Sanuja Meghamala

Tragedy

3  

Sanuja Meghamala

Tragedy

ଅବ୍ୟକ୍ତ ବ୍ୟଥା

ଅବ୍ୟକ୍ତ ବ୍ୟଥା

4 mins
630



ବାହାରେ ପ୍ରଳୟଙ୍କରୀ ବର୍ଷାର ବୁକୁଥରା ତାଣ୍ଡବ।ସୁ ସୁ ପବନ ସହିତ ରହି ରହି ବିଜୁଳି ଓ ଘଡଘଡିର ବିକଟ ଶବ୍ଦ ଛାତିକୁ ଥରେଇ ଦେଉଛି। ତାକୁ ତାଳ ଦେଇ  ସବୁ ଅନୀତି ଅତ୍ୟାଚାରକୁ ବାରମ୍ବାର ସହିଯାଉଥିବା ଗୋଟେ ନିରୀହା ନାରୀର ମନତଳର ଅବ୍ୟକ୍ତ ଯନ୍ତ୍ରଣ୍ଣା ଓ ନୀରବ ଆର୍ତ୍ତନାଦ ଘରର ଚାରିକାନ୍ଥ ଭିତରେ ଗୁମୁରି ଉଠୁଛି। ସୁପ୍ତ ଆଗ୍ନେୟଗିରିଟି ଗୋଟେ ବିରାଟ ବିସ୍ଫୋରଣ ପାଇଁ ପ୍ରସ୍ତୁତ  

ହେଉଛି।

 ସବୁର ଗୋଟେ ସୀମା ଥାଏ। ଭରା ନଈର ଯେବେ ବନ୍ଧ ଭାଙ୍ଗେ ପାଣିସୁଅକୁ ଅଟକାଇ ହୁଏନା।ନା ଆଉ ସହିବନି ସ୍ବସ୍ତିକା। ଯେତେ ସହି ଯାଉଛି ସେତେ ଏ ପରିବାର ତାର ଧନ ଲୋଭର କାୟାକୁ ବିସ୍ତାର କରି ଚାଲିଛି। ବାରମ୍ବାର ସହିଯିବାଟା ତାର ଦୁର୍ବଳତା ନୁହେଁ ବରଂ ତା ପରିବାରରୁ ପାଇଥିବା ସଂସ୍କାର ଥିଲା ।ସେହି ସଂସ୍କାରକୁ ତା ଦୁର୍ବଳତା ଭାବି ତାକୁ ମାନସିକ ସ୍ତରରେ ଅତ୍ୟାଚାର କରିବା କେତେ ଯେ ଯନ୍ତ୍ରଣା ଦାୟକ ତାହା ଏମାନେ କେହି ବୁଝନ୍ତିନି । ବୁଝି ପାରନ୍ତିନି। ଶୋଭନର ପରିବାରକୁ ସମ୍ମାନ ଦେବାରେ ସ୍ବସ୍ତିକା ତ କେବେ ଉଣା କରିନି ,ତେବେ ତାକୁ ଓ ତା ବାପା ମାଙ୍କୁ ସେତିକି ସମ୍ମାନ କାହିଁକି ଶୋଭନ କିମ୍ବା ,ଶାଶୁ ଶଶୁରଙ୍କ ପକ୍ଷରୁ ମିଳୁନି। ସେଥିପାଇଁ ଦାୟୀ କିଏ? ସେ ଝିଅ ହୋଇ ଜନ୍ମ ହେବା ନା ତାକୁ ଜନ୍ମ ଦେଇଥିବା ବାପା ମା। ଏକଥା ବାରମ୍ବାର ନିଜକୁ ଏକାନ୍ତରେ ପଚାରେ ସ୍ବସ୍ତିକା ।

