Sanuja Meghamala

Tragedy

3.4  

Sanuja Meghamala

Tragedy

ଅମଣିଷ

ଅମଣିଷ

7 mins
222


ଡ଼ହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ରେ ଦିହ ହାତରେ ଯେମିତି ନିଆଁ ଲାଗି ଯାଉଚି । ଦେହ ସାରା ଘିମିରି ଭର୍ତ୍ତି। କୁଣ୍ଡେଇ କୁଣ୍ଡେଇ ଚମ ଉଠିଯାଇଥିବା ସେ ଘିମିରି ଗୁଡାକରେ ଝାଳ ଲାଗି ଅକଥନୀୟ ପୋଡ଼ା ଜଳା ହେଉଚି। ଯେମିତି ଦେହରେ କିଏ ନାଲି ଲଙ୍କା ଗୁଣ୍ଡ ମୁଠାଏ ଅବିର ପରି ବୋଳି ଦେଇଛି। ଦି ପହର ବେଲକୁ ମୁଣ୍ଡ ଥମ ଥମ ହେଇ ଆଖିରୁ ଜୁଳୁ ଜୁଳିଆ ପୋକ ବାହାରିଗଲା ପରି ଲାଗୁଛି। ତଥାପି ବିଶ୍ରାମ କାହିଁ? ଦିନେ କାମ ବନ୍ଦ ହେଇଗଲେ ଚୁଲି ଜଳିବ ନାହିଁ। ଖାଇବେ କଣ?ମରଦ ଟା କଉ କାମକୁ ଯେ ! ଦିନେ ଦି 'ଦିନ କାମକୁ ଗଲେ ଚାରିଦିନ କାଳ କାମକୁ ଯିବନି। ଗଞ୍ଜେଇ ଟାଣି ମଦରୁ ପେଟେ ପିଇ  ଘରେ ଗଡ଼ୁଥିବ ।କାମକୁ ନ ଗଲେ ତା ମଦ ଗଞ୍ଜେଇ ଖର୍ଚ୍ଚକୁ ବି ନୟନା କୁ ଭରିବାକୁ ପଡେ। ମନା କଲେ ସେଦିନ ପିଠିରେ ପୋଖରୀ ଖୋଳା ହେବ । ଦିନ ଯାକ ଖଟି ଖଟି ଯେତିକି ଶରୀ ପୀଡ଼ା ହେଇ ନ ଥିବ ବିଧା ଗୋଇଠା,ଚୁଟି ଝିଙ୍କା ତା ଠୁ ବେଶୀ ବାଧେ। ,ମରଦଟେ ହେଇ ଏତେ କୋଢ଼ିଆ ଅଳସୁଆ  ଏ ସନିଆ ହେଲା କେମିତି କେଜାଣି।? ଭାଗ୍ୟ ଦୋଷ କହି ତୁନି ରହେ ନୟନା। ନିଶା ଖାଇଲେ ସିନା ମାରେ ହେଲେ ଅନ୍ୟ ବେଳେ ସରାଗ ବି କରେ। ଜହ୍ନ କୁ ତୋଳି ଆଣି ହାତରେ ଧରେଇ ଦେବା ଭଳି କଥା କହେ।ସ୍ବର୍ଗ ଟା ଛୁଇଁବାକୁ ଯେମିତି ଆଉ ଦି ଚାଖଣ୍ଡ ବାକି ରହି ଯାଏ ତା ପାଇଁ ।

