Sanuja Meghamala

Drama

3  

Sanuja Meghamala

Drama

ଅମଣିଷ

ଅମଣିଷ

6 mins
188


ଥରେ ଥରେ ଗୋଟେ ଏମିତି ଘଟଣାକୁ ସାମ୍ନା କରିବାକୁ ପଡ଼େ ଯେ ଯେତେ ଚାହିଁଲେ  ଭୁଲିବାକୁ ସେ କଥା ଭୂଲିହୁଏ ନାହିଁ। ମନେ ପକେଇବାକୁ ଇଚ୍ଛା ନ ଥିଲେ ବି ବାରମ୍ବାର ସେ ସବୁ ଆସି ଆଖିରେ ଅନବରତ ଭାସି ଉଠନ୍ତି। ବ୍ୟସ୍ତ ଓ ବିବ୍ରତ କରନ୍ତି।ନାଚାର ମଣିଷ ସହି ପାରେନି କି କହିପାରେନା ।

"ଆତ୍ମୀୟ" ବୃଦ୍ଧାଶ୍ରମ କୁ ଦୁଇ ସପ୍ତାହ ତଳେ  "ବନ୍ଧନ"ମହିଳା ସମିତି ସଦସ୍ୟା ମାନଙ୍କ ସହିତ ଯାଇଥିଲା ଶ୍ରଦ୍ଧା। ତାଙ୍କ ମହିଳା ସମିତିର ସଦସ୍ୟା ମାନେ  ସହରରେ ଗଢି ଉଠୁଥିବା ଅନଗ୍ରସର ବସ୍ତି , ଅନାଥାଶ୍ରମ , ବୃଦ୍ଧାଶ୍ରମକୁ ବର୍ଷରେ ଥରେ ଦିଥର ଯାଇ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଅନ୍ୟ ସାହାଯ୍ୟ ଓ ସହଯୋଗ କରିଥାନ୍ତି। ସେହି କ୍ରମରେ ସେମାନେ  ଏଥର " ଆତ୍ମୀୟ" କୁ ଯାଇଥିଲେ।

" ଆତ୍ମୀୟ" ର ଅନ୍ତେବାସୀ ମାନେ କେହି ପ୍ରକୃତ ରକ୍ତ ସମ୍ପର୍କର ନୁହନ୍ତି। ପରିଣତ ବୟସରେ ନିଜ ପିଲାମାନଙ୍କ ଦ୍ଵାରା ଉପେକ୍ଷିତ ହୋଇ ଗୋଟିଏ ଛାତ ତଳେ ଆଶ୍ରୟ ନେଇ ସେମାନେ ସମୟ ସ୍ରୋତ ରେ ଆତ୍ମୀୟ ବନି ଯାଇଛନ୍ତି । ନିଜ ନିଜ ଭିତରେ ଅତୀତର ସୁନ୍ଦର ମଧୁର ,ପୁରୁଣା ସ୍ମୃତି ସହିତ ବର୍ତ୍ତମାନ ପରିବାରରେ କିପରି ଅଲୋଡ଼ା ଅଦରକାରୀ ହୋଇଗଲେ ତାର ତିକ୍ତ ଅନୁଭୂତିକୁ ବାଣ୍ଟି ସେମାନେ କିଛି ସମୟ ପାଇଁ ନିଜର ଦୁଃଖକୁ ଭୂଲି ଯାଆନ୍ତି। ପର ଭାବନା ମନରୁ ଦୂରେଇ ଦେଇ ନିଜର ହୋଇ ଯାଆନ୍ତି। ଥରେ ଥରେ ପୂର୍ବ ଜନ୍ମର କର୍ମଫଳ କହି ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇ ଲୁହ ଗଡାନ୍ତି।