 ଏକା କମ୍ପାନୀରେ ସମାନ ଦରମା ପାଉଥିବା ସ୍ୱାମୀ ଶୋଭନ ସହିତ କାର୍ଯ୍ୟ କରୁଥିଲେ ବି ବିବାହ ସମୟରେ ନିଜର ସାମର୍ଥ୍ୟ ଅନୁଯାୟୀ ଅନେକ କିଛି ଉପହାର ହିସାବରେ ଦେଇଥିଲେ ସ୍ବସ୍ତିକାର ବାପା। ସେତେବେଳେ ଶୋଭନର ପରିବାର ଭଦ୍ରତାର ମୁଖା ପିନ୍ଧି ଏତେ ସବୁ ଅଯଥା ସାମଗ୍ରୀର ଆବଶ୍ୟଶ ନାହିଁ ବୋଲି କେତେ ସହଜରେ ବୁଝେଇ ଦେଇଥିଲେ ସ୍ବସ୍ତିକାର ବାପାଙ୍କୁ । କଣ ନାହିଁ ଯେ ମୋ ଘରେ ଆପଣ ଦେବେ।ଅଯଥା ଏ ଜିନିଷ ପତ୍ର ଝିଂଝଟ ଅପେକ୍ଷା ଯାହା ଦେବାକୁ ଇଚ୍ଛା କରୁଛନ୍ତି କ୍ୟାସ ଆକାରରେ ନିଜ ଝିଅ ଆକାଉଣ୍ଟ ରେ  ଡିପୋଜିଟ କରି ଦିଅନ୍ତୁ..। ସମସ୍ୟା ର ସହଜ ସମାଧାନ।ଭବିଷ୍ୟତରେ ସେମାନଙ୍କ କାମରେ ଆସିବ।.ଆମକୁ ସେ ଝାମେଲାରେ ଜମା ପୁରାନ୍ତୁ ନାହିଁ। ଭଦ୍ର ଚେହେରା ତଳେ ଲୁଚି ରହିଥିବା ସୈତାନଙ୍କୁ ଚିହ୍ନିବା କଣ ସହଜ।ପଶୁପକ୍ଷୀଙ୍କୁ ଆଚରଣ ରୁ ଜାଣି ହୁଏ ସେମାନଙ୍କ ପ୍ରକୃତି।। କିନ୍ତୁ ଛଳନା କରୁଥିବା ମଣିଷ କୁ ଚିହ୍ନି ହୁଏ ନାହିଁ। ମଣିଷର ପ୍ରକୃତି ସବୁବେଳେ ଅସ୍ବଭାବିକ। ଇଟା ନୁହେଁ ଯେ ଗୋଟେ ଛାଞ୍ଚ ରେ ଗଢା ହେବେ।

 ନୂଆ ନୂଆ ଘର ସଂସାର କରିବାର ସ୍ଵପ୍ନ ଦେଖୁଥିବା ସ୍ଵସ୍ତିକା ଖୁସୀ ହୋଇଥିଲା  ଯାହା ହେଉ ତା ଶାଶୁଘର ଲୋକମାନେ ଯୌତୁକ ଲୋଭୀ ରାକ୍ଷସ ନୁହନ୍ତି। ଶୋଭନର ଭଦ୍ର ଓ ମାର୍ଜିତ ବ୍ୟବହାରରେ ଆକର୍ଷିତ ହୋଇ ସେ ତାଙ୍କୁ ଭଲ ପାଇଥିଲା। ତା ମନରେ ଶୋଭନ ଓ ତାଙ୍କ ପରିବାର ପ୍ରତି ଯଥେଷ୍ଟ ସମ୍ମାନ ବଢ଼ି ଯାଇଥିଲା ବିବାହ ପୂର୍ବରୁ । 

ବାପା ମାଆ ବନ୍ଧୁ ବାନ୍ଧବ ମାନେ ଖୁସି ହୋଇଥିଲେ ସ୍ବସ୍ତିକାର ପସନ୍ଦକୁ ନେଇ।ଭଲ ପରିବାର ସହିତ ନିଜ ଝିଅର ସମ୍ପର୍କ ଯୋଡି ହୋଇଗଲେ କେଉଁ ବାପା ମା ଅବା ଖୁସି ନ ହେବେ !