        କି ଖରା ବର୍ଷା ଶୀତ ସବୁ ଦିନ ସମାନ। ସକାଳୁ ଉଠି ନୟନା ତା ବାସି ପାଇଟି ସାରି, ତରବର ରେ ଗଣ୍ଡେ କଣ ଫୁଟେଇ ଦେଇ ତାକୁ ସନିଆ ଆଉ ତା ଟିଫିନ୍ ରେ  ଭରି ଦିଏ ଦ୍ୱିପହର ରେ ଖାଇବା ପାଇଁ। ରାତିର ପଖାଳ ତୋରାଣି କି ମାଣ୍ଡିଆ ଯାଉ ଯାହାଥିବ ତିନି ଜଣ ଯାକ ଖାଆନ୍ତି। ତା ପରେ ଝିଅ ମାଣିକ କୁ ସାଙ୍ଗରେ ଧରି ପହଞ୍ଚି ଯାଏ ସେ ମଣିଷ ହାଟ ରେ । ଗରିବ ଘରେ ଏଡେ ସୁନ୍ଦର ଝିଅ। କଣ୍ଢେଇ ଟେ।ଘରେ ଆଉ କେହି ନାହିଁ ।ସେଥିପାଇଁ ଝିଅ ଟାକୁ ଘରେ ଏକୁଟିଆ ଛାଡି ଯାଇ ପାରେନି କାମକୁ। ବେଳ କାଳ ଯାହା ହେଲାଣି କାହାକୁ ବିଶ୍ବାସ କରିବ ! କେତେବେଳେ କେଉଁ କଥା !

ହାଟରେ ତା ପରି କେତେ ମାଇପେ ଓ ମିଣିପ ମାନେ ଠିକାଦାର ପାଖରେ କାମ ପାଇଁ ଲାଇନ ଲଗେଇ ଠିଆ ହୋଇ ରହନ୍ତି। ବେଳା ଭଲ ତ କାମ ମିଳିଯାଏ ଆଉ ଦିନେ ଦିନେ ଅପେକ୍ଷା କରି କରି ନିରାଶ ହୋଇ ଫେରିବାକୁ ପଡ଼େ ଘରକୁ। । ସେଥି ପାଇଁ ଠିକାଦାର ୨୦/୩୦ ଟଙ୍କା ପ୍ରାପ୍ୟ ଠାରୁ କମ୍ ଦେଲେ ବି ସେ ଚୁପ୍ ରହେ। ରହିବାକୁ ବାଧ୍ୟ ହୁଏ। ଚୁପ୍ ରହେ ବୋଲି କାମ ମିଳେ ତାକୁ। ଠିକାଦାର ଯେଉଁ ଜାଗା କୁ ପଠେଇବ..ସେ ଯାଏ.କାମ କରିବାକୁ। ମନା କରେନି।ତେଣିକି ଯେତେ ଦୂର ହେଉଥାଉ। ଠିକାଦାର ଭାରି କୁହାଳିଆ। କହେ ଦୂର ଗୋଟେ କଣ ?କାମ ମିଳୁଛି ବଡ଼ କଥା। ମୁଁ ତ ଅଟୋ କରି ତୁମକୁ ପଠଉଚି। ଯେମିତି ମାଇଲି ମାଇଲି ବାଟ ଚାଲିକି ଯାଉଛ।ଅସୁବିଧା ହେଉଛି ଯଦି ନ ଯାଅ କାମକୁ। ଲୋକ କଣ ଅଭାବ ଅଛନ୍ତି। ଗୋଟେ ଅଟୋ ଭିତରେ ବସ୍ତା ପରି ନଦା ହୋଇ ମଣିଷ ଗୁଡା ବସିଥିବେ ଯେ ସୋରିଷ ପକେଇବାକୁ ଜାଗା ନଥିବ। ତା ପରି ଯେଉଁ ମାନେ ଛୁଆ ଧରି ଆସିଥିବେ ତାଙ୍କ ଠାରୁ ଠିକାଦାର ଆଉ ଦଶ କୋଡ଼ିଏ ଟଙ୍କା ଅଧିକା କାଟି ରଖେ । କାହିଁକି ନା ସେମାନେ କୁଆଡ଼େ ଛୁଆ ଙ୍କୁ ନିଘା କରୁ କରୁ କାମ ବେଶୀ କରି ପାରନ୍ତି ନାହିଁ। ଠିକାଦାର କୁ ନୟନା ବୁଝାଇ ପାରେନି ଯେ ତା ଝିଅ ବୟସ ର (୭) ବା ତା ଠାରୁ ଅଧିକ ବଡ ପିଲାମାନେ ମା ମାନଙ୍କୁ ସେଠି କାମ ରେ କିଛି କିଛି ସାହାଯ୍ୟ କରନ୍ତି ବୋଲି। ୟାକୁ କହି ଲାଭ କଣ?ମଝି ନଈ ରେ ଘର କରି କୁମ୍ଭୀର ସଙ୍ଗେ କାହିଁକି ବିବାଦ କରିବ !ଶେଷରେ ହାତ ପାଦ ବାନ୍ଧି ଭୋକ ଉପାସ ରେ ଘରେ ପଡିରହିବା ସାର ହେବ ।

