STORYMIRROR

Sanuja Meghamala

Tragedy

4  

Sanuja Meghamala

Tragedy

ମା ଓ ମମତା

ମା ଓ ମମତା

7 mins
300



ପାର୍ବଣର ଋତୁ।  ମାଟିରୁ ଆକାଶ , ଫୁଲରୁ ପବନ , ଗାଁରୁ ସହର , ମଠ ମନ୍ଦିର ମଣ୍ଡପ ସର୍ବତ୍ର ଦୁର୍ଗତି ନାଶିନୀ ମା ଦୁର୍ଗା ଙ୍କ ଆଗମନର ଉଲ୍ଲାସରେ ଉତ୍ସବ ମୁଖର। ମଣ୍ଡପରେ ମାଆ ଙ୍କ ମୂର୍ତ୍ତିରେ ଶିଳ୍ପୀ  ତାର କାରିଗରୀର ଶେଷ ସ୍ପର୍ଶ ଦେବାରେ ନିମଗ୍ନ। ଆସନ୍ତା କାଲି ଠାରୁ ମୂର୍ଣ୍ମୟୀ ମୂର୍ତ୍ତି ଙ୍କର ଜୀବନ୍ୟାସ କରାଯାଇରୀତି ନୀତି ଅନୁଯାୟୀ ପୂଜାର ଶୁଭାରମ୍ଭ ହେବ।ବର୍ଷ ତମାମ ଅପେକ୍ଷାର ଅନ୍ତ ଘଟିବ। ମା ଆସି ସବୁ ଦୁଃଖ ଦୈନ୍ୟ ନିରାଶାରୁ ମୁକ୍ତି ଦେଇ  ଆର୍ତ୍ତ ମଣିଷର ମନରେ ସୁଖ ଶାନ୍ତି ପ୍ରେମ ଭକ୍ତି ବିଶ୍ୱାସ ଭରିଦେବେ। ଏ ଅମୃତମୟ ସୁନ୍ଦର ବେଳାରେ ଚାମେଲି ମନରେ କିନ୍ତୁ ସରାଗ ନାହିଁ। ତା ଅନ୍ତର ଦୁଃଖରେ ଫାଟି ପଡୁଛି।  ଚାମେଲି ନିଜକୁ ବୁଝେଇ ପାରୁନି ।ତା ମନରେ  ଅନେକ ପ୍ରଶ୍ନ ?? ତା ମା  ମନ ଆକାଶକୁ ସନ୍ତାନ ବିଚ୍ଛେଦର କଳାବାଦଲ ଘୋଡେଇରଖିଛି। ସେ ମା ଦୁର୍ଗା ଙ୍କୁ ଆକୁଳ ଅନ୍ତରରେ ବିନତି କରୁଛି ମାଆ ମୋ ଦୋଷକୁ କ୍ଷମା କରି ଦିଅ। ତୁମେ ତ ଜନନୀ ।ଜଗତ ମାତା। ।ତୁମକୁ ସବୁ ଜଣା । କିଛି ଅଛପା ନାହିଁ। କାହିଁକି ମୋତେ ଏମିତି ଧର୍ମ ସଂକଟରେ ପକେଇ ଦେଲ ମା। ମୁଁ ଭୁଲ ଠିକ ଭଲ ମନ୍ଦର ଦୋଛକିରେ ଛିଡା ହୋଇ  ଆଗକୁ ବଢି ପାରୁନି କି ପଛ କୁ ଫେରି ପାରୁନି।ତୁମ ଛଡା ଆଉ କିଏ ବୁଝିବ ମୋ ମନର ଦରଦ। ମୋ ଦୁଃଖ ।


ବର୍ଷକ ପରେ ଆଜି ଗାଁ କୁ ଫେରୁଥିବା ଚାମେଲି ଅନ୍ୟମନସ୍କ ହୋଇ ହଜି ଯାଉଛି ନିଜ ଅତୀତର ସ୍ମୃତିରେ । ଗାଁରୁ ଯିବା ବେଳର ଖୁସି , ଆଗ୍ରହ, ଉତ୍କଣ୍ଠା ତା ମନରେ ଏବେ ଏ ଫେରିବା ବେଳେ ଆଉ ନାହିଁ। ମନଟା ମଉଳି ଯାଇଛି।  ହଜେଇ ଦେବାର ଦୁଃଖ ତାକୁ ମାଡି ଵସିଛି।ଶ୍ରାବଣ ଆକାଶର ମେଘ ପରି ତା ଆଖିରୁ ଲୁହ ଗୁଡା ଠପ ଠାପ ଝରି ପଡୁଛନ୍ତି। ଲୁହର ବନ୍ୟାରେ ଭାସୁଛି ତାର ସ୍ମୃତି। କାହାକୁ ଆଉ ନିଜ ମନର କଥା କହିବ ।ସବୁ ଦୁଃଖ କୁ ସେ ମନେ ମନେ ମା ଦୁର୍ଗା ଙ୍କୁ ଜଣାଇଲା। ସେ ମା ହିଁ ବୁଝିପାରନ୍ତି ସବୁ ମନର ବେଦନା ।ନିଜ ଭୁଲ ଠିକ କୁ ବିବେକର ତରାଜୁରେ ମାପି ମା ଙ୍କ ନିକଟରେ ନିର୍ଭୟରେ ପ୍ରକାଶ  କରୁଛି ଚାମେଲି ।


