Sanuja Meghamala

Romance

4.0  

Sanuja Meghamala

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

8 mins
228



 ନିତି ଦିନିଆ ଜୀବନର ଧାଁ ଦୌଡ଼ ଭିତରେ ଅନେକ ଅଚିହ୍ନା ମୁଂହ ଭାରି ପରିଚିତ ଲାଗନ୍ତି। ପୁଣି ଚିନହା ମୁଂହ ଗୁଡା ଅଚିହ୍ନା ହୋଇଯାଆନ୍ତି।।ପ୍ରତିଦିନ ବେଳାଭୂମିରେ ତୋଳି ହେଉଥିବା ବାଲିଘର ପରି କେତେ ନୂଆ ସମ୍ପର୍କ ଗଢିଉଠେ। ଜୁଆରରେ ଭାସି ସେ ଘର ଭାଙ୍ଗିଗଲା ପରି ସମୟ ସୁଅରେ କେତେ ସମ୍ପର୍କ ଭାଙ୍ଗିଯାଏ।କେହି ତାର ହିସାବ ରଖି ପାରେନା । ତାରି ଭିତରୁ କେତେ ସମ୍ପର୍କ ମନେ ରହେ ..ଆଉ କେତେ ସମୟର କରାଳରେ ବିଲୀନ ହୁଏ। କେବେ ପୁଣି ସେହି ସମ୍ପର୍କ ହସାଏ ତ ପୁଣି କେବେ ରହି ରହି କନ୍ଦାଏ । ନିରୋଳାରେ ବସି ପଡିଲେ ପୁରୁଣା ଦିନ ମାନେ ପକ୍ଷୀ ହୋଇ ଆକାଶରେ ଡେଣା ମେଲି ଉଡ଼ିବୁଲନ୍ତି ଏ ଦିଗରୁ ସେ ଦିଗ। ଆଖିରେ ଲୁହ ଆସେ ଉଭୟ ଖୁସି ଓ ଦୁଃଖର ମୁହୁର୍ତ୍ତ ସବୁ ମନେ ପଡିଗଲେ।


ଅନେକ ବର୍ଷ ପରେ ତାପସୀ ସହିତ ଅଚାନକ ଭେଟ ହେଇଗଲା ।ଆଖି ପାଉ ନ ଥିଲା ସତରେ।ଗଣି ହେଉ ନ ଥିଲା ଦିନ ଗୁଡା।।। ଚିନ୍ହିବା ମୁସ୍କିଲ। କେମିତି ଚିନ୍ହିବି ଯେ। ଆଖିରେ ଚଷମା ପୁଣି ମୁଁହରେ ମାସ୍କ। ବୟସ ସହିତ ତାଳ ଦେଇ ଶରୀରର ମେଦ ବହୁଳତା। କଥା ରେ ମଧ୍ୟ କଲେଜ ସମୟର ସେ ଲାଳିତ୍ୟ ହଜି ଗଲାଣି କେବେ ଠାରୁ। ପ୍ରଥମ ଝଲକରେ ମୁଁ ତାକୁ ଜମା ଜାଣିପାରିଲି ନାହିଁ। ସେ ମୋତେ ବାରମ୍ବାର ଦେଖୁଥିଲା। ମୁଁ ବି ମଝିରେ ମଝିରେ ଦେଖୁ ଥାଏ। ବାହାଘର ଭୋଜିର ଭିଡ଼ । ସେହି ଭିଡ଼ କାଟି କିଛି ସମୟ ପରେ ସେ ମୋ ପାଖକୁ ଆସି କହିଲା.. ଜାଣି ପାରୁନୁ ନା କଣ?. ମୁଁ ଭାବୁଥାଏ ମନେ ମନେ କେଉଁଠି ତ ଦେଖିଚି ୟାଙ୍କୁ।। ହେଲେ ମନେ ପକେଇ ପାରୁ ନ ଥାଏ। କିଛି ସମୟ ପରେ ସେ ମାସ୍କଟା କାଢି ଦେଇ କହିଲା ଜାଣି ପାରୁଛୁ ତ ଏଥର ନା ଜାଣିପାରୁନୁ। ..