  ଦିନେ ଏହି ଅସହାୟ ମଣିଷ ମାନେ ନିଜ ପୁଅଝିଅଙ୍କୁ ମଣିଷ କରି ସମାଜରେ ପ୍ରତିଷ୍ଠିତ କରିବା ପାଇଁ ନିଜର ଧନ ସଂପତ୍ତି,ସମୟ ଓ ବୟସକୁ ପଛରେ ପକେଇ ଦେଇଥିଲେ । ଅଥଚ ଆଜି ବୃଦ୍ଧ ବା ବୃଦ୍ଧା ବୟସରେ ସେମାନଙ୍କୁ ପୁଅ ଝିଅ ମାନେ ସାହାରା ଦେବେ କଣ ବୋଝ ମନେ କରି ଘରୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଯାଇଛନ୍ତି ଦୈନନ୍ଦିନ ଝାମେଲା ଓ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ। ପଇସାର ଅଭାବ ନୁହେଁ ସମୟର ଅଭାବ ।ସ୍ନେହ,ମମତା, ଭଲ ପାଇବାର ଅଭାବ। କର୍ତ୍ତବ୍ୟ ବୋଧ ଓ ସମ୍ମାନର ଅଭାବ।

ବୃଦ୍ଧାଶ୍ରମ ଗଲେ ସେଠାରେ ଭଳି କି ଭଳି ସମସ୍ୟା କୁ ସାମ୍ନା କରିଥିବା ମଣିଷ ମାନଙ୍କୁ ଭେଟେ ଶ୍ରଦ୍ଧା। ସେମାନଙ୍କ କଥା ଶୁଣେ। ଆଶ୍ୱାସନା ଦିଏ। ସେମାନଙ୍କ ଦୁଃଖ ରେ ଦୁଃଖୀ ହୁଏ। ଦି ପଦ ମିଠା ମିଠା ମନଛୁଆଁ କଥା ସହିତ ଚିରାଚରିତ ଭାବରେ ଭଜନ ଟେ ଗାଇ ରାମାୟଣ ଭାଗବତ ହେଉ କି ଗୀତା ରୁ ଦୁଇପଦ ଆଲୋଚନା କରି ପରିବେଶ ଟାକୁ ଟିକେ ହାଲ୍କା କରିଦିଏ। ଖୁସି ଟିକେ ବାଣ୍ଟିବାକୁ ଚେଷ୍ଟା କରେ। କଥା ହୋଇ କିଛି ସମୟ ପାଇଁ ସେମାନେ ନିଜ ଦୁଃଖ ଭୂଲି ଖୁସି ହୁଅନ୍ତି। ହସନ୍ତି। ମହିଳା ସଦସ୍ୟା ମାନେ ନେଇଥିବା ଫଳ,ଶୁଖିଲା ଓ ରନ୍ଧା ଖାଦ୍ୟ ଖୋଇ ଦିଅନ୍ତି। ଔଷଧ,ନୂଆ ଲୁଗାପଟା,କମ୍ବଳ ବା ଚାଦର ସହିତ   ବହିପତ୍ର ମାଗାଜିନ୍  ପଢ଼ିବା ପାଇଁ ଦିଅନ୍ତି ଅନ୍ତେବାସୀମାନଙ୍କୁ। କିଛି ସମୟ ପାଇଁ ସ୍ନେହ ମମତା ଓ ଆପଣା ପଣର ମହକରେ ଭିଜେଇ ଦିଅନ୍ତି ସେହି ଅଲୋଡ଼ା ମଣିଷ ମାନଙ୍କୁ।

