Sanuja Meghamala

Romance

4.3  

Sanuja Meghamala

Romance

ଦୂର ଅତୀତର ସ୍ମୃତି

ଦୂର ଅତୀତର ସ୍ମୃତି

11 mins
270


କେତେ ଦିନ ହେବ କେଜାଣି ଏମିତି ମନ ଖୋଲି କାନ୍ଦି ନ ଥିଲା ଲଗ୍ନା ।ବହୁ ଦିନରୁ ମନ ତଳେ ଜମାଟ ବାନ୍ଧି ଥିବା କୋହ ଲୁହ ହୋଇ ବୋହି ଯାଉଥିଲା । ସେ କେବେଠୁ ଭୁଲି ଯାଉଥିଲା ଯେ ତାର ବି ଗୋଟେ ପ୍ରେମ ଭରା ରଙ୍ଗୀନ୍ ଦୁନିଆ ଥିଲା । କିଛି ସ୍ଵପ୍ନ ଥିଲା । ଦିନ ଥିଲା ଶୁଭଙ୍କର ବ୍ୟତୀତ ତାକୁ କିଛି ଦେଖା ଯାଉ ନ ଥିଲା । ତାର ସେଇ ସୁଖର ଦିନ ଗୁଡାକ ଉପରେ କାହାର ନଜର ଲାଗିଗଲା ଯେମିତି ।ଆଗକୁ ବଢ଼ି ଯାଇଥିବା କାହାଣୀର ଖିଅଟା ଅଡ଼ୁଆ ହେଇ ଶେଷରେ ଛିଡିଗଲା ।ବାଟ ଭାଙ୍ଗି ଚାଲି ଗଲେ ବିପରୀତ ରାସ୍ତା ରେ ସେମାନେ ସେଦିନ।ପ୍ରତିଶ୍ରୁତି ସବୁ ଅଦିନିଆ ବର୍ଷା ପାଣିରେ ଧୋଇ ଗଲା।

ପୁଣି ଅଚାନକ ଏତେ ବର୍ଷ ପରେ ଏମିତି ଦେଖା ହୋଇଯିବ ଶୁଭଙ୍କର ସହିତ ଆଶା କରି ନ ଥିଲା ଲଗ୍ନା । ତା ଚାମ୍ବରରେ ବସି କିଛି କାମ କରୁଥିଲା ବେଳେ ଡୋର ନକ ହେଲା। ସେ ୟେସ କମ୍ ଇନ୍ କହି ପୁଣି ତା କାମରେ ଲାଗିଗଲା । ଭିତରକୁ ପଶି ଆସି ନମସ୍କାର କଲେ ଭଦ୍ର ବ୍ୟକ୍ତି ଓ ତାଙ୍କ ସହିତ ଥିବା ଝିଅ ଟି । ଅଳ୍ପ ମୁହଁ ଉଠେଇ ପ୍ରତି ନମସ୍କାର କରି ବସିବାକୁ କହିଲା ଲଗ୍ନା । ସେହି ସମୟ ରେ ତାର ଆଖି ଭଦ୍ର ବ୍ୟକ୍ତି ଙ୍କ ସହିତ ମିଶିଗଲା ।ଭଦ୍ର ବ୍ୟକ୍ତି ଜଣଙ୍କ ଖୁସିରେ କହି ପକେଇଲେ ଆରେ ଲିନୁ ତମେ! ତମେ ଏଇଠି ଜବ୍ କରିଛ। ।ଏତେ ବର୍ଷ ପରେ ପୁଣି  ଥରେ ତମ ସହିତ ଦେଖା ହେଉଛି ମୁଁ ବିଶ୍ବାସ କରିପାରୁନି।

ନ ଚିହ୍ନିଲା ପରି ଲଗ୍ନା ଉତ୍ତର ଦେଲା କ୍ଷମା କରିବେ ମୁଁ ଆପଣଙ୍କୁ ଜାଣି ପାରୁନି। କେଉଁଠି ଦେଖା ହୋଇଥିବ କି କଣ ମୁଁ କିନ୍ତୁ ମନ ପକେଇ ପାରୁନି। ସତରେ କଣ ସେ ଶୁଭଙ୍କର ଙ୍କୁ ଚିହ୍ନି ପାରିନି। ଚିହ୍ନିବା ଓ ନ ଚିହ୍ନିବା ରେ କଣ ଫରକ୍ ପଡ଼େ ଯେ। ଜାଣି ଜାଣି ନ ଚିହ୍ନିବା ଅଭିନୟ କଲା ଲଗ୍ନା । ମିଛ କହିଦେଲା ମୁହଁ ତଳକୁ କରି।ନ କହିବ କେମିତି ? ଶୁଭଙ୍କରଙ୍କ ସହିତ ଝିଅଟେ ଆସିଛି ,। ତାଙ୍କ ନିଜ ଝିଅ ହୋଇଥିବ ପ୍ରାୟ ବୋଲି ଅନୁମାନ କଲା ସେ। । ଝିଅଟା କଣ ଭାବିବ ଯେ !ନିଜର ଦୁର୍ବଳ ଅତୀତକୁ ଆଉ ସହଜରେ ଧରା ପକେଇ ଦେବାକୁ ଚାହୁଁ ନ ଥିଲା ସେ । ଚୁପ୍ ଚାପ୍ ବସିଥିବା ଝିଅଟି ତା ବାପାଙ୍କୁ ଚିମୁଟି ଦେଇ ସତର୍କ କରି କହିଲା ପାପା ପ୍ଲିଜ୍ । ଇଶାରା ରେ ଚୁପ୍ ରହିବାକୁ କହିଲା।