ମୁଁ ହସିଲି କିଛି ପାଇଯିବାର ଖୁସିରେ ଏକଦମ ମନଖୋଲା ହସଟେ। ତାକୁ କୁଣ୍ଢେଇ ଧରି କହିଲି ଜହ୍ନକୁ ଗ୍ରହଣ ଲାଗିଲେ ଜହ୍ନ ଯେମିତି ଲୁଚିଯାଏ ତୋ ମୁଂହଟା ଚଷମା ଆଉ ମାସ୍କ ଭିତରେ ସେମିତି ଲୁଚି ଯାଇଥିଲା ଲୋ। ସେଥି ପାଇଁ ଦୋ ଦୋ ଚିନହା ହେଉଥିଲି। ଏବେ ତୋଫା ଜନ୍ହ ପରି ତୋ ସୁନ୍ଦର ମୁଁହଟା ଦେଖି ତୋତେ ଠିକ୍ ଜାଣି ପାରିଲି . । ତୁ ମୋତେ କେମିତି ଜାଣିପାରିଲୁ କହ ତ । 


ସେ କହିଲା କେମିତି କଣ ! ଏମିତି ହାତ ହଲେଇ ଆଖି ନଚେଇ କଥା ତୋ ଛଡ଼ା ଆଉ କିଏ କରିପାରେ ଯେ ! ତୋତେ କଣ ଭୂଲି ହୁଏ ?? ମୁଁ ତାକୁ ଟିକେ ମିଛିମିଛିକା ରାଗି ଯାଇ କହିଲି ତା ହେଲେ ପୁଣି ଏତେ ଦିନ କେମିତି ଭୂଲି କି ରହିଥିଲୁ। ସେ ମୋ ହାତ ଟାକୁ ଖୁବ୍ ଜୋର୍ ରେ ଭିଡ଼ି ଧରି ଖିଲି ଖିଲି ହସି ଉଠିଲା।


 ଖୁବ ଲମ୍ବା ସମୟର ବ୍ୟବଧାନ । ଗୋଟେ ଯୁଗ ବିତିଗଲାଣି ୟା ଭିତରେ। ସବୁ ମନେ ରହିବା ଏତେ ସହଜ ନୁହେଁ। ଆମେ କଲେଜ ଛାଡିଲା ବେଳେ ସମ୍ପର୍କର ଛୋଟ ସେତୁ ଥିଲା ଚିଠି। ବାହାଘର ପରିବାର ଛୁଆ ପିଲାଙ୍କ ଭିଡ଼ ଭିତରେ ଚିଠି ଲେଖା କ୍ରମଶଃ ବନ୍ଦ ହୋଇ ସାଙ୍ଗ ମାନଙ୍କ ସହିତ ସମ୍ପର୍କ ଶିଥିଳ ହେଲା । କେତେ ସମ୍ପର୍କ  ଆସ୍ତେ ଆସ୍ତେ ସମୟ ଅଭାବରୁ ଅଜାଣତରେ ହଜିଗଲା ।ହଜିଗଲା କହିଲେ ପୁରା ଠିକ ହେବନି। ଥରେ ଥରେ ନିରୋଳା ରେ ବସି ପଡିଲେ ଅନେକ ପୁରୁଣା ସାଙ୍ଗ ତାଙ୍କ କଥା ଏବଂ ସେ ପୁରୁଣା ଦିନ ଏ ମନକୁ ଆନ୍ଦୋଳିତ କରେ। ଏବେକା ପରି ଫୋନ ବା ଇଣ୍ଟରନେଟର ସୁବିଧା ଥିଲେ ଆମେ କଣ ଏମିତି ଅକସ୍ମାତ ଠିକଣା ହଜେଇ ଦେଇ ଥାନ୍ତେ !