ସେଠାରୁ ଫେରି ଆସିଲା ପରେ ଶ୍ରଦ୍ଧା ପୁଣି ତାର ଦୈନନ୍ଦିନ ଜୀବନ ର ରୁଟିନରେ ଵ୍ୟସ୍ତ ହୋଇଯାଏ।। ହେଲେ ଏଥର ଭେଟିଥିବା ନୂଆ ମାଉସୀ ଜଣଙ୍କ ଶ୍ରଦ୍ଧାର ମନକୁ ପୁରା ଆବୋରି ନେଇଛନ୍ତି। ୟା ପୂର୍ବରୁ ଭେଟିଥିବା ସବୁ ବୃଦ୍ଧ ବା ବୃଦ୍ଧା ଙ୍କ ର ପ୍ରାୟ ଏକା ଧରଣର ଅଭିଯୋଗ ଥାଏ ଯେମିତି ବାହାଘର ପରେ ପୁଅ ବଦଳିଗଲା, ବା ବୋହୂର ବ୍ୟବହାର ଦିନକୁ ଦିନ ଅସହ୍ୟ ହୋଇଉଠିଲା।ଶେଷରେ ଦିନେ ବୋହୂ  ତାଙ୍କ ବ୍ୟବହୃତ ଜିନିଷ ପତ୍ର ବାହାରକୁ ଫିଙ୍ଗି ଦେଇ ଘରୁ ତଡିଦେଲା। ପୁଅମାନେ ଭିନ୍ନେ ହୋଇ ଅଲଗା ହୋଇଗଲା ପରେ ବାପା ମାଆ ବି ଭାଗ ବଣ୍ଟା ହେଲେ । ଏ ମାସ ଗୋଟେ ପୁଅ ପାଖରେ ତ ଅନ୍ୟ ମାସଟି ଆଉ ଗୋଟେ ପୁଅ ପାଖରେ ।ଶେଷରେ ସମାଧାନ ହୋଇ ନ ପାରି ଏ ବୃଦ୍ଧାଶ୍ରମଙ୍କୁ ତାଙ୍କ ଶେଷ ସମୟର ଠିକଣା କରି ଦିଅନ୍ତି। କେଉଁଠି ପୁଅମାନେ ବିଦେଶରେ ଚାକିରୀ କରି ଦୂରରେ ଥିବାରୁ ଅସହାୟ ବାପା ମା ମାନଙ୍କ ଦାୟିତ୍ଵ ନେଇ ନ ପାରି ଶେଷରେ ଏମିତି ବୃଦ୍ଧାଶ୍ରମ ରେ ଛାଡ଼ିଯାନ୍ତି ତାଙ୍କ ବାକିତକ ଜୀବନକୁ ମରି ମରି ବଞ୍ଚିବା ପାଇଁ। ଏ ସବୁ ଘଟଣା ତାର ଦେହ ସୁହ ହେଇଯାଇଛି।

କିନ୍ତୁ ଏଥର ଶ୍ରଦ୍ଧା ଭୂଲି ପାରୁନି ଭେଟିଥିବା ନୂଆ ହୋଇ ଆସିଥିବା ସେହି ମାଉସୀଙ୍କୁ। ମାଉସୀଙ୍କୁ ଯେବେ ସେ ବୃଦ୍ଧାଶ୍ରମକୁ ଆସିବାର କାରଣ ପଚାରିଲା ଉତ୍ତରରେ ଥକ୍କା ହୋଇ ରହିଗଲା। ଆଶ୍ଚର୍ଯ୍ୟ ହେଲା ତାଙ୍କ ମନରେ ଦୁଃଖ ନାହିଁ କି,ଅସହାୟ ଭାବ ନାହିଁ।

ମାଉସୀ କହିଲେ ଭଗବାନ ମୋ ଖୁସି ସହି ପାରିଲେନିରେ ମା। ସଞ୍ଜବେଳେ ବୋହୂ ପରିବା ପାଇଁ ମାର୍କେଟ ଯାଇଥିଲା। ଅଚାନକ ଗୋଟେ ପଥର ଝୁଣ୍ଟି ପଡ଼ିଲା । ମୁଣ୍ଡ ଫାଟି ରକ୍ତ ର ଧାର ଛୁଟିଲା। ସେଠିକାର ଦୋକାନୀ ମାନେ ଅପେକ୍ଷା ନ କରି ହସ୍ପିଟାଲ ନେଲେ ।ଘରକୁ ଫୋନ କଲେ। ପୁଅ ପହଞ୍ଚିବା ପୂର୍ବରୁ ସବୁ ଶେଷ। କିଛି କରି ହେଲାନି ତା ପାଇଁ ।ମୋତେ ହେଲେ ମରଣ ହୋଇଥାନ୍ତା। ନା...ଦୁଃଖ ଅନିଭୋଗ କରିବାକୁ ଅଛି ମୋତେ। ଯମ ଲକ୍ଷ୍ମୀ ପ୍ରତିମା ପରି ମୋ ସୁଶୀଳା ଗୁଣୀ ବୋହୂ କୁ ନେଇଗଲା। ବୋହୂ ନୁହେଁ ସେ ମୋ ଝିଅ ଥିଲା। ଝିଅ। ।ମୋର ସବୁ ଭଲ ମନ୍ଦ ବୁଝି ସେବା ଯତ୍ନ କରି ମୋତେ ବହୁତ୍ ଭଲ ରେ ରଖିଥିଲା ସେ । ଆର ଜନ୍ମ ରେ ସେ ମୋ ମା 'ଥିଲା '। ଭଗବାନ ମୋ ସଂସାର ଭସେଇ ଦେଲେ ଆଉ ମୋତେ ଘର ଛଡା ଭିକାରୀ କରିଦେଲେ।