 ଦି ଦିନ ହେଲାଣି ନୟନା କାମକୁ ଯାଉ ନ ଥିଲା। ଛୁଆ ଟାକୁ ତାର ଭାରି ଜର। ଦିହରୁ ଖାଲି ବାମ୍ଫ ଯେମିତି ବାହାରୁଚି। ଡାକ୍ତରଖାନା ନେଇଥିଲା ଯେ ଡାକ୍ତର କହିଲେ ଏ ଖରା ତାତି ଦିହରେ  ପଶି ଏମିତି ଜର ହେଇଛି। କିଛି ମାଗଣା ଓଷଧ ଦେଇଛନ୍ତି। ଥଣ୍ଡା ଚିକିତ୍ସା କରି ଛାଇ ରେ ରହି ଓଷଧ ଖାଇଲେ ଦେହ ଠିକ୍ ହୋଇଯିବ ।।  କେତେଦିନ ଆଉ କାମ ବନ୍ଦ କରିବ। ଖାଇବେ କଣ ,?ଆଜି ଝିଅକୁ ଟିକେ ଭଲ ଲାଗିବାରୁ ଘରେ ବାପ ପାଖରେ ଛାଡି ନିଦକ୍ ରେ କାମକୁ ବାହାରିଲା।

ଗଲାବେଳେ ତାଗିଦ୍ କରି ସପନା କୁ କହିଗଲା ଝିଅ ଦିହ ଭଲ ନାହିଁ ତାକୁ ଘରେ ଜଗି ରହିବୁ। କୁଆଡ଼େ ଯିବୁନି କି ମଦ ପିଇବୁନି। ହଁ ମାରିଲା ସପନା ।ଦିନଯାକ କାମ କଲେ ବି ମନଟା ତାର ଝିଅ ପାଖରେ ଥାଏ। ସଂଜ ରେ କାମ ସାରି ଏକମୁଂହା ହୋଇ ଘରକୁ ଫେରିଲା। ଏ କଣ ଘର ଟା ସାରା ଅନ୍ଧାର ଛାଇ ରହିଛି। ପୁରା ନିଶବ୍ଦ।ପେଟେ ମଦ ପିଇ ଚାରି କାତ ମେଲେଇ ଶୋଇଛି ସପନା ଘର ଅଗଣାରେ । ଏପଟୁ ଗଡେଇ ଦେଲେ ସେପଟକୁ ଗଡି ଯାଉଛି.. ଚେଁ ଶବ୍ଦ ନାହିଁ। କେତେ କରି ମନା କରି ଯାଇଥିଲା ଆଜି ନ ପିଇବାକୁ। ଜମା ଶୁଣିବନି ଲୋକଟା। ସେ ଝିଅ ମାଣିକ କୁ ବଡ ପାଟିରେ ଡାକିଲା। ଡର ଲାଗିଲା ଛୁଆ ଟାକୁ ପୁଣି ବେଶୀ ଜର ହେଇଗଲା କି ଆଉ? କେଉଁଠି ହାଲିଆ ହୋଇ ଶୋଇ ପଡ଼ିଛି। ନା ଘର ଭିତରେ ମାଣିକ ନାହିଁ। କଉ ରାଜା ଉଆସ ହେଇଚି ଯେ ଲାଗିପଡ଼ି ଖୋଜିବ। ଘର ବୋଲି ତ ଗୋଟିଏ। ଟିଣ ଛପର୍ ଘର ସାମ୍ନାକୁ ହାତେ ର ଚାଳିଆ ଟେ। ସେ ସେଇଠି ରୋଷେଇ କରେ। ମଦୁଆ ଅଧିକାଂଶ ସମୟ ସେଇଠି ମଦ ପିଇ ମାତାଲ୍ ହୋଇ ଗଡୁଥାଏ । ଘରଭିତରେ ଝିଅକୁ ନ ପାଇ ବାହାରେ ଚିଲେଇ ଚିଲେଇ ଡାକିଲା.ମାଣିକ ..ଆଲୋ ଏ ମାଣିକ ।. ପାଖ ପଡିଶା ଙ୍କ ଘରେ ବୁଲି ବୁଲି ପଚାରିଲା ଛୁଆ ଟା କାହା ଘରେ ଛୁଆ ଙ୍କ ସାଙ୍ଗେ ଖେଳୁଥିବ ନ ହେଲେ ଟିଭି ଦେଖୁଥିବ ବସି । ନା ଖୋଜି ଖୋଜି ନୟାନ୍ତ ହେଲା ତଥାପି ପାଇଲା ନାହିଁ।। ଯାହାକୁ ପଚାରିଲା କେହି ଦେଖି ନାହାନ୍ତି କହିଲେ।ତେବେ ଝୁଅ ଛୁଆ ଟା ଗଲା କୁଆଡ଼େ ?ମନରେ ଛନକା ପଶିଲା ।ବସ୍ତି ପାଖ ପୋଖରୀ ଅଳିଆ ଗଦା,ବସ୍ତି ର ଯେତେ ଅନ୍ଧାରିଆ ଜାଗା ଅଛି ସବୁ ତା ସାଥୀରେ ତାଙ୍କ ବସ୍ତିର ଲୋକ ମାନେ ମିଶି ଖୋଜିଲେ।ହେଲେ କେଉଁଠି ପାଇଲେନି। ଯାହାକୁ ପଚାରିଲା କେହି ମାଣିକ କୁ ଆଜି ଦେଖିବା କଥା କହି ପାରିଲେନି। ଯିଏ ବି ଜାଣିଥିବେ ଘଟଣା ର ଗମ୍ଭୀରତା କୁ ହୃଦୟଙ୍ଗମ କରି ଚୁପ୍ ରହିଲେ। ତା ଛାତିଟା ଧଡ ପଡ ହେଲା ।କୁଆଡ଼େ ଗଲା ମୋ ମାଣିକ।