 ମୋ ପାଟିରେ ହାତ ଦେଇ ସେ ମୋତେ ଭିଡି ଧରିଲା। ରହ ଲୋ କେତେ ଗପୁଚୁ ! ଆଗ ମୁଁ ତୋତେ ଟିକେ ଭଲ କରି ଆଖି ପୂରେଇ ଦେଖି ନିଏ । ଗାଲକୁ ଚିପି ଦେଇ କହିଲା ହେ ଭଗବାନ କେତେ ଦିନ ପରେ ତୋତେ ଦେଖୁଚି। ବିଶ୍ୱାସ କରି ହେଉନି। କେବେ ଭାବି ନ ଥିଲି ତୋ ସହିତ ଏମିତି ପୁଣି ଥରେ ଅଚାନକ ଭେଟ ହେଇଯିବ। ଅବିରତ ଭାବେ ତା ଖୁସିକୁ ସେ ଜାହିର କରୁଥାଏ। ତାର ସେ ପିଲାଳିଆମୀ ଯାଇନି ଦେଖି ମୁଁ ଖୁସି ହେଉଥାଏ। 


 ମୋର ତା ବିଷୟରେ ତଥା ଅନ୍ୟ ସାଙ୍ଗ ମାନଙ୍କ କଥା ଜାଣିବାକୁ ବହୁତ ଇଚ୍ଛା ହେଉଥିଲା। ଆଉ ନିଜକୁ ରୋକି ପାରିଲି ନାହିଁ ଭିଡି ନେଲି ତା ହାତକୁ ସମସ୍ତଙ୍କ ଅଲକ୍ଷ୍ୟରେ ଟିକେ ଦୂରରେ ବସି କଥା ହେବା ପାଇଁ। 


 ମୋର ପ୍ରଥମ ପ୍ରଶ୍ନ ତାକୁ ଥିଲା ସମ୍ବିତ ବାବୁ ଆସିଛନ୍ତି? କାହାନ୍ତି ଦେଖାଯାଉ ନାହାନ୍ତି ତ?


ସେ ଏପଟ ସେପଟ ଚାହିଁ ମୋ ପାଟିରେ ହାତ ଦେଇ କହିଲା ଚୁପ ଏଠି ନୁହେଁ ଚାଲ ସେପଟେ ଦୂରରେ ବସି କଥା ହେବା। ।କିଛି ସମୟ ପୂର୍ବରୁ ତା ମୁଁହରେ ଥିବା ଖୁସିର ଝଲକ ବଦଳରେ ମୋତେ ତା ଆଖିରେ ଦୁଇଟୋପା ଢକ ଢଳ ଲୁହ ଦେଖାଗଲା।


