Er.Siddhartha Sankar Tripathy

Abstract Tragedy Inspirational

4.5  

Er.Siddhartha Sankar Tripathy

Abstract Tragedy Inspirational

ଛିଣ୍ଡା ଚପଲ

ଛିଣ୍ଡା ଚପଲ

4 mins
216



କିଛି କ୍ଷୋଭପୂର୍ଣ୍ଣ ଅଭିବ୍ୟକ୍ତି :--


ସମୟ ବଦଳିଛି, ସାହିତ୍ୟର ମାନ ବଦଳିଛି, ପାଠକଙ୍କ ରୁଚି ବଦଳିଛି। ଫକୀରମୋହନ, ରାଧାନାଥଙ୍କ ଲେଖାରେ ଶ୍ରେଣୀକରଣ ବା ଉତ୍କର୍ଷ ନିର୍ଦ୍ଧାରଣ ( ରେଟିଙ୍ଗ) ପଦ୍ଧତି ନଥିଲା। ମୋର ମନେଅଛି ଥରେ ଜଣେ ମହାକବିଙ୍କ ପୁସ୍ତକର ଓଡ଼ିଆ ଅନୁବାଦ ଲେଖିଲି । ଉତ୍କର୍ଷ ନିର୍ଦ୍ଧାରଣ ( ରେଟିଙ୍ଗ ) ବହୁତ୍ କମ୍ ମିଳିଲା। 


ମନେ ମନେ ଟିକେ ହସିଲି ଆମ ଗୁଣି ପାଠକ/ପାଠିକାଙ୍କ ମତାମତ ଦେଖି। ଏମିତିକି ପ୍ରଥମେ ମୁଁ ଲେଖିବା ସମୟରେ ଯେଉଁ ହାତଗଣିତି ଲେଖକ/ ଲେଖିକା ଥିଲେ , ଯେଉଁମାନେ ମୋତେ ପଚାରୁଥିଲେ ( ଆଜିର ବଡ ଲେଖକ/ ଲେଖିକା) ସେମାନଙ୍କ ସମାଲୋଚନାର ଶରବ୍ୟ ହେଲି। ଶରବ୍ୟ ହେବାର କାରଣ ବି ଥିଲା। ମୁଁ ଶ୍ରୀଯୁକ୍ତ ମନୋଜ ଦାସ ଓ ବିଭୁତି ପଟ୍ଟନାୟକଙ୍କ ଆଗ୍ରହ ସମର୍ଥକ ( ଫ୍ୟାନ) । ତାଙ୍କର କିଛି ପଙ୍କ୍ତି ମୋ ମନକୁ ଛୁଇଁ ଥିଲା ଓ ମୁଁ ତାକୁ ମୋ ଲେଖାରେ ପ୍ରତିଫଳିତ କରିଥିଲି।


କାହାର ବାକ୍ୟର ତୀରରେ ଶରବିଦ୍ଧ ହୋଇ ବି ମୋ ଲେଖନୀ ଚାଳନା ବନ୍ଦ ହୋଇନି କି ହେବାର ନାହିଁ। କିଛି ହାତଗଣତି ପାଠକ/ ପାଠିକାଙ୍କ ସ୍ନେହ ଶ୍ରଦ୍ଧା ମୋତେ ପ୍ରେରଣା ଯୋଗାଇ ଆସିଛି। ତେଣୁ ତ ମୁଁ ଆଜି ପତ୍ରପତ୍ରିକାରେ ବି ଲେଖିପାରୁଛି।



କଥାରେ ପରା ଅଛି;

ମାଆ ତୁମକୁ ଦୁନିଆଁ ଦେଖାଏ,

ବାପା ଦୁନିଆକୁ ତୁମକୁ ଚିହ୍ନାଏ।

ମାଆ ତୁମକୁ ଜୀବନ ଦିଏ,

ବାପା ତୁମକୁ ଜିଇବା ଶିଖାଏ ।

  