 ମାଣିକ ଲୋ ମୋ ଧନ କୁଆଡ଼େ ଗଲୁ ବୋଲି ଛାତି ଫଟେଇ କାନ୍ଦିଲା। କାଠ ଗଡ ପରି ପଡ଼ିଥିବା ମଦୁଆ ଟା ଏଥର ନିଦରୁ ଉଠି ତାକୁ ଗାଳି ଦେବା ଆରମ୍ଭ କଲା ଏ ଶାଳୀ ମାଇକିନା ଟା ଟିକେ ଶାନ୍ତି ରେ ଶୋଇ ଦେବନି। ଯେତେବେଳ ଦେଖ ରାଉ  ରା ଉ। ଆବେ ହାରାମଜାଦୀ ତୋ ବୋପା ନା ଭାଇ କିଏ ମଲା ବେ ଏମିତି  ବାହୁନୁଚୁ ବସି। ଚୁପ୍ ଏକଦମ୍ ଚୁପ୍।ମଦ ନିଶାରେ ଉଠି ପିଠି ରେ ଦୁଇ ଚାରିଟା ବସେଇଦେଲା। ତାମସା କରୁଚୁ ଏଠି।ଯା ଶାଳୀ ଶୀଘ୍ର ରୋଷେଇ କରିବୁ। ମୋତେ ଜୋରରେ ଭୋକ ହେଲାଣି। ସାର୍ଟ ପକେଟ୍ ରେ ଟଙ୍କା ଅଛି। ଚିକେନ ଆଣ ।ଝୋଳ କର ଏକାଠି ବସି ଖାଇବା।

ନୟନାକୁ ତା କଥା କିଛି ଶୁଭୁ ନ ଥିଲା । ସେ ସାହି ରୁ ଦୁଇ ଚାରିଜଣ ଲୋକଙ୍କୁ ଧରି ଥାନାକୁ ବାହାରିଲା ।ଝିଅ ନିଖୋଜ ବିଷୟରେ ରିପୋର୍ଟ ଲେଖିବା ପାଇଁ।