ମୁଁ ଆଶ୍ଚର୍ଯ୍ୟ ହେଲି ..ଅନ୍ୟ ମନସ୍କ ବି ହୋଇଗଲି। ତାପସୀ ସମ୍ବିତଙ୍କୁ ବିବାହ କରିନାହିଁ। ଏହା କିପରି ସମ୍ଭବ!! ମୁଁ ଜାଣିଥିଲି ଯେଉଁ ତାପସୀକୁ ସେ ନିଜର ହୃଦୟ ଦେଇ ମନ ଦେଇ, ଅତି ଆପଣାର ଭାବେ ଭଲ ପାଉଥିଲା ସମ୍ବିତଙ୍କୁ । ସମ୍ବିତଙ୍କ ବିନା ସେ ରହିପାରିଲା କେମିତି? ସେତେବେଳେ ତାକୁ ବୁଝେଇଲେ, ବାରଣ କଲେ ବି ମାନୁ ନଥିଲା। ସମ୍ବିତ ତାପସୀକୁ ଦେଖା କରିବାକୁ ଆମ କଲେଜକୁ ଆସନ୍ତି। ସେମାନେ କଲେଜ ଟାଇମ ଭିତରେ ମୁଭି ଯାଆନ୍ତି, ପାର୍କ ଯାଆନ୍ତି..। କେତେ ଥର ଆମ କଲେଜ ଗେଟ ପାଖରେ ସେ ଦୁଇ ଜଣଙ୍କ ସହିତ ଆମେ ସାଙ୍ଗ ମାନେ ବି ଗୁପଚୁପ ଖାଇବା କମ୍ପିଟେସନଟାକୁ ଉପଭୋଗ କରିଛୁ। କେଜାଣି କାହିଁକି ସେ ଦୁଇଜଣଙ୍କର ଖୁସି ଦେଖିଲେ ଭାରି ଭଲ ଲାଗେ। ପୁଣି ଭୟ ଲାଗେ ତାଙ୍କ ଅନ୍ଧାରି ଭବିଷ୍ୟତକୁ ନେଇ। ଏ ଲୁଚାଛପା ସମ୍ପର୍କକୁ କଣ ସତରେ ସେମାନେ ନିଭେଇ ପାରିବେ। ଘର ପରିବାର ସମାଜ ସେମାନଙ୍କୁ କଣ ସ୍ୱୀକୃତି ଦେବ ? ଆମେ ତାର କିଛି ନିକଟତମ ବାନ୍ଧବୀ ତାକୁ ଏ ସବୁ ନ କରିବା ପାଇଁ କେତେ ଯେ ବାରଣ କରିଥିବୁ ତାର ହିସାବ ନ ଥିବ।


 ସେତେ ବେଳେ ତାପସୀ ପ୍ରେମକୁ ନେଇ ଆମକୁ ଲମ୍ବା ଭାଷଣ ମାରେ "ଆରେ ଯାଃ ...ତମେ ଥରେ ପ୍ରେମରେ ପଡିଲେ ସିନା ଜାଣିବ ପ୍ରେମ କଣ ,?କେମିତି ହୁଏ?। ଏ ଗପ ଉପନ୍ୟାସ ବହି ପଢି ଫିଲ୍ମ ଦେଖି କଣ ପ୍ରେମକୁ ଅନୁଭବ କରିହୁଏ। ଧେତ ..ସେଗୁଡା ଖାଲି ମିଛ ଅଭିନୟ..କଳ୍ପନା।ପ୍ରେମ ଅତି ନିଜସ୍ଵ। ବ୍ୟକ୍ତିଗତ ଅନୁଭୂତିଟେ। ଆରେ ବୁଝିଲ ପ୍ରେମକୁ ନେଇ ସମସ୍ତଙ୍କର ଅନୁଭବ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ପ୍ରେମ କଣ କେହି ଜାଣି ଜାଣି କରେ କି? ,ସେ ସେମିତି ମ, ହଉ ହଉ ହେଇଯାଏ। "ଆମେ ଏ ଭାବନା ଓ ଦର୍ଶନକୁ ବୁଝି ନ ପାରିଲେ ବି ତା ସାମ୍ନାରେ ଚୁପ ରହୁ। ରହିବାକୁ ପଡେ। ନ ହେଲେ ତା ଯୁକ୍ତି ତା ଭାଷଣ ଶୁଣି ଶୁଣି ମୁଣ୍ଡ ବିଗିଡି ଯିବାଟା ଥୟ।


