Er.Siddhartha Sankar Tripathy

Abstract Romance Inspirational

4.2  

Er.Siddhartha Sankar Tripathy

Abstract Romance Inspirational

ବନ୍ଧ୍ୟା ପ୍ରେମ

ବନ୍ଧ୍ୟା ପ୍ରେମ

4 mins
368



ପ୍ରେମ ଶାଶ୍ୱତ,ସବୁଜ,ସୁନ୍ଦର।ପ୍ରେମର ରଙ୍ଗ ଗାଢ଼।ଥରେ ଲାଗିଗଲେ ନା ଆଉ ଛାଡେନି। ଆନନ୍ଦରେ ହେଉ, ଖୁସିରେ ହେଉ ବା ଦୁଃଖରେ ଜୀବନସାରା ଲାଖି ରହିଯାଏ। ପୁଲକିତ ବସି ଭାବୁଛି।


ପ୍ରେମର ସଜ୍ଞା ଅନେକ। ପ୍ରେମ କେବଳ ପ୍ରେମିକ,ପ୍ରେମିକା ଭିତରେ ସିମୀତ ନୁହଁ। ପ୍ରେମ ସ୍ୱାମୀ ସ୍ତ୍ରୀ ର, ଭାଇ ଭଉଣୀର,ବାପା ମାଆର। ସେଇଥିପାଇଁ ତ ଛୋଟବେଳୁ ଦ୍ରୁଢମନା ଥିଲା ପୁଲକିତ।ପ୍ରେମ କରି କଣ୍ଟକିତ,କ୍ଷତ ବିକ୍ଷତ, କଳଙ୍କିତ ନହୋଇ ଜୀବନରେ ସାତ ଜନ୍ମ ପାଇଁ ବେଦୀରେ ବସି ହାତଧରିଥିବା ସ୍ତ୍ରୀ ସହ ଅମାପ,ଅଗାଢ ପ୍ରେମ ଅଜାଡି ଦେବ।ହେଲେ ଏ କ'ଣ ହୋଇଗଲା।


ସତରେ ଜୀବନଟା ଏକ ନାଟକ।ଆଉ ସେହି ନାଟକର ଆମେ ସବୁ କଳାକାର। ରଙ୍ଗମଞ୍ଚରେ ଅଭିନୟ ଶେଷ,ନାଟକ ଶେଷ। ଏତେ ଆଶା, ଅଭିଳାଷ, ପ୍ରେମର ଅଭିଲିପ୍ସା ରଖି ବାପାମାଆଙ୍କ କଥା ଅନୁଯାୟୀ ହାତ ଧରିଥିଲା ଉଚ୍ଚଶିକ୍ଷିତା ଅସିମାର। ବହୁତ ଥର ପ୍ରେମ ନିବେଦନ କରିଛି ଅସିମାକୁ।ହେଲେ ଏଡ଼ାଇ ଯାଏ ଅସିମା। ଶେଷରେ ପୁଲକିତର ହାତ ଛାଡ଼ି ସବୁଦିନ ପାଇଁ ଚାଲିଗଲା। ପ୍ରଥମ ପ୍ରେମରେ ଭଟ୍ଟା।


ଭାଙ୍ଗିଗଲା ମନ। ଗୁମଶୁମ୍ ରହିବାକୁ ଲାଗିଲେ ପୁଲକିତ। ଦୁରେଇ ଗଲେ ସମସ୍ତଙ୍କଠାରୁ। ସମୟର ପ୍ରବାହରେ ଆଗକୁ ବଢ଼ୁ ବଢ଼ୁ ଅନଲାଇନରେ ସାକ୍ଷାତ ହେଲା ରାନୀ ସହିତ।

ବାର୍ତ୍ତାଳାପର ଅୟମାରମ୍ଭ ::

ହ୍ୟଲୋ ! ମୁଁ ପୁଲକିତ, କେନ୍ଦ୍ର ସରକାର ଅଧୀନରେ କାର୍ଯ୍ୟରତ।

ସେପଟୁ ରାନୀ କହୁଥିଲା, ମୁଁ ରାନୀ, ବେସରକାରୀ ସଂସ୍ଥାରେ ଅବସ୍ଥାପିତା।


କିଛି ସମୟ ସୌଜନ୍ୟମୂଳକ ବାର୍ତ୍ତାଳାପ।

ରାନୀ ପ୍ରଶ୍ନ କଲା, ଆପଣ କେବେ ପ୍ରେମ କରିଛନ୍ତି ?