ଝିଅଟି ତା ନିଜ କଥା ଆରମ୍ଭ କଲା ଲଗ୍ନା ସହିତ,ମାମ୍ ମୋର ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ଲୋନ ମୁଁ ବ୍ୟାଙ୍କ୍ ରୁ ନେବାକୁ ଚାହୁଁଚି । କେମିତି କରିହେବ ଓ ତା ପାଇଁ କଣ କଣ ଡକ୍ୟୁମେଣ୍ଟସ୍ ଆବଶ୍ୟକ । ସେ ସବୁ ବିସ୍ତୃତ ଭାବେ ଜାଣିବାକୁ ଚାହୁଁଥିଲି । ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ ।ଝିଅଟିର କଥାବାର୍ତ୍ତାରେ ସରଳିଆ ଆପଣା ପଣର ଭାବ ଅନୁଭବ କରୁଥିଲା ଲଗ୍ନା। ଆସ୍ତେ ଝିଅର ମୁହଁ ଆଡେ ଚାହିଁ ପୁଣି ଅନ୍ୟ ମନସ୍କ ହୋଇ ଗଲା ଲଗ୍ନା। ଶୁଭଙ୍କ ଝିଅ ଏତେ ବଡ଼ ହେଇ ଗଲାଣି। ସ୍ମାର୍ଟ ଓ ସୁନ୍ଦର ବି ଅଛି। ନିଜ ଭାବନା ଉପରେ ଅଙ୍କୁଶ ଲଗାଇ ଟିକେ ପ୍ରକୃତିସ୍ଥ ହେଲା ଲଗ୍ନା। ତା ପରେ ଝିଅଟି ସହିତ ଲୋନ ବିଷୟରେ କଥା ହେଲା। ତା ସାର୍ଟି ଫିକେଟ ରେ ଥିବା ନାଆଁ ଉପରେ ଆଖି ବୁଲେଇ ଆଣି ଚମକି ପଡ଼ି ଚାହିଁଲା ଶୁଭଙ୍କର ଙ୍କୁ," ଶୁଭଲଗ୍ନା ମହାପାତ୍ର ", ଜୀବନରେ ଆଗକୁ ବଢ଼ି ଯାଇଥିବା ଶୁଭଙ୍କର ତାକୁ ଭୂଲି ନାହାଁନ୍ତି । ଆଖିରେ ଲୁହ ଭର୍ତ୍ତି ହୋଇଗଲା। ଚଷମା କାଢି ସେ ଲୁହକୁ ପୋଛି ପକେଇଲା। ନିଜକୁ ସହଜ କରି ପାରିଲାନି । ଦୁଇ ଦିନ ପରେ ସେମାନଙ୍କୁ ଆସିବାକୁ କହି ଅନ୍ୟ କାର୍ଯ୍ୟର ବାହାନା କଲା। ସେତେ ବେଳ ପର୍ଯ୍ୟନ୍ତ ନୀରବ ଥିବା ଶୁଭଙ୍କର କହିଲେ ମ୍ୟାଡାମ ଆପଣଙ୍କ ଫୋନ୍ ନମ୍ବରଟା ଦେଲେ ଭଲ ହୁଅନ୍ତା ଆମେ ଆପଣଙ୍କ ସହିତ କଂଟାକ୍ଟ୍ କରି ଆସିବୁ।ଅଯଥା ଆପଣ ଙ୍କୁ ଡିସଟର୍ବ କରିବୁନି।ଲଗ୍ନା ତା ଭିଜି ଟିଂଗ୍ କାର୍ଡଟା ଧରାଇ ଦେଲା।

ସେମାନେ ଫେରିଗଲା ପରେ ଲଗ୍ନା ତାଙ୍କ ବାଟକୁ ଚାହିଁ ରହି ଥିଲା ଅପଲକ ନୟନରେ। ଏତେ ବର୍ଷ ପରେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ ଘଟିନି ଶୁଭଙ୍କର ଙ୍କ ଠାରେ। ଯେମିତି ଗୋରା ତକ୍ ତକ୍ ମଧ୍ୟମ ଚେହେରା ଥିଲା ସେମିତି ହିଁ ଅଛି। ବୟସ ଟା ବଢ଼ି ଯାଇଛି କେବଳ ଟିକିଏ ।ପଛ କଥା ଭାବିବନି ବୋଲି ମନଟାକୁ ଯେତେ ଲଗାମ ଦେଲେ ବି ମନ ତାର ଫେରି ଯାଉଥିଲା ଆଖି ପାଉ ନ ଥିବା ସେହି ଦୂର ଅତୀତ କୁ।ଶୁଭଙ୍କର ସହିତ ଗଢି ଉଠିଥିବା ପ୍ରଥମ ପ୍ରେମର ଅଭୁଲା ସ୍ମୃତି ତାର ମନକୁ ଆନ୍ଦୋଳିତ କଲେ।