ବାପା ! କେତେ ଶ୍ରୁତିମଧୁର ଶଦ୍ଦ। କିନ୍ତୁ ଆଜିବି ବହୁତ୍ ବାପା ବୋହୂଙ୍କ ଶୋଷଣର ଶିକାର। ଅସ୍ପୃଶ୍ୟର ଅର୍ଥ ଅଛୁଆଁ ହିଁ ନୁହଁ। ଅସ୍ପୃଶ୍ୟ ବି ଅବହେଳିତ। ବଞ୍ଚିଥିବା ସମୟରେ ଆମ ପାଖରେ ସମୟ ନଥାଏ ବାପା ମାଆଙ୍କ ପାଇଁ। କିଛି ସ୍ଥାନରେ ମୃତ୍ୟୁପରେ ବହୁତ୍ ସମ୍ମାନର ଅଧିକାରୀ କରି ଆଭିଜାତ୍ୟର ଡିଣ୍ଡିମ ପିଟାନ୍ତି ଅପାରଗ ସନ୍ତାନ। ଲାଭ କ'ଣ ? କିଏ ଜାଣେ ମୃତ୍ୟୁ ପରର ସ୍ଥିତି। ଏଇ ଆମ ସଂସ୍କାର। ହେ ଅଧମଗଣ ! ବେଳ ଥାଉ ଥାଉ ସୁଧୁରି ଯାଅ। ନଚେତ ହାତରେ ଲାଗିବ ମେଞ୍ଚା ମେଞ୍ଚା ଅନୁଶୋଚନା।


କାହାଣୀକୁ ଯିବା ;


ଆଜି ବିପ୍ଳବର ଆନନ୍ଦ କହିଲେ ନସରେ। ତାର ଜୀବନ - ଯମୁନାରେ ପୁଲକର ପ୍ଲାବନ ଛୁଟିଛି। ସେ ଆଜି ଯେମିତି ଆନନ୍ଦିତ, ଆମେରିକାର ଚନ୍ଦ୍ର ବିଜୟୀ ମାନେ ଚନ୍ଦ୍ରପୃଷ୍ଠରେ ବିଚରଣ କରି ବି ସେମିତି ଆନନ୍ଦ ପାଇନଥିବେ। କାରଣ ତା ବାପା ଆଜି ତାକୁ ଯାନ୍ତ୍ରିକ ଆଭିକଳ୍ପ ( ଇଞ୍ଜିନିୟରିଂ )ରେ ପଢ଼ିବା ସୁଯୋଗ ଦେଇଛନ୍ତି।


କିଛି ଦିନ ପରେ ---


ବାପା ! ଏ ବାପା ! ଯାନ୍ତ୍ରିକ ଆଭିକଳ୍ପ ( ଇଞ୍ଜିନିୟରିଂ )ପଢ଼ାଉଥିଲ କାହିଁକି ? ସାଙ୍ଗମାନେ ସ୍କୋଡ଼ା ଗାଡ଼ିରେ ଚଢ଼ି ଆସୁଛନ୍ତି ଅଥଚ ମୁଁ ତମର ସେଇ ଚପରାଶିବାଲା ସାଇକେଲ ଚଢି ଯାଉଛି। ମୋତେ କାହିଁକି ଏତେବଡ଼ କଲେଜରେ ଜଏନ କରାଉଥିଲ। ମୁଁ ତ କାର ମାଗୁନି, ମଟରସାଇକେଲଟିଏ ନ ଆଣିଲା ଯାଏଁ ମୁଁ ବସରେ ଯିବା ଆସିବା କରିବି। ବାପା ଜୁରିଆ ଚୁପ୍ ଥିଲେ। ମାଆ କେତକୀ କହୁଥିଲେ ପୁଅଟା ସବୁବେଳେ ଅଶାନ୍ତି ହେଉଛି, ମନଦୁଃଖ କରୁଛି, ତା ଦୁଃଖ ବୁଝୁନ ଏମିତି ପଥରପରି ବସିଛ କ'ଣ ? ଚପରାଶି ଚାକିରି ସରିଲା ପରେ ତ କୋଠା ଜଗିବା କାମ କରୁଛ। ଆମର ଗୋଟିଏ ବୋଲି ପୁଅ। ତା ପାଇଁ ତ ଆମେ। ଆମର ସମ୍ପତ୍ତି କ'ଣ ହେବ ଯେ ?