ସେଠି ଥାନା ବାବୁ ହସିଲେ ଆରେ ତୋ ସାତ ବର୍ଷ ର ଝିଅ କୁ କିଏ ନେଲା ବେ।। କାଇଁ ହଂଗାମା କରୁଛୁ । ଆସି କି ଆମ ସମୟ ନଷ୍ଟ କରୁଛୁ.।.ସେ ସେଇଠି ଖେଳୁ ଥିବ ଯା ଖୋଜିବୁ।ନୟନା ବାବୁଙ୍କ ଗୋଡ଼ ହାତ ଧରି କେତେ ନେହୁରା ହେଲା।କହିଲା ସବୁ ଆଡେ ଖୋଜି ଖୋଜି ନ ପାଇବା ରୁ ଥାନା କୁ ଆସିଛି ବାବୁ। ମୋତେ ଦୟା କର ବାବୁ। ତୁମର ଧର୍ମ ହେବ ।ବସ୍ତି ଲୋକଙ୍କ ପାଟି ତୁଣ୍ଡ ହୋ ହାଲ୍ଲା ରେ ବଡ ବାବୁ ଙ୍କ ମନ ରେ ଦୟା ହେଲା ବୋଧେ ।ସେ ଥାନାରୁ ତାଙ୍କ ଟିମ୍ କୁ ପଠେଇଲେ ଦୁର୍ଘଟଣା ସ୍ଥାନକୁ ଯାଇ ଦେଖି ଆସିବା ପାଇଁ । ଖୋଜାଖୋଜି ଚାଲିଲା..। ରିପୋର୍ଟର ଙ୍କ ଭିଡ଼ ଜମିଗଲାଣି। ତାଙ୍କ ପାଇଁ ଖୋରାକ (breaking news) ଜୁଟି ଯାଇଛି।ଖୋଜା ଖୋଜି ର ପ୍ରତ୍ୟକ୍ଷ ବିବରଣୀ ଲୋକଙ୍କ ପାଖରେ ପହଞ୍ଚେଇ ଦେବାରେ ରିପୋର୍ଟର ମାନେ ବ୍ୟସ୍ତ।।।ଅନେକ ଖୋଜାଖୋଜି ପରେ ବସ୍ତିର ପାଣି ନା ଥିବା ଭଙ୍ଗା ପରିତ୍ୟକ୍ତ କୂଅ ଭିତରୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଝିଅର ମୃତ ଶରୀର ଠାବ ହେଲା। ଶରୀର ଯାକ କ୍ଷତ ଓ କ୍ଷତ ରୁ ବହିଯାଇଥିଲା ଶୁଖିଲା ରକ୍ତ..। ନୟନା ଝିଅ କୁ ଦେଖି ମୂର୍ଚ୍ଛା ଗଲା।ତଦନ୍ତ କରିବାକୁ ଆସିଥିବା ଅଫିସର ଅନୁମାନ କରି କହୁଥିଲେ  ବଳାତ୍କାର ପରେ ପ୍ରମାଣ ଲୁଚାଇବା ପାଇଁ ଆସାମୀ ଜଘନ୍ୟ ହତ୍ୟା କରିଛି। ପୋଷ୍ଟମର୍ଟମ ହେଲା ପରେ ଜଣାପଡ଼ିବ ପ୍ରକୃତ ଘଟଣା କଣ? ଦୋଷୀ କୁ ଖୋଜି ବାହାର କରାଯିବ  ତା କୁକର୍ମ ପାଇଁ ତାକୁ ନିଶ୍ଚୟ  ଦଣ୍ଡ ମିଳିବ ।