ଦୀର୍ଘଶ୍ଵାସ ନେଇ ପୁଲକିତ ନିଜ ବୈବାହିକ ଜୀବନର ଝଡ଼ କହିଲା ପରେ ବର୍ଣ୍ଣନା ଆରମ୍ଭ କଲେ ;;

ପ୍ରେମ........


କିଏ କହେ ମରିଚୀକା। 


କିଏ କହେ ଧୋକାବାଜ। 


କିଏ କହେ କାମରୂପୀ ତୋଫାନର ପୁର୍ବାଭାଷ। 


କାହିକି ???


ତାହେଲେ.......


ହିରରାଂଝା, ସୋନିମହିୱାଲର ପ୍ରେମ। 

ଲୈଲା ମଜୁନୁର ପ୍ରେମ ।


ସେସବୁ ତ ଇତିହାସ ପୃଷ୍ଠାର ପ୍ରେରଣା। 


ଏକବିଂଶ ଶତାବ୍ଦୀରେ ପ୍ରେମର ପରିଭାଷା ବଦଳିଲା କେମିତି ?

ଆଜିକାଲିର ପ୍ରେମ....

ଦୁଇଦିନର ପରିଚୟ, ତାପରେ...


ପ୍ରେମର ସଙ୍ଗୀତରେ ମତୁଆଲା ପ୍ରେମୀଯୁଗଳ ଖୋଜିବୁଲନ୍ତି ଏକାନ୍ତ ସ୍ଥାନ। 


ପ୍ରେମର ଦ୍ୱାହି ଦେଇ ପାର୍କ ଠାରୁ ଆରମ୍ଭ କରି ମଲ୍ ର ନିଭୃତ ସ୍ଥାନରେ ଶରୀରର ଉତ୍ତାପ ମାପିଚାଲନ୍ତି....


ତାପରେ ଗାଳ୍ପିକର ଗଳ୍ପର ଫ୍ରେମରେ ବନିଯାଆନ୍ତି...


ମରୀଚିକା ପ୍ରେମ !

ଧୋକାଦିଆ ପ୍ରେମ!


ଏସବୁର ମସଲାଦିଆ ପାଠକଙ୍କ ଆଦୃତିଲବ୍ଧ କାହାଣୀ। 


ଜାଣିଛ ରାନୀ ! 


ଆଜି ତ ଅସୀମା ଓ ମୋର ବିବାହରୂପି ଖେଳଘର ଭାଙ୍ଗିସାରିଛି। ଜୀବନର ସୁନ୍ଦର ରାଗିଣୀ ଗାନକରୁଥିବା ଚିଠିସବୁ ଚିରିଯାଇଛି। ଗୋଟିଏ ହୃଦୟ ପଞ୍ଚଭୂତରେ ବିଲିନ ହୋଇସାରିଛି ।ଆରେ.....

ଆଁ କରି କ'ଣ ଅନେଇଛ ? ମୋ କହିବାର ମାନେ ମୋ ଶରୀର ପଞ୍ଚଭୂତରେ ଲୀନ ହୋଇସାରିଛି। ଆଜି ମୁଁ ଅଶରୀରୀ।


ରାନୀ କହିଲା ,


କିନ୍ତୁ........