ଜୁରିଆ କହିଲେ, କେତକୀ ! ପାଣି ଗ୍ଲାସେ ଦେଲ। ବାପାଙ୍କ ଠାରୁ କିଛି ନିର୍ଭର ପ୍ରତିଶୃତି ନପାଇ ରାଗିଯାଇ ବିପ୍ଳବ କହିଲା, ବୋଉ ! ସତ କହିଲୁ , ମୋତେ ଜନ୍ମ କରିଥିଲ ନା କେଉଁଠୁ ଗୋଟେଇ ଆଣିଥିଲ ?


ଏତେ କହିଲେ ବି ଏ ଲୋକ ଚମକିବାର ନାହିଁ। ଆଜିଯାଏଁ ଘରେ ଆଲୋକର ପ୍ରଵେଶ ନାହିଁ। କି ଖରା କି ବର୍ଷା କି ଶୀତ , ସବୁଦିନ ସାମ୍ନା ପୋଲତଳେ ବସି ବସି କୃତିତ୍ଵର ସହ ପରୀକ୍ଷା ପାସ କଲି। ଟିକେ ନମ୍ବର କମିଗଲା ବୋଲି ବେସରକାରୀ କଲେଜରେ ଟିକେ ଅଧିକ ଅର୍ଥଶ୍ରାଦ୍ଧ ହେଲା।



ଚୁପ୍ ଥିଲେ ଜୁରିଆ। ରାଗ ତମତମ ହୋଇ ଘରୁ ବାହାରି ଗଲା ବିପ୍ଳବ। କିଛିବାଟ ଚାଲିଗଲା ପରେ ଟାଉନବସ୍ ଧରିବ। ହଠାତ ରାସ୍ତାରେ ପାଦରେ କଣ୍ଟା ଫୋଡ଼ି ହୋଇଗଲା ପରି ଲାଗିଲା।


ଚପଲ ଦେଖି ଚମକି ଉଠିଲେ ବିପ୍ଳବ। ଆରେ ! ଚରମ ରାଗ ଓ ବିରକ୍ତରେ ସେ ବୁଢ଼ାର ଚପଲ ପିନ୍ଧି ଆସିଛନ୍ତି। ସାତଶିଆଁ ଚପଲରୁ ପିନ ବାହାରି ଗୋଡ଼ରେ ଫୋଡି ହେଇ ରକ୍ତସ୍ରାବ ହେଉଛି। ପିନ ସଜାଡି ଚପଲ ପିନ୍ଧି ଆଗକୁ ବଢ଼ିଲେ ବିପ୍ଳବ। ବସ ଆସିବାକୁ ଆହୁରି ଘଣ୍ଟାଏ ବାକି। ମଣିଷ ଆଜି କି ଦହଗଞ୍ଜ ହେଲା।


ପକେଟ୍ ରେ ହାତ ପୁରାଇ ଦେଖିଲେ ବିପ୍ଳବ, ଆରେ ! ଆଜି ଏ କ'ଣ ବ୍ୟତିକ୍ରମ ? ଭୁଲରେ ବାପାଙ୍କ ପର୍ସ ତା ପକେଟରେ। ବାପା ନିଜ ପର୍ସରେ ମାଆଙ୍କୁ ବି ହାତ ଲଗେଇବାକୁ ଦିଅନ୍ତି ନାହିଁ। ପର୍ସ ଖୋଲିଲେ ବିପ୍ଳବ। ତା ଭିତରେ ଦୁଇଟି ଦଶଟଙ୍କିଆ ନୋଟ, କିଛି ଖୁଚୁରା ପଇସା ଓ ଗୋଟିଏ ଫଟା କୋଡ଼ିଏ ଟଙ୍କିଆ ନୋଟ।