ଶ୍ରଦ୍ଧା ମାଉସୀ ଙ୍କ ଆଖିରୁ ଲୁହ ପୋଛିଦେଇ କହିଲା .. ଆପଣ ଏଠିକୁ ଆସିଲେ କାହିଁକି ଓ କିପରି?

ମାଉସୀ ନିଜ ଆଖିରୁ ଲୁହ ପୋଛି ତାଙ୍କ କାହାଣୀ କହିଲେ....

ବୁଝିଲ ମା ମୋତେ ୮୦ ବର୍ଷ ହେଲାଣି। ତୁମ ମଉସା ଯିବା ୟା ଭିତରେ ୧୦ ବର୍ଷ ହେଲାଣି। ମଉସା ଯିବା ପରେ ମୋ ବୋହୂ ମୋତେ ଜମା ଏକୁଟିଆ ଛାଡେନି। ଛୋଟ ରୁ ଛୋଟ ଆବଶ୍ୟକତା କୁ ପୂରଣ କରିଥାଏ। ସେ ପାଖରେ ଥିଲେ ମୋର କିଛି ଚିନ୍ତା ନ ଥିଲା ଦୁଃଖ ବି ନ ଥିଲା।  ପୁଅକୁ ଘର ର ଭଲମନ୍ଦ , ଛୁଆଙ୍କ ଦାୟିତ୍ୱ କି ବନ୍ଧୁ ବାନ୍ଧବ ବୁଝିବାକୁ ସମୟ ନ ଥାଏ ।ତା ଚାକିରି ଭଲ ସେ ଭଲ।୪ଝିଅ ରେ ଗୋଟିଏ ପୁଅ। ସାନ ପିଲା ହିସାବ ରେ ପ୍ରଥମରୁ ସେ ଟିକେ ଫୁଲା ଫାଙ୍କିଆ ।

ଏବେ ବୋହୂର ଏ ଅକାଳ ମୃତ୍ୟୁ ପରେ ସବୁଠୁ ବେଶୀ ହନ୍ତସନ୍ତ ମୋ ପୁଅ ହଉଛି। ତା ଦୁଃଖ ଆଖିରେ ଦେଖିହଉନି କି ସହି ହଉନି। ତାର ଦୁଇ ପୁଅ ଙ୍କ ଭିତରୁ ବଡଟାକୁ ୧୨ ବର୍ଷ ସାନକୁ ୭ ବର୍ଷ । କାହା କଥା ବୁଝିବ ସେ ? ରୋଷେଇ ସହିତ ପିଲା ଓ ମୋ ଖବର ବୁଝିବା ପାଇଁ  ଦୁଇଟି ଲୋକ ରଖିଲ।। ସେ ପିଲା ରହିଲେ ରୋଷେଇ ସହିତ ଘର କାମ ସିନା କଲେ ।କିନ୍ତୁ ମୋତେ ଠିକ୍ ସମୟରେ ମେଡିସିନ ଦେଲେ ନାହିଁ। ମୋର ଦେହ ବାରମ୍ବାର ଖରାପ ହେଲା

