Sanuja Meghamala

Others

3  

Sanuja Meghamala

Others

ରାଣୀ

ରାଣୀ

4 mins
199


  

ଆଜି କିନ୍ତୁ କାହିଁକି କେଜାଣି ବୋଉ କଥା ବହୁତ ମନେ ପଡ଼ୁଥିଲା ରଚିତାର।ଅମାନିଆ ଲୁହ ଗୁଡା ବୋଲ ମାନୁନଥିଲେ। ନିଗିଡ଼ି ପଡୁଥିଲେ ମେଘ ଆକାଶରୁ ଝରି ପଡ଼ିଲା ପରି ଟପ୍ ଟପ୍ ହୋଇ ।ବୋଉର ସ୍ମୃତି ବାଦଲ ପରି ଭାସୁଥିଲା ମନ ଆକାଶରେ। ଆଉ କାନରେ ରହି ରହି ପ୍ରତିଧ୍ଵନି କରୁଥିଲା ଶବ୍ଦଟେ ବୋଉ ଲୋ ସତରେ ତୁ ଭାରି ମିଛେଇ.।

କେତେବେଳ ଠାରୁ ତା ପାଖରେ ବସି ଖାଉଥିବା ଝିଅ ରୁହି ଉଠି ଯାଇ ସାରିଲାଣି। ତାକୁ ଜଣା ନାହିଁ ।ସେ ସେମିତି ଅନ୍ୟମନସ୍କ ହୋଇ ବସିଛି ...,। ଆଖିରେ ଭାସି ଯାଉଛି ବୋଉର ହସ ହସ ମୁହଁ।

 ଏଇ ଦ୍ୱିପହର ଖାଇବା ବେଳେ ରଚିତା ମାଛ ତରକାରୀକୁ ସମସ୍ତଙ୍କୁ ବାଢ଼ି ଦେଇ ସାରିଲା ପରେ ଶେଷରେ ନିଜେ ଖାଇବା ପାଇଁ ଲାଞ୍ଜ ପିସଟେ ଧରି ବସିପଡ଼ିଲା। ସାମ୍ନା ଚେଆରରେ ବସି ଖାଉ ଥିବା ରୁହି ତାକୁ ପଚାରି ପଚାରି ବ୍ୟସ୍ତ କରୁଥିଲା ମାମା ତମେ ସବୁବେଳେ ମାଛର ଲାଞ୍ଜ ଖଣ୍ଡଟା କାହିଁକି ଖାଅ ଯେ । ତମକୁ ସେଇଟା କଣ ଏତେ ବେଶୀ ଭଲ ଲାଗେ ?

ଏଥର ଘୋଷିଲା ପରି ଚଟକିନା ଉତ୍ତରଟେ ଦେଇଦେଲା ରଚିତା ହଁ ହଁ ମୋତେ ଭାରି ଭଲ ଲାଗେ।.। ତୁ ଛୋଟପିଲା ଜାଣିନୁ ।ଆଉ ଟିକେ ବଡ଼ ହେଇଗଲେ ଜାଣିଯିବୁ ଯେ ମାଛ ଲାଞ୍ଜ ଖାଇଲେ ରାଣୀ ହୁଅନ୍ତି ବୋଲି।

ଝିଅ ରୁହି ତା ପ୍ଲେଟରୁ ଚଟକିନା ଲାଞ୍ଜ ମାଛଟା ଉଠେଇ ଆଣି କହିଲା ଠିକ୍ ଅଛି ତମର ରାଣୀ ହେବା ଏଥର ସେତିକି ଥାଉ ମାମା ଆଜିଠୁ ଲାଞ୍ଜ ମାଛଟା ଖାଇ ମୁଁ ରାଣୀ ହେବି । କଣ କହୁଛ ?