ଶୁଭଙ୍କର କଲେଜରେ ତାର ଦୁଇ ବର୍ଷ ସିନିଅର ଥିଲେ।ସେ ଯୁକ୍ତ ଦୁଇ ରେ ପଢିଲା ବେଳେ ତାଙ୍କର ଯୁକ୍ତତିନି ।ଲଗ୍ନା  ସହିତ ଭେଟ ହୋଇଥିଲା କଲେଜ ସ୍ତରୀୟ ଏକ ଡିବେଟ୍ କମ୍ପିଟେସନରେ ।ଉଭୟ ଭାଗ ନେଇଥିଲେ ସେ ପ୍ରତିଯୋଗିତା ରେ। ଲଗ୍ନା ର ବାଗ୍ମିତା, ଉପସ୍ଥାପନା ର ଶୈଳୀ ଏବଂ ସରଳ ଶାନ୍ତ ହସ ହସ ମୁହଁ ଶୁଭଙ୍କର ଙ୍କୁ ବାଧ୍ୟ କରିଥିଲା କଥା ପଦେ ହେବା ପାଇଁ। ଉକ୍ତ ପ୍ରତିଯୋଗିତା ରେ ଶୁଭଙ୍କରଙ୍କ ପୂର୍ବ ରେକର୍ଡ କାଟି ଲଗ୍ନା ପ୍ରଥମ ହୋଇଥିଲା। ତାର ସେ କଥା କୁହା ଆଖି ଓ ଶାନ୍ତ ସରକ ବ୍ୟବହା ର ପ୍ରତି ଆକର୍ଷିତ ହୋଇ ଶୁଭଙ୍କର ବଧାଇ ଜଣାଇବା ବାହାନା ରେ ସମ୍ପର୍କଟେ ଯୋଡି ଦେଇଥିଲେ। । ଯେଉଁ ଦିନ କଲେଜର ଆନୁଆଲ୍ ଫଙ୍କସନ୍ ରେ ଲଗ୍ନା ଓଡ଼ିଶୀ ନୃତ୍ୟ ପରିବେଷଣ କଲା ସେଦିନ ତାର ଆଉ ଗୋଟେ ରୂପ ଦେଖିଲା ଶୁଭଙ୍କର । ଦିନକୁ ଦିନ ତାର ଦୁର୍ବଳତା ଲଗ୍ନା ପ୍ରତି ବଢ଼ି ବଢ଼ି ଗଲା। ସାମାନ୍ୟ କଥା ବାର୍ତ୍ତା ବନ୍ଧୁତ୍ୱର ସମ୍ପର୍କଟା କେତେବେଳେ ପ୍ରେମ ରେ ପରିଣତ ହୋଇ ଗଲା ସେମାନେ ଜାଣି ପାରିଲେନି।ପ୍ରେମ ତ ସେମିତି, ହଉ ହଉ ହେଇ ଯାଏ ଅଜାଣତରେ।

 ଶୁଭଙ୍କର ଙ୍କର ପିଜି ପରେ କଲେଜ ଛାଡ଼ିଲେ । ସେମାନଙ୍କର ପ୍ରେମ ଜୁଆର ରେ ଭଟ୍ଟା ପଡ଼ିଲାନି , ବରଂ ସମ୍ପର୍କ ଟା ମଜବୁତ ହୋଇ ଆଉ ପାଦେ ଆଗେଇ ଗଲା। ମନ ର ଡଙ୍ଗା ସାତ ଦରିଆ ପାରି ହୋଇ ସୁଖ ସ୍ଵପ୍ନ ରେ ହଜିଗଲା । ମନ ଟା ଫୁଲ ନ ଥିଲା ସତ କିନ୍ତୁ ମହକ ରେ ଆନ ମନା ହେଉଥିଲେ ସ୍ଵପ୍ନ ସବୁ। ଶୁଭ ଓ ,ଏ,ଏସ ପାଇଗଲା ପରେ ସେମାନଙ୍କ ସମ୍ପର୍କକୁ ଗୋଟେ ନୂଆ ଦିଶା ମିଳିଥିଲା ଯେ ଲଗ୍ନାର ପରିବାର ତରଫରୁ ଆପତ୍ତି ଅଭିଯୋଗ କମିଯିବ ସେମାନଙ୍କ ସଂପର୍କ କୁ ନେଇ। ଦୁହେଁ ଖୁବ୍ ଖୁସି ଥିଲେ ନିଜ ଭବିଷ୍ୟତ କୁ ନେଇ।  

     ଏବେ ପ୍ରତିଦିନ କଲେଜ ରେ ସାକ୍ଷାତ୍ ହେବା ବଦଳରେ ଚିଠି ହିଁ ହୋଇଗଲା ସେମାନଙ୍କ ସମ୍ପର୍କ ର ମାଧ୍ୟମ।ବରଂ ଯାହା ସାମନା ରେ କହି ହୋଇ ପାରୁ ନ ଥିଲା, ଚିଠି ରେ ମନ ଖୋଲି ହୋଇ ଗଲା ଭବିଷ୍ୟତ ସ୍ଵପ୍ନ ମାନେ ଡେଣା ମେଲି ଚାଲିଲେ ନୀଳ ଆକାଶ ରେ ପର ମେଲି। ୟା ଭିତରେ ଦୁଇ ବର୍ଷ କଟି ଗଲାଣି, ଏବେ ଏକାଠି ହେବାକୁ ନିଷ୍ପତ୍ତି ନେଇ ଘରେ କଥା ଉଠାଇଲେ।ଦୁଇ ପରିବାର କଥାବାର୍ତ୍ତା ହୋଇ ଝିଅ ଦେଖା ସହିତ ନିର୍ବନ୍ଧ କାମ ସାରିବା ପାଇଁ ସ୍ଥିର କଲେ ତାପରେ ବିବାହ ପାଇଁ ଶୁଭ ଦିନ ସ୍ଥିର ହେବ । ଖୁସିରେ ଲଗ୍ନା ର ପାଦ ତଳେ ଲାଗୁ ନ ଥିଲା।ଏମିତି ସବୁ ଅଚାନକ ଘଟିଯିବ ବିଶ୍ୱାସ କରି ପାରୁ ନ ଥିଲା ସେ ।ନିର୍ଦ୍ଧିଷ୍ଟ ଦିନ ଶୁଭଙ୍କର ଙ୍କ ମା ବାପା ମାମୁଁ ଓ ମାଇଁ ଆସିଥିଲେ ତାକୁ ଦେଖିବାକୁ। ସେମାନଙ୍କ ସହିତ ଶୁଭଙ୍କର ଆସି ପାରି ନ ଥିଲେ କିଛି ଜରୁରୀ କାମ ପାଇଁ। ଲଗ୍ନାର ଛାତି ଟା ଭୟ ରେ ପଡ଼ିଲା ଉଠିଲା ଶୁଭ ଆସୁ ନାହାନ୍ତି କିଛି ଅଘଟଣ ଘଟିଯିବନି ତ ।