ହୋ ହାଲ୍ଲା ଭିତରେ ସପନା ର ନିଶା ଛାଡ଼ି ଛାଡି ଆସୁଥାଏ ସେ ହଲି ହଲି ନୟନା ପାଖରେ ଠିଆ ହୋଇ ଚିଲେଇବା ଆରମ୍ଭ।କଲା ଆବେ କାନ୍ଦୁଛୁ କାହିଁକି। ଏତେ ଭିଡ଼ ମୋ ଘର ଆଗରେ କାହିଁକି..?କଣ ହେଲା.ବେ..। ନୟନା ଭରସା ରେ ବିକଳ ହୋଇ ତାକୁ କହିଲା ଆମ ସଂସାର ଭାସିଗଲା ରେ..ମାଣିକକୁ କେଉଁ ନର ପିଶାଚ ମାରି ସେ ଭଙ୍ଗା କୂଅ ଭିତରେ ଫିଙ୍ଗି ଦେଇଛି । କାହାର ହାତ ଗଲା ରେ ଏଡେ ବକଟେ ଛୁଆ ସହିତ ଏମିତି ଦୁଷ୍କର୍ମ କରିବା ପାଇଁ। ସପନା  ପିନ୍ଧିଥିବା ସାର୍ଟ ର କଲାରକୁ ଭିଡ଼ି କହିଲା ଏ ସବୁ ପାଇଁ ତୁ ଦାୟୀ।ତୋ ମଦ ଓ ମାଂସ ର ଲୋଭ ଆଜି ମୋ ଝିଅ ର ଜୀବନ ନେଇ ଗଲା ରେ। କହ ମାଂସ କିଣିବା ପାଇଁ କିଏ ତୋତେ ପଇସା ଦେଇଥିଲା ସେ ହିଁ ମୋ ଝିଅ କୁ ଏମିତି ଖିନ୍ ଭିନ୍ କରି ମାରିଛି।

ସପନା କିଛି ମନେ ପକେଇବାକୁ ଚେଷ୍ଟା କଲାବେଳେ କେହି ଜଣେ ଭିଡ଼ ଭିତରୁ ତା ହାତରେ ଟଙ୍କା ପୁଳାଏ ଗୁଞ୍ଜି ଦେଲା। ସେ ଥରେ ଟଙ୍କା କୁ ଦେଖିଲା ଆଉ ଥରେ ଲୋକଟା ମୁହଁ କୁ ଚାହିଁଲା..ସବୁଦିନେ କାମ ଯୋଗାଇ ଦେଉଥିବା ଠିକାଦାର। ହଁ ଆଜି ନିଛାଟିଆ ଖରାବେଳେ ସେ ତ ଆସିଥିଲା ଘରକୁ ..।.ଝିଅର ଦେହ ଭଲ ନାହିଁ ବୋଲି ଦେଖିବାକୁ।ଚାଓମିନ ସହିତ ଚିଲୀ ଚିକେନ ଖାଇବାକୁ ଆଣିଥିଲା.।ସମସ୍ତେ ମିଶି ଖାଇଥିଲେ।. ପେଟ ଭର୍ତ୍ତି ମଦ ଦେଲା ..ଆଉକିଛି ଟଙ୍କା ତା ପକେଟ୍ ରେ ପୁରେଇ ଦେଇଥିଲା ମାଂସ କିଣି ଖାଇବା ପାଇଁ। ତା ପରେ ତାର ଆଉ କିଛି ମନେ ପଡୁ ନ ଥିଲା।

ଏଥର ସପନାର ହୋସ ଆସିଗଲା। ତା ଶରୀରର ସବୁ ଶକ୍ତି ପ୍ରୟୋଗ କରି ଠିକାଦାର ଉପରକୁ ଡେଇଁ ପଡି କହିଲା.. ଏଇ ହାରାମ ଯାଦା ମୋ ଝିଅକୁ ମାରିଛି। ମୁଁ ତାକୁ ଛାଡିବିନି। ଆଜି ତା ଜୀବନ ନେବି। ତା କଥା କୁ କେହି ବିଶ୍ବାସ କରିଲେନି। ମଦୁଆ ଟା ମଦ ନିଶାରେ କଣ ବକୁଛି ବୋଲି କୁହା କୁହି ହେଲେ। ସେ ତା ହାତରେ ଥିବା ଟଙ୍କା କୁ ଦେଖେଇ କହିଲା ହେଇ ଦେଖ ମୁଁ ମିଛ କହୁନି । ସତ ନ କହିବା ପାଇଁ ମୋ ହାତରେ ଏ ପଇସା ସେ ଦେଇଛି।