ରଚିତା ଚିଲେଇ ଉଠିଲା ନା ନା ମୋ ସୁନା ଝିଅଟା ପରା କଥା ମାନ। ଲାଞ୍ଜରେ ସରୁ କଣ୍ଟା ।ବାଛି ବାଛି ତୁ ଖାଇ ପାରିବୁନି।ତଣ୍ଟିରେ କଣ୍ଟା ଲାଗିଯିବ।

ଝିଅ ରୁହି ହସିଲା ଏବେ ବୁଝିଗଲି ମାମା ତମ ରାଣୀ ହେବାର ରହସ୍ୟ।କଣ୍ଟା ବେଶୀ ଥାଏ ବୋଲି ଅନ୍ୟ କେହି ସେ ଲାଞ୍ଜ ପିସଟା ଖାଆନ୍ତିନି । ତମେ କିନ୍ତୁ ଭଲ ଲାଗୁ କି ନ ଲାଗୁ ତାକୁ ସବୁବେଳେ ଖାଉଚ। ଆଉ କହିବ କଣ ନା ଲାଞ୍ଜ ଖାଇଲେ ରାଣୀ ହୁଅନ୍ତି। କେଡ଼େ ମିଛେଇ ତମେ ମାମା। ନିଜେ ମିଛ କହୁଛ ଅଥଚ, ମୋତେ ସବୁବେଳେ କହିବ ମିଛ କହିବା ମହାପାପ।

ଝିଅ କଥା ଶୁଣିବା ବେଳଠାରୁ ଅଧା ଖିଆରେ ଅନ୍ୟମନସ୍କ ହୋଇ ବସି ରହିଛି ରଚିତା । ରୁହି ପରି ସେ ବି ଦିନେ ବୋଉକୁ ତାର ଏମିତି କହିଥିଲା । ସେଦିନ ଘରେ ଅନ୍ୟମାନଙ୍କୁ ବାଢ଼ି ଖାଇବାକୁ ଦେଇ ସାରିଲା ପରେ ବୋଉ ନିଜେ ଖାଇଲା ବେଳକୁ ଲାଞ୍ଜ ମାଛ ଖଣ୍ଡେ ଧରି ବସିଥିଲା। ସେ କଲେଜରୁ ଫେରି ବୋଉ ସାଙ୍ଗେ ବସି ପଡିଲା ଖାଇବାକୁ। ଲାଞ୍ଜ ମାଛଟାରେ ହାତ ଦେଲା ବେଳକୁ ବୋଉ ଚିଲେଲ ଉଠିଲା ରହ ରହ ହାତରେ କଣ୍ଟା ଫୁଟି ଯିବ ଯେ ।ତାପରେ ବୋଉ ତା ପାଇଁ ସାଇତି ରଖିଥିବା ଦୁଇ ପିସ ପେଟ ମାଛ ଆଣି ବାଢ଼ି ଦେଲା ତାକୁ ଖାଇବା ପାଇଁ। ଖାଇବା ବଦଳରେ ରଚିତା ବୋଉ ସହିତ ଯୁକ୍ତି କରିବା ଆରମ୍ଭ କରିଦେଲା।

ବୋଉ ତୁ କାହିଁକି ସବୁବେଳେ ଏକା ଲାଞ୍ଜ ମାଛ ଖାଉଛୁ ସମସ୍ତଙ୍କୁ ଥରେ ଥରେ ଦଉନୁ । ବୋଉ ତା ଗାଲକୁ ଟିକେ ଗେହ୍ଲା ରେ ଚିପି ଦେଇ କହିଲା ତୋର ତ ବିଲେଇ ଆଖି । କେତେ କଥା ବାହାର କରୁଛି ଦେଖୁନ। ତୁ କଲେଜରୁ ହାଲିଆ ହେଇ ଆସିଛୁ । ଖାଇ ସାରି ଯାଉନୁ ଟିକେ ଗଡି ପଡ଼ିବୁ।ଉଠିଲେ ପାଠ ପଢ଼ିବୁ। ରଚିତା ବୁଝିବାକୁ ନାରାଜ। ପୁଣି ଥରେ କହିଲା ନା ବୋଉ ଆଜି ମାଛର ଲାଞ୍ଜଟା ମୁଁ ଖାଇବି ନ ହେଲେ ଆଜି ମାଛ ଖାଇବି ନାହିଁ।