କନ୍ୟା ଦେଖା ସମୟ ରେ ପ୍ରଥମେ ପ୍ରଶ୍ନ କଲେ ଶୁଭଙ୍କର ଙ୍କ ବାପା "ମୁଁ ଶୁଣିଛି ତୁମେ ଜଣେ ଭଲ ଓଡ଼ିଶୀ ନୃତ୍ୟ ଶିଳ୍ପୀ କିନ୍ତୁ ଆମ ବୋହୂ ହେଲା ପରେ ତମକୁ ନାଚ ଛାଡ଼ିବାକୁ ପଡ଼ିବ"। ଆମ ବୋହୂ ନାଚବାଲି ହୋଇ ପରିବାର ବାହାରେ ବେଶୀ ସମୟ ଦେଉ ଏହା ଆମର ପସନ୍ଦ ନୁହେଁ,"। ଶୁଭଙ୍କର ଙ୍କୁ ପାଇବା ପାଇଁ ଲଗ୍ନା  ତାଙ୍କ କଥାରେ ରାଜି ହୋଇ କହିଲା ଠିକ୍ ଅଛି ପରିବାର ପାଇଁ ନାଚ ଛାଡ଼ିଦେବି।

ପାଠ ପଢ଼ିଲେ ବି ତାଙ୍କ ବୋହୂ ଚାକିରୀ କରିବାକୁ ସେମାନେ ପସନ୍ଦ କରନ୍ତିନି।ଶିକ୍ଷିତ ହେବା ଭଲ କିନ୍ତୁ ଜଣେ ସ୍ତ୍ରୀ ବା ବୋହୂ ର ପ୍ରଥମ କର୍ତ୍ତବ୍ୟ ତାର ପରିବାର ର ସମ୍ପୁର୍ଣ୍ଣ ଦାୟିତ୍ଵ ନେବା।

ଇଚ୍ଛା ନ ଥିଲେ ବି ସେଥିରେ ମଧ୍ୟ ସେ ରାଜି ହୋଇ କହିଲା ଆପଣ ମାନେ ଯାହା ଉଚିତ୍ ମନେ କରିବେ ମୋର ଆପତ୍ତି ନାହିଁ । ନିଜ ପ୍ରେମକୁ ପାଇବାକୁ ସବୁ ପ୍ରକାର ତ୍ୟାଗ କରିବାକୁ ସେ ରାଜି ହୋଇଗଲା। ତେଣୁ ବିବାହ ପ୍ରସ୍ତାବରେ ହଁ ର ମୋହରଟେ ବାଜିଗଲା।

ଚା ଜଳଖିଆ ର ପର୍ବ ଚାଲିଥାଏ । କଥା ବାର୍ତ୍ତା ଚାଲିଥିବା ଭିତରେ ଶୁଭଙ୍କର ର ମାଆ ହଠାତ୍ କହିଲେ ମୋ ପୁଅକୁ ଆପଣ ମାନେ ଦେଖିଛନ୍ତି ,! ନା ଦେଖି ନାହାଁନ୍ତି ବୋଧେ,! ଆଜି ଆସିବା କଥା ଆସି ପାରିଲାନି।ଆସିଥିଲେ ଦେଖିଥାଆନ୍ତେ ଗହମ ପରି ରଙ୍ଗ ମୋ ପୁଅର । ଦେଖୁ ନାହାନ୍ତି ତା ଭାଗ୍ୟ ରେ ପୁଣି ଏମିତି କାଳୀ ଝିଅ ଅଛି କିଏ ଜାଣିଥିଲା। ତାକୁ ତ ପସନ୍ଦ ହେଲା, ଆମେ କଣ କରିବୁ,।

ହଠାତ୍ ପରିବେଶ ଟା ନିରବି ଗଲା ।ଲଗ୍ନା ର ଗୋଡ଼ ଆଡ଼ୁ ଯେମିତି ମାଟି ଖସିଗଲା ମୁହଁ ଉପରେ ଏମିତି କିଏ କହେ ? ନିଜ ଘରକୁ ଫେରି ଆଲୋଚନା କରି ନ ଥାନ୍ତେ। ଶୁଭଙ୍କ ପରି ଗୋରା ନ ଥିଲା ସେ କିନ୍ତୁ ଏତେ କଳା ବି ନୁହେଁ। କାଳୀ ଝିଅମାନଙ୍କୁ ଯେମିତି ବାହା ହେଇ ଘର ସଂସାର କରିବା ମନା । ଏତେ ସମୟ ଧରି ଚୁପ୍ ଥିବା ଲଗ୍ନା ର ବାପା ନିଜ ଝିଅ ର ରଙ୍ଗ କୁ ନେଇ ମିଳିଥିବା ଟିପ୍ପଣୀ କୁ ସହଜ ରେ ହଜମ କରି ପାରିଲେ ନାହିଁ। ତେଣୁ ସେ କହିଲେ ଆଜ୍ଞା ମୋ

