Er.Siddhartha Sankar Tripathy

Abstract Romance Inspirational

3  

Er.Siddhartha Sankar Tripathy

Abstract Romance Inspirational

*ସେ , ମୁଁ  ଓ ଜନତା ହୋଟେଲ୍*

*ସେ , ମୁଁ  ଓ ଜନତା ହୋଟେଲ୍*

5 mins
146



ପ୍ରେମର ବୟସ ନଥାଏ। ପ୍ରେମର ସୁନ୍ଦର ଫୁଲଟିଏ କେତେବେଳେ କଢରୁ ଫୁଲହୋଇ ମୋ ମନମନ୍ଦିରରେ ପ୍ରବେଶ କରିସାରିଛି ଜାଣିପାରିଲି ନାହିଁ । ଏମିତି ତ ଜୀବନପରିଧିରେ ବହୁତ ଝିଅଙ୍କ ସଂସ୍ପର୍ଶରେ ଆସିଛି।ବିଭିନ୍ନ ଚରିତ୍ରର ଅନୁଶୀଳନ କରି ଲେଖକ ବନିଛି। କିନ୍ତୁ ହୃଦୟରେ କିଛି ଉଦବେଳନ ଅନୁଭବ କରିନାହିଁ।

କିନ୍ତୁ ।

ସୁନିତା ! ତମ ଅନୁରୋଧରେ ଆଜି ଲେଖିବସିଛି ପ୍ରେମଗଳ୍ପ। ତାହା ବି ତମର ଓ ମୋର। ଲେଖିଚାଲିଛି ଅମରେନ୍ଦ୍ର।


ନିଘୋଡ଼ ନିଦରେ ଶୋଇଛି ସୁନିତା। କାଲି ଥଣ୍ଡା ହୋଇ ଖୁଁ ଖୁଁ ହୋଇ କାଶୁଥିଲେ ବୋଧହୁଏ ଶର୍ଦ୍ଦି ହୋଇଯାଇଛି । ସୁନିତା ସହ ଦଶବର୍ଷ ବିତେଇ ସାରିଥିଲେ ବି ଅମରେନ୍ଦ୍ରକୁ ଲାଗୁଛି ଘନକେଶରାଶୀକୁ ସଫାକରି, ପାଦନଖରେ ନୀଳ ରଙ୍ଗର ନେଲପଲିସ୍ ଲଗେଇ, କାନ୍ଧରେ ଭ୍ୟାନିଟି ଝୁଲାଇ ବସ୍ ରୁ ଓହ୍ଲାଉଥିବା ସେହି ସୁନ୍ଦରୀ ତରୁଣୀ ବିଦ୍ୟାଳୟର ପରିସରରେ ପ୍ରବେଶ କରୁଛି।

ସେଦିନ.....

ଦିଗପହଣ୍ଡିର ଜନତାହୋଟେଲ ପାଖରେ ଠିଆହୋଇଥିବା ସମୟରେ ବାଇକ ଆରୋହୀଟିଏ ଧକ୍କା ଦେଇ ଚାଲିଗଲା। ତଳେପଡି ଛଟପଟ ହେଉଥିଲା ଅମରେନ୍ଦ୍ର । ଦେଖଣାହାରୀ ଭଦ୍ରସମାଜ ବାଟଭାଙ୍ଗି ଚାଲିଯାଉଥିଲେ। କିଏ କିଏ କହୁଥିଲେ ମଦ୍ୟପ ହୋଇଥିବ, ଏହାକୁ ଉଠେଇ କିଏ ଝାମେଲାରେ ପଡିବ ?