ପରିବାରର ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ ମୁଁ ମୋ ସ୍ୱାମୀଙ୍କ କଥାରେ ଏକମତ ହୋଇ ନିଜର ଗର୍ଭ କୁ ଭଡା ଦେବାକୁରାଜି ହୋଇଥିଲି।ସନ୍ତାନ ସୁଖରୁ ବଂଚିତା ଗୋଟେ ପରିବାର କୁ ସନ୍ତାନର ସୁଖ ମିଳିବ ଏବଂ ତା ବଦଳରେ ଅର୍ଥ ରୋଜଗାର କରି ମୋ ପରିବାର ମୁଁହରେ ଟିକେ ହସ ଦେଖିବି ବୋଲି ଏ ପଦକ୍ଷେପ ନେଲି। ନାମ ନ ଥିବା ଗୋଟେ ବନ୍ଧନରେ ବାନ୍ଧି ହୋଇଗଲି।  ଏବେ ଜନ୍ମ ଦେଇ ଛାଡି ଆସିଥିବା ସେ ସନ୍ତାନ କୁ ମୁଁ ଭୁଲିବି କିପରି? ବିଶ୍ୱାସ ହେଉନି ଯେ ନିଜ ଗର୍ଭରୁ ଜନ୍ମ  ଦେଇଥିବା ସେ ଶିଶୁ ଟିକୁ ଆଉ କେବେ ଭେଟି ପାରିବିନି ବୋଲି ।ତା ଠିକଣା ମୋ ପାଇଁ ସବୁଦିନ ଅଜଣା ହୋଇରହିଗଲା। । ଭାବି ପାରି ନ ଥିଲି  ଅନ୍ୟର ସନ୍ତାନକୁ ନଅ ମାସ ଗର୍ଭରେ ଧାରଣ କରିବା ଭିତରେ ତା ପ୍ରତି ମୋର  ଏତେ ମୋହ ଆସିଯିବ ବୋଲି। ସବୁ କଷ୍ଟ ଯନ୍ତ୍ରଣା କୁ ଆଖିବୁଜି ସହିଛି।ମାତୃତ୍ବର ମୋହ ଓ ଦୁର୍ବଳତା କୁ ଅଣଦେଖା କରି କିପରି ବଂଚିବି ! ଆଖିରୁ ଝରିପଡୁଥିଲା ଧାର ଧାର ଲୁହ। ସ୍ୱାମୀ କୁ ଲୁଚେଇବା କୁ ଯାଇ  ଶାଢ଼ୀ କାନିରେ ମୁଁହ ପୋଛିଲା ଚାମେଲି।


 ରାସ୍ତାର ଦୁଇ ପଟରେ ଧାଡି ବାନ୍ଧି ଠିଆ ହୋଇଥିବା ଗଛ ଗୁଡାକ ତାକୁ ଦେଖି  ଖତେଇ ହୋଇ ଦଉଡି ପଳାଉଛନ୍ତି।ତା ଉଦାସିଆ ନିରବତାକୁ  ଭାଙ୍ଗିବା ପାଇଁ ପବନଜିତ କହିଲା ଦେଖିଲୁ ଚାମେଲି ଏରାସ୍ତାରେ କେତେ ନୂଆ ଦୋକାନ ବଜାର ବଡ ବଡ ମଲ ହେଇ ଗଲାଣି । ବାଟ ଚିନ୍ହି ପାରୁଛୁ ! , ମୁଁ ନ ଆସିଥିଲେ ତୁ ଏକା ଆସି ଗାଁରେ ପହଂଚି ନ ପାରି କୁଆଡେ ହଜି ଯାଇ ଥାଆନ୍ତୁ ଲୋ । ନିରୁତ୍ତରରହିଲା ଚାମେଲି ,ମନେ ମନେ ଭାବିଲା ଆଗରୁ ଏମିତି  ଆଉ କେତେ ଥର ଗାଁରୁ ସହରକୁ  ଯାଇ ଥିଲା ଯେ ସେ।  ଏଇ ବର୍ଷକ ତଳେ ଯାହା ଦି ଥର ଯାଇଛି। ତା ପୁଣି ସେଇ ଦଲାଲ ଜରିଆରେ । ସେହି ଦମ୍ପତିଙ୍କ ଭୃଣକୁ ନିଜ ଗର୍ଭାଶୟରେ ସ୍ଥାନ ଦେବା ପୂର୍ବରୁ ଆବଶକୀୟ ଡାକ୍ତରୀ ପରୀକ୍ଷା କରିବା ପାଇଁ ଥରେ ସେ ସହରକୁ ଯାଇଥିଲା। ପରୀକ୍ଷଣରେ ସଫଳ ହେଲା ପରେ ଦ୍ୱିତୀୟ ଥର  ଆଇନି ଅନୁଯାୟୀ କିଛି କାଗଜ ପତ୍ର କରିବାକୁ ଓକିଲ ଙ୍କ ପାଖ କୁ ଯାଇଥିଲା । କୋର୍ଟରେ କାଗଜ କାମ ସାରି ସେ  ଦଲାଲ ସହିତ ଯାଇଥିଲା ଯେ ଏବେ ସନ୍ତାନ ପ୍ରସବ କରି ସେ ଦମ୍ପତି ଙ୍କୁ  ତାଙ୍କ ସନ୍ତାନ କୁ ହସ୍ତାନ୍ତର କରି ଭଙ୍ଗା ହୃଦୟରେ ଫେରି ଆସୁଛି। 