 କେବେ କେବେ ଲିଜର ପିରିୟଡ଼ରେ ମୁଁ ତା ସହିତ ମନ୍ଦିର ଯାଇଛି। କଣ ନା ଆଜି ସମ୍ବିତଙ୍କର ଜନ୍ମଦିନ ,ଆଜି ତାଙ୍କର ଇଣ୍ଟରଭିଉ ଅଛି ତ କେବେ ଦେହ ଖରାପ ଅଛି ଦୀପ ବସେଇବି ଚାଲ ନା ମୋ ସାଙ୍ଗରେ। ତାର ସେହି ଦରଦୀ ମନର ଉଛୁଳା ଭଲ ପାଇବାକୁ ଦେଖି ତା କଥା ନୀରବ ରେ ମାନି ଯାଇଛି। ତା ଦୁଃଖ ରେ ଦୁଃଖୀ ବି ହୋଇଛି। ସେତେବେକେ ମନରେ ଅନେକ ଥର ପ୍ରଶ୍ନ ଉଠେ ଭୟ ବି ଲାଗେ !! ସମ୍ବିତ ନାମକ ଏ ପୁରୁଷଟା ସରଳ ବିଶ୍ୱାସୀ ତାପସୀର ପବିତ୍ର ମନକୁ ଭାଙ୍ଗି ଦେବନି ତ। ଯଦି ସେମିତି ହୁଏ ତାପସୀ କଣ ସମ୍ବିତ ବିନା ବଂଚି ପାରିବ ! ସେତେ ବେଳେ ଆଉ ଆଗକୁ ଭାବି ହୁଏନା। ମୁଣ୍ଡ ଭାରି ହେଇଯାଏ ।


ପ୍ରତି ଝିଅଙ୍କ ପରି ତାର ମଧ୍ୟ ଅସୁମାରୀ ସ୍ୱପ୍ନ ଥିଲା ବିବାହକୁ ନେଇ। କଥା ଛଳରେ କେତେଥର କହିଥିଲା.. ଗୋଟେ ଅଜଣା ପୁରୁଷ ସହ କେମିତି ସମ୍ପର୍କ ବାନ୍ଧି ସାରା ଜୀବନ ତା ସହିତ ଚଳିବ ତମେ ମାନେ କେବେ ଭାବିଛ ! କୁହ ତ ଦେଖି !କାହା ସହିତ ସାରା ଜୀବନ କଟେଇବା ପୂର୍ବରୁ ତାକୁ ଭଲରେ ଜାଣିବା କଣ ନିହାତି ଦରକାର ନୁହେଁ । ଉଭୟ ଉଭୟଙ୍କ ପସନ୍ଦ, ନାପସନ୍ଦ, ଖାଇବା ପିନ୍ଧିବାର ରୁଚିକୁ ଜାଣିବା ସହିତ ପରସ୍ପରର ପରିବାର ବିଷୟରେ ପୂର୍ବରୁ ଜାଣିଥିଲେ ବୈବାହିକ ଜୀବନଟା ସରଳ ହୋଇଯିବ।ଜୀବନଗାଡ଼ିର ଚକଟା ସହଜରେ ଆଗକୁ ଗଡିପାରିବ ବୋଲି ମୋର ଧାରଣା।




 ମୋ ଭାବନାରେ ପୂର୍ଣଛେଦ ଟାଣି ତାପସୀ ଆସି ନିଶ୍ଚଳ ମୂର୍ତ୍ତି ଟିଏ ପରି ସ୍ଥିର ହୋଇ ବସିଗଲା କିଛି ସମୟ ।ତା ପରେ କହିଲା କେଉଁଠୁ ଆରମ୍ଭ କରିବି କହ। ବୁଝିଲୁ ଅନେକ ଅସଫଳ ପ୍ରେମ କାହାଣୀରେ ମୋ କାହାଣୀ ବି ଯୋଡି ହୋଇଗଲା। ଆମ ଘରେ ସମ୍ବିତ ସହିତ ମୋର ସମ୍ପର୍କକୁ ସ୍ଵୀକାର କଲେ ନାହିଁ। କାରଣ ସମ୍ବିତ ଚାକିରୀ କରି ନ ଥିଲେ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ବାପା ତାଙ୍କ ସମ୍ମାନରେ ଆଞ୍ଚ ଆସିଲେ ଆତ୍ମହତ୍ୟା କରିବା ଧମକ ଦେଲେ। ମୁଁ କିନ୍ତୁ ସେ ସବୁକୁ ଖାତିର ନ କରି ସମ୍ବିତଙ୍କୁ ମନ୍ଦିର କିମ୍ବା କୋର୍ଟରେ ବାହା ହେବା ପାଇଁ ପ୍ରସ୍ତାବ ଦେଲି। ସେ କିନ୍ତୁ ଆମ ଦୁଇ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବାହା ହେବା ପାଇଁ ରାଜି ହେଲେନି। ସାମର୍ଥ୍ୟ ବି ନ ଥିଲା।ମୋତେ ବାପା ଠିକ କରିଥିବା ପ୍ରସ୍ତାବରେ ବାହା ହୋଇଯିବାକୁ ବାଧ୍ୟ କଲେ । 