ସେହି ବାଟଦେଇ ବିଦ୍ୟାଳୟରୁ ଫେରୁଥିଲେ ଶିକ୍ଷୟିତ୍ରୀ ସୁନିତା । ଅମରେନ୍ଦ୍ର ପାଖରେ ବସିଯାଇ କୋମଳହାତରେ ଉଠେଇନେଇ ମୋ ମୁଣ୍ଡଟାକୁ କୋଳରେ ରଖିଦେଲେ। ଶାଳୀନ ବ୍ୟବହାର, ସୁନ୍ଦର, ସରଳ,ମାର୍ଜିତ ବେଶଭୂଷା।

ବିନା ଦ୍ୱିଧାରେ ଅର୍ଦ୍ଧେକ ଶରୀର ଢାଙ୍କିଥିବା ପ୍ରିୟ ଚୁନ୍ନିଟିକୁ ବାହାର କରି ଅମରେନ୍ଦ୍ରର ମୁଣ୍ଡରେ ଗୁଡେଇ ଦେଲେ ଓ ରକ୍ତସ୍ରାବ ବନ୍ଦ ହୋଇଗଲା। ଜନତାହୋଟେଲ ସାମ୍ନାରେ ଯୁବକଙ୍କ ଭିଡ। ଅମରେନ୍ଦ୍ରକୁ କମ୍ ଦେଖୁଥିଲେ ଓ ଚୁନ୍ନିବିହୀନ ସୁନିତାର ଶରୀରକୁ ଅବଲୋକନ କରୁଥିଲେ ଅସଭ୍ୟ ,ବଜାରୀ ଯୁବକ ଗୁଡିକ। ସେଥିପ୍ରତି ନିଘା ନଥିଲା ସୁନିତାର।

ସୁନିତାର କୋଳରେ ଅମରେନ୍ଦ୍ରକୁ ମାଆର ସୁଖ ଅନୁଭୂତ ହେଉଥିଲା।

ପାଖରେ ଥିବା ବୋତଲରୁ ପାଣି ବଢେଇବା ସମୟରେ ସୁନିତାର ହାତସ୍ପର୍ଶରେ ତା ଶରୀରରେ ଅଦ୍ଭୁତ ଶିହରଣ। ତାହେଲେ କ'ଣ ଅମରେନ୍ଦ୍ରକୁ ଗୋଟିଏ କ୍ଷଣରେ ପ୍ରେମ ହୋଇଗଲା। ସୁନିତା ପାଖରେ ମାଆର ସ୍ନେହ, ପ୍ରେମିକାର ପ୍ରେମ ଦୁଇଟିଯାକ ନଜର ଆସୁଥିଲା ତାକୁ।

ପ୍ରେମ ! ସରଳ ମଣିଷକୁ ବି ବାଟବଣା କରିଦିଏ। କିଏ ଅମରେନ୍ଦ୍ର, କିଏ ସୁନିତା କିଏ ଜନତା ହୋଟେଲ୍।

ପ୍ରେମର ରଜ୍ଜୁ ବାନ୍ଧିଦିଏ ଯୁବକ ଯୁବତୀଙ୍କୁ ନିଜ ଫାଶରେ।

କିନ୍ତୁ ଅମରେନ୍ଦ୍ର ।

ସେ ପରା ।

ଏକ ଉତ୍ତପ୍ତ ଇସ୍ପାତ ଖଣ୍ଡ। ଜୀବନ ଯୁଦ୍ଧରେ ଘାତପ୍ରତିଘାତର ଭାଟିରେ ଜଳିଜଳି ସେ ଏକ ଆଶାରହିତ ଉତ୍ତପ୍ତ ଇସ୍ପାତ ଖଣ୍ଡ।

ଗତି ଓ ନିଶ୍ଚଳତା ଉଭୟର ପ୍ରତିକ ସେ। ସଂଯୋଗ ଓ ବିଯୋଗର ହେତୁ ମଧ୍ଯ। ସେ ପଣା ନୁହେଁ କି ପାଣି ନୁହେଁ, ଅଥଚ ପାନୀୟ ; ମଣିଷ ନୁହେଁ କି ଦେବତା ନୁହେଁ, ମାତ୍ର ପ୍ରାଣୀବର୍ଗୀୟ। ତାପାଇଁ ବ୍ରହ୍ମ ଓ ବ୍ରହ୍ମାଣ୍ଡ ଏକ। ସେ କୌଣସି ଦେବାଦେବୀ ମାନେନି, କିଛି ପୂଜାପାଠ ଜାଣେନି। ସେ ଏକାଙ୍ଗ ଚକ୍ରବର୍ତ୍ତୀ-- ସେ, ସେ ଓ ସେ।

ସୁନିତାର କୋମଳ କଣ୍ଠରେ ଚମକିଉଠିଲା ଅମରେନ୍ଦ୍ର ।ସୁନିତା ପଚାରିଲା, କ'ଣ ବିଳିବିଳୋଉଛନ୍ତି ?