ଶରୀରର କ୍ଷତ ଠାରୁ ମନର କ୍ଷତ ତାକୁ ଦୁର୍ବଳ କରିଦେଇଛି। ଶରୀରର କ୍ଷତ ଭରିଯିବ କିନ୍ତୁ ମନର କ୍ଷତ... ଭୁଲିବା ଅସମ୍ଭବ...ଆଖିରେ ଛୁଆଟିର ମୁଁହ ରହିରହି ନାଚି ଯାଉଛି। ଛୁଆ ଟିକୁ ତାର  ବାପା ଓ ମା ନେଲାବେଳେ ସେ ବଡ ବିକଳ ହୋଇ କହିଥିଲା  ତାକୁ ଟିକେ ମୋ ହାତରେ ଦିଅନ୍ତୁ ଶେଷ ଥର ପାଇଁ ମନ ଭରି ଆଖି ପୁରେଇ ଦେଖିବି।  ଶିଶୁଟି ତା କୋଳରୁ ବିଦାୟ ନେଲା ବେଳେ ତାର କାନ୍ଦ କୁ ସହି ନ ପାରି ଲୁହ ଛଳଛଳ ଆଖିକୁ ବନ୍ଦ କରି ମୁଂହ ବୁଲେଇ ଶୋଇବା ଅଭିନୟ କଲା ଚାମେଲି। ଏ ଦୁଃଖକୁ ଭୁଲିବା ଯେ ଅସମ୍ଭବ। ଏବେ ସେ ଚାହିଁ ମଧ୍ୟ ନିଜ ମନର ଦୁଃଖକୁ କାହା ନିକଟରେ ପ୍ରକାଶ କରିପାରିବନି।ସହଜ ନୁହେଁ।  ସାଇ ଭାଇ, ପଡ଼ିଶା ସମସ୍ତେ ଜାଣନ୍ତି  ସହରରେ ଜଣେ କୋଟିପତି ବାବୁଙ୍କ ଘରେ ଆୟା ହୋଇ ପିଲାଙ୍କ ଯତ୍ନ ନେବାକୁ ସେ ସହରକୁ ଯାଇଛି। ଭଡା ଟିଆ ମା ହେବା କଥା ଟାକୁ କେହି କଣ ସହଜରେ ଗ୍ରହଣ କରି ପାରିବ !! 


 ରାସ୍ତାରେ ଗାଡି ଟା ଯେତେ ଆଗକୁ ମାଡି ଯାଉଥିଲା ଚାମେଲି ସେତିକି ଅତୀତ କୁ ଫେରି ଫେରି ଯାଉଥିଲା। ଗାଁରୁ ଯାଇ ସହରରେରହିଲା ପରେ ପ୍ରଥମେ ପ୍ରଥମେ ତାକୁ ବଡ ଅଡୁଆ ଲାଗୁଥିଲା।  ସେ ଗାଉଁଲି ମଣିଷ ।ସହରର ନୂଆ ପରିବେଶ ନୂଆ  ଅନୁଭୂତି ତାକୁ ସହଜ ଲାଗୁ ନ ଥିଲା । 