ଲିନୁର ରଂଗ ଆପଣଙ୍କ ପୁଅ ଠାରୁ କମ୍ ହୋଇପାରେ କିଏ ମନା କଲା। ରଙ୍ଗ ଟା ଗୋଟେ ବାହ୍ୟ ଆବରଣ। ସେମାନେ ଯେତେବେଳେ ପରସ୍ପର କୁ ପସନ୍ଦ କରିଥିଲେ ରଙ୍ଗ କୁ ନୁହେଁ ଗୁଣ କୁ ହିଁ କରିଥିବେ ବୋଲି ମୋର ବିଶ୍ବାସ। ତା ଛଡା ମୋ ଲିନୂ ପରି ଝିଅ ଭାଗ୍ୟ ରେ ଥିଲେ ମିଳେ। ଆମେ ମାନେ ତା ପାଇଁ ଗର୍ବ ଅନୁଭବ କରୁ।ସେ ପାଠ ପଢା,ସହିତ ନାଚ ଗୀତ ,ରୋଷେଇ,ସିଲେଇ ପରି ସବୁ କାମ ରେ ନିପୁଣା ।ସର୍ବ ଗୁଣ ସମ୍ପନ୍ନା । ।ଝିଅ କୁ ବାହା ଦେବା ପାଇଁ ବାପା ମାନେ କେତେ ଅପମାନକୁ ଆଖିବୁଜି ସହି ଯାଆନ୍ତି, କେତେ ଅସହାୟ ହୋଇ ପଡନ୍ତି ପ୍ରଥମ ଥର ପାଇଁ ଦେଖୁ ଥିଲା ଲଗ୍ନା ନିଜ ସାମ୍ନାରେ ।

ପୁଣି ଶୁଭଙ୍କରଙ୍କ ମା ଯୁକ୍ତି କରି କହିଲେ ଦଗ୍ଧ ମୁଖୀ ଝିଅ ବି ନିଜ ବାପା ମାଆ ଙ୍କୁ ସୁନ୍ଦର ଲାଗେ।ଆପଣଙ୍କ ଝିଅ କୁ ଆପଣ ନିଜେ ପ୍ରଶଂସା କହିବେ ବୋଲି କଣ ସମସ୍ତେ ପ୍ରଶଂସା କରିବେ ନା କଣ ଭାବିଲେ । ଝିଅକୁ ଦେଖି ସାରି ମୁଁ ମୋର ମତ ରଖିଲି । ଝିଅ ରଂଗଟା ତା ନିଜ ମାଆଙ୍କ ଠାରୁ ଆଣିଛି। ଆପଣଙ୍କ ପରି ହୋଇଥିଲେ ବି ଚଳି ଯାଇଥାନ୍ତା।ବୋହୂ ଘରକୁ ଗଲା ପରେ ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ଆମକୁ ଟାହି ଟାପରା କରି କହିବେ । ଆପଣଙ୍କ ଘରକୁ କେହି କହିବାକୁ ଆସିବେ ନାହିଁ। ଆମେ ଶୁଣିବୁ ଚୁପ୍ ରହିବୁ । ଉପାୟ ନାହିଁ ।ପୁଅ ତା ନିଜ ପସନ୍ଦ ରେ ଝିଅ ବାଛିଚି ଯେତେବେଳେ ଆମେ ବାଧ୍ୟ ହୋଇ ଚୁପ୍ ରହିବୁ।

    ସହି ପାରୁ ନ ଥିଲା ଲଗ୍ନା । ନିଜ ଗୋରା ରଙ୍ଗ କୁ ନେଇ କେତେ ଅହଙ୍କାର ୟାଙ୍କ ପାଖରେ। ତାର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ତା ପାଇଁ ବାପା ମାଆ ଙ୍କୁ ଅପମାନିତ ହେବାକୁ ପଡୁଛି । ଆଜି ସହି ଗଲେ ଆଗକୁ ରଙ୍ଗ ର ଏ ଅହଙ୍କାର ବଢ଼ି ବଢ଼ି ଚାଲିବ ।ନା ସେମାନଙ୍କୁ ତ ରଙ୍ଗ କୁ ନେଇ ମନ୍ତବ୍ୟ ଦେବା ଅଧିକାର ସେ ଦେବ ନାହିଁ। ଏଥର ଲଗ୍ନା ଭଦ୍ର ଭାବରେ ଠିଆ ହୋଇ ହାତ ଯୋଡ଼ି କହିଲା କ୍ଷମା କରିବେ, ଅଯଥା ଏଠାରେ ବସି ସମୟ ନଷ୍ଟ ନ କରି ଆପଣ ମାନେ ଆସି ପାରନ୍ତି। ଆପଣଙ୍କ ଘର ପାଇଁ ବୋହୂ ହେବାର ଯୋଗ୍ୟତା ମୋ ପାଖରେ ନାହିଁ।। ମୁଁ ଏଇଠି ଏହି ମୁହୂର୍ତ୍ତରୁ ଆପଣଙ୍କ ପୁଅ ସହିତ ଥିବା ମୋର ସମସ୍ତ ସମ୍ପର୍କ କୁ ଭାଙ୍ଗି ଦେଉଛି। ଏକ ମୁହାଁ ହୋଇ ଭିତର ଘର କୁ ପଶିଗଲା ସେ ଅନ୍ୟ କୌଣସି ଉତ୍ତର କୁ ଅପେକ୍ଷା ନ କରି ।

ଫେରିଗଲା ବେଳେ ଶୁଭଙ୍କର ଙ୍କ ମା କହୁଥିଲେ, ଶୁଭ ଟା ସରଳିଆ ପିଲା ତା ଚାକିରୀ ଦେଖି ପୁରା ଫସେଇ ଦେଇଥିଲା ଏ ଝିଅ । ଭଗବାନ ବଞ୍ଚେଇ ଦେଲେ ଆମକୁ । ଏ କଥା ଗୁଡା କାନକୁ ଖେଂଚି ହେଲା ପରି ଲାଗିଲେ ବି କିଛି କହି ନ ଥିଲେ ଲଗନା ର ମାଆ। ସେ ଖାଲି ଭାବୁ ଥାଆନ୍ତି ନିଜ ଝିଅ କଥା ।ମୋ ଝିଅ ର ମନ ଟା କୁ ଏମାନେ ଖିନ୍ ଭିନ କରିଦେଇ ଗଲେ କେତେ ଦିନ ଲାଗିବ କେଜାଣି ତାକୁ ଏ ଆଘାତକୁ ଭୁଲିବାକୁ ।