ସେ ସଂଯତ ହୋଇଯାଇ ସୁନିତାର ହାତଟାକୁ ଧରିନେଲା। ତାଙ୍କରି ନାଆଁସହ ଫୋନନମ୍ବର ଇତିମଧ୍ୟରେ ପାଇସାରିଥିଲା ଅମରେନ୍ଦ୍ର।

ସୁନିତାର ହାତପାପୁଲିଟିକୁ ଧିରେ ହାତରେ ଧରିନେଇ ପଚାରିଲା ସୁନିତା ! ଏ..ସୁନିତା ! କିଛି ଅନୁଭବ ହେଉଛି କି ? " ଉହୁଁ" କହିଲା ସୁନିତା। ପଚାରିଦେଲା ଅମରେନ୍ଦ୍ର ' ପଥରଟା କି ତମେ ?

ସ୍ମିତହସି ନଦୀଧାର ବଦଳେଇଲା ପରି କଥାର ମୋଡ ବଦଳେଇଲେ ସୁନିତା। ଆଶ୍ଚର୍ଯ୍ଯରେ ଅନେଇ କହିଉଠିଲେ, ଅମରେନ୍ଦ୍ର ! ଜାଣିଛ ମୁଁ ଗୋଟିଏ ସ୍ପଷ୍ଟବାଦୀ, ସଂସ୍କାରୀ ପରିବାରର ଝିଅ। ହାତଟାକୁ ଆପଣ ଧରିନେଲେ। ମୋତେ ଆପଣ ଅଧଘଣ୍ଟା ପୁର୍ବରୁ ଜାଣିଲେ। ଚତୁର୍ଦ୍ଦିଗରେ ଲୋକଙ୍କ ଯିବାଆସିବା।

ମୁଁ ପଥର ନୁହେଁ, କିନ୍ତୁ.....।

ଅନୁଶୀଳନ କରୁଛି ଆପଣଙ୍କୁ। ଏତେ ସାହସ ? ଅଭଦ୍ର ହୋଇଥିଲେ ଆପଣ ହୁଏତ କୌଣସି ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରିଥାଆନ୍ତେ ଓ ମୁଁ ନିଶ୍ଚୟ ଚାପୁଡା ମାରିଥାଆନ୍ତି।

ଦ୍ୱିତୀୟରେ, ମୁଁ ଏଇ ପ୍ରେମ, ଫ୍ରେମରେ ବିଶେଷ ଆଗ୍ରହ ଦେଖାଏ ନାହିଁ ?

ଅମରେନ୍ଦ୍ର ପଚାରିଲା, କାହିଁକି ?

ହସିଦେଇ ସୁନିତା କହିଲେ , " ଦିଲ୍ଲୀକା ଲଡୁ ଜିସନେ ଖାୟା ଉସନେ ପଛତାୟା, ଯିସନେ ନେହି ଖାୟା ଉସନେ ଲଲଚାୟା । "

ହସିଦେଲା ଅମରେନ୍ଦ୍ର । ଦୁହେଁ କଫି ପିଉଥିଲେ ଜନତାହୋଟେଲ ପାର୍ଶ୍ୱସ୍ଥ ବିଶ୍ରାମାଗାରରେ।

ସୁନିତା କହିଲେ ଆପଣ ଆହତ। ବର୍ତ୍ତମାନ ତ ଟିକେ ସୁସ୍ଥ ହୋଇସାରିଲେଣି, ଯାଆନ୍ତୁ ଡାକ୍ତରଖାନାରେ ଟିକେ ଦେଖାଇ ଔଷଧ ନେଇଯିବେ। ୟାରି ଭିତରେ ଦୁହେଁ ଦୁହିଁଙ୍କ ବିଷୟରେ ଅନେକ କିଛି ଅବଗତ ହୋଇସାରିଥିଲେ। ସୁନିତା ସହ ମିଳାମିଶା ବଢିବାରେ ଲାଗିଲା । ସୂର୍ଯ୍ୟୋଦୟ, ସୁର୍ଯ୍ୟାସ୍ତ ନିର୍ଦ୍ଧାରିତ ସମୟରେ ହିଁ ହେଉଥିଲା କିନ୍ତୁ ସବୁ ଅଲଗା ଅଲଗା ଲାଗୁଥିଲା ତାକୁ।

କାରଣ....ପ୍ରେମର ରଙ୍ଗ ପରା ସେମିତି।

ସେ ସୁନିତାର ହାତପାପୁଲି ଧରି କହିଲା, କି ସୁନ୍ଦର ଦିଶୁଛି ସୁର୍ଯ୍ୟାସ୍ତ!