 ଗର୍ଭ କୁ ଏମିତି ଭଡାରେ ଦିଅ ଯାଇ ପାରେ ! ତାର ଜମା ଧାରଣା ନ ଥିଲା। ପବନଜିତ ବୁଝାଇ ଥିଲା ଯେ ଏହା ଦ୍ୱାରା  ସତୀତ୍ୱ ନଷ୍ଟ ହୁଏ ନାହିଁ । କୌଣସି ପୁରୁଷ  ସହିତ ସମ୍ପର୍କ ନରଖି ସେ  ମା ହେବ। ଭଡାଟିଆ ମା। ସ୍ୱାମୀ କଥାରେ ବାଧ୍ୟ ହୋଇ ରାଜି ହେଲା ଚାମେଲି।


 ତାର ଏତିକି ତ୍ୟାଗ ବଳରେ ଯଦି ଗୋଟେ ଦମ୍ପତି ଙ୍କ ଜୀବନରେ କିଛି ଆନନ୍ଦର ମୁହୂର୍ତ୍ତ ଆସିବ ତାହେଲେ ସେ କାହିଁକି ଅରାଜି ହେବ।ପୁଣି ପ୍ରତିବଦଳରେ ସେ ଦେଖି ନଥିବା , ଶୁଣି ନ ଥିବା ଲକ୍ଷ ଲକ୍ଷ  ଟଙ୍କା ପାଇବ। ତା ବାବୁ କୁ ଭଲ ସ୍କୁଲରେ ପଢେଇବ। ମନ ପସନ୍ଦର ଜିନିଷ ଖାଇବାକୁ ଦେବ। ବାବୁ ଖଣ୍ଡେ ଭଲ କପଡା ପିନ୍ଧିବ। ତାଙ୍କ ପରି ଏମିତି ଜେନ ତେନ ପ୍ରକାର ଜୀବନ ଠୁ ଟିକେ ଭଲ ଜୀବନ ଟେ ଦେବ ସେ ତା ପୁଅକୁ।


 ଟଙ୍କାର ମୋହରେ ଯିବାପାଇଁ  ସେ ନିଜ ସମ୍ମତି ପ୍ରକାଶ କରିଥିଲା।ଗର୍ଭରେ ଭୃଣ କୁରୋପଣ କରିବା ପୂର୍ବରୁ ଏବଂ ଗର୍ଭଧାରଣ ପରେ ତାର ଖାଦ୍ୟ ପେୟ, ଚିକତ୍ସାର ସମ୍ପୂର୍ଣ ଯତ୍ନ ନିଆ ଯାଉଥିଲା। ଚାମେଲି ପାଇଁ ବ୍ୟକ୍ତିଗତ ଡାକ୍ତର, ନର୍ସ ଓ ପରିଚାରିକା ନିଯୁକ୍ତ ହୋଇଥିଲେ ।.ତା ପାଟିରୁ କଥା ପଦେ ବାହାରିଲେ ସାଙ୍ଗେ ସାଙ୍ଗେ କାମ  ହେଉଥିଲା। ଅଭିନେତ୍ରୀ ମାନଙ୍କ ପରି କେତେରଙ୍ଗ ବେରଙ୍ଗ ପୋଷାକ ପିନ୍ଧୁଥିଲା ସେ । ଏମିତି ସୁସ୍ୱାଦୁରୁଚି ପୂର୍ଣ, ସ୍ୱାସ୍ଥ୍ୟ କର ବ୍ୟଞ୍ଜନ କେବେ ଖାଇ ନ ଥିଲା।ପ୍ରଥମେ ପ୍ରଥମେ ସେ ଖାଦ୍ୟ  ତାକୁରୁଚୁ ନ ଥିଲା। ଗାଁରେ ତାର ନିତି ଦିନର ଖାଦ୍ୟ ଥିଲା ଭାତ, ମୁଗ କି କୋଲଥ ଡାଲି ସଜନା ଶାଗ,  ଆମ୍ବୁଲ, କଞ୍ଚା ପିଆଜ ବାରସୁଣ କଂଚାଲଙ୍କା। କେବେ କେଜାଣି ଦିନେ ଅଧେ ମାଛ ମାଂସ ବା ପନି ପରିବା ପାଟିରେ ବାଜୁଥିଲା।, ସେଇଥିରେ ସେ ସନ୍ତୁଷ୍ଟ ଥିଲା। ଇଚ୍ଛା ଥାଉ କି ନ ଥାଉରୁଚୁ କି ନରୁଚୁ ଏବେ ସେ ନାଁ ଜାଣି ନ ଥିବା ନାନାରକମର ବିଲାତି ଖାଦ୍ୟ ଖାଉଥିଲା,।ଆରାମରେ ଶୋଇ ବସି ସୁମଧୁର ଗୀତ ଶୁଣୁଥିଲା ପୁଣି ସମୟ କାଟିବା ପାଇଁ  ସେ ଗୀତ ସବୁକୁ ଗୁଣୁ ଗୁଣୁ ହୋଇ ଗାଉଥିଲା। ତା କକ୍ଷ ଟି ସୁମଧୁର ଫୁଲ ଏବଂ ଅତରର ବାସ୍ନାରେ ମହକି ଉଠୁଥିଲା। କେମିତି ଗୋଟେ ଶାନ୍ତ, ସ୍ନିଗ୍ଧ ମଧୁର ପରିବେଶ। ସେ ଭିଜୁଥିଲା ସ୍ୱପ୍ନର କାକରରେ ।,&