ଦେଖିପାରୁଛି ତମ ହୃଦୟର ନିଃଶବ୍ଦ ରକ୍ତକ୍ଷରଣ। ଜାଣିଛ ପୁଲକିତ ! ତମର କ୍ଷରିତ ରକ୍ତର ରଙ୍ଗ ଲାଲ୍ ନୁହଁ, କଳା। ସେଇ ଥୋପଥୋପ କଳାରକ୍ତରେ ତମ ପାୱାର ଚଷମା ଭିଜି ତମକୁ ଆଉ କିଛି ଦୃଶ୍ୟମାନ ହେଉନାହିଁ। ସବୁକିଛି ଅନୁଜ୍ୱଳ, ଅସ୍ପଷ୍ଟ। ଆଗକୁ ମୋ ଚିଠି କେମିତି ପଢିବ ? ଆଗକୁ ମୋ ପ୍ରେମ କେମିତି ସାଉଁଟିବ ?


ଆଖି ସଫାକରି ବାର୍ତ୍ତା ପଢିବାକୁ ଲାଗିଲେ ପୁଲକିତ । ରାନୀ ବିଶେଷ ଆଗ୍ରହ ଦେଖାଉଥିଲା ଓ ଗଭୀର ପ୍ରେମର ପ୍ରତିଶ୍ରୁତି ବି ଦେଉଥିଲା। ଧିରେ ଧିରେ ପୂର୍ବକଥା ଭୁଲି ରାନୀ ପ୍ରେମରେ ଉବୁଟୁବୁ ହେବାକୁ ଲାଗିଲେ ପୁଲକିତ।


ପୁଲକିତର ସମସ୍ତ ବାର୍ତ୍ତା ପ୍ରକାଶକୁ ଦେଖେଇ ହସୁଥିଲା ରାନୀ।

ନୂଆଁନୂଆଁ ନିଶ ଗଜୁରିବା ସହ କଲେଜଯିବା ଆରମ୍ଭ କରିଛି ରାନୀର ପ୍ରେମିକ ପ୍ରକାଶ ।ପ୍ରତିଦିନ ତାର ଠିକଣା ପୋଖରୀ ହିଡ। ଠିକ୍ ସମୟରେ ରାନୀ ବି ପହଞ୍ଚିଯାଏ ସେଇଠି। ବେଶ୍ କିଛିସମୟ ଖୁସିର ଆସର ଜମେ। ଖୁସି ହେଇଯାଏ ପ୍ରକାଶ। ପ୍ରକାଶ କହିଉଠେ, ଜାଣିଛୁ ରାନୀ, ତୋ ପରି ରୂପଯୌବନଭରା ସୁନ୍ଦରୀ ଝିଅଟିଏ ଯେତେବେଳେ ମୋ ପରି ପୁଅକୁ ଦେଖାକରେ, ଏ ପୋଖରୀହିଡର ସିମେଣ୍ଟ ବେଞ୍ଚ ଚିତ୍କାର କରି କହେ ଆହା, କି ସୁନ୍ଦର ଯୋଡି, ପୋଖରୀ ଭିତରେ ଭୂମିକମ୍ପ ସୃଷ୍ଟିହୁଏ ଓ ପାଣି ଗୁଡାକ ସମୁଦ୍ର ପରି ଲହଡି ଭାଙ୍ଗନ୍ତି। ମାଛଗୁଡାକ ଖପଖାପ ଡେଇଁ ଆମ ପ୍ରେମକୁ ସ୍ୱାଗତ କରନ୍ତି ।

ପୋଖରୀହିଡର ଗଛଗୁଡାକ ଗାଇ ଗାଇ ଉଠନ୍ତି :