 ମା ଛେଉଣ୍ଡ ପିଲା ଦୁହିଁଙ୍କ ର ଉଦାସିଆ ମୁହଁ, ପୁଅର ଥକିଲାଚେହେରା ମୋତେ ବ୍ୟସ୍ତ ବିବ୍ରତ କରିଦେଲା। ମୋର ନ ପାରିବା ପଣ ଟା ବୋଝ ଉପରେ ଲଳିତା ବିଡା ସଦୃଶ ଲାଗିଲା। ମୁଁ ସ୍ଥିର କଲି ମୁଁ ପୁଅ ଉପରେ ଆଉ ବୋଝ ହେବିନି।

ଚାରି ଚାରି ଟା ଝିଅ। ଜଣ ଜଣ ଙ୍କୁ ମୁହଁ ଖୋଲି କହିଲି.. ଏବେ ତମେ ମାନେ ଏଠି ଆସି କିଛି ଦିନ ଲେଖାଏଁ ରୁହ ନଚେତ୍ ତମ ଘରକୁ ନେଇ ମୋତେ ନେଇ କିଛି କିଛି ଦିନ ରଖ । ସମସ୍ତେ ନିଜ ସମସ୍ୟା କଥା କହିଲେ। ସମାଧାନ କଥା କେହି ଭାବିଲେନି..।ଜଣେ କେହି ଆଗକୁ ବାହାରି କହିଲା ନାହିଁ ମା ଚାଲ ମୋ ପାଖରେ ରହିବ। ମୁଁ ତୁମ ଦାୟିତ୍ଵ ନେବି। ନା ସେମିତି ସୌଭାଗ୍ୟ ମୋର ନ ଥିଲା । ବୃଦ୍ଧା ଅସୁସ୍ଥ ମାଆ ତାଙ୍କ ପାଇଁ ବୋଝ ପାଲଟି ସାରିଥିଲା।

ଝିଅଙ୍କୁ ପୁଅ ପରି  ସ୍ନେହ ମମତା ସହିତ ଶିକ୍ଷା   ଦେବାରେ କେବେ ପାତର ଅନ୍ତର କରି ନ ଥିଲୁ ଆମେ। ବରଂ ପୁଅ ଠାରୁ ଅଧିକ ଭଲ ପାଇବା ଦେଇଥିଲୁ ଝିଅ ମାନଙ୍କୁ।।କିନ୍ତୁ ଆଜି ମୋର ସେହି ଝିଅ ମାନେ ଭୂଲିଗଲେ ମାଆ ପ୍ରତି ସେମାନଙ୍କର ମଧ୍ୟ ଦାୟିତ୍ଵ ଅଛି ,କର୍ତ୍ତବ୍ୟ ଅଛି ବୋଲି। ଖାଲି ପୁଅ ହିଁ ବାପା ମାନଙ୍କର ଦାୟିତ୍ଵ ନେବ । ଝିଅ ନେବ ନାହିଁ ଏମିତି କଣ କେଉଁଠି ଲେଖା ଅଛି। ଯେଉଁ ଝିଅମାନେ ଭାଉଜ ଥିଲାବେଳେ ପାନରୁ ଚୁନ ଖସି ଗଲେ ଘର କଂପେଇ ପର ଝିଅ କୁ ଦୁଇ ଚାରିପଦ ଶୁଣେଇ ଦେଉଥିଲେ । ଆଉ ମୋତେ କହୁଥିଲେ ଏଠି ତମର ଚଳିବାରେ ଅସୁବିଧା ହେଉଛି ଆମ ପାଖରେରେ ରହିବ ଚାଲ ମା । ଏବେ ସେମାନେ ନିଜ ଉପରେ ପଡ଼ିଲା ବେଳେ ବାହାନା ଦେଖାଇଲେ। ବଡ଼ କହିଲା ତାର ବୟସ ହେଲାଣି କାମକୁ ପାରୁନି, ବଡ଼ ମଝିଆଁ ଝିଅ ତା ଝିଅ ପାଖକୁ ଯିବ ।ସାନ ମଝିଆ ଝିଅ ର ଶାଶୁ ଶଶୁରଙ୍କ ଦେହ ଖରାପ ସେମାନେ ଆସି ତା ପାଖରେ ରହିବେ। ସାନଝିଅ ଚାକିରି କରିଛି ତାକୁ ସୁବିଧା ହେବ ନାହିଁ। ସମସ୍ତେ ବାହାନା ଦେଖେଇ ଖସିଗଲେ।ନିଜ ଜନ୍ମ କଲା ଝିଅମାନଙ୍କର ଏମିତି ଅଲୋଡ଼ା ବ୍ୟବହାର ମୋତେ ଖୁବ୍ ବାଧିଲା। ସେଥିପାଇଁ ମୁଁ ନିଜେ ସ୍ଥିର କଲି ବୃଦ୍ଧାଶ୍ରମ ରେ ରହିବା ପାଇଁ। ଏଠି ସମସ୍ତ ଙ୍କ ର ସମାନ ଦୁଃଖ। ନିଜ ସନ୍ତାନ ମାନଙ୍କ ଦ୍ଵାରା ଅବହେଳିତ ହୋଇ ଜରା ନିବାସ କୁ ନିଜର ନୂଆ ଠିକଣା ବନେଇଛନ୍ତି।ଆମେ ନିଜ ଭିତରେ ନିଜ ଅତୀତ ଓ ବର୍ତ୍ତମାନର ସୁଖ ଓ ଦୁଃଖ କୁ ବାଣ୍ଟି ଦେଉଛୁ। ସମବେଦନା ଭରା ପଦେ ପଦେ କଥାରେ ସେ ଦୁଃଖ ଭୂଲି ଖୁସି ହେଉଛୁ।ନିଜ ପିଲାମାନେ ସେମାନଙ୍କ କର୍ତ୍ତବ୍ୟ ଭୂଲି ପଚାରୁ ନାହାଁନ୍ତି..ଆମେ ଏଠି ଏକାଠି ହୋଇ ଗୋଟେ ନୂଆ ପରିଚୟ ଓ ପରିବାର ଗଢି ଖୁସିରେ ରହିବାକୁ ଚେଷ୍ଟା କରୁଛୁ।