nbsp;ଡେଣା ମେଲି ଉଡି ବୁଲୁଥିଲା ଜହ୍ନରାଇଜରେ।  


ସେ ବଂଚି ଆସିଥିବା ଜୀବନ ବା' ଦେ ଏମିତି  ଆଉ ଗୋଟେ ଜୀବନ ଅଛି ବୋଲି ଚାମେଲି କଳ୍ପନା କରି ପାରୁ ନ ଥିଲା। ମନକୁ ମନ ପ୍ରଶ୍ନ କରୁଥିଲା । ସଂସାରରେ ଏ ଧନୀ ଗରିବ ଶ୍ରେଣୀ ଭେଦ କାହିଁକି?ଜଣେ ଏତେ ସୁଖ ସୁବିଧା ଭିତରେ ଜୀବନ ଅତିବାହିତ କଲା ବେଳେ ଆଉ ଜଣେ ଦୈନ୍ୟତା ଅଭାବ ବୋଧ ଭିତରେ ସଂଘର୍ଷ କରି ବଞ୍ଚେ  କଣ ପାଇଁ ? ଯେମିତି ସେ ବଞ୍ଚିଛି। !! ତା ଅଭାବୀ ସଂସାର କୁ ଟିକେ ସ୍ଵଛଳ କରିବା ପାଇଁ ତା ଗର୍ଭ କୁ ଭଡାରେ ଦେଇ ନିଜ ପୁଅ ସ୍ୱାମୀ ଙ୍କ ଠାରୁ ଦୂରରେ ଅଛି। ସେମାନଙ୍କ ଠାରୁ ଏମିତି ଦୂରରେ ରହିବା ତାକୁ ଆଘାତ ଦିଏ।।ଅନେକ ସମୟରେ ଖାଦ୍ୟ ପାଟିରେ ପୁରେଇଲା ବେଳେ ତାର ଛାଡି ଆସିଥିବା ପୁଅ ବାବୁର କଥା ମନେ ପଡ଼ିଯାଏ। ମୁଁ ଏଠି ଏତେ ସୁସ୍ୱାଦୁ ଖାଦ୍ୟ  ଖାଇଲା ବେଳେ ମୋ ବାବୁ(ପୁଅ) କଣ ଖାଉଥିବ କେଜାଣି। ଆଖିରେ ଲୁହ ଆସିଯାଏ। ଦିହ ବୁଲେଇ ପକାଏ ସେ ଖାଦ୍ୟ ତା ତଂଟିରେ ଗଳେନା। ପୁଣି ନିଜକୁ ସମ୍ଭାଳି ନିଏ। 


ଯେତେବେଳେ ପବନଜିତ ପଇସା ପାଇ ଫୋନ କରେ ବାବୁ ପାଇଁ ଡ୍ରେସ ଖେଳଣା ,  କି ସାଇକଲ ଟେ କିଣି ଦେଇଛି, ବାବୁ ଭଲ ସ୍କୁଲରେ ପଢିବ ତା ନା ଲେଖାହେଲାଣି। ପବନଜିତ ଗାଡି ଟେ ,(କାର)କିଣି ଭଡା ଦେଇ ଦି ପଇସାରୋଜଗାର କରୁଛି । ଏମିତି କିଛି ଭଲ ଖବର  ଯେଉଁ ଦିନ ପାଏ ସେ ଦିନ ତା ମନ ବହୁତ ଖୁସି ହୁଏ।  ମନ କୁ ବୁଝେଇଦିଏ ଏ ଅଜ୍ଞାତ ବାସ ତାର ସରିଯିବ । ଗୋଟେ ବର୍ଷ ଚାହୁଁ ଚାହୁଁ ଶେଷ ହୋଇ ଯିବ।   ଛୁଆକୁ ଜନ୍ମଦେଇ ତା ପ୍ରାପ୍ୟ ନେଇ ସେ ଉଡିଯିବ ପକ୍ଷୀ ଟିଏ ପରି ନିଜ ଗାଆଁକୁ ସବୁଦିନ ପାଇଁ ।


