Er.Siddhartha Sankar Tripathy

Abstract Inspirational Others

4  

Er.Siddhartha Sankar Tripathy

Abstract Inspirational Others

କେରାଏ କେଶ

କେରାଏ କେଶ

4 mins
228


ନାନୀ ଲୋ...

ଏ ନାନୀ ....

ଜାଣିଛୁ, ଆଜି ଆମ କଲେଜର ବାସୁ ପଚାରିଲା, ତମ ଘର କେଉଁଠି ?

ମୁଁ କହିଲି ଆମ ଘର ପାଖରୁ ସାତକୋଶିଆ ଦେଖାଯାଏ। ସାନଭଉଣୀ ଲିନା କହୁଥିଲା ବଡଭଉଣୀ ମାମାକୁ।

ମାମା କହିଲା "ଓଃ..., ଏଇ କଥାକୁ ,

ନାଆ ପେଲିଦେଲି କଲିକତାକୁ।"

ତୁ ତ ଗାଆଁ ପାଖ କଲେଜରେ ପଢୁଛୁ । ସେଇଠି ସବୁ ଗାଉଁଲି। ମୁଁ ଯେତେବେଳେ କଟକରେ ପଢୁଥିଲି, ସାଙ୍ଗ ମାନେ ପଚାରନ୍ତି ତମ ଘର କେଉଁଠି ? ମୁଁ କହେ ଛତ୍ରବଜାର ପାଖର ହନୁମାନ ଗଳି।

ହସିହସି ଲିନା କହିଲା... କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ ଲୋ ନାନୀ।

ମାମା ପଚାରିଲା-  ମାନେ...?

ଲିନା କହିଲା କାହିଁ ଆମର ଅନାମଧେୟ ଗ୍ରାମ ବାଲିସାହି। ଜବକାଚରେ ଖୋଜିଲେ ବୋଧେ ଓଡିଶା ମାନଚ୍ଚିତ୍ରରେ ଦେଖାଯିବ କି ନା ସନ୍ଦେହ । ଅଥଚ ଆମେ କହୁଛେ ଆମ ଘର କଟକ, ସାତକୋଶିଆ ଇତ୍ୟାଦି ।

ହିଃ.....ହିଃ.......ହିଃ ...।

ମାମା କହିଲା - ଏ ଲିନା, ଚାଲ ଆଜି ପାପାମମ୍ମିଙ୍କ ଅନୁମତି ନେଇ ପାଖସହରରେ ଚଳଚ୍ଚିତ୍ର ଦେଖି ଆସିବା। ଲିନା ଖୁସିହୋଇ କହିଲା "ଭଲ ପ୍ରସ୍ତାବ।"

କିନ୍ତୁ.......

ମାମା କହିଲା "ଆରେ ଏଇ ' କିନ୍ତୁ ' ଟା ପୁଣି ଓଡିଆ ଭାଷାର ଅଡୁଆ ଶବ୍ଦ। ପାପାମମ୍ମି ରାଜି ହୋଇଯିବେ କାରଣ ଆମେ ପାରିବାରିକ ହିନ୍ଦି ଚଳଚ୍ଚିତ୍ର ' ବାଲା ' ଦେଖିବାକୁ ଯିବା।"

ପାପାମମ୍ମିଙ୍କ ସହମତି ମିଳିବାରେ ଅସୁବିଧା ନଥିଲା। ତାଛଡା ପାପାମମ୍ମିଙ୍କ ଉଦ୍ୟମରୁ ଏକବର୍ଷ ବ୍ୟବଧାନରେ ଜନ୍ମିତ ଶିଶୁମାନଙ୍କ ସମ୍ପର୍କ ବଡଭଉଣୀ, ସାନଭଉଣୀ ନହୋଇ ସାଙ୍ଗ ପରି ହୋଇଥାଏ।

ଦୁଇଭଉଣୀ ବାହାରିଗଲେ ସ୍କୁଟିରେ ପାଖ ସହରକୁ। ପାପାଙ୍କ ଯୌତୁକ ସ୍କୁଟିକୁ କିକ୍ ମାରିମାରି ଗରମକରି ଘଣ୍ଟାକରେ ଷ୍ଟାର୍ଟ କଲେ ଦୁହେଁ । ସିନେମାହଲ ପାଖରେ ପହଞ୍ଚୁ ପହଞ୍ଚୁ ପ୍ରବଳ ଭିଡ। ମାମା କହିଲା "ଯା ଏତେ ରାସ୍ତା ଆସିଲେ ସବୁ ଫସର ଫାଟିଗଲା। ଏ ଭିଡରେ କିଏ ପଶିବ ଲୋ ମାଆ। ଉଦଣ୍ଡ ଟୋକା ଗୁଡାକ।"