ତା ମନକୁ ହାଲ୍କା କରିବାକୁ ବୋଉର ଉତ୍ତର ଥିଲା ବୁଝିଲୁ ଲାଞ୍ଜ ମାଛ ମୋତେ ଭଲ ଲାଗେ। ମୁଁ ସେଇଟା କାହାକୁ ଦିଏନି ଖାଇବାକୁ କାହିଁକି କହିଲୁ ??ମାଛର ଲାଞ୍ଜ ଖାଇଲେ ରାଣୀ ହୁଅନ୍ତି । ସେ ରୁହି ପରି କହିଥିଲା ଠିକ୍ ଅଛି ଏବେ ମୁଁ ବି ଲାଞ୍ଜ ମାଛ ଖାଇ ରାଣୀ ହେବି। ସେତେବେଳେ ବୋଉ ତାର ହସି ହସି କହିଲା ଶାଶୁ ଘର ଗଲେ ମାଛର ଲାଞ୍ଜ ଖାଇ ରାଣୀ ହେବୁ। ସେ ବୁଝି ନ ପାରି ମନକୁ ମନ ପଚାରୁଥିଲା ଯେ ମୋ ବୋଉ କେଉଁ ରାଜ୍ୟର ରାଣୀ ଯେ। ଦିନ ଯାକ ତ ଚାକରାଣୀ ପରି ଖଟୁଛି। କଣ ନା ରାଣୀ।ବଡ ପାଟିରେ ବୋଉକୁ କହିଲା ମିଛେ଼ଇ .. ହୁଁ ମହା ମିଚ୍ଛେଇ ।..ବୁଝିଲୁ ବୋଉ ତୁ ଆମକୁ କହିବୁ ମିଛ କହନା ଦେଖିଲା ବେଳକୁ ନିଜେ ମିଛ କହୁଚୁ..। ମିଛେଇ ବୋଉ କହି ଅଇଁଠା ହାତରେ ବୋଉକୁ କୁଣ୍ଢେଇ ଧରି ଗେଲ କରି ପକେଇଲା ରଚିତା । ବୋଉ ଲୋ ତୁ ଆମ ସମସ୍ତଙ୍କ କଥା କେତେ ଭାବୁଛୁ। ଆମ ପାଇଁ କେତେ କରୁଛୁ। ତୋତେ କଷ୍ଟ ହୁଏନି ।

ବୋଉ ଫିକ୍ କିନା ହସି ଦେଇ କହିଲା ପରିବାର ଭିତରେ ସ୍ନେହ ମମତା ଓ ଭଲପାଇବା ଥିଲେ ଏ ଛୋଟ ଛୋଟ କଷ୍ଟ ସହିହୁଏ। ସମୟ ସ୍ରୋତରେ ତୁ ବି ଧୀରେ ଧୀରେ ଶିଖି ଯିବୁ ଲୋ ମା। ନାରୀ ଭିତରେ ଅସୀମ ଧୈର୍ଯ୍ୟ ଥାଏ। ଭଗବାନ ନାରୀକୁ ଯଥେଷ୍ଟ ସହିବା ଶକ୍ତି ଦେଇଛନ୍ତି। ସେ ଚାହିଁଲେ ଘରଟି ସ୍ୱର୍ଗ ହୁଏ ନ ହେଲେ ନର୍କ ପାଲଟିଯାଏ।