ଯେପରିକି ସ୍ୱୟଂ ପ୍ରକୃତିର ରଙ୍ଗମାନଙ୍କ ପଟୁଆର ଲାଗିରହିଛି। ମୋର ମନେନାହିଁ, ମୁଁ କିଏ ? କେଉଁ କେଉଁଟା ମୋର ଅଙ୍ଗ ପ୍ରତ୍ୟଙ୍ଗ, କ'ଣ ମୋର ରୁଚି, ଆଶା, ବିତୃଷ୍ଣା।

କହୁକହୁ ଭାବବିହ୍ବଳ ହୋଇ ସୁନିତାର ହାତଟାକୁ ଧରିନେଲା ସେ। ସୁନିତା ଯୋର ଲଗେଇଲେ ହାତ ଛଡେଇ ନେବାକୁ। ପ୍ରତିବାଦ କରିନଥିଲେ ସେ। କିନ୍ତୁ ଅମରେନ୍ଦ୍ରର ଅମାନବିୟ କାଣ୍ଡପାଇଁ ମନଟା ଖଟକା ଲାଗୁଥିଲା। ଝିଅଟାର ଇଚ୍ଛା ନାହିଁ। ମୁଁ କାହିଁକି ଜବରଦସ୍ତ ଏମିତି କଲି ? ଖାଇଗଲି ନିଜ ସଂସ୍କାର।

ରାତିରେ ସୁନିତା ସହ କଥାହେଲାବେଳେ ସେଇ କଥା ଉତଥାପନ କଲା ଅମରେନ୍ଦ୍ର। ସୁନିତା କହିଲା, ନା ମ କାଳେ କିଏ ଦେଖିବ ଭାବି ହାତଟାକୁ ଛଡେଇନେଉଥିଲି।

ମନ ବୁଝୁନଥିଲା ତାର। ହଁ ନାରୀ ମନସ୍ତତ୍ତ୍ୱ ତ ଭଗବାନଙ୍କୁ ଅଗୋଚର, ସେ ତ ମଣିଷଟିଏ।

ମନେପଡିଗଲା 

ଜୀବନ କଣ?

ଦିନେ ସମୁଦ୍ର କୂଳରେ ଛୋଟ ଶିଶୁଟିଏ ଖେଳୁଥିବା ବେଳେ ସମୁଦ୍ର ତରଙ୍ଗ ଆସି ଶିଶୁଟିର ଚପଲକୁ ସାଥିରେ ନେଇଗଲା। ଶିଶୁଟି ବାଲିରେ ଲେଖିଲା,"ସମୁଦ୍ର ହେଉଛି ଚୋର!"

ଜଣେ ଯୁବକ ସମୁଦ୍ର ଭିତରେ ବୁଡି ମୃତ୍ୟୁବରଣ କରିବା ପରେ ତାର ପତ୍ନୀ ବାଲିରେ ଲେଖିଲା," ସମୁଦ୍ର ହେଉଛି ହତ୍ୟାକାରୀ।"

ଠିକ୍ ଅନ୍ୟ ପାର୍ଶ୍ୱରେ କିଛି ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ବହୁତ ମାଛ ପଡିବାରୁ ଜାଲରେ ଜଣେ ମତ୍ସ୍ୟଜୀବୀ ବାଲିରେ ଲେଖିଲା," ସମୁଦ୍ର ହେଉଛି ମୋ ଖାଦ୍ୟ!"