ଅନ୍ୟ ଭାଗରେ କିଛି କାଗଜପତ୍ର। ଆଗ୍ରହ ନଥିଲେ ବି ସମୟ ଥିବାରୁ ଖୋଲିଲେ ସେ କାଗଜ ସବୁ।

କାଗଜ ଗୋଟିଏ ଖୋଲି ଦେଖିଲା। ଲାପଟପ ବିଲ। ମନେ ପଡିଗଲା ସେଦିନ ବାପା ଲାପଟପ୍ ଆଣିଦେଲେ। ମୁଁ ପଚାରିଲି, କିଣିଲ କି ? କହିଲେ ମୋର ତ ପଇସା ପଡ଼ିଛି ତୋ ପାଇଁ କିଣିବି , ଯାହା ତ ପଢ଼ୁଛୁ। ମେଳାକୁ ଯାଉଥିଲି, ଲଟେରୀରେ ପାଇଲି ଛଅଶହପଚାଶ ଟଙ୍କା ଖର୍ଚ୍ଚ ହେଲା।

ବିପ୍ଳବ କହିଥିଲା, ଧନ୍ୟବାଦ ବାପା। ବାପା କହିଥିଲେ, ହୁଁ ଯା ଯା ଧନ୍ୟବାଦ କ'ଣ , କହିଲି ପରା ଲଟେରୀରେ ପାଇଲି। ମାଆ ଦେଖିଲୁ ବାପା ଲାପଟପ୍ ଆଣିଛନ୍ତି, ଖୁସିରେ ଫାଟି ପଡ଼ିଥିଲା ସେଦିନ। ହେଲେ ବାପାଙ୍କ ଆତ୍ମତୃପ୍ତି ଓ ଅଶ୍ରୁକୁ ଅନୁଭବ କରିବାରେ ଅସମର୍ଥ ଥିଲା ବିପ୍ଳବ।


ତାପରେ ପର୍ସରୁ ଆଉ ଗୋଟିଏ କାଗଜ ବାହାର କଲା। ମେଡିକାଲ ପ୍ରେସ୍କ୍ରିପ୍ସନ । ଲେଖାଥିଲା ପାଦର ଅବସ୍ଥା ବହୁତ୍ ଖରାପ। ଠିକ୍ ଔଷଧ ସେବନ ନକଲେ କ୍ୟାନ୍ସରର ସମ୍ଭାବନା ଅଛି, ତାଛଡ଼ା ଭଲ ଚପଲ ପିନ୍ଧିବାର ଆବଶ୍ୟକତା ଅଛି।


ସେଦିନ ....

ଦୋକାନରୁ ମାଆ ପାଇଁ ଓ ମୋ ପାଇଁ ଚପଲ କିଣିଲେ। ମାଆ ପଚାରିଲା, ତମ ଚପଲ ତ ବହୁତ୍ ଖରାପ। ତମେ ନେବନି କି। ବାପା କହିଲେ ମୋର ଆଉ ଛଅମାସ ଚାଲିବ ଏହି ଚପଲ। 

ତାପରେ ଶେଷ କାଗଜ। ଯାହା ଥିଲା ବାଇକ୍ ପାଇଁ।


ବିପ୍ଳବ ଆଖିରେ ଆଖିଏ ଲୁହ। 


ପୁରା ଚିଠିଟିଏ ଥିଲା, ଲେଖାଥିଲା ; ଡାକ୍ତର କହିଛନ୍ତି ମୋତେ କର୍କଟରୋଗ। ଚିକିତ୍ସା ପାଇଁ ଅର୍ଥ ବ୍ୟୟ କଲେ ବିପ୍ଳବର ଭବିଷ୍ୟତ ଅନ୍ଧକାର ହୋଇଯିବ। ତାଛଡା ମୋ ନେତ୍ରଦାନ ଓ କିଡନୀଦାନ ପାଇଁ ମୁଁ ସହମତି ଦେଇଛି। ଡାକ୍ତର ତାରିଖ ଧାର୍ଯ୍ୟ କଲେ ମୋତେ ଅର୍ଥ ମିଳିବ। ସେଇ ଅର୍ଥରେ ବିପ୍ଲବ ପାଇଁ ବାଇକ ଆସିବ ଓ ବାକି ଅର୍ଥ ବିପ୍ଲବ ପାଇଁ ସଞ୍ଚୟ ରହିଲେ, ସେ ପଢା ସମ୍ପୂର୍ଣ୍ଣ କରିବ ଓ ଚାକିରି କରି ତା ମାଆର ଭରଣ ପୋଷଣ କରିବ। ମୁଁ ତ ସୁନ୍ଦର ପରିବାର ପାଇଲି ଓ ସୁନ୍ଦର ଜୀବନ ଅତିବାହିତ କଲି।