କିନ୍ତୁ ଏ ଖୁସି ବେଶୀଦିନ ରହିଲା ନାହିଁ। ଗୋଡରୁ ଅଳତାର ଦାଗ ନ ଲିଭୁଣୁ...ବନ୍ଧୁବାନ୍ଧବ ମାନେ ଘରୁ ଚାଲିଗଲା ପରେ ଶାଶୁ ଙ୍କର୍ ଅସଲ ରୂପ ଟା ପଦାକୁ ଆସିଲା। । ସବୁ କଥା ରେ ଆପତ୍ତି ଓ ଅଭିଯୋଗ। ବାପା ତାର ଖୁସିରେ ନିଜ ପସନ୍ଦ ମୁତାବକ ଯାହା ବ୍ୟବହାର ସାମଗ୍ରୀ ଦେଇଥିଲେ ସେ ସବୁକୁ ନେଇ ତାତ୍ସଲ୍ୟ ବା ଉପହାସ କଲେ ଶୋଭନ ଓ ତାଙ୍କ ମାଆ। ନୂଆ ନୂଆ ଆସବାବ ପତ୍ର , ଟଙ୍କା , ଗାଡ଼ି ସୁନାଗହଣା ର ଫର୍ମାଇସି ଦିନ କୁ ଦିନ ବଢି ଚାଲିଲା। ଦିନ ଯେତିକି ବିତି ଚାଲିଲା.. ଲୋଭ ସେତିକି ବଢିଚାଲିଲା। ଝିଅର ଖୁସି ପାଇଁ ବାପା ପାରୁଥିବା ପର୍ଯ୍ୟନ୍ତ ଦେଇ ଚାଲିଛନ୍ତି। କାହାକୁ ବା କହିବେ। ଭୁଲି ଯାଇଛନ୍ତି ଯେ ସ୍ଵସ୍ତିକା ପରେ ତାଙ୍କ ର ଆଉ ଦୁଇଟି ବିବାହ ଯୋଗ୍ୟା ଝିଅ ଅଛନ୍ତି। ଚାକିରୀ କାଳ ସରି ସରି ଆସୁଛି ଓ ତା ସହିତ ସଞ୍ଚିତ ଅର୍ଥ ମଧ୍ୟ ଶେଷ ହେବାକୁ ବସିଲାଣି। କେଉଁ ବାପା ତା ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ନିଜ ଝିଅକୁ ଶାଶୁ ଘରେ ଦୁଃଖ, ଯନ୍ତ୍ରଣା ଓ ନିର୍ଯାତନା ସହିବାକୁ ଛାଡ଼ି ଦେଇପାରିବ।

‌ ସ୍ବସ୍ତିକାର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ଯେଉଁ ଦିନ ସ୍ବାମୀ ଶୋଭନ ତାକୁ ଆପାର୍ଟମେଣ୍ଟଟେ କିଣିବା ପାଇଁ ତା ବାପା ଙ୍କ ଠାରୁ ପଇସା ଆଣିବାକୁ ବାଧ୍ୟ କଲା। ସେ କିଛି ପ୍ରତିକ୍ରିୟାଦେଖାଇଲାନି।,ବାପାଙ୍କୁ ସେ ଏତେବଡ କଥା କହିପାରିବିନି ବୋଲି କାକୁତି ମିନତି କରି ମନା କଲାନି। ନିଜେ ମଧ୍ୟ ବାପା ଙ୍କୁ କିଛି କହିଲାନି। କିଛି ଗୋଟେ ଗୁରୁତ୍ଵ ପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ଝଡ଼ ପୂର୍ବର ଆକାଶ ପରୀ ଗମ୍ଭୀର ରହିଲା। ଏକା ଏକା ନିଷ୍ପତ୍ତି ଟେ ନେଲା। ସଂଗ୍ରାମ ତାର ଲଢ଼ିବାକୁ ହେବ ତାକୁ। ଯେତେ ସହିବ ସେତେ ଭୋଗିବ ।ଏଥର ସେ ନିଜ ଜିନିଷ ପତ୍ର ଆଟାଚିରେ ସଜଡ଼ା ସଜଡ଼ି କଲା। ଶୋଭନ ଓ ଶାଶୁ ମନେ ମନେ ଖୁସିହେଲେ ଯେ ଏତେବଡ ରକମ୍ ହୋଇଥିବାରୁ ସେ ତା ବାପା ଙ୍କ ପାଖକୁ ନିଜେ ଯାଉଛି କଥା ବାର୍ତ୍ତା କରି ଆଣିବା ପାଇଁ। ସ୍ଵସ୍ତିକା ଘରୁ ବାହାରି ଯିବା ବେଳେ କହିଲା ଏବେ ମୁଁ ଆସୁଛି। ଅଲଗା ଘର ଠିକ୍ କରିଛି ଆଜିଠୁ ସେଠାରେ ରହିବି। ମୋ ବାପା apartment କିଣିବାକୁ ପଇସା ଦେବେ ନାହିଁ ମୋତେ । ବରଂ ମୁଁ ପ୍ରତିମାସରେ ମୋ ଦରମା ରୁ ଘରଟେ ଭଡ଼ା ନେଇ ରହିବି ।ଆସନ୍ତା କାଲି ମୁଁ ଆସି ମୋ ବାପା ଦେଇଥିବା ଜିନିଷ ଗୁଡା ନେଇଯିବି ସେହି ଘରକୁ ।ଆପଣମାନେ ଯଦି ମୋ ସହିତ ରହିବା ପାଇଁ ଚାହାନ୍ତି ତାହେଲେ ମୋ ଘରକୁ ଆସି ରହିପାରିବେ। ମୋର ଆପତ୍ତି ନାହିଁ।କିନ୍ତୁ ଗୋଟେ ସର୍ତ୍ତ ରହିଛି। ଏଠି ମୁଁ ଯେମିତି ମୋ ଦରମା ଦେଉଥିଲି ଘର ଖର୍ଚ୍ଚ ପାଇଁ ଆପଣମାନଙ୍କୁ ମଧ୍ୟ ସେଠାରେ ନିଜ ଖର୍ଚ୍ଚ ତୁଲେଇବା ସହିତ ଘର ର କାମରେ ସାହାଯ୍ୟ କରିବାକୁ ପଡ଼ିବ। ମୁଁ ବାହାହୋଇ ଆସିଲା ପରେ ଆପଣଙ୍କ ଘରକୁ ନିଜର ଘର , ଆପଣମାନଙ୍କୁ ମୋର ନିଜର ବୋଲି ଭାବିଥିଲି। ।କିନ୍ତୁ ଆପଣ ମାନେ ମୋତେ ପର କରିଦେଲେ ଓ ମୋ ପରିବାରକୁ ସେତିକି ସ୍ନେହ ସମ୍ମାନ ନ ଦେଇ ଶୋଷଣ କରି ଚାଲିଲେ।  ଆପଣମାନେ ଆସି ମୋ ଘରେ ରହି ପାରିବେ କିନ୍ତୁ ସେଠି କାହାର ହୁକୁମ ଚଳିବ ନାହିଁ। ଯଦି ମୋ ସର୍ତ୍ତ ପସନ୍ଦ ହେଉନି ତେବେ ଆମେ ଆଇନ ଅନୁଯାୟୀ ଅଲଗା ହୋଇଯିବା ବୋଲି ମୋର ମତ। ତମେ କଣ କହୁଛ, ଶୋଭନ,?