 କ୍ରମଶଃ ଗର୍ଭରେ ଶିଶୁ ଟିର ଆକାର ବୃଦ୍ଧି ପାଇବା ସହିତ ମାତୃ ଗର୍ଭର ଆକାର ମଧ୍ୟ ବୃଦ୍ଧି ପାଇଲା। ସେ ଅନୁଭବ ତାକୁ ସୁଖ ଦେଲା।  ପୂର୍ବରୁ ବାବୁ ଜନ୍ମର ସମସ୍ତ ଅନୁଭୂତି ତାଜା ହୋଇ ପୁଣି ଥରେ ଚେଇଁ ଉଠିଲା। ମାତୃତ୍ବର ଅନୁଭବ ଅନୁଭୂତି ସ୍ବତନ୍ତ୍ର। ପିଲା ଟା ଯେତେବେଳେ ତା ପେଟ ଭିତରେ ଭିଡି ମୋଡି ହେଲା ଉପର ତଳ ହୋଇ ଖେଳିଲା ତା ଆନନ୍ଦର ସୀମାରହିଲା ନାହିଁ। ଏବେ ସେ ସବୁ ଭୁଲିଗଲା। ପେଟରେ ହାତ ବୁଲାଇ ଛୁଆ ସହିତ କଥା ହେଲା। ମମତାର ବନ୍ଧନରେ ବାନ୍ଧି ହୋଇଗଲା। ଭୁଲି ଗଲା ଯେ ଏ ଶିଶୁ ଟି ଯେତେଦିନ ପର୍ଯ୍ୟନ୍ତ ତା ଗର୍ଭରେ ଅଛି ସେତେଦିନ ଯାଏଁ ତା ଉପରେ ତାର ଅଧିକାର। ଥରେ ଗର୍ଭରୁ ବାହାରି ନୂଆ ଦୁନିଆର ନୂତନ ଆଲୋକ ଦେଖିବା ମାତ୍ରେ  ତାର ସମସ୍ତ ଅଧିକାର ଶେଷ ହୋଇଯିବ ।


 ଗାଡିଟି ଜୋରରେ ବ୍ରେକ ଦେଇ ଅଟକି ଗଲା। ଚାମେଲି ଭାବନାରାଇଜରୁ ଫେରି ପ୍ରକୃତିସ୍ଥ ହେଲା । ଲମ୍ବା ରାସ୍ତା ଶେଷ ହୋଇ  ଏବେ ସେ ଗାଁରେ ପହଂଚି ଗଲାଣି। ଗାଡିରୁ   ଓଲହେଇ ଆଶ୍ଚର୍ଯ୍ୟ ହୋଇଗଲା ।ପଡା ଟା ଯାକର ସ୍ତ୍ରୀ ପୁରୁଷ ଓ ଛୋଟରୁ ବଡ଼ ପର୍ଯ୍ୟନ୍ତ ପିଲା ସବୁରୁଣ୍ଡ ହେଇଛନ୍ତି ତାକୁ ଦେଖିବା ପାଇଁ। ସତରେ ଏମାନେ ସମସ୍ତେ କେତେ ଭଲ ପାଆନ୍ତି ତାକୁ। ତାଂକରି ମାନଙ୍କ ଭରସାରେ ତ ସେ ପୁଅ ବାବୁ କୁ ଛାଡ଼ି ଯାଇଥିଲା।


  ଫୁଲ ମାଉସୀ, ଚପଳା ମାଉସୀ ବିନୁ ବଡ଼ ମା, ମଧୁ, ସୋନା କଜରୀ  ପାଖକୁ ଆସି ତାକୁ ଭିଡି ଧରିଲେ,। କଜରୀ ଭିଡି ଧରି କହିଲା ତୋତେ ଜାଣି ହେଉନି ଲୋ , ଏ ଦାମୀ ବେଶ ପୋଷାକ, ମଲି ଫୁଲ ପରି  ତୋଫା ଚିକଣ ଚେହେରା  ରେ ତୁରାଣୀ ପରି ଦିଶୁଛୁ। ବିନୁ ବଡ଼ ମା ଆଖିରୁ କଳା ଟିକେ ତା ଗାଲରେ ଲଗେଇ ଦେଇ କହିଲେ କାହାର ନଜର ନ ଲାଗୁ। ସମସ୍ତ ଙ୍କୁ ଜୁହାର କରି , ସେ ଘର ଭିତରକୁ ପଶିଲା। ଆଖି ଖୋଜିଲା ବାବୁ କୁ। ଏତେ ଭିଡ଼ ଭିତରେ ବାବୁ କୁ ସେ ପାଉନି।


 କୁଆଡେ ଗଲା ତା ବାବୁ ।ଡାକ ଦେଲା ବାବୁକୁ। ଇଏ କଣ !ବାବୁ ବାରଣ୍ଡାରେ ମୁଁହ ତଳକୁ କରି ବସିଛି..ଉଁ ନାହିଁ କି ଚୁଁ ନାହିଁ। କିଏ ଆସିଲା ଗଲା ସେଥି ପ୍ରତି ଯେମିତି ନିଘା ନାହିଁ ତାର। ଅଭିମାନ ଦୁଃଖ  ନା  ରାଗ ରେ ସେ ଏତେ ନିରବ ! ବୁଝିପାରିଲା ନାହିଁ ଚାମେଲି।