ତରଙ୍ଗଟିଏ ଆସି ସମସ୍ତଙ୍କ ଲେଖାକୁ ଧୋଇ ନିଜ ସହିତ ନେଇଗଲା। କିନ୍ତୁ ଲୋକମାନଙ୍କ କଥାକୁ ଗ୍ରହଣ କରିନେଲେ ବି କ୍ରୋଧ କରିଲା ନାହିଁ। ଅତି ଶାନ୍ତ ଏବଂ ଧୀର ଭାବରେ ସମସ୍ତଙ୍କ କଥାକୁ ସହଜରେ ଗ୍ରହଣ କରି ଚାଲିଗଲା। କିଛି ଦୂରରେ ଭିକାରୀ ବୁଲୁଥିଲେ।

ତରଙ୍ଗ ଆସି ସେମାନଙ୍କ ଆଗରେ ମୋତି ଛାଡ଼ିଗଲା। ଭିକାରୀ କହିଲେ,"ସମୁଦ୍ର ଆମ ଦାତା!"

ସମୁଦ୍ର ପରି ଉଦାର ଶାନ୍ତ ଧୀର ଏବଂ ସଭିଙ୍କ କଥାକୁ ଗ୍ରହଣ କରିବା ଶିଖିଲେ ନିଜ ଅସ୍ତିତ୍ୱ ରଖିପାରିବ। ସଭିଙ୍କ କଥା ଶୁଣି ନା ଖୁସି ହେବ ନା ଦୁଃଖି। ଏହାହିଁ ଜୀବନ।

ମନକୁମନ ପ୍ରଶ୍ନ କରୁଥିଲା, ସେ ତ ଶରୀର ଚାହେଁନାହିଁ, ସୁନିତାର ଚିନ୍ତାଧାରା ବି ଠିକ୍ ସେଇଆ। ସବୁ ପ୍ରେମୀଯୁଗଳ ଯଦି ସେମିତି ହିଁ ଭାବନ୍ତି, ତାହେଲେ ଏସିଡମାଡ, ବଳାତ୍କାରର କାରଣ କ'ଣ ?

ସୁନିତା ବି ପ୍ରଭାବିତ ଥିଲେ ତା ବ୍ୟକ୍ତିତ୍ୱରେ କିନ୍ତୁ ଥରେ ବି ପ୍ରକାଶ କରୁନଥିଲେ। ଦିନେ ବହୁତ ସମୟ ଦୁହିଁଙ୍କ ଭିତରେ କଥାବାର୍ତ୍ତା ଚାଲିଲା। ଦୁହିଁଙ୍କର ପ୍ରେମର ମଜବୁତ ସ୍ତମ୍ଭ ଥିଲା ଦୁହିଁଙ୍କର ଦୁହିଁଙ୍କୁ ଅଗାଧ ବିଶ୍ୱାସ, ଅନାବିଳ ପ୍ରେମ । ପ୍ରେମର ଚରମସୋପାନରେ ପହଞ୍ଚିସାରିଥିଲେ ବି ଦୁହିଙ୍କ ଭିତରେ ପ୍ରେମ ନାମରେ ଅସଭ୍ୟ ଆଚରଣର ବିରୋଧି ଥିଲେ ଦୁହେଁ।

ଦିନେ ହଠାତ୍

ସୁନିତା ପହଞ୍ଚିଗଲା ପ୍ରେମପାଠଶାଳା ଅର୍ଥାତ ଜନତାହୋଟେଲ ପାର୍ଶ୍ୱସ୍ଥ ବିଶ୍ରାମାଗାରରେ। ମୁହଁଟା ଲାଲ ପଡିଯାଇଥିଲା। ଆଶ୍ଚର୍ଯ୍ଯ ହୋଇ ପଚାରିବସିଲା ଅମରେନ୍ଦ୍ର, କ'ଣ ହୋଇଛି ସୁନିତା ?

ଚୁପ୍ ଥିଲେ ସୁନିତା। ପଚାରିବସିଲା ଅମରେନ୍ଦ୍ର କ'ଣ ହୋଇଛି ସୁନିତା ? ଆଖିକୋଣରୁ ଚଷମା ଟେକି ଲୁହପୋଛି ସୁନିତା କହିଲେ, ମୁଁ ଆଗରୁ କହିଛି ମୁଁ ସଂସ୍କାରୀ ଘରର ଝିଅ । ବାପାଙ୍କୁ ମୁଁ ବହୁତ ଭଲପାଏ। ତାଙ୍କରି କଥାକୁ ଏଡେଇ ଯିବାର ପ୍ରଶ୍ନ ଉଠୁନାହିଁ।

ଆଶ୍ଚର୍ଯ୍ୟର ସହ ପଚାରିଲା ଅମରେନ୍ଦ୍ର, ଆରେ ବାବା ! କ'ଣ ହୋଇଛି କୁହ ?