କେହି ବିଶ୍ବାସ କରୁ କି ନ କରୁ ନୟନା ତା କଥାକୁ ଆଜି ବିଶ୍ବାସ କଲା।ତାର ମନେ ପଡ଼ୁଥିଲା ଏ ଠିକାଦାର ତା ଝିଅକୁ ବେଳେ ବେଳେ ଚକୋଲେଟ ଦିଏ। ଗାଲ,ପିଠି ଆଉଁସି ଦିଏ। ଚାଲ ମୋ ସାଙ୍ଗରେ ବୁଲିଯିବୁ କହେ। ନୟନା ଝିଅ କୁ ପାଖକୁ ଭିଡ଼ି ଆଣି ଆକଟ ଦେଖାଏ ଠିକାଦାର ପାଖକୁ ନ ଯିବା ପାଇଁ କହେ।

ପୁଣି ଭାବେ ହଁ ବାପା ପରି ବୟସ୍କ ଲୋକ ଟା ଝିଅ ଟାକୁ ମୋର ଟିକେ ସ୍ନେହ ଆଦର କରୁଛି।। ଏ ପାପୀ ମନ ସେମିତି ସବୁବେଳେ ପାପ କଥା ଚିନ୍ତା କରୁଛି। ଠିକାଦାର ମନ ତଳେ ଥିବା ଅନ୍ଧ କାମନା କୁ ବୁଝିପାରିଲାନି ନୟନା। କେମିତି ବୁଝି ଥାଆନ୍ତା। । 

ନିର୍ଜୀବ ଟେ ପରି ଛିଡ଼ା ହୋଇ ଭାବୁଥିଲା ଆମେ ଗରିବ ଲୋକ  ଝିଅ କୁ ଜଗି ଘରେ ରହିଲେ ଖାଇବାକୁ ପାଇବୁନି। ଆଉ ଘରେ ଛାଡ଼ିଗଲେ ଝିଅ ଜୀବନ ଅସୁରକ୍ଷିତ। ଝିଅ ହୋଇ ଜନ୍ମ ହେବା କଣ ପାପ। ନା ଝିଅକୁ ଜନ୍ମଦେଇଥିବା ବାପା ମାଆ ପାପୀ। ବୁଝି ପାରୁ ନଥିଲା ସେ। ଭାବୁଥିଲା ଏ ମାନସିକ ବିକାର ଗ୍ରସ୍ତ ମଣିଷ ଙ୍କ ପାଇଁ ଆଜି ସମାଜରେ ଝିଅଟେ ଜନ୍ମରୁ ଅସୁରକ୍ଷିତ। କିଏ ଦେବ ତେବେ ଝିଅଙ୍କୁ ସୁରକ୍ଷା !

ସପନା ନୟନା ଆଖିରୁ ଲୁହ ପୋଛି ଦେଇ ଦୃଢ଼ ହୋଇ କହିଲା ଆମେ ମୁର୍ଖ ଅପାଠୁଆ,ଗରିବ ସତ ତଥାପି ଆମ ଝିଅ କୁ ନ୍ୟାୟ ଦେବା ପାଇଁ ଥାନା କଚେରୀ ନିଶ୍ଚୟ ଯିବା।ଯେତେ ବିଳମ୍ବ ହେଲେ ହେଉ, ଦୋଷୀ କୁ ଦଣ୍ଡ ଦେବା ପାଇଁ ଆମ ଲଢେଇ ଜାରି ରଖିବା ।ଆମେ ସହଜ ରେ ହାରିଯିବାନି କି ଡରିଯିବାନି । ସତ ଦିନେ ନା ଦିନେ ନିଶ୍ଚୟ ସାମନା କୁ ଆସିବ। ସେ ବୁଝି ପାରୁ ନ ଥିଲା ଯେ ଆଇନର ଲମ୍ବା ଲଢେଇ ରେ ଏମିତି ଅନେକ ସତ୍ୟ ପ୍ରମାଣ ଅଭାବରୁ ଦିନେ ମିଛ ହୋଇଯାଏ ।



Rate this content
Log in

Similar oriya story from Tragedy