ପେଟର ସବୁ ଯନ୍ତ୍ରଣା ଭୁଲି  ଦଉଡି ଗଲା ପୁଅ ପାଖକୁ । ସେଠାରୁ ଖଣ୍ଡେ ଦୂର କୁ ଉଠି ଚାଲିଗଲା ପୁଅ ବାବୁ । ଯେମିତି ସେ ଚାମେଲି କୁ ନୂଆ ହୋଇ ଭେଟୁଛି । ଚାମେଲି ପ୍ରତି ତାର ବିଶେଷ ଆଗ୍ରହ ନାହିଁ। ତଥାପି ଚାମେଲି ତାକୁ କୋଳ କୁ ଭିଡି ଆଣିଲା ଆରେ ଧନ ମୋର କହି ।

ବାବୁ ରାଗରେ ତା ହାତ ଟା ଛିଞ୍ଚାଡି ଦେଇ କହିଲା ଥାଉ ସେ ଆଦର ମୋର ଆଉ ଦରକାର ନାହିଁ।  

 ଚାମେଲି ବାବୁ ମୁଣ୍ଡକୁ ଆଉଁଷି ଦେଇ କହିଲା କାହିଁକିରେ ଧନ  ଏତେ ଅଭିମାନ କରିଛୁ। ମା ଉପରେ କେହି କଣ ଏତେରାଗି ପାରେ।


ବାବୁ କହିଲା ସେତିକି ଥାଉ । ମା ନା ଆଉ କିଛି। । ମୁଁ ଏକା ଏକା ତୁମ ବିନା ରହିବା ଶିଖି ଗଲିଣି।ତୁମେ ଛାଡ଼ିଗଲା ବେଳେ ମୁଁ ଖୁବ ଡରୁଥିଲି ।ସେତେବେଳେ ଥରେ ଭାବିଲ ନାହିଁ ଯେ ତୁମ ବିନା ମୁଁ କେମିତି ଏକା ରହି ପାରିବି ବୋଲି । ଯେତେବେଳେ ବର୍ଷା ଅନ୍ଧାରରାତିରେ ଭୂତ ପ୍ରେତ ଙ୍କ ଡରରେ ମୋ ଆଖିକୁ ନିଦ ଆସୁ ନଥିଲା ସେତେବେଳେ ଭୟରେ ମୋ ହାତ ତୁମ ପଣତ ଆଉ ଶରୀର ତୁମ କୋଳ ଖୋଜୁଥିଲା  କିନ୍ତୁ ପାଖରେ ତୁମେ ନ ଥିଲ। ଯେବେ ମୋତେ ଜର ହେଇ ମୁଁ ବିଳି ବିଳେଇ ହୋଇ ମାଆ  ମାଆ ବୋଲି ଚିତ୍କାର କରି ଖୋଜୁଥିଲି ସେତେବେଳେ ତମ କୁ ପାଉ ନ ଥିଲି ।  ତମ କୁ ଖୋଜୁ ଖୋଜୁ ତୁମ ବିନା ମୁଁ  ରହିବା ଶିଖିଗଲି।


ଚାମେଲି ଆଉ ଚୁପରହି ପାରିଲା ନାହିଁ । କାନ୍ଦ କାନ୍ଦ ହୋଇ କହିଲା ମୋର ଦୋଷ କଣରେ ଧନ। ମୁଁ ଯାହା କରିଛି ତୋ ଖୁସି ଆମ ପରିବାରର ଖୁସି ପାଇଁ କରିଛି। ଏବେ ସତ କହୁଛି କଥା ଦେଉଛି ଆଉ ତୋତେ ଛାଡ଼ି ମୁଁ ଜମା ଯିବିନି।  ଭାବେନି ଯେ ତୋତେ ଛାଡି ମୁଁ ଖୁସିରେ ଥିଲି।ତୋ ବିନା ସେଠି ପ୍ରତି ମୁହୂର୍ତ୍ତ ମୋ ପାଇଁ ଯୁଗ ଟିଏ ପରି ଥିଲା । ତୋ ବିନା ତୋ ମା ଯେ ଖାଲିରକ୍ତ ମାଂସର ଶରୀର ଟେ ସେ କଥା ତୁ ବୁଝି ପାରିବୁ ନାହିଁରେ ଧନ।