ସୁନିତା କହିଲେ ମୋ ବାହାଘର ଠିକ୍ ହୋଇସାରିଛି।

ସେଦିନ.

ସବୁ ସୀମା ପାରକରିଯାଇ ଦୁହେଁ ଦୁହିଁଙ୍କୁ ଭିଡିଧରି ଖୁବ୍ କାନ୍ଦିଥିଲେ। ତାପରେ ସେ ମୋ ଆଖିରୁ ଓ ମୁଁ ସୁନିତା ଆଖିରୁ ଲୁହ ପୋଛୁଥିଲୁ।

ତା ପରଦିନ।

ଅମରେନ୍ଦ୍ର ସିଧା ପହଞ୍ଚିଗଲେ ସୁନୀତାଙ୍କ ଘରେ। ବିଶେଷ ବଡ ନହେଲେ ବି ସୁସଜ୍ଜିତ ତଥା ଠାକୁରରେ ଭର୍ତ୍ତି ଥିଲା ଘରଟି। ଘର ଗୋଲାଥିଲା। ସିଧା ପଶିଗଲା ଘର ଭିତରକୁ। ପ୍ରୌଢଜଣେ ବାହାରିଆସି କିଛି କହିବା ଆଗରୁ ସେ କହିଲା ଆଜ୍ଞା ମୁଁ ।

ମୋ କଥା ଅଧାରେ ରଖି ମୋ ହାତରେ ଧରିଥିବା ଉପହାରଟାକୁ ପିଜା ଭାବି ସେ କହିଲେ, ବାବୁ ! ଆମଘରେ କେହି ବାହାର ଖାଦ୍ଯ ଖାଆନ୍ତି ନାହିଁ। ତାଛଡା ଆଜି ମଙ୍ଗଳବାର, ଘରର ମଙ୍ଗଳାପୂଜା। ବୋଧହୁଏ ପଡିଶାଘର ପିଜା ମଗେଇଥିବେ। ସେପଟକୁ ଯାଅ।

ଆଁ କରି ଅନେଇଥିଲା ଅମରେନ୍ଦ୍ର।

ଅସଫଳ କ୍ଷେପଣାସ୍ତ୍ର ପରି ଦେଖାଯାଉଥିଲା ତା ମୁଖମଣ୍ଡଳ।

ସେ କହିଉଠିଲି, ଆଜ୍ଞା ! ମୁଁ ସୁନିତାକୁ ଭଲପାଏ ଓ ତାକୁ ବାହାହେବାକୁ ଚାହେଁ ।

ଆଁ କରି ଅନେଇଥିଲେ ସୁନିତାର ବାପା। ସେ କହିଲେ ହଇହୋ ବାବୁ, ତମର ସାହସ ତ କମ୍ ନୁହଁ। ପ୍ରଥମତଃ ଜଣାନାହିଁ, ଶୁଣାନାହିଁ ,ନା ଜାତି ନା ଗୋତ୍ର। ଦ୍ୱିତୀୟତଃ ଏଇ ଭଲପାଇବା ଇତ୍ୟାଦିର ପ୍ରହସନ ଏଇଠି ଚଳିବ ନାହିଁ।

ତମେ ବୋଧହୁଏ ଜାଣିନାହଁ ମଧ୍ଯବିତ୍ତ ପରିବାରର କନ୍ୟାଟିର ଭାବିସ୍ୱାମୀର ଅସ୍ପଷ୍ଟ ଚିତ୍ର ପାଠପଢିବା ସମୟରୁ ଅଙ୍କା ସରିଥାଏ। ତେଣୁ ମୋ ଝିଅର ପ୍ରେମର ପ୍ରଶ୍ନ ନାହିଁ।