 ମୋର ତାଙ୍କ ଉପରୁ ବିଶ୍ୱାସ ତୁଟିଗଲା। ରାଗ ଓ ଅଭିମାନରେ ସବୁ ସମ୍ପର୍କ କାଟି ଦେଲି। ବାପା ଠିକ କରିଥିବା ରାଜେଶଙ୍କୁ ବାହା ହେଲି । ବିଶ୍ୱାସ କର ନିଳିମା ରାଜେଶ ମୋତେ ଯଥେଷ୍ଟ ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି। ମୁଁ ସମ୍ବିତଙ୍କୁ ଭୁଲି ଯାଇଥିଲି। ମୋର ପୁଣି ଥରେ ତାଙ୍କ ସହିତ ଦେଖା ନ ହେବା ପର୍ଯ୍ୟନ୍ତ। 


ମୁଁ ନୀରବ ରେ ତା କଥା ଖାଲି ଶୁଣୁ ଥିଲି..।ସେ ଟିକେ ରହି ପୁଣି ଆରମ୍ଭ କଲା ଏହି କିଛି ମାସ ତଳେ ଦିଲ୍ଲୀରୁ ଭୁବନେଶ୍ୱର ଆସିଲା ବେଳେ ଏଆରପୋର୍ଟରେ ହଠାତ ସମ୍ବିତଙ୍କ ସହିତ ଦେଖା ହୋଇଗଲା । କେବେ ଭାବି ନ ଥିଲି। ତାଙ୍କ ତପୁ ଡାକରେ ମୁଁ ଫେରି ଚାହିଁଲି.. .ପାଟିର ଶବ୍ଦ ବାହାରକୁ ନ ବାହାରି ମୋ ଭିତରେ ରହିଗଲା। ଚାହିଁକି ଖୁସି ହୋଇ ପାରିଲିନି କି ରାଗି ବି ପାରିଲିନି। ଆଶ୍ଚର୍ଯ୍ୟ ହେଲି ତାଙ୍କୁ ଦେଖି..।ଇଏ କଣ ସେହି ସମ୍ବିତ.ଯିଏ ଖୁବ ହସଖୁସିଆ ଚଳ ଚଞ୍ଚଳ ପ୍ରଗଳଭ..,. ସେ ଆଜି ଏମିତି , ରୁଗଣ ଦୁର୍ବଳ ଓ ଶୁଖିଲା ଶୁଖିଲା ଦିଶୁଛନ୍ତି। ଚେହେରାର ଉଦାସୀନତାକୁ ଦେଖି..କିଛି ଭାବି ପାରୁ ନ ଥିଲି। ମୋ ଭାବନା ରେ ବାଧା ପକେଇ ସେ କହିଲେ ଏକା ଆସିଛୁ ରାଜେଶ ବାବୁ ଆସିନାହାନ୍ତି ତୋ ସାଙ୍ଗରେ।


ମୁଁ ନୁହେଁ ମୋ ଭିତରେ ଥିବା ଅଭିମାନ ବାହାରି ପଡ଼ି କହିଲା କାଇଁ ମୁଁ କଣ ଏକା ଯାଇ ଆସି ପାରିବିନି। ତମେ ତ ପୁଣି ଏକା ଆସିଛ?


ସେ ହସିଲେ..ଏକ ଛୋଟ ହସ। କହିଲେ ଆରେ ମୁଁ ତ ସବୁଦିନ ଏକା।


ମୋ ପାଟିରୁ ଅଚାନକ ବାହାରି ପଡ଼ିଲା..ମାନେ!!!