 ବାବୁ ବୁଝୁଥିଲା କି ନାହିଁ କେଜାଣି କିନ୍ତୁ ନିରବ ଥିଲା। ପବନଜିତ ଚାମେଲିର ଆଖିରୁ ଲୁହ ପୋଛି ଦେଇ ହାତ ଧରି ଉଠେଇ ନେଇ କହିଲା ଥାଉ..ତାକୁ ଏବେ କିଛି କହ ନି । ତୁ ଲୁଗା ପଟା ବଦଳେଇ ଦେଇ , ଦି ଟା ଖାଇ ଟିକେ ବିଶ୍ରାମ କର .. ।ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ। ପିଲା ଟା କେତେ ସମୟ ଅଭିମାନ କରିବ ଯେ।ବଳେ ବୁଝିଯିବ ।


 ଚାମେଲିର ମାଆ ମନ ଖାଲି ଘାଣ୍ଟି ହେଉଥିଲା।ତା  ମାତୃତ୍ବ ବିଳପି ଉଠିଲା। ବଡ଼ ଦୁର୍ବଳ  ଲାଗୁଥିଲା  ଚାମେଲି କୁ।।ତାର ଦୁର୍ବଳ ମନ ଓ ଦେହ କୁ ବିଛଣାରେ ଲୋଟେଇ ଦେଲା ବେଳେ ପୁଣି ସେ ନବଜାତକର  କୁଆଁ କୁଆଁ କାନ୍ଦ ତା କାନରେ  ପ୍ରତିଧ୍ୱନି ସୃଷ୍ଟି  କଲା। ସେ ଅସ୍ଥିର ହୋଇ ଉଠିଲା। ସେ ବାବୁ ପାଖକୁ ସିନା ଫେରି ଆସିଲା କିନ୍ତୁ ଜନ୍ମ ଦେଲା ପରେ ଛାଡି ଆସିଥିବା ଛୁଆଟି ନିକଟ କୁ ଆଉ କେବେ ଫେରିଯାଇ ପାରିବନି ।ତାକୁ ଜୀବନରେ ଦ୍ୱିତୀୟ ଥର ଭେଟିବାର ସମ୍ଭାବନ ନାହିଁ। ମନକୁ ମନ କହୁଥିଲା  ତୁ ମୋ ବିଷୟରେ ସିନା କିଛି ଜାଣିବୁନି କିନ୍ତୁ ମୁଁ ମରିବା  ପର୍ଯ୍ୟନ୍ତ  କଣ ତୋତେ ଭୁଲି ପାରିବି? ତୁ ସବୁବେଳେ ମୋ ଛାତି ଭିତରେ ମୋର ସନ୍ତାନ ହୋଇ ଖେଳି ବୁଲିବୁ ।।ବାବୁ ସ୍ପର୍ଶରେ ପ୍ରକୃତିସ୍ଥ ହେଲା ଚାମେଲି  ବାବୁ ଆସି ତା କୋଳ ଭିତରେ ଜାକି ଜୁକି ହୋଇ ଶୋଇଲାଣି । ସେ ତର ତର ହୋଇ ଉଠିବାକୁ ଚେଷ୍ଟା କଲା ମୁଣ୍ଡ ବୁଲେଇ ଦେଉଥିଲା ।ଉଠି ପାରିଲାନି। ବାବୁ ତାକୁ କହିଲା ଥାଉ ତୁମେ ଶୋଇରୁହ ମୁଁ ଏମିତି ତୁମ କୋଳରେ ଶୋଇରହିବି। 


ପୁଅ କୁ ଛାତି ଉପରକୁ ଭିଡି ନେଇ ସେ ଵୋକ ପରେ ଵୋକ ଦେଇ  ଚାଲିଲା। ଗୋଟେ ବର୍ଷ ଗୋଟେ ଯୁଗ । ଛାତିରେ ପଥର ଲଦି କଟେଇଛି ସିଏ। କିଏ ବୁଝିବ ତା ମା ମନକୁ।କେଜାଣି ବୁଝିଲେ ବୁଝିବେ ମା ଜଗଦମ୍ବା ନହେଲେ ବୁଝିପାରିବ ଏ ଧରିତ୍ରୀ। ଯିଏ ନିଜର କୋଟି କୋଟି ସନ୍ତାନ  କୁ ଛାତିରେ ସାଇତିରଖିଛି। କେତେ ଝଡ ଝଞ୍ଜା, ଖରା ବର୍ଷା ଶୀତ କୁ ସହି।


  ମାଆର ମନ ସିନ୍ଦୁକରେ  ସାଇତା ହୋଇରହିଥିବା ତା ସନ୍ତାନମାନଙ୍କର ହସ କାନ୍ଦ ସୁଖ ଦୁଃଖ ଖେଳ କୌତୁକର ସ୍ମୃତି ସୁନାରୁପା ହୀରା ମୋତି ମାଣିକ ଠାରୁ ଯେ ଅଧିକ ମୂଲ୍ୟବାନ ଏ କଥା ଜଣେ ମାଆ ହିଁ ଅନୁଭବ କରିପାରେ।


Rate this content
Log in

Similar oriya story from Tragedy