ମୁଁ ଜମା ଦୁଃଖୀ ନୁହେଁ। ପ୍ରାୟ ପ୍ରତିଦିନ ମୋ ପୁଅ ତା ସମସ୍ୟା ବହୁଳ ଜୀବନ ଭିତରୁ ସମୟ ବାହାର କରି ମୋତେ ଦେଖିଯାଏ ଏବଂ ମୋର ଭଲ ମନ୍ଦ ପଚାରି ବୁଝିଯାଏ ଆଉ ମୁଁ ସେତିକି ରେ ଖୁସି। ବୟସ ହେଲା ପରେ ଟିକିଏ ସ୍ନେହ ମମତା ହିଁ ମଣିଷ ଆଶାକରେ ନିଜ ସନ୍ତାନ ମାନଙ୍କ ଠାରୁ।

ମାଉସୀ ତାକୁ ବୁଝେଇ ଦେଇଥିଲେ ଆଜି କାଲି ପୁଅ ହେଉ ବା ଝିଅ କେହି ବୃଦ୍ଧ ପିତା ମାତାଙ୍କ ଦାୟିତ୍ଵ ନେବାକୁ ପ୍ରସ୍ତୁତ ନାହାନ୍ତି । ଏବେ ସନ୍ତାନ ମାନେ ବାପା ମାଆ ଙ୍କୁ ବୋଝ ବୋଲି ଭାବୁ ଛନ୍ତି। ଭୂଲି ଯାଉଛନ୍ତି ଦିନେ ବାପା ମା ସେମାନଙ୍କ ପାଇଁ କଣ କରିଥିଲେ।ବରଂ ଜନ୍ମଦାତା ଓ ଦାତ୍ରୀ ହିସାବ ରେ ଛୁଆ ଙ୍କ ପାଇଁ କରିବା ତାଙ୍କର କର୍ତ୍ତବ୍ୟ ବୋଲି କହିବାକୁ ପଛାନ୍ତି ନାହିଁ। ପ୍ରତିବଦଳ ରେ ସନ୍ତାନ ମାନଙ୍କ ଠାରୁ ବୃଦ୍ଧ କାଳ ରେ ସେବା,ସମୟ ଆଶା କରିବା ପିତାମାତା ଙ୍କ ର ବୋକାମୀ । ପାଶ୍ଚାତ୍ୟ ସଂସ୍କୃତି କୁ ଆପଣେଇ ଭୂଳିଯାଉଛନ୍ତି..ଯେ ନିଜର ବାର୍ଦ୍ଧକ୍ୟ ମଧ୍ୟ ଦିନେ ଆସିବ ।ସେତେବେଳେ ତାଙ୍କ ସନ୍ତାନ ମାନଙ୍କ ଦ୍ଵାରା ଏମିତି ଉପେକ୍ଷିତ ହେବେ। ସେତେବେଳେ ବୁଝିବେ।