ନା ସେଦିନ କିନ୍ତୁ ଲୁହ ବିନ୍ଦୁଟେ ଆଖିରୁ ଗଡ଼େଇ ନ ଥିଲା ଲଗ୍ନା। ମନ ଟା କାଚ ନୁହେଁ ଯେ ଭାଙ୍ଗି ଗଲେ ଶବ୍ଦ ହେବ ।ସେ କିଛି ନ ହେବା ର ଅଭିନୟ କରି ବରଂ ମାଆ ଙ୍କୁ ବୁଝେଇ ଦେଇଥିଲା ଯେ ଆସୁଥିବା ବଡ଼ ବିପଦ ଟା ଅଳ୍ପ ରେ ଟଳି ଗଲା। ସେମାନେ ପ୍ରଥମ ରୁ ହିଁ ଚାହୁଁ ନ ଥିଲେ ତାକୁ ବୋହୁ କରିବାକୁ।ଶୁଭଙ୍କର ଙ୍କ ଜିଦ୍ ପାଇଁ ଆସିଥିଲେ। ସେଥିପାଇଁ ତା ପାଖରେ ନାଚ ଛାଡ଼ିବା, ଚାକିରୀ ନ କରିବା ପରି ସର୍ତ୍ତ ରଖା ଗଲା। ଶେଷ କାର୍ଡ ତାଙ୍କର ମୋ ରଙ୍ଗ ରହିଲା ମାଆ। ଯାହା ସହିବା ଅସମ୍ଭବ ଥିଲା। ଆଜି ଏତିକି ସହିଥିଲେ ଆଗକୁ ରଙ୍ଗ ସହିତ ଯୌତୁକ ,ଉପହାର ଆଦିକୁ ନେଇ ଆଉ କେତେ ନୂଆ ସର୍ତ୍ତ, ଅପମାନ କୁ ସହି ବାକୁ ପଡ଼ି ଥାଆନ୍ତା କିଏ ଜାଣେ। ଆନ୍ତରିକତା ନ ଥିଲେ ସମ୍ପର୍କ ଭିତରେ ଫାଟ ସୃଷ୍ଟି ହୁଏ। । ଭଲ ହେଲା , ଯେଉଁଠି ସମ୍ପର୍କ ର ମୂଲ୍ୟ ନାହିଁ ସେଠାରୁ ଫେରି ଆସିବା ଉଚିତ୍।ମୁଁ ଠିକ୍ ଅଛି ତୁମେ ମୋ ପାଇଁ ଜମା ବ୍ୟସ୍ତ ହୁଅନି।

ପରଦିନ କଲେଜକୁ ଆସିଥିଲେ ଶୁଭଙ୍କର ତାକୁ ଦେଖା କରିବାକୁ । ଲଗ୍ନାକୁ କିଛି କହିବାର ସୁଯୋଗ ନ ଦେଇ ସବୁ ଦୋଷ ଲଦି ଦେଲେ ତା ଉପରେ। ଲିନୁ ଯଦି ତମର ପସନ୍ଦ ମୁଁ ନ ଥିଲି , ମୋତେ କହିଦେଇ ଥିଲେ ଭଲ ହେଇ ଥାଆନ୍ତା। ଆଗକୁ ଆଗେଇ ନ ଥାଆନ୍ତେ। ମୋ ପରିବାରର ଗୁରୁଜନମାନ ଙ୍କ ମୁହଁ ଉପରେ ଜବାବ ଦେଇ କଥା କହିବା ଅନ୍ତତଃ ପକ୍ଷେ ମୁଁ ତମ ଠାରୁ ଆଶା କରି ନ ଥିଲି ଲୀନୁ। ଏବେ କଥା କେତେ ଆଗକୁ ବଢ଼ିଗଲା ତାର ଅନ୍ଦାଜ ତମେ ଲଗେଇ ପାରିବନି। ଏ ବାହାଘର ଏବେ ଆଉ ହୋଇ ପାରିବ ନାହିଁ ବୋଲି ମୋର ସନ୍ଦେହ। କେହି ରାଜି ନାହାନ୍ତି ।