ସେ କହିଲେ ଛାଡ ସେ କଥା ।ଭଲ ହେଲା ତୋ ସହିତ ଜୀବନର ଶେଷ ପାହାଚରେ ଦେଖା ହେଇଗଲା । କିଛି ଭାବିବୁନି ମନରେ ଥିବା ଗୋଟେ କଥା ତୋତେ କହିବି । ଭୂଲ ବୁଝିବୁ ନାହିଁ । ସତ କହିଲୁ ପ୍ରେମର ପରିଭାଷା କଣ କେବେ ବଦଳେ ! ପ୍ରେମ ତ ଶାଶ୍ୱତ, ଚିରନ୍ତନ, ଅମର...।ପ୍ରେମ କେବେ ମରେ ନାହିଁ କି ସରେ ନାହିଁ ।ହୃଦୟର ନିବୁଜ କୋଠରୀରେ ସେ ଦିକ ଦିକ୍ ହୋଇ ଜଳି ବାଟ କଢ଼େଇ ନିଏ ଆଗକୁ ଠିକ୍ ଦୂର ସମୁଦ୍ରର ବତୀଘରଟେ ପରି।। ପ୍ରେମ ମିଳନରେ ଯେତିକି ସୁନ୍ଦର ବିଚ୍ଛେଦରେ ତା ଠାରୁ ଅଧିକ ମଧୁର।। ଭାଗ୍ୟର ବିଡମ୍ବନା ତୋତେ ନିଜର କରି ପାରିଲିନି ହେଲେ ପର କେତେବେଳେ କରିନି। ମୋ ମନ ଭିତରେ ତୁ ଦେବୀ ଟେ ହୋଇ ଆସନ ଜମେଇ ବସିଛୁ। ସଫଳତା ପାଇଁ ପ୍ରେରଣା ଦେଇଛୁ । ତୁ ଯାହା ସ୍ବପ୍ନ ଦେଖେଇ ଥିଲୁ.. ମୁଁ ଅନ୍ଧ ଭାବରେ ଅଣ ନିଶ୍ୱାସୀ ହୋଇ ତାକୁ ପୂରଣ କରିବାକୁ ଚେଷ୍ଟା କରିଚାଲିଛି।


 ସେଦିନ ପରି ମୁଁ ତୋତେ ଆଜି ବି ଠିକ୍ ସେତିକି ଭଲପାଏ....ଶ୍ରଦ୍ଧା କରେ,ସମ୍ମାନ ଦିଏ।ଶେଷ ଅନୁରୋଧ ମୋତେ ଥରେ ବୁଝିବାକୁ ଚେଷ୍ଟା କରିବୁ ଓ କ୍ଷମା କରିଦେବୁ। ମୋ ମନର ଅବ୍ୟକ୍ତ ବେଦନା କୁ ତୋ ନିକଟ ପ୍ରକାଶ କରିଦେଲା ପରେ ମୁଁ ଏବେ ଶାନ୍ତିରେ ଶେଷ ନିଃଶ୍ୱାସ ନେଇ ପାରିବି।


ମୁଁ ସମ୍ବିତଙ୍କ କଥା କିଛି ଵୁଝୁ ଥିଲି ଆଉ କିଛି ବୁଝି ପାରୁ ନ ଥିଲି।ଭାବୁ ଥିଲି ଏତେ ବର୍ଷ ଯାଏଁ ଦେଖା ହୋଇ ନଥିଲା ଠିକ୍ ଥିଲା..ଭଗବାନ ଙ୍କ ର କଣ ଉଦ୍ଦେଶ୍ୟ..ଏମିତି କାହିଁକି ଦେଖା ହେଲା ତଥାପି ତାଙ୍କୁଚାହିଁଲି ଆଖିର ଲୁହକୁ ଆଖିଭିତରେ ଚାପିଦେଇ।