ତାର ବାହାଘର ବଡଘରେ ସ୍ଥିର ହୋଇସାରିଛି।

ସେ କହିଲି ଆଜ୍ଞା , ହୁଏତ ମୁଁ କୋଟିପତି ନୁହଁ, କିନ୍ତୁ ସରକାରୀ ଚାକିରୀଆ ।ସୁନିତାକୁ ବହୁତ ଖୁସିରେ ରଖିବି। ଆପଣ ଦୟାପୁର୍ବକ ପୁନର୍ବିଚାର କରନ୍ତୁ।

ଚୁପ୍ ଥିଲେ ସୁନିତାର ବାପା। ଆଣ୍ଠୁମାଡି ବସିଥିଲି ମୁଁ।

ହଠାତ୍ ପହଞ୍ଚିଗଲେ ସୁନିତା। ମୋତେ ତଳୁ ଉଠେଇନେଲେ। ବୋଧହୁଏ ବାପା ବୁଝିପାରିଲେ ସବୁକିଛି। ରାଜି ହୋଇଗଲେ ସୁନିତାଠାରୁ ସବୁ ଶୁଣିବା ପରେ। ସରିଗଲା ବାହାଘର।

ଗଡିଚାଲିଲା ସମୟ। ବାହାଘରର ଦଶବର୍ଷ ପରେ ବି ସେହି ପ୍ରେମ, ସେହି ସମ୍ପର୍କ। କିଏ କହେ ବାହାଘର ଓ ଶାରିରୀକ ସମ୍ପର୍କ ପରେ ପ୍ରେମର ରଜ୍ଜୁ ଛିଣ୍ଡି ଛିଣ୍ଡି ଯାଏ।

ସେସବୁ ଭୁଲ୍। ଯେଉଁଠି ବିଶ୍ବାସ ଓ ଭରସାର ରଜ୍ଜୁ ମଜବୁତ ସେଇଟି ପ୍ରେମ ଅଟଳ ମହାମେରୁ।

ସୁନିତାର ଚୁମ୍ବନରେ ପ୍ରକୃତିସ୍ଥ ହୋଇଗଲା ସେ। ସୁନିତା ଦୃଡ ଆଲିଙ୍ଗନରେ ରଖିଥିଲେ ଅମରେନ୍ଦ୍ରକୁ । କହୁଥିଲେ ଏହା ଜନତାହୋଟେଲ ନିକଟସ୍ଥ ବିଶ୍ରାମାଗାରର ଅସନା ବେଞ୍ଚ ନୁହେଁ, ଏହା ଆମ ଦାମ୍ପତ୍ଯ ଜୀବନର ମୁକସାକ୍ଷୀ ଆମ ବିଛଣା।

ଶାନ୍ତିରେ ହସିହସି ଅମରେନ୍ଦ୍ର କହୁଥିଲା, ଜନତାହୋଟେଲ ପାର୍ଶ୍ୱସ୍ଥ ବିଶ୍ରାମାଗାରର ପ୍ରେମ ହିଁ ତ ଆଜି ଦୁହିଁଙ୍କୁ ଏଇ ବିଛଣାର ସୁଯୋଗ ଦେଇଛି। ଅମରେନ୍ଦ୍ରର ବାଳୁଆ ଛାତିରେ ମୁଣ୍ଡ ରଖି ଖିଲିଖିଲି ହସି ତା ଆଖିରେ ଆଖି ମିଶେଇ ପ୍ରଣିତା ଅମରେନ୍ଦ୍ର ଗାଲରେ ଗାଢ ଚୁମ୍ବନ ଆଙ୍କି ଦେଉଦେଉ କହୁଥିଲା, ଧେତ୍ ଦୁଷ୍ଟ !

ହସିହସି ପଚାରୁଥିଲା ଅମରେନ୍ଦ୍ର ,

ଦୁଷ୍ଟ କିଏ ? ତମେ, ମୁଁ ନା ଜନତା ହୋଟେଲ୍ ?

ବାହାରେ ବିଜୁଳିମାରୁଥିଲା, ବିଛଣାରେ ଦୁଇଟି ଶରୀର ପ୍ରେମର ଚରମସୋପାନରେ !



Rate this content
Log in

Similar oriya story from Abstract