିନଥିଲା କିନ୍ତୁ ପୁଷ୍ପା ......!

ସୁନ୍ଦର ନୀଡ଼ ତାର ଭାଙ୍ଗି ଯାଇଥିଲା। ପୁରୁଷ ପିତ୍ତଳ ମାଠିଆ ନ୍ୟାୟରେ କୃଷ୍ନ ଭଦ୍ରଲୋକ ଆଉ କ୍ଷଣିକ ଉତ୍ତେଜନାରେ ପ୍ରେମର ମହକରେ ନାରୀ ଲଜ୍ଜା ବାରମ୍ବାର ସମର୍ପି ଦେଇଥିବା ପୁଷ୍ପା ଦୋଚାରୁଣୀ ।


ଆମେ କହୁ ନାରୀ ପୁରୁଷ ସମାନ। କିନ୍ତୁ ପୁରୁଷ ଭଦ୍ରମୁଖା ଆଉ ନାରୀ ହୋଇଯାଏ ସର୍ବସ୍ବାନ୍ତ। ଧିରେ ଧିରେ ଜାଣିଶୁଣି ଦୁରେଇବାକୁ ଲାଗିଲେ କୃଷ୍ଣ। କାରଣ ନାରୀର କଞ୍ଚା ମାଂସ ଚାଖି ସାରିବା ପରେ କାମୁକ, ଲମ୍ପଟ କୃଷ୍ଣ ବୋଧେ ଖୋଜୁଥିଲା ନୂତନ ସାନିଧ୍ୟ। କଥାରେ ଅଛି ;


"ଯେତେବେଳେ ସମ୍ପର୍କ ପୁରୁଣା ହୋଇଯାଏ, ସେତେବେଳେ ସମୟ ନାହିଁ ବ୍ୟସ୍ତ୍ ଅଛି କହି ବାହାବା ବାହାର କରନ୍ତି, ପ୍ରଥମେ ପ୍ରଥମେ ଯେତେବେଳେ ସମ୍ପର୍କ ଯୋଡ଼ି ହୁଏ କଥା ହେବା ପାଇଁ ବାହାନା ଖୋଜନ୍ତି କିଁରୁ ସମ୍ପର୍କ ପୁରୁଣା ହେଲେ ଦୂରେଇ ଯିବା ପାଇଁ ବାହାନା ଖୋଜନ୍ତି।

ଏହା ହିଁ ପୁରୁଷର ପୌରୁଷତ୍ବ ।"

କିନ୍ତୁ .......


ଝିଅଟିଏ ....

ମନ ପ୍ରାଣ ଦେଇ ଭଲ ପାଏ। ସବୁକିଛି ସମର୍ପି ଦିଏ ପୁରୁଷର କେଇପଦ ମିଠା କଥାରେ।

ଏଠି ପ୍ରଶ୍ନ ଉଠେ ଭୁଲ କାହାର ?

ଝିଅଟିର ବିଶ୍ଵାସର, ଅନାବିଳ ପ୍ରେମର ??


ଶେଷରେ ଏତିକି କହିବି;

ଜାଣିନି ପ୍ରେମ ଠିକ୍ କି ଭୁଲ,

କଣ୍ଟକିତ ଶଯ୍ୟା କି ତୁଳିତଳ୍ପ ଶଯ୍ୟା !


କିନ୍ତୁ ......

ହେ ଆଧୁନିକ ପିଢ଼ି !

ଏକବିଂଶ ଶତାବ୍ଦୀ ଆନ୍ତରିକତା, ମାନବିକତା ରହିତ ହିସାବର ପିଢ଼ି।

ତେଣୁ .....

ଯାହାବି କଲେ ଆଗପଛ ଭାବିଚିନ୍ତି କର ଓ ଆଗକୁ ବଢ଼ ।

ନଚେତ ......

ହାତରେ ଲାଗିବ ମେଞ୍ଚା ମେଞ୍ଚା ଅନୁସୋଚନା।

ନା ଥିବ ଭଗାଫଳ, ନା ରହିବ  ଭାଗଶେଷ !

ଏମିତି କେତେ ପୁଷ୍ପା ବଳି ପଡ଼ିଯିବେ ଅସଂଖ୍ୟ କାମୁକ କୃଷ୍ଣ ହାତରେ।

ସାବଧାନ !!!!!!


Rate this content
Log in

Similar oriya story from Romance