ଲଗ୍ନା ଧୀର ଭାବରେ କହିଲା ପାରିବ ତ ମୋତେ କ୍ଷମା କରିଦେବ। ମୁଁ ମୋର ନିଷ୍ପତ୍ତି ଗତ କାଲି ଶୁଣେଇ ଦେଇଛି,ଯାହା ବଦଲେଇବା ଅସମ୍ଭବ। । ସବୁ ଭଲ ପାଇବା ସଫଳ ହୁଏନି କି ତାର ଶେଷ ପରିଣତି ବିବାହ ହୋଇ ନ ଥାଏ । ତୁମକୁ ମୁଁ ଗତ କାଲି ଠାରୁ ମୋ ସହିତ ଥିବା ସମସ୍ତ ସମ୍ପର୍କ ର ବନ୍ଧନ ରୁ ସବୁଦିନ ପାଇଁ ମୁକ୍ତ କରିଦେଇଛି।। ତୁମେ ତୁମ ପରିବାରର ପସନ୍ଦ ମୁତାବକ ଝିଅ ଟେ ଦେଖି ବାହା ହୋଇ ଖୁସି ରେ ରୁହ ।ମୋର କିଛି ଅଭିଯୋଗ ନାହିଁ। ଲଗନା କ୍ଲାସକୁ ଫେରି ଗଲା ବେଳେ ଶୁଭଙ୍କର ରାଗରେ କହୁଥିଲେ ସ୍ୱାର୍ଥପର ଝିଅ ! ପ୍ରେମର ମାନେ ତମେ କଣ ବୁଝିବ ତମ ଇଗୋ ଟା ତମ ପାଇଁ ବଡ । ଇଗୋ ନୁହେଁ ତା ଆତ୍ମ ସମ୍ମାନ ର କଥା ଥିଲା ସେଦିନ। ଏବେ ବି ଛାତି ଧଡ଼ ଧଡ୍ ହୁଏ ଏହି ଇଗୋ ଶବ୍ଦ ଟା ଯେତେ ବେଳେ ତା କାନ ରେ ପ୍ରତିଧ୍ଵନି ସୃଷ୍ଟି କରେ। ଇଗୋ ମାନେ କଣ ବୁଝନ୍ତି ଶୁଭଙ୍କର । ସେ ବହୁତ୍ ଅନ୍ୟମନସ୍କ ହୋଇ ଫାଇଲ ର ପୃଷ୍ଠା ଗୁଡା ଲେଉଟାଇ ଚାଲୁଥିଲା ପଶି ଆସିଲେ ତା ଚାମ୍ବର ଭିତରକୁ ଶୁଭଙ୍କର ,ସାମନା ଚେଆର୍ ଟା ରେ ବସି ପଡ଼ି କହିଲେ ଲିନୁ , ତମ ଖବର କଣ? ଅନେକ ଦିନ ପରେ ଦେଖା ।ତମ ଭଲମନ୍ଦ ଖବର କୁହ ।ସେ ଶୁଭଙ୍କର ଙ୍କୁ ଚାହିଁ ସଂକ୍ଷିପ୍ତ ଉତ୍ତର ଟେ ଦେଇଦେଲା ସବୁ ଭଲ । ଶୁଭଙ୍କର କଥା ଯୋଡ଼ି କହିଲେ ଏତେ ଦିନ ପରେ ତମର ରାଗ ଟିକିଏ ବି କମିନି ଲିନୁ। ପଦେ କଥା ହେବାକୁ ପସନ୍ଦ କରୁନ।

ପୁଣି ଧୀର ଭାବେ ଉତ୍ତର ଦେଲା ଲଗ୍ନା, ନା। ରାଗିନି ।ବରଂ ତମ କୁ ଧନ୍ୟବାଦ ଦେବି ।ସେଦିନ ର ସେହି ଘଟଣା ପରେ ମୁଁ ବ୍ୟାଙ୍କର ଭାବେ ନିଜର କ୍ୟାରିୟର ଆରମ୍ଭ କରି ସ୍ବାବଲମ୍ବୀ ହୋଇପାରିଛି । ଝିଅ ହେଇ ମଧ୍ୟ ନିଜ ବାପା ମା ଙ୍କ ପାଖରେ ରହି ପାରିଛି। ଓଡ଼ିଶୀ ପ୍ରଶିକ୍ଷଣ କେନ୍ଦ୍ରଟେ ଖୋଲି ଅନେକ ପିଲାଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇ ମୋ ସ୍ଵପ୍ନକୁ ପୂରଣ କରି ପାରିଛି ।ସବୁଠୁ ବଡ଼ କଥା ହେଲା ମୁଁ ମୋ ନିଜ ରୁଚିରେ ନିଜ ଜୀବନକୁ ବଞ୍ଚି ପାରିଛି। ଆଶ୍ଚର୍ଯ୍ୟ ଭାବରେ ଶୁଭଙ୍କର ପ୍ରଶ୍ନ କଲେ, ମାନେ ତମେ ପୁରା ଏକୁଟିଆ ! ବିବାହ କରିନ ।

ହସିଲା ଲଗ୍ନା କହିଲା ଏକୁଟିଆ କେତେ ବେଳେ ହେଲି , କହିଲି ତ ବାପା ମା ଙ୍କ ପାଖରେ ରହିଛି । ବେଳ ଅବେଳରେ କିଛି ପୁରୁଣା ସ୍ମୃତି ମୋତେ ଏକୁଟିଆ ହେବାକୁ ଦିଅନ୍ତନି।