ପ୍ରେମ ଏକା ସିନା ମହତପଣିଆ, 

ଆଉସବୁକିଛି ଅଢେଇ ଦିନିଆ।


ଖିଲିଖିଲି ହସିଉଠେ ରାନୀ। ସେ ହସଟିକକ ଦେଖି ପାଗଳ ହୋଇଉଠେ ପ୍ରକାଶ। ପ୍ରକାଶ କୁହେ ଏ ରାନୀ ! ଆମେ ତ ପ୍ରେମ କରୁଛେ, ତୁ କାହିଁକି ସେ ପୁଲକିତ ନାମକ ଯୁବକ ସହ ଏମିତି ପ୍ରେମର ନାଟକ କରୁଛୁ ? ଖିଲି ଖିଲି ହସି ରାନୀ କୁହେ, ନା ମ , ଆଜିକାଲି ସେ ସ୍ତ୍ରୀଛଡ଼ା ଲୋକଟାର ପ୍ରେମ ଉଛୁଲିବା ଦେଖି ମୁଁ ଟିକେ ଆନନ୍ଦ ନେଉଛି। ଜାଣିଛ ପ୍ରକାଶ ! ସେମିତି ପ୍ରେମକୁ କୁହାଯାଏ , " *ବନ୍ଧ୍ୟା ପ୍ରେମ*। "ସମୟ ଅତିବାହିତ କରିବାର ମାଧ୍ୟମ।


ସେ ପୁଲକିତ ମୋ ପ୍ରେମରେ ପୁରା ପାଗଳ। ପ୍ରେମ ତ ତମ ସହ କରୁଛି, ତା ସହ ବନ୍ଧ୍ୟା ପ୍ରେମର ମଜା ନେଉଛି।


ପୁଲକିତ ରାନୀର ପ୍ରେମରେ ତା ଅତୀତ ଭୁଲି ନିଃସ୍ଵାର୍ଥ ପ୍ରେମରେ ଉବୁଟୁବୁ ହେଉଥିଲେ। ରାନୀ ପୁଲକିତର ବୋକମୀର ମଜା ନେଉଥିଲା ପ୍ରେମିକ ପ୍ରକାଶ ସହ।

ପ୍ରେମ ବଢୁଥିଲା, ସମୟ ଗଡୁଥିଲା।

ଧିରେ ଧିରେ ରାନୀ ଅନ୍ତର୍ଦ୍ଧାନ ହୋଇଗଲା।


ଅଶାନ୍ତ ହୋଇ କିଛିଦିନ ପଡି ରହିଲେ ପୁଲକିତ। ପ୍ରେମରେ ଏମିତି ଝଟକା ସମ୍ଭାଳିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା। ଦୁଇ ଦୁଇଥର ଜୀବନ ହାରିବା ପ୍ରଚେଷ୍ଟାରେ ବିଫଳ ହୋଇ ଭାଗ୍ୟକୁ ଆଦରି ପଡି ରହିଲେ।


ସମୟ କ୍ଷତ ଭରିଦିଏ। ନିଜ କାର୍ଯ୍ୟରେ ବ୍ୟସ୍ତ ରହି ସମୟ ସହ ତାଳ ଦେଇ ଆଗକୁ ବଢ଼ିଲେ ପୁଲକିତ। ଚାକିରି ଜଞ୍ଜଳରେ ବ୍ୟସ୍ତ ରହି ଜୀବନ ଗାଡ଼ିକୁ ଆଗକୁ ଗଡ଼େଇଲେ।


କୌଣସି ସେମିନାର ପାଇଁ ପହଞ୍ଚିଗଲେ କଲିକତାର ସୋନାଗାଛି ଷ୍ଟେସନ୍। ସନ୍ଧ୍ୟା ସମୟ। ବାବୁ ! ପଇସାଟିଏ କହି ଛୋଟ ଛୁଆଟିଏ ଗୋଡ଼ ଧରିନେଲା। କଲିକତା ଠକ ଜାଗା କହି ପାଦରୁ ଛୁଆଟିକୁ ଅଲଗା କରିବା ସମୟରେ ନାରୀ କଣ୍ଠ ଶୁଣାଗଲା , ବାବୁ ! ଓଡ଼ିଆ ଲୋକ ପରି ଲାଗୁଛ, ଛୁଆଟା ଦୁଇଦିନ ହେଲା ଖାଇନି, କିଛି ପଇସା ଦିଅ ନହେଲେ କିଛି ଖାଇବାକୁ ଦିଅ ବାବୁ।