 ଏଥର ଘରର ଗେଟ୍ ଖୋଲି ସେ ଧୀରେ ଧୀରେ ରାସ୍ତା କୁ ଆସିଲା। ତା ପାଇଁ ଟଣା ହୋଇଥିବା ସମାଜର ଲକ୍ଷ୍ମଣ ରେଖା କୁ ସେ ଡେଇଁ ଗଲା। ସମ୍ମାନ ଓ ସ୍ବାଭିମାନ ସହିତ ବଞ୍ଚିବା ପାଇଁ ହେଲେ ବେଳେ ବେଳେ ଏମିତି ପଦକ୍ଷେପ ନେବାକୁ ହୁଏ। 

ବର୍ଷା ରେ ଭିଜି ଭିଜି ଦୁଇ ଆଖିରୁ ବହି ଯାଉଥିବା ଲୁହର ଧାରା କୁ ପୋଛି ଦେଇ ନିଜର ପାଦ ବଢ଼େଇଲା ଆଗକୁ ଏକମୁଂହା ହୋଇ।

ସେ ଜାଣେ ତାର ଏହି ନିଷ୍ପତ୍ତିକୁ ତା ବାପା ମା ଗ୍ରହଣ କରିବେନି।ତଥାପି ସେ ବହୁତ୍ ଭାବି ଚିନ୍ତି ଏ ନିଷ୍ପତ୍ତି ନେଇଛି। ସହିବାର ସୀମା ଥାଏ ଆଉ ସେହି ସୀମା ଟିକକ ଟପିଗଲେ କେହି ପରିଣାମ ଚିନ୍ତା କରେନି ଯେ କଣ ହେବ? ତାର ମଧ୍ୟ ଆଜି ସେଇ ଅବସ୍ଥା। ଝିଅ ଟେ ଥରେ ବାହା ହୋଇ ବାପା ଘର ର ଏରୁଣ୍ଡି ବନ୍ଧ ଡେଇଁ ଗଲେ ଶାଶୁ ଘର ତା ପାଇଁ ସ୍ବର୍ଗ ପାଲଟିଯାଏ। କିନ୍ତୁ ଯେଉଁ ସ୍ବର୍ଗ ରେ ପ୍ରତିମୁହୁର୍ତ୍ତରେ ନର୍କ ର ଯନ୍ତ୍ରଣା ଭୋଗିବାକୁ ପଡେ ସେଠି କୀଟ ପରି ପଡ଼ି ରହିବା ଅପେକ୍ଷା ନିଜ ମୁକ୍ତିର ବାଟ ଖୋଜିବା ଭୂଲ ନୁହେଁ । 


Rate this content
Log in

Similar oriya story from Tragedy