ଖରାକୁ ମୁଖପ୍ରଲେପ ସାଙ୍ଗକୁ ଲିପଷ୍ଟିକ ପାଟି ଭିତରେ ପଶି ଅଦ୍ଭୁତ ସମୀକରଣ ସୃଷ୍ଟି କରୁଥିଲା। ଆଧୁନିକତାର ଛାପରେ ଅନୁପ୍ରାଣିତ ଝିଅଙ୍କର ଚୁନ୍ନିବିହୀନ ପୋଷାକକୁ ଗଳିକି ଅନୋଉଥାନ୍ତି ଟୋକା ପଞ୍ଝାଏ।

ଲାଜେଇଯାଇ ମାମା କହିଲା "ଏଇ ଲୋ ଲିନା, ସେ ଚଳଚ୍ଚିତ୍ର ଦେଖିବାର ନାହିଁ ଚାଲ ପଳେଇବା। ମୋବାଇଲରେ ଦେଖିନେବା।"

ଚିହିଁକିଉଠି ଲିନା କହିଲା, ପାଗଳୀଟା ନା କ'ଣ ? ଏତେ କଷ୍ଟରେ ଘରେ ରାଜି କରେଇ ଆସିଛେ ମାନେ ଚଳଚ୍ଚିତ୍ର ନିଶ୍ଚୟ ଦେଖାହେବ। ତାଛଡା ଗାଆଁରେ ଯେଉଁ ନେଟୱର୍କ ମୋବାଇଲ ନା ଛେନାଗୁଡ। ଶୁଣ ନାନୀ, ମୁଁ ଭିଡଠେଲି ଭିତରକୁ ଯାଉଛି। ତୁ ଏଇଠି ଠିଆ ହୋଇଥାଅ ।

ପ୍ରତିବାଦ କଲା ମାମା ।

ଆଲୋ ଲିନା ଏ ଭିଡ ଭିତରେ......!

ଲିନା କହିଲା, ବ୍ୟସ୍ତ ହୁଅନା। 

ଭିଡଠେଲି ପଶି ଟିକେଟ ନେଇ ଆସିଲା।ସିନେମାହଲ ଭିତରେ ଗାଢ ଅନ୍ଧକାର। ମାମା ପାଖ ସିଟ୍ ରେ ଟୋକାଟିଏ ସିଗାରେଟ ଟାଣିବା ସହ ବାରମ୍ବାର ମାମାର ସିଟ୍ ଉପରେ ହାତ ରଖୁଥିଲା। ଚୁପଚାପ ଲକ୍ଷ୍ୟ କରୁଥିଲା ଲିନା। କହିଉଠିଲା "ଆବେ ଗାଉଁଲି, କୋଉ ବାଲିସାହି ପଟୁ ଆସି ଝିଅଙ୍କୁ ଦେଖି ଏମିତି ଉତ୍ପାତ କାହିଁକି ? ଆବେ ଆମେ କଟିକିଆ। ମୁଁ କଟକ ଏସ ପି ଙ୍କ ଭଉଣୀ।

 ମଜନୁଜଣକ ଭୟରେ ସିଟ୍ ଛାଡି ଚାଲିଗଲା। ମାମା ସାନଭଉଣୀର ହିତପ୍ରଦ ମିଥ୍ୟାବଚନ ପାଇଁ ଖୁସି ହେଉଥିଲା। ଲିନା କହୁଥିଲା,

ନାନୀ ଲୋ !

ଯେସାକୁ ତେସା, ହାରାମଜାଦାକୁ କୁରାଢିପସା।

ହସୁଥିଲେ ଦୁଇଭଉଣୀ।

ଲିନା କହିଲା, ଚୁପଚାପ ଚଳଚ୍ଚିତ୍ର ଦେଖ। ସେ ମୁକେଶୱାଲା କଲିଜା ସିନ୍ କେବେଠାରୁ ସମାପ୍ତ ହୋଇ ଚଳଚ୍ଚିତ୍ର ଆରମ୍ଭ ହେଲାଣି ।

ଚଳଚ୍ଚିତ୍ର ସରିଗଲା।

ଘରକୁ ଫେରୁଥିଲେ ଦୁଇଭଉଣୀ। ରାସ୍ତାସାରା ' ବାଲା ' ଚରିତ୍ରର ସମୀକ୍ଷା କରିବାସହ ରାସ୍ତାସାରା ଗାଳିଦେଉଥିଲା ଲିନା ତାକୁ । ଶଳା କେରାଏ କେଶ ନାହିଁ, ସୁନ୍ଦରୀ ଝିଅକୁ ଲୋଭ ।

ତାଗିଦ୍ କଲା ମାମା... ଏ ଲିନା, ଝିଅଟା ତୁ ଝିଅଙ୍କ ପରି ନରହି ଏମିତି ଅଭଦ୍ରଙ୍କ ପରି କ'ଣ କଥାସବୁ କହୁଛୁ ?