‌ ଆରେ ବୋକୀ ବୁଝି ପାରୁନୁ ନା। ମୋତେ ଲଙ୍ଗସ କ୍ୟାନସର। ଏବେ ଶେଷ ଅବସ୍ଥା। ମୁଁ ଅଳ୍ପ ଦିନର ଅତିଥି। ତୋତେ ଥରେ ଦେଖା କରିବାର ଯେଉଁ ଇଚ୍ଛା ଥିଲା ତାହା ଭଗବାନ ପୂରଣ କରିଦେଲେ। ଆଉ କିଛି ଦୁଃଖ ନାହିଁ। ଯଦି କିଛି ନ ଭାବୁ ମୋତେ ତୋ ନମ୍ୱର ଦେ, ମୁଁ ମଝିରେ କଥା ହେବି। ମୋର ରାଗ ଅଭିମାନ ସବୁ ପାଣି ଫୋଟକା ପରି ମିଳେଇ ଯାଇଥିଲା।ମୁଁ ବିନା ଦ୍ୱିଧା ରେ ସମ୍ବିତ ଙ୍କ ଛାତିରେ ମୁଣ୍ଡ ଗୁଞ୍ଜି ଦେଇ ଜୋର ରେ କାନ୍ଦିଲି।। ସେ ମୋତେ ଉଠେଇ ନେଇ କହିଲେ ଆରେ ତୁ ଛୁଆ ଙ୍କ ପରି କଣ ହେଉଛୁ। ତୁ ମୋତେ ହସି ହସି ବିଦାୟ ଦେବୁ। ତୁ ହସିଲେ ମୋତେ ଶକ୍ତି ମିଳିବ। ତୁ କାନ୍ଦିଲେ ମୁଁ ଦୁର୍ବଳ ହୋଇଯିବି। ତୁ କଣ ମୋତେ ଦୁର୍ବଳ କରିଦେବା ପାଇଁ ଚାହୁଁ। ମୁଁ କିଛି ନ କହି ମୋ ନମ୍ବର ଦେଲି। ମୁଁ ଜାଣି ନ ଥିଲି ସେଦିନ ସେଇଟା ସମ୍ବିତ ଙ୍କ ସହିତ ମୋର ଶେଷ ଦେଖା ଓ ଶେଷ କଥା ହେବ ବୋଲି। ତାର ମାତ୍ର ଦୁଇ ସପ୍ତାହ ପରେ ହସ୍ପିଟାଲ ରୁ ହିଁ ମୋ ନମ୍ୱରକୁ କଲ ଆସିଲା ଯେ ସମ୍ବିତ ଚାଲିଗଲେ। ମୁଁ ଦୃଢ଼ ମନା ହୋଇ ଯାଇ ପାରିଲି ନାହିଁ ତାଙ୍କୁ ଶେଷ ବିଦାୟ ଦେବାକୁ। ମୋର ସେତିକି ଶକ୍ତି ନ ଥିଲା ସେ ମୁହୁର୍ତ୍ତ କୁ ସମ୍ମୁଖୀନ ହେବା ପାଇଁ। ତୁ କହ ମୁଁ ସେଠି ନିଜକୁ କଣ ସମ୍ଭାଳି ପାରି ଥାଆନ୍ତି।



 ତାପସୀ ଆଉ କିଛି କହି ପାରୁ ନ ଥିଲା।ମୋର ଶୁଣିବାକୁ ବି ଧୈର୍ଯ୍ୟ ନ ଥିଲା। ମୁଁ ତାକୁ ନିଜ ବାହୁ ବନ୍ଧନୀ ଭିତରେ ଜୋର ରେ ଭିଡ଼ି ଧରିଲି । ଆମ ଦୁଇ ଜଣଙ୍କ ଆଖିରୁ ଅମାନିଆ ଲୁହ ଗୁଡା ଝରି ପଡୁଥିଲା ଶ୍ରାବଣର ବାରିଧାରା ପରି।।



Rate this content
Log in

Similar oriya story from Romance