ଏତିକି କଷ୍ଟ ମୋ ଶେଷ ସମୟରେ ମୋ ପାଖରେ କେହି ନଥିବେ, ଡାକ୍ତର ମୋ ପ୍ରାପ୍ୟ ଅର୍ଥ ଘରେ ପହଞ୍ଚାଇଦେବେ। ହେଲେ ମୋ ପୁଅ ବିପ୍ଲବର ବାଇକ ଚଢିବା ସମୟର ଖୁସି ମୁଁ ଦେଖି ପାରିବି ନାହିଁ। ଭଗବାନ ଆର ଜନ୍ମରେ ମୋତେ ସେଇ ସଂସାର ହିଁ ଦିଅନ୍ତୁ। ଏତିକି କାମନା।


ବସିବା ସ୍ଥାନରୁ ଉଠି ଦୌଡ଼ିବାକୁ ଆରମ୍ଭ କଲେ ବିପ୍ଲବ। ମଟ କରି ଚପଲ ଛିଣ୍ଡିଗଲା। ଚପଲ ଦୁଇଟିକୁ ହାତରେ ଧରି ଦୌଡ଼ିଲେ ବିପ୍ଲବ। ବାପା ଚାକିରି ସ୍ଥାନକୁ ଆସି ନଥିଲେ। ବିପ୍ଲବ ମନକୁ ପାପ ଛୁଇଁଲା। ସେ ଡାକ୍ତରଖାନା ଦୌଡିଲେ।


ଡ଼ାକ୍ତରଙ୍କୁ ପରିଚୟ ଦେଇ ବାପାଙ୍କ ବିଷୟ ପଚାରିଲେ।


କିନ୍ତୁ ......


ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଡ଼ାକ୍ତର ବିପ୍ଲବ ହାତକୁ ଚେକ୍ ଦେବା ସହ ଧଳା ଚାଦରରେ ଘୋଡା ହୋଇଥିବା ସ୍ଥାନକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ବିପ୍ଲବ ମୁହଁରୁ କପଡା ଉଠାଇ ଚିତ୍କାର କଲେ, ବାପା ! ଏ କ'ଣ କଲ ? ଦରକାର ନାହିଁ ମୋର ବାଇକ। ମୋର ତମେ ଦରକାର।

ବାପାଙ୍କ ଶବ ସତ୍କାର ହେଲା, ପୂଜା ଘରେ ସ୍ଥାନ ପାଇଲା ବାପାଙ୍କ ଛିଣ୍ଡା ଚପଲ, ଯାହା ବିପ୍ଲବକୁ ପ୍ରତି ମୁହୂର୍ତ୍ତରେ ଭଲ ପଢ଼ି ଭଲ ମଣିଷ ହେବାର ପ୍ରେରଣା ଦେଉଥିଲା।



( ବି. ଦ୍ର : ସବୁ ମଧ୍ୟବିତ୍ତ ପରିବାରର ଏହି କାହାଣୀ। ବାପଙ୍କ ଗାଳି ଭିତରେ ଲୁଚି ରହିଥିବା ଅସହାୟତା ଓ ଗାଳି ଭିତରେ ଲୁଚି ରହିଥିବା ସ୍ନେହ ଓ ବଳିଦାନକୁ ଉପଲବ୍ଧି କରନ୍ତୁ। ସଂସାର ହସିବ । )



Rate this content
Log in

Similar oriya story from Abstract