ଲିନା କହିଲା, ନାନୀଲୋ ! ପୁଅମାନେ ଯାହା ବି କହିପାରିବେ, ଯାହା ବି କରିପାରିବେ। ଅଥଚ ଝିଅଟିଏ ????

ବିଭିନ୍ନ କଟକଣାର ରଜ୍ଜୁରେ ବନ୍ଧା। ଏସବୁ ପୁରାଣର କେଉଁ ପୃଷ୍ଠାରେ ଅଛି କହିପାରିବୁ ? ଆରେ ନା, ତୁ କ'ଣ କହିବୁ । ଏସବୁ ଆମ ସମାଜର ବଡପଣ୍ଡାମାନଙ୍କର ସ୍ୱରଚିତ ରାମାୟଣ !

ଆଜି ଯଦି ମୁଁ ଟିକେ ପ୍ରଚେଷ୍ଟା କରିନଥାନ୍ତି ଏବଂ ତୋପରି ଭୟରେ ଥରୁଥାଆନ୍ତି, ନା ଆମେ ଚଳଚ୍ଚିତ୍ର ଦେଖିପାରିଥାଆନ୍ତେ, ନା ସେ ଟୋକା ତତେ ଅସଦାଚରଣ ନକରି ଛାଡିଥାଆନ୍ତା।

ତତେ କଥାରେ ପାରିହେବନି ଲୋ ମୋ ଜେଜେମାଆ। ହସୁଥିଲେ ଦୁହେଁ ।

ଲିନା କହିଲା ମମ୍ମି, ମୋ ପେଟ ଭଲନାହିଁ, ତାଛଡା....,

ତାଛଡା କ'ଣ, କ'ଣ କିଛି ଅଘଟଣ ଘଟିଲା କି ?

ଲିନା କହିଲା, ନା ଲୋ ମମ୍ମି, ସେ ଚଳଚ୍ଚିତ୍ରର ' ବାଲା ' ସମ୍ପୂର୍ଣ୍ଣ ଠକଟା ।  ବିଗ୍ ପିନ୍ଧି ସୁନ୍ଦରୀ ଝିଅଟାର ଜୀବନ ନଷ୍ଟ କରିଦେଇ ପସ୍ତେଇଲା।

ମମ୍ମି କହିଲେ, ଆଲୋ ଝିଅ ...,ପୁଅ ପରା ସୁନାମୁଣ୍ଡା। ତାଛଡା ଚାକିରୀବାକିରୀ କରି ପରିବାର ପ୍ରତିପୋଷଣ କରିପାରିଲେ ସେ କେଶରୁ କ'ଣ ମିଳିବ ଯେ ?

ଛାଡ ମମ୍ମି, ତମ ସହ ଯୁକ୍ତିକରି ଲାଭନାହିଁ। ଆମେ ଏକବିଂଶ ଶତାବ୍ଦୀରେ । ସେକାଳ ପଖାଳ ନାହିଁ। ତମେ ଶରୀର ଢାଙ୍କିବାରେ ପସନ୍ଦ କରୁଥିଲ, ଆଜିକାଲି ଯେତେ ଖୋଲା ସେତେ ଆଧୁନିକ । ଚୁନ୍ନି ଦେହରେ ଥିଲେ ଗାଉଁଲୀ, ବିନା ଚୁନ୍ନି ସହରୀ। ଛାଡ ତମକୁ କହିବା ଯାହା, କାଲା ଆଗରେ ମୁଳା ଚୋବେଇବା ସେୟା।

ହଉ ମୁଁ ଶୋଉଛି କହି ଚାଲିଗଲା ଲିନା, ତା'ର କିଛିସମୟ ପରେ ମାମା।

🔸️🔹️🔸️🔹️🔸️🔹️🔸️🔹️

ସ୍ୱପ୍ନ .....

ସ୍ୱପ୍ନ ସମସ୍ତେ ଦେଖନ୍ତି ।

କିନ୍ତୁ ସ୍ୱପ୍ନକୁ ବାସ୍ତବତାର ରୂପ ଦେବାପାଇଁ ଆବଶ୍ୟକ ଦୃଢନିଶ୍ଚୟ, ପରିଶ୍ରମ ଓ ଶୃଙ୍ଖଳାଜ୍ଞାନ।

ସ୍ୱପ୍ନ ବିନା ଜୀବନ ତ ପକ୍ଷହୀନ ବିହଙ୍ଗ।

କିନ୍ତୁ.......