ଏବେ ରଚିତା ଜାଣି ଯାଇଛି ଯେ ମାଛର ଲାଞ୍ଜ ତ ଗୋଟେ ବାହାନା। ତାକୁ ଜମା ଭଲ ଲାଗୁ ନ ଥିବା ଏ ମାଛ ଲାଞ୍ଜ ଟା କଡ଼େଇ ରୁ କାଢି କାହା ଖାଇବା ପ୍ଲେଟ ରେ ସେ ବାଢ଼ି ଦେଇ ପାରେନା। କେମିତି ଦେଵ! ଫୋପଡ଼ିଦେବାକୁ ଇଚ୍ଛା ହୁଏନା। ତେଣୁ ଆସ୍ତେ ଆସ୍ତେ ଖାଉ ଖାଉ ଅଭ୍ୟାସ ରେ ପଡି ଗଲାଣି। 

ନିଜ ଘର ଛାଡି ଆସିଲା ପରେ ନୂଆ ଘରଟିକୁ ନିଜର କରିବା ପାଇଁ କେତେ କଥା କେତେ ବ୍ୟଥାକୁ ଆଖିବୁଜି ନୀରବ ରେ ସହିବାକୁ ପଡେ।। ନିଜ ଆଚାର ବିଚାର ବ୍ୟବହାର ରୁଚି ପସନ୍ଦ ନାପସନ୍ଦ ଠାରୁ ଖାଇବା ପିଇବା କଥାବାର୍ତ୍ତା ଚାଲି ଚଳନ ଉପରେ ଅଙ୍କୁଶ ଲଗାଇବାକୁ ପଡେ। ଭୁଲି ଯିବାକୁ ପଡେ ନିଜର ଅସ୍ତିତ୍ଵ।ନିଜର ପୂର୍ବ ପରିଚୟ। ସବୁ ଝିଅଙ୍କ ପାଇଁ ବିବାହ କେବଳ ଏକ ବନ୍ଧନ ନୁହେଁ ବରଂ ପୁନର୍ଜନ୍ମ । ଯେଉଁ ଘରେ ନୂଆ ହୋଇ ଆସିଥିବା ବୋହୂ( ଝିଅର)ଟିର ମନକୁ ବୁଝି ଆପଣେଇ ନେଇ ସ୍ନେହ ମମତା ଦିଅନ୍ତି ଓ ଝିଅଟି ପ୍ରତିବଦଳରେ ସମାନ ସ୍ନେହ ଭକ୍ତି ଓ ସମ୍ମାନ ଦେବା ସହିତ କର୍ତ୍ତବ୍ୟ କରେ ସେ ପରିବାରଟିରେ ସୁଖ ଓ ଶାନ୍ତି ଭରିଯାଏ। ହସି ଉଠେ ସଂସାର।

ଏତେ ଦିନ ପରେ ବୋଉ କହୁଥିବା ରାଣୀ ହେବା କଥାର ଅର୍ଥ ଏବେ ସେ ବୁଝି ପାରୁଥିଲା। ସତରେ ମାଛ ଲାଞ୍ଜ ଖାଇଲା ପରି ଘର ଭିତରେ ନାରୀଟିଏ ନିଜର ସବୁ ସୁଖ ସ୍ୱପ୍ନକୁ ତ୍ୟାଗ କରି ନିଜ ଇଚ୍ଛା ନିଜ ରୁଚିକୁ ଜଳାଞ୍ଜଳି ଦେଇ ଅନ୍ୟ ପାଇଁ ବଞ୍ଚି ଶିଖିଲେ, କର୍ତ୍ତବ୍ୟ ପଥରେ ଆଗେଇଯାଇ ଅନ୍ୟକୁ ଖୁସି ବାଣ୍ଟି ପାରିଲେ, ପରିବାରର ଲୋକଙ୍କ ମୁଁହରେ ହସ ଫୁଟେଇ ସମସ୍ତଙ୍କର ସ୍ନେହ ଆଦର ଓ ଭଲ ପାଇବା ପାଇ ରାଣୀ ପରି ସୁଖ ଓ ଶାନ୍ତିରେ ରହେ।



Rate this content
Log in