ଦୋଷୀ ଟିଏ ପରି ଶୁଭଙ୍କର ଆରମ୍ଭ କଲେ ସେଦିନ କଲେଜରେ ତମକୁ ଦୁଇ ଚାରିପଦ ରାଗ ଓ ଅଭିମାନରେ କହି ଘରକୁ ଫେରିଲି। ଭାବିଥିଲି ତମେ ମନ ପରିବର୍ତ୍ତନ କରି ପୁଣି ପଛକୁ ଫେରିବ। ସେମିତି କିଛି ହେଲାନି ତମେ ତମ ଜିଦି ଆଉ ମୁଁ ମୋ ଜିଦ୍ ରେ ରହିଲି। ସମୟ ଗଡିଗଲା। ଶେଷ ରେ ମାଆ ଠିକ୍ କରିଥିବା ପ୍ରସ୍ତାବ ରେ ରାଜି ହୋଇ ଗଲି ବାହା ହେବା କୁ କେବଳ ତମ ଠାରୁ ପ୍ରତିଶୋଧ ନେବା ପାଇଁ।କିନ୍ତୁ ବାହା ଘର ପରେ ମାଇଁଙ୍କ ଠାରୁ ସବୁ ଶୁଣିଲି ଯାହା ଯାହା ଘଟିଥିଲା ତୁମ ସହିତ। ସେତେବେଳକୁ ସମୟ ମୋ ହାତ ମୁଠା ରୁ ଖସି ସାରିଥିଲା। ତମକୁ କେମିତି ବୁଝି ପାରିଲିନି ଯେ, ତା ପରେ ତମକୁ ଦେଖା କରି କ୍ଷମା ମାଗିବାକୁ କଲେଜ ଯାଇଥିଲି ଦୁଇ ତିନି ଥର। ତୁମେ ବହୁତ ଦିନ ଧରି ଅନୁପସ୍ଥିତ ରହି କଲେଜ ଆସୁ ନ ଥିଲ ।.ତମ ସାଙ୍ଗ ଶାଶ୍ବତୀ କହିଲା ତମେ ତମ ଓଡ଼ିଶୀ ଗ୍ରୁପ୍ ସହିତ ଇଉରୋପ ଚାଲି ଯାଇଛ ପ୍ରୋଗ୍ରାମ ରେ। ତା ପରେ ଅନେକ ଥର ଚେଷ୍ଟା କରି ମଧ୍ୟ ତମକୁ ଭେଟି ପାରିନି । ଧୀରେ ଧୀରେ ମୁଁ ଖୋଜିବା ବନ୍ଦ କରିଦେଲି କାରଣ ତମ ସାମନା କୁ ଆସିବାକୁ ମୋର ସମସ୍ତ ସାହସ ହରେଇ ବସିଲି । ଆଜି ଏମିତି ଦେଖା ହେଇଯିବ ଭାବି ନ ଥିଲି। ମୋତେ କ୍ଷମା କରିଦେବ ଲିନୁ । ଲଗ୍ନା ଥିଲା ବେଶ୍ ସ୍ଥିର । ଗମ୍ଭୀର ଭାବରେ କହିଲା ଏ ସବୁ ବହୁତ ପୁରୁଣା କଥା।ସେ ସମୟ କେବେ ଠୁ କଡ ଲେଉଟେଇ ଫେରି ଗଲାଣି। ପଛକଥା ଭାବି ଲାଭ କଣ । ମୋ ଲାଗି ମୋର ଏ ଜୀବନ କୁ ମୁଁ ନିଜେ ବାଛି ନେଇଛି। ମୁଁ ବନ୍ଧନ ମୁକ୍ତ ହୋଇ ନିଜ ଇଚ୍ଛା ନିଜ ରୁଚିରେ ବଞ୍ଚିବାକୁ ପସନ୍ଦ କଲି । ସେଥିପାଇଁ ମୁଁ କାହାକୁ ଦୋଷ ଦେଇନି ତମକୁ ନା ମୋ ଭାଗ୍ୟ କୁ କିମ୍ବା ଭଗବାନ ଙ୍କୁ ମଧ୍ୟ ନୁହେଁ। ମୁଁ ଯେମିତି ଥିଲି ସେମିତି ଅଛି ମୋ କାମକୁ ନେଇ ବେଶ୍ ଖୁସି ରେ ଅଛି।।

ଆମେ କଣ ଭଲ ବନ୍ଧୁ ହୋଇ ପାରିବାନି ଲିନୁ ?

ହସିଲା ଲଗ୍ନା ଏତେ ଦିନ ପରେ ଯଦି କେହି କାହାରିକୁ ଭୂଲି ପାରିନେ ପୁଣି କଥା ହେଉଛେ ମାନେ ଆମ ଭିତରେ ବନ୍ଧୁତା

ଅଛି। ରହିବ ମଧ୍ୟ । ଜୀବନ ଏମିତି ବାରମ୍ବାର ପରୀକ୍ଷା ନିଏ ,ମଣିଷ କୁ ଦୁର୍ବଳ କରିବା ପାଇଁ । ଆମେ ଆମ ଜୀବନ ରେ ବହୁତ୍ ଆଗକୁ ବଢ଼ି ଯାଇଛେ ସେଠି ଏ ପୁରୁଣା ସମ୍ପର୍କକୁ ନେଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବା ଅପେକ୍ଷା ଦୂରତା ବଜାୟ ରଖିବାକୁ ମୁଁ ପସନ୍ଦ କରିବି ।ଅନେକ ଅପରିଚିତ ଙ୍କ ପରି ଆମେ ଅପରିଚିତ ହୋଇ ରହିବା ହିଁ ଭଲ। ଆଶା କରିବି ତମେ ମୁଁ କହିବାକୁ ଚାହୁଁ ଥିବା କଥାକୁ ବୁଝି ପାରିବ ଶୁଭଙ୍କର କହିଲେ ସେଦିନ ଓ ଆଜି ଭିତରେ ତୁମ ବ୍ୟବହାରରେ ବିଶେଷ କିଛି ପରିବର୍ତ୍ତନ ହୋଇନି।ସେଦିନ ତମ କଥା କୁ ତମ ଇଗୋ ବୋଲି ଭାବିଥିଲି। ଏବେ ତୁମ ସ୍ୱାଭିମାନ କୁ ସମ୍ମାନ ଦେଉଛି।

ଲଗ୍ନା ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା । ଲୁହକୁ ପୋଛି ଦେଉ ଦେଉ କହିଲା ସେଦିନ ତୁମେ ମୋ ସହିତ ଥିଲ ଏବେ ବି ରହିଛ ମୁଁ ମରିବା ପର୍ଯ୍ୟନ୍ତ ରହିବ ।ଏବେ ତୁମେ ଫେରି ଯାଅ ଶୁଭ ମୋତେ ଦୁର୍ବଳ କର ନାହିଁ ବରଂ ସାହସ ଦିଅ ମୁଁ ଯେମିତି ଦମ୍ଭ ର ସହିତ ମୋର ବାକି ସମୟ କାଟି ଦେବି।

ଶୁଭଙ୍କର ସ୍ଥାଣୁଟେ ପରି ଛିଡ଼ା ହୋଇ ଲଗ୍ନାକୁ ଚାହିଁ ହଜିଗଲେ ପୁଣି ସେହି ଦୂର ଅତୀତର ସ୍ମୃତିରେ। କାରଣ ଆଜି ଲଗ୍ନା ଆଖିରୁ ଝରି ପଡ଼ୁଥିବା ଲୁହ ବିନ୍ଦୁକୁ ପୋଛିଦେବା ଅଧିକାରକୁ ହରାଇ ସାରିଛନ୍ତି ଅନେକ ଦିନରୁ ।


Rate this content
Log in

Similar oriya story from Romance