ସାକାର ସ୍ୱପ୍ନକୁ ପରିଶ୍ରମ ବଳରେ ସାକାର କରାଯାଇପାରେ।

ସ୍ୱପ୍ନର ଅନ୍ୟ ଏକ ଦିଗ ଦୁଶ୍ଚିନ୍ତା। ବାରମ୍ବାର ଗୋଟିଏ ଦ୍ରବ୍ଯ ଉପରେ ମାନସପଟଳରେ ଚିନ୍ତନ କଲେ ତାହା ରାତ୍ରିର ଅନ୍ଧକାରରେ ସ୍ୱପ୍ନ ରୂପେ ଉଦଭାସିତ ହୁଏ ।

🔸️🔹️🔸️🔹️🔸️🔹️🔸️🔹️

ସ୍ୱପ୍ନରେ ଲିନା ଆଖିସାମ୍ନାରେ ନାଚିଯାଉଥିଲା ଯୁବ ଉଚ୍ଚପଦାଧିକାରୀ ବିମଳ କଥା। କେଶଶୂନ୍ୟ ମସ୍ତକ, ପ୍ରକୃତିର ଅଟ୍ଟହାସ୍ୟ। ବିମଳର ପ୍ରସ୍ତାବ ନେଇ ଆସିଛନ୍ତି ତା ପରିବାର। କେଶହୀନ ମସ୍ତକରେ ଆଜି କୃତ୍ରିମ କେଶର ଆବରଣ ସହ ବିମଳର ଆବିର୍ଭାବ ତା ଘରେ । ଘରଲୋକଙ୍କ ଖୁସିର ଠିକଣା ନାହିଁ । ଏତେବଡ ପଦାଧିକାରୀ, ତାପୁଣି ଲିନାପାଇଁ ପ୍ରସ୍ତାବ। ପ୍ରକୃତରେ ଲିନାଟା ଭାଗ୍ୟବତୀ କହୁଥିଲେ ମମ୍ମି ।କେଶରେ କ'ଣ ଅଛି ? ଅଣ୍ଡା କିମ୍ୱା ଆୟୁର୍ବେଦିକ ଔଷଧର ପ୍ରଲେପ ଦେଲେ ହୁଏତ ପୁନଃ କେଶର ଅଙ୍କୁରୋଦଗମ ହେବା ଅସମ୍ଭବ ନୁହେଁ ଯଦି ଲିନା ଭାଗ୍ୟରେ ଥିବ। ଆଜିକାଲିର ଯୁଗରେ ସରକାରୀ ଚାକିରୀଆ ବରପାତ୍ର ଭାଗ୍ୟରେ ଥିଲେ ମିଳେ। ଭଗବାନଙ୍କ ବ୍ୟତିରେକ ମନୁଷ୍ଯ ଠାରେ କୌଣସି ନା କୌଣସି ଖୁଣ ପରିଲକ୍ଷିତ ହୁଏ । ବିମଳ ଦାନ୍ତନିକୁଟି କହିଉଠିଲା, ଏ....ଲିନା, ଆମ ପ୍ରସ୍ତାବରେ ରାଜି ନା। 

ଚିଡିଉଠିଲା ଲିନା। ନାଲି ନେଲପଲିସ ଦିଆ ଲମ୍ୱା ନଖରେ ରାମ୍ପୁଡି ଚାଲିଲା ବିମଳର ମସ୍ତକକୁ।

ଓଃ, ଓଃ ଚିତ୍କାର ଶୁଣି ଖିଁ ଖିଁ ହସୁଥିଲା ଲିନା। ଦେହସାରା ଓଦା ହୋଇଯିବାରୁ ଆଖିଖୋଲି ଦେଖିଲା ମାମାର କେରାଏ କେଶ ତା ହସ୍ତରେ। ଉଠିବସି ଛୁଆଙ୍କ ପରି ଭୋ ଭୋ କାନ୍ଦୁଥିଲା ମାମା । ଠୋ ଠୋ ଦୁଇଚାପୁଡା ବସିଗଲା ଲିନା ଉପରେ। ଭାଙ୍ଗିଗଲା ସ୍ୱପ୍ନ, ବାସ୍ତବତା ଆଖି ସାମ୍ନାରେ।

ହସିହସି ଲିନା କହିଲା,

ନାନୀଲୋ !

ମୋର କିଛି ଭୁଲ୍ ନାହିଁ। ସବୁ ଦୋଷ ସ୍ୱପ୍ନର, ଆଉ ସ୍ୱପ୍ନରେ ଆସିଥିବା ବିମଳରୂପି "ବାଲାର !"



Rate this content
Log in

Similar oriya story from Abstract