ମାଉସୀ ତା ହାତ ମୁଠାକୁ ଚାପି ଧରି କହୁଥିଲେ ବୁଝିଲ ମା ,ପୁଅ ଓ ଝିଅ ଉଭୟଙ୍କର ବାପା ମାଆଙ୍କ ପାଇଁ କର୍ତ୍ତବ୍ୟ ଓ ଦାୟିତ୍ଵ ରହିଛି। କେବଳ ପୁଅ ଯେ ବାପା ମା ଙ୍କ ର ଦାୟିତ୍ଵ ନେବ ଏହା ଭୁଲ୍।ଝିଅ ବି ନେଇପାରିବ। ତୁମେ ଦେଖିବ ଯେଉଁ ଦିନ ବାର୍ଦ୍ଧକ୍ୟ ସମୟ ରେ ପୁଅ ହେଉ ବା ଝିଅ ଯଦି ସ୍ନେହର ହାତଟା ବଢ଼େଇ ଦେବେ ତେବେ ଛତୁ ପରି ଗଢି ଉଠୁଥିବା  ଏ ବୃଦ୍ଧା ଶ୍ରମ ର ସଂଖ୍ୟା  କମିଯିବ ନିଶ୍ଚୟ ।

ଶ୍ରଦ୍ଧା ମନେ ମନେ ଭାବୁଥିଲା ଆମେ ଝିଅ ମାନେ କେତେ ଦୁର୍ବଳ ମାନସିକତା କୁ ଜାବୁଡି ଧରି ଛୁ ସତରେ !ବାପା ମା ଙ୍କ ଦାୟୀତ୍ବ ନେବା ପୁଅର କର୍ତ୍ତବ୍ୟ ବୋଲି କହି ନିଜ ହାତ ଖସେଇ ନେଉଛୁ। ଆମେ ଉଭୟ ଶାଶୁ ଶଶୁର ଓ ବାପା ମା ଙ୍କ ପ୍ରତି ଥିବା କର୍ତ୍ତବ୍ୟ ପ୍ରତି ସଚେତନ ହେବା ଉଚିତ୍।ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ବାପା ମାଆ ଙ୍କୁ ପରିବାର ରେ ସମାନ ସମ୍ମାନ ମିଳିବା ଉଚିତ୍।କେବଳ କଥାରେ ନୁହେଁ କରି ଦେଖେଇବା ପାଇଁ ସମୟ ଆସିଛି।

ଶ୍ରଦ୍ଧା ମନେ ମନେ ମାଉସୀ ଙ୍କୁ ଧନ୍ୟବାଦ ଦେଉଥିଲା। ସେ ଆଜି ଯାଏଁ ବୁଝି ପାରି ନ ଥିବା କଥା କହି ମାଉସୀ ତାର ଆଖି ଖୋଲିଦେଇଛନ୍ତି। ଖାଲି ପୁଅ ନୁହେଁ ଝିଅମାନେ ମଧ୍ୟ ଆଖିଦୃଶିଆ ଭାବେ ବାପା ମା ଙ୍କ ଦାୟୀତ୍ବ ନେଇ ନିଜ କର୍ତ୍ତବ୍ୟ କରନ୍ତୁ ବୋଲି ସେ ଏଥର ଝିଅମାନଙ୍କୁ କହିବା ପାଇଁ ଭୁଲିବ ନାହିଁ।

  


Rate this content
Log in

Similar oriya story from Drama