କଣ୍ଠ ଜଣାଶୁଣା ଲାଗିଲା। ଅଟକିଗଲେ ପୁଲକିତ। ନିରେଖି ଦେଖିଲେ ସ୍ତ୍ରଲୋକଟିକୁ। ଇଁହିଁ , କି ଦୁର୍ଗନ୍ଧ। ଛିଣ୍ଡା ଲୁଗା, ଚମ ଧୁଡୁ ଧୁଡୁ। ତଥାପି ସନ୍ଦେହରେ ପଚାରିଲେ, ତମ ନାଆଁ କ'ଣ ? ସ୍ତ୍ରୀ ଲୋକଟି କହିଲା, ରାନୀ ।


ଦୁଇପାଦ ପଛକୁ ଘୁଞ୍ଚିଗଲେ ପୁଲକିତ। ପଚାରିଲେ, ତମର ଏମିତି ଅବସ୍ଥା କେମିତି ହେଲା ? ରାନୀ ପଚାରିଲା, ବାବୁ ! ତମେ କିଏ ? ମୋତେ କେମିତି ଜାଣିଲ ? ସେଇଠି ବସିଗଲେ ପୁଲକିତ। କହିଲେ ମୁଁ ପୁଲକିତ। ଚମକି ଉଠିଲା ରାନୀ।


ସମସ୍ତ ବିଷୟ ବର୍ଣ୍ଣନା କଲା। ପ୍ରକାଶ ତାସହ ଶାରୀରିକ ସଂପର୍କ ରଖି ଗର୍ଭବତୀ କଲା ଓ ତାକୁ ଆଣି ବେଶ୍ୟାଳୟରେ ଛାଡ଼ି କେଉଁଆଡେ ଚାଲିଗଲା। ସୌଭାଗ୍ୟକୁ ସେ ବାଈ ମୋ ଛୁଆ ଜନ୍ମରେ ସହାୟକ ହେଲା ଓ ମୁଁ ସେ ସ୍ଥାନ ଛାଡି ଭିକ୍ଷା ବୃତ୍ତି ଆଦରି ନେଲି। ବାବୁ ! ମୁଁ ତମ ସହ ପ୍ରେମ ନୁହଁ ପ୍ରକାଶକୁ ପ୍ରେମ କରୁଥିଲି ଓ ଆମ ପ୍ରେମର ନାଆଁ ଦେଇଥିଲି,   " ବନ୍ଧ୍ୟା ପ୍ରେମ। " ମାନେ ଯାହା ଫଳବତୀ ହେବାର ନାହିଁ। ତମେ ଥିଲ ମୋ ସମୟ ଅତିବାହିତ କରିବାର ମାଧ୍ୟମ।


ପୁଲକିତ କହିଲେ, ସବୁ ସମୟର ଖେଳ ରାନୀ। ମୁଁ ଦେବତା କି ମହାମନିଷି ନୁହଁ। କାହାଣୀର ସୁଖଦ ଅନ୍ତ କରିବାକୁ ତମର ମୋର ବିବାହ କଥା କହିବିନି। ହଁ ଏତିକି କରିବି, ମୁଁ ବର୍ତ୍ତମାନ ଏଠାରେ ଗୋଟିଏ ଅନାଥାଶ୍ରମର ଉତ୍ସଵରେ ଯୋଗ ଦେବାକୁ ଯାଉଛି। ସେଇଠି ମୋ ବନ୍ଧ୍ୟାପ୍ରେମର ଥଇଥାନ କରିଦେବି। ପୁଲକିତ ସହ ଆଗକୁ ବଢୁଥିଲା ରାନୀ ଅନାଥାଶ୍ରମ ଅଭିମୁଖେ।


Rate this content
Log in

Similar oriya story from Abstract